Unknown

 

 

 

 

 

 

 

 

 

 

 

ଅନ୍ୟାନ୍ୟ ଓ ପ୍ରେମର ପ୍ରଥମ ସମ୍ବୋଧନ

ଯଦୁନାଥ ଦାଶ ମହାପାତ୍ର

 

ସାମ୍ପ୍ରତିକ ସାହିତ୍ୟରେ ଯଦୁନାଥ ଦାଶ ମହାପାତ୍ର । ଏକ ବଳିଷ୍ଠ ପ୍ରତିଭା । ଜଣେ ରୋମାଣ୍ଟିକ୍‌ କବି ରୂପେ ତାଙ୍କର ଆର୍ବିଭାବ । ତାଙ୍କ ପ୍ରତିଭାର ବହିମୁଖୀତା ଆଧୁନିକ କଥାସାହିତ୍ୟ ଓ ନାଟକକୁ ସମୃଦ୍ଧତର କରିଛି ।

ଓଡ଼ିଆ ସାହିତ୍ୟର ଏହି ସବ୍ୟସାଚୀଙ୍କ ପ୍ରତିଭାର ଭୂୟୋବିକାଶ ନାଟକ ଓ କଥାସାହିତ୍ୟରେ । ପରୀକ୍ଷା ମୂଳକ ନାଟକ ଓ ମାନବ ଜୀବନର ଶାଶ୍ୱତ ଗୀତିମୁଖରିତ କଥା ସାହିତ୍ୟ ତାଙ୍କୁ ଓଡ଼ିଶାର ବିଦଗ୍‌ଧ ପାଠକ ନିକଟରେ ଆଦରଣୀୟ କରିଛି । କଥା ସାହିତ୍ୟରେ ତାଙ୍କ ମନର ସକଳ ବାତାୟନ ଖୋଲାଯାଇଛି । ଜୀବନ ପ୍ରତି ତାଙ୍କର ଗଭୀର ଅନୁରାଗ ଭାବର ତୀକ୍ଷ୍‌ଣ ସଙ୍କେତମୟତା ଭିତରେ ଭାସ୍ୱର ।

ଜଣେ ଆଇନଜୀବୀ ରୂପେ ବା ରାଜନୀତିଜ୍ଞ ରୂପେ କର୍ମବ୍ୟସ୍ତତା ଭିତରେ ମଧ୍ୟ ତାଙ୍କ ସାହିତ୍ୟ ସାଧନା ଅନାହତ; ତେଣୁ ଅତୀତରେ ସାଂସ୍କୃତିକ ବ୍ୟାପାର ବିଭାଗର ଉପମନ୍ତ୍ରୀ ଏବଂ ଅଧୁନା ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର ବିଭାଗର ମନ୍ତ୍ରୀ ରୂପେ କର୍ମବହୁଳତା ମଧ୍ୟରେ ବି’ ତାଙ୍କ ସ୍ରଷ୍ଟାମାନସ ସାହିତ୍ୟରେ ନୂତନ ନୂତନ ପରୀକ୍ଷାରେ ଆଗ୍ରହୀ । ତାଙ୍କ ସାହିତ୍ୟ ବିଳାସର ନୁହେଁ...ତପସ୍ୟାର; ସାମୟିକ ଭାବପ୍ରବଣତା ନୁହେଁ, ନିରବଚ୍ଛିନ୍ନ ସାଧନା ।

ଏହି ପ୍ରତିଭାଶାଳୀ ଲେଖକଙ୍କର ‘ଅନ୍ୟାନ୍ୟ ଓ ପ୍ରେମର ପ୍ରଥମ ସମ୍ବୋଧନ’ ଆଲୋକକୁ ଆଣିପାରିଥିବାରୁ ଆମେ ଆନନ୍ଦିତ । ତିନୋଟି କ୍ଷୁଦ୍ର ଉପନ୍ୟାସର ଏହି ମନୋଜ୍ଞ ସଞ୍ଚୟନ ପାଠକ ସମାଜରେ ଯଥେଷ୍ଟ ଆଦୃତ ହେବ ବୋଲି ଆମର ଆଶା ଓ ଦୃଢ଼ ବିଶ୍ଵାସ ।

ପ୍ରକାଶକ

 

 

 

 

 

 

 

 

 

 

 

 

 

ପ୍ରେମର ପ୍ରଥମ ସମ୍ବୋଧନ

 

–ଏକ–

 

ପଛରେ ରହି ଯାଉଥିଲା ବନାନୀ, ପାହାଡ଼, ପ୍ରାନ୍ତର । ସୁବ୍ରତ ଚାଲିଛି ଆଗମୁହାଁ । ସଂଧ୍ୟା ହେଇନି । ଚତୁର୍ଦ୍ଦଶୀର ଜ୍ୟୋତ୍ସ୍ନାଲୋକରେ ସାରା ପୃଥିବୀ ଉଦ୍ଭାସିତ । ନାମ ଜଣା ନ ଥିବା ଫୁଲର ଗଂଧରେ ଚତୁର୍ଦ୍ଦିଗ ମହକୁଛି । ଦକ୍ଷିଣ ଦେଶରୁ ବହି ଆସୁଚି ଅଫୁରନ୍ତ ହାଓ୍ୱା । ବୃନ୍ତରୁ ଝରି ପଡ଼ିଚି ପଲ୍ଲବ । ତା’ରି ଉପରେ ବୋଧହୁଏ ଦଉଡ଼ି ବୁଲୁଛନ୍ତି ଛୋଟ ଛୋଟ ଗୁଣ୍ଡୁଚିମୂଷା କେତୋଟି-। ଗଛ ଶାଖାରେ ନୀଡ଼ଫେରନ୍ତା ପକ୍ଷୀର ପ୍ରଥମ କଳରବ....

 

ପଛରେ ରହି ଯାଉଥିଲା ତା’ର ସ୍ୱପ୍ନ ର ରାଇଜ–ପରିଚିତ ପଲ୍ଲୀ । ରଥ ପଡ଼ିଆ ପାରହୋଇ ମିଶ୍ର ସାହିର ପୋଖରୀ ହୁଡ଼ା ଉପରକୁ ଉଠିଆସିଲା ସେ । ଜାମୁ ଗଛର ଗହଳି । ପଛକୁ ଫେରି ଚାହିଁଲେ ଦିଶୁଚି ଶୂନ୍ୟ କ୍ଷେତ୍ର, କ୍ଷୁଧିତ ହେଇ ସେ ଯେମିତି ଆଶାଦୀପ୍ତ ଆଖିରେ ଆକାଶକୁ ଚାହିଁ ରହିଛି । ଫାଲ୍‌ଗୁନ୍‌ ମାସର ଆଦ୍ୟ । କୃଷକ ଚାହିଁ ରହିଚି ଇନ୍ଦ୍ର ଦେବତା କେବେ ଦୟା କରିବେ । ବର୍ଷା ଏପର୍ଯ୍ୟନ୍ତ ହେଇନି । ମିଶ୍ର ସାହି ଗାଁ । ମଝି ମନ୍ଦିରରୁ ଶୁଭୁଚି ଶଙ୍ଖ ଘଣ୍ଟା ଧ୍ୱନି-। କାଲି ପରି ଦୋଳ ପୂର୍ଣ୍ଣିମୀ ଆସିବ । ଫଗୁଳ ଅବିରରେ ଲାଲ୍‌ ହେଇଉଠିବ ମାଟିର ଅଙ୍ଗ-

 

‘‘ଧର୍ମ କାର୍ପଣ୍ୟ ସେବା ଫଳେ

କିବା ଅସାଧ୍ୟ ମହୀତଳେ.....’’

 

ପାଖରେ ଭାଗଦତ ଟୁଂଗୀ । ପୁରାତନ ଓଡ଼ିଆ ସଂସ୍କୃତିର ଭଗ୍ନ ଅବଶେଷ । ମିଂଜି ମିଂଜି ଆଲୁଅରେ ଭାଗବତ ପୋଥି ଧରି ଗାଉଛନ୍ତି ବୃଦ୍ଧ ନୀଳ ପଣ୍ଡା । ପାଖରେ ବସିଛନ୍ତି ଦୁଇ ଚାରିଜଣ ଶୁକ୍ଳକେଶ ପଳିତଚର୍ମ ଗାଆଁର ପୁରୁଖା ଲୋକ । ପାନ ବୋଳରେ ସବୁଗୁଡ଼ିକ ଦାନ୍ତ କଳା କିଟି କିଟି । ସୁବ୍ରତକୁ ଦେଖି ଉପସ୍ଥିତ ସନାତନ ମିଶ୍ରେ ପାଟିକରି ଉଠିଲେ–‘‘କିହୋ ସୁବ୍ରତବାବୁ, କୁଆଡ଼ିକି ଏକ–ମୁହାଁ ଧାଇଁଛ ?’’

 

ହଠାତ୍‌ ଗତି ତା’ର ଥମିଗଲା ।

 

‘‘ପ୍ରଣାମ ଗୋସାଇଁ ।’’

 

‘‘ଆୟୁଷ୍ମାନ୍‌ ହୁଅ ବାବା, ପିତୃପିତାମହଙ୍କର ଗୌରବକୁ ଅକ୍ଷୁର୍ଣ୍ଣ ରଖ । ଧନ–ଜନ–ଗୋପଲକ୍ଷ୍ମୀରେ ଗୃହ ତୁମର ହସି ଉଠୁ । ରାତିରେ କୁଆଡ଼କୁ ?’’

 

‘‘ଜନତା ଗାଡ଼ି ଧରି ମତେ ଆଜି କଟକ ଯିବାକୁ ହେବ...’’

 

‘‘ଓ, ଏତେ ଜିଲ୍‌ଦି କାହିଁକି ?

 

‘‘ଜନତା ରାତି ଦି’ଟା ବେଳେ ପହଂଚିବ । ଆଗରୁ ଯାଉଛି । ଷ୍ଟେସନ୍‌ ପାଖ ମିଲ୍‌ରେ ରହିଯିବି ।’’

 

‘‘ବେଶ୍‌ ବେଶ୍‌, ପଢ଼ାଶୁଣା....... ?’’

 

“ହଁ ଚାଲିଛି ।’’

 

ଛୋଟ ପିଲାଟିଏ ଆସି ସନାତନ ମିଶ୍ରଙ୍କୁ କହିଲା–

 

‘‘ବାପା, ଆସ ଚା’ ହୋଇଗଲାଣି ।’’

 

ଏତକ ଶୁଣିବା ପାଇଁ ଉତ୍‌କଂଠିତ ହେଇ ମିଶ୍ରେ ଯେମିତି ଚାହିଁ ରହିଥିଲେ । ସୁବ୍ରତକୁ କହିଲେ –

 

‘‘ହଉ ଯାଅ । ପଢ଼ାଶୁଣା କରି ବଡ଼ ମଣିଷଟାଏ ହୁଅ ।’’

 

ସୁବ୍ରତ ଆଶ୍ଚର୍ଯ୍ୟ ହେଲା । ସୁଦୂର ମଫସଲର ବ୍ରାହ୍ମଣ ଶାସନରେ ମଧ୍ୟ ଚା’ର ଆବିର୍ଭାବ ହେଲାଣି । ହଉ, ସେଦିନ କଟକରେ ଜଣେ ବିଶିଷ୍ଟ ବକ୍ତା ଭାଷଣ ଦଉ ଦଉ କହିଲେ–

 

‘‘କିଏ କହେ ଓଡ଼ିଆ ଗରିବ, ପଖାଳଖିଆ ଜାତି ? ଦେଖିବ ଯାଅ, ମଫସଲର ଘରେ ଘରେ ଓଡ଼ିଆ କେମିତି ଆଜି ଦୁଗ୍‌ଧ ପାନ କରୁଛି । ବେଶୀ ହଉ, କମ୍‌ ହଉ, ଚା’ରେ ତ ଦୁଧ ପଡ଼ୁଚି...’’

 

ହସ ଲାଗିଲା ସୁବ୍ରତକୁ । ବାସ୍ତବିକ୍‌ ଓଡ଼ିଆ ଆଜି ଚା’ ସାଂଗରେ ଟିକିଏ ହେଲେ ବି ତ ଦୁଧ ପିଉଛି । ଏ କ’ଣ କମ୍‌ ସୌଭାଗ୍ୟର ଲକ୍ଷଣ । ଖାଦ୍ୟସମସ୍ୟାର ସମାଧାନ ପାଇଁ ଚା’ର ବହୁଳ ପ୍ରୟୋଜନ ଆବଶ୍ୟକ । ସେତ ଦେଖିଚି, କଟକରେ ତା’ର ଚା’ଖିଆ ବଂଧୂମାନେ ଖଣ୍ଡିଏ ବିସ୍କୁଟ ଆଉ ଅଧକପେ ଚା’ ଖାଇ ଭୋକ ସଂଭାଳି ନିଅନ୍ତି । ଆଉ ଯୋଉମାନେ ଚା’ ଖାଆନ୍ତିନି, ସେମାନେ ମାନ୍ଦ୍ରାଜୀ ହୋଟେଲ୍‌ ରେ ଦୋସା, ଇଡ଼ଲି, ଉପମାକୁ ପେଟେ କଷିକରି ଖାଆନ୍ତି, ନୋହିଲେ ଚୂଡ଼ା ଚିନି କଦଳୀ ଚକଟି ତାର ସଦ୍‌ ବ୍ୟବହାର କରନ୍ତି । ଚା’ଖିଆ ଲୋକଙ୍କଠୁଁ ତିନିଗୁଣ ଅଧିକ ପଇସା ଖରଚ ।

 

ମିଶ୍ରେ ଉଠିଗଲେ ।

 

ଟୁଂଗୀ ପିଣ୍ଡାରେ ବସି ହୁରୁଷି ପ୍ରଧାନ ଗଞ୍ଜେଇର ବ୍ୟବସ୍ଥା କରୁଚି । ପୁରାଣ ଚର୍ଚ୍ଚାପାଇଁ ଏଗୁଡ଼ିକର ବିଶେଷ ପ୍ରୟୋଜନୀୟତା ଅଛି, କିଏ ୟାକୁ ଅସ୍ୱୀକାର କରିବ ? ବ୍ରାହ୍ମଣ ଶାସନର ମୁରବିମାନଙ୍କ ବ୍ୟବସ୍ଥାକୁ ରାଜା ଜମିଦାର ବି ବେଦର ଗାର ଭଳିଆ ମାନୁଥିଲେ । ସୁବ୍ରତ ବା କେତେକେ ? କହିବାର କିଛି ନାହିଁ । ସୁବ୍ରତ ପୁଣି ଚାଲିଲା ତା’ର ଚଲାବାଟରେ ।

 

ନୀଳକଂଠପୁର ।

 

ପୋଖରୀ ହୁଡ଼ାର ଶ୍ମଶାନରେ ଜଳୁଚି ଚିତା । ହାୟରେ ? ଏମିତିଆ ଜହ୍ନ ରାତିରେ କାହାର ଏଡ଼େ ଦୁର୍ଭାଗ୍ୟ ? ନାଲି ଚିତାରେ ମୁହ ତା’ର ଲାଲ୍‌ ହେଇ ଉଠିଲା । ଜାଗାଟାର ଉତ୍ତାପ ଯେମିତି ବଢ଼ି ଯାଇଚି । ଶବଦାହ ପାଇଁ କୋଡ଼ିଏଜଣ ଖଣ୍ଡେ ଲୋକ ଜମା ହେଇଛନ୍ତି । ପଲଙ୍କଟାଏ ଥୁଆ ହେଇଚି । ଖାନଦାନ୍‌ ବଂଶର ଶବ । ଜୁଇ ଚାରିପାଖେ ଫୁଲ ପଡ଼ିଚି । କିଏ ସେ ଏ ? ନୀଳକଂଠପୁରର ସବୁ ଲୋକଙ୍କୁ ପ୍ରାୟ ସେ ଚିହ୍ନିଚି । ତା’ ମାମୁଁ ଘର ସେଇ ଗାଁରେ । ପୁରୁଣା ଜମିଦାର ଘର ଅନେକ ଅଛି । ତାହାରି ଭିତକୁ କେହି ହେଇଥିବ ।

 

“ଏତେ ରାତିରେ କୁଆଡ଼େ ଚାଲିଚୁ ସୁବ୍ରତ !’’

 

ଚମକି ପଡ଼ିଲା ସେ ଅସଂଲଗ୍ନ ଚିନ୍ତାଧାରା ତା’ର ଅଡ଼ୁଆ ହେଇଉଠିଲା । ମାମୁଁ ଘର ବଂଶର ଚିନ୍ମୟ ପୁଣି ତାକୁ ପଚାରିଲା–‘‘ଏଥର ପରୀକ୍ଷାଫଳ ବାହାରିଲାଣି ନା ? କ’ଣ ହେଲା ତୋ’ର ?’’

 

ସୁବ୍ରତ କହିଲା–‘‘ଇଂରାଜୀରେ ଦୁଇନମ୍ବର ପାଇଁ ଫେଲ୍‌ ହେଇଗଲି ।’’

 

ସ୍ଵାଧୀନତା ପାଇବାର ନ’ବର୍ଷ ପରେ ବି ଭାରତୀୟ ଯୁବକ ଇଂରାଜୀରେ ଦୁଇନମ୍ବର ପାଇଁ ଫେଲ୍‌ ହେଇ ବଳ ବୟସ ଅର୍ଥ ସାରି ପୁଣି ଗୋଟିଏବର୍ଷ ପାଠ ପଢ଼େ । ମନେହୁଏ ଆମର ଶାସକମାନେ ବ୍ରିଟିଶମାନଙ୍କଠାରୁ ଭାରତବର୍ଷକୁ ସତେ ଯେମିତି ଉତ୍ତରାଧିକାରୀ ସୂତ୍ରେ ପାଇଛନ୍ତି । ପୂର୍ବପୁରୁଷମାନେ ଯୋଉ ପଥ ଦେଖେଇ ଯାଇଛନ୍ତି ଆମେ ବି ଆଜି ଠିକ୍‌ ସେଇ ପଥରେ ଯାଉଛୁ । କାନ୍ତକବି ଲକ୍ଷ୍ମୀକାନ୍ତ ବଂଚିଥିଲେ ଅବା କହିଥାନ୍ତେ–‘‘‘ଏ ଅନୁକରଣ ହଉଚି ହନୁକରଣ । ଇଂରାଜୀ ଭାଷା ପଢ଼ିବା ଆବଶ୍ୟକ । କିନ୍ତୁ ତା’ ବୋଲି ଇଂରାଜୀରେ ଦୁଇନମ୍ବର କମ୍‍ ଥିବା ଯୋଗୁଁ ଭାରତୀୟ ଛାତ୍ର ଫେଲ୍‍ ହବା ଆମର ଦୁର୍ଭାଗ୍ୟ । କାହାକୁ କହିବା–କପାଳରେ ସିନା କର ଥାପିବା ।

 

ଚିନ୍ମୟ କହିଲା–‘‘ବାପା କୋଉଠି ?’’

 

‘‘କଟକରେ ଅଛନ୍ତି, ପେନ୍‌ସନ୍‌ ନବାର ବେଳ ହେଇଗଲଣି ।’’

 

ସୁବ୍ରତର ବାପା କଟକରେ ଡେପୁଟି ମାଜିଷ୍ଟ୍ରେଟ୍‌–ନାମ ତାଙ୍କର ନବକେତନ ଦାଶ । କଟକରେ ଜମି କିଣି ସାରିଲେଣି । ପେନ୍‌ସନ୍‌ ନେଇ ଆଉ ଗାଁକୁ ଫେରିବାର ଇଚ୍ଛା ନାହିଁ । ଜମିବାଡ଼ି ଭାଗରେ ଲଗେଇ ଯାହା କିଛି ଫସଲ ପାଇବେ ସେତକ ନେଇ କଟକରେ ରହିବେ । ଚାକିରି ଜୀବନ ପରେ ମଫସଲରେ ରହିବା ଦୁଃସହ ହେଇଉଠେ । ସୁବ୍ରତର ମା’ ଭଉଣୀ ସଭିଏଁ କଟକରେ । ରେଭେନ୍‌ସା କଲେଜ ସାମ୍ନାରୁ ଜୋବ୍ରାକୁ ଯୋଉ ରାସ୍ତା ଯାଇଚି –ସେଇ ରାସ୍ତାରେ ତାଙ୍କ ଘର,ଜଣେ ବିଖ୍ୟାତ ବେତାରଶିଳ୍ପୀଙ୍କ ଘରକୁ ଲାଗିଚି । ସ୍ୱର ଆଉ ଛନ୍ଦରେ ସେ ଖଣ୍ଡକର ବାୟୁମଣ୍ଡଳ ସବୁବେଳେ ଝଂକୃତ ହେଇ ଉଠୁଥାଏ । ଜୋବ୍ରା ରାସ୍ତାର ଧୂଳିକଣା, ମହାନଦୀର କଳକଳ ସଂଗୀତ, ସତେ ଯିମିତି ଆହୁରି ଜୀବନ ପାଇଉଠେ ।

 

ଶ୍ମଶାନର ଚିତା ଆହୁରି ଜୋରରେ ଜଳି ଉଠିଲା, ନିଭିଯିବାର ପୂର୍ବାବସ୍ଥା ।

 

ସୁବ୍ରତ ପଚାରିଲା–‘‘କିଏ ମରିଗଲେ କି ?’’

 

‘‘ମରି ନାହାନ୍ତି, ଆତ୍ମହତ୍ୟା କରିଛନ୍ତି ।’’ ଚିନ୍ମୟ କହିଲା ।

 

‘‘କାହିଁକି ? କ’ଣ କିଛି ଦୁଃସାଧ୍ୟ ରୋଗ ହେଇଥିଲା ?’’

 

“ଠିକ୍‌ କହିଚୁ–ସେ ରୋଗ ଯାହାକୁ ଧରେ, ତା’ର ପରିଣାମ ଏଇଆ ହୁଏ । ତୁ ଚିହ୍ନିଥିବୁ ନିଶ୍ଚୟ । କମଳ ମହାନ୍ତି–ଡାକ୍ତର ।’’

 

ଉତ୍‌କଂଠିତ ହୋଇ ସୁବ୍ରତ ପୁଣି କହିଲା–‘‘ଆରେ, କମଳବାବୁ ଆତ୍ମହତ୍ୟା କଲେ କାହିଁକି । ଏବେ ତ ଏଇ ଦି’ବରଷ ହେଲା ବାହା ହେଇଥିଲେ । ବାହାଘର ପରେ ଶାନ୍ତିରେ ରହିବେ–ଗାଁ ଲୋକଙ୍କର ସେବା କରିବେ ବୋଲି ଚାକିରି ଛାଡ଼ିଦେଇ ଏଠିକି ପଳେଇ ଆସିଲେ । ତାଙ୍କ ସ୍ତ୍ରୀ ଛନ୍ଦା ତ ଖୁବ୍‌ ଭଲ । ସେ ପୁଣି ଆତ୍ମହତ୍ୟା କଲେ କାହିଁକି ?

 

‘‘ବହୁତ କଥା ଅଛି ତା’ ଭିତରେ । ତୁ ନିଶ୍ଚୟ ଜାଣୁ, କମଳ ଆଉ ଛନ୍ଦା ପ୍ରେମ ବିବାହ କରିଥିଲେ । କମଳ ଏମ୍‍. ବି. ବି. ଏସ୍‌. ଆଉ ଛନ୍ଦା ଗ୍ରାଜୁଏଟ୍‌ । କମଳ କଟକରେ ଥିବାବେଳେ ଛନ୍ଦା ସହିତ ତାଙ୍କର ହେଇଥିଲା ପରିଚୟ–ପରିଚୟରୁ ପ୍ରେମ । ଦୁହିଁଙ୍କର ପ୍ରେମ ଗୀତରେ କଟକ ସହର କ୍ଷଣକ ପାଇଁ ମୁଖରିତ ହେଇ ଉଠିଥିଲା । ଛନ୍ଦା ତା’ ବାପ ମା’ଙ୍କ ଅଜାଣତରେ କଟକଚଣ୍ଡୀ ମନ୍ଦିରରେ କମଳଙ୍କ ଗଳାରେ ଲମ୍ବାଇ ଦେଇଥିଲା ବରଣମାଳା ଆଉ କମଳ ପ୍ରତିଦାନରେ ଛନ୍ଦା ମୁଣ୍ଡରେ ଦେବୀଙ୍କ ସିନ୍ଦୁର ଲଗାଇ ଦେଇଥିଲେ । ଏଇମିତି ଶେଷ ହୋଇଗଲା ତାଙ୍କ ବିବାହ । ଛନ୍ଦାର ବାପ ମା’ ଜାଣିଲେ । ସେତେବେଳକୁ ଆଉ ସମ୍ମତି ନ ଦେବାର ବାଟ ନ ଥିଲା । କାରଣ ଛନ୍ଦା ସେତେବେଳକୁ ଶୁଣି ସାରିଥିଲା ଆଗାମୀ ଶିଶୁର କଳରବ । ସ୍ଵାମୀ–ସ୍ତ୍ରୀ ହିସାବରେ ଗୋଟିଏବର୍ଷ ରହିବା ପରେ କମଳଙ୍କର ହଠାତ୍‌ ଖିଆଲ ହେଲା ଆଉ, ସେ ଚାକିରି କରିବେ ନାହିଁ । ଓଡ଼ିଶାରେ ଚାରିଆଡ଼େ ଜଳି ଉଠିଲାଣି ସୀମା ଆନ୍ଦୋଳନର ଦିଗନ୍ତବ୍ୟାପୀ ଅଗ୍ନିଶିଖା । ଓଡ଼ିଶାର ନ୍ୟାଯ୍ୟ ଆଉ ନ୍ୟୁନତମ ଦାବୀ ଭାରତର ନେହେରୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାରେ ହତାଶା ଆଉ ବିପ୍ଳବ । ସରକାରୀ ଚାକିରିଆମାନେ ବି ଜାତିର ଏଇ ଡାକରାରେ ଆଗେଇ ଆସିଲେ । କମଳ ଇସ୍ତଫା ଦେଲେ ।

 

‘‘ବଡ଼ ସେଣ୍ଟି ମେଣ୍ଟାଲ ସେ ମୁଁ ଦେଖୁଚି ।’’

 

‘‘ଖୁବ୍‌ ଭାବପ୍ରବଣ ଥିଲେ ।’’

 

“ହଁ, ତା’ପରେ କ’ଣ ହେଲା ?’’

 

‘‘ସୀମା ଆନ୍ଦୋଳନ କମିଆସିଲା । କମଳ ଭାବିଲେ ଗାଁକୁ ଫେରିଯିବେ । ଆଜିବିତ ଆମ ମଫସଲର ଲୋକେ ଚିକିତ୍ସା ଅଭାବରୁ ପୋକମାଛି ପରି ମରୁଛନ୍ତି । ସେଇଠି ଯାଇ ସେ ମଣିଷର ସେବା କରିବେ । ଛନ୍ଦା କିନ୍ତୁ ପ୍ରତିବାଦ କଲା–କଟକ ସହର ଛାଡ଼ି ସେ ଚାଲିଆସିବାକୁ ଚାହେଁ ନା । ତା’ର ଜିଦ୍‍ ସେ କଟକରେ ରହିବ । କମଳ ଚାହାଁନ୍ତି ଗାଁକୁ ଫେରିଯିବେ । ଦ୍ୱନ୍ଦ୍ୱ–ଯା’ର ସମାଧାନ ହେଲା ଜୋର ଜବରଦସ୍ତିରେ । ସ୍ଵାମୀତ୍ୱର ଅହଂକାର ନେଇ କମଳ ଛନ୍ଦାକୁ ବାଧ୍ୟ କଲେ ମଫସଲକୁ ଯିବାକୁ । ଛନ୍ଦା ଯୋଉ ସ୍ୱପ୍ନ ଦେଖୁଥିଲା–କାଠଯୋଡ଼ୀ କୂଳର ସଂଧ୍ୟା ପବନ, ଗୋପବଂଧୁ ବାଗର ନାନା ରଂଗର ଫୁଲ, ପ୍ରଭାତ ଆଉ ହିନ୍ଦ୍‌ ସିନେମାର ଗୀତମୁଖରିତ ପ୍ରଶସ୍ତ ବକ୍ଷ, ସେସବୁ ଆଜି ହଜିଯିବାକୁ ବସିଚି ।

 

ଛନ୍ଦାର ବାପା କହିଲେ–‘‘ଦେଖ କମଳ, ଛନ୍ଦା ମୋର ସହରରେ ବଢ଼ିଚି । ମଫସଲ ଅଞ୍ଚଳରେ, ଯୋଉଠି ପାଇଖାନାଟାଏ ବି ନାହିଁ, ଥିଏଟର ସିନେମା ସ୍ଵପ୍ନ, ଦୈନିକ ସଂବାଦପତ୍ର ଚାରିଦିନ ଡେରିରେ ଯାଇ ପହଞ୍ଚେ, ସେଠିକି ସେ ଯାଇ ପାରିବନି । ତୁମର ଏ ପାଗଳାମି ଛାଡ଼ି ବରଂ ଏଇଠି ରୁହ, ଆମରି ଘରେ ।’’

 

ହସିଉଠିଲେ କମଳ, ଶ୍ଵଶୁରଘରେ ସେ ହେବେ ସ୍ତ୍ରୀର ବୋଲକରା ! କାହିଁକି ? ଘରେ ତ ତାଙ୍କର ଯଥେଷ୍ଟ ଜମିବାଡ଼ି ରହିଛି–ଅଭାବ କ’ଣ ? ସ୍ତ୍ରୀ ଶିକ୍ଷିତା ହେଲା ବୋଲି ତା’ର ଜିଦ୍‌ ବଜାୟ ରହିବ ? ସେ ସେଥିରେ ରାଜି ହେଇ ପାରିଲେନି । ଛନ୍ଦାର ବାପାଙ୍କୁ କହିଦେଲେ–

 

‘‘ଆପଣଙ୍କ ଝିଅକୁ ନେଇ ଆପଣ ରହନ୍ତୁ । ମୁଁ ଚାଲିଯିବି ।’’

 

‘‘ସେଇଦିନ ରାତିରେ ଛନ୍ଦା କମଳଙ୍କୁ ବହୁତ ଅନୁରୋଧ କଲା–କମଳ କିନ୍ତୁ ଛନ୍ଦାର କୌଣସି କଥା ଶୁଣିଲେ ନାହିଁ । ବାଧ୍ୟ ହେଇ ଛନ୍ଦା ଆସିଲା ନୀଳକଣ୍ଠ ପୁର । କିନ୍ତୁ ସାତୋଟି ଦିନରୁ ବେଶୀ ରହିପାରିଲା ନାହିଁ । ତା’ର ଅଭିଯୋଗ ଶୁଣି ଶୁଣି କମଳ ଅତିଷ୍ଠ ହେଇଉଠିଲେ । ଚିନ୍ତନ୍‌ ଚିନ୍ତନ୍‌ ସ୍ଵଗୃହ ବିଷୟମ୍‌ ଦାରୁଭୂତୋ ମୁରାରି । ସୁନ୍ଦରୀ ଛନ୍ଦା ଯେଉଁ ଭାବିଥିଲା ତା’ର ରୂପ ଗୌରବ ନେଇ କମଳଙ୍କୁ ଚିରଦିନ ବାନ୍ଧି ରଖିବ–ଖଟେଇବ ତା’ର ପାଦତଳେ, ତା’ ହେଇପାରିଲା ନାହିଁ । ସ୍ଵାମୀର ସୁଖ–ଦୁଃଖରେ ଯୋଉ ସ୍ତ୍ରୀ ଭାଗୀ ନ ହେଇପାରେ ସେ ସ୍ତ୍ରୀ କ’ଣ ସ୍ତ୍ରୀ ପଦବାଚ୍ୟ ?’’ ସୁବ୍ରତ କହିଲା–‘‘ଠିକ୍‌ କହିଛୁ ।’’

 

ଚିନ୍ମୟ ପୁଣି ଆରମ୍ଭ କଲା–ମୋଫସଲ ରହଣି ଛନ୍ଦା ପକ୍ଷରେ ଅସହ୍ୟ ହେଇଉଠିଲା–ସେ ପଳେଇଗଲା କଟକ । କଟକରେ ଦି’ମାସ ରହିବା ପରେ ପୁଅଟି ତା’ର ମରିଗଲା–କମଳ ଖବର ଟିକିଏ ମଧ୍ୟ ପାଇଲେ ନାହିଁ । ଦୁଶ୍ଚିନ୍ତା ଆଉ ଅବଶୋଷରେ ଚିତ୍କାର କରିଉଠିଲେ ସେ । ଅବିଶ୍ୱାସୀ ଦୁନିଆ–ପ୍ରାଣ ଦେଇ ସେ ଛନ୍ଦାକୁ ଭଲ ପାଇଥିଲେ–ତା’ ବିନା ଜଗତ ତାଙ୍କୁ ଅଂଧକାର ଦିଶୁଥିଲା, କିଂତୁ ତା’ର ପରିଣତି କ’ଣ ଏୟା ?

 

‘‘ଉତ୍ତେଜିତ ହେଇ ସେ ଦଉଡ଼ିଗଲେ କଟକ । କିଂତୁ ଲାଂଛନ ଆଉ ଅପମାନଇ ସାର ହେଲା । ଛନ୍ଦା କମଳକୁ ‘କାପୁରୁଷ, ଭୀରୁ’ ପ୍ରଭୃତି କେତୋଟି ପଦରେ ଭୂଷିତକରି ତାଙ୍କର ସାମନାରେ ଆଉ ଜଣକ ସହିତ ବାହାରିଗଲା ସିନେମା । କମଳ ଭାଂଗିପଡ଼ିଲେ, ପଳେଇ ଆସିଲେ ଗାଁକୁ ।

 

‘‘ସାତମାସ ପରେ, ଏଇ ଗାଁର ଜଣେ ଲୋକ କଟକ ଯାଇଥିଲା । ସେ ଫେରିଆସି କମଳକୁ କହିଲେ ଯେ ତାଙ୍କର ଗୋଟିଏ ମଲାପୁଅ ଜନ୍ମ ହେଇଛି–କଟକ ହସ୍ପିଟାଲରେ । ମୁଣ୍ଡରେ ତାଂକର ବିଛାର ଦଂଶନ–ବର୍ଷେ ହେଇଗଲାଣି । ଛନ୍ଦା ସହିତ ସେ ମିଳି ନାହାନ୍ତି–ତାଂକର ପୁଅ ପୁଣି କେମିତି ହେଲା । ପାଗଳ ହେଇଉଠିଲେ–ଜୀବନରେ ଆଉ ବଂଚି ରହି ଲାଭ କ’ଣ ? କେଉଁ ସୁଖ ଅଛି ? ଯଶ ବା କ’ଣ ଅଛି ? ଡାକ୍ତର କମଳ ଶେଷରେ ଆତ୍ମହତ୍ୟା କଲେ । ଶିକ୍ଷିତା ଝିଅକୁ ପ୍ରେମ ବିବାହ କଲେ ପରିଣତି ଏଇଆ ହିଁ ହୁଏ ।’’

 

ସୁବ୍ରତ ପାଟିକରି ଉଠିଲା–‘‘କ’ଣ ତୁ କହୁଚୁ ଚିନ୍ମୟ ? ତୁ କ’ଣ କହୁଚୁ ଦେଶର ଝିଅ ପାଠ ପଢ଼ିବନି ନା ପ୍ରେମ କରିବନି ?’’

 

“ସବୁ କରିବ । କିଂତୁ ଆଖି ଆଗରେ ତ ପ୍ରେମ ବିବାହର କେତେ ଉଜ୍ଜ୍ୱଳ ଦୃଷ୍ଟାନ୍ତ ରହିଚି-। କା’ର ପାରିବାରିକ ଜୀବନ ସୁଖମୟ ? କେତେ ଡାକ୍ତର, କେତେ ଅଧ୍ୟାପକ, କେତେ ଓକିଲ ପ୍ରେମ ବିବାହ କରି ତିଳ ତିଳ ହେଇ ମରୁଛନ୍ତି । ଅନେକଙ୍କ ବିବାହିତ ଜୀବନ ତ ହୋଟେଲ ଜୀବନ-।’’

 

‘‘ବିବାହ ପୂର୍ବରୁ ଯେଉଁ ଶିକ୍ଷିତା ଝିଅମାନେ ପଦ୍ମ କିଂବା ପ୍ରବାଳ ଦ୍ୱୀପର ସ୍ଵପ୍ନ ଦେଖୁଥାନ୍ତି–ରଂଗ ଚଷମା ତଳେ ପୃଥିବୀର ମାନଦଣ୍ଡକୁ ସ୍ଥିର କରୁଥାନ୍ତି, ବିବାହ ପରେ ସେମାନେ ନିରାଶ ହୁଅନ୍ତି । ବିବାହ ପୂର୍ବରୁ ସିନା ପ୍ରେମ କରିହୁଏ–ବିବାହ ପରେ ଆଉ କ’ଣ ପ୍ରେମ ସଂଭବ ? ସ୍ତ୍ରୀମାନଙ୍କ ସହିତ ଓମରଖୟାମୀ କବିତା ଆଲୋଚନା କରିବାର ସାର୍ଥକତା କ’ଣ ଅଛି ? ସେଇ ଦୃଷ୍ଟିରୁ ବୈଷ୍ଣବ କବିମାନଙ୍କ ପରିକ୍ରୀୟା ପ୍ରେମରେ ମାଧୁରୀ ଅଛି ।’’

 

‘‘ମାଧୁରୀ ଥାଇପାରେ, କିନ୍ତୁ ସମାଧାନ କେଉଁଠି ? ଶିକ୍ଷିତା ଝିଅଙ୍କୁ ତାହାହେଲେ କ’ଣ କେହି ବାହା ହେବେ ନାହିଁ ? –ସୁବ୍ରତ ପଚାରିଲା ।

 

‘‘ହେବେ, ହେବେ । ଶିକ୍ଷାର ଆଲୋକରେ ସ୍ତ୍ରୀ ଜାତି ଯେତେବେଳେ ଦୀପ୍ତ–ଉଦାର ହେଇଉଠିବ, ସେତେବେଳେ ମଣିଷର ବିବାହତ ଜୀବନ ନିଶ୍ଚୟ ସୁଖମୟ ହେବ । ପ୍ରତ୍ୟେକ ଅବସ୍ଥାକୁ ସଂଭାଳିବା ଭଳିଆ ମନ ଆବଶ୍ୟକ । ବିବାହ ପରେ ପୁରୁଷର ଦାୟିତ୍ୱ ବଢ଼େ । ଆୟର ପନ୍ଥା ଖୋଜି ବୁଲୁ ବୁଲୁ ରଂଗୀନ୍‌ କଳ୍ପନା ଉଭେଇଯାଏ । ସ୍ତ୍ରୀ ଯଦି ସେତକ ନ ବୁଝି ସବୁବେଳେ ଚାହିଁବସେ ମେଘମୁକ୍ତ ସବୁଜ ଜୀବନ, ସେଇଠି ନିଶ୍ଚୟ ଉପୁଜିବ ଅଶାନ୍ତି, ଅସନ୍ତୋଷ ।’’

 

“ଠିକ୍ କଥା” – ଦୀର୍ଘଶ୍ୱାସ ପକେଇ କହିଲା ସୁବ୍ରତ । ଚିତାଗ୍ନି ନିଭି ଆସିଥିଲା ଶ୍ମଶାନରେ, ଶବବାହୀ ଲୋକେ ଫେରିଲେ ।

 

ଚିନ୍ମୟ କହିଲା–‘ସୁବ୍ରତ, ଆଜି ରହିଯା’, କାଲି କଟକ ଯିବୁ ।’’

 

ରାତି ସେତେବେଳକୁ ହେଲାଣି ନ’ଟା, ତଥାପି ସୁବ୍ରତ କହିଲା–

 

‘‘ନାଇଁ ଭାଇ, ଜହ୍ନ ରାତି ପଡ଼ିଚି, ଚାଲିଯିବି, ଭୟ କ’ଣ ?’’

 

ଆଗକୁ ପାଦ ବଢ଼େଇଲା ସୁବ୍ରତ । ଭବିଷ୍ୟତକୁ ଚାହିଁଲେ ନିରାଶ ହଉଚି ସେ । ଜୀବନରେ କେବେ ଫେଲ ହେଇ ନ ଥିଲା । ଗୋଟାଏ କଳଙ୍କର ବୋଝକୁ ମୁଣ୍ଡରେ ଲଦି ଚାଲିବାକୁ ପଡ଼ୁଚି । ବାପା–ମା’ଙ୍କୁ ଯାଇ କେମିତି ମୁହଁ ଦେଖାଇବ ? କିଂତୁ ସେତ ଆଉ ଡାକ୍ତର କମଳଙ୍କ ପରି ଆତ୍ମହତ୍ୟା କରିବନି ! ବାପର ଏକମାତ୍ର ପୁଅ–ଭବିଷ୍ୟତର ମୂଳଧନ । ତା’କୁ ବଂଚି ରହିବାକୁ ହେବ ।

 

ଚାଲିଚି ସେ– ।

 

ଖଡ଼୍‌–ଖଡ଼୍‌–ଖଡ଼୍‌ ।

 

ଗହଳିଆ ଆମ୍ବଗଛ ତଳୁ ପୁଣି ଶୁଭିଲା–ଖଡ଼୍‌–ଖଡ଼୍‌–ଖଡ଼୍ । ଦେହ ଶୀତେଇ ଉଠିଲା ଭୟରେ, ଠିଆ ହେଇଗଲା ସେ । ଆମ୍ବଗଛ ତଳେ ଠିଆ ହେଇଚି ଗୋଟିଏ ଛାୟାମୂର୍ତ୍ତି । ରଧାନାଥଙ୍କ ‘ପାର୍ବତୀ’ କାବ୍ୟର କୌଶଲ୍ୟା କଥା ମନେ ପଡ଼ିଲା ତା’ର । ଅପୂର୍ଣ୍ଣ ଆଶାକୁ ଚରିତାର୍ଥ କରିବାପାଇଁ ବେଳେବେଳେ ପ୍ରେତଗଣ ପୃଥିବୀରେ ବିଚରଣ କରନ୍ତି । ସାମନାର ଛାୟାମୂର୍ତ୍ତି କ’ଣ ପ୍ରେତାତ୍ମା ?

 

‘ହାଃ–ହାଃ–ହାଃ !’ ସୁବ୍ରତ କ’ଣ ବୋକା, ଇଡ଼ିୟଟ୍‌ ?

 

ବିଜ୍ଞାନ ଯୁଗରେ ଭୂତର କଳ୍ପନା ହାସ୍ୟାସ୍ପଦ କଥା ।

 

‘ହାଃ–ହାଃ–ହାଃ’ ! ପୁଣି ହସିଉଠିଲା ସୁବ୍ରତ ।

 

‘‘ଭସ୍‌’—ଶବ୍ଦ ହେଲା, ଦକ୍ଷିଣା ପବନର ଆଘାତରେ କଦଳୀଗଛ ଯେମିତି ଢଳିପଡ଼ିଲା-। ସୁବ୍ରତ ଦଉଡ଼ିଗଲା ପାଖକୁ । ଛାୟାମୂର୍ତ୍ତି ଭୂତ ନୁହେଁ–ଗୋଟିଏ ବାଳିକା । ଏତେ ରାତିରେ ଏକା ଏକା ଏମିତିଆ ନିର୍ଜ୍ଜନ ସ୍ଥାନରେ ତା’ର ଯେ ଆବିର୍ଭାବ କାହିଁକି, ସେ ଭାବିପାରିଲା ନାହିଁ-

 

ଅସଂଭବ ଡରିଯାଇଚି ଝିଅଟି । ଦେହ ହାତ ତା’ର ଥରୁଚି ।

 

ସୁବ୍ରତ କହିଲା–‘‘ଡର ନାହିଁ, ମୁଁ ଚୋର ତସ୍କର ନୁହେଁ କି ଡକାୟତ ନୁହେଁ ।’’

 

‘‘ଆପଣ ଯାଆନ୍ତୁ । ....ମୁଁ ଚାଲିଯିବି ।’’

 

‘‘କିଂତୁ, ଏତେ ରାତିରେ... ? ତମେ ଅପରିଚିତା ହେଲେ ବି ଜଣେ ବାଳିକା । ତମକୁ ଏଇଠି ଏମିତି ଛାଡ଼ି ମୁଁ ଚାଲିଯିବି କେମିତି ?’’

 

“ଆପଣଙ୍କୁ ହାତଯୋଡ଼ି କହୁଚି, ଆପଣ ଚାଲିଯାନ୍ତୁ । ମତେ ମରିବାକୁ ଦିଅନ୍ତୁ । ମୁଁ ଏଇଠି, ଏଇ ଗଛରେ ଦଉଡ଼ି ଦେଇ ମରିବି ।’’

 

ବିବ୍ରତ ହେଇପଡ଼ିଲା ସୁବ୍ରତ । ବାଳିକାର ଆଉରି ପାଖକୁ ଘୁଂଚିଯାଇ କହିଲା–

 

‘‘ମରିବା ପାଇଁ ତ ମଣିଷ ଜନ୍ମ ହେଇଚି । ତମର ଇଚ୍ଛା ନ ଥିଲେ ବି ତମକୁ ଦିନେ ମରିବାକୁ ହେବ । ତା’ ଆଗରୁ ଇଚ୍ଛାକରି ତମେ ମରଣକୁ ବରଣ କରୁଚ କାହିଁକି ?’’

 

ଆମ୍ବଗଛରୁ ଲମ୍ବି ଆସିଥିବା ଡାଳରେ ଝୁଲିଚି ଦଉଡ଼ିର ଫାଶୀ । ସୁବ୍ରତର ରକ୍ତକଣା ଶିଥିଳ ହେଇଉଠିଲା ।

 

‘‘ତମର ପରିଚୟ.... ?”

 

‘‘ସବୁ କଥା ଶୁଣିବାକୁ ଆପଣ ଯଦି ପ୍ରସ୍ତୁତ, ମୁଁ କହିବି, କାହିଁକି ଆଜି ମୁଁ ମରିବାକୁ ଯାଉଛି ?”

 

ଛୋଟ ବ୍ୟାଗ୍‌ଟିକୁ ଘାସ ଉପରେ ରଖିଦେଇ ସୁବ୍ରତ ବସିପଡ଼ିଲା ।

 

‘‘କୁହ ।’’

 

ଗାଁ ସ୍କୁଲରୁ ମାଇନର୍‌ ପାସ୍‌ କରି ସୋର ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରି ସାରିବା ପରେ ଥରେ ମୁଁ ଯାଇଥିଲି ମାମୁଁଘରକୁ । ମୋ ମାମୁଁପୁଅ ଭାଇ ଶେଖର ବି: ଏ: ପାସ୍‌କରି ଘରକୁ ଆସିଥାନ୍ତି ।’’

 

“ଶେଖର ? ଚନ୍ଦନପୁର...’’

 

“ହଁ–ହଁ, ଆପଣ ତାଙ୍କୁ ଜାଣନ୍ତି ?”

 

‘‘ନାଁ ଶୁଣିଚି । କେବେ ଦେଖି ନାହିଁ ।’’

 

‘‘ଶେଖର ଭାଇଙ୍କ ସାଙ୍ଗରେ ତାଂକର ଜଣେ ବଂଧୂ ଜୀବନବାବୁ ଆସିଥାନ୍ତି ମାମୁଁ ଘରକୁ-। ମାମୁଁଘରେ ମାଇଁଙ୍କ ବ୍ୟତୀତ ଆଉ କେହି ନ ଥାନ୍ତି । ମୁଁ ପହଞ୍ଚିବା ପରେ ଘରର ଯାବତୀୟ କାମଦାମ ମତେ ଇ କରିବାକୁ ପଡ଼ିଲା–ଭାତ, ଜଳଖିଆ ଖାଇବାକୁ ଦବା, ପାନ ଭାଗିଂଦବା, ଚା’ ତିଆରି କରିଦବା, ସବୁ କିଛି । ଜୀବନବାବୁ ଭାରି ସୁନ୍ଦର ଲୋକ, ତାଂକ ଚାହାଣୀରେ ଯେ କେହି ଭୁଲିଯିବା କଥା । ମୁଁ ବି ଭୁଲିଯାଇ ତାଂକୁଇ ଭଲ ପାଇଲି । ସେ ଗୀତା ଛୁଇଁ ଶପଥ କଲେ, ସାରା ଜୀବନ ମତେ ଭଲ ପାଇବେ–ମୁଁ ତାଂକ ପାଦ ଛୁଇଁ ଶପଥ କଲି ତାଂକ ଛଡ଼ା ଆଉ କାହାକୁ ଏ ଜୀବନରେ ଭଲ ପାଇବି ନାହିଁ ।

 

‘‘ମୋରି ପ୍ରେମର ସୁଯୋଗ ନେଇ ଥରେ ଗୋଟାଏ ଦୁର୍ବଳ ମୁହୂର୍ତ୍ତରେ ସେ କଲେ ମତେ ତାଂକ କାମନା ଚରିତାର୍ଥର ନିବେଦନ । ମୁଁ କିଂତୁ ରାଜି ହେଲି ନାହିଁ । ବିବାହ ନ ହେବା ପର୍ଯ୍ୟନ୍ତ ସେସବୁ ବଡ଼ ସାଂଘାତିକ କଥା । ଆଜି ମୁଁ ଭାବୁଚି–ସେ ମୁହୂର୍ତ୍ତ ବଡ଼ ଶୁଭରେ ଆସିଥିଲା । ମୁଁ ଦୂର୍ବଳ ହୋଇ ପଡ଼ିଥିଲେ ମୋର ସବୁ ସରି ଯାଇଥାନ୍ତା । ଭଗବାନ ମତେ ସୁବୁଦ୍ଧି ଦେଲେ ।

 

ତା’ପରେ ଶେଖର ଭାଇ ଆଉ ଜୀବନବାବୁ ଚାଲିଗଲେ ।

 

ଯିବାବେଳେ ଅଶ୍ରୁ ଛଳଛଳ ଆଖିରେ ମୁଁ ପଚାରିଲି–

 

ପୁଣି କେବେ ଦେଖାହବ ?

 

“ସମୟ, ସୁବିଧା ସୁଯୋଗ ଦେଖି ପୁଣି ମୁଁ ଆସିବି–ତମେ ମୋ ପାଖକୁ ଚିଠି ଦଉଥିବ । ଭୁଲିବନି ।’’

 

ମୁଁ କିଂତୁ ଭୁଲି ନାହିଁ । ତାଂକର ସ୍ମୃତିରେ କେତେ ବିନିଦ୍ର ରଜନୀ ବିତେଇଛି । ଘରେ ମା’ଙ୍କ ଛଡ଼ା ଆଉ କେହି ନ ଥିଲେ । ଗାଁ ଲୋକେ ନାନା ଆଡ଼ୁ ନାନା କଥା କହିଲେ–ବଅସର ଝିଅକୁ ଘରେ ରଖିଚି ବୋଲି ମା’କୁ ଗଞ୍ଜଣା ଦେଲେ । ମୁଁ କିନ୍ତୁ ଛାତିକି ପଥର କରି ସବୁ ସହିନେଲି-

 

ଜୀବନବାବୁ ତିନି ଚାରିମାସ ପର୍ଯ୍ୟନ୍ତ ଚିଠି ଦେଲେ । ଶେଷ ଚିଠିରେ ଲେଖିଥିଲେ ଯେ ସେ ବ୍ରହ୍ମପୁରରେ ସବ୍‌ଡେପୁଟି ଚାକିରୀ ପାଇଛନ୍ତି–ଏଇଥର ବିବାହ କରିବେ ।

 

କିଂତୁ ତା’ପରେ ଚାରିମାସ ବିତିଗଲା । ଆଉ କିଛି ଖବର ଅନ୍ତର ନାହିଁ । ଆଠ ଦଶଦିନ ତଳେ ଶେଖର ଭାଇ ଆମ ଘରକୁ ଆସିଥିଲେ । ତାଙ୍କରିଠୁଁ, ଶୁଣିଲି ଯେ ଜୀବନବାବୁ କୁଆଡ଼େ ତିନିମାସ ହେବ କଟକ ସହରରୁ ବାହାହେଇ ସାରିଲେଣି ଜଣେ ଡେପୁଟି ମାଜିଷ୍ଟ୍ରେଟ୍ ଝିଅକୁ ବାହା ହେଇଛନ୍ତି । ଏ ଖବର ଶୁଣି ମୁଁ ମୂର୍ଚ୍ଛା ହେଇଗଲି–କାନ୍ଦି କାନ୍ଦି ଆଖି ଫୁଲିଗଲା । ମୋ’ରି ଦୁଃଖରେ ମା’ ମୋର ବେମାର ପଡ଼ି ତିନିଦିନ ହେଲା ମରିଗଲା । ଅଭାଗୀ ସେ । ଝିଅ ଜନ୍ମ କରିଥିଲା; କିଂତୁ ଝିଅର ସୁଖ ଦେଖିପାରିଲା ନାହିଁ । ଆଉ ରହନ୍ତା କାହିଁକି । ଘରେ ଆଉ ଆମର କେହି ନାହିଁ, ମୁଁ ବା ରହନ୍ତି କାହିଁକି ? ମରିଗଲେଇ ମତେ ମିଳିବ ଶାନ୍ତି ।’’

 

ଖୁବ୍‌ ଜୋରରେ ନିଶ୍ୱାସ ପକେଇଲା ସୁବ୍ରତ ।

 

ରାତି ସେତେବେଳକୁ ଏଗାର । ପୃଥିବୀ ଛାତିରେ ନୀରବତା ।

 

“ବୁଝିଲ ଭଉଣୀ, ଦୁଃଖ ତୁମର ଅମାପ । କିଂତୁ ମରିବାଟା ଭୀରୁତା । ଅଜସ୍ର ଝଂଜା ଆସିବ ଜୀବନରେ, ଅଥୟ ହୁଅନ୍ତି ଏମିତି ?’’

 

“ଆପଣଙ୍କ ନାଁ ପଚାରିବା ଅଭଦ୍ରତା, ତଥାପି ପଚାରିପାରେ କି ?’’

 

“ମୋ ନାଁ ସୁବ୍ରତ, ତୁମର ?”

 

“ମମତା, କୁହନ୍ତୁ–ଏଇକ୍ଷଣି ମୁଁ କ’ଣ କରିବି ? କାହାକୁ ଆଶ୍ରୟ କରି ରହିବି ? କେମିତି ବା ରହିବି । ଆପଣ ଆଜିଠୁଁ, ମୋର ‘ଭାଇ’, ଭାଇ ବୋଲି ହିଁ ଆପଣଙ୍କୁ ଡାକିବ ।’’

 

“କିଛି ଯଦି ନ ଭାବ, ମୁଁ କଟକ ଯାଉଚି । ମୋ ସାଂଗରେ ଚାଲ୍‌ । ମୋ ବାପା ସେଠି ଜଣେ ଜଣାଶୁଣା ଲୋକ ! ତାଂକୁ କହି ଗୋଟାଏ ଚାକିରି ତମକୁ କରିଦେବି । ସେଇଆକୁ ଅବଲମ୍ବନ କରି ତୁମେ ବଂଚି ରୁହ । ହୁଏତ ଭବିଷ୍ୟତରେ ବଂଚିରହିବା ପାଇଁ ବହୁ ଉପାଦାନ ଆସିପାରେ ।’’

 

“ସୁବ୍ରତ ଭାଇ, ଆପଣ ଖୁବ୍‌ ମହତ୍‌–ଉଦାର, ଚାଲନ୍ତୁ, ମୋର ଗୋଟାଏ କିନାରା ଯଦି କରିଦିଅନ୍ତି, ମୁଁ ଆଜୀବନ ଋଣୀ ହେଇ ରହିବି ?’’

 

“ମୁଁ କିଂତୁ ତମକୁ ଋଣୀ କରି ମହାଜନ ହବାକୁ ପ୍ରସ୍ତୁତ ନୁହେଁ ।’’

 

‘‘ବଡ଼ ମଜାର ଲୋକ ଆପଣ ।’’

 

“ଆଚ୍ଛା ଭଉଣୀ, ଭାଇକୁ କେହି କେବେ ଆପଣ ବୋଲି କହେ ? ତୁମେ ମତେ ଆଉ ଆପଣ ବୋଲି କହିବନି । ତୁମେ ତ ନିଜେଇ ମାନି ନେଇଚ ମତେ ଭାଇ ବୋଲି ।’’

 

ହସି ହସି କହିଲା ମମତା–

 

‘‘ସଂସାରରେ ନିଜର ଭାଇବୋଲି କେହି ମୋର ନ ଥିଲା ।’’

 

‘‘ମୋର କିନ୍ତୁ ଭଉଣୀ ଅଛନ୍ତି ଦୁଇଟି ।’’

 

“ତା’ର ସଂଖ୍ୟା ପୁଣି ଆଜି ବଢ଼ିଲା । କିନ୍ତୁ ତୁମେ ମତେ ‘ତୁମେ’ ବୋଲି ଆଉ କାହିଁକି କହିବ ?’’

 

‘‘ଆଉ– ?’’

 

‘‘ତୁ କହିଲେ ଚଳିଯିବ ।’’

 

‘‘ହଉ, ସେଇଆ କହିବି । ଘରେ ତୋର ଆଉ....’’

 

‘‘ଆଉ କେହି ନାହିଁ । ଘରେ ମୁଁ ତାଲା ଦେଇ ଆସିଚି । ଚାଲ, ଲୁଗାପଟା ଦି’ଖଣ୍ଡ ନେଇ ଆସିବ ।’’

 

ମମତା ଚାଲିଲା ଆଗେ ଆଗେ, ସୁବ୍ରତ ତା’ର ଅନୁଗମନ କଲା । ଚତୁର୍ଦ୍ଦଶୀ ରଜନୀର ମଧ୍ୟମ ପ୍ରହର; ଗାଁ ଶୂନ୍‌ଶାନ୍‌ । କିଆବୁଦାଗୁଡ଼ାକ ଭୂତ ପରି ଚାହିଁ ରହିଛନ୍ତି । ସୁବ୍ରତ ଭାବୁଥିଲା–ସତରେ, ପ୍ରେମ କି ଭୟାବହ ! ଠିକ୍‌ ସେଇ କଥା ମମତା ମଧ୍ୟ ଭାବୁଥିଲା ।

 

ପ୍ରେମ ମଣିଷକୁ ଉପହାର ଦିଏ ଭଂଗା ଜୀବନ–ଅଶ୍ରୁ କଣା ଆଉ ପରାଜୟ । ଭସ୍ମ ହୋଇ ଯାଇଥିବା ବନ୍ଦର ପାଖରେ ଆସି ଅଟକି ଯାଇଚି ଜୀବନ–ତରୀ । ଚାରିଆଡ଼େ–ପାଉଁଶ, ଖାଲି ପାଉଁଶ । ସୁବ୍ରତ କିଂତୁ ତାକୁ ଭରସା ଦେଇଚି–ସେଇ ପାଉଁଶ ଉପରେ ହୁଏତ ଗଢ଼ି ଉଠିପାରେ ଏକ ବିଶାଳ ସୌଧ । ଆଶାରେ ଦୀପ୍ତ ହେଇଉଠିଲା ମୁହଁ ତା’ର । ସେ ପଚାରିଲା–

 

‘‘ସୁବ୍ରତ ଭାଇ, ଚାଲିଚ ତ ?’’

 

‘‘ହଁ, ଚାଲ୍‌, ଡରୁଚୁ କି ?’’ –ପଛରୁ କହିଲା ସୁବ୍ରତ ।

 

“ନା’’–ମମତା ଉତ୍ତର ଦେଲା ।

 

ମମତାର ଘର ଛାଡ଼ିଲା ବେଳକୁ ରାତି ଗୋଟାଏ । ଅଢ଼େଇଟାବେଳେ ଜନତା ଗାଡ଼ି ଷ୍ଟେସନରେ ଲାଗିବ ।

 

ବାଟ ଅଛି ଆହୁରି ତିନି ମାଇଲ୍‌ । ପାଦର ଗତି ଚଂଚଳ ହୋଇଉଠିଲା ।

 

ଘରର ଆଲୋକରେ ସୁବ୍ରତ ଭଲକରି ଦେଖିଥିଲା ମମତାକୁ । ବେଶ୍‌ ଚଂପାଫୁଲ ପରି ଦେହର ରଂଗ, କୁଂଚିତ କେଶ । ସ୍ୱାସ୍ଥ୍ୟ ଅମାପ, ଉର୍ବଶୀ ପରି ଚେହେରା । ଆଖିକୋଣରେ ଅର୍ଥପୂର୍ଣ୍ଣ ଭାଷା ।

 

ତଥାପି ଜୀବନ ତା’କୁ ଭଲପାଇ ବାହା ହେଇ ନାହିଁ ।

 

କେମିତିକା ଗୋଟାଏ ଭୟରେ ଦୋହଲି ଉଠିଲା ତା’ର ଅନ୍ତର ।

 

“ଭାଇ, ଚାଲିଚ ?” –ପଚାରିଲା ମମତା ।

 

“ହଁ ରେ ଚାଲ୍‌ । ଡର ଲାଗୁଚି ?’’

 

‘‘ନା’’–ମୁହଁରେ ହସ ଫୁଟେଇ କହିଲା ମମତା ।

 

ଦୀର୍ଘ ନିଶ୍ୱାସ ପରେ ଦୀର୍ଘ ନିଶ୍ଵାସ ।

 

ତା’ରି ବେଗରେ ସୁବ୍ରତ ଯେମିତି ଉଡ଼ିଯିବାକୁ ବସିଚି ।

 

ପାଦର ଗତି ଆହୁରି ଚଂଚଳ ହେଇଉଠିଲା ।

 

‘‘ଜଲ୍‌ଦି ଚାଲ୍‌, ନୋହିଲେ ଗାଡ଼ି ମିଳିବନି ।’’

 

‘‘ହଉ ।’’

 

ରାତ୍ରି ପାହିଗଲା ଭାବି କାଉଗୁଡ଼ାକ ଉଡ଼ି ବୁଲିଲେଣି । ପାଖ ଗଛରୁ ଭାସି ଆସୁଚି କୋଇଲିର କୂଜନ । ଅନିମନ୍ତ୍ରିତ ତା’ର ସେଇ ସଂଗୀତ । ତା’ପରେ ନୀରବତା ।

 

ଚାରୋଟି ପାଦ ଆଗେଇ ଚାଲିଛି ।

 

...ଚାଲିଛି ଆଉ ଆଗକୁ ।

 

–ଦୁଇ–

 

ଉପରେ ଘୂରୁଚି ଇଲେକ୍‌ଟ୍ରିକ୍‌ ଫ୍ୟାନ୍‌ ।

 

ଇଜିଚେୟାରରେ ବସି ନବକେତନବାବୁ ଦୈନିକ ଖବରକାଗଜ ଉପରେ ଆଖି ବୁଲାଉଛନ୍ତି । ପାଖରେ ବସିଛନ୍ତି ସଦାମଣୀ ଦେବୀ । ମୁହଁ ତାଙ୍କର ଗଂଭୀର ସାନ ଝିଅ ରେଣୁ ବସି ପାଠ ପଢ଼ୁଚି । ବାଳିକା ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ।

 

ରାସ୍ତାର ନାଲି ଧୂଳିରେ ଘର ଆଗର କ୍ରୋଟନ୍‌ ଗଛ ରଂଗ ଧରିଚି । ପାଖ ଘରୁ ଶୁଭୁଚି ରେଡ଼ିଓ ଶିଳ୍ପୀର ଅନିନ୍ଦ୍ୟ କଂଠର ଅବିସ୍ମରଣୀୟ ସଂଗୀତ । ଫାଲ୍‌ଗୁନ ମାସର ସକାଳେ ଖୁବ୍‌ ଗରମ ବୋଧ ହଉଚି । ଦୁଇ ପାଖରେ ଦୁଇଟି ବିରାଟ ନଦୀ । ଖରା ଉଠିବା ସଂଗେ ସଂଗେ ବାଲି ତାତିଉଠେ । ତା’ ସହିତ ତାତିଉଠେ ସହର । ଝାଉଁଳିପଡ଼େ ଫୁଲ, ପତ୍ର, ଲତା ।

 

ଚାକର ଆଣି କଫି ଦେଇଗଲା । ନବକେତନବାବୁ ଖବରକାଗଜଟାକୁ ଟି-ପୟ ଉପରେ ରଖି ସିଗାରେଟ୍‌ଟାଏ ଲଗେଇଲେ । ତାଂକ ମୁଣ୍ଡବାଳସବୁ ପାଚି ଯାଇଚି–ଏମିତିଆ ପାଚିଲାବାଳ କେହି କେବେ ଦେଖି ନ ଥିବ । କଇଁଫୁଲ ପରି ଶୁଭ୍ର । ଅସମୟରେ ଯେମିତି ସବୁଗୁଡ଼ା ବାଳ ଧଳା ହେଇ ହେଇ ଯାଇଚି ।

 

ତାଙ୍କ ବନ୍ଧୁମାନେ କହନ୍ତି–ଥରେ ଗୋଖାଏ ଗୁରୁତ୍ଵପୂର୍ଣ୍ଣ ରାୟ ଦେଲା ପରେ ବହୁଦିନ ସେ ଚିନ୍ତିତ ରହିଥିଲେ । ଆସାମୀ ଚୋରୀ କେସ୍‌ରେ ପଡ଼ିଥିଲା । ମାରାତ୍ମକ ଅସ୍ତ୍ର ସାହାଯ୍ୟରେ ଚୋରି । ଅଳ୍ପ ବୟସର ଯୁବକ–ତା’ ଆଖିରେ ଥିଲା ତେଜ । ତାଂକ ପେସ୍କାର୍‌ କହୁଥିଲା–ଚୋରମାନଙ୍କ ଆଖି ଏମିତି କୁଆଡ଼େ ଉଜ୍ଜ୍ୱଳ ସଂସାରକୁ ଜାଳିପୋଡ଼ି ଦବାର ନିଆଁ ଥାଏ ସେ ଆଖି ଭିତରେ ।

 

ସରକାର ପକ୍ଷଙ୍କ ସାକ୍ଷ୍ୟରୁ ଆସାମୀର ଦୋଷ ପ୍ରମାଣିତ ହେଲା । ନବକେତନବାବୁ ସେଇ ଯୁବକ ଆସାମୀକୁ ତିନିବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ଦେଲେ । ଦଣ୍ଡ ଶୁଣିସାରିଲା ପରେ ଯୁବକ କହିଲା–

 

“ହଜୁର, ମୁଁ ନିର୍ଦ୍ଦୋଷ । ଘରେ ମୋର ବିବାହିତା ଯୁବତୀ ସ୍ତ୍ରୀ । କେହି ତା’ର ଆଉ ଭରସା ନାହିଁ । ବଦମାସ୍‌ ଶତ୍ରୁମାନଙ୍କ ଚକ୍ରାନ୍ତରେ ମୁଁ ଜେଲକୁ ଯିବି ;କିଂତୁ ସାର୍‌, ମୋ ସ୍ତ୍ରୀର କ’ଣ ହବ ?’’

 

ମୃଦୁ ହସିଲେ ନବକେତନବାବୁ । ପୁରୀର ସିନିୟର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ–ପ୍ରତିଦିନ କଲମମୂନରେ ଯେ କେତେ ଲୋକଙ୍କର ଭାଗ୍ୟ ନିଷ୍ପତ୍ତି କରୁଛନ୍ତି, ଏଇ ଯୁବକ କଥାରେ ସେତ ଆଉ ଲେଉଟି ପଡ଼ିବେ ନାହିଁ । କଲମ–ମୁନ ତାଂକର ଖୁବ୍‌ ଟାଣ । ଅପିଲରେ ମଧ୍ୟ ତାଂକର ଅନେକ ରାୟ କାଏମ୍‌ ରହେ ।

 

ଯୁବକ ପୁଣି କହିଲା–

 

‘‘ମୋ ସ୍ତ୍ରୀକୁ ଧରି ଆଣି ଜେଲକୁ ପଠାଇ ଦିଅନ୍ତୁ । ଘରେ ସେ ଏକା ରହିଲେ ଖାଇବ କ’ଣ ?’’

 

ଆଖିରୁ ଚଷମା ଖସେଇ ରଖି ନବକେତନବାବୁ ତୀକ୍ଷ୍‌ଣ ଦୃଷ୍ଟିରେ ତାକୁ ଚାହିଁଲେ ।

 

“ସିପାହୀ, କ’ଣ ଖେଳ ଲାଗିଚି ?’’ ଆସାମୀକୁ ଜେଲକୁ ନେଇଯାଅ ।’’

 

ଯୁବକ ଚାଲିଗଲା, କିଂତୁ...କିଛି ଦିନ ପରେ ନବକେତନବାବୁ ଶୁଣିଲେ ସେ ଆସାମୀ ପୂରା ନିର୍ଦ୍ଦୋଷ । ସଂପତ୍ତି ଲୋଭରେ ତା’ ନିଜ କକା ତା’ ବିରୁଦ୍ଧରେ ଚକ୍ରାନ୍ତ କରି ଏଇମିତି ମକଦ୍ଦମା ସୃଷ୍ଟି କରିଥିଲା । ପିଶାଚ । ପୁତୁରାକୁ ଜେଲକୁ ପଠାଇଦେଇ ପୁତୁରାବୋହୂ ନାଁରେ ନାନା ରକମର କଳଙ୍କ ଲେପିଲା । ପୁତୁରା–ବୋହୂ ଦୁଃଖ ସହି ନ ପାରି ଆତ୍ମହତ୍ୟା କଲା । ତା’ପରେ ?

 

ତିନିବର୍ଷ ବିତିଗଲା । ଜେଲରୁ ଫେରିଆସି ସେଇ ଯୁବକଟି ଦେଖିଲା–ତା’ ଘର ଆଉ ପୂର୍ବ ଜାଗାରେ ନାହିଁ । ସେ ଜାଗାରେ ଠିଆ ହେଇଚି କକାର ଗୋଦାମ । ଶୁଣିଲା–ସ୍ତ୍ରୀ ତା’ର ଆତ୍ମହତ୍ୟା କରିଚି । ସେ ବି ଆତ୍ମହତ୍ୟା କରିଦେଲା । ଚୋରି କେସ୍‌ରେ ଯୋଉ ଲୋକ ତିନିବର୍ଷ ଜେଲ୍‌ ଯାଇଛି ତା’ର ଆଉ ସମାଜରେ ସ୍ଥାନ କାହି ?

 

ନବକେତନବାବୁ ସତ ଘଟଣା ଗୁଡ଼ାକ ଶୁଣି ବହୁଦିନ ମନସ୍ତାପରେ କଟାଇଲେ । ତାଙ୍କୁ ଲାଗିଲା ସେ ଯେମିତି ଦୁଇଟି ଜୀବନକୁ ହତ୍ୟା କରିଛନ୍ତି । ଭାବି ଭାବି ଏକ ସମୟରେ ବାଳଗୁଡ଼ା ତାଙ୍କର ପାଚିଗଲା । ତା’ ପଛରେ ଅଛି ସେ କରୁଣ ସ୍ମୃତି–ଦୁଇଟି ଜୀବନର ରକ୍ତବୋଳା ଇତିହାସ ।

 

‘‘କଫି କପ୍‌ରେ ମୁହଁ ଦେଇ ପାଟି କରି ଉଠିଲେ ସେ–‘‘ପିତା–ପିତା ।’’

 

ସଦାମଣୀ ଦେବୀ ଚାକରକୁ ଡାକିଲେ । କ’ଣ କରାଯିବ ? ବହୁଦିନ ରହି କଫି ପିତା ହେଇଗଲାଣି ।

 

ନବକେତନବାବୁ କହିଲେ–

 

‘‘ଯା ବଜାରକୁ–ଭଲ କଫି ଆଣି ତିଆରି କର ।’’ ଚାକର ଚାଲିଗଲା, ପୁଣି ସେ ଖବର କାଗଜଟାକୁ ଉଠାଇ ଆଣି ପଢ଼ିବାକୁ ଲାଗିଲେ ।

 

ସଦାମଣୀ କହିଲେ–

 

‘‘ଆଉ ଡ଼େରି କରୁଚ କାହିଁକି ? ଆଉ ବର୍ଷେ ଗଲେ ତ ପେନ୍‌ସନ୍‌ ନବ । ଏଇ ଦିନରୁ ଚେଷ୍ଟା କରି ରେଣୁଟିକୁ ଉଠାଇ ଦିଅ । ତେଣିକି ଟିକିଏ ଶାନ୍ତିରେ ନିଶ୍ଵାସ ମାରିବା ।’’

 

ନବକେତନବାବୁ ନିଜ ସ୍ତ୍ରୀଙ୍କର ଏଇ କଥାର ଗୁରୁତ୍ୱ ଉପଲବ୍‌ଧି କଲେ । ନିକଟରେ ସୁବ୍ରତର ବି: ଏ: ପରୀକ୍ଷାଫଳ ବାହାରି ଯାଇଥିଲା । ସେ ଫେଲ ହେଇଚି । ତା’ର ସେଇ ସଂବାଦରେ ବାପ–ମା ମର୍ମାହତ ।

 

ରେଣୁ ଉଠିଗଲା ବାହାରକୁ । ପୋଷ୍ଟମ୍ୟାନ୍‌ ଆଣି ଚିଠି ଖଣ୍ଡେ ତା’ ହାତରେ ଦେଇ ଗଲା । ଚିଠିଟି ତାଆରି । ଚିରୁ ଚିରୁ ସେ ପୁଣି ଘର ଭିତରକୁ ଚାଲିଗଲା ।

 

ନବକେତନବାବୁ କହିଲେ–

 

“ଚାରିଆଡ଼େ ମୁଁ ଆଖି ପକଉଚି । ରିଟାୟାର୍‌ କରିବା ପୂର୍ବରୁ ତା’ର ବ୍ୟବସ୍ଥା ମୁଁ କରିବି । “ହଁ–କରିଦିଅ, ଯେତିକି ପାଠ ପଢ଼ିଲାଣି ସେତିକି ଢେର୍‌ । ଆଉ ବେଶୀ ପାଠ ପଢ଼ି କ’ଣ ହେବ ? ଝିଅ ତ ଆମର ଚାକିରି କରିବନି ।’’

 

“କ’ଣ କରାଯିବ । ଆଜିକାଲି ଯୁବକମାନେ ବି: ଏ: ଟପିଲା ପରେ ବାହାହେବା ପାଇଁ ଯାହା ଦାବୀ କରି ବସନ୍ତି, ଝିଅର ବାପ–ମା ଅନେକ କ୍ଷେତ୍ରରେ ତାହା ପୂରଣ କରିବା ଅସଂଭବ । ଏମ୍‌: ଏ: ପଢ଼ିବା ଖର୍ଚ୍ଚ ଦିଅ, ବିଲାତ ଯିବା ଖର୍ଚ୍ଚ ଦିଅ, ମୋଟରକାର ଦିଅ, କୋଠା ବନେଇ ଦିଅ, ଆହୁରି କେତେ କ’ଣ ଦାବୀ ।’’

 

“ହଁ’’–ସଦାମଣୀ ଦେବୀ ମୁଣ୍ଡ ହଲେଇଲେ ।

 

ନବକେତନ ବାବୁଙ୍କ ବଡ଼ ଝିଅର ନାଁ ଶର୍ବରୀ । ତା’ ବାହାଘରରେ ବେଶୀ କିଛି ଯୌତୁକ ଦେବାକୁ ପଡ଼ି ନାହିଁ । ଶର୍ବରୀ ବାହାଘର ପୂରାପୂରି ପ୍ରେମବିବାହ ନ ହେଲେ ମଧ୍ୟ ସେଇଭଳିଆ । ସେ ଯାହାଙ୍କୁ ବାହା ହେଇଚି, ସେ ହଉଚନ୍ତି ସୁବ୍ରତର ବନ୍ଧୁ–ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ପରିଚୟର ଅଳ୍ପଦିନ ପରେ ସବ୍‌ଡ଼େପୁଟି ଚାକିରି ପାଇଲେ । ଶର୍ବରୀର ରୂପ ଆଉ ଗୁଣରେ ସେ ମୁଗ୍‌ଧ ହେଇଥିଲେ । ବିବାହ ପ୍ରସ୍ତାବରେ ଅମତ ହୋଇପାରିଲେ ନାହିଁ । ସୁବ୍ରତ ଭଳି ଅନ୍ତରଙ୍ଗ ବନ୍ଧୁର ଅନୁରୋଧ ସେବା ଏଡ଼ି ଦିଅନ୍ତେ କେମିତି ?

 

ଠଂ–ଠଂ–ଠଂ । ରିକି୍‌ସାଟାଏ ଆସି ଦାଣ୍ଡ ଦୁଆରେ ଠିଆ ହେଲା । ସୁବ୍ରତ ଆଉ ମମତା ସେଥିରୁ ଓହ୍ଲେଇ ଘର ଭିତରକୁ ଆସିଲେ । ମମତାକୁ ଦେଖି ନବକେତନବାବୁ ଆଉ ସଦାମଣୀ ଦେବୀ ଆଶ୍ଚର୍ଯ୍ୟ ହେଇଗଲେ । କିଏ ଏ ? ଏମାନଙ୍କର ଜିଜ୍ଞାସୁ ମୁହଁକୁ ଚାହିଁ ସୁବ୍ରତ କହିଲା –

 

“ମା, ଏ ଗୋଟିଏ ହତଭାଗିନୀ ଝିଅ, ବାପା–ମା କେହି ନାହିଁ । ମାଟ୍ରିକୁଲେସନ୍‌ ପାସ୍‌ କରିଚି । ମୋ ସାଙ୍ଗରେ ଆସିଚି–ଖଣ୍ଡିଏ ଚାକିରି ପାଇଁ ।’’ ସଦାମଣୀ ଦେବୀଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ମମତା କହିଲା–

 

“ମା, ମୋର ଏ ସଂସାରରେ କେହି ନାହିଁ । ବାବାଙ୍କୁ କହି ମତେ ଖଣ୍ଡେ କୋଉଠି ଚାକିରି କରେଇ ଦିଅନ୍ତୁ ।’’

 

‘‘ଆଚ୍ଛା ହଉ, ତୁ ଏଇଠି ରହ । ତୋ ପାଇଁ ଚାକିରି ଦେଖିବା ।’’

 

ଦଶଦିନ ୟା ଭିତରେ ବିତିଗଲା । ମମତା ତା’ର ବ୍ୟବହାରରେ ସମସ୍ତଙ୍କୁ ନିଜର କରିନେଇଚି ।

 

ସଦାମଣୀ ଦେବୀ ରେଣୁକୁ ଆଉ ତା’କୁ ନିଜର ଏକ ଝିଅ ପରି ଦେଖୁଛନ୍ତି ।

 

ରେଣୁ ମଧ୍ୟ ମମତାକୁ ‘ଅପା’ ବୋଲି ଡାକୁଚି ।

 

ସଦାମଣୀ–ବାତ୍ସଲ୍ୟ ସ୍ନେହର ଏକ ମୂର୍ତ୍ତିମତୀ ଝରଣା । ସଂସାରରେ ତାଂକ ଭଳି ସ୍ନେହୀ ଖୁବ୍‌ କମ୍‌ ଲୋକ ଅଛନ୍ତି । ପରଝିଅ, ନିଜର ଝିଅ–ସବୁ ସମାନ ତାଂକ ପାଖରେ ।

 

ନିଜର ସ୍ୱାମୀଙ୍କୁ ବହୁତ ଥର ସେ ୟା ଭିତରେ କହିଲେଣି ମମତାର ଝଣ୍ଡିଏ ଚାକିରି ପାଇଁ । ସେ ବି ଚାରିଆଡ଼େ ବୁଝାବୁଝି କରୁଛନ୍ତି । ମିଳିବ, ହୁଏତ ଡେରିରେ । ଚାକିରିତ ଆଉ ଗଛର ଫଳ ନୁହେଁ କି ନଦୀର ବାଲି ନୁହେଁ, ଇଚ୍ଛା କଲା ମାତ୍ରେ ମିଳିଯିବ । ଆଜିକାଲି କେତେ ଶିକ୍ଷିତ ବେକାର ବି:ଏ: ଏମ୍: ଏ: ପାସ୍‌ କରି କିରାଣୀ ଚାକିରୀ ଖଣ୍ଡିଏ ପାଇଁ ମୁଣ୍ଡ ବାଡ଼ଉଛନ୍ତି, ଶୁଣୁଚି କିଏ ? ଏମ୍ପ୍‌ଲୟମେଣ୍ଟ ଏକ୍‌ସ–ଚେଞ୍ଜ୍‌ରେ ହଜାର ହଜାର ଯୁବକ ନାମ ରେଜଷ୍ଟ୍ରୀ କରି ଦୀର୍ଘ ଦିନ ଅପେକ୍ଷା କରି ବସିଛନ୍ତି–ଦିଲ୍ଲୀର ଲଡ଼ୁ ହଠାତ୍‌ ହୁଏତ କେତେବେଳେ ମୁହଁ ଉପରେ ଖସି ପଡ଼ିବ । କିଂତୁ ପ୍ରତୀକ୍ଷା, ଖାଲି ପ୍ରତୀକ୍ଷା । ଲଡ଼ୁ ଖସୁ ନାହିଁ । ଖବର କାଗଜରେ ବାହାରୁଚି ଶିକ୍ଷିତ ବେକାର ଚାକିରି ନ ପାଇ ଆତ୍ମହତ୍ୟା କରୁଚି । ସବୁଠୁ ସହଜ ପନ୍ଥା । ଜୀବନରେ ଝଂଜା, ତେଲ ଲୁଣର ଆଘାତ, ପରିବାରର ଦାବୀ ସବୁର ସମାଧାନ ହୁଏତ ହୁଏ ଆତ୍ମହତ୍ୟାରେ ।

 

ସେଦିନ ।

 

ମଧ୍ୟାହ୍ନର ଗରମ ହାଓ୍ୱାରେ ଦେହର ରକ୍ତ ଶୁଖିଯାଉଚି । ଫ୍ୟାନ୍‌ ଖୋଲି ସିମେଣ୍ଟେଡ୍‌ ଫ୍ଲୋର ଉପରେ ଶୋଇଛନ୍ତି ସଦାମଣୀ ଦେବୀ । ମମତା ବସିଚି ପାଖରେ ।

 

ମମତା କହିଲା–

 

‘‘ମା, ସୁବ୍ରତ ଭାଇଙ୍କର ବାହାଘର କରେଇ ଦଉ ନାହଁ ଏବେ ? ତମେ ବୁଢ଼ୀ ହେଲଣି, ଘରର ଏତେଗୁଡ଼ା କାମ, ଏକା ଏକା କେତେଦିନ ଆଉ କରୁଥିବ ?

 

ସୁବ୍ରତ ପାଖଘରେ ବସି ଶୁଣୁଥିଲା ।

 

ସଦାମଣୀ ମମତାର ଶିରଶ୍ଚୁମ୍ଭନ କରି କହିଲେ–

“ଝିଅ, ଯେତେ କହିଲେ । ସେ କ’ଣ ମାନୁଚି ? ବାହାହେଲେ କୁଆଡ଼େ ପାଠ ହୁଏନା । ଆଜିକାଲି ପାଠପଢ଼ି ପିଲାଗୁଡ଼ାଙ୍କର କେମିତି ଅଦ୍ଭୁତ ଖିଆଲସବୁ ହେଉଛି । ସୁବ୍ରତର ବାପା ତାଂକର ଅଠର ବର୍ଷବେଳେ ମତେ ବାହା ହେଇଥିଲେ । ତା’ପରେ ପୁଣି ପାଠ ପଢ଼ିସାରି ଚାକିରି କଲେ । ଯିଏ ନ ବୁଝିବ, ତା’କୁ ପୁଣି କିଏ ବୁଝେଇବ ଲୋ ମା ।’’

‘‘ପୁଅ କ’ଣ ମା କଥାରୁ ବାହାରିଯିବ ?’’

‘‘ବି :ଏ: ଟା ପାସ୍‌ କରିସାରୁ.... ।’’

ସଦାମଣୀ ଦୀର୍ଘ ନିଶ୍ୱାସ ପକେଇଲେ । ପଡ଼ୋଶୀ ଘରୁ ବୃନ୍ଦାବନବାବୁଙ୍କ ସ୍ତ୍ରୀ ଆସି ତାଙ୍କୁ ଡାକିଲେ । ତାଂକ ଝିଅ ଅନନ୍ୟାକୁ ଦେଖିବା ପାଇଁ ବରପାତ୍ର ଆସିଚି । ଚାଲିଗଲେ ସଦାମଣୀ-। ମମତା ଗଲା ନାହିଁ ।

ବରପାତ୍ର ନାଁ ଶୁଣିଲେ ଆଜିକାଲି ତା’ ଦେହ ଥରିଉଠେ । ଥରେ ଯେ’ ଜୀବନରେ ପ୍ରେମ କରି ନିରାଶ ହେଇଚି–ସେ ବିଦ୍ରୋହୀ ହୋଇଉଠେ ପୁଣି ଥରେ ବିବାହ ନାଁ ଶୁଣିଲେ । ବରପାତ୍ର ସାଜି ଯେ ଆଜି ଆସିଚି, ସେ ହୁଏତ ଆଉ କାହାର ଅଂତରତଳେ ଜାଳି ଦେଇ ଆସିଥିବ ନିଆଁ ।

ସାବଧାନ ଏଇ ପ୍ରେମର ଦୁନିଆଁକୁ ।

ସୁବ୍ରତ ଆସି ଦେଖିଲା–ମମତା ଏକାଟିଆ ବସିଚି । କହିଲା–

‘‘ମମତା ! କ’ଣ ଖୁବ୍‌ ବକ୍ତୃତା ଦଉଥିଲୁ ମା’ ଆଗରେ ! ଖବରଦାର ! ମୋ ବାହାଘର କଥା ଆଉ କେବେ ଉଠେଇବୁ ନାହିଁ । ତୁ ଯେମିତି ସେ ଶିକ୍ଷିତ ଯୁବକମାନଙ୍କୁ ଘୃଣା କରୁ, ମୁଁ ବି ସେମିତି ସେ ଶିକ୍ଷିତା ଝିଅଗୁଡ଼ାଙ୍କୁ ଘୃଣା କରେ ।

“ଅଶିକ୍ଷିତା ବାହାହବାରେ ତ ତାହାହେଲେ କିଛି ବାଧା ନାହିଁ ।’’

“ବାଧା ଅଛି କି ନାହିଁ, ତା’ ଏଇନେ ଆଲୋଚନା କରି ଲାଭ କ’ଣ ? ମୋର ବର୍ତ୍ତମାନ ବାହାଘରର ପ୍ରଶ୍ନ ଯେ ମୋଟେ ନାହିଁ ।’’

“ତେବେ ବାହାହେଲେ ତମ ବାପ–ମା’ ଖୁସି ହୁଅନ୍ତେ ।’’

‘‘ବାପ–ମା’ଙ୍କ ଖୁସି ପାଇଁ ତ ମୁଁ ଆଉ ବାହା ହେବିନି । ବାହାଦବା ଆଗରୁ ବହୁତ ବିଷୟ ଦେଖିବାକୁ ହବ । ଜୀବନରେ ସେଟଲ୍‌ଡ଼ ହବା ଆଗରୁ ବାହାହେଲେ, ସେ ବିବାହ ଦୁଃଖପ୍ରଦ ହୁଏ । ଆଜିକାଲି ଆଧୁନିକା ସ୍ତ୍ରୀମାନଙ୍କର ଯୋଉ ଚାହିଦା, ତା’ ମେଣ୍ଟେଇ ନ ପାରିଲେ ସେମାନେ ହିଂସ୍ର ହେଇ ଉଠନ୍ତି । ମୁଁ ନିଜେ ଦେଖିଚି ମମ, ମୋ’ର ଜଣେ ବଂଧୂର ସ୍ତ୍ରୀ ତା’ ସ୍ୱାମୀକୁ ଚଟି ପର୍ଯ୍ୟନ୍ତ ଫିଙ୍ଗିଛି । କିଂତୁ ବଂଧୁ ବିଚରା, ତା’ର ତ ଫେର ଲୋକନିନ୍ଦାକୁ ଭୟ ଅଛି–ନୀରବ ହେଇ ସବୁ ସହିଚି । ଏଇ ତ ଆଜିକାଲିର ବିବାହ ।’’

‘‘ତମେ କ’ଣ ବିବାହ କରିବାକୁ ଚାହଁ ନା ତେବେ ?’’

‘‘ନ–ନା, ତା’ ନୁହେଁ । ସେ ସମୟ ଆସୁ । ତା’ପରେ ସେ କଥା ବିଚାର କରାଯିବ । ଛାଡ଼ ସେସବୁ କଥା । ସେପ୍ଳିମେଣ୍ଟାରି ବି : ଏ: ପରୀକ୍ଷା ରହିଲା ଆଉ ଅଳ୍ପଦିନ ।’’

 

“କେତେ ଦିନ ମୁଁ ଆଉ ଏଠି ରହିବି ? ମୋ ଚାକିରି ବିଷୟ କ’ଣ ହେଲା ?’’

 

‘‘ବାପା ତ ଚେଷ୍ଟାରେ ଅଛନ୍ତି, ନିଶ୍ଚୟ ମିଳିଯିବ । କାହିଁକି, ଆମ ଘରେ ରହିବାକୁ କ’ଣ ଭଲ ଲାଗୁନି ? ଅସୁବିଧା ହଉଚି ?’’

 

‘‘ଅସୁବିଧା ? ତମ ଭଳିଆ ଭାଇ ଥାଉଁ ଥାଉଁ, ରେଣୁ ଭଳିଆ ଭଉଣୀ ଥାଉ ଥାଉ, ଏଭଳି ବାପ–ମା’ ଥାଉ ଥାଉ ଆଉ ଅସୁବିଧା କ’ଣ ?

 

‘‘ତେବେ ?”

 

‘‘ତେବେ ମୋର ତ ମୂଳ ଉଦ୍ଦେଶ୍ୟ ନୁହେଁ ତୁମ ଘରେ ରହିବା । ଯେତେ ଶୀଘ୍ର ଚାକିରୀ ମିଳେ ମୁଁ ଅନ୍ୟ ଜାଗାକୁ ଚାଲିଯିବି ।’’

 

“ଅନ୍ୟ ଜାଗାକୁ ?’’

 

“ହଁ, ତମେ କ’ଣ ଭାବୁଚ ସୁବ୍ରତ ଭାଇ, ସବୁଦିନେ ମୁଁ ଏଇଠି ରହିବି ବୋଲି ?’’

 

‘‘ରହିଲେ କ୍ଷତି କିଛି ନାହିଁ । ମା’ ମୋର ଯେ ଭଳିଆ ଲୋକ ସେ କେବେ ତତେ ହତାଦର କରିବେ ନାହିଁ । ବରଂ ଅନ୍ୟ ଯେଉଁଆଡ଼େ ଯାଇ ଏକା ଏକା ରହିବୁ, ନାନା ପ୍ରକାର ଦୁଶ୍ଚିନ୍ତା ଆସି ତତେ ଘାରିବ ।’’

 

‘‘ଦୁଃଖ ପାଇବା ପାଇଁ ଜନ୍ମ ତ ହେଇଚି ଯାହା ଆସିବ ସବୁ ସହିନେବି ।’’

 

‘‘ମମତା–ମମତା’’–ବାହାର ପାଖରେ ଆସି ନବକେତନବାବୁ ହୁରି ଛାଡ଼ିଲେ । କଚେରୀରୁ ଆଜି ସହଳ ଫେରି ଆସିଛନ୍ତି । ମମତା ଯାଇ କବାଟ ଖୋଲି–ଦେଲା ।

 

‘‘ଗାର୍ଲ ସ୍କୁଲରେ ତୋ’ର ଗୋଟିଏ ଚାକିରି ଯୋଗାଡ଼ ହେଇଚି । କାଲିଠୁ ଯାଇ କାମରେ ଜଏନ୍‌ କରିବାକୁ ହବ ।”

 

ମମତା ମନରେ ଆନନ୍ଦର ଢେଉ । ଘର ଭିତରକୁ ଯାଇ ସୁବ୍ରତକୁ ସେ ଜଣେଇଦେଲା ଏ କଥା ।

 

ନବକେଜନବାବୁ ପଚାରିଲେ, ‘‘ମମତା, ତୋ ମା’ କାହିଁ ?’’

 

“ବୃନ୍ଦାବନ ବାବୁଙ୍କ ଘରକୁ ଯାଇଛନ୍ତି ।’’

 

‘‘ଘରଦ୍ୱାର ଛାଡ଼ିଦେଇ.....’’ ଗଂଭୀର ହେଇଗଲା ତାଙ୍କ ମୁହଁ । ଘରେ ଏକା ଯୁବକ ପୁଅ ଆଉ ଜଣେ ଆଶ୍ରିତା ଯୁବତୀ । ନବକେତନବାବୁ ହୁଏତ ତାଙ୍କ ସ୍ତ୍ରୀଙ୍କର କାର୍ଯ୍ୟକୁ ସମର୍ଥନ କରିପାରିଲେ ନାହିଁ । ନିଆଁ ପାଖରେ ଘିଅ ରହିଲେ ତରଳି ନ ଯାଇ କ’ଣ ରହିବ ?

 

ବ୍ୟଭିଚାରୀ ଦୁନିଆରେ ଅସମ୍ଭବ କ’ଣ ?

 

ଅସଂଭବ କ’ଣ ?

 

ମମତା ଭାବୁଥିଲା ଏଇ ଚାକିରି ପାଇବାରେ ସେ ଆନନ୍ଦିତ ନା ଦୁଃଖିତ ? କାହାପାଇଁ ସେ ଆଜି ଅନାଥା ହେଇ ଚାକିରି କରିବାକୁ ଯାଇଚି ? ତା’ର ପ୍ରାଣ–ତନ୍ତ୍ରୀରେ ଲାଗିଚି ଆଘାତ । ଚକ୍ଷୁରେ ସାହାରା ମରୁଭୂମିର ପ୍ରତିଛବି । ଶିକ୍ଷୟିତ୍ରୀ ହୋଇ ମାସରେ ପଚାଶ ଷାଠିଏଟା ଟଙ୍କା ଦରମା ପାଇ ହୁଏତ ତା’କୁ ଜୀବନର ଦୀର୍ଘଦିନ–ଗୁଡ଼ିକ କଟେଇବାକୁ ପଡ଼ିବ । ନାରୀଜୀବନର କାମନା–ବାସନା ସହୃଦୟର ଶୋଣିତ ପ୍ରବାହରେ ଧୋଇ ହୋଇ ଯାଉଚି ଧୀରେ ଧୀରେ । ସାମନାରେ ହା’ହୁତାଶମୟ ବିସ୍ତୃତ ଭବିଷ୍ୟତ–ପଛରେ ଭଗ୍ନ ମନ୍ଦିରର ସଫେଦ ଅବଶେଷ ।

 

ଜୀବନବାବୁ ! କେଉଁ ଏକ ରଙ୍ଗିଳ ପ୍ରଭାତରେ ସାକ୍ଷାତ । ମାମୁଁଘରର ନିର୍ଜନ କକ୍ଷରେ କେତେ ପ୍ରାଣଭରା ମାଦକିତ ଚାହାଣୀରେ ତା’କୁ ମୁଗ୍‌ଧ କରୁଥିଲେ । ସ୍ପଷ୍ଟ ତା’ର ମନେ ଅଛି ଗୋଟିଏ ଦିନର କଥା –

 

ଶିକାରରୁ ଫେରି ଜୀବନବାବୁ ଥକା ହେଇ ପଡ଼ିଥାନ୍ତି । ଦେହରେ ଅସଂଭବ ବେଦନା । ମୁଣ୍ଡବ୍ୟଥା । ମମତାକୁ ପାଖକୁ ଡାକି କହିଲେ–

 

‘‘ମମ, ଏଠି ଟିକିଏ ଅମୃତାଞ୍ଜନ ମିଳିବ ?’’

 

‘‘ନିଶ୍ଚୟ’’–ଉତ୍ତର ଦେଇଥିଲା ସେ । ‘‘ଆଣିବି ?’’

 

“ହଁ ।’’

 

“ମୁଣ୍ଡରେ ଟିକିଏ ମାରିଦିଅ । କିଛି ଆପତ୍ତି ଅଛି ?”

 

ସେ ଆଉ କିଛି କହିନି, ଅମୃତାଞ୍ଜନ ଡିବାଟି ଖୋଲି ମୁଣ୍ଡରେ ମାରିବାକୁ ବସିଗଲା । ଘଷିବା ଶେଷ ହେଲା । ଖୁବ୍‌ ଜୋରରେ ଗୋଟାଏ ନିଶ୍ଵାସ ପକେଇ ଜୀବନବାବୁ କହିଲେ–

 

‘‘ଉଃ, କି ଶାନ୍ତି ମିଳିଲା ।’’

 

ତା’ପରେ ମମତାର ମୁଣ୍ଡକୁ ତାଙ୍କ ମୁହଁ ଉପରକୁ ଆଉଜେଇ ଆଣି ଅଜସ୍ର ଚୁମ୍ବନରେ ମୁହଁକୁ ତାର ରଂଗା କରିଦେଲେ । ସରୁ ହାତଟିକି ଛାତି ଉପରେ ଜାକି ଧରି ପ୍ରାଣର ଆବେଗରେ କହିଲେ–

 

“ଭାରି ଭଲ ଲାଗୁଚି । କି କୋମଳ ତୁମର ହାତ ! ସବୁଦିନେ ତୁମର ଏଇ ହାତକୁ ମୋ ଛାତି ଉପରେ ରଖିପାରିବ ?

 

‘‘ପାରିବି ।’’

 

‘‘ମୁଁ ଆଜି ଜଗତଟାକୁ ଦେଖୁଚି ତୁମମୟ । ଆଜି ଏଇ ନିର୍ଜନ କକ୍ଷରେ ହଉ ଆମର ବାସର କକ୍ଷ ।’’

 

“ଛି”–ହାତ ଟାଣିନେଲା ମମତା ।

 

ହାତଟାକୁ ପୁଣି ଧରିନେଇ ସେ କହିଲେ –

 

“ଭୟ କରନି, ତମର ଇଚ୍ଛା ବିରୁଦ୍ଧରେ ମୁଁ କିଛି କରିବାକୁ ଚାହେଁନା । କିନ୍ତୁ କ୍ଷତି କ’ଣ ? ଯୁବକ–ଯୁବତୀର ସୃଷ୍ଟି ତ ଉପଭୋଗ ପାଇଁ । ଯେଉଁମାନେ ନକରି ପାରନ୍ତି ସେମାନେ ନିର୍ବୋଧ–ବୋକା । ଆଜି ଏଇ ବିଜ୍ଞାନ ଯୁଗରେ ପୁରାତନ ମତବାଦକୁ ବିଦାୟ ଦେବାକୁ ହବ । ଓମର ଖୟାମ ପଢ଼ିଚ ?”

 

‘‘ପଢ଼ିଚି ।’’

 

“ଧୂପ ପଢ଼ିଚ ?”

 

‘‘ତଥାପି ବ ତମେ ଅସମ୍ମତ ?’

 

‘‘ନିଶ୍ଚୟ । କାମନା ଚରିତାର୍ଥ ନିଶ୍ଚୟ ତ ଦିନେ ହବ । ଏତେ ବ୍ୟସ୍ତ କାହିଁକି ? ଜୀବନର ଲକ୍ଷ୍ୟ ଉପଭୋଗ ହୋଇପାରେ–କିନ୍ତୁ ସେଥିପାଇଁ ଆବଶ୍ୟକ ସମାଜର ମଞ୍ଜୁରୀ ।’’

 

ମମତାର ଏଇ କଥା ଶୁଣି ଖୁବ୍ ପାଟିକରି ହସିଉଠିଲେ ଜୀବନବାବୁ ।

 

‘‘ସମାଜର ମଞ୍ଜୁରୀ ? ଛି–ଛି । ତମେ ଶିକ୍ଷିତା–ଆଧୁନିକା । ଆଜିକାଲି ସମାଜ ବୋଲି କିଛି କ’ଣ ଅଛି । ସମାଜର ପଣ୍ଡାମାନେ ନିଜେଇ ଆଜି ଦୁର୍ନୀତିଗ୍ରସ୍ତ । ତମ ମୁହଁରୁ ଏସବୁ କଥା ଶୁଣିଲେ ମତେ ଭାରି ହସ ମାଡ଼ୁଚି ।’’

 

‘‘ଆପଣ ଅପେକ୍ଷା କରନ୍ତୁ । ଆମର ମନସ୍କାମନା ଦିନେ ନା ଦିନେ ପୂର୍ଣ୍ଣ ହେବ ।’’

 

“ମୁଁ ଖୁବ୍‌ ଶୀଘ୍ର ଯାଇ ଆମ ବାହାଘରର ବନ୍ଦୋବସ୍ତ କରୁଚି । ଶେଖରକୁ ଆଗରୁ ଜଣେଇବା ?’’

 

‘‘ଆପଣ ପରେ ଜଣେଇଦେବେ ।’’

 

ଉଠିଗଲା ମମତା, ମନରେ ତା’ର ପ୍ରେମର ବିକାର ।

 

ପୁଣି ଡାକିଲେ ଜୀବନବାବୁ–

 

‘‘ମମ’’

 

‘‘କ’ଣ କୁହନ୍ତୁ ।’’

 

‘‘ତମେ ଚାଲିଗଲେ ଭାରି ଖରାପ ଲାଗୁଚି । ଦିନସାରା ବୁଲି ବୁଲି ମୁଁ ଆଜି ଭାରି ଦୁର୍ବଳ ହେଇପଡ଼ିଛି । ବସ ମୋ’ ପାଖରେ । ଶେଖର କ’ଣ କରୁଚି ?

 

‘‘ସେ ଶୋଇ ପଡ଼ିଲେଣି ।’’

 

“କିନ୍ତୁ ମତେ ନିଦ ଆସୁନି ।’’

 

‘‘ବେଶୀ କାହିଁକି ଭାବୁଛନ୍ତି । ଭାବି ଭାବି ପୁଣି ଦେହ ଖରାପ ହବ ଶେଷରେ । ଆପଣ ଆଖି ବୁଜି ଶୋଇପଡ଼ନ୍ତୁ । ଆଖିରେ ଟିକିଏ ଅମୃତାଞ୍ଜନ ଲଗେଇଦେବି । ଥଣ୍ଡା ଲାଗିବ ।’’

 

‘‘ହଉ ଲଗାଅ ।’’

 

ଲଗେଇଦେଲା ସେ । ଅମୃତାଞ୍ଜନ ଜ୍ୱାଳାରେ ଆଖି ତାଙ୍କର ପୋଡ଼ି ଉଠିଲା ।

 

‘‘କ’ଣ କଲ ମମ ? ମତେ ଯେ ଅନ୍ଧ କରିଦେଲ ଏକାଥରେ ।’’

 

ମମତାର ଅଂଚଳରେ ଆଖିରୁ ପୋଛି ଆଣିଲେ ଅଂଜନ । ତା’ପରେ ଥଣ୍ଡା ପଡ଼ିଆସିଲା ଆଖିପତା । ଶୋଇପଡ଼ିଲେ ସେ ।

 

କ୍ଷଣକରେ ପୁଣି ଚମକି ଉଠିଲେ ।

 

‘‘ତମେ ଏଇଠି, ମୋ ପାଖରେ ଶୁଅ ।’’

 

‘‘ଛି–ସେ ବେଳ ତ ଆସି ନାହିଁ ।’’

 

“ହଉ, ତମ ଖୁସି ।’’

 

ବାଧ୍ୟ ଶିଶୁଟି ପରି ସେ ଆଖି ବୁଜିଲେ ।

 

X X X

 

ଆଖି ବୁଜିଆସିଲା ମମତାର । ଠିଆ ହଉ ହଉ କଚାଡ଼ିହୋଇ ପଡ଼ିଲା ସେ ।

 

ନବକେତନବାବୁ ପାଟିକରି ଉଠିଲେ–‘‘ମମତା–ମମତା !”

 

ଚେତନା ନାହିଁ । ସୁବ୍ରତ ଦଉଡ଼ି ଆସିଲା । ନବକେତନ ବାବୁଙ୍କ ଆଖିରେ ସନ୍ଦେହର ଛାୟା ।

 

“ଠିଆ ହଉ ହଉ ପଡ଼ିଗଲେ । କ’ଣ ହେଇଚି ତା’ର !’’

 

ସୁବ୍ରତ ପାଣି ଆଣି ରୁମାଲରେ ତା’ ମୁହଁ ପୋଛି ଦେଉଥିଲା । ଚାକର ଦଉଡ଼ି ଯାଇ ସଦାମଣୀ ଦେବୀଙ୍କୁ ଡାକି ଆଣିଲା । କ୍ରନ୍ଦନର ଛନ୍ଦ ନେଇ ସେ ଦଉଡ଼ି ଦଉଡ଼ି ଆସିଲେ । ଭାରି ଭୟାଳୁ । ଟିକିଏ ସକ୍‌ ଲାଗିଲେ ସେ ଅଧୀର ହେଇପଡ଼ନ୍ତି । ମମତାର ମୂର୍ଚ୍ଛିତ ଦେହକୁ ଦେଖି ସେ ପାଟିକରି ଉଠିଲେ–

 

‘‘ଡାକ୍ତର ଡାକି ଆଣ । କ’ଣ ହେଇଗଲା ମୋ ଝିଅର । କେଡ଼େ ସୁନ୍ଦର ମୁହ–କଳା ହେଇଗଲାଣି...

 

ନବକେତନବାବୁ ନିଜେଇ ଗଲେ ଡାକ୍ତର ଡାକିବାକୁ । ମମତାକୁ ଉଠେଇ ସୁବ୍ରତ ତା’ ଶୋଇବା ଘରକୁ ନେଇଗଲା ।

 

ମୁଣ୍ଡଟା କେମିତି ଭାବରେ ଧରିଛି । ଭାରି ଦୁର୍ବଳ ଲାଗୁଚି ।’’

 

ସୁବ୍ରତର ମୁହଁରେ ସମବେଦନା ।

 

ରେଣୁ କହିଲା–

 

“ଅପା, ଡାକ୍ତରବାବୁ କହୁଥିଲେ ଯେ ତୁମେ କୁଆଡ଼େ ଗୋଟାଏ ବିଷୟରେ ଖୁବ୍‌ ଗଭୀର ଭାବରେ ଚିନ୍ତା କରୁଚ । ଏଇମିତ ଯଦି ଭାବ, ତମକୁ ହିଷ୍ଟିରିୟା ହେଇଯିବ ।’’

 

ହିଷ୍ଟିରିଆ ! ଚମକି ପଡ଼ିଲା ମମତା । ସେ ଚମକର ସ୍ପଷ୍ଟ ଛାପ ଆସି ପଡ଼ିଲା ସୁବ୍ରତ ଦେହରେ ।

 

“କ’ଣ ତମେ ଏତେ ଭାବୁଚ ଅପା ।’’ –ସରଳ ସ୍କୁଲଝିଅର ସାଧାସିଧା ପ୍ରଶ୍ନ ।

 

ଝରକାରେ ଦିଶୁଚି ବାହାରର ଆକାଶ–କଳା କଳା ମେଘଗୁଡ଼ା ଭାସି ଯାଉଛନ୍ତି । ଆକାଶ ଛାତିରେ ସଂଖ୍ୟାହୀନ ତାରକା । ଧରଣୀକୁ ଚାହିଁ ମଣିଷର ସୁଖ–ଦୁଃଖର ବାର୍ତ୍ତା ସେମାନେ ପଚାରୁଛନ୍ତି

 

ମମତାର ପ୍ରାଣରେ ଲାଗିଚି ଗଭୀର ଦାଗ । ଗୋଟାଏ ଦିଗରେ ପରାସ୍ତ ଲଭି ସେ ଆଉ ଗୋଟାଏ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଚି । ଚିନ୍ତାଧାରା ତା’ର କ୍ଳୀବ – ପଙ୍ଗୁ ।

 

‘‘ସୁବ୍ରତ ଭାଇ, କାଲି ମୁଁ ଏଠି ଚାଲିଯିବି । ମୋ ପାଇଁ ଖଣ୍ଡେ ବସାଘର ଠିକ୍‌ କରିଦିଅ ।’’

 

‘‘ଯିବୁ–ଯିବୁ, ସେଥିପାଇଁ ଏତେ ବ୍ୟସ୍ତ କାହିଁକି ? ଦେହ–ପା ଆଗେନା ଚାକିରି ଆଗେ... ?’’ କହି କହି ଘର ଭତିରକୁ ପଶିଆସିଲେ ସଦାମଣୀ ଦେବୀ ।

 

‘‘ଭଲ ଲାଗୁଚି ଦିହ ?’’

 

‘‘ହଁ ମା, ଭଲ ଲାଗିଲାଣି । ବାପାଙ୍କ ପାଖରେ ଠିଆ ହେଇଥିଲି, କ’ଣ ହେଲା କେଜାଣି ହଠାତ୍‌ ମୁଣ୍ଡଟା ଘୂରାଇଦେଲା । କଚାଡ଼ି ହୋଇ ପଡ଼ିଲି, ମୋର ଆଉ ଚେତନା ନାହିଁ ।’’

 

‘‘ତୁତ ଆମ ଘର ବୁଡ଼େଇ ଦେଇଥିଲୁ ।”

 

ଘର ବୁଡ଼ି ଯାଇଥିଲେ ବୋଧହୁଏ ଭଲ ହେଇଥାନ୍ତା । ଯେଉଁଦିନ ସେ ଗଛରେ ଫାଶୀ ଲଗେଇ ଆତ୍ମହତ୍ୟା କରିବାକୁ ଯାଉଥିଲା, ସେଦିନ ଯଦି ସେ ମରି ଯାଇଥାନ୍ତା, ତେବେ ତରି ଯାଇଥାନ୍ତା । କିନ୍ତୁ...ସେ ମରି ପାରିଲାନି ।

 

ସୁବ୍ରତ କହିଚି–ଯେ କୌଣସି ପ୍ରକାରେ ବଂଚି ରହିଥଲେ–ବଂଚି ରହିବାର ବହୁ ଉପାଦାନ ଜୀବନରେ ଆସିପାରେ । ତା’କୁ ବଂଚି ରହିବାକୁ ହେବ ।

 

‘‘ସୁବ୍ରତ–ସୁବ୍ରତ !’’ –ବାହାରେ ଜଣେ କିଏ ଡାକିଲା । ସୁବ୍ରତ ଉଠି ଆସିଲା ବାହାରକୁ । ପିଣ୍ଡା ପାଖରେ ବଂଧୁ ଅନଙ୍ଗ ଠିଆ ହେଇଚି । ସୁବ୍ରତକୁ ଦେଖି ସେ କହିଲା–

 

‘‘କିରେ, ପରୀକ୍ଷା ପାଇଁ ଖୁବ୍‌ ଲାଗିପଡ଼ିଚୁ ? ତୋର ଆଉ ଦେଖା ନାହିଁ ? ଥରେ ଫେଲ ହେଇ ଏକବାରେ ଭାଙ୍ଗି ପଡ଼ିଲ, ନା ?

 

ଅନଙ୍ଗ ପାଖରେ ଫେଲ ହବାର ଗୁରୁତ୍ଵ କିଛି ନାହିଁ । ପ୍ରତ୍ୟେକ ଶ୍ରେଣୀରେ ଦୁଇ ତିନିଥର ଫେଲ୍‌ ହେଇ ସେ ଉପର କ୍ଲାସକୁ ଉଠିଚି । ବି: ଏ: ପରୀକ୍ଷାରେ ତିନିଥର ଫେଲ୍‌ ହେଇ ଚତୁର୍ଥଥର ପାଇଁ ଲାଗି ପଡ଼ିଚି । ବାପର ଅଛି ଅମାପ ପଇସା–ହୀରାକୁଦରେ କଣ୍ଟ୍ରାକ୍‌ଟରୀରୁ ଆୟ-। ତା’ର କିଛି କଥାକୁ ପରବାୟ ନାହିଁ । ଖାଅ, ପିଅ, ଜୀବନକୁ ଉପଭୋଗ କର–ଏଇ ହେଲା ତା’ର ନୀତି । ଚାର୍ବାକ୍‌ କୋଉ ଶତାବ୍ଦୀ ତଳେ ମରି ପୁଣି ବୋଧହୁଏ ଅନଙ୍ଗ ରୂପରେ ଜନ୍ମ ନେଇଛନ୍ତି-

 

କଲେଜ ଯୁବତୀମାନଙ୍କ ପାଖରେ ସେ ଖୁବ୍‌ ପରିଚିତ । କାହାର ଭାଇ, କାହାର ନନା, କାହାର ଦାଦା ରୂପରେ ସେ ଆବିର୍ଭାବ ହୁଏ । କାହା ଘରକୁ ବିସ୍କୁଟ ଟିଣ ଧରି, କାହା ପାଖକୁ ସିନେମା ଟିକେଟ୍‌ ଅବା ବ୍ଲାଉଜ୍‌ ପିସ୍‌ ଧରି ସେ ଧାଇଁଥାଏ ନିତି ସଂଜରେ । କାଠଯୋଡ଼ୀ ବଂଧ, ଗୋପବଂଧୂ ବାଗ୍‌ କେତେ ଥର ଦେଖିଥବ ଅନଙ୍ଗର ବହୁରୂପୀ ରୂପ । ତଥାପି ଝିଅମାନେ ତା’ ପଛରେ ଗୋଡ଼ାନ୍ତି । ସେଇଥି ପାଇଁ ତାରି କଲେଜ ବନ୍ଧୁମାନେ ତାକୁ ଡାକନ୍ତି–‘କ୍ୟୁପିଡ଼୍‌’ । କେତେକ ବି ଡାକନ୍ତି ‘ଚାର୍ବାକ୍‌’ ।

 

ସୁବ୍ରତ କହିଲା–

 

“ଭାଇ, ଜୀବନରେ କେବେ ଫେଲ୍‌ ହେଇ ନ ଥିଲି ।’’

 

‘‘ଭାରି ଅବଶୋଷ, ନା ? ଥରେ ଫେଲ୍‌ ପାସ୍‌ ତ ଗୋଟାଏ ଚାନ୍ସ । ଯୋଉମାନେ ପାସ୍‌ କରି ଯାଉଛନ୍ତି, ସେମାନେ ସବୁ ବିଦ୍ୟାରେ ପଣ୍ଡିତ ନା ଯେଉଁମାନେ ନମ୍ବରେ ଦୁଇନମ୍ବର ପାଇଁ ଫେଲ୍‌ ହଉଚନ୍ତି–ସେମାନେ ମୂର୍ଖ ! କାହା କପାଳରେ ବାଜୁଚି, କାହା କପାଳରେ ବାଜୁନି । ସେଥିପାଇଁ ଅବଶୋଷ କଲେ ହବ କ’ଣ ? ଆ ଯିବା ମୋ ବସା ଆଡ଼େ–ବୁଲି ଅସିବା । ମୁଁ ଆଜି ଗୋଟାଏ ଡିନର ଦଉଚି ।’’

 

“କାହାକୁ ଡିନର ଦଉଚୁ ?”

 

“ଜଣେ ନାରୀ ବଂଧୁଙ୍କୁ । ନାଚ ଗୀତ ହବ । କଳାବିକାଶ କେନ୍ଦ୍ରକୁ ଡାକିଚି । ଚାଲ୍‌ ।’’

 

‘‘ମୁଁ.....ଭାଇ... ।’’

 

‘‘ଆରେ, କ’ଣ ତୁ କହୁଚୁ । ଅନଙ୍ଗ ଦାଶ ଦବ ଡିନର, ସେଠିକି ସୁବ୍ରତ ଯିବ ନାହିଁ ? ବାହାରିଆ–ବାହାରିଆ ।’’

 

‘‘ଭଦ୍ରମହିଳା ତୋର କି ରକମ ବନ୍ଧୁ ?’’

 

“କହିବସିଲେ । ବହୁତ କଥା ଅଛି କହିବାକୁ–ବର୍ତ୍ତମାନପାଇଁ ଏତିକି ଜାଣିରଖ, ମୁଁ ତାଙ୍କ ସହିତ ଏନ୍‌ଗେଜ୍‌ଡ଼, ଅନଙ୍ଗ ଦାଶ ତା’ର ଭାବୀ ପତ୍ନୀକୁ ଡିନର ଦଉଚି ।”

 

“ସପ୍ଲିମେଣ୍ଟାରୀ ଦଉ ନାହୁଁ ବୋଧହୁଏ ।”

 

“ନା, ବାପା ସମ୍ବଲପୁରରୁ ଚିଠି ଦେଇଛନ୍ତି ଶୀଘ୍ର ଯାଇ ତାଙ୍କୁ କାମରେ ସାହାଯ୍ୟ କରିବାପାଇଁ । ପାଠପଢ଼ା ଏତିକିରୁ ଇତି ।”

 

“ହଁ, ଆଜିକାଲି ପାଠ ପଢ଼ିବାରେ ମୂଲ୍ୟ କ’ଣ ? ବି: ଏ: ପାସ୍‌ କରି ଖୁବ୍‌ ଜୋରରେ ଭୁବନେଶ୍ୱର ସେକ୍ରେଟାରୀଏଟ୍‌ରେ ଆସିଷ୍ଟାଣ୍ଟ୍‌ ଟିଏ ହବା, ନ ହେଲେ କୋଉ ଏଡେଡ଼୍‍ ସ୍କୁଲରେ ସରକାରୀ ଶିକ୍ଷକଟିଏ ହବା–ଅଶୀଟଙ୍କା ଦରମା ।’’

 

“ସେଇଥିପାଇଁ ମୁଁ ବି ଠିକ୍‌ କଲି ଆଉ ପଢ଼ି ଲାଭ ନାହିଁ । ତୁ ବାହାରି ଆ, ଜଲ୍‌ଦି ଯିବା, ନଅଟା ବେଳକୁ ସମସ୍ତେ ଆସି ପହଞ୍ଚିବେ । ପ୍ରାୟ ତିରିଶଜଣ ବଂଧୁଙ୍କୁ ନିମନ୍ତ୍ରଣ କରିଚି ।’’

 

ସୁବ୍ରତ ଘର ଭିତରକୁ ଯାଇ ପ୍ରସ୍ତୁତ ହେଇ ଆସିଲା ।

 

ମମତା ଶୋଇ ପଡ଼ିଲାଣି ସେତେବେଳକୁ ।

 

ଦୁଇ ବଂଧୁ ରିକ୍‌ସାଟିଏ ଡାକି ଚାଲିଲେ ।

 

–ତିନି–

 

ଅଗଣାରେ ଇନ୍ଦ୍ରପୁରୀର ସଂଭାର । ନାଲି, ନେଳୀ ଆଲୋକରେ ଚତୁର୍ଦ୍ଦିଗ ଉଦ୍ଭାସିତ । ଟବ୍‌ରେ ରହିଚି ବହୁତ ଫୁଲଗଛ, ଦେଶୀ ଓ ବିଲାତୀ । ସାଉଥ୍‌ ଆଫ୍ରିକାନ୍‌ ଧଳା ଗେଣ୍ଡୁଫୁଲ ପବନରେ ଦୋହଲି ଦୋହଲି ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତ କରୁଛି ।

 

ଜଣେ ଜଣେ ବନ୍ଧୁ ଆସୁଛନ୍ତି । ଅନଙ୍ଗ ସେମାନଙ୍କୁ ନେଇ ଯଥା ସ୍ଥାନରେ ବସାଉଛି । ସବୁଆଡ଼େ ଫଗୁଳ ବସନ୍ତର ଅପୂର୍ବ ସମାରୋହ–ପ୍ରତ୍ୟେକ ପ୍ରାଣରେ ଉନ୍ମାଦନା–ଫୂର୍ତ୍ତି । ଟେବୁଲଗୁଡ଼ିକ ଉପରେ ରହିଚି ସିଗାରେଟ୍‌ କେସ୍‌ ଆଉ ଦିଆସିଲି । ସ୍ଥାନେ ସ୍ଥାନେ ସୁବାସିତ ପାନ-। ସିଗାରେଟ୍‌ ଧୂଆଁରେ ଧୂସର ହେଇ–ଉଠୁଚି ବାୟୁମଣ୍ଡଳ । ତରୁଣ ଓକିଲ କିଶୋର ବସି ଛୁଟେଇଛନ୍ତି ଗୋପାଳ ଭାଣ୍ଡ ଗଳ୍ପ । ସମସ୍ତେ ଉପଭୋଗ କରୁଛନ୍ତି–ହସି ଉଠୁଛନ୍ତି ବେଳେବେଳେ ଖୁବ୍‌ ଜୋରରେ ।

 

ଅନଙ୍ଗ ବ୍ୟସ୍ତ ହୋଇ ରାସ୍ତାକୁ ଚାହୁଁଛି ମୁହୁର୍ମୁହୁ । ଅତିଥିଗଣ ଉତ୍କଣ୍ଠିତ ହୋଇ ପରସ୍ପରକୁ ଚାହୁଁଛନ୍ତି–ଯାହାଙ୍କ ପାଇଁ ଏ ଡିନର୍ ସେ କାହାନ୍ତି ?

 

ସୁବ୍ରତ ଅନଙ୍ଗକୁ ଆଢ଼ୁଆଳକୁ ଡାକିନେଇ ପଚାରିଲା–‘‘ଏପ୍ରିଲ ପହିଲାରେ ସମସ୍ତଙ୍କୁ ଆଜି ତୁ ଏପ୍ରିଲ ଫୁଲ୍‌ ବନଉ ନାହୁ ତ ଅନଙ୍ଗ ?’’

 

ଅନଙ୍ଗର ମୁହଁରେ ଚିନ୍ତାର ଛାୟା–

 

–“ସତ କହୁଚି ଭାଇ, ଠକେଇବା ମୋର ଉଦ୍ଦେଶ୍ୟ ନୁହେଁ–ଆ ଦେଖିବୁ, କେତେ ସାମଗ୍ରୀ ତିଆରି ହୋଇ ରହିଚି । ଛନ୍ଦା ମତେ ଜବାବ୍‌ ଦେଇଥିଲା ଠିକ୍‌ ସାଢ଼େ ଆଠଟାବେଳେ ପହଞ୍ଚିବ ବୋଲି–ସେଇ ଅନୁସାରେ ମୁଁ ସମସ୍ତଙ୍କୁ ନଅଟା ବେଳକୁ ଡାକିଥିଲି । ରାତି ଆସି ସାଢ଼େ ନ’ ହେଲାଣି । ଛନ୍ଦା କାହିଁ ?

 

“କ’ଣ କିଛି ଦେହ ଅସୁବିଧା ହେଲା କି ?’’

 

“ଖବର ତ ପଠେଇ ପାରିଥା’ନ୍ତା ! ”

 

ଏଇ ସମୟରେ ଅନଙ୍ଗର ଚାକର ଆସି ଖବର ଦେଲା–ବାହାରେ କିଏ ତାକୁ ଡାକୁଚି ।

 

ଅନଙ୍ଗ ଆଉ ସୁବ୍ରତ ଦୁହେଁ ବାହାରି ଆସିଲେ । ଧୋତି ଖଣ୍ଡେ, ହାଫ୍‌ ସାର୍ଟଟେ ପିନ୍ଧି, ସାଇକେଲ ଧରି ଜଣେ ଲୋକ ଠିଆହୋଇଚି । ଅନଙ୍ଗକୁ ଦେଖିଲା କ୍ଷଣି ସେ ହାତ ତୋଳି ନମସ୍କାର କଲା ।

 

“ଛନ୍ଦା ଦେବୀ ମତେ ଚିଠି ଦେଇ ପଠେଇଛନ୍ତି–ସେ ଆଜି ଆସିପାରିବେ ନାହିଁ ।’’

 

‘‘ଆସିପାରିବେ ନାହିଁ ?’’ ଏକ ସମୟରେ ସୁବ୍ରତ ଆଉ ଅନଙ୍ଗ ପାଟିରୁ ବାହାରି ପଡ଼ିଲା-

 

ଲୋକଟି ଚିଠି ଖଣ୍ଡିକ ବଢ଼େଇ ଦେଇ ଚାଲିଗଲା । ଅନଙ୍ଗ ଚିଠିଟି ଖୋଲି ପଢ଼ିଲା । ସେଥିରେ ଲେଖାଅଛି–

 

‘‘ମିଷ୍ଟର ଦାସ,

 

ମୁଁ ଅତ୍ୟନ୍ତ ଦୁଃଖିତ, ଆପଣଙ୍କୁ କଥା ଦେଇ ଯାଇପାରିଲି ନାହିଁ । ଆଜି ସଞ୍ଜରେ ମୁଁ ଗୋଟିଏ ଗୁରୁରୁପୂର୍ଣ୍ଣ ନିଷ୍ପତ୍ତି ନେଇଛି–ସେଇ ନିଷ୍ପତ୍ତି ଯୋଗୁଁ ହିଁ ମୋର ସେଠାକୁ ଯିବାରେ ଅକ୍ଷମତା ।

 

ମୁଁ ନିଷ୍ପତ୍ତି କରିଚି, ଆପଣଙ୍କ ସହିତ ମୋର ବାହାଘର ହେଇ ପାରିବ ନାହିଁ । ଶୁଣିଲି, ଆପଣ କୁଆଡ଼େ ପଢ଼ା ଛାଡ଼ି ଦେଇ ହୀରାକୁଦ ଯାଉଛନ୍ତି କଣ୍ଟ୍ରାକ୍‌ଟରୀ କରିବାକୁ । ସୁଖୀ ହେଲି ! କଣ୍ଟ୍ରାକ୍‌ଟରୀ କରି ପଇସା କମେଇଲା ପରେ ଆପଣଙ୍କୁ ସ୍ତ୍ରୀର ଅଭାବ ହେବ ନାହିଁ । ମତେ ଆଉ କାହିଁକି ଟାଣିବେ ? ତିନିଥର ଫେଲ୍‌ ହେବା ପରେ ବି: ଏ; ଡିଗ୍ରୀକୁ ଯେମିତି ଫେୟାର୍‌ଓ୍ୱେଲ୍‌ ଦେଇ ଦେଇଛନ୍ତି, ମତେ ବି ସେମିତି ଫେୟାର୍‌ଓ୍ୱେଲ୍‌ ଦେଇଦିଅନ୍ତୁ । କୁଆଡ଼େ ଗଲା ଆପଣଙ୍କର ବିଲାତ ଯିବାର ସ୍ୱପ୍ନ–ଆଉ ପ୍ୟାରିସ୍‌ ଭ୍ରମଣ ?

 

ଆପଣ ଜାଣନ୍ତି, ମୁଁ ଜଣେ ଆଧୁନିକା ସୁରୁଚିସଂପନ୍ନା ଗ୍ରାଜୁଏଟ୍‌ । ଆପଣ ନିଜେ କୁହନ୍ତୁ–ଆପଣଙ୍କ ଭଳି ଜଣେ କଣ୍ଟ୍ରାକ୍‌ଟରକୁ ବିଭାହୋଇ ମୁଁ ସୁଖୀ ହେଇ ପାରିବି ତ ?... ।’’

 

ଆଉ ପଢ଼ିପାରିଲା ନାହିଁ ଅନଙ୍ଗ । କ୍ରୋଧର ଅଗ୍ନିରେ ସର୍ବାଙ୍ଗ ତା’ର ଜଳିଗଲା । ଯୋଉ ସ୍ତ୍ରୀ ପଛରେ ଗଲା ଚାରିମାସ ହେଲା ହଜାର ହଜାରଟଙ୍କା ସେ ବ୍ୟୟ କରିଦେଇଛି–ତା’ର ଏ ସ୍ପର୍ଦ୍ଦା ସେ ସହନ୍ତା କେମିତି ? ଛନ୍ଦାର ଚିଠିକୁ ଟିକ୍‌ ଟିକ୍‌ କରି ଚିରି ପାଦରେ ଦଳିଦେଲା । ସୁବତ୍ର ତା’ର ସ୍ଵଭାବସୁଲଭ ନମ୍ରତାରେ କହିଲା–

 

‘‘ଅନଙ୍ଗ, ଏତେ ଫିଜ୍ଲ ହବା ଖରାପ ।’’

 

‘‘କ’ଣ ବର୍ତ୍ତମାନ କରାଯିବ କହ ? ଭିତରେ ଯୋଉ ବନ୍ଧୁମାନେ ବସିଛନ୍ତି ସେମାନଙ୍କୁ ମୁଁ ଆଜି ମୁହଁ ଦେଖେଇବି କେମିତି ?’’

 

କିଛିକ୍ଷଣ ନୀରବ ରହିବା ପରେ ସୁବ୍ରତ କହିଲା–‘‘ଆଚ୍ଛା, ତୁ ଯାଇ ବନ୍ଧୁମାନଙ୍କ ସହିତ ଆଳାପ କର । ମୁଁ ଆଉଥରେ ଯାଉଛି ଛନ୍ଦା ଘରକୁ । ଘରଟା ତା’ର କେଉଁଠି ?’’

 

‘‘ବଙ୍ଗାଳୀ ସାହିରେ ।”

 

“ହଉ, ମୁଁ ଯାଏ, ଯଦି ବୁଝେଇ ସୁଝେଇ ତା’ ମତ ପରିବର୍ତ୍ତନ କରି ପାରେ...।’’

 

ସୁବ୍ରତ ବାହାରିଲା ଚାଲିଯିବାକୁ । ଅନଙ୍ଗ ତା’ର ହାତ ଧରିପକେଇ କହିଲା–

 

‘‘ନା ଭାଇ, ତୁ ସେଠିକି ଯାଆନା । ହୁଏତ ଆମ ବନ୍ଧୁତାର ଅମର୍ଯ୍ୟାଦା ସେ କରିପାରେ-। ବର୍ତ୍ତମାନ ମୁଁ ଯଦି ତା’କୁ ପାଆନ୍ତି, ହତ୍ୟା କରିଦିଅନ୍ତି ହତ୍ୟା....ହତ୍ୟା ।’’

 

ଉତ୍ତେଜନାରେ ଭରିଯାଇଛି କଣ୍ଠ ତା’ର !

 

‘‘ଅମର୍ଯ୍ୟାଦା କରିବ ! କରୁ ମୁଁ ସେଥିକି ଭ୍ରୁକ୍ଷେପ କରିନି । ମୁଁ ଅନ୍ତତଃ ଚାହେଁନା । ଆମ ଦେଶର ଶିକ୍ଷିତା ଝିଅମାନେ ଏମିତି ନୀଚ ହୁଅନ୍ତୁ । ତାଙ୍କର ଟିକିଏ ବୃଦ୍ଧିବୃତ୍ତି ଥିବା ଦରକାର । କାହିଁକି ତତେ ସେ ବାହାହେଇ ପାରିବ ନି ? ନା, ମୁଁ ଯାଏ ।”

 

ସୁବ୍ରତ ଚାଲିଗଲା । ଅନଙ୍ଗ ଫେରି ଆସିଲା ବନ୍ଧୁମାନଙ୍କ ପାଖକୁ ।

 

କଳାବିକାଶ କେନ୍ଦ୍ରର ଶିଳ୍ପୀଗଣ ସେତେବେଳକୁ ଗୀତର ଲହଡ଼ି ଛୁଟେଇଛନ୍ତି ।

 

X X X

 

ବଙ୍ଗାଳୀ ସାହିର ଗୋଟିଏ ଦୋତାଲା ଘରେ ଛନ୍ଦା ଥାଏ । ଚାରିଆଡ଼େ ଆଧୁନିକତାର ରୂପ ସୁସ୍ପଷ୍ଟ । ଘର ସାମନାରେ ପ୍ରଚୁର ଜାଗା–ବହୁ ରଙ୍ଗର ଫୁଲରେ ମଣ୍ଡିତ । କେତେ ପ୍ରକାରର ସ୍ନିଗ୍‌ଧ ଗନ୍ଧରେ ସେ ଖଣ୍ଡକର ବାୟୁମଣ୍ଡଳ ଅମୋଦିତ । ଛନ୍ଦାର ବାପା କିଛି ଦିନ ତଳେ ମରି ଯାଇଛନ୍ତି–ମା’ ତା’ ପୂର୍ବରୁ ମରିଯାଇଥିଲେ । ଭାଇ, ଭଉଣୀ ଆଉ କେହି ନାହାନ୍ତି । ବିରାଟ ଅଟ୍ଟାଳିକା ଆଉ ଅଜସ୍ର ବ୍ୟାଙ୍କ୍‌ ବାଲାନ୍‌ସର ଏକମାତ୍ର ଉତ୍ତରାଧିକାରିଣୀ ହେଉଚି ଛନ୍ଦା । ଜୀବନ ତା’ ନିକଟରେ ଏକ ଅଦ୍ଭୁତ ଖିଆଲ– ।

 

ତା’ ବାପାଙ୍କର ଦୁଇ ଖଣ୍ଡ ମଟରଗାଡ଼ି ଥିଲା । ବାପାଙ୍କ ଅନ୍ତେ ଖଣ୍ଡେ ସେ ବିକ୍ରି କରିଦେଇ ନିଜର ୟାତାୟାତ ପାଇଁ ଖଣ୍ଡିଏ ଗାଡ଼ି ରଖିଚି । ନିଜେ ଡ୍ରାଇଭ କରି ସେ ଗାଡ଼ି ଚଳାଏ । ବୁଲିବା ତା’ର ହବି । ଆଜି ଭୁବନେଶ୍ୱର, କାଲି ପୁରୀ, ପଅରଦିନ କୋଣାର୍କ କିମ୍ବା ବ୍ରହ୍ମପୁର । ପୋଷାକ–ପତ୍ର ପିନ୍ଧିବାରେ ତା’ ଭଳି ଆଧୁନିକା ସ୍ତ୍ରୀ କଟକ ସହରରେ ଆଉ ମିଳିବେ କି ନା ସନ୍ଦେହ । ଛନ୍ଦାର ଗୋଟାଏ ଗୋଟାଏ ବ୍ଲାଉଜ୍‌ ଦାମ୍‌ ପଚିଶଟଙ୍କା ତିରିଶଟଙ୍କା । ଶାଢ଼ୀ କଥା ତ ଛାଡ଼ । ହଜାରେ ଟଙ୍କିଆ ଶାଢ଼ୀ ବି ସେ ପିନ୍ଧେ

 

ଛନ୍ଦାର ଘରଭିତରୁ ଅନବରତ ବାହାରି ଆସୁଚି ରେଡ଼ିଓର ସ୍ୱରଝଙ୍କାର । ସୁବ୍ରତ ଯାଉଁ ଯାଉଁ ଥମିଗଲା । ପିଣ୍ଡାରେ ବାଘ ଭଳି ବସିଚି ଆଲ୍‌ସିସିଆନ–ତା’ର ମନ୍ଦ୍ର ଗମ୍ଭୀର ଗର୍ଜନରେ ବଙ୍ଗାଳୀ ସାହି ତମାମ୍‌ ଥରିଉଠିଲା ।

 

ଜଣେ ଚାକର ବାହାରି ଆସି ସୁବ୍ରତକୁ ତା’ର ପରିଚୟ ପଚାରିଲା । ସୁବ୍ରତ କହିଲା–

 

‘‘ମୋ ନାଁ ସୁବ୍ରତ ଦାଶ, ଛନ୍ଦା ଦେବୀଙ୍କ ସହିତ ଜରୁରୀ କଥାବାର୍ତ୍ତା ଅଛି ।’’

 

ବାହାର ଘରେ ପଡ଼ିଥିଲା । ଦୁଇ ତିନିଟି ଚେୟାର୍‌ । ସୁବ୍ରତକୁ ସେଇଠି ବସେଇ ଦେଇ ଚାକର ଭିତରକୁ ଗଲା ଅନୁମତି ପାଇଁ ।

 

କାନ୍ଥରେ ଶଙ୍ଖ ମଲ୍‌ମଲ୍‌ ପଥରର ଫୁଲ । ଜୀବନ୍ତ ଗୋଲାପ ଭଳି ମନେହେଉଚି । ସୁବ୍ରତ ବସି ଭାବୁଥିଲା ବାଦଶାହ ଯୁଗର ଇତିହାସ କଥା । ବାସ୍ତବିକ୍‌ ଏକ ଅଟ୍ଟାଳିକାର ବିଭବ ଦେଖିଲେ ଯେ କେହି ଲୋକ ଚକିତ ହେବ । ସୁବ୍ରତ ଯେଉଁ ଚେୟାରରେ ବସିଥିଲା, ତା’ ପାଖକୁ ଲାଗି ପଡ଼ିଥିଲା ଶିଶୁକାଠର ଗୋଟାଏ ଟେବୁଲ୍‌ । ଟେବୁଲ୍‌ ଉପରେ ଫଟୋ ଆଲବମ୍‌ଟିଏ ବୋଧହୁଏ ଛନ୍ଦାର । ସୁବ୍ରତ ସେଇ ଆଲବମ୍‌ଟିକୁ ଉଠେଇ ଆଣି ଦେଖିଲା–ଆରେ, ଏ କ’ଣ ? ଆଲବମ୍‌ରେ ପ୍ରଥମ ଫଟୋଟି ହେଉଛି ଡାକ୍ତର କମଳଙ୍କର ଫଟୋ । କିଛି ବୁଝିପାରିଲା ନାହିଁ ସେ-। ପତ୍ର ଲେଉଟାଇ ପୁଣି ସେ ଦେଖିଲା, ଆଉ ଗୋଟିଏ ଫଟୋରେ ଡାକ୍ତର କମଳ ଓ ଜଣେ ସ୍ତ୍ରୀ ଛିଡ଼ା ହେଇଛନ୍ତି । ଦୁଇଜଣଙ୍କ ଗଳାରେ ରହିଛି ଫୁଲମାଳ ।

 

ମନେ ପଡ଼ିଲା ତା’ର, ଯୋଉଦିନ ସେ ଘରୁ କଟକ ଯିବାପାଇଁ ଷ୍ଟେସନ୍‌ ଆସୁଥଲା, ବାଟରେ ଦେଖିଥିଲା ଡାକ୍ତର କମଳଙ୍କ ଚିତା । ଚିନ୍ମୟ କହୁଥିଲା–ଛନ୍ଦା ଯୋଗୁ ଡାକ୍ତର କମଳ ଆତ୍ମହତ୍ୟା କରିଛନ୍ତି । ଏ ତେବେ କ’ଣ ସେଇ ଛନ୍ଦା ?

 

ଚାକର ଆସି ଡାକିଲା–‘‘ଆସନ୍ତୁ ।’’

 

ମୁଣ୍ଡରୁ ତା’ର ସ୍ରବି ଅସୁଛି ଝାଳ–ଧୀରେ ଧୀରେ ସେ ଚାକରର ଅନୁଗମନ କରି ଦୋତାଲା ଉପରକୁ ଉଠିଗଲା । ଆଗରେ ସବୁଜ ପ୍ରକୋଷ୍ଠ । ଆଧୁନିକ ଆସ ବାବରେ ଭରପୁର । ସ୍କ୍ରିନ୍‌ଟେକି ସୁବ୍ରତ ଭିତରକୁ ଗଲା । ଗୋଟାଏ ସୋଫା ଉପରେ ବସିଚି ଛନ୍ଦା । ଆଲବମ୍‌ର ଫଟୋ ସହିତ ମିଶି ଯାଉଛି ତା’ ଛବି । ଆଖିରେ ସେଇ ଚାହାଁଣୀ । ସୁବ୍ରତର ମନେହେଲା, ସେ ଯେମିତି ସେଇ ଆଖି ସାମନାରେ ଜଳିପୋଡ଼ି ଯିବ ।

 

‘‘ନମସ୍କାର ସୁବ୍ରତବାବୁ, କୋଉ କାମରେ ଏତେ ରାତିରେ ଆସିଲେ ?’’

 

“ଗୋଟାଏ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ କାମରେ ଆସିଛି ।’’

 

‘‘ତା’ ତ ଜାଣୁଚି, ତା’ ନ ହେଲେ ଏତେ ରାତିରେ ଜଣେ ଭଦ୍ରମହିଳାଙ୍କ ଘରକୁ ଆସନ୍ତେ କାହିଁକି ?’’

 

‘‘ଆପଣ ବୋଧହୁଏ ଜାଣନ୍ତି ନି–ମୁଁ ହେଉଚି ଅନଙ୍ଗର ବନ୍ଧୁ ।’’

 

‘‘ନା, ଜାଣି ନ ଥିଲି । ବର୍ତ୍ତମାନ ଜାଣି ଖୁସି ହଉଚି । ହଁ–କ’ଣ ପାଇଁ ଆସିଛନ୍ତି ଶୁଣେ-?’’

 

‘‘ସମସ୍ତେ ଅପେକ୍ଷା କରି ବସିଛନ୍ତି, ଆପଣଙ୍କୁ ବର୍ତ୍ତମାନ ମୋ ସାଙ୍ଗରେ ଯିବାକୁ ହବ ।”

 

‘‘ବାଃ, ଚମତ୍କାର । ଆପଣଙ୍କ ସହିତ ଜଣା ନାହିଁ, ଶୁଣା ନାହିଁ, ଏତେ ରାତିରେ ଆପଣଙ୍କ ସାଂଗରେ ଚାଲିଯିବି ? ପୁଣି ଏକା ଏକା ? ବୁଦ୍ଧି ତ କମ୍‌ ନୁହେଁ ଆପଣଙ୍କର ।’’

 

‘‘ନା–ନା, ଭୁଲ୍‌ ବୁଝିବେନି ମତେ । ଆପଣଙ୍କର ତ କାର୍‌ ଅଛି–ଏକା ଏକା ଯାଆନ୍ତୁ । ମୁଁ ଯିବାପାଇଁ ମୋର ରିକ୍‌ସା ଅଛି ।’’

 

‘‘କ୍ଷମା କରନ୍ତୁ ସୁବ୍ରତବାବୁ, ମୁଁ ଯାଇ ପାରିବିନି ।’’

 

‘‘କାହିଁକି ?’’

 

‘‘କାହିଁକି ଯିବି କୁହନ୍ତି । ଯୋଉପାଇଁ ଅନଙ୍ଗବାବୁ ଡିନର୍‌ ଦଉଛନ୍ତି ତା’ ତ ସଂଭବ ହୋଇପାରୁ ନାହିଁ । ତେଣୁ ମୋର ଯିବାର ଯଥାର୍ଥତା କେଉଁଠି ?’’

 

“ସେଇ କଥାଇ ମୁଁ ପଚାରିବାକୁ ଆସିଚି । କହନ୍ତୁ, କ’ଣ ପାଇଁ ଆପଣ ଅନଙ୍ଗକୁ ବାହା ହବାକୁ ଅମଂଗ ?’’

 

‘‘ଅନଙ୍ଗବାବୁ ପଢ଼ାଛାଡ଼ି ଚାଲି ଯାଉଛନ୍ତି । ସେ ଅଣ୍ଡର ଗ୍ରାଜୁଏଟ୍‌ । ମୁଁ ତାଙ୍କୁ ବାହାହେଲେ ବନ୍ଧୁ ମହଲରେ ଆଉ ମୁହଁ ଦେଖେଇ ପାରିବି ?’’

 

‘‘ଛନ୍ଦା ଦେବୀ, ମୁଁ ମାନୁଚି ଆପଣ ଗ୍ରାଜୁଏଟ୍‌ । କିନ୍ତୁ ଖାଲି ଏଇ ଡିଗ୍ରୀ କ’ଣ ମଣିଷର ମଣିଷତ୍ୱର ମାନଦଣ୍ଡ ? ଅନଙ୍ଗ ଆପଣଙ୍କୁ ନିବିଡ଼ ଭାବରେ ପ୍ରେମ କରେ.... ।”

 

‘‘ପ୍ରେମ ? କ’ଣ ଅବାନ୍ତର ବକୁଛନ୍ତି ଆପଣ ? ଭୁଲି ଯାଉଛନ୍ତି ରାତି ଦଶଟାରେ ଜଣେ କୁମାରୀ ଝିଅ ସହିତ ଆପଣ କଥାବାର୍ତ୍ତା କରୁଛନ୍ତି ?’’

 

‘‘କୁମାରୀ ଝିଅ ? କିଏ ।’’

 

‘‘କୁମାରି ଛନ୍ଦା–ନିଜେ ଆପଣଙ୍କ ସାମନାରେ ।’’

 

ହସ ସମ୍ଭାଳି ପାରିଲାନି ସୁବ୍ରତ । ମୁହଁରେ ତା’ର ଫୁଟି ଉଠିଲା ତୀକ୍ଷ୍‌ଣ ହସ । ସେ ହସର ଧାର ଧାରୁଆ ଛୁରୀଠୁଁ ବି ଆଉରି ତୀକ୍ଷ୍‌ଣ । ପାଟି କରି ଉଠିଲା ଛନ୍ଦା–

 

‘‘ଆପଣ କ’ଣ ମାତାଲ ?’’

 

‘‘ମୁଁ ମାତାଲ ନୁହେଁ ଛନ୍ଦା ଦେବୀ, ଥରେ ଭାବି ଦେଖନ୍ତୁ କିଏ ମାତାଲ ? ଆପଣ ସାରା ଜଗତ ଆଖିରେ ଧୂଳି ଦେଇପାରନ୍ତି–କିନ୍ତୁ ସୁବ୍ରତ ଦାଶକୁ ଠକି ପାରିବେନି । ଧନ–ଯୌବନର ଗର୍ବରେ ଆପଣ ଯାହାକୁ ଆଜି ପ୍ରତ୍ୟାଖ୍ୟାନ କରୁଛନ୍ତି, କାଲି ତାହାରି ପାଇଁ ମୁଣ୍ଡ ଫଟେଇଦେଲେ ବି ସେ ଆପଣଙ୍କୁ ମିଳିବ ନାହିଁ । ଆପଣଙ୍କୁ ସବୁ ଅପେକ୍ଷା କରିବ, କିନ୍ତୁ ବୟସ ଅପେକ୍ଷା କରିବ ନାହିଁ ।”

 

‘‘କୁମାରୀ ଛନ୍ଦାପାଇଁ ବହୁ ବିଲତାଫେରନ୍ତା ଯୁବକ ପ୍ରାର୍ଥୀ ହେବେ ।’’

 

ଆଉରି ଉତ୍ତେଜିତ ହେଇଉଠିଲା ସୁବ୍ରତ–

 

“ଚୁପ୍‌ କରନ୍ତୁ ଛନ୍ଦା ଦେବୀ ! ନିଜକୁ କୁମାରୀ ଆଖ୍ୟା ଦେଇ ପୁଣି ଥରେ ମୋତେ ଭୁଲେଇବାକୁ ଚେଷ୍ଟା କରନ୍ତୁ ନାହିଁ । ସତ କହନ୍ତୁ–ଡାକ୍ତର କମଳକୁ ଆପଣ ବିବାହ କରି ନ ଥିଲେ-?

 

ଦପ୍‌ କରି ଛନ୍ଦାର ତେଜ କମିଆସିଲା । ଆହତ ସର୍ପିଣୀ ପରି ସେ ଇତସ୍ତତଃ ହୋଇ କହିଲା–“ଡାକ୍ତର କମଳ ? କିଏ ସେ । ମୁଁ ତାଙ୍କୁ ଜାଣେନା ।’’

 

‘‘ଆପଣ ତାଙ୍କୁ ନ ଜାଣି ପାରନ୍ତି–କିନ୍ତୁ ଆପଣଙ୍କର ଏ ଘର ତାଙ୍କୁ ଜାଣିଚି । କହନ୍ତୁ, ମତେ ଆପଣଙ୍କର ଜଣେ ଶୁଭାକାଂକ୍ଷୀ ଧରି ନେଇ ସତ କଥା କହନ୍ତୁ–ଆପଣ ଡାକ୍ତର କମଳଙ୍କର ବିଧବା ସ୍ତ୍ରୀ ନୁହନ୍ତି ?’’

 

“ନା–ଆପଣ ଚାଲିଯାଅନ୍ତୁ । ଶୀଘ୍ର ଚାଲିଯାଆନ୍ତୁ । ନୋହିଲେ ପୋଲିସ୍‌କୁ ରିଂଗ୍‌ କରିବି-।’’

 

‘‘ଆହା, ଏତେ ବାଟକୁ ଯାଉଛନ୍ତି କାହିଁକି ? ମୁଁ ନିଜେଇ ଚାଲିଯାଉଚି । କିନ୍ତୁ ମନେ ରଖନ୍ତୁ ଛନ୍ଦା ଦେବୀ, ଏ ଜୀବନଟା ଖାଲି ଖିଆଲ୍‌ ନୁହେଁ । ବର୍ତ୍ତମାନ ଆପଣ ବାହା ହେଉ ନାହାନ୍ତି; କିନ୍ତୁ ଦିନ ଆସିବ ଯେତେବେଳେ ଆପଣ ଚାହିଁବେ ବାହା ହେବାକୁ ସେତେବେଳେ ଲୋକ ମିଳିବେ ନାହିଁ । ଖାଲି ହାୟ–ହାୟ ହିଁ ସାର ହେବ । ଆଉ ଥରେ ଭାବନ୍ତୁ, ଅନଙ୍ଗ ଆପଣଙ୍କୁ କେତେ ଭଲ ପାଏ–ନିଜର କରିବା ପାଇଁ କେତେ ତା’ର ଆକାଂକ୍ଷା । ଆପଣ ନାରୀ ହେଇ କ’ଣ କିଛି ବୁଝି ପାରୁ ନାହାନ୍ତି ? ଡାକ୍ତର କମଳଙ୍କର ଆପଣ ସର୍ବନାଶ କରିଛନ୍ତି–ନିଜେଇ ଜଳି ପୋଡ଼ି ମରିବେ । କଥାଟା ଚାରିଆଡେ ପ୍ରଘଟ ହେବା ଆଗରୁ ଅନଙ୍ଗକୁ ବାହା ହେଇ ପଡ଼ନ୍ତୁ । ମୁଁ କଥା ଦଉଚି, ଆପଣଙ୍କ ଅତୀତ–ଇତିବୃତ୍ତି କାହାରି ପାଖରେ ଖୋଲିବି ନାହିଁ ।’’

 

“ମିଛ–ମିଛ, ଆପଣ ମିଛର ଆଶ୍ରୟ ନେଇ ଜଣେ କୁମାରୀ ଝିଅର ସର୍ବନାଶ କରିବାକୁ ଯାଉଛନ୍ତି !’’

 

‘‘ଆପଣଙ୍କ ଦାଣ୍ଡଘରେ ଟେବୁଲ୍‌ ଉପରେ ଯୋଉ ଆଲବମ୍‌ଟି ପଡ଼ିଚି, ସେଥିରେ ଯୋଉ ଡାକ୍ତର କମଳଙ୍କ ଫଟୋ ଅଛି, ସେଇ ଡାକ୍ତର କମଳ ଆପଣଙ୍କ ସ୍ଵାମୀ ନ ଥିଲେ ?’’

 

“ନା–ନା–ନା । କୌଣସି ଡାକ୍ତର କମଳ ମୋର ସ୍ୱାମୀ ନ ଥିଲେ । ମୁଁ କୁମାରୀ, ଶହେଥର ହଜାରଥର କହିବି, ମୁଁ କୁମାରୀ । ଆପଣ ଏଇ ମୁହୂର୍ତ୍ତରେ ଚାଲିଯାଅନ୍ତି । ମୁଁ ଯୋଉ ନିଷ୍ପତ୍ତି କରିଚି–ତାହା ହିଁ ମୋର ଶେଷ ନିଷ୍ପତ୍ତି । ଆପଣଙ୍କ ବନ୍ଧୁ ଅନଙ୍ଗକୁ ତା’ ଜଣାଇଦେବ । ଯାଅନ୍ତୁ.... ।’’ ସୁବ୍ରତ ଚାଲି ଆସିଲା । କି ସାଙ୍ଘାତିକ ପରିସ୍ଥିତି ! ବରଂ ଭଲ ହେଇଚି । ଅନଙ୍ଗ ଛନ୍ଦାକୁ ବାହାହେଲେ ତା’ର ସର୍ବନାଶ ହବ ।

 

ଛନ୍ଦାପାଇଁ ଆଉ ଅପେକ୍ଷା ନ କରି ଅନଙ୍ଗ ତା’ର ବନ୍ଧୁମାନଙ୍କୁ ଖାଇବାକୁ ଦେଇ ବିଦାୟ କରିଦେଇଚି । ଛନ୍ଦାର ଏ ପରିବର୍ତ୍ତନରେ ସେ ଅତ୍ୟନ୍ତ ମ୍ରିୟମାଣ । ଥରେ ଯେ ଜୀବନରେ ପ୍ରେମ କରିଛି, ତା’ର କାମନା ପୂର୍ଣ୍ଣ ନ ହବା ପର୍ଯ୍ୟନ୍ତ ଚିର ଅଶାନ୍ତିରେ ହିଁ ସମୟଗୁଡ଼ିକ ତା’ର କଟେ । ସୁବ୍ରତ ଫେରିଆସିଲା । ଅନଙ୍ଗ ଉତ୍କଣ୍ଠିତ ହେଇ ପଚାରିଲା–

 

“କ’ଣ ଆସିଲା ନି ?’’

 

‘‘ଅନଙ୍ଗ’’, ଗଂଭୀର ହେଇ କହିଲା ସୁବ୍ରତ–‘ଯୋଉ ଛନ୍ଦାକୁ ତୁ ପ୍ରେମ କରୁଚୁ ,ତା’ର ଅତୀତ କଥା ତିଳେ ହେଲେ କିଛି ଜାଣୁ ?’’

 

“ଜାଣିବାରେ ଲାଭ ନ ଥିଲା ଭାଇ ! ପ୍ରତ୍ୟେକ ଶିକ୍ଷିତା କୁମାରୀ ଜୀବନରେ ଯାହା ହେଇଥାଏ, ତା’ର ବି ସେଇଆ ହୋଇଥିବ ।’’

 

‘‘କିନ୍ତୁ ଛନ୍ଦା ଯେ କୁମାରୀ ନୁହେଁ ।’’

 

‘‘ଆଉ ?’’ ଚମକି ପଡ଼ିଲା ଅନଙ୍ଗ ।

 

‘‘ସେ ବିଧବା, ଖାଲି ସେତିକି ନୁହଁ–ତା’ର ପ୍ରଥମ ସ୍ୱାମୀକୁ ସେ ହତ୍ୟା କରିଚି ।’’

 

ଅନଙ୍ଗ ସୁବ୍ରତର କଥା କିଛି ବୁଝି ପାରୁ ନ ଥିଲା । ସୁବ୍ରତ ସମସ୍ତ କଥା ତାକୁ କହିଲା । ସବୁ ଶୁଣି ସାରି ଅନଙ୍ଗ ଦୀର୍ଘ ନିଶ୍ଵାସ ପକେଇ କହିଲା–

 

‘‘ସାକ୍ଷାତ୍‌ ସର୍ପିଣୀ ।’’

 

ସୁବ୍ରତ ତା’ କଥାକୁ ମୁଣ୍ଡ ହଲେଇ ଅନୁମୋଦନ କଲା । ହଠାତ୍‌ ଏତେବଡ଼ ସକ୍‌ ପାଇ ବିବ୍ରତ ହୋଇଉଠିଥିଲା ଅନଙ୍ଗର ମଥା । ସୁବ୍ରତକୁ ସେଦିନ ରାତିରେ ରହିଯିବା ପାଇଁ ସେ ଅନୁରୋଧ କଲା । କିନ୍ତୁ ସୁବ୍ରତ ତା’ ବାପାଙ୍କ ଅନୁମତି ନ ନେଇ ଆସିଥିବାରୁ ଏଥିରେ ରାଜି ହେଇପାରିଲା ନାହିଁ । ଓଲଟି ଅନଙ୍ଗକୁ ତା’ ଘରକୁ ଯିବା ପାଇଁ ଡାକିଲା । ଭଂଗା ଛାତି ନେଇ ଅନଙ୍ଗ ସୁବ୍ରତ ସଂଗରେ ଗୋଟିଏ ରାତି କଟେଇବା ପାଇଁ ତା’ ଘରକୁ ଆସିଲା ।

 

ପୃଥିବୀର ଛାତି ବ୍ୟଥାର ସଂଗୀତରେ ଶବ୍ଦାୟିତ ହୋଇ ଉଠୁଥିଲା ସେତେବେଳକୁ ।

 

–ଚାରି–

 

ମମତା ଚାକିରି କରିବାର ମାସେ ହେଇଗଲା । ନବକେତନ ବାବୁଙ୍କ ଘରୁ ଯାଇ ସେ କଟକଚଣ୍ଡୀ ପାଖରେ ଗୋଟିଏ ଛୋଟିଆ ବସା ଭଡ଼ା ନେଇ ରହିଚି । ଚାକିରି ଜୀବନ ତା’ ପାଖରେ ସଂପୂର୍ଣ୍ଣ ନୂଆ । ଖାପଛଡ଼ା ଲାଗୁଛି । ଜୀବନବାବୁଙ୍କ ସ୍ମୃତି ସେ ଚେଷ୍ଟା କରୁଚି ପୋଛିଦେବାକୁ ମନରୁ । ପୋଡ଼ିଗଲା ତିଅଣରେ ଆଉ କି ସୁଆଦ ଥାଏ ।

 

ସାଢ଼େ ଚାରିଟାବେଳେ ସ୍କୁଲରୁ ଫେରି ସେ ଅନେକ ଦିନ କଟକଚଣ୍ଡୀ ମନ୍ଦିରକୁ ଯାଏ । ଦେଖେ–ବହୁ ତରୁଣ-ତରୁଣୀ ହାତରେ ହାତ ଧରି ଦେବୀ ପାଖରେ ଭକ୍ତି ନିବେଦନ କରନ୍ତି–କେତେ ଯୁବକ ପ୍ରିୟତମା ଯୁବତୀର ସୀମନ୍ତରେ ଦେବୀ ସିନ୍ଦୁର ଲଗେଇଦେଇ ସାରା ଜୀବନ ପାଇଁ ଶପଥ ଗ୍ରହଣ କରନ୍ତି । ହିନ୍ଦୁ ବିବାହ ଅବିଚ୍ଛେଦ୍ୟ । ଯେତେ ଆଇନ ହେଲେ ବି ଏଇ ସଂସ୍କୃତି, ଏଇ ବିଶ୍ଵାସ ଲୋପ ହବାକୁ ଆହୁରି ସମୟ ଲାଗିବ ।

 

ବିଭା ହେଇ ଆମ ଦେଶର ବହୁ ତରୁଣ ତରୁଣୀ ଶାନ୍ତିହୀନ ଜୀବନ ଯାପନ କରନ୍ତି । କିନ୍ତୁ ଛାଡ଼ପତ୍ର ପାଇଁ ଆଗଭର ହୁଅନ୍ତି ନାହିଁ । ଛାଡ଼ପତ୍ର ଆଇନ ପ୍ରଚଳନ ହେବା ପରେ ବି ସେଇ ଅବସ୍ଥା ରହିଚି ।

 

ମମତାର କିନ୍ତୁ କିଛି ଚିନ୍ତା ନାହିଁ । ଶିରୋନାସ୍ତି ଶିରୋପୀଡ଼ା । ବିବାହ ଆଉ ପ୍ରେମ–ଏ ଦୁଇଟି ତା’ ନିକଟରେ ଏକ ଜ୍ୱାଳାକର ଅନୁଭୂତି–ଯାହା ସେ ଚାହେଁନା ।

 

ଖୁବ୍‌ ସରଳ ଭାବରେ ଦିନଗୁଡ଼ିକ ତା’ର କଟିଯାଉଛି । ବସାରେ ବାର ତେରବର୍ଷର ପିଲାଟିଏ ରଖିଚି–ଡାକହାକ ଶୁଣିବା ପାଇଁ । ଖାଇବାରେ ଆଡ଼ମ୍ବର ନାହିଁ–ପୋଷାକପତ୍ର ଖୁବ୍‌ ସାଧାସିଧା । ଏମିତି ନିରାଡ଼ମ୍ବର ଜୀବନ ପାଇଁ ସେ ଯେମିତି କୌଣସି ଏକ ବ୍ରତ ଗ୍ରହଣ କରିଚି । ତା’ର ଏଇ ଅନାସକ୍ତ ଭାବ ଦେଖି ସହକର୍ମୀମାନେ ବେଳେବେଳେ ତାକୁ ଥଟ୍ଟା କରନ୍ତି । ସେ କାହାରିକୁ କିଛି କହେନା । ହସି ଦେଇ ସବୁ କଥାର ଶେଷ କରିଦିଏ । ବନ୍ଧୁମାନେ ଆଉ ଆଗେଇବାକୁ ସୁବିଧା ପାଆନ୍ତି ନାହିଁ । ସ୍କୁଲର ଛାତ୍ରୀମାନେ ତା’କୁ ଖୁବ୍‌ ଭଲ ପାଅନ୍ତି । ତା’ର ଅମାୟିକ ବ୍ୟବହାରରେ କିଏ ସନ୍ତୁଷ୍ଟ ନ ହେବ ? ମୃତ୍ୟୁମୁଖରୁ ଯେ ଫେରିଆସି ନୂଆ ଜୀବନ ଆରମ୍ଭ କରୁଚି, ସେତ ଆଉ କର୍କଶ ହୋଇ–ପାରେନା । ମମତା ଆଦର୍ଶ ଶିକ୍ଷୟତ୍ରୀ ।

 

ସୁବ୍ରତ ଖୁବ୍‌ ଖୁସି ହେଇଚି । ସେଦିନ ରାତିରେ ଠିକ୍‌ ସମୟରେ ସେ ଯଦି ଆସି ନ ପହଞ୍ଚିଥାନ୍ତା–ମମତା ଆତ୍ମହତ୍ୟା କରିଥା’ନ୍ତା । ଜୀବନର ମୂଲ୍ୟ ଖୁବ୍‌ ବେଶୀ । ବହୁ ଦିଗରେ ଜୀବନ ପ୍ରକାଶିତ ହୁଏ । ପ୍ରେମରେ ଯେ ହାରିଯାଇଚି, ସେ ଆଜି ଆଦର୍ଶ ଶିକ୍ଷୟିତ୍ରୀ । ପ୍ରତ୍ୟେକ ଛାତ୍ରୀ–ଅଭିଭାବକ, ସବୁରି ମୁହରେ ତା’ର ପ୍ରଶଂସା ।

 

ପରୀକ୍ଷା ଶେଷ ପରେ ସେଦିନ ସଂଧ୍ୟା ପାଞ୍ଚଟା ବେଳେ ସୁବ୍ରତ ଆଉ ରେଣୁ ଯାଇଥିଲେ ମମତା ଘରକୁ । ଭାଇ ଭଉଣୀଙ୍କୁ ଦେଖି ଛାତି ତା’ର ଆନନ୍ଦରେ ଫୁଲି ଉଠିଲା । ବାସ୍ତବିକ୍‌ ସୁବ୍ରତ ପାଖରେ କୃତଜ୍ଞତା ଜଣାଇବାକୁ ତା’ର ଭାଷା ନାହିଁ । ସୁବ୍ରତର ଦାନରେ ପୁଣି ସେ ଜୀଇଁ ଉଠିଚି । ସମାଧିତଳର ଅନ୍ଧାରୁଆ ଅପନ୍ତରା ଜାଗାରୁ ସେ ପୁଣି ଜୀବନ୍ୟାସ ପାଇଛି । ଆଜି ହୁଏତ ତାର ଆଉ ମରିବାର ପ୍ରୟୋଜନ ନାହିଁ–ଅବକାଶ ନାହିଁ । ଏତେବଡ଼ ବିରାଟ ଦୁନିଆରେ ବହୁ ମୁଖରେ ଛୁଟିଛି କର୍ମର ସ୍ରୋତ । ଯେଉଁ ବାଟରେ ଯେ ଯାଇପାରେ । ମରିବା ତ ଭୀରୁତ୍ୱ–ପଳାୟନବାଦର ନିଦର୍ଶନ । ମମତା ଆଜି ବୁଝି ପାରିଚି–ଦେଖିପାରିଚି–କେଡ଼େ ବିରାଟ ଏଇ ଦୁନିଆଁ । ଆତ୍ମହତ୍ୟାର ସ୍ଥାନ ଏଠି କାହିଁ ? ଯେ ପାଗଳ ହେଇଯାଏ, ସେ ଆତ୍ମହତ୍ୟା କରେ । ନୋହିଲେ ଏଡ଼େ ସୁନ୍ଦର ସୃଷ୍ଟିକୁ ଛାଡ଼ି କିଏ କାହିଁକି ଆତ୍ମହତ୍ୟା କରନ୍ତା ? ସେ ଯୋଉଦିନ ମରିବାକୁ ଯାଉଥିଲା ସେଦିନ ସେ ଥିଲା ନିର୍ବୋଧ–ଦୁର୍ବଳ । ଧୀରେ ଧୀରେ ସେ ଉପଲବ୍‌ଧି କରୁଚି–ଜଣକର ବିଶ୍ଵାସଘାତକତା ଯୋଗୁ ଆଉ ଜଣେ ମରିବ କାହିଁକି ? ଜୀବନର ଲକ୍ଷ୍ୟ ତ ଖାଲି କାମବିକାର ନୁହେଁ କିଂବା ଧନ ଦୌଲତର ପ୍ରାଚୁର୍ଯ୍ୟ ଭିତରେ ବୁଡ଼ି ରହି ସ୍ୱପ୍ନିଳ ଜୀବନର ସ୍ୱାଗତ ସଂଗୀତ ଗାନ କରିବା ନୁହେଁ । ଯେଉଁ ଭିକାରୀ ସକାଳ ଠୁଁ ସଂଧ୍ୟା ଯାଏ ବାରଦ୍ୱାରରେ ହାତପାତି ତା’ ସ୍ତ୍ରୀ ମୁହଁରେ ତଣ୍ଡୁଳ ମୁଠେ ଦେଉଚି, ତା’ର ବି ତ ଅଛି ଜୀବନ । ସେଇ ବ୍ୟର୍ଥତା ଆଉ ଅଭାବ ଭିତରେ ତ ସେ ଖୋଜି ପାଉଚି ଶାନ୍ତି । ଜୀବନ ପାଇଁ ଲୋଡ଼ା ନୁହେଁ ଧନ–ଦୌଲତର ହିମାଳୟ । ସେଥିପାଇଁ ଲୋଡ଼ା–ମନର ବିନ୍ଧ୍ୟ ପର୍ବତ । ମନ ଦମ୍ଭ କଲେ ଗୋବର ଗାଡ଼ିଆ ମଧ୍ୟ ଗଂଗା ହୁଏ ।

 

ମମତା ନିକଟରେ ଜୀବନର ଦର୍ଶନ ବଦଳି ଯାଇଚି । ଆତ୍ମସନ୍ତୋଷରେ ଜୀବନ ମଧୁମୟ ହୁଏ । ଦୁଶ୍ଚିନ୍ତା ମଣିଷକୁ ଜାଳିଦିଏ । ତେଣୁ ସେ ଆଉ ଅତୀତକୁ ଚିନ୍ତା କରୁ ନାହିଁ । ଭବିଷ୍ୟତ ଅନିଶ୍ଚିତ । ତା’ ବିଷୟରେ ଭାବିବାର ପ୍ରୟୋଜନ ନାହିଁ ।

 

ସୁବ୍ରତକୁ ତା’ ଶୋଇବା ଘର ଖଟ ଉପରେ ବସେଇ ଦେଇ ଜଳଖିଆର ଯୋଗାଡ଼ କରିବାକୁ ଲାଗିପଡ଼ିଲା ମମତା ।

 

ରେଣୁ କହିଲା–

 

‘‘ଅପା, ଭାଇ ବାହାରିବା ବେଳେ କହିଥିଲେ, ତମେ ଜଳଖିଆ ଦେଲେ ସେ ଖାଇବେ ନାହିଁ । ବୁଲିବାକୁ ଆସିବା ମାନେ ତ ଜଳଖିଆ ଖାଇବା ନୁହେଁ !’’

 

ରେଣୁର ଏଇ କଥାରେ ତା’ର ଆଖି ଛଳ ଛଳ ହୋଇଆସିଲା । ସୁବ୍ରତ ଭାଇ କ’ଣ ତା’ ଉପରେ ରାଗିଛନ୍ତି ?

 

ସେ ଧାଇଁ ଆସିଲା ସୁବ୍ରତ ପାଖକୁ । ସୁବ୍ରତ ସେତେବେଳେ ଏକୁଟିଆ ବସି ଖଣ୍ଡେ ମାସିକ ପତ୍ରିକାର ପୃଷ୍ଠା ଓଲଟାଉଛି । ସେ କହିଲା–

 

“ଭାଇ, ତମେ କ’ଣ ଏଠି ଖାଇବନି ବୋଲି ପ୍ରତିଜ୍ଞା କରିଚ ?’’

 

“ପ୍ରତିଜ୍ଞା କରିଚି ? କିଏ ତତେ କହିଲା ଏକଥା ? ଶୁଣ୍‍–ଆମେ ଆସିଲୁ ତୋ ଘରକୁ ବୁଲିବାକୁ–ତୁ ଆମ ପାଖରେ ବସି କଥାବାର୍ତ୍ତା କରିବୁ ନା ରୋଷେଇ ଘରେ ପଶି ଆମ ପାଇଁ ଖାଇବା ତିଆରି କରିବୁ ?’’

 

“ଦଶ ମିନିଟ୍‌ରେ ମୁଁ ତିଆରି କରିଦେବି ।’’

 

“ନା–ନା, ତତେ ଆଉ କଷ୍ଟ ଦବାକୁ ମୋର ଇଚ୍ଛା ନାହିଁ । ଖାଲି ଟିକିଏ ଚା’ ତିଆରି କରି ଆଣ । ମୁଁ ଆଉ କିଛି ଖାଇବି ନି ।’’

 

“ମା ଶୁଣିଲେ କ’ଣ କହିବେ ?’’

 

‘‘କିଛି କହିବେ ନାହିଁ କି ଶୁଣିବେ ନାହିଁ । ତୁ ଆମ ଖାଇବା ପାଇଁ ଏତେ ବ୍ୟସ୍ତ ହ’ ନା ।’’

 

ମମତା ଚାଲିଗଲା ଚା’ ଆଣିବାକୁ । ସୁବ୍ରତ ସେଇମିତି ଏକୁଟିଆ ବସି ରହିଲା । ଏଥର ବି: ଏ ପରୀକ୍ଷାରେ ସେ ପାସ୍‌ କରିଯିବ । ତା’ପରେ ବିଭାହବାର ଜୁଲମ । ବାପ–ମା କ’ଣ କିଛି କଥା ବୁଝିବେ ? ସେମାନେ ଯୋଉ ସମୟରେ ବିଭା ହେଇଥିଲେ ଆଜିକାଲି କ’ଣ ସେ ସମସ୍ତ ଅଛି ନା ଯୁବକ–ଯୁବତୀମାନଙ୍କର ସେ ମନର ନିଷ୍ଠା ଅଛି ? ଆଜିକାଲି ଯୁଗର ଜ୍ୱଳନ୍ତ ନମୁନା ତ ଏଇ ଛନ୍ଦା ପରି ସ୍ତ୍ରୀ–ଲୋକମାନେ । କି ଭୟଙ୍କର ସେମାନଙ୍କ ଖିଆଲ ।

 

ହାୟ ବିଚାରକୁ ଅନଙ୍ଗ ! ବଂଚିଗଲା, କିନ୍ତୁ ଛନ୍ଦା ତ ଜ୍ୱଳନ୍ତ ଅଗ୍ନିକୁଣ୍ଡ, ପତଙ୍ଗ ପରି ଯେ ସେଠି ଝାସ ଦେବ, ମୃତ୍ୟୁ ତା’ର ଅନିବାର୍ଯ୍ୟ । ଅନଙ୍ଗ ହୀରାକୁଦରୁ ସୁବ୍ରତ ପାଖକୁ ଚିଠି ଦେଇଛି । ଯୋଉ ମହାପାପ ସେ କରିବାକୁ ଯାଉଥିଲା । ତା’ର ସେ ପ୍ରାୟଶ୍ଚିତ କରିବାକୁ ଚାହେଁ । ଜୀବନରେ ଏ ଭୁଲ ସେ ଆଉ କରିବ ନାହିଁ । ଆହୁରି ସେ ଲେଖିଚି–ତା’ ପାଇଁ ଗୋଟିଏ ଭଲ କନ୍ୟା ଠିକ୍‌ କରିଦେବାକୁ, ଯେ କି ହେଇପାରିବ ଭଲ ଗୃହିଣୀ–ବିଷୟବୁଦ୍ଧି ଥିବ, ପାଠ ଥାଉ ନ ଥାଉ ।

 

ସୁବ୍ରତ ବସି ତାହାରି କଥା ଭାବୁଥିଲା । ମଣିଷଜୀବନରେ ପୁଣି ଏମିତି ପରିବର୍ତ୍ତନ ହୁଏ-। ଅନଙ୍ଗ ଥିଲା ବିଶ୍ୱ–ଉଦ୍ୟାନରେ ସୁନ୍ଦର ପ୍ରଜାପତିଟିଏ । ସମୁଦ୍ର ମନ୍ଥନ ନ କରି ସେ ଚାହୁଁଥିଲା ଅମୃତର ଭାଣ୍ଡ । କିନ୍ତୁ ଆଜି ସେ ନିଜେ ସମୁଦ୍ର ମନ୍ଥନ କରିବାକୁ ଚାହେଁ ।

 

ଗୋଟିଏ ଗୋଟିଏ ଘଟଣାରୁ ମଣିଷ ଜୀବନରେ ପରିବର୍ତ୍ତନ ଆସେ । ଗୋଟିଏ ଗୋଟିଏ ଘଟଣା ମଣିଷକୁ ଦିଏ ପରମ ଶିକ୍ଷା । ଅନଙ୍ଗ ଆଜି ଦେଖିପାରିଚି ଏଇ ଚାଲ୍‌ବାଜି ଦୁନିଆର ଛଦ୍ମବେଶକୁ, କିନ୍ତୁ ସୁବ୍ରତ ।

 

ନିଜେ ମହାର୍ଘ ବହୁଦର୍ଶିତାର ଫଳ ଭୋଗ କରି ନାହିଁ । ତେଣୁ ସେ ସ୍ଥିର, ଅଚଞ୍ଚଳ ।

 

ମମତା ଚା’ ନେଇ ଆସିଲା । ପଛେ ପଛେ ତା’ର ରେଣୁ ।

 

ଚା’ ଖାଉ ଖାଉ ରେଣୁ କହିଲା–

 

“ଭାଇ, ପରୀକ୍ଷା ତମର ସରିଯାଇଛି– ଆଜି ଆମକୁ ସିନେମା ଦେଖେଇ ନେଇ ଚାଲ-।’’

 

ମମତା ନାହିଁ କଲା ଯିବାକୁ । ତା’ ମନରେ ଆଜିକାଲିକାର ସିନେମା ହଉଚି ବିଳାସୀ ମଣିଷଙ୍କ ପାଇଁ । ସେଥିରେ ଶିଖିବାର କିଛି ନ ଥାଏ, ଖାଲି ନାଚ ଗୀତ, ହଇଚଇ । ସମାଜର ଅଧଃପତନ ପାଇଁ କେତେକାଂଶରେ ଆଜିକାଲିକାର ସିନେମା ହିଁ ଦାୟୀ ।

 

ସୁବ୍ରତ କହିଲ–“ଝାନ୍‌ସୀ କି ରାଣୀ” ଛବି ପଡ଼ିଚି–ଖୁବ୍‌ ଭଲ ଛବି । ଚାଲ ସମସ୍ତେ ଯିବା-।”

 

ରେଣୁ ଜିଦ୍‌ ଧରି ବସିଲା–ମମତା ଅପା ନ ଗଲେ ସେ ଯିବ ନାହିଁ । ମମତା ବଡ଼ ମୁସ୍କିଲରେ ପଡ଼ିଲା । ତା’ ପକ୍ଷରେ ସିନେମା ଦେଖିବାର ଅର୍ଥ କିଛି ହୁଏନା । ରେଣୁ କିନ୍ତୁ ବୁଝି ବା ଝିଅ ନୁହେଁ । ମମତାର ନିଷ୍ଠା ତ ତା’ର ନାହିଁ । କୁମାରୀ ଜୀବନର ସବୁଜ ଛନ୍ଦରେ ଅନ୍ତର ତା’ର ଭରପୁର । କୌଣସି ଧକ୍‌କା ସେ ଖାଇ ନାହିଁ । ପବନ ନ ଥିବା ଦେଶର ତାଳ ଗଛ ପରି ସିଧା ଛିଡ଼ା ହୋଇଛି ।

 

ରେଣୁ ସ୍ଵପ୍ନବିଳାସିନୀ ।

 

ବାପ–ମା’ର ସାନ ଝିଅ । ଆଦରରେ ବଢ଼ିଆସିଚି । ସିନେମା ନ ଗଲେ ତା’ ମନ ଭାଂଗିଯିବ । ମମତା ଅଗତ୍ୟା ରାଜି ହେଲା ଯିବା ପାଇଁ ।

 

ରେଣୁ କହିଲା–

 

‘‘ଅପା ! ମତେ ସିନା ପ୍ରଥମେ ଯିବ ନାହିଁ ବୋଲି ମନା କରିପାରିଲ, କିନ୍ତୁ ଶର୍ବରୀ ଅପା ଥିଲେ ତମେ ମନା କରିବାକୁ ସାହସ କରିପାରି ନ ଥାନ୍ତ । ସେ ତ ଜବରଦସ୍ତି ତମ ହାତ ଟାଣି ଘରୁ ବାହାର କରି ନେଇଥା’ନ୍ତା ।’’

 

ଶର୍ବରୀ ବିଷୟରେ ମମତା ବିଶେଷ କିଛି ଖବର ରଖି ନାହିଁ । କେବଳ ଏତିକି ମାତ୍ର ଜାଣେ, ଶର୍ବରୀ ଜଣେ ସବ୍‌–ଡେପୁଟିଙ୍କ ବିବାହ କରି ବର୍ତ୍ତମାନ ପାରଳାଖେମୁଣ୍ଡିରେ ଅଛି ।

 

‘‘ଶର୍ବରୀ ବିବାହିତ ଜୀବନ ଖୁବ୍‌ ସୁଖରେ କଟୁ ନାହିଁ ।’’ ରେଣୁ କହିଲା–

 

“ଶର୍ବରୀ ଅପା କାଲି ଚିଠି ଦେଇଚି । ଭାରି ଦୁଃଖରେ ଅଛି କୁଆଡ଼େ । ତମ କଥା ସେ ଲେଖିଛି ମମତା ଅପା !’’

 

ମମତା ଆଶ୍ଚର୍ଯ୍ୟ ହେଲା,ତା ଖବର ଶର୍ବରୀ କାନରେ ବାଜିଲା କେମିତି ? ରେଣୁ ବୋଧହୁଏ ଲେଖିଥିବ । ରେଣୁକୁ ପଚାରିଲା,ସେ ହଁ କଲା । ମମତା କହିଲା–

 

“ଶର୍ବରୀ ଅପା ଆସିଲେ ମତେ ଏଠୁ ନେଇଯିବୁ ରେଣୁ ! ଏଁ ! ଭୁଲିବୁନି । ତା’ ବୟସ ମୋ ବୟସ ସମାନ ହବ–ଆମେ ଦୁହେଁ ଘଡ଼ିକରେ ମିଳିଯିବୁ ।’’

 

ସୁବ୍ରତ ବାଧା ଦେଇ କହିଲା–

 

‘‘ଆଲେଚନା ବର୍ତ୍ତମାନ ବନ୍ଦ କରି ବାହାରିଆସ, ଯିବା ।’’

 

ରେଣୁକୁ ଉଦ୍ଦେଶ୍ୟ କରି କହିଲା–

 

“ତୋ ପାଖକୁ ସେ ଲେଖିଥିଲା ଦୁଃଖରେ ଅଛି ବୋଲି ? ସେ ଆଉ କ’ଣ ସୁନା ଖୋଳ ଭିତରେ ରହିଥାନ୍ତା ? ସଂସାର ଭିତରେ ଘର କଲେ ସୁବିଧା ଅସୁବିଧା ସମସ୍ତଙ୍କର ଅଛି ।’’

 

‘‘ନାଇଁ ଭାଇ, ତମର ସବୁବେଳ ଏଇ ରକମ ଏକବାରିଆ କଥା । ବାହାଘରଟା ତମେ କରେଇଛି କି ନା ?”

 

ସୁବ୍ରତର ମନରେ ଅଜଣା ଭୟ । କେଉଁଠୁ ସେ ଭୟର ସୃଷ୍ଟି, ତା’ ସେ ନିଜେ କଳନା କରିପାରୁ ନାହିଁ । ଶର୍ବରୀର ସ୍ୱାମୀ ସୁବ୍ରତର ଉପର କ୍ଳାସ୍‌ରେ ପଢ଼ୁଥିଲେ । ଖୁବ୍‌ ଅନ୍ତରଂଗ ବଂଧୁ । ସେ ଶର୍ବରୀକୁ ହୁଏତ ବିବାହ କରି ନ ଥାନ୍ତେ । କିନ୍ତୁ ସୁବ୍ରତର ଅନୁରୋଧ ଏଡ଼ିପାରିଲେ ନାହିଁ । ବନ୍ଧୁତାର ଶକ୍ତ ରଜ୍ଜୁକୁ ଛିଡ଼ାଇ ଦେଇ ଦଉଡ଼ି ପଳାଇବା ସହଜ ନୁହେଁ । ଶର୍ବରୀ ଯଦି ଆଜି ବିବାହିତ ଜୀବନରେ ଶାନ୍ତି ପାଇ ନ ଥାଏ, ତେବେ ସେଥିପାଇଁ ଦାୟୀ ସୁବ୍ରତ ନିଜେ । ସୁବ୍ରତ ହିଁ ଏ ବିଭାଘର କରେଇଛି । ତା ବନ୍ଧୁଙ୍କର ଶର୍ବରୀକୁ ବିଭା ହବାକୁ ଇଚ୍ଛା ନ ଥିଲା ;ଖାଲି ତା’ରି ବାଧ୍ୟରେ ସେ ବିଭା ହେଲେ ।

 

ରେଣୁ ତା’ ହାତବଂଧା ଘଡ଼ିକି ଚାହିଁ ଦେଖିଲା, ଛଅଟାକୁ ବାଜିବାକୁ ଆଉ ଦଶ ମିନିଟ୍‌ ବାକି ଅଛି । ସିନେମା ସୋ’ ଆରଂଭ ଛ’ଟା ପନ୍ଦରରେ । ସୁବ୍ରତ ରାଜପଥ ଉପରକୁ ଉଠିଗଲା, ଉଦ୍ଦେଶ୍ୟ ରିକ୍‌ସା ଡାକିବା । ମମତା ନିଜକୁ ପ୍ରସ୍ତୁତ କରିନେଲା ଯିବାପାଇଁ ।

 

ସିନେମାରେ ଭାରି ଭିଡ଼ । ସେଇ ଭିଡ଼କୁ ଠେଲି ଝାଳ ଗମ୍‌ ଗମ୍‌ ଦେହରେ ସୁବ୍ରତ ତିନିଖଣ୍ଡ ଟିକେଟ୍‌ କାଟି ଆଣିଲା । ହଲ୍‌ ଭିତରକୁ ଯିବା ଆଗରୁ ଦି ’ଅଣାର ଚିନାବାଦାମ ଆଣି ରେଣୁ ଆଉ ମମତା ହାତରେ ଧରେଇଦେଲା । ତିନିଜଣ ଯାକ ଯାଇ ସିଟ୍‌ରେ ବସିଲେ । ରେଣୁ ବସିଲା ପ୍ରଥମେ, ତା’ ପାଖକୁ ମମତା, ପରେ ସୁବ୍ରତ ।

 

ଛବି ଆରମ୍ଭ ହେଲା । ମମତା ଚିନାବାଦାମ ପକେଟଟାକୁ ଖୋଲି ସୁବ୍ରତକୁ କହିଲା ଖାଇବାକୁ । ସୁବ୍ରତ ଗୋଟିଏ ଗୋଟିଏ ଛଡ଼େଇ ପାଟିରେ ପକାଇଲା । ମମତାର କୋମଳ ହାତ ଆଜି ଯେମିତି ଭାରାକ୍ରାନ୍ତ ।

 

ହାତରେ ହାତ ଲାଗୁଚି–ଗୋଡ଼ରେ ଗୋଡ଼ ବାଜୁଛି । କିନ୍ତୁ ସୁନାର ହରିଣ ସଂଧାନ କରିବାକୁ କାହାରି ମନ ନାହିଁ ।

 

ମମତା ମଝିରେ ମଝିରେ ବୁଝି ନ ପାରି ପଚାରୁଛି–ସୁବ୍ରତ ହିନ୍ଦୀ ଭାଷାକୁ ଓଡ଼ିଆରେ ରୂପାନ୍ତରିତ କରୁଛି ।

 

ଠିକ୍‌ ସେମାନଙ୍କ ସାମ୍ନାରେ ଗୋଟିଏ ଯୁବକ ଓ ଗୋଟିଏ ଯୁବତୀ ବସିଛନ୍ତି–ସଂଭବତଃ ନବବିବାହିତ ଦମ୍ପତି କିମ୍ବା ପ୍ରଣୟ–ପ୍ରଣୟିନୀ । ତରୁଣୀଟି ବେଳେବେଳେ ଯୁବକର କାନ୍ଧ ଉପରେ ନିଜର ଅନତ ମଥା ରଖି ନାନାପ୍ରକାର ପ୍ରଶ୍ନବାଣରେ ତାକୁ ବ୍ୟସ୍ତ କରି ପକାଉଛି । ପରସ୍ପରର ଆକର୍ଷଣରେ କେତେବେଳେ ଅବା ଦୁଇଟିଯାକ ଦେହ ଲାଗିଯାଉଛି । ପ୍ରେମର ସମ୍ମୋହନ ମନ୍ତ୍ରରେ ଦୁଇଟି ପ୍ରାଣ ବିଜଡ଼ିତ ।

 

ସୁବ୍ରତର ଯୁବକ ପ୍ରାଣରେ ସେଇ ପ୍ରେମର ଜୁଆର ଆସି ଲାଗୁଛି । ଉଦାସ ହେଇଉଠୁଛି ତା’ର ସାରା ଅନ୍ତର ।

 

ମମତା ଶିକ୍ଷୟିତ୍ରୀ । ସାମନାର ଏ ବ୍ୟବହାରକୁ ଆଦୌ ସମର୍ଥନ କରି ପାରୁନି । ବେଳେବେଳେ ସେ ଚାହୁଁଚି ସୁବ୍ରତର ମୁହଁକୁ । ପ୍ରଶାନ୍ତ ଆଉ ଗମ୍ଭୀର ସେ ମୁଖ ।

 

ସୁବ୍ରତ ପଚାରିଲା–

 

“ମମ, ଛବି ଭଲ ଲାଗୁନି ?’’

 

ମମତା ଅତି ଧୀର କଂଠରେ କହିଲା–

 

“ହଁ, ସୁବ୍ରତ ଭାଇ, ଛବି ଭଲ ଲାଗୁଛି, କିନ୍ତୁ ଏ ଆବହାଓ୍ୱା ଭଲ ଲାଗୁ ନାହିଁ ।’’

 

‘‘ମତେ ବି ଦେହଟା କେମିତି କେମିତି ଲାଗୁଛି । ପଳେଇଗଲେ ହୁଅନ୍ତା ।’’

 

ରେଣୁ ଚାହିଁଛି ରୂପେଲି ପର୍ଦ୍ଦାକୁ ଏକଧ୍ୟାନରେ । ଝାନ୍‌ସୀରାଣୀର ବୀରତ୍ୱ ପାଖରେ ସେ ନିଜକୁ ହଜେଇ ଦେଉଛି । ଅନ୍ୟ କିଛି ପ୍ରତି ତା’ର ନଜର ନାହିଁ ।

 

ଇଣ୍ଟର୍‌ଭାଲ । ସୁବ୍ରତ ସାମନାକୁ ଚାହିଁ ନିଜ ଆଖିକି ବିଶ୍ଵାସ କରିପାରିଲା ନାହିଁ । ସାମନାର ତରୁଣୀଟି ଛନ୍ଦା–ଆଜି ପୁଣି ଏକ ନୂଆ ରୂପରେ ନୂତନ ସଂଭାର ଘେନି ସେ ବିଚରଣ କରୁଛି ।

 

ଯୁବକଟିକୁ ସେ ଚିହ୍ନେ ନାହିଁ । କିନ୍ତୁ ତା’ର ପୋଷାକପତ୍ର କହେ, ସେ ନିଶ୍ଚୟ ଧନୀର ସନ୍ତାନ । ଛନ୍ଦାର ପ୍ରଣୟପ୍ରାର୍ଥୀ–ପତଂଗ ।

 

ସମଗ୍ର ସିନେମା ହଲ୍‌ ଛନ୍ଦାର ମୂଲ୍ୟବାନ୍‌ ଅତର ଗନ୍ଧରେ ସୁବାସିତ । ମମତାର ମନେ ହେଉଥିଲା, ସେ ଫେରିଗଲା ବେଳେ ତା ଶାଢୀରେ ହୁଏତ ଏଇ ଅତରର ବାସ୍ନା ଲାଖି ରହିଯିବ ।

 

ରେଣୁ ଭାବୁଥିଲା–କେଡ଼େ ଭାଗ୍ୟବତୀ ଏଇ ତରୁଣୀଟି ! କି ସୁନ୍ଦର ପରିଚ୍ଛଦ, ବହୁ ମୂଲ୍ୟବାନ୍‌ ଅଳଙ୍କାରରେ ଭୂଷିତା । ତା’ ପାଇଁ ହୁଏତ ବରବେଶରେ ଆସିବ କେଉଁ ରାଜପୁତ୍ର । ତା’ର ଥିବ ସୁନାର ଉଆସ, ମନପବନ ଘୋଡ଼ା, ହାତୀଦାନ୍ତର ପଲଙ୍କ । ଶହ ଶହ ଦାସ ଦାସୀ ଘେନି ଜୀବନ ତା’ର ବିତିଯିବ ପରମ ଆନଂଦରେ ।

ଯାହା ଚିକ୍‌ ଚିକ୍‌ କରେ ସେଗୁଡ଼ିକ ସବୁ ସୁନା ନୁହେଁ । ପିତ୍ତଳ ମଧ୍ୟ ବେଳେବେଳେ ଚିକ୍‌ ଚିକ୍‌ କରେ । ଅଳ୍ପ ବୟସ୍କାରେଣୁ ବୁଝି ପାରୁ ନ ଥିଲା ।

ଛବି ଶେଷ ହେଲା । ମମତା କହିଲା–କଟକଚଣ୍ଡୀ ପର୍ଯ୍ୟନ୍ତ ହିନ୍ଦ୍‌ ସିନେମାଠୁ ଏକା ଯିବାକୁ ତା’କୁ ଶଙ୍କା ଲାଗୁଛି । ରେଣୁ ରିକ୍‌ସାଟିଏ କରି ଘରକୁ ଫେରି ଆସିଲା । ମମତାକୁ ଛାଡ଼ି ଆସିବାକୁ ଗଲା ସୁବ୍ରତ ।

ରିକ୍‌ସାରେ ବସି ଯାଉଁ ଯାଉଁ ମମତା ଲକ୍ଷ୍ୟ କଲା ସୁବ୍ରତ ଯେମିତି ଆଜି ଅନ୍ୟମନସ୍କ ।

କଟକଚଣ୍ଡୀ ଆଉ ଅଳ୍ପ ବାଟ । କାହିଁକି କେଜାଣି ସୁବ୍ରତ ମମତାର ହାତ ଧରି ନେଇ କହିଲା–

“ମମତା, ମୋର ମନେହୁଏ,ତୁ ଆଜି ଠିକ୍‌ ବାଟ ଧରିଛୁ ।”

“ସୁବ୍ରତ ଭାଇ. ମୁଁ ଯାହା କିଛି କରୁଛି ତା’ ପଛରେ ଅଛି ତୁମରି ନୀରବ ଇଂଗିତ । ତମେ ପରା ସେଦିନ କହିଥିଲ–‘‘ଜୀବନଟାକୁ ବଂଚେଇ ରଖିଥିଲେ ବଂଚିବାର ବହୁ ଉପାଦାନ ଆସିବ ।

ଦୀର୍ଘ ନିଶ୍ୱାସ ପକେଇ ପୁଣି ସୁବ୍ରତ କହିଲା–

‘‘ଆସିବ ନିଶ୍ଚୟ, ଆସିବ ।’’

ରିକ୍‌ସା ଆସି ଦୁଆରେ ପହଞ୍ଚି ଯାଇଥିଲା । ମମତା ଓହ୍ଲେଇଗଲା ।

 

–ପାଞ୍ଚ–

 

ଅନଙ୍ଗ ହୀରାକୁଦରୁ କଟକ ଆସିଚି । ବିରାଟ ପରିବର୍ତ୍ତନ ହେଇଚି ତା’ର । ସେଦିନ ସଞ୍ଜବେଳେ ସୁବ୍ରତକୁ ଦେଖା କରିବ ବୋଲି ସେ ତାଙ୍କ ଘରକୁ ଯାଇଥିଲା । ସାମନା କବାଟରେ ଯାଇ ଠକ୍‌ ଠକ୍‌ କରି ‘ସୁବ୍ରତ’ ‘ସୁବ୍ରତ’ ଡ଼ାକି କିଛି ସମୟ ଠିଆ ହବା ପରେ ରେଣୁ ଆସି କବାଟ ଖୋଲିଦେଲା ।

 

ଅନଙ୍ଗ ପଚାରିଲା–

 

‘‘ସୁବ୍ରତ କାହିଁ ?’’

 

‘‘ତଳକୁ ମଥା ପୋତି ରେଣୁ କହିଲା ଖୁବ୍‌ ଧୀର କଣ୍ଠରେ–‘‘ଭାଇ ଯାଇଛନ୍ତି ଡାକ୍ତର ଡାକିବାକୁ ।’’

 

“ଡାକ୍ତର ! କାହାର କ’ଣ ହେଇଚି କି ?’’

 

ବିପଦ କିଛି ନ ପଡ଼ିଲେ କାହାରି ଘରକୁ ଡାକ୍ତର ଆସେ ନାହିଁ । ଡାକ୍ତରମାନେଇ ବିପଦର ସିଗ୍‌ନାଲ୍‌ ।

 

ରେଣୁ କହିଲା–

 

‘‘ବାପାଙ୍କ ଦେହ ଦି’ ଦିନ ଦେଲା ଭାରି ଖରାପ ।’’

 

‘‘କ’ଣ ହେଉଛି ?’’

 

‘‘ଜ୍ୱର । ଶୋଇ ପାରୁ ନାହାନ୍ତି । ଅଣନିଶ୍ୱାସୀ ହେଇ ପଡ଼ୁଛନ୍ତି ବେଳେବେଳେ ।’’

 

ଘର ଭିତରେ ବିରାଜୁଛି ନୀରବତା । ସାମନା ବୈଠକଖାନାରେ ତିରିଶ୍‌ କେଣ୍ଡଲ୍‌ ପାଓ୍ୱାରର ବିଜୁଳିବତୀ ଜଳିଉଠି ଭିତରର ନୈଶ ନୀରବତାକୁ ଦ୍ୱିଗୁଣିତ କରୁଚି । ଶୁନ୍‌ଶାନ୍‌ । ଅନଙ୍ଗ ନୀରବରେ ଛିଡ଼ା ହେଇଚି । ରେଣୁ ତା’କୁ ଏକାଟିଆ ଛାଡ଼ିଦେଇ ଯାଇ ପାରୁ ନାହିଁ । ବଡ଼ ଭାଇର ସାଂଗ, ତା’ର ବି ଭାଇ ପରି ।

 

ଟିକିଏ ପରେ ରେଖୁ କହିଲା–

 

‘‘ଭାଇ କେତେବେଳୁ ଗଲେଣି, ଏଇନା ଆସିବେ । ଆସନ୍ତୁ, ଭିତରେ ବସନ୍ତୁ ।’’

 

‘‘ହଉ ଚାଲ ।’’

 

ଗୋଟିଏ ବେତର ଚେୟାର ଟାଣି ସେ ବସିଲା । ରେଣୁ ଖଣ୍ଡେ ମାସିକ ‘ସମାବେଶ’ ତା ହାତକୁ ବଢ଼େଇ ଦେଇ ଚାଲି ଯାଉଥିଲା ଭିତରକୁ । ଅନଙ୍ଗ ପିଇବ ବୋଲି ଗ୍ଲାସେ ପାଣି ମାଗିଲା ।

 

ରେଣୁ ଚାଲିଗଲା ପାଣି ଆଣିବାକୁ । ସେ ବସି ରହିଲା ‘ସମାବେଶ’ର ପୃଷ୍ଠା ଖୋଲି ।

 

‘ସମାବେଶ’ର ପୃଷ୍ଠା ସହିତ ତା’ ଆଖି ଆଗରେ ଓଲଟି ଯାଉଥିଲା ନିଜ ଜୀବନର ପୃଷ୍ଠା-

 

ରେଭେନ୍‌ସା କଲେଜର ଛାତ୍ର ଅନଙ୍ଗ ଦାଶ–ଯାହାର ଡାକ ନାମ ଥିଲା ରୋମିଓ କିମ୍ବା ଚାର୍ବାକ୍‌ । ଆଉ ଆଜିର ଅନଙ୍ଗ ଦାଶ–ହୀରାକୁଦର ଅବହେଳିତ ଓଡ଼ିଆ କଣ୍ଟ୍ରାକ୍‌ଟର–ଯାହାକୁ କି ପ୍ରତି ମିନିଟ୍‌ରେ ଅଣଓଡ଼ିଆଙ୍କ ସହିତ ସଂଗ୍ରାମ କରିବାକୁ ପଡ଼ୁଛି । ହୀରାକୁଦରେ ଓଡ଼ିଆଙ୍କ ସ୍ଥାନ ନାହିଁ–ଚାକିରି ବାକିରିଠୁଁ ଆରମ୍ଭ କରି ଛୋଟ ବଡ଼ କଣ୍ଟ୍ରାକ୍ଟରୀ ପର୍ଯ୍ୟନ୍ତ ସବୁଆଡ଼େ ଅଣଓଡ଼ିଆ ରାଜତ୍ୱ । ଶିଖ କିମ୍ବା ଆନ୍ଧ୍ର ବାସୀଙ୍କର ମାଲିକାନା–କେହି ଶୁଣିବାକୁ ନାହିଁ । ଭାରତ ସରକାର ଯାହା କରୁଛନ୍ତି, ସେଥିରେ କୁଆଡ଼େ ରାଜ୍ୟ ସରକାରଙ୍କର କିଛି ହାତ ନାହିଁ । ଅନଙ୍ଗ ଆଜି ଜୀବନ–ପଥର ସଂଗ୍ରାମୀ ବୀର ।

 

‘‘ନିଅନ୍ତୁ ।’’ ରେଣୁ ଆସି କେତେବେଳୁ ଠିଆ ହେଇଚି, ତା’ର ଲକ୍ଷ୍ୟ ନାହିଁ । ଚମକି ପଡ଼ି ସେ ଦେଖିଲା–ପାଣିଗ୍ଲାସ୍‌ ହାତରେ ଧରି ରେଣୁ ଠିଆହେଇଚି । ତା’ର ଗୋରା ତକ ତକ ଦେହକୁ ଆକାଶୀ ରଂଗର ବ୍ଲାଉଜ୍‌ ଓ ସିଲ୍‌କ ଶାଢ଼ୀ ବେଶ୍‌ ମାନୁଛି । ହାତ ବଢ଼େଇ ସେ ପାଣି ଗ୍ଲାସ୍‌ଟିକୁ ଆଣିଲା । ଲେଭେଣ୍ଡର ଗନ୍ଧ ଆସି ଲାଗିଲା ନାକରେ । ଆରେ–ପାଣି ବଦଳରେ ରେଣୁ ଆଣିଚି ସରବତ । ପିଇସାରି ସେ କହିଲା–

 

“ଆଉ ଗ୍ଲାସେ ଥଣ୍ଡା ପାଣି ଆଣ ।’’

 

ମୃଦୁ ହସିଲା ରେଣୁ ।

 

‘‘ଆଉ ଗ୍ଲାସେ ସରବତ ଆଣେ ?’’

 

‘‘ନା–ନା, ଥଣ୍ଡା ପାଣି ଦରକାର । ଆଜିକାଲି ଯେମିତି ଗରମ ପଡ଼ୁଚି, ଏଥିରେ ସରବତରେ ଶୋଷ ମେଣ୍ଟିବ ନାହିଁ ।’’

 

ରେଣୁ ଚାଲିଗଲା ପୁଣି ।

 

ଅନଙ୍ଗ ଦେଖିଲା, ତା’ ମୁଣ୍ଡ ଉପରେ ଇଲେକଟ୍ରିକ୍‌ ଫ୍ୟାନ୍‌ ନିଶ୍ଚଳ ହୋଇ ରହିଚି । ସାମନାରେ ସୁଇଚ ଉପରେ ଫ୍ୟାନ୍‌ ଥାଉ ଥାଉ ଝାଳରେ ସେ ବୁଡ଼ିଗଲାଣି । ନିଜର ବୋକାମି–

 

ନିଜେଇ ହସିଉଠିଲା ସେ ।

 

ରେଣୁ ପାଣି ଗ୍ଲାସେ ନେଇ ଆସିଲା । ଅନଙ୍ଗ ତାକୁ ନେଇ ପିଉ ପିଉ କହିଲା–

 

“ଏ ଫ୍ୟାନ୍‌ଟା ଠିକ୍‌ ଅଛି ?’’

 

‘ହଁ’ କହି ରେଣୁ ଯାଇ ସୁଇଚ୍‌ ଟିପିଦେଲା ।

 

‘‘ଓଃ–ରକ୍ଷା ମିଳିଲା । ଏ ଗରମ ତ ସମ୍ବଲପୁରର ଗରମ ସଂଗେ ସମାନ ।’’

 

‘‘ଡାକ୍ତର ଘରେ ନାହାନ୍ତି ବୋଧହୁଏ । ତେଣୁ ଭାଇଙ୍କର ଆସିବା ଡେରି ହେଉଛି ।’’

 

‘‘ହଁ, ଡାକ୍ତରଙ୍କୁ କ’ଣ ଫୁରୁସତ୍‌ ଥାଏ ? କେତେ କାମରେ ସେମାନେ ବ୍ୟସ୍ତ । ପୁଣି ଆମ ଦେଶର ଡାକ୍ତରମାନଙ୍କ ତୁଳନାରେ ରୋଗୀ ତ ବହୁତ ବେଶୀ । ତୁମ ବାପା ଶୋଇଛନ୍ତି ନା ଚାହିଁଛନ୍ତି ?’’

 

‘‘ସେ ତ ଶୋଇପାରୁ ନାହାନ୍ତି । ତାଙ୍କ ଛାତି କେମିତି ହେଇଯାଉଛି–ଆଖି ଆଗରେ ସବୁ ଜିନିଷ ଘୂରୁଚି ।’’

 

‘‘ଏତେ ନୂଆ ନୂଆ ରୋଗ ଆଜିକାଲି ବାହାରୁଛି ଯେ ବଞ୍ଚିରହିବାଟା ଖାଲି ଆକ୍‌ସିଡେଣ୍ଟ-। ରୋଗ ଆକ୍ରମଣରୁ ମୁକ୍ତି ପାଇ ଯେଉଁମାନେ ବଞ୍ଚି ରହୁଛନ୍ତି,ସେମାନଙ୍କର ବଞ୍ଚିରହିବାଟା ହିଁ ବିସ୍ମୟ-।”

 

ରେଣୁ ଟେବୁଲ୍‌ ପାଖରେ ଛିଡ଼ା ହେଇଚି । ସରଳତାର ନିଛକ ପ୍ରତିମୂର୍ତ୍ତି । ସଂସାର ତା’ ଆଗରେ ଏକ କୌତୂହଳର ବିଷୟ । ବିଷାକ୍ତ ଜୀବନର ଅଭିଜ୍ଞତା ତା’ର ନାହିଁ । ତା’ ପାଖରେ ଅବିଶ୍ୱାସ ଆଉ ସନ୍ଦେହର ସ୍ଥାନ ନାହିଁ । ବାଲ୍ୟକାଳ ଅତିକ୍ରମ ଯାଇଛି–କିନ୍ତୁ ବାଲ୍ୟଚପଳତା ଏବେ ବି ଯାଇନି ।

 

ସେ ପଚାରିଲା–

 

“ଆପଣ ଏବେ କ’ଣ ହୀରକୁଦରେ ଅଛନ୍ତି ।’’

 

‘‘ହଁ, ତୁମେ କେମିତି ଜାଣିଲ ?’’

 

‘‘ଭାଇ କହୁଥିଲେ । ମୋର ଭାରି ଇଚ୍ଛା ଥରେ ହୀରାକୁଦ ଦେଖି ଯିବାକୁ ।’’

 

‘‘ଚାଲୁ ନାହିଁ । ସୁବ୍ରତକୁ ନେଇ ଏଥର ଚାଲ । ବେଶ୍‌ ଭଲକରି ବୁଲେଇ ମୁଁ ଦେଖେଇ ଆଣିବି ।’’

 

ନୀରବତା । କଥାର ଖିଅ ସୃଷ୍ଟି କରି କଥା କହିବାକୁ ପଡ଼ୁଛି । ସଦାମଣୀ ଦେବୀ ବୈଠକ ଖାନା ଭିତରକୁ ପଶି ଆସିଲେ । ଅନଙ୍ଗ ତାଙ୍କୁ ନମସ୍କାର କଲେ । ସେ ବଡ଼ ବ୍ୟସ୍ତ ହେଇ ପଡ଼ିଛନ୍ତି । ସୁବ୍ରତ ଏତେ ବେଳ ହେଲା ଗଲାଣି, ଫେରୁ ନାହିଁ କାହିଁକି ?

 

ଅନଙ୍ଗ ପଚାରିଲା–

 

‘‘କୋଉ ଡାକ୍ତରଙ୍କୁ ଡାକିବାକୁ ସେ ଯାଇଛି ?’’

 

ରେଣୁ କହିଲ–‘‘ନୀହାରବାବୁଙ୍କୁ ।”

 

‘‘ମେଡ଼ିକାଲ ଭିତରେ ତାଙ୍କ ବସା । ଯେତେଦୂର ସମ୍ଭବ ଡାକ୍ତର ଅନ୍ୟ ରୋଗୀ ଦେଖିବାକୁ ଯାଇଛନ୍ତି ସୁବ୍ରତ ତାଙ୍କ ଅପେକ୍ଷାରେ ବସିଛି ।’’

 

ସଦାମଣୀ ଦେବୀ ଅନଙ୍ଗର ବାପ–ମା’ଙ୍କ ଭଲ ମନ୍ଦ ଖବର ପଚାରିଲେ । ଅନଙ୍ଗର ବାପ–ମା ବେଳେବେଳେ କଟକ ଆସନ୍ତି । ନବକେତନବାବୁଙ୍କ ସହିତ ପରିଚୟ ଅଛି ।

 

କେଉଁ ଦୂର ସମ୍ପର୍କ ଧରିବସିଲେ ମଧ୍ୟ ଅନଙ୍ଗର ମା ସଦାମଣୀ ଦେବୀଙ୍କର ଭଉଣୀ ଲେଖା ହୁଅନ୍ତି । ସେମାନେ କଟକରେ ଥିବାବେଳେ ଥରେ ହିସାବ କରୁ କରୁ ଏଇ ସମ୍ପର୍କ ଜଣା ପଡ଼ିଥିଲା । ତା’ ପରଠୁଁ ସେ ସମ୍ପର୍କ ସମ୍ବନ୍ଧରେ ଆଉ କେହି ମୁଣ୍ଡ ଖେଳାଇ ନାହିଁ । ହିସାବ ଯୋଡ଼ିବସିଲେ ପକ୍‌କା ଅଧଘଣ୍ଟାର କାମ । କ’ଣ ମିଳିବ ସେଥିରୁ ? ଥରେ ହିସାବରେ ଯେଉଁ ଫଳ ବାହାରିଛି, ତାକୁଇ ସେମାନେ ସବୁଦିନ ପାଇଁ ଗ୍ରହଣ କରି ନେଇଛନ୍ତି ।

 

‘‘ରେଣୁ, ତୋ ଅନଙ୍ଗ ଭାଇକୁ ପାନ ଆଣି ଦେ ।’’

 

“ମୁଁ ସେକଥା ଏକଦମ୍‌ ଭୁଲି ଯାଇଚି ମା !’’

 

“ଯା’–ଯା’ । ଗୁଣ୍ଡି ଖାଉନା ରେ ?”

 

‘‘ହଁ–ଟିକିଏ ଟିକିଏ ଖାଏ ।’’

 

ରେଣୁ ଦୁଇ ମିନିଟ୍‌ରେ ପାନ ନେଇ ଫେରିଆସିଲା ।

 

‘‘ମା, ବାପା ତୁମକୁ ଡାକୁଛନ୍ତି ।”

 

ସଦାମଣୀ ଝଡ଼ ଭଳି ନିମିଷକରେ ସେ ଘରୁ ବାହାରି ଆସିଲେ ।

 

ଅନଙ୍ଗ ପାନରୁ ଖଣ୍ଡିଏ ପାଟିରେ ଦଉଁ ଦଉଁ କହିଲା–

 

‘‘ଭାରି ବଢ଼ିଆ ବାସୁଚି ଏ ପାନ ।”

 

‘‘ମା ପାନରେ ଅନେକ ରକମର ମସଲ ଖାଏ । ତା’ ପାଇଁ ସେ ମସଲା କଲିକତାରୁ ଆସେ ।’’

 

‘‘ରେଣୁ–ରେଣୁ’’–ଭିତରୁ ହୁରି ଛାଡ଼ିଲେ ସଦାମଣୀ ଦେବୀ । ରେଣୁ ପ୍ରାୟ ଦଉଡ଼ି ଦଉଡ଼ି ଗଲା । ପୁଣି ଦଉଡ଼ି ଦଉଡ଼ି ବୈଠକଖାନାକୁ ଫେରିଆସି କହିଲା–

 

‘‘ଅନଙ୍ଗ ଭାଇ, ଆପଣ ଟିକିଏ ଜଲ୍‌ଦି ମେଡ଼ିକାଲ ଯାଅନ୍ତୁ । ବାପା କ’ଣ ହେଇ ଯାଉଛନ୍ତି ।’’

 

‘କ’ଣ ହେଇ ଯାଉଛନ୍ତି’ ପଚାରିବାକୁ ଅପେକ୍ଷା ନ କରି ସେ ବାହାରିଗଲା । ସଦାମଣି ଦେବୀ ଆଉ ରେଣୁଙ୍କ ମୁହଁରେ ଅସ୍ଥିରତା । ମନେ ହେଉଥିଲା, ଯେମିତି ଯୋବ୍ରାର ପଥରବନ୍ଧକୁ ଚିରି ମହାନଦୀ ଛାତିରୁ ବହିଆସୁଚି ଅପ୍ରତ୍ୟାଶିତ ଝଡ଼ । ସେ ଝଡ଼ର ଆରମ୍ଭ ଅଛି, ବ୍ୟାପ୍ତି ଅଛି, ମାତ୍ର ଶେଷ ନାହିଁ ।

 

ନବକେତନ ବାବୁ ଶୋଇ ପାରୁ ନାହାନ୍ତି । ଛାତି ଭିତରେ ଅସମ୍ଭବ ବେଦନା । ମୁଣ୍ଡ ଜଳିଯାଉଛି । ଦେହର ଉତ୍ତାପ ଆସ୍ତେ ଆସ୍ତେ ବଢ଼ୁଛି । ତିନିଟା ତକିଆ ଉପରେ ଉପରେ ରଖି ତାକୁ ଆଉଜି ବସିଛନ୍ତି ସେ । ଆଖି ଦୁଇଟି ରକ୍ତ ଭଳି ନାଲି ଧରିଛି । ନିଶ୍ୱାସର ଚାପରେ ପଞ୍ଜରା ହାଡ଼ ସତେ ମାଂସ ଦେହରୁ ଅଲଗା ହେଇଯିବ !

 

ଅଧଘଣ୍ଟାଏ ପରେ ଡାକ୍ତର ଆସିଲେ । ବହୁ ସମୟ ପରୀକ୍ଷା ପରେ ମତ ଦେଲେ ଯେ–ନବକେତନ ବାବୁଙ୍କର ରୋଗ ହେଉଚି କରୋନାରି ଥ୍ରମ୍ବସିସ୍‌ ।

 

କରୋନାରି ଥ୍ରମ୍ବସିସ୍‌ ! ନାଁ ଶୁଣି ସୁବ୍ରତ ଆଉ ଅନଙ୍ଗ ଉଭୟ ଚମକି ପଡ଼ିଲେ । ପୃଥିବୀର ବହୁ ବିଶିଷ୍ଟ ଲୋକ ଏଇ ରୋଗରେ ଅକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ବଡ଼ ଲୋକମାନଙ୍କୁ ସାଧାରଣତଃ ଏଇ ପ୍ରକାର ରୋଗ ହୁଏ । ଡାକ୍ତର ଦୀର୍ଘ ନିଶ୍ୱାସ ପକାଇଲେ । ଏ ରୋଗ ଖୁବ୍‌ ମାରାତ୍ମକ । ଏହାର ଚିକିତ୍ସା ମଧ୍ୟ ଦୁଃସାଧ୍ୟ । ପୂରାପୂରି ବିଶ୍ରାମ ଆବଶ୍ୟକ ।

 

ଡାକ୍ତର ବହୁ ଔଷଧର ପ୍ରେସ୍‌କ୍ରିପ୍‌ସନ୍‌ ଦେଇ ଦୁଇଘଣ୍ଟା ପରେ ଚାଲିଗଲେ । ତାଗିଦ୍‌ କରି ଦେଇଗଲେ–ରୋଗୀ ଯେମିତି ହଲ୍‌ ଚଲ୍‌ ନ ହୁଅନ୍ତି ।

 

ଗୋଟାଏ ଦୀର୍ଘ ରାତି ବିନିଦ୍ର ରହି ରୋଗୀଶଯ୍ୟା ପାଖରେ ବସି ରହିବାକୁ ହେବ । ସୁବ୍ରତ ମୁହଁରୁ ମରିଯାଇଚି ହସ । ସଦାମଣୀ ଦେବୀ ଅସ୍ଥିର ହେଇ ପଡ଼ୁଛନ୍ତି । ଅନଙ୍ଗ ଏମିତି ଅବସ୍ଥାରେ ନବକେତନ ବାବୁଙ୍କ ଘର ଛାଡ଼ି ଚାଲିଯିବ କେମିତି ?

 

ବଂଧୁତାର ମହତ୍ତ୍ୱ ସିନା ଫୁଟିଉଠେ ବିପଦରେ । ସମାଜ ଭିତରେ ବନ୍ଧୁ–ବାନ୍ଧବ ନେଇ ରହି ଅନ୍ୟ ବନ୍ଧୁର ବିପଦରେ ସାହାଯ୍ୟ ନ କରିବା ପଶୁତ୍ୱ । ଅନଙ୍ଗ ଚାଲିଗଲେ ସୁବ୍ରତ ନିଶ୍ଚୟ ଭାଙ୍ଗି ପଡ଼ିବ । ରୋଗୀର ସେବାପାଇଁ ଜଣେ ବନ୍ଧୁ, ପାଖରେ ଥିଲେ ଛାତିରେ କେ ତେଦମ୍ଭ ଥାଏ । ହଠାତ୍‌ କେତେବେଳେ କ’ଣ ହବ, ଡାକ୍ତର ଡାକିବା ଦରକାର ପଡ଼ିବ । ଅନଙ୍ଗ ରାତିରେ ସେଇଠି ରହିଲା । ପ୍ରତି ଅଧ–ଘଣ୍ଟାରେ ଘଡ଼ି ଦେଖି ଔଷଧ ଦେବାକୁ ହବ । ଅନଙ୍ଗ ଗୋଟିଏ ଚେୟାର ପକେଇ ନବକେତନ ବାବୁଙ୍କ ଶେଯ ପାଖରେ ବସିଲା । ଆଉ ଟିକିଏ ଦୂରକୁ ବସିଲା ସୁବ୍ରତ । ମୁହଁରେ ଗାମ୍ଭୀର୍ଯ୍ୟ–ମନରେ ଅସୁମାରି ଚିନ୍ତା ।

 

ସେଇ ଘର ଭିତରେ ଦୁଇଟି ପଲଙ୍କ ପଡ଼ିଛି । ଗୋଟାକରେ ରୋଗୀର ଶଯ୍ୟା, ଅପରଟିରେ ଶୋଇ ରେଣୁ ପଢ଼ୁଚି କେଉଁ ଏକ ଉପନ୍ୟାସ–ରାତି ଜାଗିବା ପାଇଁ ଅମୋଘ ଅସ୍ତ୍ର । କାନ୍ଥ ଘଡ଼ିରେ ବାଜିଲା ଦୁଇ । ବାହାର ଜଗତ ଶୂନ୍ୟ । ଭିତର ସହିତ ତା’ର ଯେମିତି କୌଣସି ସମ୍ପର୍କ ନାହିଁ । ସୁବ୍ରତ ନିଜର ଅଜାଣତରେ ଢୋଳେଇ ପଡ଼ିଚି ଚେୟାର ଉପରେ । ନିଦ ପାଖରେ ସ୍ଥାନ–ଅସ୍ଥାନ, କର୍ତ୍ତବ୍ୟ–ଅକର୍ତ୍ତବ୍ୟ ସବୁ ତୁଚ୍ଛ ।

 

ଅନଙ୍ଗ ଚାପା ଗଳାରେ ଡାକିଲା–‘‘ସୁବ୍ରତ, ସୁବ୍ରତ !’’

 

ଚମକି ଉଠିଲା ସୁବ୍ରତ

 

ଅନଙ୍ଗ ପୁଣି କହିଲା–

 

‘‘ନିଦ ଲାଗୁଚି ତତେ । ପଲଙ୍କ ଉପରେ ଯାଇ ଟିକିଏ ଶୋଇପଡ଼ । ମୁଁ ଚାହିଁ ବସିଚି ।’’

 

ରେଣୁ ଚାହିଁ ରହି ପଢ଼ୁଥିଲା ଉପନ୍ୟାସ । ଚାହିଁ ଦେଖିଲା–ସୁବ୍ରତର ଆଖିରେ ନିଦର ଆଳସ୍ୟ । ପଲଙ୍କ ଉପରୁ ଉଠିଆସିଲା ସେ ।

 

‘‘ଭାଇ, ତମେ ଯାଇ ଟିକେ ଶୋଇପଡ଼ । ମୁଁ ଏଇଠି ବସିଚି ।’’

 

ସୁବ୍ରତ ପଲଙ୍କ ଉପରକୁ ଉଠିଯାଇ ଶୋଇ ପଡ଼ିଲା–ତା’ର ଶୂନ୍ୟସ୍ଥାନ ପୂରଣ କଲା ରେଣୁ ।

 

କାହାରି ମୁହଁରେ କିଛି କଥା ନାହିଁ । ନବକେତନବାବୁ ଆଖିବୁଜି ପଡ଼ିଛନ୍ତି । ଚେତନା ନାହିଁ ତାଙ୍କର ।

 

ଅଢ଼େଇଟା ବାଜିଲା । ଔଷଧ ଦେବାର କଥା । ରେଣୁ ଛୋଟ ଗ୍ଲାସରେ ଥଣ୍ଡା ପାଣି ଅଧ ଆଉନ୍‌ସ ଆଣିଲା । ଅନଙ୍ଗ ସେଥିରେ ଏକ ଚାମଚ ଔଷଧ ଢାଳିଦେଲା । ରେଣୁ ଗ୍ଲାସଟି ଧୋଇ ଦେଇ ଯଥା ସ୍ଥାନରେ ରଖିଦେଲା ।

 

ଦୁଇଜଣଯାକ ପୁଣି ଆସି ଯେ ଯାହାର ଚେୟାର୍‌ରେ ବସିଲେ । ତନ୍ଦ୍ରାଚ୍ଛନ୍ନ ରାତ୍ରି । ଦେହ ମନରେ ଆଳସ୍ୟ, ଉଦାସ ଭାବ । କଥା କହିବା ମଣିଷର ଧର୍ମ । ସେ ପ୍ରବୃତ୍ତିକୁ ଏଡ଼ାଇଦେବା ସହଜ ନୁହେଁ । ରେଣୁ ଆଉ ଅନଙ୍ଗ ଉଭୟ ହୁଏତ କଥା କହିବାକୁ ଚାହୁଁଥିଲେ । କିନ୍ତୁ କହି ପାରୁ ନ ଥିଲେ । କାଳେ ଗୋଳମାଳ ହବ । ଡାକ୍ତର କହିଛନ୍ତି–ରୋଗୀଙ୍କର ପୂର୍ଣ୍ଣ ବିଶ୍ରାମ ଆଉ ଶାନ୍ତି ଦରକାର । କଥା କହିବା ନିଷିଦ୍ଧ ।

 

ସାମନା ସାମନି ବସିଛନ୍ତି ଦୁଇଜଣ । ପରସ୍ପର ପରସ୍ପରକୁ ଚାହିଁଛନ୍ତି ମୁହୁର୍ମୁହୁ । ରେଣୁର ନୟନରେ ହରିଣୀର ଚଞ୍ଚଳତା । ଅନଙ୍ଗର ଆଖି ସ୍ଥିର–ଅଚଞ୍ଚଳ । ରେଣୁର ପ୍ରାଣରେ ଆଲୋଡ଼ନ ନାହିଁ–ଗଙ୍ଗା ନଦୀର ପ୍ରଶାନ୍ତ ସ୍ଥିର ବକ୍ଷ ପରି । ସେ ଉଦାର ଆଉ ନିଶ୍ଚଳ | ଅନଙ୍ଗ ମନରେ ବହୁରୂପୀ ଭାବନା । ସେ ଭାବନାର ଆଦି ଆଉ ଅନ୍ତ ଖୋଜି ପାଉ ନ ଥିଲା ସେ ।

 

ଘଡ଼ିରେ ବାଜିଲା ତିନି । ମହାନଦୀ ଆଡ଼ୁ ରାତି ଶେଷର ଥଣ୍ଡା ପବନ ବହି ଆସୁଚି । ରେଣୁ ଉଠିପଡ଼ିଲା ଚେୟାରରୁ । ଗ୍ଲାସ୍‌ ଆଣି ପାଣି ଆଣିଲା । ତା’ପରେ ଅନଙ୍ଗ କରିଗଲା ତା’ କରିବା କାମ । ପୁଣି ଉଭୟ ଆସି ଯେ ଯାହାର ସ୍ଥାନରେ ବସିଥିଲେ । ଅନଙ୍ଗ କହିଲା–

 

“ମତେ ଗ୍ଲାସେ ପିଇବା ପାଣି ଦିଅ । ଆଉ ଦି’ଖଣ୍ଡ ପାନ ଆଣ ।’’

 

ରେଣୁ ପାଣି ଗ୍ଲାସେ ଦେଇ ଚାଲିଗଲା ପାନ ଆଣିବାକୁ ।

 

ସୁବ୍ରତ ଶୋଇଯାଇଛି–ଅନଙ୍ଗ ଉପରେ ତା’ର ଅଗାଧ ବିଶ୍ଵାସ ! ଅନଙ୍ଗ ବସି ସେଇ କଥା ହିଁ ଭାବୁଥିଲା ।

 

ରେଣୁ ପାନ ଆଣି ତା’ ହାତକୁ ବଢ଼େଇଦେଲା । ମୁହୂର୍ତ୍ତକ ପାଇଁ ଦୁଇଟିହାତ ପରସ୍ପରକୁ ଛୁଇଁଲା । ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଖେଳିଗଲା ଯେମିତ ବିଜୁଳି–ସ୍ରୋତ । ଷୋଡ଼ଶୀ ରେଣୁ ବୁଝିପାରିଲା ନାହିଁ କିଛି । ସେ ଯାହା ଆଜି ଅନୁଭବ କଲା, ଜୀବନରେ ତାହା ଅନନୁଭୂତ–ନୂତନ ।

 

ସେ ଚାହିଁଲା କେମିତି ଏକ ଅପୂର୍ବ ଭଂଗୀରେ ଅନଙ୍ଗର ମୁହଁକୁ । କିନ୍ତୁ ଅନଙ୍ଗର ତୀବ୍ର ଚାହାଁଣୀରେ ମଉଳିଗଲା ତା’ର ମୁହଁ... ତଳକୁ ନଇଁଗଲା । ମନେ ପଡ଼ିଲା ତା’ର–ଥରେ ‘କନକଲତା’ ଉପନ୍ୟାସରେ ପଢ଼ିଥିଲା–‘‘ଚାରିଚକ୍ଷୁ ପ୍ରାନ୍ତେ ପୀରତି ମେଳ’’ । ଏ କ’ଣ ତେବେ ସେଇ ପ୍ରୀତିର ଆରମ୍ଭ ! ଏ ସ୍ପର୍ଶ କ’ଣ ଦେଇଗଲା ପ୍ରେମର ସ୍ୱାକ୍ଷର !! ନା–ନା, ଥରି ଉଠିଲା ତା’ର ସର୍ବାଙ୍ଗ । ଅସହାୟ ରାତିରେ ଏ ମନେ ହେଲା ଯେମିତି ଏକ ଦୁଃସ୍ୱପ୍ନ । ଆଖି ବନ୍ଦ ହୋଇପଡ଼ିଲା । ଭ୍ରୂଲତା ଉପରେ ଦେଖାଦେଲା କେତୋଟି ବିନ୍ଦୁ, ଝାଳ ।

 

ଅନଙ୍ଗ ଭାବୁଥିଲା–କାଳିଦାସଙ୍କ ‘ଶକୁନ୍ତଳା’ ନାଟକର ଶକୁନ୍ତଳା ଆଉ ଦୁଷ୍ମନ୍ତଙ୍କ ପ୍ରେମ କଥା । ଉପବନର ଆଢ଼ୁଆଳରେ–ଫୁଲ ଆଉ ମୃଗୁଣୀକୁ ସାକ୍ଷୀ କରି ପ୍ରଥମ ସାକ୍ଷାତରୁ ହିଁ ଦେଖା ଦେଇଥିଲା ପ୍ରେମ ।

 

କିନ୍ତୁ ତା’ ପକ୍ଷରେ ଆଜି ଏ ଭାବାନ୍ତର କାହିଁକି ? ତା’ର ପୂର୍ବ ଜୀବନକୁ ଖୋଲି ଦେଖିଲେ ପ୍ରତ୍ୟେକ ଅଧ୍ୟାୟ ତଳୁ ଫୁଟି ଦିଶିବ କେତେ କଶୋରୀଙ୍କର ମୁହଁ । ଅନ୍ୟକୁ ନଚେଇ ନିଜେ ସେ ନାଚିଛି । ପ୍ରେମ ତା’ ପାଖରେ ଥିଲା ସମୁଦ୍ରର ବୁଦ୍‌ବୁଦ୍‌ । କିନ୍ତୁ ଆଜି ସେ ନିଜକୁ ଭାବୁଥିଲା ଅପରାଧୀ । ବନ୍ଧୁ ସୁବ୍ରତର ଭଉଣୀ ରେଣୁ । ସୁବ୍ରତର ମା’ଙ୍କର ସେହ୍ନପୂର୍ଣ୍ଣ ଅମାୟିକ ବ୍ୟବହାର, ନବକେତନବାବୁଙ୍କର ଏ ଦୂରବସ୍ଥା–ସବୁ ଯେମିତି କୁଣ୍ଡଳୀ ସୃଷ୍ଟି କରି ଘୂରି ବୁଲୁଥିଲା ତା’ ଆଖି ସାମନାରେ ।

 

ସାଢେ ତିନି । ଔଷଧ ଦବାର ବେଳ ହୋଇଚି । ରେଣୁ ବସି ରହିଚି ଚେୟାରରେ । ଉଠିବାକୁ ତା’ର ଇଚ୍ଛା ହେଉ ନାହିଁ । ଅନଙ୍ଗ ଅପେକ୍ଷା କରିଚି–ରେଣୁ ତା’ କାମ କରିସାରିବା ପରେ ସେ ଗ୍ଲାସ୍‌ରେ ଔଷଧ ଢାଳି ଖୁଆଇବ । ରେଣୁ କିନ୍ତୁ ଉଠୁନି । ଅନଙ୍ଗ ପାଟିରେ ଭାଷା ନାହିଁ । କହିବ– କହିବ ବୋଲି କିଛି କହି ପାରୁନି ସେ ।

 

ପାଞ୍ଚ ମିନିଟ୍‌ ଚାଲିଗଲା । ଅନଙ୍ଗ ଆଉ ସମ୍ଭାଳି ନ ପାରି ଉଠି ଠିଆ ହେଲା । ହଠାତ୍‌ ତା’ର ମନେହେଲା–ସାରା କୋଠରୀଟିର ବାୟୁମଣ୍ଡଳ ଯେମିତି ପ୍ରଣୟ ଗନ୍ଧରେ ଆମୋଦିତ ।

 

ବ୍ୟସ୍ତ ହେଇପଡ଼ିଲା ସେ । ରେଣୁ କ’ଣ ଏହା ଭିତରେ ସବୁକଥା ଭୁଲିଗଲା !

 

‘‘ଔଷଧ ଦବାର ବେଳ ହେଇଯାଇଚି ।’’

 

ଅନଙ୍ଗ ମୁହଁରୁ ଏକଥା ଶୁଣି ରେଣୁ ଘଡ଼ିକୁ ଚାହିଁଲା । କେତେବେଳୁ ସାଢ଼େ ତିନି ବାଜିଗଲାଣି । ଭୀଷଣ ଅନ୍ୟମନସ୍କ ହେଇଚି । ନିଜକୁ ନିଜେ ଲଜ୍ଜିତ ହେଲା । ଗ୍ଳାସ୍‌ରେ ପାଣି ଟିକେ ଢାଳି ଅନଙ୍ଗ ହାତକୁ ବଢ଼ାଇଦେଲା । ଅନଙ୍ଗ ତା’ କାମ କରିଗଲା ।

 

ଔଷଧ ଦିଆ ସାରିବା ପରେ ରେଣୁ ସେ ଘରୁ ବାହାରି ଆସିଲା । ଅନଙ୍ଗ ଚାହିଁ ରହିଥିଲା । ତା’ରି ଯିବା ବାଟକୁ ।

 

‘‘ଓଃ’’–ଯନ୍ତ୍ରଣାରେ ଛଟପଟ ହେଇଉଠିଲେ ନବକେତନବାବୁ । ପ୍ରାଣ–ପକ୍ଷୀ ଦେହ–ପିଞ୍ଜରା ଛାଡ଼ି ଉଡ଼ିଯିବାକୁ ବସିଚି । ନିଶ୍ଵାସର ଗତି ଖୁବ୍‌କ୍ଷିପ୍ର । ମୁହଁର ଭଙ୍ଗୀରୁ ଜଣା ପଡ଼ୁଥିଲା–ହାଡ଼େ ହାଡ଼େ ଯେମିତି ସେ ତୀବ୍ର ବେଦନା ଅନୁଭବ କରୁଛନ୍ତି ।

 

“ଓଁ”–ଆହୁରି ଜୋର ତାଙ୍କ ଚିତ୍କାର । ଅନଙ୍ଗ ପାଖକୁ ଉଠିଗଲା । ଛାତିରେ ହାତ ମାରି ଦେଖିଲା–ଝାଳରେ ଗୋଟା ଦେହ ଭିଜିଯାଇଛି । ଏଇଥର ଜର ଛାଡ଼ି ଆସିବ ବୋଧହୁଏ ।

 

ରେଣୁର ପାଦଶବ୍ଦରେ ପୁଣି ଚଞ୍ଚଳ ହୋଇଉଠିଲା ଅନଙ୍ଗର ଆଖିତାରା । ପଲଙ୍କ ପାଖକୁ ଆସି ରେଣୁ ପଚାରିଲା–

 

‘‘ଅନଙ୍ଗ ଭାଇ, ବାପାଙ୍କର କ’ଣ ହେଲା କି ?’’

 

“ଓଃ’’–ବିକୃତ ହୋଇଗଲା ନବକେତନବାବୁଙ୍କ ମୁହଁ । ଅଜଣା ଜ୍ୱାଳାରେ ରେଣୁ ଆଉ ଅନଙ୍ଗର ଶରୀର ଥରି ଉଠିଲା ।

 

ରାତି ଶେଷ ହେବାକୁ ବସିଲାଣି । ଷ୍ଟେସନ୍‌ରେ ଲାଗିଲାଣି ଆସାନ୍‌ସୋଲ–ପୁରୀ ପାସେଞ୍ଜର । ଇଞ୍ଜିନର ଚିତ୍କାର ବେଶ୍‌ ସ୍ପଷ୍ଟ ଶୁଭୁଚି । ଶୁଭୁଚି ଯାତ୍ରୀ କୋଳାହଳ, ରିକ୍‌ସାର ଆଓ୍ୱାଜ୍‌-

 

ନବକେତନବାବୁଙ୍କ ନିଶ୍ୱାସ ବନ୍ଦ ହେଇଗଲା । ଆଉ ସେ ନିଃଶ୍ଵାସ ଫେରିବ ନାହିଁ । ରେଣୁ ଅଧୀର ହେଲା ‘ବାପା–ବାପା’ ପାଟି କରି ଉଠିଲା । ଅନଙ୍ଗ ତା’କୁ ଧରି ନେଇ ନ ଥିଲେ ସେ ହୁଏତ ତଳେ କଚାଡ଼ି ହୋଇ ପଡ଼ିଥାନ୍ତା । ଅନଙ୍ଗର କାନ୍ଧ ଉପରେ ମୁଣ୍ଡ ଆଉଜେଇ ସେ କାନ୍ଦି ଉଠିଲା ଜୋରରେ । ସୁବ୍ରତର ନିଦ ଭାଙ୍ଗିଗଲା ।

 

‘‘କ’ଣ ହେଲା ଅନଙ୍ଗ ।’’

 

ଅନଙ୍ଗ ନିରୁତ୍ତର ।

 

ଅନଙ୍ଗକୁ ଛାଡ଼ି ରେଣୁ ଯାଇ ସୁବ୍ରତ ଉପରେ କଚାଡ଼ି ହେଇ ପଡ଼ିଥିଲା । କ୍ଷଣକରେ ଘର ଭିତରୁ ଉଠିଲା ଗଭୀର ଚହଳ । ସଦାମଣୀ ଦେବୀ ସିମେଣ୍ଟ ଚଟାଣରେ ମୁଣ୍ଡ ବାଡ଼େଇ ରକ୍ତରେ ଭିଜେଇଦେଲେ ତାଙ୍କ ଅଙ୍ଗର ପରିଧେୟ ।

 

ରାତ୍ରି ଅବସାନ ହେଲା । ସୁବ୍ରତର ଚେତନା ନାହିଁ । ଶବ ଉଠେଇବାର ସମସ୍ତ ବନ୍ଦୋବସ୍ତ ଅନଙ୍ଗକୁ ହିଁ କରିବାକୁ ପଡ଼ିଲା ।

 

ସକାଳ ପବନରେ ଦୁଃସମ୍ବାଦ ସହରର ଗଳିକନ୍ଦିରେ ବ୍ୟାପିଗଲା । ଖବର ପାଇ ମମତା ଧାଇଁ ଆସିଲା ।

 

କାନ୍ଦି କାନ୍ଦି ରେଣୁର ଆଖିପତା ଫୁଲିଯାଇଚି । ସଦାମଣୀ ଦେବୀ ଚୈତନ୍ୟ ହରାଇ ଭୂଇଁରେ ଲୋଟୁଛନ୍ତି ।

 

ମମତାକୁ ଦେଖି ଆହୁରି ଜୋରରେ କାନ୍ଦିଉଠିଲା ରେଣୁ । କାନ୍ଦିବାରେ ମଣିଷର ଦୁଃଖ ଲାଘବ ହୁଏ–ଛାତିର ବେଦନା କମିଯାଏ ।

 

ଆଖିରୁ ଲୁହ ପୋଛୁ ପୋଛୁ, ମମତା କହିଲା–

 

‘‘ବାପାଙ୍କର ଏ ଅବସ୍ଥା, ମତେ ଟିକିଏ ଖବର ବି ଦେଲ ନାହିଁ ?”

 

“ଦୁଇଦିନର କଥା, କେହି କ’ଣ ଜାଣିଥିଲା ନା ଏମିତି ହବ ବୋଲି ! ଅପା ! ତମେ ଟିକିଏ ମା’ଙ୍କ ପାଖକୁ ଯାଅ । ତାଙ୍କ ମୁଣ୍ଡ ଫାଟି ରକ୍ତ ବହୁଛି ।”

 

ମମତାର ନିଜର ଧୈର୍ଯ୍ୟ ବଂଧ ଭାଙ୍ଗି ପଡ଼ିଛି । କି ଭାଷାରେ ଯାଇ ସେ ସାନ୍ତ୍ୱନା ଦେବ-? ତଥାପି ସେ ଗଲା । ତା’କୁ ଦେଖି ସଦାମଣୀ ଦେବୀ କଇଁ କଇଁ ହେଇ କାନ୍ଦିଉଠିଲେ-। ଧାରା ଶ୍ରାବଣର ବର୍ଷାପରି ଦରଦର ଧାରାରେ ବହୁଛି ଲୁହ ! ଯୋଉ ଗୌରବରେ ସ୍ତ୍ରୀ ନିଜକୁ ଗୌରବାନ୍ୱିତା ମନେକରେ, ସୀମାନ୍ତରେ ରକ୍ତ ସିନ୍ଦୂର ସକାଳ ସୂର୍ଯ୍ୟ ପରି ଜଳିଉଠେ, ସେ ଗୌରବ ତାଙ୍କର ଆଜି ଆଉ ନାହିଁ । ମୁଣ୍ଡର ମୁକୁଟ କାଳର କ୍ରୁର ଆଘାତରେ ଭାଙ୍ଗି ପଡ଼ି ମାଟିରେ ମିଶିଯାଇଛି–ଜୀବନ ଚମ୍ପା ଫୁଲର ରଙ୍ଗ ମହଳ ପଡ଼ିଛି ।

 

ସଦ୍ୟ ସ୍ଵାମୀହରା ନାରୀକୁ କି ସାନ୍ତ୍ୱନା ଦିଆଯିବ ? ସେ ବୃଦ୍ଧା ହେଉ ବା ତରୁଣୀ ହେଉ, ସ୍ୱାମୀ ବିୟୋଗ ତା’ ନିକଟରେ ଅକାଳ ବଜ୍ରପାତ ଭଳି । ସ୍ତ୍ରୀ ମାତ୍ରେଇ ଚାହଁନ୍ତି ଆଜୀବନ ସଧବା ରହି, ମଥାର ସିନ୍ଦୂର ଲିଭିଯିବା ଆଗରୁ ନିଜେ ମରିଯିବେ । ସଦାମଣୀ ଦେବୀଙ୍କ ବିଳାପ ଧ୍ୱନିରେ ପକ୍‌କା ଘରର କାନ୍ଥ ଆଉ ଛାତ ମ୍ରିୟମାଣ ହୋଇ ପଡ଼ିବାର କଥା । ମମତା ତ ବାଳିକା, ରକ୍ତ-ମାଂସର ନରମ ଉପାଦାନରେ ଗଢ଼ା ତା’ର ଶରୀର । ତାଙ୍କ ସ୍ୱର ସହିତ ସେ ବି ମିଶେଇଦେଲା ତା’ କଣ୍ଠ ସ୍ଵର ।

 

ଶବଦାହ ଶେଷ କରି ଅନଙ୍ଗ ଆଉ ସୁବ୍ରତ ଫେରିଆସିବା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଗଲେଣି । ମୁହଁ କାନ ତାଙ୍କର ପଶିଯାଇଚି । ଦୁର୍ଭିକ୍ଷପ୍ରପୀଡ଼ିତ ନରକଙ୍କାଳ ଭଳି ହୋଇଯାଇଚି ଚେହେରା ।

 

ସଦାମଣୀ ଦେବୀ ସୁବ୍ରତକୁ ଦେଖି ଆଉରି ବ୍ୟଥିତ ହୋଇପଡ଼ିଲେ । ଗୋରା ତକ୍‌ତକ୍‌ ମୁହଁ କଳା ପଡ଼ିଯାଇଚି । ମୃତ ଆତ୍ମାପାଇଁ କାନ୍ଦିବା ବନ୍ଦ କରି ସେ ଧାଇଁ ଆସିଲେ ପୁଅ ପାଖକୁ । ତା’ରି ଭିତରୁ ବୋଧହୁଏ ସେ ଖୋଜି ପାଇଲେ ନିଜ ସ୍ଵାମୀଙ୍କର ସଂଧାନ । ପଣତକାନିରେ ସୁବ୍ରତର ମୁହଁ ପୋଛି ଦେଇ ମୁହଁରେ ତା’ର ଆଙ୍କିଦେଲେ ଅଜସ୍ର ଚୁମ୍ଭନ । ମାଆର ଅନ୍ତରରୁ ପୁଅପାଇଁ ଝରି ଆସୁଥିଲା ଅସରନ୍ତି ସ୍ନେହର ଫଲ୍‌ଗୁ ।

 

ସୁବ୍ରତ ଆଉ ଅନଙ୍ଗ କାଠଯୋଡ଼ୀରୁ ଗାଧୋଇବା କାମ ଶେଷ କରି ଆସିଥିଲେ । ମମତା ସେମାନଙ୍କ ଖାଇବାର ବନ୍ଦୋବସ୍ତ କଲା । ସାଇ ପଡ଼ିଶାରୁ ଅନ୍ୟ ଯେଉଁମାନେ ଯାଇଥିଲେ ଶବ ସହିତ, ସେମାନଙ୍କୁ ପ୍ରଥମେ ଖାଇବାକୁ ଦେଇ ପରେ ଖାଇ ବସିଲେ ଅନଙ୍ଗ ଆଉ ସୁବ୍ରତ । ଗୋଟାଏ ଝଡ଼ ରାତ୍ରିର ଅବସାନ । ଦେହମନ ଅବଶ ଲାଗୁଚି । ଏଣୁ ତେଣୁ ଦି’ ଚାରି ଥର ଖାଇ ଗୋଟାଏ ନିଭୃତ କୋଠରୀରେ ସେମାନେ ଶୋଇପଡ଼ିଲେ ।

 

‘‘ଦଶ ବାରଦିନ ଛୁଟି ନେଇ ତୁ ଏଠିକି ଚାଲିଆ ମମତା !’’

 

ଆସିବାକୁ ହବ । ଗୋଟାଏ ପରିବାର ବ୍ୟଥାର ସଙ୍ଗୀତରେ ମ୍ରିୟମାଣ ହେଇପଡ଼ିଛି । ଅଶ୍ୱାସନା ଦେବାର ଭାର ମମତା ଉପରେ । ସେ ନ ଆସିବ ବା କେମିତି ? ବାପ–ମା, ଜ୍ଞାତିକୁଟୁମ୍ବଙ୍କୁ ହରାଇ ଯାହାଙ୍କୁ ସେ ନିଜର ବୋଲି ମାନି ନେଇଛି, ସେମାନଙ୍କର ଏ ବିପତ୍ତି କ’ଣ ତା’ ନିଜର ବିପତ୍ତି ନୁହେଁ ? ସୁବ୍ରତକୁ ତ ସେ ଜ୍ଞାନ କରୁଛି ତା’ ନିଜର ଭାଇ ଭଳି । ରେଣୁ ଆଉ ଶର୍ବରୀ ତା’ ନିଜର ଭଉଣୀ । ଏତେ ଅଳ୍ପ ଦିନ ପରିଚୟରେ ମଧ୍ୟ ଏଇ ପରିବାର ସହିତ ସେ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ ରକ୍ତର ସମ୍ପର୍କ ନ ଥାଇ ମଧ୍ୟ ମଣିଷ ମଣିଷକୁ ନିଜର କରିପାରେ ।

 

ବନ୍ଧୁ ସୁବ୍ରତର ଏ ବିପତ୍ତିରେ ଅନଙ୍ଗ ତା’ ଘର ଛାଡ଼ି ଆସିପାରିଲା ନାହିଁ । ସବୁ କାମ ଖୁବ୍‌ ସୁରୁଖୁରୁରେ ହୋଇଗଲା । ବହୁ ବନ୍ଧୁ ବାନ୍ଧବ, ଜ୍ଞାତିକୁଟୁମ୍ବ ଆସିଥିଲେ । ଶର୍ବରୀ ଆଉ ତା’ର ସ୍ୱାମୀ ଦୂର ଅଞ୍ଚଳରୁ ଆସିପାରିଲେ ନାହିଁ । ଶର୍ବରୀର ସ୍ୱାମୀ ଅସୁସ୍ଥ ଥିଲେ ଆଖିଲୁହରେ ଶର୍ବରୀ ଲେଖିଥିଲା ଚିଠି ରେଣୁ ପାଖକୁ ।

 

ବୀରଦିନ ପରେ ।

 

ଅନଙ୍ଗ ବିଦାୟ ନେଇ ହୀରାକୁଦ ଫେରିଗଲା । ସେ ଯିବାବେଳେ ସୁବ୍ରତ ତା’କୁ ନୂଆ ଲୁଗା ପିନ୍ଧାଇଥିଲା । ରେଣୁ ଛଳଛଳ ଅଖିରେ ନମସ୍କାର ଜଣାଇ–ଥିଲା । ତା’ ଜୀବନ–ଇତିହାସରେ ଏ ଗୋଟିଏ ନୂତନ ପରିଚ୍ଛେଦ ।

 

ଅନଙ୍ଗ ଚାଲିଆସିବା ପରେ ଭାଙ୍ଗିପଡ଼ିଲା ସୁବ୍ରତ । ସଂସାର ଦାଣ୍ଡରେ ଏକାଟିଆ ଛିଡ଼ା ହବାକୁ ସେ ଶିଖି ନ ଥିଲା ।

 

ସେ ଦିନ ମମତା ଆସି କହିଲା–

 

“ସୁବ୍ରତ ଭାଇ, କାଲି ମୋ ଛୁଟି ପୂରିଯିବ । ମୁଁ ଆଜି ଚାଲିଯିବି ମୋ ବସାକୁ ।’’

 

ଅଶ୍ରୁ ଛଳଛଳ ଆଖିରେ ସୁବ୍ରତ କହିଲା–

 

“ହଁ, ତୁ ଆଉ କାହିଁକି ରହିବୁ । ଯୋଉମାନେ ଆସିଥିଲେ ସମସ୍ତେ ଚାଲିଗଲେ, ମୁଁ କ’ଣ କାହାରିକୁ ଅଟକେଇଛି ? ତୁ ସେମିତି ଆସିଥିଲୁ, ଚାଲିଯିବୁ–ଯା ।’’

 

ଅଭିମାନରେ ଭରି ଯାଇଥିଲା କଣ୍ଠ । ମମତା ଉପରେ ତାର କିଛି ଅଧିକାର ନାହିଁ । ସେ ଯିବାପାଇଁ ଆସିଥିଲା, ଯିବ । ଅଜଣା ଦୁଃଖରେ ଲୋତକ ଭରିଗଲା ତା’ ଆଖିରେ । ରୁମାଲ୍‌ ରେ ପୋଛି ଆଣିଲା ସେ ମୁହଁ ।

 

ମମତା କହିଲା–

 

“ସୁବ୍ରତ ଭାଇ, ତମେ କାନ୍ଦୁଛ ? ମୁଁ ତ ସବୁଦିନ ପାଇଁ ଚାଲିଯାଉନି ! ମଝିରେ ମଝି ରେ ନିଶ୍ଚୟ ଆସିବି ।’’

 

–‘‘ମମତା, ମୋ ପାଇଁ ମୁଁ କାନ୍ଦୁନି । ତୁ ଚାଲିଗଲେ ମା ରହିବ କେମିତି ? ରେଣୁ ତ ପିଲାଲୋକ ।’’

 

‘‘କିନ୍ତୁ ତୁମେଇ ତ ମତେ କହିଥିଲ–ଯେମିତି ହେଉ ବଞ୍ଚି ରହିବାକୁ ହେବ । ମୁ ଆଜି ଯିବି–ବଞ୍ଚିରହିବା ପାଇଁ । ତୁମେ କ’ଣ ଭାବୁଚ ସ୍ଵେଚ୍ଛାରେ ମୁଁ ଚାଲି ଯାଉଚି ! ଥରେ ଯଦି ତମେ ଦେଖିପାରନ୍ତ ମୋ ଅନ୍ତର ଭିତରଟାକୁ ଦେଖନ୍ତ କି ବ୍ୟଥାରେ ମୁଁ ଛଟପଟ ହେଉଛି । ଏ ଘର ଛାଡ଼ି ଯିବାବେଳେ–ମୁଁ ଭାବୁଛି ଯେମିତି ମୋ ଇଚ୍ଛା ବିରୁଦ୍ଧରେ ଫାଶୀ ଖୁଣ୍ଟକୁ ଯାଉଛି ମୁଁ । କିନ୍ତୁ କ’ଣ କରିବି ?

 

ତୁମେଇ କୁହ ସୁବ୍ରତ ଭାଇ, ମୁଁ କ’ଣ କରିବି ?’’

 

‘‘କିଛି ଦିନ ପାଇଁ ତୁ ଏଇଠି ରହ । ଏଇଠୁ ପ୍ରତିଦିନ ସ୍କୁଲକୁ ଯିବୁ । ମୁ ୟା ଭିତରେ କିଛି ଦିନପାଇଁ ଶର୍ବରୀକ ନେଇଆସିବି । ସେ ଆସିଲେ ତୁ ଚାଲିଯିବୁ ମମତା ! ସେତେବେଳେ ତତେ କେହି ଅଟକେଇବେ ନାହିଁ । ମା’ କଥା ନେଇ ମୁଁ ଚିନ୍ତିତ ହୋଇପଡ଼ିଛି । ତୁ ତ ଜାଣୁ, ଆଜି ସୁଦ୍ଧା ସେ ଅନ୍ନ ଛୁଇଁ ନାହିଁ । ତୁ ଅଛୁ ବୋଲି ବେଳେବେଳେ ତା’ ମନରେ ଶାନ୍ତି ଆଣି ଦଉଛୁ । ସେ ଏକାଟିଆ ହେଇଗଲେ ପଛକଥା ଭାବି ଭାବି ଭାଙ୍ଗି ପଡ଼ିବ ।’’

 

ନୀରବ ରହିଲା ସୁବ୍ରତ, କଥା ଶେଷ କରି ।

 

Unknown

ମମତା ସଜଳ ଦୃଷ୍ଟିରେ ଚାହିଁ ରହିଥିଲା ତାହାରି ଆଡ଼େ । ଅନ୍ତତଃ ଶର୍ବରୀ ଆସିବା ପର୍ଯ୍ୟନ୍ତ । ସେ ସେଇଠି ରହିବ । ତା’ଛଡ଼ା ଅନ୍ୟ ବାଟ ଆଉ କିଛି ନାହିଁ ।

 

–ଛଅ–

 

ବି. ଏ. ପରୀକ୍ଷା ଫଳ ବାହାରିଛି । ପାସ୍‌ କରିଛି ସୁବ୍ରତ ।

 

ବାପା ତା’ର ବଞ୍ଚିଥିଲେ କେତେ ଖୁସି ହୋଇ ନ ଥାନ୍ତେ ! ଆଜି ହୁଏତ ତାଙ୍କ ଘରେ ଭୋଜିର ଆୟୋଜନ ହୋଇଥାଆନ୍ତା । ପଚାଶ ଶହେ ବନ୍ଧୁ ଆସି କ୍ଷୀର–ମୋହନ ଖାଇ କେତେ ଆର୍ଶିବାଦ–ଶୁଭେଚ୍ଛା ଅଜାଡ଼ି ଦେଇଥାନ୍ତେ ତା’ ମୁଣ୍ଡ ଉପରେ । କେତେ ହାକିମ ହୁକୁମା, ଓକିଲ ବାରିଷ୍ଟର ଆସି ମାର୍କୋଭିଚ୍‌ ସିଗାରେଟ ଟାଣି ତା’ ଭବିଷ୍ୟତ କର୍ତ୍ତବ୍ୟ ସମ୍ପର୍କରେ କେତେ ମୂଲ୍ୟବାନ୍‌ କଥା କହି ଦେଇ ଯାଇଥାଆନ୍ତେ । ସଞ୍ଜ ହେଉ ନ ହେଉଣୁ ତାଙ୍କ ଘର ପାଖ ରାସ୍ତାରେ ଛିଡ଼ା ହୋଇ ଯାଇଥାଆନ୍ତେ । ନୂଆ ନୂଆ ମଡ଼େଲର ମୋଟର କାର୍‌ । ସାଇ ପଡ଼ିଶାର ବନ୍ଧୁମାନେ ଫୁଲ ତୋଡ଼ା ଦେଇ ତାକୁ ଅଭିନନ୍ଦନ ଜଣାଇଥାଆନ୍ତେ । ବି. ଏ. ପରୀକ୍ଷା ସ୍ଵରୂପ ତୁଙ୍ଗ ପରୀକ୍ଷାର ଚୂଡ଼ାକୁ ଅତିକ୍ରମି ଆସିଚି ସେ । ବିଜୟ ଗର୍ବରେ ଛାତି ତା’ର କୁଣ୍ଢେ ମୋଟ ହେଉଥା’ନ୍ତା । ସଦାମଣୀ ଦେବୀଙ୍କୁ ଆଜି ତା’ର ନ ଥାନ୍ତା । ପୁଅର ଭବିଷ୍ୟତର ସୁନେଲି ଚିତ୍ର କେତେ ଲୋକଙ୍କ ଆଗରେ ସେ ବାଢ଼ି ଥାଆନ୍ତେ । ମାଆ ହେଇ ସେ ଗୋଟିଏ ମାତ୍ର ପୁଅ ଜନ୍ମ କରିଛନ୍ତି । ସେ ପୁଅ ଅତି ଗେଲବସରରେ ବଢ଼ି ମଧ୍ୟ ଅକର୍ମା ହେଇନି । ସବୁ ଗୌରବ ତ ତାଙ୍କର । ସେ ଯେମିତି ତାଙ୍କୁ ଗଢ଼ିଛନ୍ତି, ସେ ସେମିତି ବଢ଼ିଚି । ପିଲା ଜନ୍ମ ହେଇସାରିଲା ପରେ ବାପମାନେ ତା’ର ଭଲ ମନ୍ଦ କ’ଣ ବୁଝନ୍ତି ? ଦଶଟାରୁ ଚାରିଟା ଅଫିସ ଯିବା, ଅଫିସରୁ ଥକ୍‌କା ହେଇ ଫେରି ଜଳଖିଆ ଟିକେ ଖାଇ ଅଗଣାରେ ଥଣ୍ଡା ପବନ ଖାଇବା ସେମାନଙ୍କର କାମ । ଘର ଭିତର ପିଲାଙ୍କୁ ମଣିଷ କରିବାର ଦାୟିତ୍ୱ ମା’ମାନଙ୍କର । ପଡ଼ିଶା ଘରୁ ଆଜି ଯେତୋଟି ସ୍ତ୍ରୀ ଲୋକ ନିୟନ୍ତ୍ରିତ ହୋଇ ଆସିଥା’ନ୍ତେ ସମସ୍ତେ ଏଇ କଥା ଶୁଣି ଯାଇଥାଅନ୍ତେ ।

 

ଏତେ ବଡ଼ ଦିନ । ସୁବ୍ରତ ଚୁପ୍‌ ହେଇ ବୈଠକଖାନାରେ ଚେୟାର ଉପରେ ବସିଚି । ମୁହଁ ରେ ତା’ର ସରସତା ନାହିଁ–ପାସ୍‌ କରିଛି ବୋଲି ଗର୍ବ ନାହିଁ । ପାସ୍‌ କରିବାରେ ତ ପଢ଼ା ଶେଷ ହୋଇଗଲା । ଏଣିକି ସେ କ’ଣ କରିବ ? ଘରର ଦାୟିତ୍ୱ ସବୁ ତା’ରି ଉପରେ ପଡ଼ିଛି । ଘର ପାଖରେ ଯାହା ଜମିବାଡ଼ି ଅଛି, ସେସବୁ ଭାଗରେ ଲଗା ହେଇଚି । ଆଗରୁ ସେମାନଙ୍କର ବହୁତ ଜମିବାଡ଼ ଆଉ ଜମିଦାରୀ ଥିଲା । ସରକାର ଆଇନ୍‌ କରି ଜମିଦାରୀ ନେଲେ । ନବକେତନବାବୁ ବାହାରେ ଚାକିରି କରି ରହୁଥିବାରୁ ଅଧିକାଂଶ ଜମି ତାଙ୍କର ଭାଗ ଦେଇଥିଲେ । ନିଜର ଦଖଲ ନ ଥିବାରୁ ସେସବୁ ଜମି ଗଲା । କେବଳ ତାଙ୍କ ଭାୟାରା ଓ ବିଶ୍ଵାସୀ ଲୋକ କେତେଜଣ ଯେଉଁ ସବୁ ଜମି ଭାଗ କରୁଥିଲେ, ସେଗୁଡ଼ିକ ସେମାନେ ନବକେତନ ବାବୁଙ୍କୁ ଫେରାଇଦେଲେ । ସେସବୁ ଜମି ମୋଟେ ପଚିଶ ତିରିଶ ଏକର ହବ । ସେମାନେ ହିଁ ଏଇ ଜମିଗୁଡ଼ିକୁ ଭାଗ କରନ୍ତି । ଧାନ ଅମଳ କରି ଓ ଉଷେଇଁ ଚାଉଳ କରି କଟକ ପଠେଇ ଦିଅନ୍ତି । କଟକ ବସାରେ ଆଉ ଚାଉଳ କିଣିବା ଦରକାର ପଡ଼େନି । ବର୍ଷକ ଯାକ ଏଇଥିରେ ଚଳିଯାଏ । ନବକେତନ ବାବୁଙ୍କ ମୃତ୍ୟୁ ବେଳକୁ ଗଚ୍ଛିତ ଟଙ୍କା ତାଙ୍କର ବିଶେଷ କିଛି ନ ଥିଲା । ପାଞ୍ଚହଜାର ଟଙ୍କାର ଗୋଟିଏ ଜୀବନ ବୀମା ଆଉ ପୋଷ୍ଟ ଅଫିସରେ ନଗଦ ଜମା ତିନି ହଜାର । ତାଙ୍କ ମୃତାହ କାମରେ ପ୍ରାୟ ଦୁଇହଜାର ଟଙ୍କା ଖର୍ଚ୍ଚ ହେଇ ଯାଇଥିଲା । ଆଉ ଯାହା ବାକି ରହିଛି, ସେତିକି ସରିଲେ ଆଉ କିଛି ସମ୍ବଳ ନାହିଁ । ପରିବାରର ଗୁଜୁରାଣ ସେତିକିରେ କେତେ ଦିନ ମେଣ୍ଟିବ ?

 

ସବୁ ଉପରେ ପୁଣି ରହିଛି ରେଣୁର ବାହାଘର । ଆଜିକାଲି ଝିଅ ବାହାଘର କରିବାର କଷ୍ଟ କେବଳ ଯେ ଝିଅ ଜନ୍ମ କରିଚି, ସେଇ ଜାଣେ । ସମ୍ଭ୍ରାନ୍ତ ବଂଶର ଝିଅମାନେ ବାଇଶ ତେଇଶବର୍ଷ ପର୍ଯ୍ୟନ୍ତ ବାଧ୍ୟ ହେଇ ଅଭିଆଡ଼ୀ ହେଇ ରହୁଛନ୍ତି । ଶିକ୍ଷିତ ଯୁବକମାନଙ୍କର ଦାବୀ ପୂରଣ କରିବା କୌଣସି ମଧ୍ୟବିତ୍ତ ଶ୍ରେଣୀର ଲୋକ ପକ୍ଷରେ ଆଜିକାଲି ଆଉ ସମ୍ଭବ ନୁହେଁ । ଦିନ ଥିଲା, ଯେତେବେଳେ ଏ ଦେଶର ମଧ୍ୟବିତ୍ତ ଶ୍ରେଣୀ ସ୍ଵଚ୍ଛଳ ଥିଲେ । ପ୍ରତ୍ୟେକଙ୍କ ପାଖରେ କିଛି କିଛି ନଗଦ ଟଙ୍କା ରହୁ ଥିଲା । କିନ୍ତୁ ଆଜି ଆଉ ସେ ଅଯୋଧ୍ୟା ନାହିଁ କି ସେ ରାମଚନ୍ଦ୍ର ମଧ୍ୟ ନାହାନ୍ତି । ମଧ୍ୟବିତ୍ତ ଶ୍ରେଣୀର ମେରୁହାଡ଼ ଆଜି ଭାଙ୍ଗି ଯାଇଛି । ସେ ନିଶ୍ଚିହ୍ନ ହେଇଯିବାକୁ ବସିଲାଣି-। ରୋଗ ହେଲେ ଡାକ୍ତର ଦେଖାଇବାକୁ ପାଞ୍ଚଟାଟଙ୍କା ବି ସେ ପାଉନି ସମାଜରେ ସବୁଠୁଁ ଖରାପ ଅବସ୍ଥା ଏଇ ମଧ୍ୟବିତ୍ତ ଶ୍ରେଣୀର । ସେମାନଙ୍କ ଘରେ ଖାଲି କନା ହିଁ ପଡି ରହିଚି-। କର୍ପୂର ଉଡ଼ିଗଲାଣି କେଉଁ ଦିନରୁ ।

 

କୁଆଡ଼େ ଗଲା କର୍ପୂର ସେ ଐଶ୍ଵର୍ଯ୍ୟ ! ଯେଉଁମାନେ ମଧ୍ୟବିତ୍ତ ଶ୍ରେଣୀଠୁଁ ଜମିବାଡି ନେଇ ଯାଇଛନ୍ତି, ସେମାନଙ୍କ ଅବସ୍ଥା କ’ଣ ବା ସେମିତି ଭଲ ଆଡ଼କୁ ଆସିଚି ? ମଧ୍ୟବିତ୍ତ ଶ୍ରେଣୀକୁ ହତ୍ୟା କରି, ସେମାନଙ୍କ ଜମି ନେଇ ବଣ୍ଟନ କରିବାରେ କିଛି ଅର୍ଥ ହୁଏନା ।

 

ନବକେତନ ବାବୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅତି ସାଧାରଣ ସ୍ତରକୁ ଖସି ଆସିଛନ୍ତି । ନିଜର ବିଶ୍ଵାସୀ ଲୋକ ତାଙ୍କ ଜମିସବୁ ଭାଗ କରିଛନ୍ତି ବୋଲି ଟିକିଏ ରକ୍ଷା ମିଳିଛି । ନୋହିଲେ ପ୍ରାପ୍ୟର ଦୁଇଗୁଣ ମକଦ୍ଦମା ପଛରେ ଚାଲି ଯାଉଥା’ନ୍ତା । ଚାରିଭାଗରୁ ଭାଗେ ଜମିମାଲିକର ପ୍ରାପ୍ୟ, ଭାଗଚାଷୀ ଜମିରୁ ବେଦଖଲ ହେବ ନାହିଁ । ଯୋଉମାନେ ନବକେତନବାବୁଙ୍କ ଭଳି ବାହାରେ ଚାକିରି କରି ବୁଲୁବୁଲୁ ହଠାତ୍‌ ମରିଯାଆନ୍ତି, ପରିବାରର ଆଉ କିଛି ଆୟ ପନ୍ଥା ନ ଥାଏ, ସେମାନେ ଗାଁକୁ ଫେରି ଅସିବାକୁ ଚାହିଁଲେ ମଧ୍ୟ ଆସିପାରିବେ ନାହିଁ । ଆସିଲେ ଲାଭ ବା କ’ଣ ହେବ ? ଯୋଉ ଚାଷୀମାନେ ଜମି ଚାଷ କରୁଛନ୍ତି, ସେମାନେ ତ ଜମିରୁ ଉଠିବେ ନାହିଁ, ଚାରିଭାଗରୁ ଭାଗେ ନେଇ କାଳ କାଟିବାକୁ ହେବ ସେମାନଙ୍କୁ । ଚାଷୀ ଯଦି ଭଲରେ ରାଜଭାଗ ଦେଇଯାଏ ତ ଭଲ କଥା, ନୋହିଲେ ଜମିମାଲିକର ଦଫାରଫା ଶେଷ । ଭବିଷ୍ୟତ କଥା ଚିନ୍ତାକରି ସୁବ୍ରତ ଗମ୍ଭୀର ହୋଇ ବସିଥିଲା । ଚାକିରି ବାକିରି ନ ହେଲେ ଚଳିହେବ ନାହିଁ ।

 

ଖାଲି ସୁବ୍ରତ କାହିଁକି–ଆମ ଦେଶର ସବୁ ଶିକ୍ଷିତ ଯୁବକଙ୍କର ଅବସ୍ଥା ଏଇୟା । ଖୁସିରେ ଆଜିକାଲି କେହି ଆଉ ଚାକିରି କରିବାକୁ ଯାଉ ନାହାନ୍ତି । ଦିନଥିଲା ଯେତେବେଳେ ବଡ଼ଲୋକମାନେ ବି ସବ୍‌ଡେପୁଟୀଟିଏ ହେଇ କ୍ଷମତା ବ୍ୟବହାର କରିବାକୁ ଚାହୁଁ ଥିଲେ । ବିନା ପଇସାରେ ହାକିମାତି କରୁଥିଲେ । କିନ୍ତୁ ଆଜିକାଲି ବି. ଏ. ପାସ୍‌ କରୁ ନ କରୁଣୁ ଶିକ୍ଷିତ ଯୁବକ ଚାକିରି ଅନୁସନ୍ଧାନ କରେ । ଖୁସିରେ ନୁହେଁ–ଚାକିରି ନ କଲେ ପରିବାର ଚଳିବ ନାହିଁ । ପୁଅ ବି. ଏ. ପାସ୍‌ କଲା ବେଳକୁ ଅନେକ ବାପ ଦେଣାଗ୍ରସ୍ତ ହୋଇ ପଡ଼ିଥା’ନ୍ତି । କେତେକ ସବୁ ଜମିବାଡି ବିକ୍ରୟ କରି ବଡ଼ ଆଶା କରି ପୁଅକୁ ପାଠ ପଢ଼େଇଥା’ନ୍ତି । କିନ୍ତୁ ଡିଗ୍ରୀ ହାସଲ ପରେ ଚାକିରି ଦୁସ୍ପ୍ରାପ୍ୟ ହୁଏ ।

 

ରେଣୁ ସ୍କୁଲରୁ ଫେରିଆସି ଦେଖିଲା–ଭାଇ ଏକାଟିଆ ନୀରବରେ ବସିଛନ୍ତି । ସ୍କୁଲରେ ବସି ବସି ସେ ଭାବୁଥିଲେ ଆଜି ହୁଏତ ତାଙ୍କ ଘରେ ଗୋଟାଏ ଭୋଜିର ଆୟୋଜନ ହେଇଥିବ । କିନ୍ତୁ ଆସି ଦେଖିଲା ସବୁ ଶୂନଶାନ୍‌ । ଭୋଜିର ନାମ ଗନ୍ଧ ବି ନାହିଁ ।

 

ଭିତରକୁ ଯାଇ ଦେଖିଲା, ମା ତା’ର ଲୁଗା କାନି ପାରି ଭୂଇଁରେ ଗଡ଼ୁଛନ୍ତି । ମମତା ଏ ପର୍ଯ୍ୟନ୍ତ ତା କାମରୁ ଫେରିନାହିଁ ।

 

ଆଶ୍ଚର୍ଯ୍ୟ ! କିଶୋରୀ ରେଣୁ ତା’ର ସରଳ ମନ ନେଇ କିଛି କଥା ବୁଝି ପାରିଲା ନାହିଁ । ଏଡ଼େ ବଡ଼ ଗୌରବମୟ ଦିନରେ ଏ ନୀରବତା ତା’କୁ ବିଚିତ୍ର ମନେହେଲା । ବାପା ମରିଯିବା ତ ମାସେ ହେଇଗଲାଣି । ସେଇ କେତେ ଦିନ ସେ ଖୁବ୍‌ କାନ୍ଦିଛି । ଏତେଦିନ ପରେ ବି ଘରେ ଆଜି ଏ ଅବସ୍ଥା କାହିଁକି ? ମମତା ଥିଲେ ତା’କୁ ସେ ୟା’ର କାରଣ ପଚାରିଥା’ନ୍ତା । ତା’ ଛଡ଼ା ଆଉ କାହାରିକୁ ତ ସେ କିଛି ପଚାରିପାରିବ ନାହିଁ ।

 

କାହାରିକୁ କିଛି ନ କହି ଲୁଗା ବଦଳେଇ ସେ ତା’ ଶୋଇବା ଘର ଖଟ ଉପରେ ଶୋଇ ପଡ଼ିଲା ।

 

କିଛି ସମୟ ପରେ ଫେରିଲା ମମତା । ରେଣୁ ଯେମିତି ତାକୁ ହିଁ ଚାହିଁ ରହିଥିଲା । ସାଙ୍ଗେ ସାଙ୍ଗେ କହିଲା–

 

‘‘ଅପା, ଭାଇ ବି: ଏ : ପାସ୍‌ କରିଛନ୍ତି । କାଇଁ, ଖିଆପିଆ ଯୋଗାଡ଼ ତ କିଛି ହଉନି !’’

 

ମମତା ତାକୁ କ’ଣ ଉତ୍ତର ଦବ ? ସଂସାରକଥା ସେ କିଛି ବୁଝିନି । ନ ଦେଲେ ଏମିତି ପ୍ରଶ୍ନ ପଚାରୁଥା’ନ୍ତା ? ସାରା ପରିବାର ଆଗରେ ଏକ ଜଟିଳ ସମସ୍ୟା, ଅଲିଅଳ ଝିଅ ବୁଝି ପାରୁନି-

 

ମମତା କହିଲା–

 

ଭୋଜିର ଆୟୋଜନ କରିବ କିଏ ଏ ବାପା ଥିଲେ ସିନା କରିଥା’ନ୍ତେ ! ଭାଇ ପାସ୍‌ କରିଛନ୍ତି–ସେ ପୁଣି ନିଜେ ଭୋଜିର ଅୟୋଜନ କରିବେ କେମିତି ?

 

‘‘ସେ କ’ଣ ନିଜେ କରିଥାନ୍ତେ । ଆମେ ଦିହେଁ ତ ସବୁ କରିଥାନ୍ତେ ।’’

 

‘‘ବ୍ୟସ୍ତ ହ’ନା । ଭାଇଙ୍କ ବି: ଏ: ପାଶ୍‌ ଭୋଜି ଆଉ ତୋ ବାହାଘର ଭୋଜି ଏକା ସାଙ୍ଗରେ ହବ ।’’

 

‘‘ଯାଃ–ତୁମେ ବଡ଼ ନା ମୁଁ ବଡ଼ ? ତମ ବାହାଘର ହେଇସାରିଲା ପରେ ସିନା ମୋ କଥା ଉଠିବ, ତା’ ଆଗରୁ ତ ନୁହେଁ । ’’

 

‘‘ହଉ ଦେଖାଯିବ, କାହା ବାହାଘର କଥା ଆଗେ ଉଠୁଚି । ତୋର ନା ମୋର ।’’

 

‘‘ରେଣୁ ଏଇ ବାହାଘର କଥା ଶୁଣି ଅନନ୍ଦିତ ହେଉଥିଲା । ମମତା ତା’ ବାହାଘର କଥା ଶୁଣି ନିରାଶ ହଉଥିଲା । ତା ବାହାଘର କରିବ କିଏ ? ନିଜର ବୋଲି ତା’ର କିଏ ଅଛି ? ତା’ର ଅତୀତ ଜୀବନ କଥା ରେଣୁ କିଛି ଜାଣେ ନାହିଁ । ତେଣୁ ବିନା ଦ୍ଵିଧାରେ ସେ ତା’ ବାହାଘର କଥା କହିପାରିଲା । ସେ ହୁଏତ ଜାଣେ ନାହିଁ–ଏଇ ପଦକ କଥା କହି ମମତାର କୋମଳ ଅନ୍ତର ତଳେ ସେ ଜଳେଇ ଦେଇ ଗଲା ସର୍ବନାଶୀ, ନିଆଁ ।

 

ସେଇ ନିଆଁ ରେ ସାରା ଜୀବନ ଜଳି ପୋଡ଼ି ମରିବ ମମତା । ସେଇଥିରୁ ରକ୍ଷା ପାଇବା ପାଇଁ ଆଜି ତ ସେ ଚାକିରି ଜୀବନ ବାଛି ନେଇଛି ।

 

ରେଣୁ ପୁଣି କହିଲା–

 

‘ଅପା, ଭାଇଙ୍କୁ କହି ଶୀଘ୍ର ତମ ବାହାଘର ଯୋଗାଡ଼ ମୁଁ କରିବି । ତମର ବାହା ହବାକୁ ଭାରି ଇଚ୍ଛା ହେଲାଣି ।

 

ରାଧାନାଥ ଗ୍ରନ୍ଥାବଳୀରେ ତ ପଢ଼ିଚ–

 

‘‘ଲୋଭୀ ଭୁଞ୍ଜେ ଯଥା ସ୍ଵ ମର୍ଯ୍ୟାଦା ଜଗି

ପ୍ରତିବାସୀ ପତ୍ରେ କହେ ଦେବା ଲାଗି ।’’

 

ନିଜ କଥା ନ କହି, ତମେ ମୋ କଥା ଉଠୋଉଛ । ଆଜି ସନ୍ଧ୍ୟାବେଳେ ମୁଁ ଭାଇଙ୍କି କହିବି । ତମେ ଭାରି ଚାଲାକ୍‌ ।’’

 

ରେଣୁ କଥାର ଗୁରୁତ୍ଵ କିଛି ବୁଝେନା । ହୁଏତ ଭାଇ ପାଖରେ ସନ୍ଧ୍ୟାବେଳେ କହିଦେବ-

 

ମମତା କହିଲା–‘‘ଛି ରେଣୁ, ଏସବୁ କଥା ବଡ଼ ଭାଇଙ୍କ ପାଖରେ କୁହା ଯାଏନା । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତୋର ବୁଦ୍ଧି ଶୁଦ୍ଧି ବି ଟିକିଏ ହାଉନି ।’’

 

ରେଣୁ ମୁହଁ ଓଳେଇ ପକେଇ କହିଲା–

 

‘‘ନ ହେଲା ଏବେ ଭାଇଙ୍କି ନ କହିବି, ମା’ଙ୍କୁ କହିବି । ସେ ବଳେ ଭାଇଙ୍କୁ କହିବେ ।’’

 

ମମତା କୃତ୍ରିମ ରାଗ ପ୍ରକାଶ କରି କହିଲା–

 

‘‘ରେଣୁ, ତୁ ଯଦି ଏମିତି ସବୁ କରିବୁ, ମୁଁ କାଲି ଏ ଘର ଛାଡ଼ି ପଳେଇ ଯିବି ।’’

 

ମମତା ପଳେଇଯିବ–ରେଣୁ ପାଖରେ ତାହା ଦୁର୍ବିଷହ । ସେ ଆସି ମାଫି ମାଗିଲା–

 

‘‘ନାଇଁ ଅପା, ମୁଁ କହିବି ନାଇଁ । ତମକୁ ଥଟ୍ଟାରେ ସେମିତି କହୁଥିଲି । ତମେ ଏଠୁ ଚାଲିଗଲେ ମୁଁ ଦଣ୍ଡେ ଚଳିପାରିବି ନାହିଁ ।’’

 

ମୃଦୁ ହସି ମମତା କହିଲା–

 

‘‘ସେଇଥିପାଇଁ ତ ମୁଁ ବାହାଫାହା ନ ହେଇ ଏଇଠି ସବୁଦିନେ ରହିବି । ମୁଁ କ’ଣ ତତେ ଛାଡ଼ି ଯାଇପାରିବି ରେଣୁ ?’’

 

‘‘ଅପା, ସେଇଆ କରିବା । ତମେ ଆଉ ମୁଁ ବାହା ନ ହେଇ ସବୁଦିନେ ସାଙ୍ଗହେଇ ରହିବା । ମୁଁ ମାଟ୍ରିକୁଲେସନ୍‌ ପାସ କରି ତମରି ଭଳି ଚାକିରି କରିବି ।’’

 

‘‘ହଉ’’–କହିଲା ମମତା ।

 

ଚାକର ଆସି କହିଲା ଚା ହୋଇଗଲାଣି ବୋଲି । ମମତା ଗୋଟାଏ ପ୍ଲେଟ୍‌ ରେ ଚାରି ଖଣ୍ଡି, ବିସ୍କୁଟ୍‌ ଆଉ କପେ ଚା’ ନେଇ ସୁବ୍ରତ ପାଖକୁ ଗଲା । ଛାତ୍ର ଜୀବନରେ ସୁବ୍ରତ ନିୟମିତ ଚା’ ଖାଉ ନ ଥିଲା । କିନ୍ତୁ ବର୍ତ୍ତମାନ ସେ ଅଭ୍ୟସ୍ତ । ବିସ୍ତୁଟ୍‌ ଆଉ ଚା’ ଟିପୟ ଉପରେ ରଖି ଦେଇ ନୀରବରେ ଠିଆ ହେଲା ସେ ।

 

ସୁବ୍ରତ କୌଣସି ଚିନ୍ତାରେ ମଗ୍ନ । ଚା’ କପ୍‌ କୁ ଦେଖି ମଧ୍ୟ ମନେ ହେଉଥିଲା ସେ ଦେଖି ନାହିଁ । ମମତାର ଉପସ୍ଥିତ ମଧ୍ୟ ସେ ଅନୁଭବ କରିପାରୁ ନ ଥିଲା ।

 

‘‘ଚା’ ଥଣ୍ଡା ହୋଇଯିବ’–ଧୀର ଗଳାରେ କହିଲା ମମତା । ଚିନ୍ତା–ରାଜ୍ୟରୁ ଫେରିଆସି ସୁବ୍ରତ ନିଜର ଅନ୍ୟମନସ୍କତା ପାଇଁ ଲଜ୍ଜିତ ହେଲା । ଚା’ କପ୍‌ ଓଠରେ ଦଉ ଦଉ ସେ କହିଲା–

 

‘‘ମମତା, ବାପା ଥିଲେ ଆଜି କେତେ ଖୁସି ହେଉ ନ ଥାନ୍ତେ । ପୁଅର ଶୁଭ ଖବର ସେ ଶୁଣି ପାରିଲେନି ।’’

 

ମୁହଁ ରେ ତା’ର ବ୍ୟଥାର ଛାପ । ଦୀର୍ଘଶ୍ଵାସ ଘନଘନ ବାହାରି ଆସୁଚି ।

 

ମମତା କହିଲା–

 

‘‘ସେକଥା ଆଉ ଭାବି ଲାଭ କ’ଣ ?’’

 

‘‘ଭାବିବାରେ ଲାଭ ନାହିଁ । କିନ୍ତୁ ଭାବନାକୁ ଏଡ଼େଇ ଦବାର ଶକ୍ତି ମୋର ନାହିଁ । ଏଇ ମାସକ ତଳର କଥା । ସବୁ ତ ଛବି ପରି ମନପଟରେ ରହିଛି । ଏଡ଼େ ବେଗେ ଏମିତି ଦୁଃଖର ସ୍ମୁତିକୁ ଭୁଲିଯିବି କେମିତି ? ରେଣୁ କାହିଁ ?’’

 

‘‘ଭିତରେ ଅଛି ।’’

 

‘‘ବାପା ଥିଲେ ଆଜି ଏ ଶୁଭ ଦିନରେ ସେ ବେଶୀ ଖୁସି ହେଇଥା’ନ୍ତା, । ଛୋଟ ଭଉଣୀ ଭାଇର ଗୌରବରେ ନିଜେଇ ଗୌରବାନ୍ୱିତା ହେଇଥା’ନ୍ତା ।’’

 

ନୀରବରେ ମଥାପାତି ଶୁଣୁଥିଲା ମମତା । ସୁବ୍ରତ କହି ଯାଉଥିଲା–

 

‘‘ତୁ ବି ଖୁବ୍‌ ସୁଖୀ ହେଇଥା’ନ୍ତୁ । ମୁଁ ବଡ଼ ଭାଇ । ଆଜି ଏ ଦିନରେ ମୋଠୁଁ ତୁମମାନଙ୍କର ଗୋଟାଏ ପ୍ରାପ୍ୟ ଅଛି, ଯାହା ତୁମକୁ ନ ଦେଲେ ମୋ କର୍ତ୍ତବ୍ୟରେ ଆଞ୍ଚ ଅସିବ ।’’

 

ବୁଝିପାରୁ ନ ଥିଲା ମମତା–କ’ଣ ସେମାନଙ୍କର ପ୍ରାପ୍ୟ ? ଆଉ ଅଧିକା କ’ଣ ପାଇବାକୁ ବାକୀ ଅଛି । ସ୍ପଷ୍ଟ କରି ବୁଝେଇଦବା ଲାଗି ସୁବ୍ରତ କହିଲା–

 

‘‘ରେଣୁକୁ ଡାକ । ମୁ ତମ ଦୁହିଁଙ୍କୁ ଆଜି ସନ୍ଦେଶ ଖୁଆଇବି । ଚା’ ଖିଆ ଶେଷ ହୋଇଥିଲା । ମମତା କପ୍‌ ପ୍ଲେଟ୍‌ ନେଇ ଚାଲିଆସି ରେଣୁ ପାଖକୁ ଯାଇ ତା’କୁ କହିଲା–

 

‘‘ତତେ ସୁବ୍ରତ ଭାଇ ଡାକୁଛନ୍ତି, ଯା ।’’

 

‘‘କାହିଁକି ଡାକୁଛନ୍ତି ଅପା ?’’

 

‘‘ଭୋଜି ଖାଇବୁ ପରା, ଯା ।’’

 

‘‘ମିଛ କଥା ।’’

 

‘‘ଯା ଯା, ଶୁଣିଆ–’’

 

ରେଣୁ ଆସି ଅପରାଧୀଟି ପରି ବଡ଼ ଭାଇ ସାମନାରେ ଠିଆ ହେଲା । ସୁବ୍ରତର ଗମ୍ଭୀର ମୁହଁ ଦେଖିଲେ ତା’କୁ ଭାରି ଭୟ ଲାଗେ ।

 

ସୁବ୍ରତ କହିଲା–

 

‘‘ମମତା କୁଆଡ଼େ ରହିଗଲା ?’’

 

‘‘ଡାକି ଆଣୁଚି’ କହି ରେଣୁ ଖୁବ୍‌ ଚଞ୍ଚଳ ଫେରିପଡ଼ିଲା ।

 

‘ଅପା, ସେତ ଆମ ଦୁହିଁଙ୍କୁ ଡାକୁଛନ୍ତି, ତମେ ମତେ ଏକାଟିଆ ପଠେଇ ଦେଇ ରହିଗଲ-?’’

 

ମମତା ମଧ୍ୟ ଆସିଲା । ସୁବ୍ରତ କହିଲା–

 

‘‘ତମେ ଦି’ଜଣ ବାହାରିଆସ । ସନ୍ଦେଶ ଖାଇବାକୁ ଯିବା ।’’

 

ମମତା କିଛି ନ କହି ଠିଆ ହୋଇ ରହିଲା । ତା’ର ନୀରବତା ଦେଖି ରେଣୁ ଆଉ ସାହସ କରି କିଛି କହିଲା ନାହିଁ ।

 

ସୁବ୍ରତ ପୁଣି କହିଲା–

 

‘‘କିରେ, ବାହାରି ଆସ ।’’

 

ସନ୍ଦେଶ ଖାଇବାକୁ ଯିବାରେ ରେଣୁର କିଛି ଆପତ୍ତି ନାହିଁ । ମମତା କିନ୍ତୁ ଯିବାକୁ ପ୍ରସ୍ତୁତ ନୁହଁ । ସୁବ୍ରତର ପ୍ରାଣତନ୍ତ୍ରୀରେ ଯେଉଁ ଆଘାତ ଲାଗିଛି ତାହା ସ୍ପଷ୍ଟ ଧରିପାରିଛି ସେ । ସାନ ଭଉଣୀ ମନରେ କଷ୍ଟ ହବ–ଏଇଥିପାଇଁ ହୁଏତ ସୁବ୍ରତ ସେମାନଙ୍କୁ ଡାକୁଛି । କିନ୍ତୁ ଡାକିବାରେ ଯେତକ ଆନନ୍ଦ ରହିବାର କଥା, ତା ନାହିଁ ।

 

ସେ ନାହିଁ କଲା ଯିବ ନାହିଁ ବୋଲି । ଦେହ ଭଲ ଲାଗୁ ନାହିଁ । ଆଜି ସ୍କୁଲରେ ସାତଟିଯାକ ପିରିୟଡ୍‌ ପଢ଼େଇଚି ସେ । ତେଣୁ ମୁଣ୍ଡ ବଥଉଚି । ସେ ମନା କରିବାରେ ସୁବ୍ରତ ମନରେ କଷ୍ଟ ହେଲା ।

 

ରେଣୁ କହିଲା–

 

‘‘ଅପା, ଭାଇ ଡାକୁଛନ୍ତି, ତମେ ଯିବ ନାହିଁ ?’’

 

ମମତା କହିଲା–‘ତୁ ଆଗେ ଯାଇ ବାହାରି ଆ ।’’

 

‘‘ତମେ ?’’

 

‘‘ତୁ ଆଗେ ଆ ନା ।’’

 

ରେଣୁ ଚାଲିଗଲା ଭିତରକୁ । ସୁବ୍ରତ ଗଭୀର ଦୀର୍ଘନିଶ୍ଵାସ ପକେଇ କହିଲା–

 

‘‘ମମତା, ତୁ ଠିକ୍‌ ଧରି ପାରିଚୁ ମୋ ମନର ଭାବ । ଆନନ୍ଦ ନାହିଁ, ଫୁର୍ତ୍ତି ନାହିଁ । ମୁଁ ଯେମିତି ଗୋଟାଏ ସ୍ପ୍ରିଙ୍ଗ ଦିଆ ଘଡ଼ି ପରି ଚାଲିଛି । ତଥାପି ରେଣୁ ମନରେ କଷ୍ଟ ହବ । ତୁ ବାହାରି ଆ ।’’

 

ମମତା ଆଉ ବାଧା ଦେଲାନି । ସେ ବି ଚାଲିଗଲା ବାହାରି ଆସିବାକୁ ।

 

ତିନିଜଣ ସାଥୀ ହେଇ ବାହାରି ପଡ଼ିଲେ । ସୁବ୍ରତ ପ୍ରସ୍ତାବ କଲା । ପ୍ରଥମେ ଜୋବ୍ରା ଆଡ଼େ ବୁଲିଯିବାକୁ–ତା’ ପରେ ଯାଇ କଲେଜ ଛକରେ ସନ୍ଦେଶ ଖିଆ ହବ ।

 

ସନ୍ଧ୍ୟା କଟେଇବା ପାଇଁ ଜୋବ୍ରାଘାଟ ମନ୍ଦ ନୁହେଁ । ବହୁତ ଲୋକ ବୁଲିବା ପାଇଁ ସେଠିକି ଯାଆନ୍ତି ।

 

ରେଣୁ ତା’ର ସ୍ଵଭାବସୁଲଭ ଚପଳତା ନେଇ ଗପ ଆରମ୍ଭ କଲା ।

 

‘‘ମମତା ଅପା, ତୁମେ ଆମ ସ୍କୁଲକୁ ପଢ଼େଇବା ପାଇଁ ଆସନ୍ତ କି ! ସ୍କୁଲର ଦୃଷ୍ଟ ପିଲା ତମକୁ ଥଣ୍ଡା ବନେଇ ଦିଅନ୍ତେ । ଏକାଦିନେ ଚାକିରି ଛାଡ଼ି ଘରକୁ ପଳେଇ ଆସନ୍ତ ।’’

 

ମମତା କହିଲା–

 

‘‘ଉହୁଁ, ମୁଁ କେବେ ଘରକୁ ପଳେଇ ଆସନ୍ତି ନି । ମୋର କ’ଣ ଘର ଅଛି ଯେ ଘରକୁ ପଳେଇ ଆସିବ ?’’

 

‘‘ଆମ ଘର କ’ଣ ତୁମ ଘର ନୁହେଁ ? ତୁମେ କ’ଣ ଆମକୁ ପର ଭାବୁଚ ? ଭାଇ ତମକୁ ଭାରି ଭଲ ପାଆନ୍ତି । ମୋ’ ଭିତରେ ଓ ତମ ଭିତରେ ସେ ତ କିଛି ଭିନେ ଦେଖନ୍ତି ନି ।’’

 

‘‘ତମ ସ୍କୁଲର ଦୁଷ୍ଟ ପିଲାଙ୍କୁ ମୁଁ ସାବାଡ଼ ବନେଇ ଦିଅନ୍ତି । ପଳେଇ ଆସିବା ଦରକାର ପଡ଼ନ୍ତା ନାହିଁ ।’’ ଏମାନଙ୍କ କଥା ଶୁଣି ସୁବ୍ରତ ନ ହସି ରହିପାରିଲା ନାହଁ । ‘‘ତମେ ଦିହେଁ ଦିନକୁ ଦିନ ପିଲା ହେଇଯାଉଚ । ଏସବୁ ବାଜେ କଥାରୁ କ’ଣ ତମକୁ ମିଳେ ।’’

 

ଚାପା କଣ୍ଠରେ ମମତା କହିଲା–

 

‘‘ମିଳିବ କ’ଣ । ଅବସର ବିନୋଦନ । ସବୁବେଳେ ତ ଦର୍ଶନ କିମ୍ବା ରାଜନୀତି ଚର୍ଚ୍ଚା ଚଳେନା । ମଝିରେ ମଝିରେ ହାଲ୍‌କା କଥାରୁ ବେଶ୍‌ ଆନନ୍ଦ ମିଳେ ?’’

 

କଥା ହଉଁ ହଉଁ ସେମାନେ ଆସି ଜୋବ୍ରାରେ ପହଞ୍ଚି ଯାଇଥିଲେ । ଆନିକଟ ଉପର ଦେଇ ବହିଯାଉଚି ମହାନଦୀର ସ୍ଵଚ୍ଛ ଜଳ ଅଭିନବ ଛନ୍ଦ ତୋଳି । ଦୂରରୁ ଦିଶୁଚି ଚଉଦୁଆର ଲୁଗାକଳର ଅଜସ୍ର ଆଲୋକ–ମହାନଦୀ କୂଳରେ ବଢ଼ିଉଠିଚି ବ୍ୟବସାୟ କେନ୍ଦ୍ର ।

 

ରେଲ୍‌ ଲାଇନ୍‌ ଉପରେ ଘର୍ଘର ଶବ୍ଦ ସୃଷ୍ଟିକରି ଟ୍ରେନ୍‌ ଚାଲିଗଲା । ପକ୍ଷୀଗୁଡ଼ାକ ଚିତ୍କାର କରିଉଠିଲେ । ବୁଲା କୁକୁର ଦି’ଟା ‘କେଁ–କେଁ’ ହୋଇ ଦଉଡ଼ିଗଲେ ସଡ଼କ ଉପରେ । ଗୋଟାଏ କାର୍‌ ଆସି ଠିଆ ହେଲା । ତା’ ଭିତରୁ ଜଣେ ଯୁବକ ବାହାରି ଆସିଲା । ପରିଧାନ ପେଣ୍ଟ ଆଉ କ୍ରିମ୍‌ ରଂଗର ସିଲ୍‌କ ହାୱାଇନ୍ । ତାପରେ ବାହାରି ଆସିଲା ଜଣେ ଯୁବତୀ । ମୂଲ୍ୟବାନ୍ ଶାଢ଼ୀ ପିନ୍ଧିଛି । ଦେହରେ ସୁନାର ଅଳଙ୍କାର ।

 

ସୁବ୍ରତ ଚିହ୍ନିପାରିଲା ଏ ଜୁବତୀକି–ଛନ୍ଦା । କିନ୍ତୁ ଏ ଯୁବକଟି କିଏ ? ମନେ ପକାଇବାକୁ ଚେଷ୍ଟା କଲା ସେ । ସେଦିନ ସିନେମା ହଲ୍‌ ଭିତରେ ଯୋଉ ଯୁବକଟିକୁ ସେ ଦେଖିଥିଲା ଏ’ ତ ସେ ନୁହେଁ । କାଳଚକ୍ରର ଆବର୍ତ୍ତନରେ ସବୁ ଜିନିଷର ପରିବର୍ତ୍ତନ ଚାଲିଛି–ଛନ୍ଦା ଜୀବନରେ କେତେ ତରୁଣ ଆସି ଖେଳି ପୁଣି ଚାଲିଯାଉଛନ୍ତି ।

 

ଛି–ଛି, ଛନ୍ଦା କ’ଣ ? ଘୃଣାରେ ନାସିକା କୁଞ୍ଚନ କରିନେଲା ସେ । ଛନ୍ଦା ଆଉ ସେ ଯୁବକ ସେମାନଙ୍କ ପାଖ ଦେଇ ଆଗେଇଗଲେ । ହାତରେ ହାତ ଧରାଧରି ହୋଇ ଦେହରେ ଦେହ ଲଗେଇ ସେମାନେ ଯାଉଥିଲେ । ଛନ୍ଦାର ଅଧାଖୋଲା ବକ୍ଷ ଗର୍ବ ଆଉ ଅଭିମାନରେ ସତେ ଯେମିତି ଫୁଲି ଉଠୁଥିଲା ସୁବ୍ରତକୁ ସେ ଚିହ୍ନି ପାରି ନାହିଁ ।

 

ରେଣୁ ଆଉ ମମତା ତୀକ୍ଷ୍‍ଣ ଦୃଷ୍ଟିରେ ଚାହିଁ ରହିଥିଲେ ସେ ଦୁଇଜଣଙ୍କ ଆଡ଼େ । ସେମାନଙ୍କର କିନ୍ତୁ ଅନ୍ୟର ଉପସ୍ଥିତିକୁ ଖାତିର ନାହିଁ । ପ୍ରେମାଳାପର ଅଳସ ବେଷ୍ଟନୀରେ ସେ ଦୁଇଜଣ ବନ୍ଦୀ । ସ୍ଥାନାସ୍ଥାନ, କାଳାକାଳ, ପାତ୍ରାପାତ୍ର–କିଛି ଜ୍ଞାନ ସେମାନଙ୍କର ନାହିଁ ।

 

ସୁବ୍ରତର ମୁଣ୍ଡ ଧରିଲା । ସେ କହିଲା–

 

‘‘ଚାଲ ଏବେ ଫେରିଯିବା ।’’

 

ତିନିଜଣ ଫେରିଲେ । ହଠାତ୍‌ ପଛରୁ ଛନ୍ଦାର କଣ୍ଠସ୍ଵର ଶୁଭିଲା–

 

‘‘Darling, I love you most.’’

 

ରେଣୁ ଆଉ ମମତା ଫେରି ଚାହିଁଲେ । ଯୁବକର ବାହୁବେଷ୍ଟନୀରେ ବନ୍ଧିନୀ ହୋଇଚି ଛନ୍ଦା–ଅଶ୍ଳୀଳ ବ୍ୟବହାର ।

 

ସୁବ୍ରତ ଆଗେଇଗଲା । ଅସହ୍ୟ ତା’ର ଏ ଦୃଶ୍ୟ । ସାଙ୍ଗରେ ସାନ ଭଉଣୀ–ତା’କୁ ଆହୁରି ଖରାପ ଲାଗୁଥିଲା । ଯୌବନ ଆଉ ଧନ ଗର୍ବରେ ପୁରୁଷକୁ ଖେଳନା କରି ନଚାଉଛି ଛନ୍ଦା–ନିର୍ବୋଧ ମଣିଷ ହଉଚି ତା’ର ଶିକାର । ରେଣୁ ଆଉ ମମତା ପାଖକୁ ଲାଗି ଆସିଲେ । ସୁବ୍ରତ କହିଲା–

 

‘‘ମମତା, ରେଣୁ ଆମର ସନ୍ଦେଶ ଖାଇବାକୁ ଭଲ ପାଏ । ଆଉ ତୁ– ?’’

 

‘‘ମୁଁ ଯାହାହେଲେ ଖାଇବି ।’’

 

ରେଣୁ କହିଲା–

 

‘‘ନାଇଁ ଭାଇ, ମମତା ଅପା ମଲାଇ ଚପ୍‌ ଖାଇବାକୁ ଭଲ ପାଏ ।’’

 

‘‘ଏଥିରେ ଲାଜ କରିବାର କ’ଣ ଅଛି ? ସେ ଯାହାର ରୁଚି ଅନୁଯାୟୀ ଖାଇବା କଥା ।’’

 

‘‘ଖାଇବାକୁ ମୁଁ ସବୁ ଜିନିଷ ଭଲପାଏ ସୁବ୍ରତ ଭାଇ ! ମୋର ସେମିତି କିଛି ନାହିଁ ।’’–କହିଲା ମମତା । କଥା ଛନ୍ଦରେ ଆଗେଇ ଯାଉଥିଲେ ତିନିଜଣ । ଓଡ଼ିଶା ହୋଟେଲ ପାଖରେ ସୁବ୍ରତ ଠିଆ ହୋଇ କହିଲା–

 

‘‘ଚାଲ ।’’

 

ଭିତରକୁ ଯାଇ ସେମାନେ ବସିଲେ । ମଲାଇଚପ୍‌, ସନ୍ଦେଶ, କ୍ଷୀରମୋହନ ବରାଦ ହେଇ ଆସିଲା । ରେଣୁ ପେଟ ଭରି ଖାଇଲା । ମମତା ସବୁଥିରୁ ଗୋଟାଏ ଗୋଟାଏ ଖାଇ ଆଉ ଖାଇଲା ନାହିଁ ।

 

ରେଣୁ କହିଲା–

 

‘‘ମମତା ଅପା, ତମେ ଲାଜ କରୁଚ ?’’

 

‘‘ସେକଥା କହୁଚୁ କାହିଁକି ତୋର ଯଦି କ୍ଷମତା ଥିବ ମୋ ଲାଜ ଭାଙ୍ଗି ଦବୁ ।’’

 

ହସିଉଠିଲେ ତିନିଜଣ । ଖିଆ ଶେଷରେ ସୁବ୍ରତ ପଇସା ଦେଲା, ମାତ୍ର ସାଢ଼େ ତିନିଟଙ୍କାର ବିଲ୍‌ ।

 

ମମତାକୁ ବେଶ୍‌ ଭଲ୍‌ ଲାଗୁଥିଲା–ଏଇଠି ଏମିତି ଫ୍ୟାନ୍‌ ତଳେ ବସିବାକୁ । ସୁବ୍ରତ ଭାଇ ସାଙ୍ଗରେ ଏକା ଟେବୁଲ୍‌ ରେ ଖାଇବା ବେଶ୍‌ ଅମୋଦଦାୟକ । ସେମାନେ ଦୋକାନ ଛାଡ଼ି ରାସ୍ତା ଉପରକୁ ଆସିବା ପରେ ମମତା କହିଲା–

 

‘‘ସୁବ୍ରତ ଭାଇ, ମା’ଙ୍କ ପାଇଁ କିଛି ସନ୍ଦେଶ ଆଣିଲନି ।’’

 

ଠିକ୍‌ କଥା । ମମତାର ବୁଦ୍ଧିକୁ ସେ ପ୍ରଶଂସା କଲା । ମା’ଙ୍କ ଛଡ଼ା ଘରେ ଚାକର ବାକର ଅଛନ୍ତି–ସେମାନଙ୍କ ହାତରେ ବି ତ ଦି ଦି’ଟା ମିଠା ଦବାକୁ ହବ ।

 

ସୁବ୍ରତ ଫେରିଯାଇ ସେରେ ସନ୍ଦେଶ କିଣି ଅଣିଲା ।

 

ସଦାମଣୀ ଦେବୀ ସନ୍ଦେଶ ଦେଖି ହସିଲେ । ସୁବ୍ରତର ପିଲାଳିଆ ବ୍ୟବହାରରେ ତାଙ୍କର ସବୁ ଦୁଃଖ କ୍ଷଣକ ପାଇଁ ଉଭେଇଗଲା ।

 

ମମତାର ଜିଦ୍‌ରେ ଦୁଇଟି ସନ୍ଦେଶ ସେ ଖାଇଲେ । ପୁଅର ଗୌରବରେ ଅଂଶ ଗ୍ରହଣ କରିବାକୁ ସେ ବାଧ୍ୟ ।

 

ପଡ଼ୋଶୀ ବୃନ୍ଦାବନବାବୁଙ୍କ ଝିଅ ଅନନ୍ୟା । ମାସେ ହେଲା ବାହାହେଇ ଶାଶୁଘରକୁ ଯାଇଥିଲା । ଆଜି ବାପଘରକୁ ଫେରିଆସିଛି । ସେ ଆସି ସଦାମଣୀ ଦେବୀଙ୍କ ପାଖରେ ବସିଥିଲା-। ମମତା ତାକୁ ବି ସନ୍ଦେଶ ଖାଇବାକୁ ଦେଲା ।

 

‘‘ଭାଇ ବି. ଏ. ପାସ୍‌ କରିଛନ୍ତି, ସେଇଥିପାଇଁ ଏ ସନ୍ଦେଶ ।’’

 

ଅନନ୍ୟା ସଙ୍ଗେ ସଙ୍ଗେ କହିଲା–

 

‘‘ଏତିକିରେ ଠକେଇଦେଲେ ହବନି । ଭଲକରି ଖାଇବି ।” ମମତା ଅନନ୍ୟାକୁ ତା ଶୋଇବା ଘରକୁ ଡାକି ନେଇ ଗଲା । ରେଣୁ ମଧ୍ୟ ଗଲା ସାଙ୍ଗରେ ।

 

ଅନନ୍ୟା ମୁହଁରେ ବାଟୁଳି ବାଜୁନି । ଶାଶୁଘରର ଅବସ୍ଥା, ଶ୍ଵଶୁରଙ୍କ ସଦ୍‌ଗୁଣ, ସ୍ଵାମୀର ଗଭୀର ପ୍ରେମ କଥା ବଖାଣୁ ବଖାଣୁ ସେ ନିଜର ସତ୍ତା ଭୁଲିଯାଉଚି । ତା’ ସ୍ଵାମୀ କେଉଁ ଅଫିସରେ କିରାଣୀ–ତାକୁ ଭାରି ଭଲ ପାଆନ୍ତି । ନିରୋଳା ଘର ଭିତରେ ନିଜ ହାତରେ ସେ ତା’କୁ ଖୁଆଇ ଦିଅନ୍ତି । ସେ ଟିକିଏ ଅଭିମାନ କଲେ ସ୍ଵାମୀଙ୍କ ଆଖିରୁ ଝରିପଡ଼େ ଅଶ୍ରୁ । ଆହୁରି କେତେ କ’ଣ ସେ କହିଲା । ବିଭା ନ ହେଲେ ଜୀବନ ଅପୂର୍ଣ୍ଣ ରହେ । ରେଣୁ ମନ୍ତ୍ରମୁଗ୍‌ଧ ପରି ସବୁକଥା ଶୁଶୁଥିଲା । କଳ୍ପନା କରୁଥିଲା ଅନେକ କିଛି । ତା’ର ବି ଦିନେ ଏଇ ସୁଦିନ ଆସିବ ।

 

ମମତା କିନ୍ତୁ ଭାବୁଥିଲା ଅନ୍ୟ ପ୍ରକାର । ବିବାହ ହଉଚି ଦିଲ୍ଲୀର ଲଡ଼ୁ । ଯେ ଖାଇଚି ସେ ପସ୍ତାଉଚି–ଯେ ନ ଖାଇଚି ସେ’ ବି । ଅନନ୍ୟା ନୂଆ ବାହା ହେଇଚି । ଗୋଟିଏ ଦୁଇଟି ପିଲା ହେଇଗଲା ପରେ ଜୀବନ ହେଇଯିବ ଅନ୍ୟପ୍ରକାର । ସେତେବେଳେ ସେ ପ୍ରେମ ନ ଥିବ କି ଖୁଆଇ ଦବାର ଆବଶ୍ୟକତା ନ ଥିବ । ବାସର ରାତିର ସ୍ଵପ୍ନ ମିଳେଇଯିବ ବାସ୍ତବତାର ଅନ୍ଧକାର ଭିତରେ । ବିବାହର ନୂତନ କାଉଁରୀ କାଠିରେ ଅନନ୍ୟ । ହରେଇ ଦେଇଚି ତା’ର ଅସ୍ତିତ୍ଵ । କିନ୍ତୁ ଆଜିଠୁଁ ଠିକ୍‌ ବର୍ଷକ ପରେ କଥା କହିବାକୁ ହୁଏତ ତା’ର ଶକ୍ତି ନ ଥିବ । ଭଗବାନ କରନ୍ତୁ–ବିବାହିତ ଜୀବନ ତା’ର ଚିର ସୁଖମୟ ହେଉ ।

 

ମର୍ମତାର ନିଜର ଭାଗ୍ୟ ତ ମନ୍ଦ । ଅନ୍ୟର ଅମଙ୍ଗଳ ସେ ଚିନ୍ତା କରିବ କାହିଁକି ? ରାତି ଏଗାରଟା ପର୍ଯ୍ୟନ୍ତ ଅନନ୍ୟା ବସି ଗଳ୍ପ ଜମାଉଥିଲା, ତା’ ମା’ ଆସି ଡାକିବାରୁ ଚାଲିଗଲା । ରେଣୁ ସେତେବେଳକୁ ଶୋଇ ପଡ଼ିଲାଣି । ମମତା ଏକାଟିଆ ବସି ରହିଲା ନିଜ ଜୀବନକୁ ବିଶ୍ଳେଷଣ କରିବାକୁ । ରାତି ଗଭୀର ହବା ସଙ୍ଗେ ସଙ୍ଗେ ତା’ ନିଜ ଜୀବନର ଚିନ୍ତା ମଧ୍ୟ ଆହୁରି ଗଭୀର ହୋଇ ଉଠୁଥିଲା । ଆଗକୁ ଚାହିଁ ସେ ଥଳ ପାଉ ନ ଥିଲା । ଅତୀତକୁ ଫେରି ସେ ଦେଖୁଥିଲା ସୁବ୍ରତ ଭାଇର ନିର୍ଲିପ୍ତ ମୁଖ–ଉଦାର–ପ୍ରଶାନ୍ତ । ସେ ଯେମିତି ଦୟାର ପ୍ରତିମୂର୍ତ୍ତି । ତା’ର କି ସଂପର୍କ ଅଛି ତାଙ୍କ ସହିତ । କିନ୍ତୁ ତାଙ୍କ ଘରେ ସବୁଠୁ ବେଶୀ ଜୋର ମମତାର । ଭାଇ ନ ହୋଇ ବି ଭାଇଠୁଁ, ଅଧିକ–ଯାହା ମଣିଷର କଳ୍ପନାତୀତ ।

 

ସ୍ନେହର ଅବତାର ଏଇ ସୁବ୍ରତ ଭାଇ ଉଦ୍ଦେଶ୍ୟରେ ମମତାର ମୁଣ୍ଡ ନଇଁ ଆସିଲା । ମୁଣ୍ଡ ତୋଳି ସେ ଦେଖିଲା ସାମନାରେ ଛିଡ଼ା ହେଇଛନ୍ତି ସୁବ୍ରତ ଭାଇ ନିଜେ । ନିଜ ଆଖିକୁ ମଧ୍ୟ ସେ ବିଶ୍ଵାସ କରିପାରିଲା ନାହିଁ । କ’ଣ ପାଇଁ ସେ ଆଜି ଆସିଛନ୍ତି–କ’ଣ ତାଙ୍କର ଭିକ୍ଷା ? ସେ ତାଙ୍କଠୁଁ ଯାହା ପାଇଚି, ସେ ଯଦି କିଛି ମାଗନ୍ତି–ପ୍ରତିଦାନରେ ସେ ସବୁ କିଛି ତାଙ୍କୁ ଦେଇପାରେ । ଯେ ତାକୁ ମରଣ ମୁହଁରୁ ବଞ୍ଚେଇଛନ୍ତି ତାଙ୍କପାଇଁ ନିଜ ଜୀବନ ଦେବାକୁ ବି ସେ କୁଣ୍ଠିତ ହବନି ।

 

–‘‘ମମତା !’’

 

‘‘ହଁ ଭାଇ, ଯାହା ଇଚ୍ଛା ତମର ମାଗ !’’

 

ଆଶ୍ଚର୍ଯ୍ୟ ହେଲା ସୁବ୍ରତ । ମମତା କ’ଣ ସ୍ଵପ୍ନ ଦେଖୁଛି ?

 

ସେ ପୁଣି ଥରେ ଡାକିଲା–‘‘ମମତା ।’’

 

ମମତାର ମୋହ ଏଥର ଭାଙ୍ଗିଗଲା । ସେ ଚାହିଁ ଚାହିଁ ସ୍ଵପ୍ନ ଦେଖୁଥିଲା ନା କ’ଣ ?

 

ସୁବ୍ରତ କହିଲା–

 

‘ଯା–ଭାତ ହେଲାଣି ନା ଦେଖ । ଭାରି ଭୋକ ହେଲାଣି । ଏଗାରଟା ବାଜିଗଲାଣି । ଶୀଘ୍ର ଯା–ଭାତ ବାଢ଼ ।’’

 

ମମତା କହିଲା–‘‘ଭାଇ, ବସୁ ବସୁ ମୁଁ ଏଇଠି ଢୋଳେଇ ପଡ଼ି ସ୍ଵପ୍ନ ଦେଖୁଥିଲି । ଓଃ ଭାରି, ଭାରି ଖରାପ ସ୍ଵପ୍ନ ।’’

 

କିଛି ଶୁଣିବାକୁ ତା’ର ଇଚ୍ଛା ହେଉ ନ ଥିଲା । ସେ କହିଲା–

 

‘‘ତୁ ଆଗେ ଯା’ ନା, ଭାତ ବାଢ଼ିବୁ ।’’

 

ଚୁପ୍‌ ହୋଇ ରୋଷେଇ ଘରକୁ ଚାଲିଗଲା ସେ । ଭାବୁଥିଲା–ସୁବ୍ରତ ଭାଇ ତା’ କଥା ଶୁଣି କ’ଣ ଭାବିଥିବେ । ଯେତେ ସେ ଏଇ କଥା ଭାବୁଥିଲା–ସେତେ ସେ ନିଜେ ନିଜେ ଲଜ୍ଜିତା ହେଉଥିଲା ।

 

ଭାତ ଖାଉ ଖାଉ ମମତାର ମୁହଁକୁ ଚାହିଁ ସୁବ୍ରତ ବ୍ୟଥିତ ହେଉଥିଲା । ଆଜି ଯେମିତି ନୂଆ ରୂପରେ ସେ ତାକୁ ଦେଖୁଚି । ବେସୁରା ରାଗିଣୀରେ ଥରି ଉଠୁଥିଲା ଅଦୂର ପ୍ରାନ୍ତର । ମାଧବୀ ଲତାର ଅନ୍ତରାଳରୁ ଶୁଭୁଥିଲା ଚନ୍ଦ୍ରବାକର ବିରହ ମୂର୍ଚ୍ଛନା । ଆଉ ଗୁରୁ ବେଦନାରେ ଆହତ ହେଉଥିଲା ଦୁଇଟି ପ୍ରାଣ ।

 

–ସାତ–

 

ମମତା ଚନ୍ଦ୍ରାବତୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ । ସ୍କୁଲରେ ଚତୁର୍ଥ ଶ୍ରେଣୀଠାରୁ ମାଟ୍ରିକ୍‌ କ୍ଲାସ୍‌ ପର୍ଯ୍ୟନ୍ତ ଅଛି । ସେଠି ସର୍ବମୋଟ ବାରଜଣ ଶିକ୍ଷୟିତ୍ରୀ କାମ କରନ୍ତି । ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ସନ୍ଧ୍ୟାରାଣୀ ପଣ୍ଡା । ବେଶ୍‌ ସୁନ୍ଦର ପ୍ରକୃତି ତାଙ୍କର । ମମତାକୁ ପ୍ରଥମ ଦିନରୁ ହିଁ ସେ ଆଦର କରି ଅସିଚନ୍ତି । ନିଜର ଛୋଟ ଭଉଣୀ ପରି ସେ ତାକୁ ଦେଖନ୍ତି । ଅନ୍ୟାନ୍ୟ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ କୁମାରୀ ସ୍ଵାତୀ ମହାନ୍ତି ଓ ସ୍ନିଗ୍ଧା ପଟ୍ଟନାୟକଙ୍କ ସହିତ ତା’ର ଭାରି ମେଳ-। ସେ ଦୁଇଜଣଙ୍କ ସହିତ ତା’ର ବୟସର ସମତା ଅଛି । ସେଦିନ ବାଳିକା ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ–କୁମାରୀ ମୃଦୁହାସିନୀ ପନ୍ଦରଦିନ ପାଇଁ ଛୁଟି ନେଇ ପୁରୀ ଗଲେ । ପ୍ରଧାନ ଶିକ୍ଷୟିତ୍ରୀ ମମତାକୁ ଡାକି କହିଲେ ପନ୍ଦରଦିନ ପାଇଁ ଛାତ୍ରାବାସର ସୁପରିଣ୍ଟେଣ୍ଡେଣ୍ଟ ହବାକୁ-। ମନା କରିପାରିଲା ନାହିଁ ସେ । ବୟସରେ ତାଠୁଁ ଯେଉଁମାନେ ବଡ଼, ତାଙ୍କ ମୁହଁ ସାମନାରେ ସେ କିଛି କହିପାରେ ନାହିଁ ।

 

ସଦାମଣୀ ଦେବୀ ଆଉ ରେଣୁକୁ ଡାକି ମମତା ଏକଥା କହିଲେ । ରେଣୁ ତ ପ୍ରଥମରୁ ମନା କଲା–ଏକଥା କଦାପି ହେଇପାରେନା । ସଦାମଣୀ କିନ୍ତୁ ଧୀର ସ୍ଥିର ଭାବରେ କଥାଟାକୁ ଗ୍ରହଣ କରି କହିଲେ–

 

‘‘ହଉ, ପନ୍ଦରଦିନ ପାଇଁ ଯିବୁ ତ ଯା । କିନ୍ତୁ ଷୋଳଦିନ ସକାଳେ ଏଠି ଆସି ଯେମିତି ପହଞ୍ଚୁ ।’’

 

ସଦାମଣୀ ଦେବୀଙ୍କର ଏ ସ୍ନେହ–ସୋହାଗକୁ ଠେଲି ଦେଇପାରେନା ସେ । ଯିବା କଥା ସୁବ୍ରତ ଭାଇକି ସେ କହି ନାହିଁ । ବଜାର ଆଡ଼କୁ ଯାଇଛନ୍ତି ସେ । ଆସିଲେ କହିବ । ରେଣୁ ଆସି କହିଲା–

 

‘‘ଅପା, ଆମକୁ ଛାଡ଼ି ଯିବାକୁ ତମର କେମିତି ଇଚ୍ଛା ହଉଚି ? ମୁଁ ହେଇଥିଲେ ଚାକିରି ଛାଡ଼ି ଦେଇଥା’ନ୍ତି ପଛେ, ଯାଆନ୍ତି ନାହିଁ ।’’

 

‘‘ତୁ ତ ଗୋଟାଏ ପାଗଳୀ, ଚାକିରି କରି ନିଜ ଇଚ୍ଛା ଅନୁସାରେ ସବୁ କ’ଣ ଚଳେ ? ପନ୍ଦରଦିନ ପାଇଁ ମୁଁ ଯିବି । ଠିକ୍‌ ପନ୍ଦରଟି ଦିନ ପୂରିଗଲା ପରେ ମୁଁ ପୁଣି ଫେରିଆସିବି ଯେ– !’’

 

ମନକୁ ସାନ୍ତ୍ୱନା ଦବା କଥା । ପ୍ରାଣେ ପ୍ରାଣେ କିନ୍ତୁ ମମତା ଅନୁଭବ କରୁଥିଲା–ଦିନକୁ ଦିନ ଏ ଘରର ବନ୍ଧନ ଯେମିତି ତା’ ପାଖରେ ଶକ୍ତ ହେଉଛି । ଆଜି ଏ ଘର ଛାଡ଼ି ଯିବା କଥା ଭାବିଲେ ତା’ର କି କଷ୍ଟ ହଉଚି ! ଏ ଘରର ଗୋଡ଼ି ମାଟି, ବନ୍ଧ କବାଟ, ଚେୟାର ଟେବୁଲ, ସ୍କ୍ରୀନ୍‌, ଫୁଲଗଛ ସବୁ ଯେମିତି ପ୍ରିୟ ହେଇଉଠିଚି ତା’ ପାଖରେ । ସୁବ୍ରତ ଭାଇର ଶୋଇବା ଘରେ ଯୋଉ ବୁଦ୍ଧ ମୂର୍ତ୍ତିଟି ରହିଛି–କେତେ ଯତନରେ ନିତି ସେ ତା’କୁ ତା’ ପଣତ କାନିରେ ପୋଛିଦିଏ । ଏଇ ମୂର୍ତ୍ତିକି ଛାତିତଳେ ଜାକିଧରି ସେ ଯେମିତି ପାଏ ପରମ ଶାନ୍ତି । ପାଦତଳେ ପ୍ରଣତି ଜଣାଇ ସେ କହେ–ତା’ ଦୁଃଖ ଦିନର ଅବସାନ ଘଟୁ । କାମନାର ଜ୍ଵଳନ୍ତ ଦହନରୁ ମୁକ୍ତ ମିଳୁ ତାକୁ । ‘କାମନାର ବିନାଶରେ ଦୁଃଖର ନିବାଶ–ଏଇ ମହାବାଣୀ ଯାହାଙ୍କ ମୁଖରୁ ପ୍ରଚାରିତ ହୋଇଥିଲା, ତାଙ୍କର ପାଦତଳେ ଭାବଗଦଗଦ ହୃଦୟରେ ଲେଖିଯାଏ ସେ । ଉଦ୍ୟାନରେ ଫୁଟିଥିବା ସୁଗନ୍ଧ ଫୁଲ ଆଣି ସଜେଇଦିଏ ମୂର୍ତ୍ତିକୁ । ତା’ ପରେ ନିଜେ ନିଜେ ଚାହିଁ ହସିଉଠେ । ହସିଉଠେ ନିର୍ଜୀବ ପଥରର ବୁଦ୍ଧ ମୂର୍ତ୍ତି । ସବୁ ମୋହ ଛାଡ଼ି ତାକୁ ଚାଲିଯିବାକୁ ହେବ ପନ୍ଦରଟି ଦିନପାଇଁ । ଏଇ ପନ୍ଦରଟି ଦିନ ତା’ ପାଖରେ ଜଣା ପଡ଼ୁଥିଲା ପନ୍ଦର ଯୁଗ ପରି ।

 

ନୀରବ ଆଖିତଳୁ ବହି ଆସୁଥିଲା ସରୁଆ ଲୁହଧାର । ତା’ର ଯଦି କ୍ଷମତା ଥାଆନ୍ତା ଏଇ ମୁହୂର୍ତ୍ତରେ ସେ ଚାକିରିରୁ ଇସ୍ତଫା ଦିଅନ୍ତା । କିନ୍ତୁ ତା’ ସମ୍ଭବ ନହେଁ ।

 

ସୁବ୍ରତ ବଜାରରୁ ଫେରି ଦେଖିଲା ତା’ର କୋଠରୀ ଭିତରେ ମନମାରି ବସିଚି ମମତା । ପ୍ରଥମେ ସେ କିଛି ଠଉରେଇ ପାରୁ ନାହିଁ । କ’ଣ ହେଇଚି ତା’ର ? ରେଣୁ ଆସି କହିଲା–

 

‘‘ଭାଇ, ମମତା ଅପା ପନ୍ଦରଦିନ ପାଇଁ ଏଠୁ ଚାଲିଯିବେ । ତାଙ୍କ ସ୍କୁଲ ହଷ୍ଟେଲ୍‌ରେ ପନ୍ଦରଦିନ ପାଇଁ ତାଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ହବାକୁ ହବ ।’’

 

କିଛି ନ କହି ସୁବ୍ରତ ଜାମା ଖୋଲି ସାମନା ଘରକୁ ଆସିଲା । ମନ ଲାଗିଲା ନାହିଁ ତା’ର-। ପୁଣି ସେ ଫେରିଗଲା ତା କୋଠରୀକୁ । ମମତା ସେମିତି ବସିଚି ଏକା ଏକା । ବାଡ଼ି ପଟରୁ ଶୁଭୁଚି ରେଣୁର ପାଟି । ସୂବ୍ରତ କହିଲା–

 

‘‘ମମତା, ସତରେ ତୁ କ’ଣ ଯାଉଚୁ ?

 

ହଠାତ୍‌ ତା’ର ଛାତି ଫାଟିଗଲା ଯେମିତି–ଅଷାଢ଼ ମାସର ଆକାଶ ପରି ଆର୍ଦ୍ର ତା’ର କଂଠ । ସେ କହିଲା–

 

‘‘ହେଡ୍‌ ମିଷ୍ଟ୍ରେସ୍‌ କହିଛନ୍ତି–ନ ଗଲେ ହବନି । ପନ୍ଦରଟିଦିନ ରହି ମୁଁ ଫେରିଆସିବି ଯେ-!’’

 

ଛୋଟ ‘ହଉ’ଟିଏ ମାରିଲା ସୁବ୍ରତ । ମମତା ଉପରେ ତା’ର ତ କିଛି ଜୋର ନାହିଁ । ସେ ଯାହା ଭଲ ଭାବୁଛି ତାହା ହିଁ କରିବ । ଏ କେତେ ଦିନରେ ମା’ଙ୍କ ମନ ଟିକିଏ ବଦଳି ଆସିଲାଣି । ସେ ପୁଣି ପଚାରିଲା–

 

‘‘ମା’ଙ୍କୁ କହିଲୁଣି ?’’

 

‘‘ହଁ, ପନ୍ଦରଦିନ ପାଇଁ ସେ ରାଜି ହୋଇଛନ୍ତି । ତମେ ତ ଜାଣ ସୁବ୍ରତ ଭାଇ, ଚାକିରି କରି ନିଜର ସ୍ଵାଧୀନ ଇଚ୍ଛା ଅନେକ ସମୟରେ ବଜାୟ ରଖି ହୁଏନା ।’’

 

ଚାକିରିର ଅଭିଜ୍ଞତା ସୁବ୍ରତର ନାହିଁ । ତଥାପି ସେ ବୁଝିପାରୁଥିଲା ତା’ର ଅସୁବିଧା ।

 

ମମତାର ସବୁ କଥା ଶୁଣି ତା’ ଅନ୍ତର ଭିତରଟା ଆନ୍ଦୋଳିତ ହେଲା । ତା’ ନିଜ ଭଉଣୀ ଶର୍ବରୀ ବାହାହେଇ ଗଲାବେଳେ ତ ତା’ର ଏତେ ଦୁଃଖ ହେଇ ନ ଥିଲା । କ’ଣ ପାଇଁ ସେ ଆଜି ବ୍ୟଥା ଅନୁଭବ କରୁଚି ?

 

ମମତା ବିଦାୟ ନେଇ ଚାଲିଗଲା । ଯିବାବେଳେ କହିଗଲା–

 

‘‘ସୁବ୍ରତ ଭାଇ, ମଝିରେ ମଝିରେ ଯାଇ ଟିକିଏ ଭଉଣୀକୁ ଦେଖି ଆସୁଥିବ ।’’

 

ରେଣୁ ଆଉ ସଦାମଣୀ ଦେବୀ କାନ୍ଦି ପକେଇଲେ । ପରିଚୟର ବନ୍ଧନ କମ୍‌ ଶକ୍ତ ନୁହେଁ ।

 

ଦି’ ଦିନ ଚାଲିଗଲା । ସେଦିନ ଅନନ୍ୟାର ଶ୍ଵଶୁରଘରୁ ଭାର ଆସିଥିଲା । ବୃନ୍ଦାବନବାବୁଙ୍କ ସ୍ତ୍ରୀ ସବୁ ଜିନିଷରୁ ସଜେଇ ତିନିଟା ଥାଳି ଭର୍ତ୍ତି କରି ସଦାମଣୀ ଦେବୀଙ୍କ ଘରେ ଦେଇଗଲେ । ବହୁ ପ୍ରକାରର ମିଠେଇ–ଖାଣ୍ଟି ଘିଅରେ ତିଆରି । ସଦାମଣୀ ଦେବୀ ସୁବ୍ରତକୁ କହିଲେ–

 

‘ଦି’ ଦିନ ହେଲା ମମତା ଚାଲିଗଲାଣି । ଆଜି ତୁ ଟିକିଏ ଯା’–ବୁଲି ଆସିବୁ ।’’

 

ମିଠେଇରୁ କିଛି ଗୋଟାଏ ଟିଫିନ୍‌ କ୍ୟାରିଅର ବାଟିରେ ଦେଲେ । ମମତା ଖାଇବ । ସୁବ୍ରତ ଗୋଟିଏ ରିକ୍‌ସା ଡାକି ହଷ୍ଟେଲ୍‌ ଆଡ଼େ ଚାଲିଲା ।

 

ମମତା ମୁହଁରେ ହସ ନାହିଁ । ବିରାଟ କିଛି ସେ ଯେମିତି ହଜେଇ ପକେଇଛି । ସ୍କୁଲ୍‌ରୁ ଫେରି ନିତ୍ୟକର୍ମ ସାରି ନୀରବରେ ବସିରହିଛି । ବନ୍ଧୁ ସ୍ଵାତୀ ଆଉ ସ୍ନିଗ୍‌ଧା ଆସି ଦୂଆରେ ହାଜର ହେଲେ ।

 

‘‘ମୁହଁ ଶୁଖେଇ ବସିଚୁ କାହିଁକି ?’’ –ପଚାରିଲା ସ୍ନିଗ୍‌ଧା । ମୁହଁରେ କୃତିମ ହସ ଫୁଟେଇ ମମତା କହିଲା–

 

‘‘ନାହିଁ ତ । ଦେହ ଟିକିଏ ଭଲ ଲାଗୁନି ବୋଲି କୁଆଡ଼େ ନ ଯାଇ ବସିଚି ।’’

 

ଥଟ୍ଟାଳିଆ କଣ୍ଠରେ କୁମାରୀ ସ୍ଵାତୀ କହିଲା–

 

‘‘ନାଇଁ ନାଇଁ, ଅସଲ କଥାଟା କହ । ଏ କେତେଦିନ ହେଲା ତୋର ଯେମିତି କିଛି ପରିବର୍ତ୍ତନ ହେଇଛି । କ’ଣ ହେଇଚି ତୋର ମମତା ?’’

 

ସ୍ନିଗ୍‌ଧା କହିଲା ପୁଣି–

 

‘‘କୁଆଡ଼େ ଯୋଗାଡ଼ କରି ଚାକିରି ଛାଡ଼ିବାର ବନ୍ଦୋବସ୍ତ କଲାଣି କି ?

 

ସ୍ଵାତୀ କଣ୍ଠରେ ଫୁଟି ଉଠିଲା ହସ । ସେ କହିଲା–‘‘ସତ, ଅନେକ ଦିନରୁ ଯୋଗାଡ଼ ହୋଇଗଲାଣି । ତେବେ ତାଙ୍କ ସହିତ କିଛି ମନାନ୍ତର ହେଇଚି ନା କ’ଣ ? କହ–ଆମେ ଯାଇ ସବୁ ସମାଧାନ କରିଦେଇ ଆସିବୁ ।’’

 

କିଛି ବୁଝିପାରୁ ନ ଥିଲା ମମତା । କ’ଣ ଅବାନ୍ତର ବକୁଛନ୍ତି ଏମାନେ ?

 

ମୁହଁ ରେ ବାଡ଼ବତା ନାହିଁ ।

 

ସ୍ଵାତୀ କହିଲା ପୁଣି–

 

‘‘ତାଙ୍କ ନାମ ଆଜିଠାରୁ ମୋ ଶ୍ରବଣେ ନ ଶୁଣାଇବୁଟି କେହି ଗୋ–ଏଇ କଥା ତ ? ହେବ । ସେଇଥିପାଇଁ ଗୋଟେ ମନମାରି ବସିଛୁ ?

 

ସେମିତି ହୁଏ–ବଳେ ପୁଣି ସବୁ ଠିକ୍‌ ହେଇ ଯିବନି କି ?’’

 

ସ୍ନିଗ୍‌ଧା କହିଲା–‘ସତକଥାଟି ତୁ ଆମକୁ କହ ମମତା ! ଆମର ତୁ ବନ୍ଧୁ । ତୋ’ର ଏ ଦୁଃଖ ଆମେ ସହି ପାରିବୁନି ।’’

 

ମମତା କହିଲା–

 

‘‘ଭଉଣୀ, ତମେ ଦିହେଁ ତ ଆସିଚ ଥଟ୍ଟା କରି ମତେ ଚିଡ଼େଇବ ବୋଲି । ମୁଁ ଆଉ ତମକୁ କ’ଣ କହିବି ?’’

 

ସ୍ନିଗ୍‌ଧା କହିଲା–‘ନାଇଁ ନାଇଁ, ସତରେ ଆମେ ପଚାରୁଚୁ–ସତ କଥାଟା କହିଦେ । ଆରେ, ଆମକୁ ଲୁଚେଇ ଲାଭ କ’ଣ ? ଦିନେ ନା ଦିନେ ଆମେ ତ ସବୁ କଥା ଜାଣିବୁ ।’’

 

ଏହି ସମୟରେ ହଷ୍ଟେଲ୍‌ର ଚାକରାଣୀ ଆସି କହିଲା–

 

‘‘ଅପା, ସୁବ୍ରତବାବୁ ଆପଣଙ୍କୁ ଡାକୁଛନ୍ତି ।’’

 

ମମତା କହିଲା–‘‘ତାଙ୍କୁ ଏଇଠିକି ନେଇ ଆ ।’’

 

କହିସାରି ଉଠି ସେ ଠିଆ ହେଲା । ଅପେକ୍ଷା କରି ଚାହିଁରହିଲା ବାହାରକୁ ।

 

ସୁବ୍ରତ ଟିଫିନ୍‌ କ୍ୟାରିୟର୍‌ ବାଟିଟାକୁ ହାତରେ ନେଇ ଆସିଲା । ମମତା ତା’ର ପାଦ ଛୁଇଁ ପ୍ରଣାମ କଲା ।

‘‘ମା’ ଆଉ ରେଣୁ ଭଲ ଅଛନ୍ତି ନା ?’’

‘‘ହଁ, ମା ତୋ ପାଇଁ ମିଠେଇ ପଠେଇଛି ।’’

ଟିଫିନ୍‌ କ୍ୟାରିଅର ବାଟି ନେଇ ସେ ଖୋଲି ପକେଇଲା । ସ୍ନିଗ୍‌ଧା ଆଉ ସ୍ଵାତୀ ହାତରେ ମିଠେଇ ଧରେଇ ଦେଇ ନିଜେ ଗୋଟେ ପାଟିରେ ପୁରେଇଦେଲା ।

‘‘ସୁବ୍ରତ ଭାଇ, ଶର୍ବରୀ ଅପାକୁ କେବେ ଆଣୁଛ ?’’

‘‘ଅସିବ । ଘର ସଂସାର କରି ସେ ରହିଛି । ଯେତେବେଳେ ସେତେବେଳେ ଆସି ପାରିବନି । ସୁବିଧା ହେଲେ ଆସିବ । ତୁ ତା’ ପାଇଁ ବ୍ୟସ୍ତ ହଉଚୁ କାହଁକି ? ଖୁବ୍‌ ଶୀଘ୍ର ସେ ଆସିବ-।’’

ସୁବ୍ରତ ସହିତ ସ୍ଵାତୀ ଆଉ ସ୍ମିଗ୍‌ଧାଙ୍କର ପରିଚୟ କରାଇଦେଲା ମମତା । ଦଶମିନିଟ୍‌ ଗପସପ ପରେ ସ୍ଵାତୀ ଆଉ ସ୍ନିଗ୍‌ଧା ଯିବାପାଇଁ ବାହାରିଲେ । ମମତା ତାଙ୍କୁ ରହିବାକୁ କହିଲା ନାହିଁ ।

ସେମାନେ ଉଠିଲେ ଆସିବାକୁ । ସୁବ୍ରତ କହିଲା–

‘‘ବସୁ ନାହାନ୍ତି ! ବର୍ତ୍ତମାନ ତ କାମ କିଛି ନ ଥିବ ।’’

ବିନା ଦ୍ଵିଧାରେ ସେମାନେ ପୁଣି ବସିପଡ଼ିଲେ । ସୁବ୍ରତ ଭାବି ନ ଥିଲା ଏଇ ପଦକ ସୌଜନ୍ୟପୂର୍ଣ୍ଣ କଥାରେ ସେମାନେ ପୁଣି ଅଟକିଯିବେ ବୋଲି । ସେମାନଙ୍କର ଉପସ୍ଥିତି ମମତାକୁ ମୋଟେ ଭଲ ଲାଗୁ ନ ଥିଲା ।

ସେ କହିଲା–‘ସୁବ୍ରତ ଭାଇ, ଚାଲ କଟକଚଣ୍ଡୀ ମନ୍ଦିର ଆଡ଼େ ବୁଲି ଆସିବା ।’’

ସୁବ୍ରତର ଇଚ୍ଛା ଥାଉ ନ ଥାଉ–ସେ ମନାକଲା । ମନ ଭିତରେ ତା’ର କେମିତି ଆଶଂକା, ତା’ର କାରଣ ସେ ନିଜେ ବି ଜାଣେନି ।

ହଷ୍ଟେଲର ଚାକରାଣୀ ଆସି କହିଲା–

‘‘ମମତା ଅପା, ଆପଣଙ୍କୁ ବଡ଼ ଅପା ଡାକୁଛନ୍ତି ।’’

ହେଡ଼୍‌ ମିଷ୍ଟ୍ରେସ୍‌ ଙ୍କର ହଠାତ୍ ଏ ଡାକରାରେ ସେ ଟିକିଏ ଅପ୍ରତିଭ ହେଲା । ସୁବ୍ରତ ଉଠି ଚାଲିଆସିଲା ।

ମମତା କହିଲା–‘‘ମଝିରେ ମଝିରେ ଆସୁଥିବ ।’’

ସୁବ୍ରତ ଚାଲିଆସିବା ପରେ ସ୍ନିଗ୍‌ଧା ଆଉ ସ୍ଵାତୀ ହସିଉଠିଲେ । ସେ ହସରେ ରହିଥିଲା ବିଦ୍ରୁପର ଆଭାସ । ମମତା ତରତର ହେଇ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀଙ୍କ ପାଖକୁ ଗଲା । ସ୍ଵାତୀ ଆଉ ସ୍ନିଗ୍‌ଧା ବସି ରହିଲେ ତା’ରି ଘରେ ।

 

ହେଡ୍‌ ମିଷ୍ଟ୍ରେସ୍‌ ସନ୍ଧ୍ୟାରାଣୀ ଗମ୍ଭୀର ମୁହଁ ରେ ତାଙ୍କ ଘରେ ବସି ରହିଛନ୍ତି । ସେ ମୁହଁ କୁ ଦେଖିଲେ ଭୟ ଲାଗିବ । ତାଙ୍କ ମୁହଁ କୁ ଚାହିଁ ମମତାର କୋମଳ ତନ୍ତ୍ରୀ ଥରି ଉଠିଲା ।

 

‘‘ମମତା, ଏଗୁଡ଼ା ତ ସବୁ ଭଲ କଥା ନୁହେ । ଛାତ୍ରୀଜୀବନରେ ଏସବୁ ସାଜେ । ବର୍ତ୍ତମାନ ତମେ ଶିକ୍ଷାର ଦାୟିତ୍ଵ ନେଇଛ । ଏସବୁ କ’ଣ ହଉଚି ?’’

 

କ’ଣ ହଉଚି ? କିଛି ବୁଝିପାରିଲା ନାହିଁ ମମତା । କାହାକୁ ଲକ୍ଷ୍ୟ କରି ସେ ଏକଥା କହି ଯାଉଛନ୍ତି ?

 

ସେ ପୁଣି କହିଲେ–

 

‘‘ନୂଆ ତମେ ଚାକିରି କରିଚ । ଏଠାକାର ଆଇନ କାନୁନ୍‌ ଜାଣି ନାହ । ତେଣୁ ଏଥରକ କ୍ଷମା ଦିଆଗଲା । ଆଉ ଥରେ ଯଦି ଏମିତି କର ତମ ବିରୁଦ୍ଧରେ ଗୁରୁତର ଦଣ୍ଡ ବିଧାନ କରାଯିବ-

 

‘‘ପୁରୁଷ ବନ୍ଧୁ ସହିତ ଗଳ୍ପ କରିବା ପାଇଁ ହଷ୍ଟେଲ୍‌ କମନ୍‌ରୁମ୍ ରହିଚି । ସେଥିପାଇଁ ନିଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଇଚି । ଯେତେବେଳେ ସେତେବେଳେ ପୁରୁଷ ବନ୍ଧୁଙ୍କୁ ଡାକି ନିଜ ଶୋଇବା ଘରେ ବସେଇ ଗପ କରିବା ସୁନ୍ଦର ନୁହେଁ । ଏଇଆ କରି ହଷ୍ଟେଲର ଛାତ୍ରୀମାନଙ୍କୁ କି ଆଦର୍ଶ ତମେ ଦେଖଉଚ ! ଯାଅ–ଆଗକୁ ସାବଧାନ ହେବ ।’’

 

ଏତେଗୁଡ଼ାଏ କଥାର ପଦେ ହେଲେ ବି ଉତ୍ତର ଦେଲାନି ମମତା । ଅପରାଧିନୀ ପରି ସେ ଚାଲିଆସିଲା ଧୀରେ ଧୀରେ । କିନ୍ତୁ କି ଅପରାଧ ସେ କରିଛି ? ଭାଇ ସାଙ୍ଗରେ ଭଉଣୀ କଥାବାର୍ତ୍ତା ଦେବାର ବାଧା ଅଛି କୋଉଠି ? ମୁହଁରେ ଅମାବାସ୍ୟାର ଅନ୍ଧକାର । ଫେରିଆସିଲା ସେ ନିଜ କୋଠରୀକୁ ।

 

ସ୍ଵାତୀ ଡାକିଲା ବୁଲି ଯିବାକୁ । ସେ ନାହିଁ କଲା ଯିବାକୁ । ସ୍ଵାତୀ ବିଦ୍ରୂପ କରି କହିଲା–

 

‘‘ହଁ–ଆମ ସାଙ୍ଗରେ ବୁଲି ଯିବାକୁ ଆଉ କ’ଣ ଭଲ ଲାଗିବ ? ଆମେ ତ କଟକଚଣ୍ଡୀ ମନ୍ଦିରରେ ସିନ୍ଦୂର ଦେଇ ପାରିବୁନି ।’’

 

ଗର୍ଜି ଉଠିଲା ମମତା–

 

‘‘ସବୁବେଳେ ଏମିତି ବାଜେକଥା ମତେ ଭଲ ଲାଗେନି । ତମେ ସବୁ ଚାଲିଯାଅ । ମୁଁ କୁଆଡ଼େ ଯାଇ ପାରିବିନି ।’’

 

ସ୍ଵାତୀ ଆଉ ସ୍ନିଗ୍‌ଧା ଚାଲିଆସିଲେ । ଆସୁ ଆସୁ ସ୍ଵାତୀ କହିଲା–

 

‘‘ଠିକ୍‌ ଅଛି, We know where the shoe pinches ।’’

 

ମମତା ଆଉ କିଛି କହିନି ।

 

ଏ ଦୁନିଆରେ ସମସ୍ତେ କ’ଣ ପାଗଳ ! ସନ୍ଧ୍ୟା,ସ୍ଵାତୀ, ସ୍ନିଗ୍‌ଧା–ସମସ୍ତେ ? କ’ଣ ଦେଖି ସେମାନେ ଆଜି ଏ ବିଦ୍ରୂପ କରୁଛନ୍ତି ? ସୁବ୍ରତ ଯଦି ତା’ର ନିଜ ଭାଇ ହେଇଥାନ୍ତା–ସେ ସେମାନଙ୍କ ଦାନ୍ତ ଭାଙ୍ଗି ଦିଅନ୍ତା । ରାଗରେ ଅଖିରୁ ତା’ର ନିଆଁ ବାହାରିପଡ଼ିଲା । କିନ୍ତୁ କ’ଣ କରିବ ? ଚାକିରି କରିଚି । ସମସ୍ତଙ୍କର ଦାଉ ତା’କୁ ସହିବାକୁ ହେବ ।

 

ରାତିରେ ବିଛଣାରେ ପଡ଼ି ଏକା ଏକା ସେ କାନ୍ଦିଲା । ଭାଗ୍ୟରେ ତା’ର କ’ଣ ଅଛି ? ବିଧିର ନିର୍ଦ୍ଦେଷ କ’ଣ ? –କିଛି ବୁଝିପାରୁନି ସେ ।

 

ରୁଟିନବନ୍ଧା ଜୀବନ । ହଷ୍ଟେଲ୍‌ର କାନ୍ଥ କାନ୍ଥ ଭିତରେ ଅତିବାହିତ ହେଇଗଲା ଆଠଟି ଦିନ ।

 

ତା’ ପରର ରବିବାର । ସେଦିନ ତିନିଟାବେଳେ ସୁବ୍ରତ ଯାଇଥିଲା ସେଠିକି–ତା’ ଭଲ ମନ୍ଦ ବୁଝି ଆସିବାକୁ ।

 

ଚାକରାଣୀ ଯାଇ ଖବର ଦେଲା । ସୁବ୍ରତର ଆସିବା ଖବର ପାଇ ତା’ର ସର୍ବାଙ୍ଗ ଯେମିତି ଥରି ଉଠିଲା । ଦର୍ପଣ ସାମନାରେ ଠିଆ ହେଇ ସେ ଦେଖିଲା ଆଖିରେ ତା’ର ରକ୍ତିମା । କ’ଣ ହେଲା କେଜାଣି–ଚାକରାଣୀକୁ ସେ କହିଲା–

 

‘‘କହି ଦେ, ଆଜି ଦେଖା ହେଇ ପାରିବନି ।’’

 

ତା’ ପରେ ତକିଆରେ ମୁହଁ ଗୁଞ୍ଚି ଅଜସ୍ର ଅଶ୍ରୁ, ଢାଳିଗଲା ସେ । ଅଦୃଶ୍ୟ ସାହାରାର ଝନ୍‌ଜାରେ ଦେହର ରକ୍ତ ତା’ର ଶୁଖି ଆସୁଥିଲା ।

 

ଚାକରାଣୀ ଆସି ମମତା କହିଥିବା କଥା ସୁବ୍ରତକୁ କହିଲା–

 

ହଠାତ୍‌ ମୁଣ୍ଡରେ ତା’ର ବଜ୍ରପାତ ହେଲା ଯେମିତି । ହାତରେ ଧରିଥିବା ଟିଫିନ୍‌ କ୍ୟାରିଅର ବାଟିଟା ଖସି ପଡ଼ିଲା ତଳେ ।

 

ମନର ଭାବକୁ ସମ୍ଭାଳି ରଖି ଚାକରାଣୀ ହାତରେ ଟ୍ରଫିନ୍‌ କ୍ୟାରିଅର ବାଟିଟି ଦେଇ ସେ କହିଲା–

 

‘‘ନେଇଯା, ୟା’କୁ ଦେଇଦେବୁ ।’’

 

ଚାକରାଣୀ ଚାଲିଗଲା । ଫେରିଆସିଲା ସୁବ୍ରତ ।

 

କ’ଣ ହେଇଚି ମମତାର ? ସେ ଭାବି ଭାବି କିଛି ଥଳକୂଳ ପାଉ ନ ଥିଲା ।

 

ଚାକରାଣୀ ମିଠେଇ ବାଟିଟି ନେଇ ଦେଇଦେଲା । ମମତା ମନରେ ଆସିଚି ଭବାନ୍ତର । ସୁବ୍ରତ ଭାଇ ତା’ର କି ଦୋଷ କରିଛନ୍ତି, ତାଙ୍କୁ ଏମିତି କର୍କଶ କଥା କହି ସେ ବିଦା କରିଦେଲା ! ଜଗତର ପାଗଳାମୀରୁ ତା’ର କ’ଣ ଯାଏ ଆସେ ? ଯୋଉ ଲୋକ ତାକୁ ମରଣମୁହଁରୁ ବଞ୍ଚେଇ ଜୀବନ ଦେଇଛନ୍ତି, ଯାହାଙ୍କ ଦୟାରୁ ଆଜି ଏ ଚାକିରି, ସେଇ ଆଦରର ସୁବ୍ରତ ଭାଇକି ଦେଖା କରିବ–ଭାଇ ଭଉଣୀର ବନ୍ଧନ ପାଖରେ ସବୁ ଆଇନ୍‌ ତୁଚ୍ଛ । ଦଉଡ଼ି ଆସିଲା ସେ ବାହାରକୁ–କାହିଁ କମନ୍‌ରୁମ୍‌ରେ ତ କେହି ନାହାନ୍ତି । ରାସ୍ତା ଉପରକୁ ଆସିଲା–କେହି ନାହିଁ ଦୂରକୁ ଚାହିଁଲା–ବହୁତ ଦୂରରେ ସୁବ୍ରତ ଭାଇ ଚାଲି ଯାଉଛନ୍ତି । ଫେରେଇ ଆଣିବାର ଆଉ ବାଟ ନାହିଁ । ଡାକିଲେ ସେ ଡାକ ତାଙ୍କ ପାଖରେ ପହଞ୍ଚି ପାରିବ ନାହିଁ । ଫେରିଆସି କୋଠରୀକୁ ଯାଇ ଭିତରୁ କବାଟ କିଳି ମନଇଚ୍ଛା ସେ କାନ୍ଦିଲା ।

 

ସୁବ୍ରତ କଟକଚଣ୍ଡୀଂଠୁ ଚାଲି ଆସି ଘରେ ପହଞ୍ଚିବା ବେଳକୁ ବାଜିଲାଣି ଚାରିଟା । ସାଙ୍ଗେ ସାଙ୍ଗେ ସଦାମଣୀ ଦେବୀ ଆସି ପଚାରିଲେ–

 

‘‘କେମିତି ଅଛି ମମତା ?’’

 

‘‘ଭଲ ।’’ –ଛୋଟ ଉତ୍ତରଟିଏ ଦେଲା ସୁବ୍ରତ ।

 

‘‘କେବେ ସେ ଆସିବ ?’’

 

‘‘ପନ୍ଦରଦିନ ପୂରିଲେ ।’’

 

ବେଶ୍‌ ସେତିକିରେ କଥାବାର୍ତ୍ତା ଶେଷ ହେଇଗଲା । ସୁବ୍ରତ ଯାଇ ବସି ରହିଲା ତା’ ଶୋଇବା ଘରେ ।

 

କାନ୍ଥକୁ ଚାହିଁ ପଲକ ପଡ଼ିଲା ନାହିଁ ତା’ର । ମମତା ପାଖରେ କି ଅପରାଧ ସେ କରିଚି-? ଯଦି କିଛି ଅପରାଧ କରିଥାଏ, ବଡ଼ ଭାଇର ଦୋଷକୁ ସାନ ଭଉଣୀ କ’ଣ କ୍ଷମା ଦିଏ ନାହିଁ ? ମମତାର ନିର୍ଦ୍ଦୟ କ୍ଷମାହୀନ ବ୍ୟବହାରରେ ସେ ମର୍ମାହତ ହେଇ ପଡ଼ିଥିଲା ।

 

ସେଇଠି ସେମିତି ବସୁ ବସୁ ରାତି ନ’ ବାଜିଗଲା । ଖାଇବାକୁ ଆଉ ତା’ର ଇଚ୍ଛା ହଉ ନ ଥାଏ । କ’ଣ କରିବ ବାଧ୍ୟ ହେଇ ଦି’ ଚାରି ଥର ଏଣୁତେଣୁ ଖାଇ ଦେଇ ବିଛଣା ଉପରେ ଆସି ପଡ଼ିଗଲା ।

 

ସକାଳ ହେଲା । ସଦାମଣୀ ଦେବୀ କହିଲେ–

 

‘‘ସୁବ୍ରତ, ଦି’ଦିନ ପାଇଁ ଗାଁ କୁ ଯାଇ ଜମିବାଡି କଥା ଟିକିଏ ବୁଝି ଆ । ନରିଦାଦା, ସପନିଦାଦା, ଶାମ ଅଜାଙ୍କ ପାଖରେ ଯୋଉ ପାଉଣା ଅଛି, ତା’କୁ ଆଦାୟ କରି ଆଣିବାକୁ ହେବ । ଏ ବର୍ଷ ପାଉଣା ଆର ବର୍ଷକୁ ରହିଗଲେ ଆଉ ଆଦାୟ ହବନି । ତୁ ଦି’ ଦିନ ପାଇଁ ଯା ।’’

 

ସୁବ୍ରତ ମଧ୍ୟ ସେଇଆ ଖୋଜୁଥିଲା । ଦି’ ଚାରି ଦିନପାଇଁ କଟକ ଛାଡ଼ି ବାହାରେ ବୁଲି ଆସିଲେ ଟିକିଏ ଭଲ ଲାଗିବ । ସେଇଦିନ ଦି ପହର ପାସେଞ୍ଜରରେ ସେ ଗାଁ । ଅଭିମୁଖେ କଟକ ଛାଡ଼ିଲା ।

 

ମମତା ପ୍ରାଣରେ ଲାଗିଚି କ୍ରୂରତମ ଆଘାତ । ସେ ଆଉ ରହିପାରିଲା ନାହିଁ ।

 

ସୁବ୍ରତ ପାଖରେ ଆସି କ୍ଷମା ମାଗିବ–ତା’ ନ ହେଲେ ଅନୁତାପ–ଅଗ୍ନିରେ ଜଳିପୋଡ଼ି ମରିବା ହିଁ ସାର ହେବ ।

 

ସେଦିନ ସେ ଠିକ୍‌ କଲା–ସୁବ୍ରତ ଘରକୁ ଆସି ତାକୁ ସବୁକଥା ଜଣେଇବ । କାହିଁକି ସେ ସେଦିନ ଏମିତି ବ୍ୟବହାର ଦେଖେଇଥିଲା । ବାସ୍ତବିକ୍‌ ତା ମୁଣ୍ଡ ଖରାପ ହେଇ ଯାଇଥିଲା ସେଦିନ-

 

ରିକ୍‌ସାଟିଏ କରି ସେ ଆସିଲା । କେମିତି ମୁହଁ ଦେଖେଇବ ସୁବ୍ରତ ଭାଇଙ୍କି । ଲଜ୍ଜା, ଭୟ ଏକ ସହିତ ମିଶି ମୁଣ୍ଡ ଭିତରେ ତା’ର ଢେଉ ସୃଷ୍ଟି କରୁଥିଲା ।

 

ଦୁଆର ମୁହଁରେ ପହଞ୍ଚି ଭିତରକୁ ଗଲା । ମନରେ ତା’ର ଫୁର୍ତ୍ତି ନାହିଁ କି ଉନ୍ମାଦନା ନାହିଁ-। ସଦାମଣୀ ଦେବୀ ତା’ କପାଳରେ ଚୁମ୍ବନ ଦେଇ ସାରା ଦେହ ଆଉଁସିଦେଲେ ରେଣୁ କେତେ କଥା କହି ବସିଲା–ସବୁ ଯେମିତି ସେ ଜମେଇ ରଖିଥିଲା ସେ ଆସିଲେ କହିବ ବୋଲି ।

 

ଚାରିଆଡ଼କୁ ଚାହୁଁଥିଲା ମମତା ଅନବରତ । ତା’ର ଚଞ୍ଚଳ ଆଖି ଯୋଡ଼ିକ ଖୋଜି ବୁଲୁଥିଲା । ସୁବ୍ରତ ଭାଇଙ୍କି । କିନ୍ତୁ କାହିଁ ? ତାଙ୍କର ଗନ୍ଧ ସେ ପାଉନି । ଶୋଇବା ଘରେ ତାଲା ପଡ଼ିଚି । ଇଚ୍ଛା କଲେ ପଚାରି ବୁଝି ପାରିଥାନ୍ତା । କିନ୍ତୁ ପଚାରି ପାରିଲା ନାହିଁ ସେ ।

 

ମୁଣ୍ଡ ଭିତରେ ବିଛାର ଦଂଶନ । କାହାରି ଗପ ଶୁଣିବାକୁ ତା’ର ଇଚ୍ଛା ନାହିଁ । ତଥାପି ନାଚାର । ସଦାମଣୀ ଦେବୀ ପାଖରେ ବସି ତାକୁ ପେଟେ ଖୁଆଇଲେ । ଦି’ ଚାରିଦିନ ଭିତରେ ହଷ୍ଟେଲ୍ ଛାଡି ସେଠିକି ଚାଲି ଆସିବାକୁ ବାରମ୍ବାର ମନେ ପକେଇଦେଲେ ।

 

ସନ୍ଧ୍ୟା ହେଲା । ତଥାପି ସୁବ୍ରତ ଭାଇଙ୍କର ଦେଖା ନାହିଁ । ମମତା ଠିଆ ହେଲା ଯିବ ବୋଲି । ରେଣୁ ବାଟେଇ ଦବାକୁ ରାସ୍ତା ଉପରକୁ ଆସିଲା । ମମତା ବହୁତ ସାହସ ଠୁଳ କରି ପଚାରିଲା–

 

‘‘ସୁବ୍ରତ ଭାଇଙ୍କୁ ତ ଦେଖିଲି ନି । ସେ କୁଆଡ଼େ ଯାଇଛନ୍ତି କି ?’’

 

‘‘କାଲି ଗାଁକୁ ଯାଇଛନ୍ତି ।’’

 

‘‘ଆସିବେ କେବେ ?’’

 

‘‘ଦି’ ଚାରିଦିନ ପରେ । ଜମିବାଡ଼ି କଥା ବୁଝିବାକୁ ଯାଇଛନ୍ତି ।’’

 

ଓଃ ! ଦୁଶ୍ଚିନ୍ତାରୁ ତାକୁ ରକ୍ଷା ମିଳିଲା । ପ୍ରଧାନ ରାସ୍ତା ପର୍ଯ୍ୟନ୍ତ ଆସି ରେଣୁ ନମସ୍କାରଟିଏ ଜଣେଇ ଫେରିଗଲା । ମମତା ଚାଲି ଆସିଲା ହଷ୍ଟେଲ୍‌କୁ–ଯୋଉଠି କଟେ ତା’ର ନିଃସଙ୍ଗ ଜୀବନ ପ୍ରାଣର ହାହାକାରରେ ।

 

–ଆଠ–

 

ଗାଁରେ ତିନି ଚାରିଦିନ ରହି ସୁବ୍ରତ ପୁଣି ଫେରିଆସିଲା ସହରକୁ । ଏ କେତେ ଦିନ ଗାଁରେ ତା’କୁ ବେଶ୍‌ ଭଲ ଲାଗିଲା । ନୀରବ, ଶାନ୍ତ ପଲ୍ଲୀ, ଅସଂଖ୍ୟ ବିକର ଫୁଲର ଗନ୍ଧରେ ସଦା ସୁବାସିତ । ଗୋଧୂଳିର ଅପୂର୍ବ ଶୋଭା, ପ୍ରକୃତିର ବୈଚିତ୍ର୍ୟ, ମୁକ୍ତ ପବନ–ତା’କୁ ଅଭିଭୂତ କରିଥିଲା-। ସେ ପାସୋରି ପକାଇଥିଲା ସବୁ କଥା । ସକାଳେ ମାଛଧରା ଜାଲଟାଏ ଧରି ଗାଁ ପୋଖରୀ, ନଈରେ ମାଛ ଧରିବାକୁ ଭାରି ଭଲ ଲାଗୁଥିଲା । ପ୍ରାଇମେରୀ ସ୍କୁଲ୍‌ ଦିନର ପୁରୁଣା ସାଥୀଙ୍କ ସହ କ୍ଷେତରେ ବୁଲିବା–ଅତୀତର କ୍ଳାନ୍ତିହରା ରଙ୍ଗୀନ୍‌ ଦିନଗୁଡ଼ିକ ମନରେ ପକାଇ ଦିଏ । ସମୟର ଖତଗଦା ତଳେ ବହୁତ କଥା ଲୁଚି ଛପି ଯାଇଚି । କେତେ ଚିହ୍ନା ମୁହଁ ମରିହଜି ଯାଇଛନ୍ତି-। କେତେ ସମବୟସର କିଶୋରୀ କାହାଘରକୁ ବଧୂ ସାଜି ଚାଲି ଯାଇଛନ୍ତି । କେତେ ଘର ଭାଙ୍ଗିଯାଇଛି, କେତେ ପୁଣି ନୂଆ କରି ମୁଣ୍ଡ ଟେକିଛି । କେତେ ଜୁଆନ ଲୋକ ଅଭାବରେ ପଡ଼ି ରେଙ୍ଗୁନ, ଟାଟା କିମ୍ବା କଲିକତା କଳଘରେ ଯାଇ ଆଶ୍ରୟ ନେଇଛନ୍ତି । ଆଦ୍ୟ ଯୌବନର ନବବିବାହିତା ପତ୍ନୀକୁ ଛାଡ଼ି, ରୋଗଗ୍ରସ୍ତ ବୃଦ୍ଧ ବାପଠାରୁ ଦୂରରେ ରହି–ନିଜର ରକ୍ତ ଢାଳୁଛନ୍ତି ବିଦେଶରେ । ଗାଁର ଯାତ୍ରାପାର୍ଟି–ସଂଧ୍ୟା ହେଲେ ସମସ୍ତଙ୍କର ଆଡ଼୍‌ଡ଼ା ହୁଏ ଆଖଡ଼ା ଘରେ-। ସୁବ୍ରତର ପିଲାଦିନର ସଙ୍ଗୀ ପୀତାମ୍ବର, ରାଜା ପାର୍ଟରେ ଉଠୁଚି । ତା’ର ଅଭିନୟ ଦେଖିଲେ ସାଧାରଣ ଲୋକ ମୁଗ୍‌ଧ ହୁଅନ୍ତି । ‘ମହିଷାସୁର’ ଅଭିନୟ ସେ ଥରେ ତା’ର ଦେଖିଚି-। ଜୀବନସାରା ସେ ତାକୁ ଭୁଲିପାରିବ ନାହିଁ । ଆମ ଦେଶର ମଫସଲରେ ବହୁ ଉଚ୍ଚକୋଟୀର ଅଭିନେତା ଅଛନ୍ତି । କିନ୍ତୁ ତାଲିମ ଓ ଅର୍ଥ ଅଭାବରେ ସେମାନେ ବଣରେ ଫୁଟି ସେଇ ବଣରେ ହିଁ ଝରି ଯାଉଛନ୍ତି । ଦେଶ ତାଙ୍କର ପରିଚୟ ପାଉନି । ବୈଷ୍ଣବ ପାଣି ଭଳିଆ ଲୋକ ଯେ ଏ ଦେଶର ଯାତ୍ରାଭିନୟକୁ ଜୀବନ ଦେଇ ବହୁଦିନ ବଞ୍ଚେଇ ରଖିଥିଲେ, ସେ ତ ପୁଣି ଅଭାବରେ ପଡ଼ି ହା’ଅନ୍ନ–ହା’ଅନ୍ନ ଚିତ୍କାର କଲେ ।

 

ସୁବ୍ରତ ମନରୁ ଏଇ ଗାଁର ସ୍ମୁତି ଲିଭୁ ନ ଥିଲା । ଜନ୍ମଭୂମିର ଦରଦୀ ପରଶରେ ଆର୍ଦ୍ର ହେଇ ଉଠୁଥିଲା ତା’ର ଅନ୍ତର ।

 

କଟକ ସହରରୁ ଫେରିଆସି ସେ ଦେଖୁଥିଲା ଜୀବନ କେମିତି ଏଠି ଅଭିନୟ । କୃତ୍ରିମତାର ସଫେଦ ଫେଣରେ ଭରପୂର । ରେଡ଼ିଓର ସଙ୍ଗୀତ, ଟ୍ରକ୍‌ ବସର କାନଫଟା ହର୍ଣ୍ଣ, ରେଲ୍‌ ଇଞ୍ଚିନ୍‌ର ଚିତ୍କାର–ସବୁ ଯେମିତି ଅସ୍ଵାଭାବିକ । ମଣିଷର ଦୁଃସ୍ଥ ଜୀବନ ସହିତ ଏହାର କିଛି ସାମଞ୍ଜସ୍ୟ ନାହିଁ । ଲକ୍ଷେଲୋକ ଭିତରୁ ଶହେଲୋକ ଖୁସିରେ ଅଛନ୍ତି । ଦୁଶ୍ଚିନ୍ତା ନାହିଁ । ଅଭାବ ତାଙ୍କଠି ସ୍ଵପ୍ନ । କିନ୍ତୁ ଆଉ ଯେତେ ରହିଲେ । ଆଉ ଯେତେ ରହିଲେ ସେମାନଙ୍କ ଭିତରୁ ପାଞ୍ଚହଜାର ବେକାର, ଦଶହଜାର ଜୀବନର ଦୈନନ୍ଦିନ ଜଞ୍ଜାଳରେ ପିଷ୍ଟ, କୋଡ଼ିଏହଜାର ପରାଜିତ, ଚାଲିଶହଜାର ଦୀନ ଭିକାରୀ....

 

ଜୀବନରୁ ହସିବାର ଉପାଦାନ ମରିଯାଇଚି । ଆଷାଢ଼ର ପ୍ରଥମ ମେଘ ରହିଥିଲେ ବି କାଳିଦାସଙ୍କ ମନ ନାହିଁ ।

 

ଘର ତାକୁ ଲାଗୁଚି ଶୂନ୍ୟ । ବାହାରେ ମାନେହେଉଚି ଶ୍ମଶାନର କୋଳାହଳ । ଜୋବ୍ରା ରାସ୍ତାର ସବୁଜ ବୃକ୍ଷ ଗାଉଚି ଯେମିତି ନିଷ୍ଫଳ ସଙ୍ଗୀତ । ଶାନ୍ତି ଚାହୁଁଚି ସେ । ଗାଁ ତାକୁ ଦେଇଥିଲା ଯେଉଁ ଟିକକ ଆନନ୍ଦ–ସେତିକି ତା’ର ଲୋଡ଼ା । ସେଦିନ ସଂଧ୍ୟାରେ ବସୁବସୁ ମା ତା’ର ଆସି ତା’ ବିବାହ କଥା ଉଠାଇଥିଲେ । ବିବାହ ନାଁ ଶୁଣି ମନ ଭିତରେ ତା’ର ଖେଳି ଯାଉଥିଲା ଏକ ଅହେତୁକ ଭୟ । ଅଜଣା ସ୍ତ୍ରୀ–ପୁରୁଷ ଭିତରେ ସମାଜ ବିବାହ ରୂପକ ଯେଉଁ ରଜ୍ଜୁ ବାନ୍ଧିଦିଏ, ସେଥିରେ ହାତ ସହିତ ହାତର ହୁଏ ବନ୍ଧନ । ଦେହ ସହିତ ହୁଏ ଦେହର । କିନ୍ତୁ ମନ ହୁଏତ ଉଡ଼ିବୁଲେ ବହୁତ ଦୂରରେ । ଇଗଲ ପକ୍ଷୀର ଡେଣାରେ ସେ ହୁଏତ ଦେଖୁ ଥାଏ ପ୍ରଭାତର ମୁକ୍ତା, ସୂର୍ଯ୍ୟର ପ୍ରଥମ ଉଜ୍ଜ୍ୱଳ କିରଣ । ଅର୍ଥନୀତିର ବଜାରରେ ବିବାହ ପୂବର୍ରୁ ତ ପୁଣି ଗୋଟିଏ ସଂସ୍ଥା ଦରକାର ।

 

ମନେ ମନେ ସେ ଭାବିଚି–ଚାକିରି ବାକିରି ନ କଲା ପର୍ଯ୍ୟନ୍ତ ସେସବୁରେ ସେ ମୁଣ୍ଡ ଖେଳାଇବ ନାହିଁ । ଘରେ ବଅସର ଭଉଣୀ ରେଣୁ । ତା’ ବିବାହଟା ଆଗେ ହେଇଥିଲେ ସେ ଟିକେ ଶାନ୍ତିରେ ନିଶ୍ୱାସ ମାରିବ । ବାପାଙ୍କର ଶେଷ ଇଚ୍ଛା ଥିଲା ଅବସର ପୂର୍ବରୁ ରେଣୁର ବାହାଘର କରେଇ ଦେଇଥାଆନ୍ତେ । କିନ୍ତୁ ସେ ତ ଚାଲିଗଲେ । ଆଉ ବା ସେ ଡେରି କରିବ କାହିଁକି ? ଗୃହିଣୀ ହେବାପାଇଁ ଯେତିକି ପାଠ ଦରକାର ସେତକ ରେଣୁ ପଢ଼ିଲାଣି । ମା’ଙ୍କୁ ସେ ସେଇକଥା କହିଲା–‘‘ରେଣୁର ବିବାହ ନ ହେବା ପର୍ଯ୍ୟନ୍ତ ସେ ବିବାହ କରିବ ନାହିଁ ।’’ ମା’ କହିଲେ–‘‘ବେଶ୍‌ ଭଲ କଥା । ରେଣୁର ଯେତିକି ପାଠ ହେଇଚି ସେତିକି । ଏବେ ତା’ ପାଇଁ ବରପାତ୍ରଟିଏ ଯୋଗାଡ଼ କର ।’’

 

“ହଉ ।” ଶାନ୍ତିରେ ନିଶ୍ୱାସ ମାରିଲା ସେ । ଅନ୍ତତଃ କିଛିଦିନ ପାଇଁ ରକ୍ଷା ମିଳିବ ତାକୁ । ତା’ ସାଙ୍ଗ ଭିତରେ ବହୁତ ଅବିବାହିତ ଅଛନ୍ତି । ତା’ ଆଖି ଯାଇ ପ୍ରଥମେ ପଡ଼ିଲା ତରୁଣ ଓକିଲ କିଶୋରଙ୍କ ଉପରେ । ବୟସ ସତେଇଶି ହବ । କଟକ ସହରରେ ଘର ଖଣ୍ଡେ ଅଛି ଗଣେଶ ଘାଟ ପାଖରେ । ମଫସଲରେ ଜମିବାଡ଼ି କିଛି ଅଛି । ବାପ–ମା କେହି ନାହାନ୍ତି । ବେଶ୍‌ ସୁନ୍ଦର ଆଉ ସ୍ୱାସ୍ଥ୍ୟବାନ୍‌ ଯୁବକ । ରେଣୁପାଇଁ ବେଶ୍‌ ଭଲ ହୁଅନ୍ତା ।

 

କଟକରେ ଘଟକ ନଟବାବୁଙ୍କୁ ସମସ୍ତେ ଜାଣନ୍ତି । ସେ ତ ଘଟକ ନୁହନ୍ତି–ସ୍ୱୟଂ ପ୍ରଜାପତି । ଚଟ୍ଟଗ୍ରାମରୁ ଆସି ପନ୍ଦରବର୍ଷ ହେଲା କଟକରେ ସେ ରହିଛନ୍ତି । କଲିକତାର ‘ପ୍ରଜାପତି ଘଟସୂତ୍ର ଅଫିସ’ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପର୍କ ଅଛି । ସେଦିନ ସଦାମଣୀ ଦେବୀ ତାଙ୍କୁ ଡାକି ବେଶ୍‌ ଭଲ କରି ଖାଇବାକୁ ଦେଇ ରେଣୁ ସଂପର୍କରେ ତରୁଣ ଓକିଲ କିଶୋରଚନ୍ଦ୍ରଙ୍କ କଥା କହିଥିଲେ । ନଟବର ହାତରେ ହାତ ପିଟି ଅତିଶୀଘ୍ର ଏହାର ବନ୍ଦୋବସ୍ତ କରିଦେବେ ବୋଲି କହି ପଚିଶଟିଟଙ୍କା ପାରିଶ୍ରମିକ ନେଇ ଫେରିଲେ । ତାଙ୍କର ଶର ଅବ୍ୟର୍ଥ । ଯେଉଁ ପକ୍ଷୀକୁ ସେ ଲକ୍ଷ୍ୟ କରିବେ, ସେ ନିଶ୍ଚୟ ବିଦ୍ଧ ହେବ । ବହୁ ହତଭାଗ୍ୟ ପିତା ନଟବରଙ୍କୁ ସନ୍ତୁଷ୍ଟ କରି କନ୍ୟାଦାୟରୂ ମୁକ୍ତି ପାଇଛନ୍ତି । କିନ୍ତୁ ରେଣୁ କଥା ସ୍ଵତନ୍ତ୍ର । ତା’ ଭଳି ଗୁଣର ଝିଅ ପାଇଁ ବରପାତ୍ର ଅନେକ ମିଳିବେ । ନଟବର ଏଇ ପନ୍ଦରବର୍ଷ ଭିତରେ ଅନ୍ତତଃ ପନ୍ଦରଶହ ବାହାଘର କରେଇଥିବେ । ତାଙ୍କର ଗୋଟିଏ ବଡ଼ ଗର୍ବର କଥା ସେ ନିଜେ ମଧ୍ୟ ବହୁତ ଥର ଏକଥା କହନ୍ତି ଯେ ଯେଉଁଠି ଯେଉଁଠି ସେ ସଂପର୍କ କରେଇ ଦେଇଛନ୍ତି, ସବୁ ଆଡ଼େ ବିବାହ ମଧୁମୟ ହେଇଚି ।

 

ନଟବର ଯିବାବେଳେ ସୁବ୍ରତ ପଚାରିଥିଲା–

 

‘‘କେତେ ଦିନ ଭିତରେ ଆମେ ଖବର ପାଇବୁ ତ ?’’

 

‘‘ହେବ–ହେବ–ହେବ । ଏଇ କଥା, ଦି’ଦିନ’’–ଆଙ୍ଗୁଳି ଦେଖାଇ କହିଥିଲେ ସେ ।

 

ସେ ଚାଲିଗଲା ପରେ ସଦାମଣୀ ଦେବୀ କଦଳୀ ନଡ଼ିଆ କିଣି ପାଖ ମହାଦେବଙ୍କ ମନ୍ଦିରକୁ ଭୋଗପାଇଁ ପଠାଇଦେଲେ ଆଉ ଦି’ ହାତ ଯୋଡ଼ି ପ୍ରାର୍ଥନା କଲେ–

 

‘‘ପ୍ରଭୁ ହେ, ସମ୍ବନ୍ଧ ଶୁଭରେ ଶୁଭରେ ହେଇଯାଉ ।’’ ଝିଅପାଇଁ ପ୍ରାର୍ଥନା କରୁକରୁ ସ୍ୱତଃ ପୁଅର ମଙ୍ଗଳ ମନାସିଲେ । ଦି’କାମ ଏକା ସାଙ୍ଗରେ ହେଇଯାଆନ୍ତା କି ! ଝିଅକୁ ଘରୁ ବିଦାକରି ବୋହୂଟିଏ ନେଇଆସିଲେ ଦୁଃଖ ଆଉ କିଛି ରହନ୍ତା ନାହିଁ ।

 

ସେଇଦିନ ଭାତ ଖାଇସାରି ସୁବ୍ରତ ଯାଇଥିଲା ନୂଆ ବଜାର–ତା’ ବାପାଙ୍କର ଜଣେ ହିତାକାଂକ୍ଷୀ ବନ୍ଧୁଙ୍କ ଘରକୁ । ସେ ବାହାରିଗଲା ପରେ ମମତା ଆସିଥିଲା । ସଦାମଣୀ ଦେବୀ ତା’ର ସେଠିକି ଆସିବା କଥା ପଚାରିଲେ । ମାତ୍ର ଆଉ ଗୋଟିଏ ମାସ ତାକୁ ସୁପରିଣ୍ଟେଣ୍ଡଣ୍ଟ ହବାକୁ ପଡ଼ିବ ବୋଲି ସେ କହିଲା । କୁମାରୀ ମୃଦୁହାସିନୀ ଆଉ ମାସେ ଛୁଟି ନେଇଛନ୍ତି । ସେ ନାଚାର ।

 

ରେଣୁ ସ୍କୁଲ ଯାଇଛି । ସଦାମଣୀ ରେଣୁର ବାହାଘର କଥା ପକେଇ ଘଟକ ନଟବରଙ୍କ କଥା କହିଲେ । କିନ୍ତୁ ବାହାଘର କଥା ଶୁଣି ମମତାର ମୁହଁ ଶୁଖିଗଲା । ଆଜିକାଲି ତା’ ମନରେ ଆଉ ସୁଖ ନାହିଁ । ସୁବ୍ରତ ଭାଇଙ୍କୁ ସେ ଯୋଉ ଅପମାନ ଦେଇଛି, ତା’ରି ପାଇଁ ସେ ଭାରି ବ୍ୟଥିତ । ପ୍ରତ୍ୟେକ କଥାରେ ଅନ୍ୟମନସ୍କ ଦେଖାଯାଉଛି । ସଦାମଣୀ କିନ୍ତୁ ମନର ଭାବ ଠିକ୍‌ ଧରିପାରିଲେ-। ସେ ବି ତ ତାଙ୍କୁ ମା’ ବୋଲି ଡାକୁଛି । ସୁବ୍ରତକୁ ଭାଇ ବୋଲି ଆଦରି ନେଇଛି ।

 

ରେଣୁର ବାହାଘର କଥା ଶୁଣି ସେ କ’ଣ ଦୁଃଖିତ ? ଦୁନିଆରେ ତା’ର ନିଜର ବୋଲି କେହି ନାହାନ୍ତି ।

 

ହୁଏତ...

 

ମମତା ଚାଲିଗଲା ପରେ ମଧ୍ୟ ସେ ବସି ଭାବୁଥିଲେ । ନିଜେ ମାଆର ଆସନରେ ରହି ଆଖି ଆଗରେ ଦେଖୁ ଥିଲେ ଦୁଇଟି ମୁହଁ–ସେ ହଉଚି ମମତା ଆଉ ରେଣୁର । ମମତାର ବାହାଘର କରିବାର ଦାୟିତ୍ୱ କ’ଣ ତାଙ୍କର ନୁହେଁ ?

 

ସୁବ୍ରତ ନୂଆବଜାରରୁ ଫେରିଆସିଲା ପରେ ପାଖକୁ ଡାକି ସେ ତାଙ୍କ ମନର କଥା କହିଲେ । ରେଣୁ ବାହାଘର ଆଗରୁ ମମତାର ବାହାଘର ହବା ଉଚିତ । ନୋହିଲେ ସେ ତାଙ୍କ ମାତୃତ୍ୱକୁ ଅଭିଶାପ ଦବ । ସ୍ନେହୀ ଜନନୀ କେବେ ସ୍ଵାର୍ଥପର ହେଇପାରେନା । ସୁବ୍ରତ କହିଲା–

 

‘‘କିନ୍ତୁ ମମତାର ଏଥିରେ ମତ ଅଛି ତ ? ତା’ ମତ ନ ବୁଝି ଆମେ ଏ ବିଷୟରେ ଆଗେଇବା ଉଚିତ ନୁହେଁ ।’’

 

ସଦାମଣୀ ଦେବୀ ପୁଣି କହିଲେ–

 

‘‘ତୁ ଟିକିଏ କାଲି ସକାଳୁ ଯାଇ ତା’ ମତଟା ବୁଝିଆ । ଦି’ ପହରକୁ ଘଟକ ଆସିବେ । ଯଦି ତା’ ବାହାଘର କଥା ହୁଏ, ଏ ପ୍ରସ୍ତାବବି ତାଙ୍କୁ ଦେଇଦବା । ତା’ର ଆଉ କିଏ ଅଛି କହିଲୁ ବାପ ? ମା ବାପଙ୍କୁ ହରେଇ ସେ ତ ଆମକୁ ହିଁ ଆଶ୍ରା କରି ପଡ଼ିଚି ।’’

 

ସୁବ୍ରତ ବଡ଼ ମୁସ୍କିଲରେ ପଡ଼ିଲା । ସେଦିନର କଥା ପୁଣିଥରେ ଭାସିଗଲା ତା’ ଆଖି ଆଗରେ । ମମତା ତା’କୁ ଅପମାନ ଦେଇଛି ।

 

କିନ୍ତୁ......

 

ଏ ଅପମାନ ଦେଇଚି ତା’ରି ଅଲିଅଳ ସାନ ଭଉଣୀ । ହତଭାଗିନୀ ସେଇଥିପାଇଁ ବୋଧହୁଏ ତାଙ୍କ ଘରକୁ ଆସୁ ନାହିଁ ।

 

ନା–ନା, ସୁବ୍ରତ ଯିବ । ତା’ର ଗୋଟାଏ ଅପମାନ କ’ଣ ? ନ ଯିବାଟାଇ ଭୀରୁତା । ସେ ତ ତା’ପରେ ଦି’ଥର ତାଙ୍କ ଘରକୁ ଆସିଚି । ତା’ର ଦେଖା ପାଇନି । ପାଇଥିଲେ ବୋଧହୁଏ କିଛି କହିଥାଆନ୍ତା ।

 

ରବିବାର ସକାଳ । ମମତା ତା’ ଘର ଭିତରେ ମନ ମାରି ବସିଚି । ସାରା ଜଗତ ପ୍ରତି ତା’ର ରାଗ । କି ଅବିଶ୍ଵାସୀ ଏ ଦୁନିଆ ! ଜୀବନବାବୁଙ୍କୁ ସେ ଯଦି ଏଇ ମୁହୂର୍ତ୍ତରେ ପାଆନ୍ତା, ହୁଏତ ଟିକି ଟିକି କରି ହତ୍ୟାକରି ତା’ ରାଗର ପ୍ରତିଶୋଧ ନିଅନ୍ତା । ଗୋଟାଏ ଜୀବନର ସର୍ବନାଶ ଯେ କରିଛି, ସେ ତ ମଣିଷ ନୁହେଁ–ପଶୁ ।

 

ଆଖିରେ ତା’ର ପ୍ରତିହିଂସାର ବିଭୀଷିକା–ନିରାଶ ମନର ଛନ୍ଦହୀନ ବିକାର । ଜଗତ ସହିତ ସମସ୍ତ ସମ୍ପର୍କ ସେ ତୁଟେଇଦବ । ସଦାମଣୀ ଦେବୀ, ସୁବ୍ରତ, ରେଣୁ–କେହି ନୁହନ୍ତି ତା’ର ।

 

ଚାକରାଣୀ ଆସି ଖବର ଦେଲା–‘‘ସୁବ୍ରତ ବାବୁ ଆସିଛନ୍ତି ।’’ ଉତ୍‌ଫଣ ସର୍ପିଣୀ ପରି ସେ ଠିଆ ହେଇ ପଡ଼ିଲା । ପର ମୂହୂର୍ତ୍ତରେ ପୁଣି ଭାବିଲା–ନା, ସେ ଯିବ ନାହିଁ । କାହାରି ସହିତ ତା’ର କିଛି ସମ୍ପର୍କ ନାହିଁ । ହଷ୍ଟେଲ୍‌ର ଏଇ ଚାରି କାନ୍ଥ ହିଁ ହେବ ତା’ ଅବଶିଷ୍ଟ ଜୀବନର ସାଥୀ ।

 

ମନା କରିଦେଲା–ଦେଖା ହେଇପାରିବ ନାହିଁ ।

 

ଚାକରାଣୀ ଆପତ୍ତି କଲା–‘‘ଭାରି ଜରୁରୀ କାମ ଅଛି ।’’

 

‘‘ଚୁପ୍‌’’ –ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲା । ତା’ର ସେଇ ଚାହାଣୀରେ ସତେ ଅବା ପଇଁଚାଳିଶ ବର୍ଷର ବୁଢ଼ୀ ପୋଡ଼ି ଜଳି ପାଉଁଶ ହେଇଯିବ । ଫେରିଗଲା ବୁଢ଼ୀ । ସେ ଯାଇ ସୁବ୍ରତକୁ କହିଲା–

 

‘‘ଏ କେତେ ଦିନ ହେଲା ତାଙ୍କର କ’ଣ ହେଇଚି କେଜାଣି, ଟିକିଏ ଟିକିଏ କଥାରେ ଭାରି ରାଗି ଯାଉଛନ୍ତି । ଆପଣ ଟିକିଏ ଅପେକ୍ଷା କରନ୍ତୁ ।’’

 

ସୁବ୍ରତ କହିଲା–‘‘ହଉ ।’’

 

ଫେରିଯିବା ପାଇଁ ଆସି ନାହିଁ ସେ ଆଜି । ତାକୁ ରହିବାକୁ ହେବ । ମମତା ଆଖିରୁ ଝରୁଥିଲା ଅଶ୍ରୁ । କ’ଣ ହେଇଚି ତା’ର ? ସେ କ’ଣ ପାଗଳୀ ହେଇଗଲା ? କିନ୍ତୁ ସେ ଯେ ପାଗଳ ହବାକୁ ଚାହେଁ ନା–ଚାହେଁ ସରସ ସୁନ୍ଦର ଜୀବନ । ସୁବ୍ରତ ଭାଇଙ୍କର ଦୋଷ କ’ଣ ?

 

ପାଟି କରି ଉଠିଲା ସେ–‘‘ସୁବ୍ରତ ଭାଇ !’’

 

ଚାକରାଣୀ ଆସି ଦୁଆରେ ଛିଡ଼ା ହେଲା–

 

‘‘ଆପଣଙ୍କ ପାଇଁ ସେ କମନ୍‌ ରୁମ୍‌ରେ ଅପେକ୍ଷା କରି ବସିଛନ୍ତି ।’’

 

‘‘ବସିଛନ୍ତି ?’’ –ଏକା ନିଶ୍ୱାସକେ ଦଉଡ଼ି ଆସିଲା ସେ । ସାମନାରେ ସୁବ୍ରତ–ହସହସ ମୁହଁ ।

 

ଗ୍ଳାନି ନାହିଁ–ଦ୍ୱିଧା ନାହିଁ–ରାଗ ନାହିଁ ।

 

ତା’କୁ ଦେଖି ସୁବ୍ରତ କହିଲା–

 

‘‘କିରେ, ମୁଁ ଶୁଣିଲି ଆଜିକାଲି କୁଆଡ଼େ ତୁ ଭାରି ରାଗୁଛୁ ?’’

 

ବଦମାସ ଚାକରାଣୀ ଆସି କହିଛି । ସେ ଲଜ୍ଜିତା ହେଲା ।

 

କି ଅନ୍ୟାୟ ବ୍ୟବହାର ସେ ନ କରିଛି !

 

ସୁବ୍ରତ ପୁଣି କହିଲା–

 

‘‘ମୁଁ ଆସି ନ ଥାନ୍ତି–କେବଳ ମା’ର ଅନୁରୋଧରେ ଆସିଲି ।’’

 

‘‘ହଁ ଆସନ୍ତ କାହିଁ କି ?’’

 

‘‘ନ ଆସିବା ପାଇଁ ମୁଁ ଯେମିତି ଦାୟୀ ।’’

 

ମମତା ଚାହୁଁ ନ ଥିଲା ପଛ କଥାର ପୁନରାବୃତ୍ତି କରିବାକୁ । ଯାହା ହେଇଯାଇଚି ତାକୁ ଆଉ ବିଶ୍ଳେଷଣ କରି ଲାଭ କ’ଣ ? ସେ ପ୍ରସଙ୍ଗ ବଦଳେଇ ପଚାରିଲା–

 

‘‘ରେଣୁ ବାହାଘର କଥା କ’ଣ ହେଲା ?’’

 

‘‘ହବ ଆଉ କ’ଣ ? ତୋ ବାହାଘର ନ ହେଇ ସାରିଲେ ତା’ ବାହାଘର ଆଉ ହବ କିମିତି ?’’

 

ମୃଦୁ ହସିବାକୁ ଚେଷ୍ଟାକଲା ମମତା । ତା’ ବାହାଘର ? ସୁବ୍ରତ ଭାଇ କ’ଣ ତା’କୁ ପରିହାସ କରୁଛନ୍ତି ? ବାହା ହବାର ବାସନା ସେ ତ କେବେହେଲେ ପ୍ରକାଶ କରି ନାହିଁ । ଆଉ ବା କାହିଁକି ସେ ସେମାନଙ୍କୁ ହଇରାଣ କରିବ ? କାହାକୁ ବାହାହବ ? ଅଜ୍ଞାତ କେଉଁ ମଣିଷର ହାତ ଧରି ରସାଳ ପ୍ରଶାନ୍ତ ସାଗର ବକ୍ଷକୁ ସେ ଡେଇଁ ପଡ଼ିବାକୁ ଚାହେଁନା ।

 

ସେ’ କହିଲା–‘‘ମୋ ପାଇଁ ତମେ ବ୍ୟସ୍ତ ହୁଅନି । ରେଣୁର ଆଗେ ହେଇଯାଉ ।’’

 

‘‘ଏଇଟା ସମ୍ଭବ କେମିତି ? ମା’ କହୁଛନ୍ତି ତୋ ବାହାଘର ନ ହେଇ ସାରିବା ପର୍ଯ୍ୟନ୍ତ ରେଣୁ ବାହାଘର ହେଇପାରିବ ନାହିଁ । ତୁ ବିଶ୍ଵାସ କରୁନୁ ? ବାପା ମଲାବେଳକୁ ଯୋଉ ଅନଙ୍ଗ ଆମ ଘରେ ଥିଲା, ତା’ର ସହିତ ତୋ’ର ବାହାଘର ହେବ । ସେ ମୋର ବନ୍ଧୁ, ଖରାପ କ’ଣ ? ପଛକଥା ପାଇଁ ଅଭିମାନ କରି ଜୀବନକୁ ଜାଳିଦବାର ମାନେ କିଛି ହୁଏନା ।’’

 

‘‘ଯୋଉ ଜୀବନ ଜଳିଯାଇଚି ସୁବ୍ରତ ଭାଇ, ତା’କୁ ଆଉରି ଜଳିବାକୁ ଦିଅ । ମୁଁ ବର୍ତ୍ତମାନ ବାହା ହେବିନି । ବରଂ ଅନଙ୍ଗ ବାବୁଙ୍କ ସହିତ ରେଣୁର ବାହାଘର କରେଇ ଦିଅ ।’’

 

‘‘ନା, ନା–ତୁ ଏମିତି ଅବୁଝା ହେଲେ ହବନି । ଏତେଟା ନିରାଶାବାଦୀ ହବା ଠିକ୍‌ ନୁହେଁ-। ତତେ ବାହା ହବାକୁ ହେବ ।’’

 

‘‘ମୁଁ ବାହାହେଇ ପାରିବି ନାହିଁ ସୁବ୍ରତ ଭାଇ !’’ –କଣ୍ଠରେ ତା’ର ବିନ୍ଧ୍ୟ ପର୍ବତର ଦୃଢ଼ତା-

 

‘‘ତମେ ମତେ ଫାଶୀଖୁଣ୍ଟରେ ଝୁଲେଇ ଦେଇପାର, ହାଣମୁହଁକୁ ନେଇ ଯାଇପାର, ତଥାପି ମୁଁ ଏଥିରେ ସମ୍ମତ ଦେଇପାରିବି ନାହିଁ ।”

 

ସୁବ୍ରତ ବସି ମାପୁଥିଲା ତା’ ଦୁଃଖର ଗଭୀରତା । ଖୁସିରେ କ’ଣ ମମତା ମନାକରୁଚି ବାହା ହବନି ବୋଲି ?

 

ନୀରବ ମୁହୂର୍ତ୍ତରେ ଦୁଇଟି ମୁହଁରେ ଫୁଟି ଉଠୁଥିଲା ଅଜଣା ବ୍ୟଥାର ସ୍ପଷ୍ଟ ଛାପ ।

 

ଶେଷରେ ସୁବ୍ରତକୁ ନିରାଶ ହେଇ ଫେରିବାକୁ ପଡ଼ିଲା । ମମତା ଉପରେ ତ’ ତା’ର ଜୋର୍‌ ଯାଏନା ।

 

ମମତାର ଜିଦ୍‌ ସେ ବାହା ହବ ନାହିଁ ।

 

ଫେରିଗଲା ସୁବ୍ରତ । ସଦାମଣୀ ଦେବୀ ସବୁ ଶୁଣିଲେ । କ’ଣ ଭାବିଲେ କେଜାଣି–ରିକ୍‌ସାଟିଏ କରି ନିଜେ ପୁଣି ମମତା ପାଖକୁ ଆସିଲେ । ବୁଝେଇ ସୁଝେଇ ତା’କୁ ରାଜି କରେଇବେ ।

 

ମମତାର ସିଦ୍ଧାନ୍ତ ନିମ୍ନଗାମୀ ନଦୀସ୍ରୋତ ଭଳି । ତା’ର ଗତି ଆଉ ଊର୍ଦ୍ଧ୍ୱକୁ ହେଇପାରେନା । ସଦାମଣୀ ଦେବୀଙ୍କର ପାଦ ଧରି ମମତା ଅନୁନୟ କଲା–ତା’ ବାହାଘର ପାଇଁ ସେ ଆଉ ଯେମିତି ମୁଣ୍ଡ ନ ଖେଳାନ୍ତି । ତାଙ୍କର ସବୁପ୍ରକାର ଚେଷ୍ଟା ବ୍ୟର୍ଥ ହେବାରୁ ସେ ଫେରିଆସିଲେ ।

 

ଦି’ପହରେ ଘଟକ ନଟବର ଆସି ସଦାମଣୀ ଦେବୀଙ୍କ ଘରେ ପହଞ୍ଚିଲେ । ପାନ ଖଣ୍ଡିଏ କଳରେ ଜାକି ଦେଇ ଆସନ ଖଣ୍ଡିଏ ଉପରେ ଚୌକାସନ ଭିଡ଼ିଦେଇ ଆରମ୍ଭ କଲେ ନଟବର–

 

‘‘ବହୁତ ଚେଷ୍ଟା ମୁଁ କଲି । କିଶୋରବାବୁଙ୍କୁ ବହୁତ ବୁଝେଇଲି । କିନ୍ତୁ ଗୋଟିଏ କଥା । ସେଇ ଗୋଟିକ କଥା ପୂରଣ ହୋଇଗଲେ ବାହାଘର କଥା ପକ୍‌କା ହୋଇଯିବ । ୟା’ ଛଡ଼ା ଆଉ ଗୋଟିଏ ଭଲ ପ୍ରସ୍ତାବ ସୁବ୍ରତବାବୁଙ୍କ ପାଇଁ ମୁଁ ଆଣିଛି । ସୁବ୍ରତ ବାବୁଙ୍କ ବାହାଘର ଠିକ୍‌ ହେଇଗଲେ କିଶୋରବାବୁଙ୍କ ଦାବୀ ଆଉ ପୂରଣ କରିବାକୁ କଷ୍ଟ ହେବ ନାହିଁ । ଯୋଉ କନ୍ୟା ମୁଁ ଦେଖି ଆସିଲି ସେ ମା’ କୋଟିପତି । ତା’ର ବାପ ନାହାନ୍ତି । ଏଇ ସହରରେ କେତେ ବଡ଼ କୋଠା ଅଛି । ମଟରଗାଡ଼ି ଅଛି–ଟଙ୍କାର ତ ଖଣି । କିଶୋରବାବୁ ଚାହୁଁଛନ୍ତି ବାରିଷ୍ଟରୀ ପଢ଼ିବା ପାଇଁ ଦଶହଜାର ଟଙ୍କା । ସୁବ୍ରତବାବୁଙ୍କୁ ବାହା କରେଇଦେଲେ ଆଉ ଟଙ୍କାର ଅଭାବ ରହିବ ନାହିଁ । କ’ଣ କହୁଚ ମା ?’’

 

କିଶୋରଙ୍କର ଦଶହଜାର ଟଙ୍କା ଦାବୀ ଶୁଣି ସଦାମଣୀଙ୍କ ମନରୁ ହସ ମରି ଯାଇଥିଲା-। ସୁବ୍ରତ ପାଇଁ ଘଟକ ଯେଉଁ ପ୍ରସ୍ତାବ ଆଣୁଛନ୍ତି, ସେଥିରେ ସେ ନିଜେ ରାଜି ହେଲେ ତ-? ସେଇଦିନ ସନ୍ଧ୍ୟାବେଳେ ସେ ସୁବ୍ରତକୁ ଡାକି ସବୁକଥା କହିଲେ । ସୁବ୍ରତ ବାହା ନ ହେଲେ ହୁଏତ କିଶୋରଙ୍କର ଦାବୀ ପୂରଣ ହେଇ ପାରିବ ନାହିଁ । ମନେମନେ ସେ ଏଇ ଦାବୀ ବିରୁଦ୍ଧରେ ବିଦ୍ରୋହ କରି ଉଠୁଥିଲା । କିନ୍ତୁ କ’ଣ କରିବ ? ନିଜର ଛୋଟ ଭଉଣୀଟିର ଭବିଷ୍ୟତ ସୁଖପାଇଁ ତାକୁ ସବୁକିଛି କରିବାକୁ ହେବ । ନିଜର ନୀତିକୁ ବଳି ଦେବାକୁ ପଡ଼ିବ ନିର୍ମମ ଭାବରେ-। ସଦାମଣୀ ଚାହୁଁ ଥିଲେ ତାଠୁଁ ରୋକ୍‌ଠୋକ୍‌ ଜବାବ । ଘଟକ ଯୋଉ ପ୍ରସ୍ତାବ ଆଣିଛନ୍ତି ସେଥିରେ ରାଜିହେବା ଉଚିତ । ଝିଅଟି କୁଆଡ଼େ ଉଚ୍ଚଶିକ୍ଷିତା ଆଉ ଭାରି ଗୁଣର । ଅମାପ ଧନରତ୍ନର ଅଧିକାରିଣୀ ।

 

ସୁବ୍ରତ କରୁଣ ଦୃଷ୍ଟି ରେ ଚାହୁଁ ଥିଲା ମା’ଙ୍କ ମୁହଁକୁ । ପୁତ୍ର କନ୍ୟାର ସୁଖ ଦେଖିବା ପାଇଁ ସେ ମୁହଁତଳେ କି ଗଭୀର ପିପାସା !

 

ହୁଏତ ତାକୁ ଶେଷରେ ରାଜି ହେବାକୁ ପଡ଼ିବ । କିନ୍ତୁ ତା’ ପୂର୍ବରୁ ଝିଅଟିର ଭଲମନ୍ଦ ବୁଝିବା ଉଚିତ ।

 

ସେ ମା’ଙ୍କୁ କହିଲା–

 

‘‘ଘଟକ ଯାହା କହୁଛନ୍ତି ପୂରାପୂରି ସେଇଟାକୁ ବିଶ୍ଵାସ ନ କରି ଆମେ ନିଜେ ସବୁ ଦେଖି ଆସିବାଉଚିତ ।’’

 

ସୁବ୍ରତ ମୁହଁରୁ ଏଇ କଥା ଶୁଣି ସଦାମଣୀ ଆନନ୍ଦରେ କହିଲେ–

 

‘‘ନିଶ୍ଚୟ ବାପା, ନ ଦେଖି କ’ଣ କିଛି ଠିକ୍‌ ହବ ? ତୁ ବାହା ହବୁ ବୋଲି ମତ ଦେଲେ ମୁଁ କାଲି ସନ୍ଧ୍ୟାରେ ଯାଇ ଝିଅକୁ ଦେଖିଆସିବି । ତୁ ବି ଯଦି ଚାହୁଁ ନିଜେ ଯିବୁ ।”

 

‘‘ମୁଁ ଗଲେ ପରେ ଯିବି ।”

 

‘‘ବେଶ୍‌, ସେଇଆ ହବ । ମୁଁ ଆଗେ ଦେଖିଆସୁଚି । ମୋର ଯଦି ମନ ମାନିଯାଏ, ତୁ ଯିବୁ ବାପା ! ବାହା ନ ହେଇ କେତେ ଦିନ ଆଉ ଏ ବୁଢ଼ୀଟାକୁ କଷ୍ଟ ଦବୁ !’’

 

ସ୍ନେହଶୀଳା ଜନନୀ ଆନନ୍ଦାତିଶଯ୍ୟରେ ପୁତ୍ରର ଶିରଦେଶରେ ହାତ ବୁଲାଇ ଆଣିଲେ-

 

ପରଦିନ ସନ୍ଧ୍ୟା । ନଟବରଙ୍କ ସହିତ ସଦାମଣୀ ବାହାରିଗଲେ କନ୍ୟା ଦେଖିବାକୁ । ରାସ୍ତା ଗୋଟାକଯାକ କନ୍ୟାର ଗୁଣଗାନରେ ମୁଖର ହୋଇ ଉଠୁଥିଲା ନଟବରଙ୍କ କଣ୍ଠ । କନ୍ୟାଟି ହେଉଚି ଜଣେ ଲକ୍ଷପତିଙ୍କର ଏକମାତ୍ର ଉତ୍ତରାଧିକାରିଣୀ । ତାକୁ ବିଭାହେଲେ ସୁବ୍ରତର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ।

 

ସେମାନେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ । ଦୋମହଲା ଉପରେ ବେଶ୍‌ ମନୋରମ କୋଠରୀରେ ବସିରହିଚି ସଦାମଣୀ ଦେବୀଙ୍କ ଗୃହର ଭାବୀ ବଧୂ । ସେ ତା’ର ଗୋଡ଼ଠୁଁ ମୁଣ୍ଡ ପର୍ଯ୍ୟନ୍ତ ସବୁ ନିରୀକ୍ଷଣ କଲେ । ଚମତ୍କାର ଗଢ଼ଣ । ସୁବ୍ରତ ଏଇ ଝିଅଟିକୁ ବିଭା ହେବାକୁ ନିଶ୍ଚୟ ରାଜି ହବ । ଏମିତିକା କନ୍ୟାରତ୍ନଟିଏ ପାଇବା ଭାଗ୍ୟର କଥା ।

 

ସଦାମଣୀଙ୍କର ମନ ମାନିଗଲା । ଭାବୀ ବଧୂକୁ ଆଶୀର୍ବାଦ କରି ସେ ଫେରି ଆସିଲେ-। ସୁବ୍ରତ ସବୁକଥା ଜାଣିଲା । ତା’ ମା’ଙ୍କର ଉଚ୍ଛ୍ଵସିତ ପ୍ରଶଂସାରେ କ୍ଷଣକାଳ ପାଇଁ ସେ ନିଜକୁ ଭୁଲିଗଲା ।

 

ଘଟକ ନଟବର ତୃପ୍ତିର ହସ ହସି ଫେରିଗଲେ କିଶୋର ସହିତ ରେଣୁର ବାହାଘର ପ୍ରସ୍ତାବକୁ ପକ୍‌କା କରିବାକୁ ।

 

–ନଅ–

 

ତିନି ଦିନ ପରର କଥା । ସୁବ୍ରତ ସକାଳ ଚା ଖାଇ ବୈଠକଖାନା ଘରେ ବସି ଖବରକାଗଜର ପୃଷ୍ଠା ଓଲଟାଉଥିଲେ । ତା’ ଆଖିରେ ପଡ଼ିଲା ଓଡ଼ିଶା ସରକାରଙ୍କ ଓ.ଏ.ଏସ୍‌.ପରୀକ୍ଷାର ବିଜ୍ଞାପନ । ବେକାର ଜୀବନରେ ସେ ତ ଚାକିରି ପାଇଁ ଖୁବ୍‌ ଆକାଂକ୍ଷିତ । ମନ ଭିତରେ ଭାବିଚିନ୍ତି ସେ ସ୍ଥିରକଲା–ଏଇଥର ଓ.ଏ.ଏସ୍‌. ପରୀକ୍ଷାଟା ଦେଇଦେବ । ତା’ର ବୟସ ଅଛି, ଯୋଗ୍ୟତା ଅଛି । ହୁଏତ ଟିକିଏ ଚେଷ୍ଟାକଲେ ଚାକିରି ଜୁଟି ଯାଇପାରେ ।

 

ସଙ୍ଗେ ସଙ୍ଗେ ସେ ଯାଇ ମା’ଙ୍କୁ ଏ ସମ୍ବାଦ ଜଣେଇଦେଲା । ଓଡ଼ିଶା ସରକାରଙ୍କ ତରଫରୁ ବିଜ୍ଞାପନ ବାହାରିଛି–କୋଡ଼ିଏଜଣ ଡେପୁଟୀ, ପଚିଶିଜଣ ସବ୍‌ଡ଼େପୁଟୀ ଦରକାର । ତା’ ବାପା ଥିଲେ ଡେପୁଟୀ । ସେ ଯଦି ସେଇ ଚାକିରି ଖଣ୍ଡିଏ ପାଇଯାଏ, ତେବେ ବାପର ନାଁ ରହିବ । ଭବିଷ୍ୟତ ତା’ର ହେବ ଉଜ୍ଜ୍ୱଳ ।

 

ମା’ ତାକୁ ଉତ୍ସାହ ଦେଲେ । ସେ ବି ତ ଚାହୁଁ ଥିଲେ ପୁଅର ଉଜ୍ଜ୍ୱଳ ଭବିଷ୍ୟତ । ସୁବ୍ରତର କଥାନୁସାରେ ବିବାହ ପ୍ରସ୍ତାବ ଦୁଇମାସ ପାଇଁ ଘୁଞ୍ଚାଇ ଦେବାକୁ ଧାର୍ଯ୍ୟ ହେଲା । କିନ୍ତୁ ସଦାମଣୀ କହିଲେ–

 

‘‘ବାହାଘର ଘୁଞ୍ଚିଯାଉ । କିନ୍ତୁ ସବୁ କଥାବାର୍ତ୍ତା ଛିଡ଼ି ପ୍ରସ୍ତାବଟା ପକ୍‌କା ହେଇଯାଉ । ତା’ପରେ ଆମର ସୁବିଧା ଦେଖି ଆମେ ବିଭାଘର କରିବା ।’’

 

ସୁବ୍ରତ କିଛି ଆପତ୍ତି କଲା ନାହିଁ । ମା’ ତାଙ୍କର ଯାହା କରିବେ କରନ୍ତୁ । ସେ ତ ଆଉ ତା’ର ଅମଙ୍ଗଳ ପାଇଁ କିଛି କରୁ ନାହାନ୍ତି !

 

ସଦାମଣୀ ଦେବୀ ଭଲ ଗହଣା ଦୋକାନରେ ବରାଦ୍‌ ଦେଇ ‘ସୁନାହାର’ ଟିଏ କିଣିଲେ-। ନିର୍ବନ୍ଧବେଳେ ଭାବୀ ପୁତ୍ରବଧୂ ଗଳାରେ ସେ ନିଜେ ପିନ୍ଧାଇଦେବେ । ତା’ଛଡା ମୂଲ୍ୟବାନ୍‌ ଶାଢ଼ୀ, ଅର୍ଗାଣ୍ଡିର ଝିଲ୍‌ମିଲ୍‌ ବ୍ଲାଉଜ୍‌, ସ୍ନୋ, ସେଣ୍ଟ୍‌, ସାବୁନ–ଆଉରି କେତେ କ’ଣ ଜିନିଷ କିଣା ହେଇ ଆସିଲା ।

 

ଖୁବ୍‌ ଶୀଘ୍ର ନିର୍ବିନ୍ଧ କାମ ସରି ଯାଇଥାନ୍ତା । କିନ୍ତୁ ମଝିରେ ନଟବରଙ୍କ ଦେହ ଖରାପ ହେବାରୁ ସେ ଆଉ ଆସିପାରିଲେ ନାହିଁ । ବାଧ୍ୟହୋଇ ନିର୍ବନ୍ଧ ଦଶ ବାରଦିନ ଘୁଞ୍ଚାଇ ଦେବାକୁ ପଡ଼ିଲା ।

 

ସୁବ୍ରତ ୟା’ ଭିତରେ ପରୀକ୍ଷାର ସିଲାବସ୍‌ ଆଣି ଖୁବ୍‌ ମନଯୋଗ ସହିତ ଲାଗି ପଡ଼ିଲା-। ଏଇଠି ହବ ତା’ର ଭାଗ୍ୟର ପରୀକ୍ଷା । ଯଦି ଚାକିରି ମିଳିଯାଏ ତା’ ଜୀବନ ସାର୍ଥକ ହବ-। ଖିଅପିଆ ଛାଡ଼ି–ଶୋଇବା କମେଇଦେଇ ସେ ଅନବରତ ଅଧ୍ୟୟନ କରିବାକୁ ଲାଗିଲା ।

 

ସଦାମଣୀ ଦେବୀ ନିର୍ବନ୍ଧ ପାଇଁ ସବୁ ଯୋଗାଡ଼ କରି ପୁଣି ନଟବରଙ୍କୁ ଡକାଇ ପଠାଇଲେ । ତାଙ୍କର ଦିହ ଭଲ ହେଇ ଆସିଲାଣି ସେତେବେଳକୁ ।

 

ସୁବ୍ରତର ବାହାଘର କଥା ଛିଡ଼ିଗଲେ ତା’ପରେ ପୁଣି ରେଣୁ ଆଉ କିଶୋରଙ୍କର ବାହାଘର କଥା ପକ୍‌କା ହେବ । ଦଶହଜାର ଟଙ୍କାର ଦାବୀ ହୁଏତ ସେତେବେଳକୁ ପୂର୍ଣ୍ଣ କରିବାକୁ କଷ୍ଟ ହେବ ନାହିଁ । ନିର୍ଦ୍ଧାରିତ ଦିନରେ ସଦାମଣୀ ନଟବର ଓ ଆଉ ଜଣେ ନଟବରଙ୍କ ପରିଚିତ ଜ୍ୟୋତିଷକୁ ନେଇ ନିର୍ବନ୍ଧ ଉତ୍ସବ ଶେଷ କରିବାକୁ ଗଲେ ।

 

ଜ୍ୟୋତିଷ ପାଞ୍ଜି ଦେଖି ସ୍ଥିର କଲେ ଯେ ଆଗାମୀ ବୈଶାଖ ମାସ ଦି୨୪ନରେ ବାହାଘର ହେବ । ଖୁବ୍‌ ଭଲ ଯୋଗ ଅଛି ସେଦିନ । ସଦାମଣୀ ହିସାବ କରି ଦେଖିଲେ, ସେତେବେଳକୁ ପୁଅର ପରୀକ୍ଷା ଶେଷ ହୋଇ ଯାଇଥିବ । ସେ ମଧ୍ୟ ସେହି ଦିନରେ ସମ୍ମତ ହେଲେ । ତା’ପରେ ଭାବୀ ପୂତ୍ରବଧୂକୁ କଲ୍ୟାଣ କରି ତା’ ଗଳାରେ ପିନ୍ଧାଇଦେଲେ କିଣି ଆଣିଥିବା ହାର । ନିଜ ହାତରେ ଶାଢ଼ୀ ଆଉ ବ୍ଲାଉଜ୍‌ ପିନ୍ଧାଇଦେଲେ ତା’କୁ । ସାଇ ପଡ଼ିଶାରୁ ଆସିଥିବା କେତୋଟି ଝିଅ ଶଙ୍ଖ ଧ୍ଵନିରେ ଧ୍ୱନିତ କଲେ ସେ ସ୍ଥାନକୁ । ନୂତନ ବସ୍ତ୍ରରେ ଭୂଷିତା ହୋଇ, ନୂତନ ଅଳଙ୍କାର ପିନ୍ଧି ଭାବୀ ପୁତ୍ରବଧୂ ସଦାମଣୀଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣିପାତ କଲା । ସଦାମଣୀ ତାକୁ ଉଠେଇଆଣି କୋଳକୁ ନେଇ କହିଲେ–

 

‘‘ମା’ ଛନ୍ଦା, ଅଇସୁଲକ୍ଷଣୀ ହୋଇ ତୁ ଆମ ଘରକୁ ଉଜ୍ଜ୍ୱଳ କର । ଭଗବାନ ତତେ ଭଲ ବୁଦ୍ଧି–ଭଲ ଜ୍ଞାନ ଦିଅନ୍ତୁ ମା’ !”

 

ଏଇ ଆର୍ଶୀବାଦରେ ଛନ୍ଦାର ସମସ୍ତ ଅବୟବରେ ଅପୂର୍ବ ଅନୁଭୂତିର ଶିହରଣ ଖେଳି ଉଠୁଥିଲା ।

 

ଛନ୍ଦାର ଅନୁରୋଧରେ ସଦାମଣୀ ସେଦିନ ସେଇଠି ମଧ୍ୟାହ୍ନଭୋଜନ କରି ଗୋଧୂଳି ଲଗ୍ନରେ ଫେରିଆସିଲେ ତାଙ୍କ ଘରକୁ ।

 

X X X

 

ୟା’ ଭିତରେ ସୁବ୍ରତର ଓ.ଏ.ଏସ୍‌. ପରୀକ୍ଷା ସରିଯାଇଚି । ପରୀକ୍ଷାରେ ଭଲ ହେଇଥିବାରୁ ମନ ତା’ର ଉଲ୍ଲସିତ । ଅନଙ୍ଗ ହୀରାକୁଦରୁ ଆସିଥାଏ । ଏହା ଉପରେ କଣ୍ଟ୍ରାକ୍ଟରୀରୁ ସେ ଢେର୍‌ ପଇସା ରୋଜଗାର କଲାଣି । ହିନ୍ଦୁସ୍ଥାନ ଫୋର୍ଟିନ୍‌ ଗାଡ଼ିଟିଏ ନିଜେ କିଣିଛି । ସେଇ ଗାଡ଼ି ନେଇ ହୀରାକୁଦରୁ ସେ ଆସିଚି କଟକ ।

 

ସେଦିନ ସୁବ୍ରତ ଘରକୁ ସେ ଆସିଥିଲା । ସୁବ୍ରତକୁ ଘରେ ଅନୁପସ୍ଥିତ ଥିବାର ଶୁଣି ସାମନା ବୈଠକଖାନା ଘରେ ବସିରହିଲା । ରେଣୁ ଯାଇଥିଲା ବାହାରକୁ କୁଆଡ଼େ । ଫେରିଆସି ଦେଖିଲା, ଅନଙ୍ଗ ଭାଇ ବସିବସି ‘ଫିଲ୍ମ ଫେୟାର’ ମ୍ୟାଗାଜିନ୍‌ଟାଏ ଧରି ପଢ଼ୁଛନ୍ତି । ମନରେ ତା’ର କୁସୁମିତ ହେଲା ଅତୀତ ସ୍ମୃତିର ବଲ୍ଲରୀ । ସେ ଆସି ହସହସ ମୁହଁରେ କହିଲା–

 

‘‘ଅନଙ୍ଗ ଭାଇ, ନମସ୍କାର ।’’

 

ଅନଙ୍ଗ ମ୍ୟାଗାଜିନ୍‌ ଉପରୁ ଆଖି ତୋଳି ପ୍ରତିନମସ୍କାର ଜଣାଇଲା । ଚାରିଟି ନୀଳ ଆଖିର ମିଳନ ହେଲା ପୁଣି । ସର୍ବାଙ୍ଗରେ ଖେଳିଗଲା ଶିହରଣ । ରୋମାଞ୍ଚିତ ହେଲା ପ୍ରାଣ ଅଉ ମନ । ଅନଙ୍ଗ ଦେଖିଲା, ରେଣୁର ଚେହେରା ୟା’ ଭିତରେ ଢେର୍‌ ବଦଳି ଯାଇଚି । ଗତଥର ସେ ଯୋଉ ଦେଖିଥିଲା–ବାଲ୍ୟଚପଳ ଛନ୍ଦରେ ରେଣୁକୁ, ଆଜି ଆଉ ତା’ର ସେ ଅବସ୍ଥା ନାହିଁ । ସେ ଆଜ କିଶୋରୀ । ହେମଗୌର ତନୁରେ ତା’ର ଅଫୂରନ୍ତ ସ୍ୱାସ୍ଥ୍ୟର ଲହଡ଼ୀ । ଚିରଚଞ୍ଚଳ ନୟନ ଆଜି ସ୍ଥିର–ଅଚଞ୍ଚଳ ।

 

ଅନଙ୍ଗ ପଚାରିଲା–

 

‘‘ରେଣୁ, ୟା’ ଭିତରେ ମୋ କଥା ମନେପଡ଼େ ?’’

 

ଅନ୍ତରର କେଉଁ ଗଭୀରତମ ପ୍ରଦେଶରୁ ଉଠୁଥିଲା କୋହ । ସେ ମୁହଁରେ ଏ କଥାର ଜବାବ୍‌ ଦେଇପାରିଲା ନାହିଁ ।

 

ଅନଙ୍ଗ ପୁଣି କହିଲା–

 

“ମୁଁ କିନ୍ତୁ ସବୁବେଳେ ଭାବେ ତୁମ କଥା ।’’

 

ରେଣୁ ହୁଏତ ଭାବୁଥିଲା–ଅତୀତରେ ସେଇ ପୁଷ୍ପିତ ଦିନଗୁଡ଼ିକୁ ମନେ ପକାଇବାରେ ଆଉ ଲାଭ ନାହିଁ । ଅନଙ୍ଗ ତା’ କଥା ଭାବୁଥିବ; କିନ୍ତୁ ସେ ଭାବିବାରେ ଆଜି ଆଉ କି ମହତ୍ତ୍ୱ ଅଛି । ସେ ଆଜି ଅନ୍ୟର ବାକ୍‌ଦତ୍ତା ! ମନର ଡେଣାରେ ତା’ର ଲାଗୁଥିଲା ଆଘାତର କମ୍ପନ ।

 

ଅନଙ୍ଗ ପୁଣି କହିଲା–

 

“ଏଇ ଦିନରୁ ଯୋଉ ଗରମ ପଡ଼ିଲାଣି ସେଠି, ବୈଶାଖମାସ ବେଳକୁ ସେଠି ରହିବା ଅସମ୍ଭବ ହେଇପଡ଼ିବ ।’’

 

ରେଣୁ କହିଲା–

 

“ହଁ, ଆମର ଏଠି ବି ତ କମ୍‌ ଗରମ ପଡ଼ି ନାହିଁ ।... ବସନ୍ତୁ । ମୁଁ ଆପଣଙ୍କ ପାଇଁ ପାନ ଆଣେ ।

 

‘‘ଥାଉ, ମୁଁ ବର୍ତ୍ତମାନ ପାନ ଖାଇବି ନାହିଁ । ମାଉସୀ କ’ଣ କରୁଛନ୍ତି ?”

 

‘‘ଡାକିଦେବି ?’’

 

‘‘ଥାଉ । କିଛି କାମରେ ବ୍ୟସ୍ତ ଥିବେ ।”

 

“ଭାଇ ଢେର୍‌ବେଳୁ ଗଲେଣି—କୁଆଡ଼େ ଗଲେ କେଜାଣି ? ସେ ଏଥର ଓ.ଏ.ଏସ୍‌. ପରୀକ୍ଷା ଦେଇଛନ୍ତି । କହୁଥିଲେ ତ ଭାରି ଭଲ ହେଇଚି ବୋଲି ।’’

 

‘‘ବେଶ୍‌ ଭଲ କଥା । ଭଲ ହେଇଥିଲେ ଡେପୁଟୀ ହବ । ତା’ ବାହାଘରର କିଛି ଯୋଗାଡ଼ଯନ୍ତ୍ର କଲଣି ନା ?’’

 

‘‘ହ, ବାହାଘର ଠିକ୍‌ ହେଇ ସାରିଲାଣି ।’’

 

‘‘ମୁଁ ତ ଜାଣେନି । କୋଉଠି ଠିକ୍‌ ହେଲା ?’’

 

“ଏଇ କଟକ ବଙ୍ଗାଳୀ ସାହିରେ । ଝିଅଟି କୁଆଡ଼େ ଭାରି ଭଲ । ଲକ୍ଷପତି ।”

 

‘‘ତା’ହେଲେ ପୁଣି ଥରେ ସେ ଘରେ ଖାଇବାକୁ ଭାଗ୍ୟରେ ଅଛି ।’’ ହସିଲା ଅନଙ୍ଗ ।

 

ରେଣୁ ସେ ହସ ସହିତ ତାଳ ରଖି ହସିବାକୁ ଚେଷ୍ଟା କରୁଥିଲା । କିନ୍ତୁ ମୁହଁ ତା’ର ଶେତା ପଡ଼ି ଆସୁଥିଲା ।

 

ରେଣୁ ଆଉ କିଛି କହିନି । ସଦାମଣୀ ଦେବୀ ଘର ଭିତରୁ ‘ରେଣୁ–ରେଣୁ’ ଡାକି ବାହାର ଘରକୁ ପଶିଆସିଲେ । ଅନଙ୍ଗ ତାଙ୍କୁ ଦେଖି ନମସ୍କାର କଲା । ରେଣୁକୁ ସେ କହିଲେ ପାନ ଆଣିବାକୁ । ରେଣୁ ଚାଲିଗଲା ଭିତରକୁ ।

 

ଅନଙ୍ଗ କହିଲା–‘‘ମାଉସୀ, ରେଣୁ କହୁଥିଲା କ’ଣ ସୁବ୍ରତର ବାହାଘର ଠିକ୍‌ କରି ସାରିଲାଣି ?”

 

‘‘ହଁ ବାପ, ମୁଁ ତ ବୁଢ଼ୀ ହେଲିଣି । ରେଣୁର ବାହା ବୟସ ହୋଇଗଲା, ସେ ବି ତ ପରଘରକୁ ଚାଲିଯିବ । ଘରେ ବୋହୂଟିଏ ନ ହେଲେ ଚଳିବି କେମିତି ?’’ –ସଦାମଣୀ କହିଲେ ।

 

‘‘କ’ଣ ଏଇ ବଙ୍ଗାଳୀ ସାହିରେ ବାହାଘର କରାଉଛ ? କାହା ଘରେ ?’’

 

ସଦାମଣୀଙ୍କର ମୁହଁ ଗୌରବୋଲ୍ଲାସରେ ଉଜ୍ଜ୍ୱଳ ହେଇଉଠିଲା । ଛନ୍ଦା ପରି ବୋହୂ କମ୍‌ ଲୋକଙ୍କ ଭାଗ୍ୟରେ ଜୁଟେ । ସେ କହିଲେ–

 

‘‘ଏଇ ପୂର୍ଣ୍ଣବାବୁଙ୍କ ଝିଅ ଛନ୍ଦା । ଭାରି ଭଲ ଝିଅଟିଏ । ମୁଁ ନିଜେ ଯାଇ ଦେଖି ସବୁ ଠିକ୍‌ କରିଚି ।’’

 

ପୂର୍ଣ୍ଣବାବୁଙ୍କ ଝିଅ ଛନ୍ଦା ! ଅନଙ୍ଗର କପାଳ କୁଞ୍ଚିତ ହେଇଉଠିଲା । ସାରା ଦେହ ଥରି ଉଠିଲା । ଏ ସମ୍ବାଦ ଯେମିତି ଏକ ବଡ଼ ଦୁଃସମ୍ବାଦ । ସେ ଥରା ଗଳାରେ ପଚାରିଲା–

 

“ସୁବ୍ରତ ଏଥିରେ ରାଜି ତ ?’’

 

“ହଁ, ମୋର ଯେତେବେଳେ ପସନ୍ଦ ହେଇଚି, ସେ ଅରାଜି ହବ କାହିଁକି ?’’

 

ରେଣୁ ପାନ ନେଇ ଆସିଲା । ସଦାମଣୀ ଦେବୀ ସେଦିନ ଦୁଇପହରରେ ସେଇଠି ରହିବା ପାଇଁ ଅନଙ୍ଗକୁ ଅନୁରୋଧ କଲେ ।

 

ଅନଙ୍ଗର ପଞ୍ଜରା ହାଡ଼ ତଳୁ ଘନଘନ ଦୀର୍ଘ ନିଶ୍ଵାସ ଉଠୁଥିଲା ।

 

ସଦାମଣୀ ପୁଣି କହିଲେ–

 

“ବୁଝିଲ ବାପ, ଏଡ଼େ ବଡ଼ ଘରେ ପୁଅକୁ ବାହା କରେଇବା ମୋର ଉଦ୍ଦେଶ୍ୟ ନ ଥିଲା-। କିନ୍ତୁ କ’ଣ କରାଯିବ । ରେଣୁ ସହିତ ବାହାଘର ପାଇଁ ଯେଉଁ ବରପାତ୍ରଟି ଠିକ୍‌ କରିଚି, ତା’ର ଦାବୀ ହଉଚି ସେ ଦଶହଜାର ଟଙ୍କା ନବ । ଆମର ଅବସ୍ଥା ତ ଜାଣୁ । ଦଶହଜାର ଟଙ୍କା ଦବା ଭଳିଆ ଶକ୍ତି ଆମର କାହିଁ ? ତେଣୁ ସୁବ୍ରତର ବାହାଘର ସେଇଠି କରଉଛି । ସେଇଠୁ ଟଙ୍କା ଆଣି ରେଣୁର ବାହାଘର କରେଇବି ।”

 

ରେଣୁ ଘର ଭିତରକୁ ଚାଲିଗଲା । କେଉଁ ଏକ ଅବ୍ୟକ୍ତ ବେଦନାରେ ଫୁଲି ଫୁଲି ଉଠୁଥିଲା ତା’ର ଅନ୍ତର । ଅନଙ୍ଗ ପଚାରିଲା–

 

‘‘ରେଣୁ ପାଇଁ କୋଉଠି ବାହାଘର ଠିକ୍‌ କରିଛ କି ?’’

 

“ଏଇ କଟକରେ । ଓକିଲ କିଶୋର । ତାକୁ ତୁ ଚିହ୍ନିଥିବୁ ବୋଧେ ।”

 

ଅନଙ୍ଗକୁ ଲାଗୁଥିଲା ଯେମିତି ପୃଥିବୀବକ୍ଷରେ ଜାଗିଚି ଆଜି ଭୂମିକମ୍ପ । ତା’ର ଅସ୍ତିତ୍ୱ ସେଇଥିରେ ଲୋପ ପାଇଯାଉଚି । ସେ ଇଚ୍ଛା କରୁଥିଲା ଚାଲି ଆସିବ ବୋଲି; କିନ୍ତୁ ସଦାମଣୀଙ୍କର ସସ୍ନେହ ଅନୁରୋଧରେ ବାଧ୍ୟହୋଇ ରହିଲା ।

 

ସୁବ୍ରତ ଫେରିଲା ବାରଟାବେଳେ । ଅନଙ୍ଗକୁ ଦେଖି ଭାରି ଖୁସି ହେଲା–ତା’ର ଐଶ୍ୱର୍ଯ୍ୟରେ ନିଜେ ଗୌରବାନ୍ୱିତ ହେଲା । ଦି’ପହରର ଖିଆ ଶେଷକରି ଦୁଇବନ୍ଧୁ ଯାକ ଶୋଇବା ପାଇଁ ସୁବ୍ରତର ଶୋଇବା ଘରକୁ ଗଲେ । ଅନଙ୍ଗ ଚାହୁଁଥିଲା ଏମିତି ନିରୋଳା ମୁହୂର୍ତ୍ତ । ସେ ଆଉ ବେଶୀ ସମୟ ଅପେକ୍ଷା କରିପାରିଲା ନାହିଁ । ଗମ୍ଭୀର ମୁହଁରେ ସେ ପ୍ରଶ୍ନ କଲା–

 

‘‘ସୁବ୍ରତ, ମୁଁ ଭାବି ନ ଥିଲି ତୋ ଭଳି ଲୋକ ପତଙ୍ଗ ପରି ପୁଣି ଛନ୍ଦା ପାଖରେ ଝାସ ଦେବ... ।’’

 

‘ଛନ୍ଦା ପାଖରେ ଝାସ ?’ ସୁବ୍ରତ ବୁଝିପାରିଲା ନାହିଁ ଏ କଥାର ରହସ୍ୟ । ସେ ସ୍ୱଭାବସୁଲଭ ଧୀର ଗଳାରେ କହିଲା–

 

‘‘ତୁ ଭାରି ଉତ୍ତେଜିତ ଦେଖାଯାଉଚୁ ଅନଙ୍ଗ–କ’ଣ ହେଇଚି ?’’

 

‘‘ମତେ ଲୁଚାଉଛି କାହିଁକି ? ମୁଁ ତତେ କେବେ ବାଧା ଦେବିନି । ତେବେ ଛନ୍ଦାର ଅତୀତ କଥା ଜାଣିବି ତୁ ଆଜି କେମିତି ତାକୁ ବିବାହ କରିବାକୁ ଯାଉଛୁ ?’’

 

“ଛନ୍ଦାକୁ ମୁଁ ବିବାହ କରିବାକୁ ଯାଉଛି ?”

 

“ତୋ ମା ବର୍ତ୍ତମାନ ମତେ କହିଲେ । ଏକଥା କ’ଣ ମିଛ ?’’

 

ସୁବ୍ରତ ପୁଣି ଥରେ ଭାବିଲା । ତା’ ଅଜାଣତରେ ତା’ ମା କ’ଣ ଛନ୍ଦା ସହିତ ତା’ ବିବାହ ଠିକ୍‌ କରିଛନ୍ତି ?

 

‘‘ଅନଙ୍ଗ, ତାହେଲେ ସର୍ବନାଶ । ମା କ’ଣ ସେଇଠି ମୋ ବାହାଘର ଠିକ୍‌ କରିଚି–ଦଶହଜାର ଟଙ୍କା ସେଇଠୁ ଆଣି ରେଣୁର ବାହାଘର କିଶୋର ସହିତ କରେଇବ ? ୟା’ ଭିତରେ ନିର୍ବନ୍ଧ ହେଇ ସାରିଲାଣି । ଏକଥା ଯଦି ସତ ହେଇଥାଏ, କଦାପି ୟା’ ମୁଁ କରେଇ ଦେବିନି ।’’ –କହୁ କହୁ ସୁବ୍ରତର କଣ୍ଠ ଉତ୍ତେଜନାରେ ଭରି ଆସିଲା । ପୁଣି ସେ କହିଲା–

 

“ୟା’ କେବେ ହେଇପାରେନା । କିନ୍ତୁ ଭାଇ, ରେଣୁର ବାହାଘର କେମିତି ହବ ? ଦଶହଜାର ଟଙ୍କା ଦବାର କ୍ଷମତା ତ ଆମର ନାହିଁ ।’’

 

ଅନଙ୍ଗ କହିଲା–

 

‘‘ରେଣୁର ବାହାଘର କିଶୋର ସହିତ ନ ହେଲେ ? ଯିଏ ଦଶହଜାର ଟଙ୍କାରେ ବିବାହକୁ ଓଜନ କରୁଚି–ତା’ ସହିତ ରେଣୁ ଭଳି ଝିଅର ବିବାହ ହେବା ଉଚିତ ନୁହେଁ ।’’

 

ସୁବ୍ରତ ପଚାରିଲା–‘‘ତାହାହେଲେ ?’’ ଚାହିଁରହିଲା ସେ ଅନଙ୍ଗର ମୁହଁକୁ । ଅନଙ୍ଗ ବଡ଼ ଅସ୍ଥିର ହେଇ ଉଠୁଥିଲା । କଣ୍ଠନଳୀ ତା’ର ଶୁଖି ଆସୁଥିଲା ବୋଧହୁଏ । କ’ଣ ସେ କହିବାକୁ ଚାହୁଁଚି–ମାତ୍ର କହିପାରୁ ନାହିଁ । ଆଖି ଆଗରେ ଖେଳୁଚି ରେଣୁ–ତା’ର ସୁଠାମ ସୁଢ଼ଳ ତନୁ ଲତା–ତା’ର ମିଠା ମିଠା ମନଜିଣା କଥା–ସବୁଗୁଡ଼ିକ ଭାବନା ତା’ର ଯାଇ ବାଧା ପାଉଚି ସେଇଠି ।

 

‘‘ଅନଙ୍ଗ’’–ସୁବ୍ରତ କହିଲା–‘‘ରେଣୁଟି ଭାରି ଗେହ୍ଲାରେ ବଢ଼ିଚି ।’’

 

“ମୁଁ ଜାଣେ ଭାଇ ! ଆଚ୍ଛା ଗୋଟାଏ କାମ କରିବୁ ?’’

 

‘‘କହ ।’’ ସ୍ଥିର ଆଉ ପଲକ ବିହୀନ ସୁବ୍ରତର ନୟନ ।

 

ଅନଙ୍ଗ କହିଲା–‘‘ରେଣୁର ବାହାଘର ମୋ ସହିତ କରିବାରେ କିଛି ଆପତ୍ତି ଅଛି ?’’

 

‘‘ଆପତ୍ତି ? ତୋ ସହିତ ରେଣୁର ବାହାଘର ? ତୁ ଠିକ୍‌ କହୁଚୁ ଅନଙ୍ଗ –ରେଣୁକୁ ବାହା ହେବୁ ?”

 

‘‘ହଁ, ମୁଁ ଠିକ୍‌ କହୁଚି । ତୁ ମତେ ବିଶ୍ଵାସ କର–ମୁଁ ତାକୁ ବିବାହ କରିବି ।’’

 

‘‘ଭାଇ, ତୁ ଯଦି ତା'କୁ ବିବାହ କରିବୁ, କେଡ଼େ ବଡ଼ ଦୁଶ୍ଚିନ୍ତାରୁ ମୁଁ ମୁକ୍ତି ପାଇବି ।’’

 

“ମୁଁ ତା’କୁ ବିବାହ କରିବି ଭାଇ ! ମୁଁ ଚାହେଁନା, ତା’ ପାଇଁ ତୁ ଛନ୍ଦାକୁ ବାହା ହ’ ବୋଲି । ଛନ୍ଦାର ନିଆଁ ଧାସରୁ ତୁ ମତେ ରକ୍ଷା କରିଛୁ, ଆଉ ତୁ ନିଜେ ଆଜି ତା’ରି ଧାସରେ ପୋଡ଼ି ମରିବୁ, ୟା କେବେ ହେଇପାରେନା ।’’

 

‘‘ଅସମ୍ଭବ–ଅସମ୍ଭବ ।’’ କହିଉଠିଲା ସୁବ୍ରତ–ଛନ୍ଦାର ମୋର ବିଭାଘର କେବେହେଲେ ହୋଇପାରେନା । ଆଚ୍ଛା ଭାଇ, ଚାଲ ଏକଥା ମା’କୁ ଜଣେଇ ଦବା । ତୁ ରେଣୁକୁ ବାହାହବା କଥା ଶୁଣିଲେ ସେ ଭାରି ଖୁସି ହବ ।’’

 

ତା’ପରେ ଦୁଇ ବନ୍ଧୁ ସଦାମଣୀ ଦେବୀଙ୍କ ପାଖକୁ ଗଲେ । ପ୍ରଥମେ ଅନଙ୍ଗ ଛନ୍ଦାର ଅତୀତ ଇତିହାସ ତାଙ୍କ ପାଖରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଗଲା । ସବୁ ଶୁଣିସାରି ସେ ଜିଭ କାମୁଡ଼ି ପକାଇଲେ । ଛନ୍ଦା କ’ଣ ମଣିଷ ରୂପରେ ରାକ୍ଷସୀ ? ତାଙ୍କ ନିଜ ପୁଅର ଭବିଷ୍ୟତ ସେ ନଷ୍ଟ କରିବାକୁ ଯାଉଥିଲେ । ତାଙ୍କର ମୁଣ୍ଡ କ’ଣ ହେଇଗଲା ।

 

ତା’ପରେ ସୁବ୍ରତ ଅନଙ୍ଗ ସହିତ ରେଣୁର ବାହାଘର କଥା କହିଲା । ତାଙ୍କ ଆଖିରୁ ଝରିଆସିଲା ଆନନ୍ଦର ଅଶ୍ରୁ । ଏ ବିବାହ ଭାରି ସୁନ୍ଦର ହେବ ।

 

ରେଣୁ ଆର ଘରେ ରହି ଏ କଥାବାର୍ତ୍ତାର ଗନ୍ଧ ପାଉଥିଲା । ମନ ଭିତରେ ଉଠୁଥିଲା ତା’ର କେଉଁ ଏକ ଆଶାର ମନୁମେଣ୍ଟ୍‌ । ଅନଙ୍ଗ ସହିତ ତା’ର ବିବାହ ହେବ ମଧୁମୟ–ମଙ୍ଗଳମୟ-। ହାତ ତୋଳି ସେ କୁଳଦେବତାଙ୍କୁ ଡାକିଲା ପ୍ରାର୍ଥନା କଲା–ମନସ୍କାମନା ତା’ର ପୂର୍ଣ୍ଣ ହେଉ ।

 

ସଦାମଣୀ ଦେବୀ ଆନନ୍ଦରେ ସମ୍ମତି ଦେଲେ । ସୁବ୍ରତ ତହିଁ ପରଦିନ ହୀରାକୁଦ ଯାଇ ଅନଙ୍ଗର ବାପାଙ୍କୁ ଏକଥା ଜଣାଇଲା । ସେ ମଧ୍ୟ ଖୁବ୍‌ ଆନନ୍ଦର ସହିତ ଏ ବିବାହରେ ସମ୍ମତି ଦେଲେ ।

 

ଦୁଇ ପକ୍ଷର ରାଜିରେ ଆଗାମୀ ଜ୍ୟେଷ୍ଠ ମାସ ତିରିଶ ଦିନକୁ ବିବାହ ପାଇଁ ଦିନ ଠିକ୍ ହେଲା ।

 

–ଦଶ–

 

ଅରଣ୍ୟାନୀ ମଧ୍ୟରେ ଆହତ ହୋଇ ବଞ୍ଚିରହିଥିବା ବାଘୁଣୀର ଅବସ୍ଥା ଯାହା ହୁଏ, ଛନ୍ଦାର ଅବସ୍ଥା ଠିକ୍‌ ସେଇଆ ହେଇଥିଲା । ଅବଶ୍ୟ ତା’ର ଏ ଅବସ୍ଥା ପାଇଁ ସେ କାହାରିକୁ ଆଉ ଦୋଷ ଦେଇପାରିବନି । ଆପଣା ହସ୍ତରେ ଯେ ନିଜର ଜିହ୍ୱା ଛେଦନ କରିଚି, ସେ ପରକୁ ଆଉ କେଉଁଥିପାଇଁ ଦୋଷ ଦେବ ?

ଛନ୍ଦାର କ’ଣ ନ ଥିଲା ! ଧନ, ମାନ, ଶିକ୍ଷା ରୂପଯୌବନ ସବୁକିଛି ତା’ର ଥିଲା । ସେ ଇଚ୍ଛା କରିଥିଲେ ସାବଲୀଳ ଗତିରେ ଜୀବନ ତା’ର ଗତି କରିଥାଆନ୍ତା । ଡାକ୍ତର କମଳଙ୍କୁ ସେ ବିଭା ହେଇଥିଲା । ସେଇଠି ହୁଏତ ସେ ଗଢ଼ିପାରିଥାନ୍ତି ଏକ ଆଦର୍ଶ ସଂସାର । ତାହା କରିପାରିଥିଲେ ସିନା ତା’ ଶିକ୍ଷାର ସାର୍ଥକତା ହେଇଥାଆନ୍ତା । ନାରୀମାନଙ୍କ ପାଖରେ ସେ ଆଦର୍ଶସ୍ଥାନୟୀ ହେଇପାରିଥାଅନ୍ତା । କିନ୍ତୁ ସେ ତା’ କରିପାରିଲା ନାହିଁ । ଧନଯୌବନର ଗର୍ବରେ ସେ ଚାହୁଁଥିଲା ଯୁବକକୁଳକୁ ତା’ ଆଙ୍ଗୁଳି ଆଗରେ ନଚେଇବ । ତା’ ବି କରିପାରିଥିଲା କିଛିଦିନ । କେତେ ତରୁଣଙ୍କୁ ତା’ ଚୁମ୍ବକଶକ୍ତିରେ ପାଖକୁ ଟାଣିଆଣି ନିର୍ମମ ଭାବରେ ପରିତ୍ୟାଗ କରିଛି । ତା’ପରେ ଖୋଜିଚି ନୂତନ ସଙ୍ଗୀ–ନୂତନ ଜୀବନ । ତା’ ବି ହେଇଚି । କେତେ କିଶୋରଙ୍କର ନିଶ୍ଵାସ ବାଜି ଛାତି ତା’ର ତାତିଯାଇଚି । କେତେ ପ୍ରଣୟୀଙ୍କ କାନ ପାଖରେ ଗାଇଚି ସେ ପ୍ରେମର ସଙ୍ଗୀତ । ଅସଂଖ୍ୟ ପୁରୁଷକୁ କରିଚି ସେ କାମନା ଚରିତାର୍ଥରେ ନିବେଦନ । ସବୁ ସମ୍ଭବ ହେଇଚି । ସବୁଜ ଚଷମା ଭିତରେ ପୃଥିବୀକୁ ସେ ଦେଖିଚି । କିନ୍ତୁ ତା’ପରେ ?

ତା’ପରେ ଆସିଚି ଆଉ ଏକ ଚିନ୍ତା–ଆଉ ଏକ ସମୟ–ଯାହା ପ୍ରତ୍ୟେକ ମଣିଷପ୍ରାଣରେ ଆସେ । ଉପଭୋଗର ଜୁଆରିଆ ନିଶା ଶେଷ ହେଇଆସିଲେ ବିଶୃଙ୍ଖଳ ଜୀବନକୁ ଛାଡ଼ି ମଣିଷ ଖୋଜେ ଶୃଙ୍ଖଳିତ ଜୀବନ । ଚାହେଁ ଘରସଂସାର କରି ନିଜର ଅବଶିଷ୍ଟ ଜୀବନ କଟାଇଦେବ । ଅନେକ କ୍ଷେତ୍ରରେ କିନ୍ତୁ ଏ ଚିନ୍ତା ଆସିବା ବେଳକୁ ବହୁତ ଡେରି ହୋଇଯାଇଥାଏ-। ଛନ୍ଦାର ଜୀବନରେ ଠିକ୍‌ ସେଇଆ ହିଁ ଘଟିଛି । ସେ ଆଜି ଚାହୁଁଥିଲା–ସହସ୍ର ଶଯ୍ୟାର ନାୟିକା ନ ହେଇ ଗୋଟିଏ ଶଯ୍ୟାର ନାୟିକା ହେବାକୁ । ସେଇଥିପାଇଁ ବହୁତ ଅନୂନୟ ବିନୟ କରି ସେ ଘଟକ ନଟବରଙ୍କ ପାଖକୁ ଦଉଡ଼ିଯାଇ ଅଜସ୍ର ଟଙ୍କାର ଲୋଭ ଦେଖାଇ ତା’ ପାଇଁ ଭଲ ବରପାତ୍ରଟିଏ ଯୋଗାଡ଼ କରିଦେବାକୁ କହିଥିଲା । କିନ୍ତୁ ସେତେ ବେଳକୁ ଅମୃତ ଭାଣ୍ଡରୁ ଅମୃତ ସରିଯାଇଥିଲା । ଯେଉଁ ତରୁଣମାନେ ଛନ୍ଦାର ସଂସ୍ପର୍ଶରେ ଆସିଥିଲେ କିମ୍ବା ତା’ ବିଷୟରେ ଜାଣିଥିଲେ ସେମାନେ କେହି ତା’କୁ ବିବାହ କରିବାକୁ ରାଜି ହେଲେ ନାହିଁ । କିଏ ବା ହୁଅନ୍ତା-! ଜାଣୁ ଜାଣୁ କିଏ ନିଆଁ କୁଣ୍ଡ ଭିତରେ ହାତ ପୂରାଇବ ? ଶେଷରେ ଘଟକ ଏକ ସୁନ୍ଦର ପରୀକ୍ଷା ଚଲେଇଥିଲେ ସଦାମଣୀ ଦେବୀଙ୍କ ଉପରେ । କେତେକାଂଶରେ କୃତକାର୍ଯ୍ୟ ହେଇଥିଲେ ବି-। କିନ୍ତୁ ସବୁ ଶ୍ରମ ପଣ୍ଡ ହେଇଗଲା ।

ଛନ୍ଦା ଯେତେବେଳେ ଶୁଣିଲା ସୁବ୍ରତ ତାକୁ ପ୍ରତ୍ୟାଖ୍ୟାନ କରିଚି, ସେ ଅସମ୍ଭବ ଭାବରେ ଭାଙ୍ଗି ପଡ଼ିଲା । ଜୀବନକୁ ଏମିତି ଭାବରେ ନଷ୍ଟ କରିଦେବାକୁ ସେ ଆଉ ଚାହୁଁ ନ ଥିଲା । ଆହତ ଆତ୍ମା ତା’ର ଚିତ୍କାର କରିଉଠୁଥିଲା–ସେ ବିବାହ କରିବାକୁ ଚାହେଁ ।

ସେଦିନ ସଂଧ୍ୟାରେ ଅନଙ୍ଗ ଆପେ ଆପେ ଆସିଲା ଛନ୍ଦା ଘରକୁ । ଛନ୍ଦା ସେତେବେଳକୁ ପ୍ରସାଧନ ଶେଷକରି ତା’ ଶୋଇବାଘରେ ବସି ରହିଥିଲା । ଆଜିକାଲି ସେ ଆଉ ବୁଲାଚଲା କରିବାକୁ ବାହାରେ ନାହିଁ । ନିରୋଳାରେ ବସି ନିଜର ଅତୀତ ଜୀବନକୁ ସେ ତର୍ଜମା କରୁଥିଲା ।

ଅନଙ୍ଗ ଉପରକୁ ଖବର ପଠାଇଲା । ସଙ୍ଗେ ସଙ୍ଗେ ଛନ୍ଦା ନିଜେ ଆସି ତା’କୁ ତଳୁ ପାଛୋଟି ନେଇଗଲା ଉପରକୁ । ସୋଫା ଉପରେ ତାକୁ ବସେଇ ଦେଇ ଚାକରକୁ ବରାଦ୍‌ କଲା ଚା’ ଆଣିବାକୁ । ଅନଙ୍ଗ କିଛି ଖାଇବ ନାହିଁ ବୋଲି ମନାକଲା । ଛନ୍ଦା କହିଲା–

 

“ଖାଇବ ନାହିଁ ବୋଲି କ’ଣ ତେଣୁ ଶପଥ କରି ଆସିଚ ?’’

 

‘‘ଶପଥ । ସେସବୁରେ ମୁଁ ତ ବିଶ୍ୱାସ କରେ ନାହିଁ ଛନ୍ଦା !’’ –ଅନଙ୍ଗ କହିଲା ।

 

“ତେବେ ଖାଇବନି ? କାହିଁକି ?’’

 

‘‘ଖାଇବାର ଇଚ୍ଛା ନାହିଁ ବୋଲି ।”

 

ଛନ୍ଦା କିଛି ସମୟ ନୀରବ ରହି କହିଲା–

 

‘‘ତମ ମନରେ ମୁଁ ଯେଉଁ ଦାରୁଣ ଆଘାତ ଦେଇଥିଲି । ସେଥିପାଇଁ ଅନୁତପ୍ତ । ପୁରୁଷମାନେ ପରା କ୍ଷମାର ଆଧାର ! ତୁମେ କ’ଣ ମତେ ସେଥିପାଇଁ କ୍ଷମା ଦେବ ନାହିଁ ?’’

 

“ମୁଁ ତ ତମକୁ କ୍ଷମା ଦେଇସାରିଚି ବହୁତ ଆଗରୁ ।’’ ଛନ୍ଦା ଆସି ଅନଙ୍ଗ ପାଖରେ ବସିଲା । ଅନଙ୍ଗ ଟିକିଏ ଘୁଞ୍ଚିଗଲା ଦୂରକୁ । ଛନ୍ଦା କହିଲା –

 

“ମୁଁ କ’ଣ ଅସ୍ପୃଶ୍ୟା ?’’

 

ଅନଙ୍ଗ ମୁହଁରେ ଫୁଟି ଉଠୁଥିଲା ହସ ।

 

‘‘ତୁମେ ନୂହଁ, ମୁଁ ହୁଏତ ଅସ୍ପୃଶ୍ୟ । ମତେ ଛୁଇଁଲେ ତୁମର ଜାତି ଯିବ । ମାନ, ସମ୍ମାନ, ଇଜ୍ଜତ, ମହତ–ସବୁ ଚାଲିଯିବ । ନୁହେଁ ?’’

 

ଛନ୍ଦା ପୁଣି ଘୁଞ୍ଚିଆସିଲା ତା’ ପାଖକୁ ।

 

‘‘ତମେ ମତେ ଶାସ୍ତି ଦେବାକୁ ଚାହଁ ? ଯେଉଁ ଶାସ୍ତି ଦବ, ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ଅଛି ।”

 

“କିନ୍ତୁ ତମକୁ ଶାସ୍ତି ଦେବାର କ୍ଷମତା ସିନା ମୋର ଥିଲେ ?”

 

ଅନଙ୍ଗ ଦେହରେ ଛନ୍ଦାର ଦେହ ଲାଗୁଥିଲା ।

 

କଅଁଳିଆ କଣ୍ଠରେ ଛନ୍ଦା କହିଲା–

 

“ତୁମେ ରାଗିଥାଅ ପଛେ, କିନ୍ତୁ ଦୟାକରି ଯେ ମୋ ଦୂଆରେ ଆଜି ପାଦ ଦେଲେ, ସେତିକି ମୋର ଯଥେଷ୍ଟ ।’’

 

ଅନଙ୍ଗର ନୟନରେ କ୍ଷୁଧିତ ଚାହାଣୀ, ତା’ର ପ୍ରବଳ ଇଚ୍ଛା ହେଉଥିଲା–ଛନ୍ଦାର ଶରୀରଟାକୁ ଗ୍ରାସ କରିଯିବାକୁ–ବିଶ୍ୱାସଘାତକତାର ପ୍ରତିଶୋଧ ନେବାକୁ । ଛନ୍ଦା ଚାହୁଁଥିଲା ପୁଣି ଏକ ନୂତନ ଜୀବନ ଆରମ୍ଭ କରିବାକୁ । ଯଦି ତା’ ସମ୍ଭବ ହୁଏ ଛନ୍ଦା ମୁକ୍ତି ପାଇଯିବ ।

 

ଅନଙ୍ଗ ପଚାରିଲା–“ଛନ୍ଦା ! ତୁମେ ଆଜି ବି କ’ଣ ମତେ ଭଲପାଅ । ସତ କୁହ–ମୋ ପାଇଁ କ’ଣ ଅନ୍ତରତଳେ ତୁମର ପ୍ରେମର ଢେଉ ଉଠେ ?’’

 

ଛନ୍ଦା ଅନଙ୍ଗର ଦୁଇ କାନ୍ଧ ଉପରେ ତା’ର ଥରିଲା ହାତ ଯୋଡ଼ିକ ଥୋଇ କହିଲା–

 

“ଥରେ ମୁଁ ଯେଉଁ ଭୁଲ୍‌ କରିଥିଲି, ତା’ ପାଇଁ ସାରା ଜୀବନ ପ୍ରାୟଶ୍ଚିତ୍ତ କରୁଛି । ଆଉ ତୁମେ ଅଧିକ କ’ଣ ଚାହଁ ?”

 

“ଚାହେଁ । କିନ୍ତୁ ଆଜି ମତେ ସେତକ ଦେଇପାରିବ ତୁମେ ?”

 

‘‘ତୁମେ ଯଦି ଚାହଁ–ମୋ ଜୀବନ ବି ମୁଁ ତୁମ ପାଇଁ ଦେଇଦେବି ।”

 

ଅନଙ୍ଗ ଉଠିଯାଇ ଛନ୍ଦାର ଗଣ୍ଡଦେଶରେ ଗଭୀର ଚୁମ୍ବନ ଦେଇ ତା’କୁ ବ୍ୟସ୍ତ କରି ପକାଇଲା । ଛନ୍ଦା ଆଖିବୁଜି ଦୁଇ ହାତ ଛନ୍ଦିଦେଇ ଅନଙ୍ଗର କଣ୍ଠ–ଦେଶରେ ଆଉ ଏକ ପ୍ରକାର ସିନେମାଟିକ୍‌ ଭଙ୍ଗୀରେ କହିଲା–

 

ତୁମେ ମତେ ପୂର୍ବପରି ଭଲପାଅ ?’’

 

‘‘ତମ ପାଇଁ ମୁଁ କେତେ ବିନିଦ୍ର ରଜନୀ କଟାଇଛି । ତମରି ଚିନ୍ତାରେ ଅସ୍ଥିର ହେଇଉଠିଚି ରାତିଦିନ । ମତେ ଥରେ ଯେଉଁ ଆଘାତ ତମେ ଦେଇଚ....

 

“ସେକଥା ଆଉ ମନେ ପକାଇ ଲାଭ କ’ଣ । ଅତୀତକୁ ଭୁଲିଯାଅ । ଆସ–ନୂଆକରି ପୁଣି ଆମେ ଗଢ଼ିବା ଆମର ଜୀବନ । ମୁଁ ଏଇ ଘଟଣା ଉପରେ ଭାରି ଅନୁତାପ କରିଚି । ଭାବିଥିଲି ଆତ୍ମହତ୍ୟା କରିଦେବି ବୋଲି । କିନ୍ତୁ ବଞ୍ଚିରହିବା ଯାହା ହେଉ ସଫଳ ହେଲା ।’’

 

ରେଡ଼ିଓ ଭିତରୁ ଭାସି ଆସୁଥିଲା ମଧୁର କଣ୍ଠର ସଙ୍ଗୀତ । ଛନ୍ଦା ଆସ୍ତେ ଆସ୍ତେ ଭୁଲି ଯାଉଥିଲା ନିଜକୁ ।

 

ସେ କହିଲା–

 

‘‘ଥରେ ଯେଉଁ ସଂକଳ୍ପ ତୁମେ କରିଥିଲ, ତା’କୁ ଏବେ କାର୍ଯ୍ୟରେ ପରିଣତ କର । ଛନ୍ଦା ବର୍ତ୍ତମାନ ତୁମର । ତା’ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ–ସବୁ ତୁମର । ତୁମେ ମତେ ବାହାହବ-?’’

 

‘‘ସେଇଥି ପାଇଁ ତ ମୁଁ ଆସିଚି ଛନ୍ଦା । ବିବାହ ପାଇଁ ମନ୍ତ୍ର ହୋମକୁ ମୁଁ ପସନ୍ଦ କରେନା-। ଆଜି ରାତି ହେଉ ଆମ ବିବାହର ବାସର ରାତି । କ’ଣ କହୁଚ ?”

 

‘‘ସେଇ ବାସର ରାତିକୁ ରସାଳ କରିବା ଲାଗି ମୁଁ ଗୋଟାଏ ଗୀତ ଗାଏ....”

 

ଛନ୍ଦା ଉଠିଯାଇ ଅର୍ଗାନ ହାରମୋନିୟମ୍‌ରେ ସୁର ଦେଲା । ଅନଙ୍ଗ ସୋଫା ଉପରୁ ଉଠିଗଲା କାଉଚ ଉପରକୁ । ଗୀତ ଶେଷରେ ଅନଙ୍ଗର ବାହୁ–ପାଖରେ ବନ୍ଦିନୀ ହେଲା ଛନ୍ଦା । ରାତି ସାଢ଼େ ନଅଟା ବାଜିଲାଣି ସେତେବେଳକୁ ଛନ୍ଦା ଯାଇ ସୁଇଚ୍‌ ଅଫ୍‌ କରିଦେଇ ଘରଟାକୁ ଅନ୍ଧାର କରିଦେଲା । ବାସର ରାତିର ମଦିରାରେ ଇଥର ଦେହରେ ଜାଗିଛି ଛନ୍ଦ । ଅଧଘଣ୍ଟାଏ ପରେ ଘର ଭିତରେ ଲାଇଟ୍‌ ଜାଳିଦେଇ ଛନ୍ଦା ଆସିଲା ବାହାରକୁ । ମନରେ ତା’ର ଆଜି ନୂତନ ଜୀବନଶକ୍ତି–ପ୍ରାଣରେ ଗୋଲାପର ଉତ୍ସ ।

 

ଅନଙ୍ଗ ଠିଆ ହୋଇପଡ଼ି ହସିଉଠିଲା ଖୁବ୍‌ ଜୋରରେ–ହାଃ–ହାଃ–ହାଃ ।

 

ଚମକି ପଡ଼ିଲା ଛନ୍ଦା । ଏ କ’ଣ, ହଠାତ୍‌ ସେ ବୁଝିପାରିଲା ନାହିଁ ହସର ତାତ୍ପର୍ଯ୍ୟ । ୟା’ ଭିତରେ ଅଛି ପ୍ରାଣର ପ୍ରାଚୁର୍ଯ୍ୟ ନା ମରଣର ହଳାହଳ ?

 

ସେ ଫେରିଆସିଲା ।

 

ଅନଙ୍ଗ ପୁଣି ଥରେ ହସିଉଠିଲା–ହାଃ–ହାଃ–ହାଃ–! ଛନ୍ଦା ଭୟ ପାଇଗଲା ।

 

“କ’ଣ ହେଲା ତମର !’’ –ଭୟାର୍ତ୍ତ ଆଉ ପ୍ରାଣନିକ ଦୃଷ୍ଟିରେ ସେ ଚାହିଁ ରହିଲା ଅନଙ୍ଗ ଆଡ଼େ ।

 

ଅନଙ୍ଗ ଆହୁରି ଥରେ ହସି କହିଲା–

 

‘‘କାମନା ମୋର ପୂର୍ଣ୍ଣହେଲା ଛନ୍ଦା ! ମତେ ଯୋଉ ଆଘାତ ତୁ ଦେଇଥିଲୁ, ତା’ର ଉଚିତ ଶାସ୍ତି ଆଜି ମୁଁ ତତେ ଦେଇଚି । ଆଉ ଶୁଣ–ଆଗାମୀ ଜ୍ୟେଷ୍ଠ ମାସ ତିରିଶ ଦିନରେ ମୋର ବାହାଘର । ନିମନ୍ତ୍ରଣ କରିବାକୁ ତତେ ମୁଁ ଆସିଚି । ଏଇ ନେ ନିମନ୍ତ୍ରଣ ପତ୍ର । ଯିବୁ ।’’

 

ଅନଙ୍ଗ ତା’ ସାର୍ଟ ପକେଟରୁ ବିବାହ ନିମନ୍ତ୍ରଣ ଖଣ୍ଡିଏ କାଢ଼ି ଛନ୍ଦା ହାତକୁ ବଢ଼େଇଦେଲା ।

 

ଛନ୍ଦା ଦେହରେ ଆଉ ଯେମିତି ପ୍ରାଣ ନାହିଁ । ସେ ଅନଙ୍ଗର ଦୁଇ ପାଦ ଧରି କହିଲା–

 

“ତମେ ମତେ ନିରାଶ କର ନାହିଁ ।

 

କରୁଣା ତା’ର କଣ୍ଠସ୍ୱର ।

 

ଅନଙ୍ଗ କହିଲା–‘‘ମୁଁ ଖାଲି ତତେ ନିରାଶ କରୁ ନାହିଁ ଛନ୍ଦା, ତୋ ଜୀବନରେ ତୁ ଯେତିକି ଯୁବକଙ୍କୁ ନିରାଶ କରିଚୁ, ଠିକ୍‌ ସେତିକିଟି ଯୁବକ ଗୋଟି ଗୋଟି ହୋଇ ତତେ ନିରାଶ କରିବେ ।”

 

‘‘ମୋର ସମସ୍ତ ନେଇସାରି ତୁମେ ମୋତେ ପ୍ରତାରଣା କରୁଚ ?’’ –ଗର୍ଜି ଉଠିଲା ଛନ୍ଦା-

 

ମୃଦୁ ହସି ଅନଙ୍ଗ କହିଲା–‘‘ତୋର ଆଉ ଥିଲା କ’ଣ ଯେ ମୁଁ ନେବି । ସବୁ ମୁଁ ଜାଣେ ଛନ୍ଦା । ମତେ ଆଉ ତୁ କିଛି ଲୁଚାଇ ପାରିବୁ ନାହିଁ । ତୋ’ ଜୀବନରେ ଯେତେ ଲୋକ ଆସିଛନ୍ତି, ସମସ୍ତଙ୍କୁ ତୁ ତୋ ଦେହ ଉପହାର ଦେଇଛୁ । ମୁଁ କେବଳ ନେଇ ନ ଥିଲି । ଆଜି ମୁଁ ମୋର ପ୍ରାପ୍ୟ ନେଇନେଲି । ଦୁଃଖିତ ହବାର କିଛି ନାହିଁ । ୟେ’ ତ ତୋ ଜୀବନରେ ଦୈନନ୍ଦିନ ଘଟଣା । ଆଉ ଯଦି ଚାହୁଁ ତ ତୋ ଦେହର ମୂଲ୍ୟ ବାବଦକୁ ଶହେଟା ଟଙ୍କା ଦେଇ ଯାଇପାରେ ।’’

 

ଅନଙ୍ଗ ତା’ ପକେଟରୁ ଶହେ ଟଙ୍କିଆ ନୋଟ୍‌ଟିଏ ବାହାର କରି ଫିଙ୍ଗି ଦେଲା ।

 

‘‘ତୋର ଦାବୀ ୟା ଠୁଁ ବେଶୀ କିଛି ହେଇପାରେନା । ଯାଉଛି, ଦରକାର ହେଲେ ପୁଣି ଆସିବି ।’’

 

ଚଞ୍ଚଳ ଗତିରେ ଚାଲିଆସିଲା ଅନଙ୍ଗ ।

 

ଛନ୍ଦାର ନୟନରୁ ଝରି ଆସୁଥିଲା ସାଳନ୍ଦୀର ଝର । ଅତୀତର ଅପକର୍ମ ପାଇଁ ଏ କ’ଣ ତା’ର ପ୍ରାୟଶ୍ଚିତ୍ତ ? ସେ ପଲଙ୍କ ଉପରେ କଚାଡ଼ି ହେଇ ପଡ଼ିଲା ।

 

ତକିଆରେ ମୁହଁ ଗୁଞ୍ଜି ଛୋଟ ପିଲାଙ୍କ ଭଳି କାନ୍ଦି ଉଠିଲା ।

 

ଚାକର ଆସି କହିଲା–‘‘ବହୁତ ଡେରି ହେଇଗଲାଣି, ଖାଇବେ ଚାଲନ୍ତୁ ।’’

 

ଚମକି ଉଠିଲା ଛନ୍ଦା ।

 

ବହୁତ ଡେରି ହେଇଗଲାଣି ସେତେବେଳକୁ ।

 

–ଏଗାର–

 

ରେଣୁର ବାହାଘର ।

 

ମନ ମାରି ବସିଚି ମମତା । ଜୀବନ ତା’ର ବେସୁରା ହେଇଉଠୁଚି । ବୟସ ବଢ଼ିବା ସଙ୍ଗେ ସଙ୍ଗେ କେମିତିକା ନିରାଶ ହେଇ ଉଠୁଚି ସେ । ବଞ୍ଚିବା ପାଇଁ ତା’ର ନିଜର ଅବଲମ୍ବନ ଥାଇ ମଧ୍ୟ ସେ ସତେ ଖୋଜି ବୁଲୁଚି ଅନ୍ୟର ଆଶ୍ରୟ । ଏଇ କ’ଣ ନାରୀ ଜୀବନର କାମ୍ୟ ? ପୃଥିବୀର ଅଗ୍ରଗତି ସଙ୍ଗେ ସଙ୍ଗେ ସ୍ତ୍ରୀ ଜାତି ଆଜି ଦାବୀ କରୁଚି ପୁରୁଷ ସହିତ ସମାନ ଆସନ । ମମତା ଶିକ୍ଷିତା, ଶିକ୍ଷୟିତ୍ରୀ ସେ । ତା’ର ଚିନ୍ତାଧାରରେ ଆଜି ବ୍ୟତିକ୍ରମ । ନିରୋଳାରେ ବସି ସେ ଭାବୁଥିଲା ଯେମିତି ସେ ତା’ ଅଲକ୍ଷ୍ୟରେ ପଛେଇ ଯାଉଚି ଦୁଇ ଶତାବ୍ଦୀ ପଛକୁ । ରେଣୁ ବାହା ହେଇ ଯାଉଛି–ଯାଉ, ସେଥିରେ ତା’ର କ’ଣ ଯାଏ ଆସେ ? ସେମାନେ ତ ଗୋଟିଏ ମା ବାପର ସନ୍ତାନ ନୁହନ୍ତି ଯେ ସାନ ଭଉଣୀର ବିବାହରେ ତା’ ମନରେ ଆଞ୍ଚ ଆସିବ ତଥାପି ନାରୀସୁଲଭ ଦୁର୍ବଳତା ତ’ ତା’ର ଅଛି ।

 

ରେଣୁ । ଏଇ କାଲି ପରିତ ଫ୍ରକ୍‌ ପିନ୍ଧା ବୟସ ଯାଇଚି ତା’ର । ମମତା ତାକୁ ନାଲି ଆଖି ଦେଖେଇ ଶାସନ କରିଚି–ତା’ର ଚପଳତାକୁ ଉପଭୋଗ କରିଛି ।

 

ସେ ଆଜି ହବ ଗୃହିଣୀ–

 

ମୁଣ୍ଡରେ ପିନ୍ଧିବ ସିନ୍ଦୂର ।

 

ଆଉ ସେ ନିଜେ... ?

 

ସେ ପ୍ରଥମେ ଠିକ୍‌ କରିଥିଲା ରେଣୁ ବାହାଘରକୁ ଯିବ ନାହିଁ ବୋଲି । ଦି’ ଦିନ ଆଗେ ସଦାମଣୀ ଦେବୀ ନିଜେ ଆସିଥିଲେ ତା’କୁ ନେବା ପାଇଁ । ଦେହ ଖରାପ ଅଛି ବୋଲି ଛଳନା କରି ସେ କାଲିକି ଯିବ ବୋଲି କହି ତାଙ୍କୁ ଫେରାଇ–ଦେଲା । ନ ଗଲେ ଏଣେ ସବୁଦିନ ପାଇଁ କଥାଟା ଅସୁନ୍ଦର ହେବ । ରେଣୁ ନିଜେଇ ଭାବିବ ଖରାପ । ସୁବ୍ରତ ଭାଇ ବେଶୀ ଅଭିମାନ କରିବେ ହୁଏତ ତାଙ୍କର ଅଭିମାନ ନ କରିବାର କଥା । ତା’ ଉପରେ ତାଙ୍କର କ’ଣ ଅଧିକାର ଅଛି ?

 

ଚାକିରି ଝଣ୍ତିଏ କରି ଦେଇଛନ୍ତି । ଆଉ...ଆଉ ସେ ଭାବୁଥିଲେ ଯେତିକି, ସେତିକି ଅନୁଭବ କରୁଥିଲା–ସୁବ୍ରତ ଭାଇ ୟା’ ଭିତରେ ତା’ ଉପରେ ବିରାଟ ପ୍ରଭାବ ପକେଇଛନ୍ତି ।

 

ସୁବ୍ରତ ଭାଇଙ୍କ ଚିନ୍ତା କେମିତି ତା’ ହୃଦୟରେ ଗଭୀର ଚେର ଭିଡ଼ି ଦେଇଚି । ତାଙ୍କର ଭାବନାରେ ସେ ପାଉଥିଲା ପ୍ରଚୁର ଶାନ୍ତି ।

 

ସ୍ଵାତୀ ଆଉ ସ୍ନିଗ୍‌ଧା ଆସି ପହଞ୍ଚିଲେ ।

 

ମମତାର ବିମର୍ଷ ଭାବ ଦେଖି ସ୍ଵାତୀ କହିଲା–

 

“କିଲୋ ମମତା, ସକାଳଟାରେ ଏମିତି ମୁହଁ ଶୁଖେଇ ବସିଚୁ କାହିଁକି ? କ’ଣ ହେଇଚି ତୋର ? ଛୁଟିଦିନ । ଗଲୁନି–ଜୋବ୍ରା କି ପଥରବନ୍ଧ ଆଡ଼େ ଟିକିଏ ବୁଲି ଆସିଥାନ୍ତୁ ।’’

 

ମମତା କହିଲା–‘‘ତମେ ସବୁ ବୁଲାବୁଲି କାମ ସାରିଦେଇ ଆସିଚ ନା କ’ଣ ?”

 

ସ୍ନିଗ୍‌ଧା କହିଲା–‘‘ଆମେ କୁଆଡ଼ିକି ବୁଲିଯିବୁ ଲୋ–ସଂସାରରେ ଆମର ତ ଭାଇ ଫାଇ କେହି ନାହାନ୍ତି ।’’

 

“କରି ନଉ ନାହଁ ଗୋଟେ ଗୋଟେ–କ’ଣ ଅଭାବ ଅଛନ୍ତି ?’’

 

କୁମାରୀ ସ୍ୱାତୀ ଚାହିଁ ରହିଥିଲା । ମମତା ମୁହଁକୁ ସନ୍ଦେହାକୁଳ ଦୃଷ୍ଟିରେ ମମତା ଟିକିଏ ବ୍ୟସ୍ତତା ଦେଖେଇ କହିଲା–

 

‘‘ମୁଁ ତ ବାହାରିଚି ଗୋଟାଏ ଜାଗାକୁ । ବସି ଗପ କରିବାକୁ ବେଳ ନାହିଁ ।’’

 

‘‘ତୋର ତ ବାହାରିବା ଡେରି ହେଇଗଲାଣି ଲୋ ! ଆମେ ଭାବିଥିଲୁ ବହୁତ ଆଗରୁ ତୁ ବାହାରି ଯାଇଥିବୁ ।’’

 

ହସୁଥିଲା ସ୍ନିଗ୍‌ଧା ପଟ୍ଟନାୟକ । ମମତା ଖୁବ୍‌ ଶୀଘ୍ର ପ୍ରସାଧନ ଶେଷ କରି ବାହାରି ପଡ଼ିଲା । ରେଣୁର ବାହାଘର ଆଟେଣ୍ଡ କରିବାକୁ ହେବ ।

 

ସ୍ନିଗ୍‌ଧା ଆଉ ସ୍ୱାତୀ ବିଦା ହେଇଗଲେ ।

 

ରେଣୁର ବାହାଘର ପାଇଁ ସୁବ୍ରତ ବ୍ୟସ୍ତ ରହିଚି । ଦୁଇ ଦିନ ଆଗରୁ ଓ.ଏ.ଏସ୍. ପରୀକ୍ଷା ଫଳ ବାହାରି ଯାଇଚି । ସୁବ୍ରତ ପରୀକ୍ଷାରେ ଦ୍ଵାଦଶ ସ୍ଥାନ ଅଧିକାର କରିଥିବାରୁ କେତେ ବନ୍ଧୁ ତାକୁ କଂଗ୍ରାଚୁଲେସନ୍‌ ପଠେଇଛନ୍ତି । ଡେପୁଟୀ ଚାକିରୀ ମିଳିବ । ଆଜିକାଲି ସମୟରେ ଏ ମହାଭାଗ୍ୟର କଥା ।

 

ଶର୍ବରୀ ଆଉ ତା’ର ସ୍ଵାମୀ ବାହାଘର ଦିନକ ଆଗରୁ ଆସି ପହଞ୍ଚିଛନ୍ତି । ଗାଁରୁ ମୁଖିଆ ମୁଖିଆ ଜ୍ଞାତିକୁଟୁମ୍ବ ଭିତରୁ ଦି’ଜଣ ଲୋକ ଆସିଛନ୍ତି । ସ୍ଵପ୍ନେଶ୍ଵରବାବୁ ବୋଲି ଲେଖାରେ ସୁବ୍ରତର ଅଜା ହେବେ, ସେ ମଧ୍ୟ ଆସିଛନ୍ତି । ଘରଟି ମୋଟ ଉପରେ ସରଗରମ ହେଇଉଠିଚି । ସ୍ଵପ୍ନେଶ୍ଵରବାବୁ ସୁବ୍ରତକୁ ତିନି ଚାରିଥର ପଚାରିଲେଣି ତା’ ବାହାଘର କଥା । ସୁବ୍ରତ ସାମାନ୍ୟ ହସି ଦେଇ ଚାଲିଯାଏ । ବିବାହ ଯୋଗ ପଡ଼ିଲେ ତ ବାହାଘର ହବ ।

 

ସକାଳ ସାତଟା ବେଳକୁ ବରଧରା ବାହାରିଲା । ସୁବ୍ରତ ଓ ସ୍ଵପ୍ନେଶ୍ଵରବାବୁ ବରଧରାରେ ଗଲେ । ଜୀବନ ବନ୍ଧୁ ହିସାବରେ ଘରେ ରହିଲା ।

 

ବୈଠକଖାନା ଘରେ ବସି ସକାଳର କାଗଜ ଓଲଟାଉଛି ସେ । ବହୁଦିନ ପରେ ଶ୍ୱଶୁରଘରକୁ ଆସିଥିବାରୁ ବିବାହ ଦିନର କଥା ତା’ର ମନେ ପଡ଼ୁଛି । ରେଣୁର ବର ଆଜି ଆସିଲା ଭଳି ସେ ବି ଦିନେ ଏଇଠିକି ବର ହେଇ ଆସିଥିଲା । ତା’ ଆଜି ଅତୀତର କଥା । ମାତ୍ର ସେଇ ଅତୀତର କଥା ମନେପଡ଼ି ପ୍ରାଣ ତା’ର ଆନ୍ଦୋଳିତ ହେବାକୁ ଲାଗିଲା ।

 

ଶର୍ବରୀକୁ ସେ ବିଭା ହେଇଥିଲା ବନ୍ଧୁ ସୁବ୍ରତର ଅନୁରୋଧରେ । ନିଜର ଇଚ୍ଛା, ବିବେକ–ସବୁ କିଛିର ବିରୁଦ୍ଧରେ ।

 

ପ୍ରେମ–ରାଜ୍ୟରେ ପ୍ରଥମେ ବିଚରଣ କଲାବେଳେ ସେ ଗୋଟିଏ ଯୁବତୀକୁ ଭେଟିଥିଲା-। ଆଖି ସହିତ ହେଇଥିଲା ଆଖିର ବଦଳ–ପରିଚୟ, ପ୍ରେମ । ତା’ପରେ ଜୀବନ କଥା ଦେଇ ଆସିଥିଲା ସେଇ କିଶୋରୀକୁ ବିବାହ କରିବ ବୋଲି । ମାତ୍ର ସେ କଥା ସେ ରଖି ନାହିଁ-

 

ସେଇଥିପାଇଁ ପ୍ରଥମ ଜୀବନରେ ସେ ଶର୍ବରୀକି ନିଜର କରିପାରି ନ ଥିଲା । ପରେ ଅତୀତର ସ୍ମୃତି ମନପଟରୁ ପୋଛି ହେଇଗଲା । ଶର୍ବରୀ ପାଖରୁ ସେ ଚାହିଁଥିଲା କ୍ଷମା । ତା’ପରେ ପାରିବାରିକ ଜୀବନ ତାଙ୍କର ବେଶ୍ ସୁରୁଖୁରୁରେ କଟୁଛି । ମାତ୍ର ଯାହାକୁ ସେ କଥା ଦେଇଥିଲା, ତା’ର କ’ଣ ହେଲା ? ସେ କଥା ସେ କେବେ ଭାବି ନାହିଁ–ଭାବିବାର ଅବକାଶ ନାହିଁ ତା’ର । ଆଜି ବିବାହ ଦିନର କଥା ମନରେ ପଡ଼ି ଅତୀତର ସର୍ପାଘାତରେ ଜର୍ଜର ହେଇପଡ଼ୁଛି ସେ । କୁଆଡ଼େ ଗଲା ସେ ? ବଞ୍ଚିଛି କି ମରିଛି ଆଜି ? ତା’ରି ସ୍ମୃତିରେ ପ୍ରାଣତନ୍ତ୍ରୀ ତା’ର ତୋଳିଲା ବେଦନାର ସ୍ଵର-

 

ଚେୟାର ଉପରୁ ଉଠିପଡ଼ି ସେ ବାହାରକୁ ଆସିଲା । ଠିକ୍‌ ତା’ରି ସାମନାରେ ରିକ୍‌ସାଟାଏ ଆସି ଛିଡ଼ା ହେଲା । ଭିତରେ ଅସୀନା ଗୋଟିଏ କିଶୋରୀ । ସର୍ବାଙ୍ଗ ସାଦା ପୋଷାକରେ ଆବୃତ । ନିରାଡ଼ମ୍ବର ଜୀବନଯାତ୍ରାର ସ୍ଵଚ୍ଛ ପ୍ରତିଚ୍ଛବି ପରିସ୍ଫୁଟ ତା’ ଦେହରେ । ଜୀବନ ତା’ରି ମୁହଁକୁ ଚାହିଁ ଅସ୍ଥିର ହେଇଉଠିଲା । ଏ କ’ଣ ସ୍ଵପ୍ନ ନା ସତ୍ୟ ?

 

ମମତା ରିକ୍‌ସାରୁ ଓହ୍ଲାଇ ପିଣ୍ଡା ଉପରକୁ ଆସି ଥକ୍କା ହେଇ ଛିଡ଼ା ହେଇଗଲା । ଆଗରେ ଜୀବନବାବୁ–ସେହି ଜୀବନବାବୁ, ଯେ ତା’ର ଏ ଦୁର୍ଗତି ପାଇଁ ଦାୟୀ । ଯାହା କଥା ଅସଲ ମୁହୂର୍ତ୍ତରେ ମନେପଡ଼ିଲେ ରକ୍ତ ତା’ର ଗରମ ହେଇଉଠେ ।

 

ଦୁହେଁ ଦୁହିଁଙ୍କୁ ପାଶ୍ନିକ ଦୃଷ୍ଟିରେ ଚାହିଁରହିଲେ କିଛିକ୍ଷଣ ।

 

କେତୋଟି ମିନିଟ୍‌ ପରେ ଜୀବନ କହିଲା–

 

‘‘ମମତା, ତୁମେ ଏଠି ?”

 

ଠିକ୍ ସେଇ ପ୍ରଶ୍ନ ମମତା ଆଖିରେ ।

 

ଜୀବନ ପୁଣି କହି ଉଠିଲା–

 

‘‘ମୋର ଭାରି ଦୋଷ ହେଇଚି ମମତା ! ସୁବ୍ରତର ଅନୁରୋଧରେ ମୁଁ ତା’ ଭଉଣୀ ଶର୍ବରୀକୁ ବିବାହ କରିଛି । ତୁମର ଖବର କ’ଣ ?

 

ମମତା ବାକ୍‌ଶକ୍ତି ହରେଇ ଦେଇଛି । କି ଅଶୁଭ ଲଗ୍ନରେ ସେ ଆଜି ବସାରୁ ବାହାରି ଆସିଥିଲା ? ଜୀବନ ତା’ର ସର୍ବନାଶ କରିଛି–ମମତା ତା’ର ସବୁପ୍ରକାର ଅମଙ୍ଗଳ ଚିନ୍ତା କରିବା କଥା । କିନ୍ତୁ ସେ ଆଜି ଶର୍ବରୀର ସ୍ଵାମୀ । ମମତା ଚାହୁଁ ନ ଥିଲା ଆଉ ଗୋଟିଏ ସଂସାରରେ ନିଆଁ ଜାଳି ଦବାକୁ । ନିଜେ ଜଳିଚି ବୋଲି ଅନ୍ୟକୁ ଜଳାଇବାର ଅଧିକାର ତ’ ତା’ର ନାହିଁ ! ନିହାତି ଅସହାୟ ଲାଗୁଥିଲା ତାକୁ । କ’ଣ ତା’ର କର୍ତ୍ତବ୍ୟ ସେ ଠିକ୍‌ କରିପାରୁ ନ ଥିଲା ।

 

ଜୀବନ କହିଲା–‘‘କାଲି ଶର୍ବରୀ ମତେ କହୁଥିଲା ସୁବ୍ରତର ଗୋଟିଏ ନୂଆ ଭଉଣୀ ଅଛି-। ଆଜି ସେ ଆସିବ ବୋଲି । ସେଇ ବୋଧହୁଏ ତୁମେ ? –ହଠାତ୍ କୂଆଡ଼େ ତମ ସହିତ ତା’ର ଦେଖା ହେଇଥିଲା ଗୋଟାଏ ଭୟସଙ୍କୁଳ ରାତିରେ । ତମେ ଯାଉଥିଲ ଆତ୍ମହତ୍ୟା କରିବାକୁ...-। ମମତା ! ମୁଁ ଦୋଷୀ । ମୋ’ରି ଯୋଗୁ ସିନା ତମେ...”

 

ମମତାର ଲୁହ ବନ୍ଧନ ମାନୁ ନ ଥାଏ । କେଉଁ ଭାଷାରେ ସେ ଆଜି ଜବାବ୍ ଦବ ? ସୁବ୍ରତ ଭାଇ ଜବରଦସ୍ତ ଶର୍ବରୀ ସହିତ ଜୀବନ ବାବୁଙ୍କର ବାହାଘର କରେଇ ଦେଇଛନ୍ତି । ତା’ର ଏ ଯନ୍ତ୍ରଣାମୟ ନିଃସଙ୍ଗ ଜୀବନ ପାଇଁ ଦାୟୀ କିଏ ? ଜୀବନବାବୁ ନା ସୁବ୍ରତ ଭାଇ ?

 

ଝଡ଼ ଉଠିଲା ତା’ର ଛାତିରେ । ଗୋଟାଏ ବିୟୋଗାନ୍ତ ନାଟକର ନାୟକ ଭଳି ଠିଆ ହେଇଛି ଜୀବନ । ସେ ବି ଆଜି ମମତା ପାଇଁ ପ୍ରାଣେ ପ୍ରାଣେ ଅନୁଭବ କରୁଛି ।

 

‘‘ମତେ କ୍ଷମାଦିଅ ତମେ ।” ପାଖକୁ ଘୁଞ୍ଚିଯାଇ ମମତାର ହାତ ଧରି ପକେଇଲା ସେ ।

 

ଘୁଞ୍ଚିଯାଇ ଦୂରରେ ଠିଆ ହେଲା ମମତା । ପୁଣି ଥରେ ସେ ଚାହୁଁ ନ ଥିଲା ଜ୍ୱାଳାକର ସ୍ପର୍ଶ–ଯାହା ପୋଡ଼ିଦିଏ ଖାଲି ଅନ୍ତରକୁ ।

 

ମମତାର ଲୁହରେ ଭିଜିଯାଉଛି ସିମେଣ୍ଟେଡ୍ ଫ୍ଲୋର୍ । ସେ ଚାହୁଁଛି ମୁକ୍ତିର ମଳୟ ପବନ । ସୁବ୍ରତ ହଠାତ୍ ପଶି ଆସିଲା ବାହାରୁ କହି କହି–

 

‘‘ଜୀବନ ରେଣୁର ବାହାଘର ଘୁଞ୍ଚିଗଲା ।”

 

ଭିତରକୁ ଆସି ସେ ଦେଖିଲା ନୀରବରେ ଠିଆ ହେଇଛନ୍ତି–ଜୀବନ ଆଉ ମମତା ।

 

ସୁବ୍ରତକୁ ଦେଖି ମମତାର ଅନ୍ତର ଫାଟି ପଡ଼ିଲା ।

 

ସୁବ୍ରତ କହିଲା–‘‘ଓ–ତୁମ ଦୁହିଁଙ୍କର ଦେଖା ହେଇଗଲା ?’’

 

ମମତା ସୁବ୍ରତ ପାଖକୁ ଦୌଡ଼ି ଆସି କହିଲା–

 

“ସୁବ୍ରତ ଭାଇ !”

 

“ହଁ–ମୁଁ ଚାହୁଁ ନ ଥିଲି ତୁମ ଦୁହିଁଙ୍କର ଦେଖା ହଉ ବୋଲି । ସେଇଥିପାଇଁ ବାହାଘରକୁ ତୋତେ ଆଣିବା ପାଇଁ ମୁଁ ବିଶେଷ ଜୋର ଦେଇ ନ ଥିଲି । ମମତା, ମୁଁ ତତେ ଆଜିଯାକେ କହିନି–ତୋର ଦୁର୍ଦ୍ଦଶା ପାଇଁ ଜୀବନ ଯେତିକି ଦାୟୀ, ମୁଁ ମଧ୍ୟ ସେତିକି ଦାୟୀ । ଜୀବନ ଚାହିଁ ନ ଥିଲା ଶର୍ବରୀକୁ ବାହା ହବାକୁ । ମୁଁ କିନ୍ତୁ ଜୋର କରି ତା’କୁ ବାହା କରେଇଚି । ମୋର ଅନ୍ତରଙ୍ଗ ବନ୍ଧୁ ହିସାବରେ ସେ ମୋ କଥାରୁ ବାହାରି ଯାଇପାରିଲା ନାହିଁ ।”

 

ଏତକ କହିସାରି ଅପରାଧୀଙ୍କ ପରି ଛିଡ଼ା ହେଲା ସୁବ୍ରତ । ମନେ ହେଉଥିଲା ତା’ର–ସେ ଯେମିତି ଏକ ଗୋଲକଧନ୍ଦା ଭିତରେ ପଡ଼ି ଯାଇଚି ।

 

ଜୀବନ କହିଲା–‘‘ସୁବ୍ରତ, ମମତା କିନ୍ତୁ ନିଷ୍କଳଙ୍କ । ତୁ ତା’କୁ ଗ୍ରହଣ କର ।”

 

ସୁବ୍ରତର ପ୍ରାଣରେ ଲାଗିଲା ଚମକ । ମମତାକୁ ସେ ଗ୍ରହଣ କରିବ ? ଏହା କ’ଣ ହୋଇପାରେ ? ମମତା ମୁହ ପୋତି ଛିଡ଼ା ହୋଇଚି । ମୁଣ୍ଡ ତା'ର ଭାଙ୍ଗି ପଡ଼ୁଚି ଆଉରି ତଳକୁ ।

 

ସୁବ୍ରତ କହିଲା–“ୟା’ କେମିତି ହେବ ? ପ୍ରଥମ ଦେଖା ଦିନରୁ ସେ ମତେ ଦେଖିଆସିଚି ଅନ୍ୟ ଭାବରେ । ମତେ ଡାକି ଆସିଚି–‘ସୁବ୍ରତ ଭାଇ ।’ ୟା ବର୍ତ୍ତମାନ କେମିତି ହବ ?’’

 

“କିନ୍ତୁ ଭାଇ, ତା’ ସହିତ ତୋର ରକ୍ତର ସମ୍ପର୍କ କ’ଣ ଅଛି ?’’

 

କିଛି ନାହିଁ । ତଥାପି ସୁବ୍ରତ ରାଜି ହେଇ ପାରୁ ନାହିଁ କାହିଁକି ? ଚେତନଶୀଳ ମନ ତା’ର ଆଦୌ ସମର୍ଥନ କରି ପାରୁ ନାହିଁ ଏ ପ୍ରସ୍ତାବକୁ । ରକ୍ତର ସମ୍ପର୍କ ନ ଥାଇ ଜଣେ ଜଣକୁ ଅତି ନିଜର କରିନେଇପାରେ । ତା’ ନିଜ ଜୀବନରେ ସେଇଆ ହିଁ ଘଟିବ । ମୃତ୍ୟୁପଥରେ ଗୋଟିଏ ପାଦ ପକାଇ ସାରିବା ପରେ ତାକୁ ସେ ଜୀବନ ଦେଇଥିଲା । ଏଇତ କାଲିପରି ମନେ ପଡ଼ୁଚି–ଅତୀତର ସେଇ ନିସ୍ତବ୍‌ଧ ରଜନୀ–ଯା’ର ପକ୍ଷତଳେ ସେ ଦୁହିଁଙ୍କର ପରିଚୟ । ତା’ପରେ ସୁବ୍ରତ ମମତାକୁ ସ୍ନେହ କରି ଆସିଚି–ଅତୀତ ଜୀବନରେ ସ୍ମରଣୀୟ ସେ କିଛି ରଖି ଆସିନି । ସାଧାରଣ ମଣିଷର ଜୀବନ ପରି ଗଡ଼ିଚାଲିଛି ଦୁଇ ଜୀବନ । ସେମିତି ସେ ଗଡ଼ି ଚାଲୁ–

 

ସୁବ୍ରତ ଚାହେ ନି ସେଇ ଗତି ପଥ ଆଜି ରୁଦ୍ଧ ହେଇଯାଉ । ଜୀବନ କହିଲା–‘‘ତୋର ଏ ଚିନ୍ତା ପଛରେ କିଛି ଯୁକ୍ତି ନାହିଁ । ତୁ ମମତାକୁ ବିବାହ କରିବୁ । ତୁ କ’ଣ ଜାଣୁନି ଆଜିକାଲି ଯୁଦ୍ଧୋତ୍ତର ଯୁଗରେ ପ୍ରେମର ପ୍ରଥମ ସମ୍ବୋଧନ ହଉଚି–'ଭାଇ ?’

 

“କ’ଣ ତୁ କହୁଚୁ ଜୀବନ ?’’ –କହି ଉଠିଲା ସୁବ୍ରତ–‘‘ମୁଁ ଆଦୌ ଏକଥା ଭାବି ପାରୁନି-।”

 

“ମୁଁ ଠିକ୍ କହୁଚି ସୁବ୍ରତ ! ମମତା ପ୍ରତି ଆମର ଗୋଟାଏ କର୍ତ୍ତବ୍ୟ ଅଛି । ରେଣୁର ବାହାଘର ଘୁଞ୍ଚିଥିବା ବୋଧହୁଏ ଭଗବାନଙ୍କ ଇଚ୍ଛା । ଭଲ ହେଇଚି–ବିବାହର ସରଞ୍ଜାମସବୁ ତୁମର ବିବାହରେ ଲାଗୁ । ତୁ ଆଉ ମନା କରନା ସୁବ୍ରତ ! ମୁଁ ଯାଉଚି–ତୋ ମା’ଙ୍କୁ ସବୁକଥା କହେ । ମମତାର ଅତୀତ ଜୀବନରେ ଯାହା ଘଟିଯାଇଚି–ସେସବୁ ତୁ ଭୁଲି ଯା । ଥରେ ମୁଁ କହିବି ସେ ନିଷ୍କଳଙ୍କ ।”

 

ଜୀବନ ଆଉ ଅପେକ୍ଷା ନ କରି ଭିତରକୁ ଚାଲିଗଲା । ବୈଠକଖାନା ଘର ଭିତରେ ମମତା ଆଉ ସୁବ୍ରତ ପରସ୍ପର ମୁହଁ କୁ ଚାହିଁ ଠିଆ ହେଇଥିଲେ ।

 

ସେମାନେ କ’ଣ ୟା’ ଭିତରେ ପରସ୍ପରର ଅଲକ୍ଷ୍ୟରେ ନିଜ ନିଜକୁ ଭଲ ପାଇ ସାରିଥିଲେ ।

 

ମମତା କହିଲା–“ସୁବ୍ରତ ଭା...”

 

ସୁବ୍ରତ ତା’କୁ ବନ୍ଦ ହେବାକୁ ନିର୍ଦ୍ଦେଶ ଦେଲା ।

 

ମମତା କିନ୍ତୁ ବନ୍ଦ ନ ହେଇ ପଚାରିଲା–‘‘ଏ ବିବାହରେ ତମର ମତ କ’ଣ ?’’

 

“ମତେ ଆଉ ସେ ବିଷୟରେ ପଚାରନା ମମତା ! ଏ ବିଧିର ନର୍ଦ୍ଦେଶ ।

 

ଆମ ହାତରେ ତ କିଛି ନାହିଁ ।’’ –ସୁବ୍ରତ କହିଲା ।

 

ମନ ଭିତରେ ତା’ର ଉଠିଲା ପ୍ରଶ୍ନ ।

 

ଏତେ ଦିନ ସେ କ’ଣ ମମତାକୁ ସ୍ନେହ ନ କରି ପ୍ରେମ କରିଆସିଚି ? ମନେ ପଡୁ ନାହିଁ ତା’ର ଆଉ କିଛି । ଫ୍ରଏଡ଼୍‌ ସେ କେବେ ପଢ଼ିଥିଲା–ତା’ବି ଆଜି ଭୁଲିଗଲାଣି ।

 

କିଛି ମନେ ପଡ଼ୁ ନାହିଁ–ସବୁ ଗୋଟାଏ ଭୋଜିବାଜି ।

 

ଅତୀତ ହଜିଯାଉଚି ବିସ୍ମୃତି ଗର୍ଭରେ ।

 

କେମିତିକା ଅଭିମାନ ତୋଳି ନରମ ଗଳାରେ ପୁଣି କହିଲା ମମତା–

 

“କିନ୍ତୁ ମୁଁ ଯଦି ଏ ବିବାହରେ ଅସମ୍ମତ ହୁଏ ?’’

 

“ପାରିବୁ ? ତୁ ଯଦି ସମ୍ମତି ନ ଦେଉ, ତେବେ ଜୀବନ ହୁଏତ ତୋତେ ଜୋର କରିବ ।’

 

‘‘ଇସ୍‌, ଏମିତି ଜୋର କଲାବାଲା–”

 

ମମତାର ଗୋଲାପୀ ଗଣ୍ଡଦେଶରେ ଅଙ୍ଗୁଳି ଆଘାତ କଲା ସୁବ୍ରତ–

 

“ଖାଲି ସେତିକି ନୁହେଁ–ଦରକାର ହେଲେ ବଳପ୍ରୟୋଗ କରାଯିବ ।’’

 

ମମତା ଚାହୁଁ ଥିଲା ସେ ବଳ କଷାକଷିର ମୁହୂର୍ତ୍ତ ଆସିବ କେତେବେଳେ ।

 

ସେ ପୁଣି କହିଲା–‘‘ଦେଖ, ତୁମକୁ ମୁଁ ବିଶ୍ଵାସ କରି ମୋ ଜୀବନର ସମସ୍ତ କଥା କହିଚି-। ଭବିଷ୍ୟତରେ ସେଥିପାଇଁ ତମେ ଯେମିତି ମତେ ଦୋଷ ଦେବ ନାହିଁ ।”

 

ସୁବ୍ରତ ଚାହୁଁଥିଲା ମମତାର ଅତୀତ ଜୀବନକୁ...

 

ମମତା ପାଖେଇ ଆସି ସୁବ୍ରତର ହାତ ଧରିନେଲା–

 

‘‘ମତେ ତୁମେ ମୋର ଅତୀତର ସବୁ କିଛି ଦୋଷଦୁର୍ବଳତା ପାଇଁ କ୍ଷମା ଦେଇପାରିବ-?”

 

ସୁବ୍ରତ ତା ମୁହଁ କୁ ଚାହିଁ ହସୁଥିଲା ପରିତୃପ୍ତି ର ହସ ।

 

‘‘ଅତୀତରେ ତୋର କିଛି ତ ଘଟିନି । ଯାହା ବା ହେଇଚି, ତା’ ନିହାତି ମାମୁଲି । ତା’ ଉପରେ କିଛି ଗୁରୁତ୍ଵ ଦିଆଯାଇ ପାରେନା । ଅଚ୍ଛା କହନା–ସେଦିନ ହଷ୍ଟେଲ୍‌ ରେ ମୋ ସହିତ ଏମିତି ବ୍ୟବହାର କଲୁ କାହିଁକି ?”

 

ମମତା ହେଡ଼୍‌ ମିଷ୍ଟ୍ରେସ୍‌ଙ୍କର ସାବଧାନୀ ବାର୍ତ୍ତା ଶୁଣେଇଦେଲା ।

 

ସୁବ୍ରତ ଖାଲି ହସୁଥିଲା ।

 

ମମତା ପୁଣି କହିଲା–

 

‘‘ତମେ ମତେ କହିଥିଲ ବଞ୍ଚିଥିଲେ ବଞ୍ଚି ରହିବାର ଉପାଦାନ ବହୁତ ଆସିବ । ବଞ୍ଚି ରହିଥିଲେ ବୋଲି ସିନା– !”

 

ସୁବ୍ରତ ମମତାର ଗଣ୍ଡଦେଶରେ ଆଙ୍କି ଦେଇ ପ୍ରଣୟର ପ୍ରଥମ ଚୁମ୍ବନ ।

 

ରେଣୁ ବଧୂ ବେଶ ପାଲଟି ଧାଇଁଆସିଲା ସେଇ ଘରକୁ ।

 

ସୁବ୍ରତ ଅପ୍ରସ୍ତୁତ ହେଇ ବାହାରକୁ ପଳେଇଗଲା ।

 

ରେଣୁ ଯାଇ ମମତାର ହାତ ଧରି ଟାଣିଲା

 

‘‘ଆସ ଏବେ ନୂଆବୋଉ ଘରକୁ–ଶର୍ବରୀ ଅପା ବସିଚି ପରା ତମକୁ ହଳଦୀ ଲଗେଇ ଗାଧୋଇ ଦେବ–”

 

“ଯାଃ”–ହାତ ଟାଣିନେଲା ମମତା ।

 

ରେଣୁ କହିଲା–

 

‘‘ଇସ୍‌, ଜମାରୁ ଇଚ୍ଛା ନ ଥିବ ? ଲୁଚଉଛ କାହିଁକି ? ଆସ–ଆସ । ମା ତେଣେ ପରା ଆନନ୍ଦରେ ଗୋଡ଼ ପକଉନି ମାଟିରେ । ତମ ପରି ଗୁଣବତୀ ବୋହୂ କାହାକୁ ମିଳେ ?’’

 

ଘର ଭିତରୁ ସଦାମଣୀ, ଶର୍ବରୀ ଆସି ମମତାକୁ ଭିତରକୁ ନେଇଗଲେ । ରେଣୁର ବାହାଘର ଦଶଦିନ ଘୁଞ୍ଚିଯାଇଥିବାରୁ ତା’ ମନରେ ଦୁଃଖ ନାହିଁ । ମମତାକୁ ସେ ‘ନୂଆବୋଉ’ ରୂପରେ ପାଉଚି–ଏଇ ତା’ର ପରମ ଆନନ୍ଦ ।

 

କ୍ଷଣକାଳ ପାଇଁ ବନ୍ଦ ହେଇ ଯାଇଥିବା ନହବତ ପୁଣି ବାଜିଉଠିଲା ।

 

ବରଧରାରେ ଯାଇଥିବା ସ୍ଵପ୍ନେଶ୍ଵର ଅଜା ଫେରିବା ବେଳେ ଚୌଧୁରୀ ବଜାରରେ ରହିଯାଇଥିଲେ–କ’ଣ କାମ ଥିଲା ସାରିଦେଇ ଆସିବେ ବୋଲି । ସେ ଆସି ଶୁଣିଲେ ଆହୁରି ଦଶ ଗୁଣ ଜୋରରେ ବାଜା ବାଜୁଚି । ସେ ବୁଝି ପାରିଲେନି ରେଣୁର ବାହାଘର ଘୁଞ୍ଚିଯିବା ପରେ ବି କାହିଁକି ବାଜା ବାଜୁଛି !

 

ଘରେ ଆସି ରେଣୁଠୁଁ ସବୁ କଥା ଶୁଣିଲେ ।

 

ସୁବ୍ରତକୁ ଯାଇ ଥଟ୍ଟାଳିଆ ଭଙ୍ଗୀରେ ଚାହିଁ କହିଲେ–

 

‘‘ଆଚ୍ଛା, ବୁଡ଼ି ବୁଡ଼ି ପାଣି ପିଉଥିଲୁ ?”

 

ସୁବ୍ରତ ହସୁଥିଲା ।

 

ଅଜଣା ମୁହୂର୍ତ୍ତର ରୋମାଣ୍ଟିକ ସ୍ଵପ୍ନରେ ସ୍ଵପ୍ନିଳ ହେଇଉଠୁଥିଲା ତା’ର ଅନ୍ତର । ଆଜି ସେ ଭାବୁଥିଲା–

 

ମମତାକୁ ଜୀବନସଙ୍ଗିନୀ ରୂପେ ନ ପାଇଥିଲେ ଜୀବନ ହୁଏତ ତା’ର ବ୍ୟର୍ଥ ହେଇଯାଇଥାନ୍ତା–

 

ସାହାରା ହେଇଯାଇଥା’ନ୍ତା ତା’ର ସ୍ଵପ୍ନିଳ–ସବୁଜ ଭବିଷ୍ୟତ ।

 

ଠିକ୍ ସେଇ କଥା ମମତା ମଧ୍ୟ ଭାବୁଥିଲା ।

 

ନିଷ୍ପ୍ରଭ ହେଇ ଆସୁଥିଲା ଅତୀତ ଭବିଷ୍ୟତର ରଙ୍ଗୀନ୍‌ କଳ୍ପନାରେ ।

☆☆☆

 

 

 

 

 

 

 

 

 

 

 

 

Unknown

ପ୍ରଳୟ ପୟୋଧି ଜଳେ

 

ଆକାଶ ଭୀଷଣ ମେଘାଚ୍ଛନ୍ନ । ପୃଥିବୀର ଚତୁର୍ଦ୍ଦିଗରେ ଭୀଷଣ ଅନ୍ଧକାର । ପାହାନ୍ତି ପହରର ଶୀତଳ ପବନରେ କଇଜଙ୍ଗା ଗ୍ରାମ ସ୍ଵପ୍ନ ଦେଖୁଥିଲା । ଅଶ୍ଵତ୍‌ଥ ଗଛର ପତ୍ର ଦୋହଲି ଦୋହଲି ଗାଇବାକୁ ଆରମ୍ଭ କରୁଥିଲା ଆଗାମୀ ସକାଳର ମାଙ୍ଗଳିକ । ଗୋରୁଗାଈ ସେମାନଙ୍କ ଶେଷ ରୋମନ୍ଥ କାର୍ଯ୍ୟରେ ବ୍ୟସ୍ତ । ଅଦୂର ଡାକବଙ୍ଗଳା ରହି ରହି ଥରି ଉଠୁଥିଲା । ଇଞ୍ଜିନିୟର ରମାକାନ୍ତ ବେଳେବେଳେ ବିବ୍ରତ ହୋଇ ପଡ଼ୁଥିଲେ–ମୁଣ୍ଡର କେଶ ତାଙ୍କର ଇତସ୍ତତଃ ଉଡ଼ି ବୁଲୁଛି–ଗତ ଜୀବନର ଅସୀମ ଅଭିଜ୍ଞତା, ଆଗାମୀ ଜୀବନର ଅବଶ୍ୟମ୍ଭାବୀ ବିପଦ ତାଙ୍କୁ ଅସ୍ଥିର କରି ପକାଉଛି । ସେ ଚାହିଁ ରହିଛନ୍ତି ଝରକା ଦେଇ ବାହାରକୁ ।

 

ଚପରାଶି ଆସି ହୁରି ଛାଡିଲା–‘ବାବୁ, ଉଠନ୍ତୁ ।”

 

କ’ଣ କିଛି ଅଘଟଣ ଘଟିଗଲା କି ? ରମାକାନ୍ତ ଧୀରେ ଧୀରେ ଉଠି ବସିଲେ । ବିଷାଦ କାଳିମାରେ ମୁହଁ ତାଙ୍କର ଭାରାକ୍ରାନ୍ତ । ଚପରାଶି ‘ଚାଲିଯାଇଚି ମୁହଁ ଧୋଇବା ପାଇଁ ପାଣି ଆଣିବାକୁ–ରମାକାନ୍ତ ତାକୁ ଅପେକ୍ଷା ନ କରି ବାହାରି ପଡ଼ିଲେ ବାହାରକୁ । ଝିପି ଝିପି ବର୍ଷା । ସବୁଜ ବୃକ୍ଷଲତା ବଡ଼ ଉତ୍ସୁକ ନେତ୍ରରେ ଚାହିଁ ରହିଛନ୍ତି । ଡାକବଙ୍ଗଳା ସାମନା ରାସ୍ତାର ଗୋଡ଼ିବାଲି ନୀରବରେ ମୁଣ୍ଡପାତି ବର୍ଷାର ଅତ୍ୟାଚାର ସହିଯାଉଛି । କାଳି ଅନ୍ଧାର । ଅନତିଦୂରରେ କେତୋଟି କୁଲି ସାରା ରାତିର ପରିଶ୍ରମ ପରେ ଘୁମେଇ ପଡ଼ିଛନ୍ତି ଗଛ ତଳେ; ବର୍ଷାମାଡ଼କୁ ସେମାନଙ୍କର ଭ୍ରୂକ୍ଷେପ ନାହଁ ଯେମିତି । ଆଗକୁ ବିଖ୍ୟାତ ଦଳେଇଘାଇ ବନ୍ଧ । ଗୋଟିଏ ଶତାବ୍ଦୀର ଅମର ସ୍ମୃତି ବକ୍ଷରେ ବହନ କରି ଗର୍ବରେ ସେ ଦଣ୍ଡାୟମାନ । ବନ୍ଧ ଆରପାଖରେ ପ୍ରମତ୍ତା କାଠଯୋଡ଼ୀର ପ୍ରଚଣ୍ଡ ସୁଅ–ତାଳେ ଗମ୍ଭୀର ପାଣିରେ ଭାସି ଚାଲିଛି ସାଦା ବୁଦ୍‌ ବୁଦ୍‌, କୁଟାକାଠି, ଡାଲପତ୍ର ।

 

ସେ ବନ୍ଧ ଉପରକୁ ଉଠିଲେ । ଆରେ ସର୍ବନାଶ ! ନିଜକୁ ନିଜେ ଚିତ୍କାର କରିଉଠିଲେ ସେ । ଆଉ ତିନିଫୁଟ । ମାତ୍ର ତିନିଫୁଟ ପାଣି ବଢ଼ି ଉଠିଲେ ଚାରି ମାଇଲ ଲମ୍ବ ବନ୍ଧକୁ ଆଉ କୌଣସିମତେ ରକ୍ଷା କରି ହେବ ନାହିଁ ।

 

କାଠଯୋଡ଼ୀର ଏ କୂଳରୁ ସେ କୂଳକୁ ଆଖି ପାଉ ନାହିଁ । ଚତୁର୍ଦ୍ଦିଗ ନୀରବ ନିସ୍ତବ୍‌ଧ । ନୀରବତାକୁ କେବଳ ବେଳେବେଳେ ଭଙ୍ଗ କରୁଛି ନଦୀର ଉତ୍ତାଳ ଜଳସ୍ରୋତ ।

 

ପଛକୁ ଫେରି ଚାହିଁଲେ ସେ । ଓଡ଼ିଶାର ଶସ୍ୟଭଣ୍ଡାର ବିସ୍ତୀର୍ଣ୍ଣ ସବୁଜ ଧାନକ୍ଷେତ ଆଉ ବିଭବଶାଳା ଗାଁ ଗଣ୍ଡା । ବନ୍ଧର ଟିକିଏ ଦୂରରୁ ଭୂତପୂର୍ବ ଜମିଦାର ଅନନ୍ତ କାନୁନଗୋଙ୍କ ପ୍ରକାଣ୍ଡ କୋଠା ଏବଂ ମାଇଲିଏ ଲମ୍ବର ବଗିଚା । କାନୁନଗୋଙ୍କ ଘରେ ପଚିଶଟି ଦୁଧିଆଳୀ ଗାଈ, ବହୁ ଚାକର, ପୂଝାରୀ । ପ୍ରତିଦିନ ସକାଳ ସଂଧ୍ୟାରେ ତାଙ୍କ ଘରର ଚାରିପାଖ ହୁକାର ସୁବାସିତ ଗନ୍ଧରେ ଅମୋଦିତ ହୁଏ । ତାଙ୍କ ବାପା ଥିଲାବେଳେ ପୁନିଅ ପର୍ବରେ କଲିକତାରୁ ବାଇନାଟ ଆସୁଥିଲା । ବନାରସରୁ ବଡ଼ ବଡ଼ ଗାୟକମାନେ ଆସୁଥିଲେ । ଆମୋଦର ଏକ ସ୍ରୋତ ଛୁଟିଥିଲା ସେଠି । ଜମିଦାରୀ ଚାଲିଗଲା ପରେ ବର୍ତ୍ତମାନର ଅନନ୍ତ କାନୁନଗୋଙ୍କର ବହୁତ ବଦଭ୍ୟାସ କଟିଗଲାଣି, ତଥାପି ଖାନଦାନିର ଶେଷ ହାୱା ଟିକକ ଏବେ ବି ଲାଗିରହିଛି ସେଠାରେ । ଚିନ୍ତା ନାହିଁ, ଦକ ନାହିଁ, ବେପରୁଆ ମଣିଷ । ଶହ ଶହ ଏକର ଉର୍ବର ଜମି–କେନାଲ ପାଣି ମାଡ଼େ । କାନୁନଗୋ ସାହେବ କ୍ଷେତରୁ ତିନୋଟି ଫସଲ ଉଠାନ୍ତି । ବହୁତ ପନିପରିବା ବଗିଚାରେ ଫଳେ । ନିଜେ ସବୁ ଚାଷବାସ ଦେଖାଶୁଣା କରନ୍ତି । ପରିଶ୍ରମ କଲେ କ୍ଷେତରୁ ସୁନା ଫଳେ । ଅମାପ ପନିପରିବା ଟ୍ରକରେ ବୋଝେଇ କରି ବିକ୍ରୀ ପାଇଁ କଟକ ସହରକୁ ପଠାଇ ଦିଅନ୍ତି ଆଉ ବ୍ୟୟର ପଚିଶଗୁଣ ଲାଭ ହିସାବରେ ଉଠାଇ ନିଅନ୍ତି । କାନୁନଗୋଙ୍କ ଘରକୁ ଲାଗି ରହିଛି ମନ୍ଦର ପଧାନଙ୍କ ଘର–ମଧ୍ୟବିତ୍ତ ଶ୍ରେଣୀ ଭିତରେ ସେ ଗଣାଯାନ୍ତି, ଭାରି ହିସାବୀ ଲୋକ । ସବୁ ପ୍ରକାର ପରିବା ଅମଳ କରନ୍ତି । ସାମାନ୍ୟ କେତେ ଏକର ଜମିରୁ ସେ ତାଙ୍କର ସଂସାରଟିକୁ ଚଳେଇ ନିଅନ୍ତି । କାହାରି ପାଖରେ ଦିନେ ହେଲେ ସେ ହାତ ପତାଇ ନାହାନ୍ତି । ନିଜେ ଅଭାବ ସୃଷ୍ଟିକଲେ ସିନା ଅଭାବ ପଡ଼େ, ଯେ ନ କରିବ ତା’ର ଆଉ ଅଭାବ କ’ଣ ? ତାଙ୍କର କୁଟୁମ୍ବ ଭିତରେ ସେ ଆଉ ତାଙ୍କ କନ୍ୟା ଊର୍ମିଳା । ଊର୍ମିଳାର ମା ଦଶବର୍ଷ ହେଲା ସଂସାର ଛାଡ଼ିଛନ୍ତି । ସେଇ ଚିନ୍ତାରେ ପଧାନଙ୍କୁ ଅକାଳ ବାର୍ଦ୍ଧକ୍ୟ ମାଡ଼ିଯାଇଛି–ଯୁଆଳିଆ ନିଶ ହଳକ ଅସମ୍ଭବ ଭାବରେ ସାଦା ହେଇଆସିଛି । ସଂସାରରେ ଜନ୍ମ ମୃତ୍ୟୁ ଲାଗି ରହିଛି–ମରଣର ମଞ୍ଜି ନେଇ ମଣିଷ ଜନ୍ମ ହୁଏ–ତାକୁ ଏଡ଼ାଇବାକୁ ଶକ୍ତି କାହାର ?

 

ରମାକାନ୍ତଙ୍କର ଆଖି ଆଗରେ ନାଚି ଉଠିଲା ମନ୍ଦର ପ୍ରଧାନଙ୍କ ଏକମାତ୍ର କନ୍ୟା ଊର୍ମିଳାର ଅପାସୋରା ମୁହଁ । ଡାକବଙ୍ଗଳାର ବାଲି ଉପରେ ନାଚି ନାଚି ସମୟ କଟାଇଦିଏ– ହତା ଭିତରର କନିଅର ଗଛରୁ ଫୁଲ ତୋଳି ମାଟିର ଦିଅଁ ଗଢ଼ି ଫୁଲମାଳ ଗୁନ୍ଥି ବସେ । ଏଇପରି ଭାବରେ କିଶୋରୀ ଜୀବନ କଟେଇଚି ସେ । ଆଜି ସେ ଯୌବନ–ମଳୟ ସ୍ପର୍ଶରେ ଫୁଟି ଉଠି ମହକିତ କରୁଛି ସାରା ଅଞ୍ଚଳକୁ । ରମାକାନ୍ତ ବହୁତ ଥର ତାକୁ ଲକ୍ଷ୍ୟ କରିଛି–ଊର୍ମିଳାର ସଲଜ୍ଜ ବ୍ୟବହାର ବେଶ୍‍ ଭଲ ଲାଗେ । କଥାଭାଷା ବି ହେଇଚି ଦି ଚାରିଥର । ଭଲ ଲାଗେ ତା’ର ମାର୍ଜିତ କଥାଭାଷା । ପାଖ ହାଇସ୍କୁଲରେ ପଢ଼ୁଛି ସେ । ମନ୍ଦର ପଧାନଙ୍କ ଏକମାତ୍ର ସନ୍ତାନ । ତାକୁ ସେ ସୁଖୀ କରାଇବେ । ଉଚ୍ଚଶିକ୍ଷିତ ଜୋଇଁଟିଏ ଦେଖି ଦେବେ । ସେଥିପାଇଁ ଗତ କେତେ ବର୍ଷ ଧରି ପ୍ରସ୍ତୁତ ହେଉଥିବା କଥା ମନ୍ଦର ପ୍ରଧାନ କଥା ପ୍ରସଙ୍ଗରେ କେତେ ଥର କହିଛନ୍ତି ରମାକାନ୍ତକୁ ।

 

ରମାକାନ୍ତ ବେଳେବେଳେ ଭାବେ, କେଡ଼େ ସରଳ ମନ ନେଇ ଗାଁଗହଳିରେ ଗଢ଼ି ଉଠେ କଅଁଳ କିଶୋରୀ । ଛନ୍ଦ, କପଟ ଛୁଇଁ ନ ଥାଏ ତାକୁ ଆଉ ସେ ତୁଳନା କରନ୍ତି ତାଙ୍କ ଛାତ୍ରଜୀବନରେ କଲିକତାର ସ୍ମୃତି । ଯାଦବପୁର ଇଞ୍ଜିନିୟରିଂ କଲେଜରେ ଛାତ୍ର ଥିଲେ ସେ । ବାଲିଗଞ୍ଜ ଲେକ୍‌, ଶିବପୁର ବଗିଚା, ଦକ୍ଷିଣେଶ୍ଵର ମନ୍ଦିର ବେଢ଼ାରେ ସେ ଦେଖିଛନ୍ତି ଯୁବକ–ଯୁବତୀର ଅସଭ୍ୟ ବ୍ୟବହାର, ନକଲି ମମତାର ମୋହ ଲଗେଇ ମଣିଶକୁ ବଶ କରନ୍ତି ବହୁ ଆଧୁନିକା ବାଳିକା । ତାରି ନାଁ ପରା ପ୍ରଗତି । ସେଇ ପ୍ରଗତିଠାରୁ ଶହ ଶହ ମାଇଲ ଦୂରରେ ରହି ଗାଆ ର କିଶୋରୀ ମୁହଁ ରେ ଫୁଟାଏ ଅକପଟ ହସ ।

 

ଊର୍ମିଲା ଆଜି ଶୋଇଥିବ–ମନ ଭିତରେ ତା’ର ନାଚି ଉଠୁଥିବ କେଉଁ ଅଜଣା ଅଶୁଣା ପ୍ରବାଳ ଦ୍ଵୀପର ରାଜକୁମାର କଥା–ପିଲାଦିନେ ବୁଢ଼ୀ ମା’ ମୁହଁ ରୁ ଶୁଣିଥିବ ସେ ନିଶ୍ଚୟ କେତେ ରଜାପୁଅ ଆଉ ରଜାଝିଅର ଗୋପନ ପ୍ରେମ କାହାଣୀ–କାଉଁରୀ ଦେଶର ରୂପକଥା । ସ୍ଵପ୍ନିଳ ଅନ୍ତରରେ ଜଳି ଉଠୁଥିବ କେଉଁ ଏକ ଭାଗ୍ୟବାନ୍‌ ପାଇଁ ସ୍ଵର୍ଣ୍ଣପ୍ରଦୀପ । ଲାଲ ହେଇଆସିଲା ରମାକାନ୍ତର ମୁହଁ ।

 

କାଠଯୋଡ଼ୀ ପାଣି ହୁ ହୁ ବଢ଼ିଚାଲିଛି । କଇଜଙ୍ଗା ଗା ଉପରର ଆକାଶ ପରିଷ୍କାର ହୋଇ ଆସିଲାଣି । ମେଘ ଆଉ ହେବ ନାହିଁ ବୋଧହୁଏ । ହେ ଭଗବାନ, ସେଇଆ ହିଁ କର ।

 

ସାରା ଓଡ଼ିଶାରେ ଗଲା ଦୁଇବର୍ଷ ଧରି ବ୍ୟାପକ ବୃଷ୍ଟିହୀନତା–ମରୁଡ଼ିର କରାଳ ଛାୟା-। ଲୋକଙ୍କ ଘରେ ଖାଇବାକୁ ଦାନା ନାହିଁ–ହାହାକାର ରବରେ ଆକାଶର ଛାତି ଫାଟି ପଡ଼ି ଥିବାର ଦୃଶ୍ୟ ରମାକାନ୍ତ ନିଜେ ଦେଖିଛନ୍ତି । ୧୯୫୫ ମସିହା ଅଗଷ୍ଟ ମାସ ଏକତିରିଶ ତାରିଖ ସୁଦ୍ଧା ମରୁଡ଼ିର ଆସନ୍ନ ଭୀମ ରୂପରେ ସାରା ଓଡ଼ିଶା ଆତଙ୍କିତ । ଆଜି ପୁଣି ୧୯୫୫ ମସିହାର ସେପ୍ଟେମ୍ବର ମାସ ଛ’ ତାରିଖ । ମାତ୍ର ଛ’ଟି ଦିନର ବ୍ୟବଧାନ । ରମାକାନ୍ତ ଦୁଇ ହାତ ତୋଳି–ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣେଇ କାତର ପ୍ରାର୍ଥନା କଲେ–‘ହେ ଭଗବାନ, ଆଉ ବର୍ଷା ନ ହେଉ ।’’

 

ପ୍ରଭାତର ନରମ କାକଳିରେ ଚାରିଦିଗ ସଂଗୀତମୁଖର ହୋଇଉଠୁଛି । କଇଜଙ୍ଗା ଗାଁର ଘରଛପର ଉପରେ କୁଆମାନେ ମେଳି ବାନ୍ଧିଲେଣି । ଦୂରରେ ଅସ୍ପଷ୍ଟ ଦିଶୁଚି ଗୋଟିଏ ମଣିଷର ମୂର୍ତ୍ତି । ରମାକାନ୍ତ କାଠଯୋଡ଼ୀର ବିଶାଳ ବକ୍ଷ ଉପରେ ପୁଣି ଥରେ ଦୃଷ୍ଟି ପକେଇ ତଳକୁ ଓହ୍ଲାଇ ଆସିଲେ । କୁଲିମାନେ ନିଦରୁ ଉଠି ପଡ଼ିଲେଣି । ମାଟି ପକେଇ ବନ୍ଧମୂଳକୁ ଆଉରି ଶକ୍ତ କରିବାକୁ ସେ ସେମାନଙ୍କୁ ନିର୍ଦ୍ଦେଶ ଦେଲେ । ଲକ୍ଷ ଲକ୍ଷ ଲୋକଙ୍କ ଧନଜୀବନ ନିର୍ଭର କରୁଛି ଏଇ ବନ୍ଧ ଉପରେ–ପ୍ରାଣ ଦେଇ କାମ କରିବାକୁ ହେବ ।

 

ଦୂରରୁ ଅସ୍ପଷ୍ଟ ଦିଶୁଥିବା ମଣିଷ ମୂର୍ତ୍ତିଟି କ୍ରମେ ପାଖେଇ ଆସିଲା । ଶ୍ୟାମ ନାହାକ, ଆସୁଛି ସେ ତା’ ଭାଇ ଦାମୋଦର ପାଖକୁ । ଦାମୋଦର ବନ୍ଧ ତଳେ ମାଟି ପକେଇବା କାମରେ ବ୍ୟସ୍ତ । ଘରେ ତା’ର ତେଣେ ଅଚଳ ଅବସ୍ଥା । ଗର୍ଭବତୀ ସ୍ତ୍ରୀର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଛି । ଛଟପଟ ହୋଇ ଚିତ୍କାର ଛାଡ଼ୁଛି ସେ । ଶ୍ୟାମ ନାହାକ ଆସିଛି ତା ଭାଇକି ଡାକି ନବ । ବିଭାଘର ହେବା ଆଠବର୍ଷ ବିତି ଯାଇଥିଲେ ମଧ୍ୟ ଦାମର କିଛି ସନ୍ତାନ ସନ୍ତତି ହୋଇ ନାହିଁ । ସେ ବ୍ୟାକୁଳ ହୋଇ ରମାକାନ୍ତଙ୍କ ପାଖରେ ସବୁ କଥା ଜଣେଇଲା–ବ୍ୟଥିତ ରମାକାନ୍ତଙ୍କ ଅନ୍ତର ଆଉରି ବ୍ୟଥିତ ହୋଇଉଠିଲା । ମଣିଷଜୀବନରେ ସତେ କି ଦୁର୍ଯ୍ୟୋଗ ଆସିଛି । ସେ କହିଲେ–“ଯାଅ, ତମ ଘରେ ଯେତେବେଳେ ଏମିତିକା ଅବସ୍ଥା, ମୁଁ ତମକୁ ଅଟକେଇବି କେମିତି ।”

 

ଦାମ ଚାଲିଗଲା । କୁଲିମାନେ ଯେ ଯାହାର କାମରେ ପୂର୍ବପରି ଲାଗି ରହିଲେ । ରମାକାନ୍ତ ଫେରିଆସିଲେ ଡାକ ବଙ୍ଗଳାକୁ ।

 

ଚପରାସୀ ଚା’ ତିଆରି କରି ରଖିଛି । ମୁହଁ ଧୋଇ ସେ ଚା’ ଖାଇନେଲେ । ତା’ପରେ କଟକକୁ ପଠାଇଲେ ବେତାରବାର୍ତ୍ତା–‘ଦଳେଇଘାଇ ଉପରେ ମହାବିପଦ ଘନେଇ ଆସୁଛି, ତୁରନ୍ତ ସରକାରୀ ସାହାଯ୍ୟ ଦରକାର ।’

 

ମନ ଭିତରେ ତାଙ୍କର ଆନ୍ଦୋଳନ । ଛତା ଖଣ୍ଡିଏ ଧରି ପୁଣି ସେ ବାହାରିଗଲେ ନଈବନ୍ଧ ପାଖକୁ । ଅଳ୍ପ ଦୂରରେ ସରକାରୀ ମଟରଲଞ୍ଚ ଲଙ୍ଗ ର ପକେଇଥିଲା–ନଈଜଳ ଆଉରି ଭୀମ ରୂପ ଧାରଣ କରିଛି । ବନ୍ଧର ଛାତି ଉପରେ ପ୍ରଚଣ୍ଡ ସ୍ରୋତ ଆଘାତ କରୁଛି ବାରବାର । ମାଟିବନ୍ଧ ନ ହୋଇ ଯଦି ବିନ୍ଧ୍ୟ ପର୍ବତ ଠିଆ ହୋଇଥାନ୍ତା, ସେ ବି ହୁଏତ ଟଳି ପଡ଼ନ୍ତା, କିନ୍ତୁ ଦେଳେଇଘାଇ ସମ୍ଭବତଃ ବିନ୍ଧ୍ୟଠୁ ଆଉରି ଶକ୍ତ; ଲକ୍ଷ ଲକ୍ଷ ମଣିଷର ଜୀବନ, ଗୋରୁଗାଈମାନଙ୍କର ଏକମାତ୍ର ଭରସା ଏଇ ବନ୍ଧ ।

 

ସେ ବାଇନାକୁଲାରଟା ଆଖିରେ ଦେଇ ଆହୁରି ଦୂରକୁ ଚାହିଁଲେ । ଦେହ ତାଙ୍କର ଥରି ଉଠିଲା । ସରକାରୀ ମଟରଲଞ୍ଚକୁ ପାଖକୁ ଆଣିବାକୁ ନିର୍ଦ୍ଦେଶ ଦେଲେ । ସେ ଯେଉଁ ଜାଗାରେ ଠିଆ ହୋଇଥିଲେ ତା’ଠୁ, ଶହେହାତ ଦୂରରେ ବନ୍ଧ ଦୁର୍ବଳ ହୋଇ ପଡ଼ିଲାଣି । ଦେହରେ ତାଙ୍କର ଜୀବନ ନାଇଁ । ମଟରଲଞ୍ଚରେ ବସିପଡ଼ି ସେ ଆଗେଇଲେ ଆଉ ଟିକିଏ । ମନେ ହେଲା ତାଙ୍କର ସତେ ଯେମିତି ବନ୍ଧ ଆଉ ରହିବ ନାହିଁ ।

 

ହଠାତ୍ ଶୁଭିଲା ପ୍ରଳୟକାଳରେ ଯେମିତି ଶୁଭେ ଘୂ ଘୂ ଗର୍ଜନ । ଆଖି ବନ୍ଦ ହୋଇଗଲା ତାଙ୍କର–ଦେହ ଅବଶ ହୋଇଆସିଲା–ବଜ୍ରାଘାତରେ ଯେମିତି ଅସ୍ତିତ୍ଵ ତାଙ୍କର ଲୋପ ହୋଇଗଲା-। ଅସ୍ଥିର ଲଞ୍ଚ ଉପରେ ଥାଇ ସେ ଚିତ୍କାର କରି ଉଠିଲେ–“ଗଲା ଗଲା, ପଳାଇଯାଅ, କିଏ କେଉଁଠି ଅଛ ପଳାଇଯାଅ ।’’ କାଠଯୋଡ଼ୀର ପ୍ରଚଣ୍ଡ କଳ–କଲ୍ଲୋଳ ଭିତରେ କ୍ଷୀଣ ଚିତ୍କାର ତାଙ୍କର ମିଳେଇଗଲା ।

 

ପ୍ରକୃତିର ନିର୍ମମ ଉପହାସ । କାଠଯୋଡ଼ୀ ତା’ ଗର୍ଭର ରସଦେଇ ଯେଉଁ ଅଞ୍ଚଳକୁ ଚିରଦିନ ଶସ୍ୟଶାମଳା କରିଥିଲା, ଆଜି ସେହି ଅଞ୍ଚଳକୁ ଧ୍ଵଂସ କରିବା ପାଇଁ ସେ ରୁଦ୍ରରୂପ ଧାରଣ କରିଛି । ପ୍ରଚଣ୍ଡ ସ୍ରୋତର କଠୋର ଆଘାତରେ ଦଳେଇଘାଇ ଭାଙ୍ଗି ପଡ଼ିଲା । ଚାହୁଁ ଚାହୁଁ ଆଖି ପିଛୁଡ଼ାକେ ଶହ ଶହ ଗ୍ରାମକୁ ଅତଳ ଜଳ ଭିତରେ ସମାଧି ଦେଇ ପ୍ରବଳ ବନ୍ୟାସ୍ରୋତ ମାଡ଼ିଚାଲିଲା ଆଗକୁ ।

 

ହଜାର ହଜାର ବର୍ଗମାଇଲ ପରିବ୍ୟାପ୍ତ ଅଞ୍ଚଳ ଜଳାବର୍ଣ୍ଣ ହେଲା–ତାଳେ ଗଭୀର ପାଣି ତଳେ ଅସଂଖ୍ୟ ଗ୍ରାମ ନିଶ୍ଚିହ୍ନ ହୋଇଗଲା । ପ୍ରଖର ଜଳର ନିର୍ମମ ସ୍ରୋତରେ କେତେ ମଣିଷ, ପଶୁପକ୍ଷୀ ଅସହାୟ ଭାବରେ ଭାସିଗଲେ ସମୁଦ୍ର ଭିତରକୁ । ହଜାର ହଜାର ଲୋକ ଗଛ ଉପରେ ଚଢ଼ି, ଛାତ, ଛପର ଉପରେ ରହି ସେମାନଙ୍କର ବ୍ୟାକୁଳ ଚିତ୍କାରରେ ଦ୍ୟାବାପୃଥିବୀର ବକ୍ଷ ବିଦୀର୍ଣ୍ଣ କଲେ ।

 

ଯେଉଁଆଡ଼େ ଚାହିଁଲେ ସେଆଡ଼େ ଜଳ । ରମାକାନ୍ତ ସ୍ତବ୍‌ଧ, ସ୍ତମ୍ଭିତ । ଆଖି ସାମନାରେ ଏତେବଡ଼ ଶକ୍ତ ବନ୍ଧ ତାସର ସେତୁ ପର ଭୁଷୁଡ଼ି ପଡିଛି ।

 

ଜୀବନ ରକ୍ଷା ପାଇଁ ବାପ ପୁଅକୁ ଛାଡ଼ି, ପୁଅ ମା’କୁ ଛାଡ଼ି, ସ୍ତ୍ରୀ ସ୍ଵାମୀକୁ ଛାଡ଼ି କିଏ କେଉଁଆଡ଼େ ପଳାଇ ଯାଇଛି–ଯାଉଁ ଯାଉଁ ଜଳସ୍ରୋତ ମାଡ଼ିଯାଇ କାହାରି କାହାରି ସତ୍ତ୍ଵା ଲୋପ କରିଦେଉଛି । ବହୁତ ବୃଦ୍ଧ, ଶିଶୁ, ସ୍ତ୍ରୀ ଆସି ନ ପାରି ଢାପୁ ଜାଗାମାନଙ୍କରେ ଆଶ୍ରୟ ନେଉଛନ୍ତି ।

 

କଇଜଙ୍ଗା ଗାଁ । ପାଖରେ ଥିବା ବରଡ଼ା, ମଧ୍ୟଶାସନ, ଉତ୍ତର ଶାସନ, ଅଥଙ୍ଗା, ରାଣୀପଡ଼ା, ଅଲାଣ୍ଡ, ମାଣିତିରି ପ୍ରଭୃତି ଗାଁଗୁଡ଼ିକ ଧ୍ୱଂସମୁଖରେ ପଡ଼ିଛନ୍ତି । ନଦୀସ୍ରୋତରେ ପ୍ରବଳ ଘୂର୍ଣ୍ଣିବାୟୁ ସୃଷ୍ଟି ହେଉଛି । ମଟରଲଞ୍ଚ ବେଳେବେଳେ ମହାବିପଦର ସମ୍ମୁଖୀନ ହେଉଛି ।

 

ବେତାର ଯୋଗେ ଖବର ଆସିଛି କଟକକୁ । ଦଳେଇଘାଇ ବନ୍ଧ ଭାଙ୍ଗି ଯିବା ପରେ ଓଡ଼ିଶାର ଶେଷ ଆଶା ନିର୍ବାପିତ ହେଲା । ଗୋବିନ୍ଦପୁର, ଜଗତସିଂହପୁର, ବାଲିକୁଦା, ତିର୍ତ୍ତୋଲ ଆଦି ଥାନାଗୁଡ଼ିକ ବନ୍ୟାର ଅତଳ ଗର୍ଭରେ ଭାସମାନ । ଚାରିଆଡ଼େ ହୃଦୟବିଦାରକ ଦୃଶ୍ୟ, ମର୍ମଫଟା ଚିତ୍‌କାର । ଅନନ୍ତ କାନୁନଗୋଙ୍କ ଘର, ମନ୍ଦର ପ୍ରଧାନଙ୍କ ଘର କେଉଁଠାରେ ଥିଲା କିଛି ଠିକ୍‌ କରି ହେଉ ନାହିଁ । ରମାକାନ୍ତ ମଟର ଲଞ୍ଚରୁ ଦେଖିଲେ କିଛି ଦୂରରେ ଗୋଟାଏ ଖୁବ୍‌ ଉଚ୍ଚ ତେନ୍ତୁଳିଗଛ ଉପରେ ଛିଡ଼ାହୋଇ କେତେଜଣ ସ୍ତ୍ରୀ ପୂରୁଷ ଉଦ୍ଧାର ପାଇଁ–ଚିତ୍‌କାର କରୁଛନ୍ତି ଜୀବନର ଶେଷ ଆଶା ଟିକକ ତାଙ୍କର ଏକବାରରେ ବିଲୁପ୍ତ ହୋଇଯାଇଛି ।

 

ଲଞ୍ଚ ନେଇ ସେ ପାଖକୁ ଗଲେ । କେତୋଟି ଅସହାୟ ନରନାରୀ, ସେମାନେ ଗଛ ଉପରୁ ଓହ୍ଲାଇଲେ । ସେମାନଙ୍କୁ ଛାତିରେ ଧରି ଲଞ୍ଚ ଚାଲିଲା–ବାଟେ ବାଟେ ମଣିଷର ଚିତ୍କାର, ଆତୁର ପ୍ରତୀକ୍ଷା । ଟିକିଏ ଆଗକୁ ଯାଇ ରମାକାନ୍ତ ଶୁଣିପାରିଲେ ସ୍ତ୍ରୀକଣ୍ଠର ଶବ୍ଦ । ଗୋଟିଏ ବିରାଟ ଅଶ୍ଵତ୍‌ଥ ଗଛ, ତା’ର ଉପରେ ଠିଆ ହୋଇ ସାହାଯ୍ୟ ପାଇଁ ହୁରି ଛାଡ଼ୁଛନ୍ତି ଊର୍ମିଳା ଓ ତାର ବାପ ମନ୍ଦର ପ୍ରଧାନ । ଉଜ୍ଜ୍ଵଳ ହେଇଉଠିଲା ରମାକାନ୍ତଙ୍କର ଆଖି । ଊର୍ମିଲା ବଞ୍ଚିଯାଇଛି ।

 

ଅସହାୟ କେତେ ଜଣଙ୍କୁ ଲଞ୍ଚରେ ବୋଝେଇ କରି କେନାଲ ବନ୍ଧ ଉପରେ ଛାଡ଼ି ଦିଆଗଲା–ଉଚ୍ଚ ଜାଗା, ପାଣିରେ ନ ବୁଡ଼ି ରହିଛି, ତାରି ଉପରେ ହଜାର ହଜାର ନରନାରୀ ଆଶ୍ରୟ ନେଇଛନ୍ତି । ଲଞ୍ଚ ପୁଣି ଫେରିଆସିଲା–ଦିଗନ୍ତବିସ୍ତାର ଜଳରାଶି ମଧ୍ୟରେ ସେ ପଥହରା । ଲକ୍ଷ ଲକ୍ଷ ଲୋକ ଯେଉଁଠି ବିପଦଗ୍ରସ୍ତ ସାମାନ୍ୟ ଗୋଟିଏ ଲଞ୍ଚ ସେଠି କ’ଣ କରିବ । ସ୍ଵର୍ଗ ବ୍ରହ୍ମପୁର, ସାଦେଇପୁର, ବଣିକୁଣ୍ଡ, ଅଏର, ମଯୁରାଇ, ଶେଣସାହୀ, ଖଜୁରିଆ, ପଳାଶୋଳ, କଳାଧାରୀ, ମୁଗୁଅଣ୍ଟା, ବସନ୍ତା, କୋଟକଣା, ଚିକିଣିଆ, ଶିବପୁର, ଶଙ୍କରପୁର, ଅଢ଼ଙ୍ଗ, ଚାନ୍ଦପୁର, ରେଢ଼ୁଆ, ବସନ୍ତପୁର, ନୂଆଗଡ଼, ଅଢ଼େଇକଣା ଓ ଆହୁରି ଢେର୍‌ ଢେର୍ ଗାଁ ଜଳମଗ୍ନ । ହତାଶ ରମାକାନ୍ତ ଜୀବନକୁ ପାଣି ଛଡ଼େଇ ସାହାଯ୍ୟ କାମରେ ଲାଗି ପଡ଼ିଛନ୍ତି । ଖବର ଯାଇଛି କଟକ । ସରକାରୀ, ବେସରକାରୀ ସାହାଯ୍ୟ ହୁଏତ ଶୀଘ୍ର ପହଞ୍ଚିବ ।

 

ଦିନ ବାରଟା । ମନେ ପଡ଼ିଲା ତାଙ୍କର ବିଚରା ଚପରାସୀଟିର କଥା । ଘର ତା’ର ଖୋର୍ଦ୍ଧା ଅଞ୍ଚଳରେ । ବୟସ ବେଶୀ ନୁହେଁ, ସତେଇଶି ଅଠେଇଶି ଭିତରେ । ଛ’ମାସ ହେଲା ବାହା ହେଇଛି, ସରକାରୀ ଚାକିରି କରି କର୍ତ୍ତବ୍ୟର ଅନୁରୋଧରେ ସେ ଆସିଥିଲା ତାଙ୍କ ସହିତ । ଚାରିଆଡ଼କୁ ଚାହିଁଲେ ସେ–କିଛି ବାରି ହୁଏ ନାହିଁ । କେଉଁଠି ଥିଲା ସରକାରୀ ଡାକ ବଙ୍ଗଳା ଆଉ ତା’ର ପୁଷ୍ପିତ ରଙ୍ଗୀନ ବେଢ଼ା ? ଊର୍ମିଳା କିନ୍ତୁ ରକ୍ଷା ପାଇଯାଇଛି । ପରିଚୟ ହବାର ପ୍ରଥମ ସ୍ଥାନ ଆଜି ନିଶ୍ଚିହ୍ନ । ରମାକାନ୍ତ ପୂର୍ବରୁ ଅନେକଥର ଆସିଥିଲେ କଇଜଙ୍ଗା – ନଦୀକୂଳର ମନୋରମ ବଙ୍ଗଳା, ପ୍ରଜାପତି ଗୁଣ୍ଡୁଚିମୂଷା ଖେଳ, ସେ ନିଜେ ଦେଖିଛନ୍ତି; ବାଲିଧୂସରିତ ଦେହକୁ ଗୁଣ୍ଡୁଚିମୂଷା ଦଳେଇଘାଇ ବନ୍ଧ ଉପରେ ଝାଡ଼ିଦିଏ । ସୂର୍ଯ୍ୟ ପଶ୍ଚିମ ଦିଗରେ ବୁଡ଼ିଗଲେ ବନ୍ଧ ଉପରୁ ମାଡ଼ିଆସେ ପ୍ରଥମ ଅନ୍ଧାର ରାତିର ସଙ୍କେତ ।

 

‘‘ଓଃ, ମରିଗଲି, ମରିଗଲି’’–ବିକଟ ଚିତ୍କାର । କେଉଁ ଏକ ଗ୍ରାମ ଭିତରେ ଥିଲା ପୁରାତନ ମହାଦେବ ମନ୍ଦିର, ସମଗ୍ର ମନ୍ଦିରଟି ଜଳ ଭିତରେ ଡୁବି ଯାଇଛି । ଖାଲି ଚୂଳି ପାଖକୁ ପାଞ୍ଚ ହାତ ଫୁଟି ବାହାରିଛି ଉପରକୁ । ଚୂଳି ଚାରି ପାଖେ ପଚାଶ ସରିକି ଲୋକ ଠିଆ ହେଇ ପାଟି କରୁଛନ୍ତି । ଆତ୍ମୀୟସ୍ଵଜନମାନଙ୍କୁ ପାଣି ସୁଅରେ ହରାଇ ସେମାନେ ମର୍ମନ୍ତୁଦ ଯନ୍ତ୍ରଣାରେ ଛଟପଟ । ରାମାକାନ୍ତ ଲଞ୍ଚ ନେଇ ଚାଲିଲେ ।

 

ଦୁର୍ବିପାକ–ଭଙ୍ଗାଘାଇର ସିଧା ସ୍ଥାନଗୁଡ଼ିକରେ ନଈର ସ୍ରୋତ ଏତେ ପ୍ରବଳ ହେଲାଣି ଯେ, ଲଞ୍ଚ ଆଉ ଆଗକୁ ଯାଇପାରିଲା ନାହିଁ । ପାଣି ତଳର ଅସମ୍ଭବ ଘୂର୍ଣ୍ଣିରେ ହୁଏତ ସେ ବୁଡ଼ିଯିବ-। ରମାକାନ୍ତ ପଛକୁ ଫେରିଗଲେ–ଅସହାୟ ଲୋକଗୁଡ଼ିଙ୍କୁ ଉଦ୍ଧାର କରିବାର କୌଣସି ବୁଦ୍ଧି ତାଙ୍କୁ ଦିଶିଲା ନାଇଁ–ସେ ବାଇନାକୁଲାରଟା ଧରି ମନ୍ଦିରଚୂଳକୁ ଭଲକରି ନିରୀକ୍ଷଣ କଲେ । ହଠାତ୍ ଗୋଟାଏ କ୍ରନ୍ଦନରୋଳ ଭାସିଆସିଲା ସେହିଆଡ଼ୁ । ବିପଦ ପରେ ବିପଦ । ନିରାଶ୍ରୟମାନଙ୍କର ଆଶ୍ରୟସ୍ଥଳ ମନ୍ଦିର ଉପରକୁ ଏକ ସଙ୍ଗରେ ଉଠୁଛନ୍ତି ପଞ୍ଝାଏ ବିଷଧର ସର୍ପ । ଭୟରେ ଦୁଇ ଚାରିଜଣ ପିଲା ତାଳେ ଗଭୀର ପାଣିରେ ଖସି ପଡ଼ିଲେ–କି ଭୟଙ୍କର ମୂର୍ତ୍ତି ସେ ସାପଗୁଡ଼ାଙ୍କର–ରମାକାନ୍ତଙ୍କର ଲୋମ ଟାଙ୍କୁରି ଉଠିଲା–ସମଗ୍ର ଶରୀରରେ ଖେଳିଗଲା ଆତଙ୍କମିଶା ଶିହରଣ-। କେତେଗୁଡ଼ିଏ ଲୋକଙ୍କୁ ସାପମାନେ ଦଂଶନ କରି ବ୍ୟତିବ୍ୟସ୍ତ କରି ପକାଉଛନ୍ତି–ପରିଣାମରେ ଅଜ୍ଞାନ ମଣିଷ ଟଳି ପଡ଼ୁଚି ସୁଅ ମୁହଁରେ–ମାତ୍ର ଦଶମିନିଟ ବ୍ୟବଧାନ–ମନ୍ଦିରଚୂଳ ଫାଙ୍କା ହେଇଗଲା, ସାପମାନେ ମଣିଷ ଦଳକୁ ଅପସାରଣ କରି ନିଜପାଇଁ ସ୍ଥାନ ପ୍ରସ୍ତୁତ କରିନେଲେ-। ସେଠିକି ଯିବାକୁ ଲଞ୍ଚର ଆଉ ଆବଶ୍ୟକତା ନାହିଁ । ଇଞ୍ଜିନିୟର ରମାକାନ୍ତଙ୍କର ବୃଦ୍ଧିଶକ୍ତି ଲୋପ ପାଇଗଲା ।

 

ଲକ୍ଷ ଲକ୍ଷ ଲୋକ ନିଷ୍କ୍ରିୟ । କଟକକୁ ବେତାରବାର୍ତ୍ତା ଘନ ଘନ ପଠାଇ ମଧ୍ୟ ଫଳ କିଛି ହେଉ ନାହିଁ । କିପରି କାହାକୁ ସେ ରକ୍ଷା କରିବେ ?

 

ଅସରାଏ ବର୍ଷା ହେଇଗଲା । ଗଛ ଉପରେ, ଉଚ୍ଚା ଜାଗା, କେନାଲ ବନ୍ଧ ଉପରେ ପଡ଼ିଥିବା ଲୋକେ ଭିଜିଗଲେ । ଦ୍ଵିତୀୟ ପରିଧାନ କାହାରି ପାଖରେ ନାହିଁ । ଥରିଲା ଦେହ, ଅଧାମଲା ପ୍ରାଣ ନେଇ ଯେ ଯେଉଁଠି ରହିଥିଲେ ରହିଲେ ।

 

ମନ୍ଦର ପଧାନଙ୍କର ସର୍ବାଙ୍ଗରେ କମ୍ପ, ଦାନ୍ତରେ ଦାନ୍ତ ବାଜୁଛି । ଆକାଶକୁ ପୁଣି ଥରେ ଚାହିଁ ସେ ଚମକି ପଡ଼ିଲେ । ଫେରି ଆସିଛି ମେଘ । କେନାଲ ଆଡ଼ର ବର–ଅଶ୍ଵତ୍‌ଥ–ତେନ୍ତୁଳିଗଛ କାହାକୁ ରକ୍ଷା କରିବ ?

 

ଊର୍ମିଳାର ଆଖି ଫୁଲିଯାଇଛି–ତଣ୍ଟି ବସିଯାଇଛି । ଯୁବତୀ ଝିଅ ସେ । ଶକ୍ତି ପାଉ ନାହଁ ତା’ର ଉଠିବାକୁ ।

 

ମନ୍ଦର ପ୍ରଧାନ ଧୀର କଣ୍ଠରେ ପଚାରିଲେ–“ଉମି, ହରେନ୍ଦ୍ର ଖବର କିଛି ଜାଣୁନା ?”

 

ହରେନ୍ଦ୍ର ?

 

ଊର୍ମିଳାର ପ୍ରାଣରେ ଜୀବନ–ସଞ୍ଚାର ହୋଇ ନିମିଷକ ମଧ୍ୟରେ ପୁଣି ତାହା ଯେମିତି ଲିଭିଗଲା । ସେଇ ସ୍ମୃତି ତାକୁ କରିଦେଇଗଲା ଆଉରି ଅବଶ, ଆଉରି ନିଶ୍ଚେଷ୍ଟ । ଛିଣ୍ଡି ଯାଇଥିବା ଅତୀତକୁ କେଉଁ ଏକ ସୁନେଲୀ ସୂତାରେ ଗୁନ୍ଥିବାକୁ ସେ ଚେଷ୍ଟା କଲା । କିନ୍ତୁ କାହିଁ ? ସବୁ ତ ବ୍ୟର୍ଥ ହେଇଯାଉଛି ।

 

ମନ୍ଦର ପଧାନ ଆଖିରୁ ଲୁହ ପୋଛିଲେ–“ହରେନ୍ଦ୍ରର ବାପ ନିତ୍ୟାନନ୍ଦ ମୋର ପିଲାଦିନର ସାଙ୍ଗ । ସାଙ୍ଗରେ ପଢ଼ିଛୁ, ଖେଳିଛୁ, ନାଚିଛୁ । ନିତ୍ୟାନନ୍ଦ ମଲାବେଳକୁ ହରେନ୍ଦ୍ର ନଅ ଦଶବର୍ଷର ପିଲାଟିଏ ହୋଇଥାଏ–ତା’ ବାପ ତାକୁ ମୋ’ରି ତତ୍ତ୍ଵାବଧାନରେ ଛାଡ଼ି ଆଖି ବୁଜିଥିଲା । କ’ଣ ହେଲା ତା’ର ?”

 

ଦୀର୍ଘ ନିଶ୍ଵାସ ସେ ଗଭୀର ଦୁଃଖର ।

 

ହରେନ୍ଦ୍ର ଊର୍ମିଳାର ପିଲାଦିନର ସଙ୍ଗୀ । ଗାଁ ଠାକୁରାଣୀ ପୀଠ ପାଖରେ ତାଙ୍କ ଘର ।

 

ଊର୍ମିଳା ଚାହିଁଲା ଚାରିଆଡ଼କୁ । ସାମନାରେ କାଠଯୋଡ଼ୀ, ସଂହାର ଲୀଳାରେ ଉନ୍ମତ୍ତ ହେଇଉଠିଚି ସେ । ସ୍ଥଳଭାଗ ଉପରେ ଏତେ ଜଳ କେହି କେବେ ଦେଖି ନ ଥିବେ ।

 

ହତଭାଗିନୀ ଓଡ଼ିଶା । ସବୁ ସମୟରେ ଅବହେଳିତ ହୋଇ ଯାହା ବା କିଛି ପ୍ରଗତିମୂଳକ କାମରେ ଅଗ୍ରସର ହେଉଥିଲା, ସମସ୍ତେ ଭାବୁଥିଲେ ଓଡ଼ିଶାର ଭାଗ୍ୟ ଉଜ୍ଜ୍ୱଳ, କିନ୍ତୁ କ୍ରୂଦ୍ଧ ପ୍ରକୃତି ହୁଏତ ଏହା ସହିପାରିଲା ନାହିଁ ।

 

ଅଦୂରରେ ଥରି ଉଠୁଥିଲା । ମନ୍ଦିର ଲଞ୍ଚ–ପାଣି ଚାପରେ ଅସ୍ଥିର । ତା’ରି ଭିତରେ ଠିଆହେଇ ରମାକାନ୍ତ ଦେଖୁଥିଲେ ଭବିଷ୍ୟତକୁ । ତାଙ୍କୁ ଜଣା ପଡ଼ୁଥିଲା ସବୁ ଯେମିତି ଅନ୍ଧକାର ଆଉ ଯନ୍ତ୍ରଣାମୟ । ତାଙ୍କର ଦୁଇ ଆଖିରୁ ଅଶ୍ରୁର ଝରଣା ଝରି ଅନନ୍ତ ଜଳରାଶି ସହିତ ମିଶିଗଲା ।

 

କ୍ଷୁଧାରେ ଅସ୍ଥିର ଦେହ ଓ ମନ ଅବଶ; ପ୍ରାଣ ନାହିଁ, ଶକ୍ତି ନାହିଁ, ସାମର୍ଥ୍ୟ ନାହଁ ଆଉ ତାଙ୍କର । ଧୀରେ ଧୀରେ ସେ ଫେରିଆସିଲେ କେନାଲ ବନ୍ଧ ଆଡ଼କୁ ।

 

–ଦୁଇ–

 

ଦଳେଇ ଘାଇ ଭାଙ୍ଗିବା ଖବର ଚାରିଆଡ଼େ ବିଜୁଳି ବେଗରେ ପ୍ରଚାରିତ ହୋଇଗଲା । ଏହି ଖବର ଶୁଣିବାମାତ୍ରେ ଲୋକେ ଏଡ଼େ ଆତଙ୍କିତ ହୋଇଗଲେ ଯେ, ଯେ ଯେଉଁଠି ଥିଲେ, ସେ ସେଇଠି ସ୍ତମ୍ଭିତ ହୋଇ ରହିଗଲେ । ସଙ୍ଗେ ସଙ୍ଗେ ଷୋଳ ମାଇଲ ଦୂରରେ ଥିବା କଟକ ନଗରର ଗଳିକନ୍ଦିରେ ବିଷାଦ କାଳିମାର ଛାୟା ଘୋଟିଗଲା । ଦଳେଇଘାଇ ଭାଙ୍ଗିବାର ଅବ୍ୟବହିତ ପୂର୍ବରୁ କାଠଯୋଡ଼ୀରେ ପ୍ରବଳ ଜଳସ୍ରୋତ ଦେଖି କଟକ ନଗରବାସୀ ଭୟଭୀତ ହୋଇ ପଡ଼ିଥିଲେ । ସମ୍ବଲପୁର ଅଞ୍ଚଳରେ ଭୀଷଣ ବୃଷ୍ଟି ହୋଇଛି ବୋଲି ତା’ର ଯୋଗେ ସମ୍ବାଦ ଆସିଥିଲା । କାଠଯୋଡ଼ୀ କୂଳେ କୂଳେ ବିଖ୍ୟାତ ପଥରବନ୍ଧ ଉପରେ ପିଟି ହେଉଥିଲା ଆସି ଉଦ୍ଧତ ଜୁଆର । ଅନବରତ ବୃଷ୍ଟି ହେବା ଫଳରେ କଟକ–କଲିକତା ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା–ସହରର ପ୍ରତି ଗଳିକନ୍ଦିରେ ଭୂଷଡ଼ି ପଡ଼ୁଥିଲା ଘରମାନ । ତେଲେଙ୍ଗା ତନ୍ତୀ ବସ୍ତି, ମକରବା ସାହୀ, ରାଉସାପାଟଣା ଭିତରେ ବହୁତ ପାଣି ଜମି ରହିଥିଲା । ରାସ୍ତା ଉପରେ ଆସି ଛୋଟ ଛୋଟ ମାଛମାନେ ପହରି ବୁଲୁଥିଲେ ।

 

କ୍ରସ୍ତ ନଗରବାସୀ କାଠଯୋଡ଼ୀ ପଥରବନ୍ଧ ଉପରେ ଠିଆ ହୋଇ ଦେଖୁଥିଲେ ନଦୀର ଭୀମରୂପ । ଗଲା ଶହେବର୍ଷ ଭିତରେ କାଠଯୋଡ଼ୀ ନଦୀରେ ଏଡ଼େ ପ୍ରବଳ ବନ୍ୟା ଆସି ନ ଥିଲା । ପାଣି ସୁଅରେ ଖାନନଗର ଶ୍ମଶାନ ନିକଟରେ ଥିବା ପୁରୁଣା ବନ୍ଧଟି ଦବିଯାଇ, ନୂଆ ବନ୍ଧରେ ଆସି ପାଣି ଲାଗିଗଲା–କଟକ ନଗରର ବିଭିନ୍ନ ଅନୁଷ୍ଠାନ, ପି. ଡବ୍ଲୁ ଡି. କର୍ମଚାରୀ, ଶଙ୍କରପୁର ଅଞ୍ଚଳର ଲୋକେ, ଉତ୍କଳ ଗଣତାନ୍ତ୍ରିକ ଯୁବସଙ୍ଘ, କଲେଜ ଛାନ୍ଥବୃନ୍ଦ, ଜ୍ୟୋତି ପାଠାଗାର, ସନରାଇଜ କ୍ଲବ ପ୍ରଭୃତି ଅନୁଷ୍ଠାନର ସଭ୍ୟବୃନ୍ଦ ନୂଆ ବନ୍ଧ ଉପରେ ବାଲି ପକେଇ କଟକକୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ । ସହରର ପୂର୍ବ ତରଫରେ ଏପରି ଆଶଙ୍କା କରାଯାଉଥିବାବେଳେ ପଶ୍ଚିମ ତରଫରେ ବିଡ଼ାନାସୀ ଗ୍ରାମରେ ବନ୍ୟାଜଳ ପଶିଗଲା ।

 

କଟକ ନଗର ପୂରା ଦମରେ ଲାଗି ପଡ଼ିଛି କାଠଯୋଡ଼ୀର ଅଭିଶାପରୁ ନିଜକୁ ରକ୍ଷା କରିବା ପାଇଁ ।

 

ଖବର ପହଞ୍ଚିଲା–ଦଳେଇଘାଇ ଭାଙ୍ଗିଗଲା, ଲକ୍ଷ ଲକ୍ଷ ନରନାରୀ ଉଚ୍ଛନ୍ନ, ଗୋଟାଏ ଗୋଟାଏ ଗାଁ ଉପରେ ତାଳଗଛ ଉଚ୍ଚର ପାଣିସୁଅ ବହିଚାଲିଛି ।

 

ଏଇ ମର୍ମବିଦାରକ ଖବର ପହଞ୍ଚିବା ମାତ୍ରେ ସରକାର ବିଚଳିତ ହୋଇପଡ଼ିଲେ । ଓଡ଼ିଶାର ଶେଷ ଆଶା ବିଲୁପ୍ତ ହୋଇଗଲା ।

 

କଟକ ପାଖରେ କାଠଯୋଡ଼ୀଗର୍ଭରେ ଛବିଶଫୁଟ ଛ’ଇଞ୍ଚ ପାଣି ।

 

ସେକ୍ରେଟରିଏଟ, ୟୁନିଭରସିଟି, ବ୍ୟବସାୟ କେନ୍ଦ୍ର, ଦୋକାନ, ବଜାର ଏବଂ ଅନ୍ୟାନ୍ୟ ବେସରକାରୀ ଅନୁଷ୍ଠାନମାନଙ୍କରେ ଦଳେଇଘାଇ ଅଞ୍ଚଳର ବହୁଲୋକ ଚାକିରିବାକିରି କରି ଚଳନ୍ତି-। ପିଲାଛୁଆକୁ ସୁଦୂର ମଫସଲରେ ଛାଡ଼ିଦେଇ ଆସି ନିଜର ଯତ୍‌କିଞ୍ଚିତ୍‌ ଆୟରେ ସହରର ସମସ୍ତ ଗୁଜୁରାଣ ମେଣ୍ଟେଇ, ଅବଶିଷ୍ଟ ବଳକା ଟଙ୍କା ପଠେଇ ସେମାନେ ଛାଡ଼ି ଆସିଥିବା ପିଲାଛୁଆଙ୍କୁ ପ୍ରତିପୋଷଣ କରନ୍ତି । କିଏ ନବବିବାହିତା ପତ୍ନୀଙ୍କୁ ଛାଡ଼ି, କିଏ ଘରେ ବୁଢ଼ାବାପ, ବୁଢ଼ୀମାଙ୍କୁ ଛାଡ଼ି ଅଥବା ଏକମାତ୍ର ଭଗ୍ନୀକୁ ଛାଡ଼ି ଦୂରରେ ରହିଥିଲେ । ଦାରୁଣ ଖବର ପ୍ରଚାରିତ ହେବା ଫଳରେ ସେମାନେ ପାଗଳପରି ହୋଇଗଲେ । ସରକାରଙ୍କ ଦୃଷ୍ଟି ଖାନନଗର ବିପଦ ଅଞ୍ଚଳରୁ ଯାଇ ଦଳେଇଘାଇ ଅଞ୍ଚଳ ଉପରେ ପଡ଼ିଲା ।

 

ଜିଲା ମାଜିଷ୍ଟ୍ରେଟ ଜରୁରୀ ଆଇନ ଜାରିକରି ସହର ସମସ୍ତ ଟ୍ରକ ବସ୍ ଜବତ କରିନେଲେ–ବିପନ୍ନ ଲୋକଗୁଡ଼ିକୁ ଉଦ୍ଧାର କରିବା ପାଇଁ ଆଉ ସହରରୁ ଚୂଡ଼ା, ଚାଉଳ, ପରିଧେୟ ପଠାଇବା ପାଇଁ ଏଇ ସମସ୍ତ ଟ୍ରକ୍‌, ବସ୍‌ ବ୍ୟବହାର କରାଯିବ ।

 

ସଙ୍ଗେ ସଙ୍ଗେ କଚେରୀହତା, ସହରର ରାସ୍ତା, ସ୍କୁଲ କଲେଜ ହତା ଜନଶୂନ୍ୟ ହୋଇଗଲା । ବହୁ ସ୍ଥାନରେ ଘରଭିତରୁ ଉଚ୍ଛ୍ଵସିତ କ୍ରନ୍ଦନଧ୍ୱନି ଉଠି ଆକାଶଛାତିକୁ ମୁଖରିତ କଲା-। ମାଲଗୋଦାମରେ ସମସ୍ତ ପ୍ରକାର ବ୍ୟବସାୟ କାରବାର ବନ୍ଦ ହୋଇଗଲା । ଧାନ ଚାଉଳ ବ୍ୟବସାୟୀମାନେ କହିଲେ–କଟକ ଜିଲାର ଭାତହାଣ୍ଡି ଧ୍ୱଂସ ପାଇଯାଇଛି ।

 

କର୍ମମୁଖର କଟକ ନଗରର ବିରାଟ ଜନସ୍ରୋତ ଛୁଟିଲା ବନ୍ୟାବିଧ୍ଵସ୍ତ ଅଞ୍ଚଳକୁ–ଟ୍ରକ, ବସ୍‌, ସାଇକେଲ, ମଟର ସାଇକେଲ୍, କାର୍ ଛୁଟିଲା ଧାଡ଼ି ଧାଡ଼ି । କଲେଜ ଛାତ୍ରବୃନ୍ଦ, ଶଙ୍କରପୁର ଯୁବକବାହିନୀ, ପ୍ରଜା–ସୋସାଲିଷ୍ଟ ପାର୍ଟି, କମ୍ୟୁନିଷ୍ଟ ପାର୍ଟି, ମାରୱ୍ୟାଡ଼ି ରିଲିଫ ସୋସାଇଟିର ସଭ୍ୟବୃନ୍ଦ ରିଲିଫ କାମପାଇଁ ଧାଇଁ ଚାଲିଲେ । ଉନ୍ମାଦନା, ଉତ୍ତେଜନା, ନୈରାଶ୍ୟ ଆଉ ଉଦ୍‌ବେଗ-। ସହରର ବିଭିନ୍ନ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ସ୍ୱେଚ୍ଛାସେବକବାହିନୀ ସଙ୍ଗଠିତ ହୋଇ ଲୋକଙ୍କୁ ନିଜ ମରଣମୁଖରୁ ଉଦ୍ଧାର କରିବା ପାଇଁ ସଙ୍କଳ୍ପ କଲେ ।

 

କଟକ ସହରର ରାସ୍ତା ଉପରେ ଥିବା ଗଛମୂଳରୁ ଭାସି ଆସୁଥିଲା ବହୁ ମଣିଷର ଆକୁଳ କ୍ରନ୍ଦନ । ଯେଉଁ ଲୋକମାନେ ମୋକଦ୍ଦମା ତାରିଖ ପାଇଁ କଟକ କଚେରୀକୁ ଆସିଥିଲେ, ସେମାନେ ସମସ୍ତେ ବଞ୍ଚିଗଲେ; ମାତ୍ର ମନ ଭିତରେ ଉଠିଲା ସେମାନଙ୍କର ଅଚାନକ ଝଡ଼ । ଯେଉଁ ମା’, ବାପ, ଭାଇ, ଭଉଣୀ, ସ୍ତ୍ରୀ ପିଲାମାନଙ୍କୁ ସେମାନେ ଘର ପାଖରେ ଛାଡ଼ି ଦେଇ ଆସିଥିଲେ, ସେମାନଙ୍କର ଅବସ୍ଥା ଆଜି କ’ଣ ହୋଇଥିବ ? ସେମାନଙ୍କର ମର୍ମଭେଦୀ ଚିତ୍କାର ଆଉ କରୁଣ କ୍ରନ୍ଦନରେ ରାଜପଥ ପୂରି ଉଠିଲା । ଜଳଖିଆ ଦୋକାନର ମାଲିକମାନେ ସ୍ୱେଚ୍ଛାରେ ଦୋକାନରେ ପ୍ରସ୍ତୁତ ହୋଇ ରହିଥିବା ଖାଦ୍ୟସାମଗ୍ରୀ ସ୍ୱେଚ୍ଛାସେବକମାନଙ୍କ ହାତରେ ଅର୍ପଣ କରିଦେଲେ । ସମସ୍ତଙ୍କ ମୁହଁରେ ହା–ହତୋସ୍ମି ଶବ୍ଦ । ଖବରକାଗଜ ପ୍ରତିନିଧିଦଳ, ବିଭିନ୍ନ ସମ୍ବାଦ ସରବରାହ ଅନୁଷ୍ଠାନର ପ୍ରତିନିଧିବୃନ୍ଦ ଅବସ୍ଥା ପର୍ଯ୍ୟବେକ୍ଷଣ କରି ପ୍ରକୃତ ସମ୍ବାଦ ପରିବେଷଣ କରିବାକୁ କାମେରା ଧରି ଆଗେଇ ଚାଲିଲେ । ଉଦ୍ଦେଳିତ ଜଳସ୍ରୋତ । ଅସମ୍ଭାଳ ପରିସ୍ଥିତି ।

 

ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନ ଥିଲେ । ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ ଖାଦ୍ୟଦ୍ରବ୍ୟ ଏବଂ ଉଦ୍ଧାରକାରୀ ବୋଟ, ଲଞ୍ଚମାନ ପଠାଇବା ପାଇଁ ଆକୁଳ ଆବେଦନ ଜଣାଇଲେ-। ମୁଖ୍ୟମନ୍ତ୍ରୀ ଏ ସମ୍ବାଦ ପାଇ ସୁଦୂର ଦିଲ୍ଲୀରୁ ବିମାନ ଯୋଗେ ଆସିଲେ ଭୁବନେଶ୍ୱର-। ଉଡ଼ାଜାହାଜ ପଥରୁ ସେ ଦେଖିଲେ ତଳେ ବିସ୍ତୀର୍ଣ୍ଣ ଜଳରାଶି । ନଦୀ ନାଳ କିଛି ବାରି ହେଉ ନାହିଁ-। ଭଦ୍ରଖଠାରୁ ଆରମ୍ଭ କରି ଭୁବନେଶ୍ଵର ପର୍ଯ୍ୟନ୍ତ ରେଲ ରାସ୍ତାର ପୂର୍ବ ଅଂଶରେ ଜଳ, ଖାଲି ଜଳ-। ସାଳନ୍ଦୀ, ବୈତରଣୀ, ବ୍ରାହ୍ମଣୀ, ଖରସୁଆଁ, ବିରୂପା, ମହାନଦୀ, କାଠଯୋଡ଼ୀ, କୁଆଖାଇର ପ୍ରବଳ ଜଲସ୍ରୋତ ତଳ ଅଞ୍ଚଳରେ ମିଶିଯାଇ ଏକ ବିରାଟ ଜଳସମୁଦ୍ର ସୃଷ୍ଟି କରିଛି । ଜଳ ଉପରେ ଠାଏଁ ଠାଏଁ ମଲା ମଣିଷ, ଗୋରୁଗାଇ ଭାସୁଛନ୍ତି । ଟାପୁ ଜାଗାମାନଙ୍କରେ ହଜାର ହଜାର ମଣିଷ ଠିଆ ହୋଇ ଦୁଇ ହାତ ଉପରକୁ ତୋଳି ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି ।

 

ସ୍ମୃତିବହୁଳ ମଣିଷ ଜୀବନରେ ସବୁଠାରୁ ଭୟାବହ ସ୍ମୃତି । ୧୮୫୫ ମସିହାରେ ଥରେ ଏଇପରି ବନ୍ୟା ହୋଇଥିଲା–ଓଡ଼ିଶାର ବହୁ ଅଞ୍ଚଳ ସେଥିରେ ଉଚ୍ଛନ୍ନ ହୋଇ ଯାଇଥିଲା । ତା’ପରେ ୧୮୬୬ ମସିହାରେ ଦେଖା ଦେଇଥିଲା ବିଭୀଷିକାମୟ ନ’ଅଙ୍କ ଦୁର୍ଭିକ୍ଷ । ଆଜି ପୁଣି ଅନାବୃଷ୍ଟିଜନିତ ମରୁଡ଼ି ପଛେ ପଛେ ଆସିଛି ବନ୍ୟାର ଆତଙ୍କ–ଭବିଷ୍ୟତରେ କ’ଣ ହେବ ତା’ ଆଜି କହି ହୁଏନା ।

 

ଓଡ଼ିଶାର ଶାସନକଳ ଅଚଳ ଅବସ୍ଥାରେ ରହିଗଲା । ଦଳେଇଘାଇ ଅଞ୍ଚଳର ମର୍ମନ୍ତୁଦ ପରିସ୍ଥିତି ସାଙ୍ଗକୁ ଓଡ଼ିଶାର ଆହୁରି ବହୁ ଅଞ୍ଚଳ ବନ୍ୟା ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡ଼ିଲା । କାଠଯୋଡ଼ୀ, ମହାନଦୀର ଭୀମରୂପ ସଙ୍ଗରେ ତାଳ ଦେଇ ତାଣ୍ଡବନୃତ୍ୟରେ ନାଚିଉଠିଲେ ବ୍ରାହ୍ମଣୀ ଓ ବୈତରଣୀ । ଧର୍ମଶାଳା ଥାନାରେ ଚାଲିଲା ପ୍ରକୃତିର ସଂହାରଲୀଳା । ବନ୍ୟା ଦେଖି ବୁଢ଼ା ବୁଢ଼ା ଲୋକେ କହିଲେ ଯେ, ଗତ ଶହେବର୍ଷ ଭିତରେ ଏଇ ଦୁଇଟି ନଦୀରେ ହଠାତ୍ ଏଡ଼େ ପ୍ରବଳ ବେଗରେ ଏତେ ଜଳ ଆସି ନ ଥିଲା ।

 

୧୯୫୫ ମସିହାର ସେପ୍ଟେମ୍ବର ମାସ ତିନି ତାରିଖ । ଅନବରତ ବୃଷ୍ଟି ହେବା ଫଳରେ ବ୍ରାହ୍ମଣୀ ନଦୀ ହଠାତ୍‌ ହୁ ହୁ ବଢ଼ିଉଠିଲା । ରାତିର ନିଘଞ୍ଚ ଅନ୍ଧକାରରେ ନଦୀର ଦୁଇପଟେ ଘାଇମାନ ଖୋଲିଗଲା–ଖରସୁଆ ଓ କେଲୁଅ ନଦୀ ଯୋଡ଼ିକ ମଧ୍ୟ ଦୁଇ କୂଳ ଲଙ୍ଘି ଗାଆଁ ଗଣ୍ଡା ଭିତରକୁ ପଶିଆସିଲେ । ସମଗ୍ର ଧର୍ମଶାଳା ଥାନାର ଲୋକସଂଖ୍ୟା ପ୍ରାୟ ହେବ ଏକଲକ୍ଷ ବତିଶହଜାର । ବ୍ରାହ୍ମଣୀ ନଦୀର ଦକ୍ଷିଣ ବନ୍ଧ ଅଞ୍ଚଳ ବନ୍ୟାସଂରକ୍ଷିତ ଅଞ୍ଚଳ–ସେ ଅଞ୍ଚଳର ଲୋକେ ଏପରି ବନ୍ୟାର ପ୍ରଳୟ ବିଭୀଷିକା ପୁର୍ବରୁ ଦେଖି ନ ଥିଲେ । ତେଣୁ ଦକ୍ଷିଣପେଟ ବନ୍ଧର ଘାଇ ସହସା ମେଲା ହୋଇଯିବାରେ ଲୋକମାନେ ଅସତର୍କ ଅବସ୍ଥାରେ କରାଳ ବନ୍ୟାର କବଳରେ ପଡ଼ିଲେ । ନଦୀର ବାମପଟ ବନ୍ଧରେ ଜନାର୍ଦ୍ଦନ ଘାଇ, ବିଶେଇ ଘାଇ, ବାଘୁଆଶେଉଳ ଘାଇ, କଲଣ, ଶୂଳିଆ, ଗୋପାଳପୁର, ବ୍ରାହ୍ମଣବାଡ଼, ବାଲିପାଟଣା ନିକଟରେ ଓ ଅନ୍ୟ ପଟରେ କୁସ୍ତିରା ନିକଟ ମତାଗୁଞ୍ଜରଠାରେ ଘାଇମାନ ହୋଇ ଜଳସମୁଦ୍ର ଗ୍ରାମ ଭିତରକୁ ମାଡ଼ିଆସିଲା । କେଲୁଅ ନଦୀରେ ମଧ୍ୟ ମଧ୍ୟ ମଣ୍ଡା, କାଏମା, ଲହଙ୍ଗାପାଟଣାଠାରେ ଘାଇ ମେଲା ହୋଇଗଲା । ଆଗରୁ ପ୍ରସ୍ତୁତ ନ ଥିବା ଲୋକେ ନିଜର ରକ୍ଷାପାଇଁ ହଠାତ୍‌ କୌଣସି ବ୍ୟବସ୍ଥା କରିପାରିଲେ ନାହିଁ । ସ୍ରୋତ ସମୁଦ୍ର ରେ କିଏ ରହିଲେ ଆଉ କିଏ ବା ଚିର ନିଦ୍ରାରେ ଶୋଇପଡ଼ିଲେ ତାହାର ହିସାବ କିଛି ମିଳିଲା ନାହିଁ । ଯେନାପୁର ଅଞ୍ଚଳ ମଧ୍ୟ ଧ୍ଵସ୍ତବିଧ୍ଵଂସ୍ତ ହୋଇପଡ଼ିଲା । ସମଗ୍ର ଆଳି ଥାନା ଗୋଟାଏ ଦ୍ଵୀପ ଭଳି ଅନ୍ୟ ସ୍ଥଳଭାଗରୁ ବିଯୁକ୍ତ ହୋଇ ରହିଲା । ଖାଦ୍ୟ, ବସ୍ତ୍ର, ଖବର କିଛି ପଠାଯାଇ ପାରିଲା ନାହିଁ । ଯାଜପୁର ଅଞ୍ଚଳର ବହୁ ଗ୍ରାମ ପାଣି ଭକ୍ତରେ ବୁଡ଼ି ରହି ପାତାଳପୁରୀର ସ୍ଵପ୍ନ ଦେଖିଲା ।

 

ଠିକ୍ ଏତିକିବେଳେ ଦକ୍ଷିଣ ଓଡ଼ିଶାର ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ ଓ କୁଶଭଦ୍ରା ନଦୀରେ ମଧ୍ୟ ଦେଖାଦେଲା ପ୍ରବଳ ବନ୍ୟା । ପୁରୀ–କଟକ ଟ୍ରେନ୍–ଚଳାଚଳ କିଛିକ୍ଷଣ ପାଇଁ ବନ୍ଦ ହୋଇଗଲା । ଗ୍ରାମର ରାସ୍ତାରେ ରାସ୍ତାରେ ନଦୀ ଜଳ ପ୍ରବେଶ କରି ଢେଉ ତୋଳିଲା । ଘରଦ୍ଵାର ଛାଡ଼ି ବିପଦସଂକୁଳ ଜାଗାରୁ ଆସି ଲୋକେ ଜଗନ୍ନାଥ ସଡ଼କର ଦୁଇ କଡ଼ରେ ଆଶ୍ରୟ ନେଲେ । ଘରଦ୍ୱାର, ତରୁ ନଦୀ ଜଳରେ ବିରାଟ ବିରାଟ ପାହାଡ଼ ପରି ଭାସି ଚାଲିଲା । ବହୁ ସ୍ଥାନରେ ଲୋକମାନେ ରାତି ରାତି ଅନିଦ୍ରା ହୋଇ ନଦୀବନ୍ଧ ଉପରେ ବସି ନାମ ସଂକୀର୍ତ୍ତନ ଆରମ୍ଭ କଲେ–ବିକଳ ପ୍ରାର୍ଥନା–‘‘ପ୍ରଭୁ ହେ ନୀଳାଦ୍ରି ନାଥ, ଏ ମହା ଆତଙ୍କରୁ ଉଦ୍ଧାର କର ।” ମଣିଷର ବିପଦବେଳେ ଦିଅଁ ଦେବତା ବି ପଥର ହୋଇଯାନ୍ତି ।

 

ସରକାର କିଂକର୍ତ୍ତବ୍ୟବିମୂଢ ।

 

କାହାର ଦୁଷ୍କୃତିରୁ ଆଜି ଏ ଅଭିଶାପ ? ଆକାଶର ସୂର୍ଯ୍ୟ ଉପହାସରେ ହସିଉଠିଲା–ଏ କ’ଣ ରାମ ରାଜ୍ୟର ପୁଣ୍ୟର ଫଳ ନା ପାପର ପରିଣାମ ? ଶାସକ ତା’ର ଧର୍ମ ଭୁଲିଛି, ପ୍ରଜା ତା’ର କର୍ମ ଭୁଲିଛି, ଜମି ହୋଇଉଠିଛି ଅନୂର୍ବର, ଫୁଲର ଗନ୍ଧ ଶୀଥିଳ ହୋଇପଡ଼ିଛି । ଉପାୟ କ’ଣ-? ସରକାରୀ କର୍ମଚାରୀମାନଙ୍କର ଅବହେଳା ଲକ୍ଷ ଲକ୍ଷ ମଣିଷ ଉଦ୍ଧାର ପାଇବେ କିପରି-?

 

କିପରି ? ୟା’ର ଜବାବ କେହି ଦେଲେ ନାହିଁ । ପ୍ରଧାନମନ୍ତ୍ରୀ ନେହେରୁ, କେତେ ଟଙ୍କା ଅର୍ଥ ସାହାଯ୍ୟ ପଠାଇଲେ–ଭାରତର ବିଭିନ୍ନ ଅଞ୍ଚଳର ନେତୃସ୍ଥାନୀୟ ବ୍ୟକ୍ତିମାନେ ତାରବାର୍ତ୍ତା ପଠାଇଲେ । ସହାନୁଭୂତି ! ବଡ଼ ବଡ଼ ଇଂରାଜୀ ଖବରକାଗଜରେ ବାହାରି ପଡ଼ିଲା ଖୁବ୍ ବଡ଼ ଅକ୍ଷରରେ ଓଡ଼ିଶାର ଏ ଦୁର୍ଗତି ସମ୍ବାଦ । ସ୍ଵାଧୀନ ଭରତରେ ଏକ ଅଦ୍ଭୁତପୂର୍ବ ଲୋମହର୍ଷଣକାରୀ ଘଟଣା ।

 

ପଡ଼ୋଶୀ ରାଜ୍ୟ ବଙ୍ଗଳାର ସରକାର ଖାଦ୍ୟଦ୍ରବ୍ୟ, ଲଞ୍ଚ୍‌, ବୋଟ ଏବଂ ସ୍ଵେଚ୍ଛାସେବକଦଳ ପ୍ରେରଣ କଲେ ।

 

୧୯୪୩ ମସିହାର ପ୍ରତିଦାନ ।

 

ଚତୁର୍ଦ୍ଦିଗରେ ଚହଳ–ପ୍ରତ୍ୟକ୍ଷଦର୍ଶୀର ମୁଣ୍ଡ ଖରାପ ହୋଇଯିବାର କଥା । ରାଜ୍ୟ ସରକାରଙ୍କ ମୁଣ୍ଡ ଖରାପ ହୋଇଗଲା ।

 

ସେପ୍ଟେମ୍ବର ମାସ ସାତ ତାରିଖ ସକାଳେ ଓଡିଶାରେ ସରକାରଙ୍କ ତରଫରୁ ବନ୍ୟା ସମ୍ପର୍କରେ ପ୍ରଥମ ପ୍ରେସନୋଟ ପ୍ରକାଶିତ ହେଲା । ତହିଁରେ କୁହାଗଲା ଯେ ଗତ ଅଗଷ୍ଟ ମାସର ଶେଷ ଭାଗରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀର ଉତ୍ପତ୍ତିସ୍ଥଳମାନଙ୍କରେ ନାହିଁ ନ ଥିବା ବର୍ଷା ହେଲାଣି । ଏହି ନଦୀଗୁଡ଼ିକ ବ୍ୟତୀତ ଦେଶର ଅନ୍ୟ ନଦୀଗୁଡିକରେ ମଧ୍ୟ କନ୍ୟା ହେଲା, କିନ୍ତୁ ଉକ୍ତ ତନୋଟି ନଦୀର ଜଳ ବିପଦ ସଙ୍କେତକୁ ଟପିଗଲା । ବ୍ରାହ୍ମଣୀ ଖୁବ୍ ଦ୍ରୁତଗତିରେ ବଢ଼ିଗଲା ସେପ୍ଟେମ୍ବର ତିନି ତାରିଖ ରାତିରେ ବିପଦ ସଙ୍କେତକୁ ଟପିଲା । ସେଦିନ ରାତିରେ ଜେନାପୁର ବନ୍ଧର ନଅ ମାଇଲଠାରେ ବ୍ରହ୍ମପୁର ଗ୍ରାମ ନିକଟରେ ବ୍ରାହ୍ମଣୀର ଜଳ ବନ୍ଧକୁ ଅତିକ୍ରମ କରି ସେଠାରେ ଗୋଟିଏ ବଡ଼ ଘାଇ ମେଲା କରିଦେଲା । ଧର୍ମଶାଳାର କିଛି ତଲକୁ କିହ୍ନିରିଆ ନଦୀର ଦକ୍ଷିଣ ପଟେ ମଧ୍ୟ ସେଇଭଳି ଆଉ ଗୋଟାଏ ଘାଇ ସୃଷ୍ଟି ହୋଇଗଲା । ଜେନାପୁର ଘାଇବାଟେ ପ୍ରବଳ ବେଗରେ ଘୋର ଗର୍ଜ୍ଜନ କରି ବ୍ରାହ୍ମଣୀ ନଦୀର ପାଣି ବନ୍ଧ ତଳେ ଥିବା ଗ୍ରାମମାନଙ୍କରେ ପଶିବାକୁ ଆରମ୍ଭ କଲା । ହରିଦାସପୁର ରେଳ ଷ୍ଟେସନ ଓ ଜେନାପୁର ବନ୍ଧ ମଧ୍ୟରେ ଥିବା ଲମ୍ବରେ ପ୍ରାୟ ଅଠ ମାଇଲ ଓ ଚଉଡ଼ାରେ ପ୍ରାୟ ଛ’ ମାଇଲ ପରିମିତ ସ୍ଥାନ ଜଳମଗ୍ନ ହୋଇ ରହିଲା । ଅଧିକାଂଶ ଜାଗାରେ ଏହା ଭିତରୁ ଦଶ ଫୁଟରୁ କୋଡ଼ିଏ ଫୁଟ ଯାଏ ପାଣି ରହିଲା ଓ ମଧ୍ୟେ ମଧ୍ୟେ ସ୍ଥଲଭାଗର ସଙ୍କେତ ଦେଇ କେତେକ ସ୍ଥାନରେ ସଂଯୋଜକ ରେଖା ରୂପେ ଦେଖା ଯାଉଥିଲା ରେଳରାସ୍ତା । ଏହି ସ୍ଥାନ ନିକଟରେ ହାଇଲେଭଲ କେନାଲ ବନ୍ଧରେ ମଧ୍ୟ ଘାଇ ହେଲା ଏବଂ ବନ୍ୟାଜଳ ସମଗ୍ର ହାଇଲେଭଲ କେନାଲକୁ ଟପିଗଲା ।

 

କିହ୍ମିରିଆ ନଦୀର ଦକ୍ଷିଣପଟେ ଯେଉଁ ଘାଇହେଲା ସେଥିରେ ଜଗନ୍ନାଥ ସଡ଼କର ପୂର୍ବ ପଟେ ପ୍ରବଳ ବେଗରେ ଜଲସ୍ରୋତ ଛୁଟି ଚାଲିଲା । ଗୋପାଳପୁର, ବାଲିପାଟଣା ଓ ଜୋକାରିଆଠାରେ ମଧ୍ୟ ବ୍ରାହ୍ମଣୀର ଘାଇ ମେଲା ହୋଇଗଲା । ଏହି ଅଞ୍ଚଳ ନିକଟରେ ଧର୍ମଶାଳା ଥାନାର ସବୁ ଇଉନିୟନ ଓ ବଡ଼ଚଣା ଥାନାର ଅଧିକାଂଶ ସ୍ଥଳ ସାଂଘାତିକ ଭାବରେ ଜଳପ୍ଲାବିତ ହୋଇଛି । ଏକ ଅଞ୍ଚଳର ବହୁ ସ୍ଥାନ କେନାଲ ଜଳ ପାଉଥିବା ସୁରକ୍ଷିତ ସ୍ଥାନ । ବର୍ତ୍ତମାନ ଏଇ ସ୍ଥାନଗୁଡ଼ିକ ପୂର୍ଣ୍ଣ ଭାବରେ ପାଣି ତଳେ ବୁଡ଼ି ରହିଛି ।

 

ଏହି ବନ୍ୟାବିତ୍ପାତ ଫଳରେ ବହୁ ଘର ଧ୍ଵଂସ ପାଇଛି, ହଜାର ହଜାର ଲୋକ ଆଶ୍ରୟହୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ରେଳରାସ୍ତା କଡ଼ରେ ପଡ଼ି ରହିଛନ୍ତି ଓ ଆଉ କେତେକ ଯାଇ ଚାଳ, ଡାଳ ଓ ସାନ ସାନ ପାହାଡ଼ ଉପରେ ଆଶ୍ରୟ ନେଇଛନ୍ତି ।

 

ଦଳେଇଘାଇ ନିକଟରେ କାଠଯୋଡ଼ୀ ପ୍ରଳୟ ସୃଷ୍ଟି କରିଛି । ତଥାପି ଅବସ୍ଥା ସରକାରଙ୍କ ଆୟତ୍ତକୁ ଆସିଲାଣି । ଏପର୍ଯ୍ୟନ୍ତ ମିଳଥିବା ସମ୍ବାଦରୁ ପ୍ରକାଶ ଯେ ଏହି ବନ୍ୟାବିପତ୍ତିରେ ସାତ ଜଣଙ୍କ ମୃତ୍ୟୁ ଘଟିଛି ଓ ପାଞ୍ଚଜଣଙ୍କର କୌଣସି ଖବର ମିଳୁ ନାହିଁ ।

 

ସରକାରଙ୍କ ତରଫରୁ ଏହି ଇସ୍ତାହାର ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ଲୋକମାନେ ମୁଣ୍ଡରେ ହାତ ଦେଇ ବସିଲେ । ନଦୀମାତୃକା ଓଡ଼ିଶା ଦେଶରେ ନଦୀମାନଙ୍କର ଆଜି ଯେ ପ୍ରଳୟ ତାଣ୍ଡବ ଚାଲିଛି ତା’ର କଳନା ବି କରି ହେବ ନାହିଁ । ସରକାଙ୍କୁ ସାହାଯ୍ୟ କାହାରି ପାଖରେ ସେମିତି ଭାବରେ ପହଞ୍ଚି ନାହିଁ ତଥାପି ସରକାର କହୁଚନ୍ତି ଅବସ୍ଥା ତାଙ୍କର ଆୟତ୍ତାଧୀନ ।

 

ଚିନ୍ତାଶୀଳ ବ୍ୟକ୍ତିମାନେ ଏକଥା ଶୁଣି ହସିଉଠିଲେ । ପ୍ରକୃତି ସଙ୍ଗରେ ମଣିଷ ବି ପାଗଳ ହୋଇଯାଇଛି ।

 

–ତିନି–

 

ମନ୍ଦର ପ୍ରଧାନଙ୍କ ଆଖିରୁ ଲୁହ ଶୁଖି ନ ଥିଲା–ନିଜର ପ୍ରିୟ ଗାଁ ଯାହାର ବୁକୁରେ ଜୀବନର ବିଗତ ଷାଠିଏବର୍ଷ ସେ ବିତେଇ ଦେଇଛନ୍ତି, ସେଇ ଗାଁ ଆଜି କାହିଁ ? ସାଙ୍ଗ ସାଥୀ, ବନ୍ଧୁ କୁଟୁମ୍ବ କାହାରି ତ ସମ୍ବାଦ ପାଉ ନାହାନ୍ତି ସେ । ଗାଁ ଠାକୁରାଣୀ ପୀଠର କନିଅର କୁଞ୍ଜ, ଟଗର ଗଛର ତରା ଭଳି ଅସୁମାରି ଫୁଲ, ରଜ ପରବର ଯାତ୍ରା ମଉଛବ, ଚାଟଶାଳୀ, ଭାଗବତ ଟୁଙ୍ଗୀ ସବୁ ଆଜି ସ୍ଵପ୍ନ । ଦୂରକୁ ସେ ଚାହିଁ ଦେଖୁଛନ୍ତି ଫେଣର ଭଉଁରୀ, ଜଳର ସମୁଦ୍ର । ଦଳେଇଘାଇ ବନ୍ଧ ଯେଉଁଠି ଭାଙ୍ଗିଛି ଠିକ ସେଇ ଜାଗାକୁ ଚାହିଁଲେ ଅତୀତର କେତେ ସ୍ମୃତି ତାଙ୍କର ମନରେ ପଡ଼ିଛି..... ।

 

ଚାଳିଶବର୍ଷ ତଳର କଥା । ଆଜିକାଲି ପରି ଗାଁଗଣ୍ଡା ମଫସଲରେ ସେତେ ବେଳକୁ ଏତେ ଦୋକାନ ବଜାର ହୋଇ ନ ଥିଲା । ଇଂରାଜୀ ପଢ଼ୁଆ ବାବୁମାନେ ଏତେ ନ ଥିଲେ । ଦିନରେ କାମ, ରାତିରେ ପୁରାଣ ଚର୍ଚ୍ଚା–ଏଇଥିଲା ମଣିଷର ଦୈନଦିନ ଅଭ୍ୟାସ । ମନ୍ଦର ପ୍ରଧାନଙ୍କ ବାପ ବିଷ୍ଣୁ ପଧାନ ନିଜେ ଥିଲେ ଚାଷୀ । ଗୋଟିଏ ଏକର ଜମିରୁ ସେ ଧାନ ତ ନୂହେଁ, ସୁନା ଫଳାଉଥିଲେ । ସେଇଥିରୁ ବଢ଼େଇ ବାର ଏକର ଜମି କଲେ । ମନ୍ଦର ଥିଲେ ତାଙ୍କର ଏକମାତ୍ର ପୁଅ–ଅତି ପିଲାଟି କାଳରୁ ମନ୍ଦର ତାଙ୍କର ମା’ଙ୍କୁ ହରାଇଥିଲେ । ତେଣୁ ବାପର ଅମାପ ସ୍ନେହ ତାଙ୍କ ଉପରେ ଅଜାଡ଼ି ପଡ଼ିଥିଲା । ନିମ୍ନ ପ୍ରାଥମିକ ଶ୍ରେଣୀର ତୃତୀୟ ଶ୍ରେଣୀରେ ହିଁ ତାଙ୍କର ବିଦ୍ୟାଧ୍ୟୟନ ଶେଷ ହୋଇଥିଲା–ତାପରେ ସେ କୃଷକ ହିସାବରେ ବାପ ସଙ୍ଗରେ କାନ୍ଧ ମିଳେଇ ଅତି ପିଲାଟିଦିନରୁ ଠିଆହୋଇ ପଡ଼ିଥିଲେ । ବଡ଼ିଭୋରରୁ ଉଠି କ୍ଷେତକୁ ଯାଆନ୍ତି–ସଂଧ୍ୟାରେ କାମ ଶେଷ ହୁଏ । ଘରକୁ ଫେରି ସଞ୍ଜବେଳେ ପଖାଳ ଖାଇ, ବାଉଁଶର ବଂଶୀଟିଏ ଧରି କାଠଯୋଡ଼ୀର ନିର୍ଜନ ବୁକୁରେ ବସି ଗୁଣୁ ଗୁଣୁ ଗୀତ ଗାଆନ୍ତି ।

 

ବଡ଼ ମଧୁର ସେ ସମୟ ।

 

ଗୋଠବାହୁଡ଼ା ଗୋରୁପଲର ହମ୍ବାରଡ଼ି–ନଦୀକୁ ଆସୁଥିବା ପଲ୍ଲୀ ବାଳିକାମାନଙ୍କର ଅକପଟ ହସ ମନ୍ଦିରକୁ କରେ ଆଉରି ଗୀତମୁଖର । ବଂଶୀତାନରେ ସେ ଖଣ୍ଡ ଥରିଯାଏ ।

 

ତାଙ୍କୁ ସତରବର୍ଷ ଯାଇ ଅଠରବର୍ଷ ପୂରିଥାଏ । ଗୋଟିଏ ଦିନର ସଂଧ୍ୟା କଥା ସ୍ପଷ୍ଟ ଆଜି ମନେପଡ଼େ । ସଂଧ୍ୟା ଠିକ୍ ହେଇଯାଇଚି । କାଠଯୋଡ଼ୀ ଛାତିର ନିର୍ମଳ ପବନକୁ ଛନ୍ଦମୟକରି ସେ ବଂଶୀ ବଜାଇ ନିଜେ ଅଧୀର ହୋଇ ପଡ଼ିଥିଲେ । ଆକାଶକୁ ଚାହିଁ ସରଳ ମନ ତାଙ୍କର ଜୀବନ ଖୋଜୁଥିଲା ।

 

ଝୁଣୁ...ଝୁଣୁ.....ଝୁଣୁ...

 

ନଦୀବାଲିରେ କାହାର ଏ ପାଦଶବ୍ଦ ? କାହାର ଏ ନୂପୁର ? ମନ୍ଦରଧର ଚାହିଁଲେ–ବାଳିକାଟିଏ । ପଡ଼ୋଶୀ ଘରର ଝିଅ ଚଞ୍ଚଳା । ଭାରି ସେ ମୁଗ୍‌ଧ ହୋଇଛି । ବଂଶୀର ସ୍ଵର କାହା ପ୍ରାଣକୁ ଆଲୋଡ଼ିତ ନ କରିବ ?

 

‘‘ମତେ ଟିକିଏ ବଇଁଶୀ ବଜା ଶିଖାଇ ଦିଅନ୍ତ ନାଇଁ ?”

 

ହସିଲେ ମନ୍ଦରଧର ।

 

“ଶିଖିବୁ ? ବେଶ୍ ଭଲ କଥା । ନିତି ସଞ୍ଜବେଳକୁ ଏଇଠିକ ଚାଲି ଆସିବୁ । ବଂଶୀବଜା ଦଶ ଦିନରେ ଶିଖେଇଦେବି ।”

 

ଚଞ୍ଚଳାର ମୁହଁ ରେ ହସ । ଆଜି ଏଇ ବୃଦ୍ଧ ବୟସରେ ସେ କଥା ମନେପଡ଼ି ପ୍ରାଣରେ ଉଠିଲା ତାଙ୍କର ଶିହରଣ । ଚଞ୍ଚଲା ହାତରେ ବଂଶୀ ଦେଉଁ ଦେଉଁ ବାଳିକାର ସ୍ପର୍ଶରେ ଦେହ ତାଙ୍କର ରୋମାଞ୍ଚିତ ହୋଇଥିଲା । ଅପୂର୍ବ ସେ ପୁଲକ ।

 

ତା’ପରେ ପ୍ରତିଦିନ ସନ୍ଧ୍ୟାରେ ଚଞ୍ଚଳା ଆସେ । ନଦୀର ପ୍ରାଣ ଗୀତରେ ପୂରି ଉଠେ । ମନ୍ଦର ପଧାନ ନିଜେ ନାଚି ଉଠନ୍ତି । ଚମତ୍କାର !

 

ପ୍ରେମ–ଯାହା ପାଇଁ ଦେବତା ବି ମର୍ତ୍ତ୍ୟକୁ ଓହ୍ଲାଇ ଆସିବାର କିମ୍ବଦନ୍ତୀ ରହିଛି । ମନ୍ଦରଧର ଆଉ ଚଞ୍ଚଳା ଶକ୍ତ ଏକ ପ୍ରେମରଜ୍ଜୁରେ ବାନ୍ଧି ହୋଇ ପଡ଼ିଥିଲେ ।

 

ବିଷ୍ଣୁ ପ୍ରଧାନଙ୍କ କାନକୁ ଏକଥା ଆସିବା ମାତ୍ରେ ସେ ନୀରବ ରହିଥିଲେ । ଗାଁର ବୟସ୍କ ଲୋକେ ଏହାକୁ ନାପସନ୍ଦ କଲେ । ଏ ଦେଶ ତ ଆଉ ବିଲାତ ନୁହେଁ !

 

ସମୟ ଗଡ଼ିଗଲା । ତା’ରି ସହିତ ଆଗେଇଗଲା ଦୁଇଟି କିଶୋର–କିଶୋରୀଙ୍କର ସ୍ଵପ୍ନମନ୍ଦିର ରଚନା । ବିଷ୍ଣୁ ପ୍ରଧାନ ଉଭୟଙ୍କର ବିବାହ କରାଇଦେଲେ….

 

ମନ୍ଦରଧରଙ୍କ ଆଖି ଆଉରି ଉଜ୍ୱଳ ହୋଇଉଠିଲା । ଯୌବନର ସେ ମାଦକତା, ପ୍ରଫୁଲ୍ଲତା ଅତୀତ ଭିତରେ ମାଡ଼ି ମକଚି ଯାଇଛି । ସୁନାର ସଂସାର ଛାରଖାର ହେଇଯାଇଛି ।

 

ପୁଣି କାଲି ପରି ମନେପଡ଼େ–ଚଞ୍ଚଳାର ରୋଗଶଯ୍ୟା । କମ୍ ପରିଶ୍ରମ, ଚେଷ୍ଟା, ଅର୍ଥ ପରାସ୍ତ ହେଇଯାଇଛି ସେଠି ! ନିୟତିର ବିଚିତ୍ର ବିଚାର ।

 

ସେଦିନର ଅନ୍ଧକାର ରାତି । ଚଞ୍ଚଳ । ବାହାରକୁ ଯାଇଥିଲା–କ’ଣ ହେଲା କେଜାଣି ଫେରିଆସି ମୂର୍ଚ୍ଛା ହେଇ ପଡ଼ିଗଲା । ମୁଣ୍ଡରୁ ତା’ର ସ୍ରବିଆସିଲା ବିନ୍ଦୁ ବିନ୍ଦୁ ଝାଳ । ସମସ୍ତେ କହିଲେ ଚମକି ପଡ଼ିଚି, ଭୂତର ଦୃଷ୍ଟି ପଡ଼ିଚି । ମନ୍ଦରଧର କିନ୍ତୁ ସେସବୁ କଥା ବିଶ୍ୱାସ କଲେ ନାହିଁ । କଟକ ଦଉଡ଼ିଲେ ଡାକ୍ତର ପରାମର୍ଶ କରି ଔଷଧ ଆଣିବାକୁ । ଡାକ୍ତର ନିଜେ ଆସିଲେ–ଔଷଧ ଦେଲେ । ଚାରୋଟି ରାତି ଅନିଦ୍ରାରେ କଟେଇଛନ୍ତି ସେ । ଊର୍ମି ପିଲାଟିଏ ହୋଇଥାଏ । ତାର ଦାୟିତ୍ଵ, ଏଣେ ରୋଗିଣୀର ସେବା । ମନର ବଳ ତାଙ୍କର ଅସୀମ ।

 

କିନ୍ତୁ କ’ଣ ହେଲା ? ଚଞ୍ଚଳା ଆଉ ଆଖି ଖୋଲିଲା ନାହିଁ–ମନ୍ଦରଧରଙ୍କୁ ଦୁଃଖର ସମୁଦ୍ରରେ ଭସେଇ ଦେଇ ସେ ଚାଲିଗଲା । ଦଳେଇଘାଇର ଅପରପଟେ କାଠଯୋଡ଼ୀର ଛାତି ଉପରେ ଯେଉଁଠି ହେଇଥିଲା ପ୍ରଥମ ପ୍ରଣୟର ବୀଜରୋପଣ, ଠିକ୍‌ ସେଇ ଜାଗାରେ ଜଳି ଉଠିଲା ଚଞ୍ଚଳାର ଚିତାଗ୍ନି । ଆଜି ମନ୍ଦରଧର ଅନୁଶୀଳନ କରୁଥିଲେ ନିଜର ଅତୀତ ଜୀବନକୁ–ଗଛମୂଳ ଭରସା ।

 

ଅବସନ୍ନା ଊର୍ମିଳା ସାମନାରେ ବସିଛି । ମୁହଁରେ ତା’ର ସରସତା ନାହିଁ, ଆଖିରେ ଦୀପ୍ତି ନାହିଁ; ତଥାପି ସେଇଆଖି ତଳୁ ସ୍ପଷ୍ଟ ଦିଶୁଛି ଚଞ୍ଚଳାର ପ୍ରତିଛବି ।

 

“ଆପଣ କାନ୍ଦୁଛନ୍ତି, କାନ୍ଦିଲେ କିନ୍ତୁ କ’ଣ ହେବ ?”

 

ଫେରି ଚାହିଁଲେ ମନ୍ଦର ପଧାନ, ଇଞ୍ଜିନିୟର ରମାକାନ୍ତ ବ୍ୟଥିତ ମୁହଁ ରେ ତାଙ୍କରି ଆଡ଼କୁ ଚାହିଁଛନ୍ତି । ସେ ଆପେ ଆପେ ଲଜ୍ଜିତ ହେଲେ ।

 

“ନାଇଁ ବାବୁ, ଏ ଦୁର୍ଗତିରେ କିଏ ନ କାନ୍ଦିବ ?”

 

ରମାକାନ୍ତ ନିରୁତ୍ତର ।

 

ମନ୍ଦର ପଧାନ ପୁଣି କହିଲେ–‘‘ପିତୃପିତାମହର ପୁଣ୍ୟବଳ ଥିଲା ବାବୁ, କାଠଯୋଡ଼ୀ ନଈ ତାଙ୍କୁ ପାଳୁଥିଲା । ଆମେ ସବୁ ତ ପାପ–ପଙ୍କରେ ବୁଡ଼ିଯାଇଛୁ । ମିଛ କହିବା ଆମର ପେଷା, ପରର ଛିଦ୍ର ଖୋଜି କୁତ୍ସା ରଚନା କରି ବୁଲିବା ନିତିଦିନର କାମ । ଆମ ଉପରେ ଏ ଚଡ଼କ ପଡ଼ିବ ନାହିଁ ତ ଆଉ କାହା ଉପରେ ପଡ଼ିବ ? କେମିତି ସଭିଏ ଉଦ୍ଧାର ପାଇବେ ? ହଜାର ହଜାର ଲୋକ ପାଣି ଭିତରେ ରହିଯାଇଛନ୍ତି ବାବୁ... ।”

 

ରମାକାନ୍ତ କହିଲେ–‘ଛ’ ଖଣ୍ଡ ମଟର ଲଞ୍ଚ କଟକରୁ ଆସି ଏବେ ପହଞ୍ଚିଛି, ଆଗରୁ ତ ଖଣ୍ଡେ ଏଠି ଅଛି । ଏଇ ସାତ ଖଣ୍ଡ ମାତ୍ର ସମ୍ବଳ । ଏହାକୁଇ ନେଇ ଉଦ୍ଧାର କାମରେ ଲାଗି ପଡ଼ିବାକୁ ହେବ । ବର୍ତ୍ତମାନ ମୁଁ ତ ଏଗୁଡ଼ିକ ନେଇ ବାହାରିଯିବି ।”

 

ବିଶ୍ରାମ ନାହିଁ ।

 

ଊର୍ମିଳା କହିଲା–“ଆପଣ ଯେ ଖୁବ ଥକି ପଡ଼ିଛନ୍ତି, ଟିକିଏ ଥକ୍‌କା ମାରନ୍ତୁ । ନିଜର ଦେହ ରହିଲେ ସିନା ପରର ସେବା !”

 

“ଥକ୍‌କା ମାରିଲେ ଚଳିବ କେମିତି ? ଯିବାକୁଇ ହେବ ।”

 

“ଯେଉଁ ଛ’ ଖଣ୍ଡ ଲଞ୍ଚ କଟକରୁ ଆସି ପହଞ୍ଚିଛି, ସେଇୟାକୁ କାମ କରିବା ପାଇଁ ପଠାଇ ଦିଅନ୍ତୁ ।”

 

‘‘ତା’ କ’ଣ ହୁଏ ?” ରମାକାନ୍ତ କହିଲେ ।

 

“ଶରୀରମାଦ୍ୟମ୍‌, ଖଳୁଧର୍ମସାଧନମ୍‌ ।” ମନ୍ଦର ପ୍ରଧାନ କହିଉଠିଲେ ।

 

ଊର୍ମିଳା ପୁଣି କହିଲା–‘‘ଆପଣ ତ କର୍ତ୍ତବ୍ୟ କରିଛନ୍ତି, କରୁଛନ୍ତି । କର୍ତ୍ତବ୍ୟ ମାନେ କ’ଣ ନିଜ ଦେହକୁ ନ ଚାହିଁବା ? କଟକରୁ ଯେଉଁମାନେ ଆସିଛନ୍ତି, ସେମାନଙ୍କ ଦେହରେ ବଳ ଅଛି, ସେମାନେ ଯାଆନ୍ତୁ । କ୍ଷତି କ’ଣ ?”

 

ହସିଉଠିଲେ ରମାକାନ୍ତ–“ବେଶ, ଚମତ୍କାର ଯୁକ୍ତି ତ ! ତମେ ଯଦି ଆଜି ପାଣି ଭିତରେ ଆଶ୍ରୟ ଅପେକ୍ଷାରେ ପଡ଼ି ରହିଥାନ୍ତ, ତୁମର ମନର ଅବସ୍ଥା କ’ଣ ହେଇଥାନ୍ତା, ଥରେ ଭାବିଲ ଦେଖି ? ମରଣକୁ ଚାହିଁ ଅସହାୟ ଅବସ୍ଥାରେ ଯେଉଁ ହଜାର ହଜାର ଲୋକ ଉବୁଟୁବୁ ହେଉଛନ୍ତି, ସେଠି ମୁଁ ବିଶ୍ରାମ କରିବି କିପରି ?”

 

ଇଞ୍ଜିନିୟର ରମାକାନ୍ତ ଆଜି ସ୍ୱେଚ୍ଛାସେବକ ।

 

ଊର୍ମିଳା କହିଲା–“ମୁଁ କ’ଣ ବୁଝି ନାହିଁ ? କିନ୍ତୁ ଆପଣ ତ କାମ କରି କରି ଏକାବେଳକେ ଥକି ପଡ଼ିଛନ୍ତି ।’’

 

‘‘ମୋଟେ ନୁହେଁ । ହୁଏତ ଥକି ପଡ଼ିଥିଲି–ଏକା ଏକା ଅବସନ୍ନ ହୋଇ ପଡ଼ିଥିଲି; କିନ୍ତୁ ମୋ ସଙ୍ଗରେ ଯୋଗ ଦେବା ପାଇଁ ଆଉ ଛ’ଖଣ୍ଡ ଲଞ୍ଚ ପହଞ୍ଚିବାର ଦେଖି ଦେହରେ ମୋର ଅପୂର୍ବ ବଳ ମୁଁ ଅନୁଭବ କରୁଛି । ଜଳଭିତରେ ଲୋକମାନଙ୍କର ମର୍ମବିଦାରକ ଅବସ୍ଥା । ତମକୁ ମୁଁ ବା ଅଧିକ କ’ଣ କହିବି ? ଚାରିଆଡ଼କୁ ଆଖି ପକେଇଲେ ଖାଲି ବିଭୀଷିକାର କରାଳ ଛାୟା । ବିଶ୍ରାମ ନେବାକୁ ବହୁତ ସମୟ ମିଳିବ । କିନ୍ତୁ ଏଇ ମୁହୂର୍ତ୍ତରେ ମୁଁ ଯଦି ବିଶ୍ରାମ ନିଏ, ମୁଁ ହେବି ଏ ଦେଶର ପହିଲା ନମ୍ବର ଶତ୍ରୁ ।”

 

ଊର୍ମିଳାର ଦୁଇ ନୟନ ଅଶ୍ରୁରେ ଛଳଛଳ ହୋଇଆସିଲା । ସତେ ତ ! ସେ ଆଉ ତା’ ବାପ ସିନା ଉଦ୍ଧାର ପାଇ ଆସିଛନ୍ତି, ତାଙ୍କ ଗାଁର ଆଉରି ଶହ ଶହ ଲୋକ ଏବେ ବି ବିପଦର କବଳରେ–ତା’ର ରାଧୁଅଜା, ନାର ମଉସା, ବନୁ ପିଉସାଙ୍କ ଅବସ୍ଥା କ’ଣ ହେଇଥିବ ! ପୁଣି ମନେ ପଡ଼ିଲା ତା’ର ହରେନ୍ଦ୍ରବାବୁଙ୍କ କଥା । ଅବୟବର ସମସ୍ତ ଅଂଶ ତା’ର ଥରିଉଠିଲା ।

 

କାଲିପରି ମନେ ପଡ଼ୁଛି ! ହରେନ୍ଦ୍ରବାବୁ କଟକରୁ ବି. ଏ. ପାସ୍‌ କରି ପ୍ରଥମେ ଦଉଡ଼ି ଆସିଥିଲେ ତା’ରି ଘରକୁ । ତା’ ପାଇଁ କଟକରୁ ଆଣିଥିଲେ ସୁନ୍ଦର ଶିଙ୍ଗର ମୂର୍ତ୍ତି, ପାନିଆ, ସେଫ୍‌ଟିପିନ । ନିରୋଳା ଜାଗାରେ ଠିଆ ହେଇ ସେ ଯାଇଥିଲେ ଊର୍ମିଳାକୁ–ଯୁବକ ହରେନ୍ଦ୍ରଙ୍କର ଉପହାର । ଯୁବତୀ ଊର୍ମିଳା ନେବାରେ ଶତକୁଣ୍ଠା ପ୍ରକାଶ କରିଥିଲା । କାହିଁକି ସେ ନେବ ? କ’ଣ ପାଇଁ ବା ନେବ ?

 

ହରେନ୍ଦ୍ର କରିଥିଲେ ଅଭିମାନ । ପରିଚୟ, କଥାଭାଷା ସବୁ ମୂଳରେ ସେ ନିର୍ମମ କୁଠାରାଘାତ ହୁଏତ କରିଥାନ୍ତେ । ଊର୍ମିଳାର ବାଁ ହାତଟିକୁ ଡାହାଣ ହାତରେ ଧରିନେଇ ଲୁହ ଛଳଛଳ ଆଖିରେ ସେ କହିଥିଲେ – ‘‘ଊମି, ତୋତେ ତ ମୋର ନ ଦେବାର କିଛି ନାହିଁ । ଯେଉଁ ଦିନରୁ ତୋ’ ସହିତ ମୋର ପରିଚୟ, ସେଇ ଦିନରୁ ତ ଆମେ ଦୁହେଁ କେମିତି ଗୋଟିଏ ଅଜଣା ବନ୍ଧନରେ ବାନ୍ଧି ହୋଇଛେ । ତୁ କ’ଣ ପିଲାଦିନର କଥାସବୁ ଭୁଲିଗଲୁ ? ବନ୍ଧ ଉପରେ ବସି କେତେ ଜହ୍ନରାତିର ସଞ୍ଜବେଳ ଆମେ କଟେଇଛେ । ଫେରୁ ଫେରୁ ବକ୍‌ସି ସାଆନ୍ତଙ୍କ ବାଡ଼ିରୁ ପିଜୁଳି ଚୋରିକରି ଖାଇଛେ । ଖରାଦିନର ସଞ୍ଜବେଳେ ଅସମ୍ଭବ ନଦୀ ହାୱାରେ ଶୀତ ଲାଗିଲେ ତୁ ମୋ ପାଖକୁ ଆଉଜି ଆସି ମୋର ପିନ୍ଧାକନା ନେଇ କେତେ ଥର ଘୋଡ଼ି ହୋଇଛୁ । ସବୁ ତୁ କ’ଣ ଭୁଲିଗଲୁ ଆଜି ?’’

 

ଛାତି ପାଖକୁ ଭିଡ଼ିନେଲେ ସେ–ଥରୁଥିଲା ତାଙ୍କର ଦେହ । ନାକପାଖରୁ ଆସୁଥିଲା ଭାରି ଗରମ ନିଶ୍ଵାସ । ଲଜ୍ଜା, ସଙ୍କୋଚ ଅଉ ଭୟରେ ପୂରି ଯାଇଥିଲା ଊର୍ମିଳାର ଅନ୍ତର ।

 

ସେଦିନ କଥା ମନେ ପଡ଼ୁଚି । ଗୋଧୂଳି ବେଳ । ବିରାଟ ବାଲି ପଡ଼ିଆ ପାଖ ପୋଖରୀକି ସେ ଯାଇଥିଲା । ଦଳେଇଘାଇ ପାହାଡ଼ପରି ଠିଆ ହେଇଥିଲା କିଛି ଦୂରରେ–କିଆବଣ ଭିତରେ ଶିଆଳଗୁଡ଼ାକ ହୁକେ ହୋ–ରଡ଼ି ଛାଡ଼ି ଦୁର୍ବଳ ମଣିଷ ମନରେ ଭୟର ସଂଚାର କରୁଥିଲେ । ପୋଖରୀ ହୁଡ଼ାରେ ବସି ଏକା ଏକା ବଂଶୀ ବଜାଉଥିଲେ ହରେନ୍ଦ୍ରବାବୁ । ଆଖିରେ ତାଙ୍କର ଦୃଷ୍ଟାମୀର ଚାହାଣୀ–ମୁହଁ ରେ ଚପଳ ହସ । ହଠାତ୍‌ ତାଙ୍କର ଦୃଷ୍ଟି ପଡ଼ିଗଲା ତା’ ଉପରେ-। ‘ଉମି–ଉମି’ ପାଟିକରି ସେ ଧାଇଁ ଆସିଲେ ପାଖକୁ ।

 

‘‘ପାଖରେ କିଏ ଥିବ !”

 

“ହୁଁ, ଲୋକଗୁଡ଼ାଙ୍କୁ ଭାରି ତୋର ଡରନା ?” ପିଠି ଚିମୁଟି ଦେଇ କହିଥିଲେ ସେ । ପକେଟରୁ ପାଚିଲା କିଆଫୁଲର ପାଖୁଡ଼ାଟିଏ କାଢ଼ି ବେଣୀରେ ଖୋସିଦେଲେ ଆଦରରେ ।

 

ସ୍ଵପ୍ନିଳ ସ୍ମୃତି । କିନ୍ତୁ ଆଜି ହରେନ୍ଦ୍ରବାବୁଙ୍କ ଅବସ୍ଥା କ’ଣ ହେଇଥିବ ?

 

‘‘କ’ଣ ହେଉଥିବ ତାଙ୍କ ଅବସ୍ଥା ? ଚିତ୍କାର କରି ଉଠିଲା ଊର୍ମିଳା । ସାମନାରେ ସ୍ଥାଣୁପରି ଛିଡ଼ା ହେଇଛନ୍ତି ରମାକାନ୍ତ । ପଚାରିଲେ–

 

‘‘କାହା ଅବସ୍ଥା କ’ଣ ହୋଇଥିବ ବୋଲି ଭାବୁଛ ?

 

ଆରେ । ସେ ଯେ ଏକବାରେ ଅପ୍ରକୃତିସ୍ଥା ।

 

‘‘ନା, ନା, ମୋରି ଅଜା, ମୋରି ପିଉସା, ଦାଦି, ମଉସା, ମାଇଁ, ମାଉସୀ...”

 

‘‘ସେଇକଥା ମୁଁ ବି କହୁଛି । ଛାତି ଫାଟି ପଡ଼ୁଛି ଆଜି । କିଏ କେଉଁଠି ରହିଛି, ନ ରହିଛି ସେକଥା କଳ୍ପନା ସୁଦ୍ଧା କରି ହେବ ନାହିଁ । ଯେଉଁଠି ଗଛର ଡାଳ ଦିଶୁଛି, ଦେଖୁନାହିଁ ତା’ ଉପରେ କେତେ ଲୋକ ଆଶ୍ରୟ ନେଇଛନ୍ତି । ଆଉ ତ କିଛି ଭରସା ନାହିଁ । ନିରାଶ୍ରୟମାନଙ୍କର କେବଳ ଜଗଦୀଶ୍ୱର ହିଁ ରକ୍ଷାକର୍ତ୍ତା ।’’

 

ମନେ ମନେ ଊର୍ମିଳା ବି ସେଇ ଜଗଦୀଶ୍ଵରକୁ ଡାକିଲା । ହରେନ୍ଦ୍ରବାବୁ ସର୍ବଶୁଭରେ ଯେଉଁଠି ହେଲେ ଆଶ୍ରୟ ନେଇଥାଆନ୍ତୁ ।

 

ଛାତିରେ ଛାତିଏ ବେଦନା, ଆଖିରେ ଆଖିଏ ଲୁହ–ପ୍ରାଣରେ ଅସରନ୍ତି କୋହର ଜମାଟବନ୍ଧା ସ୍ତୁପ । ରକ୍ତମାଂସର ଶରୀର ନେଇ କିଏ ସହି ପାରିବ ? ଦୁଶ୍ଚିନ୍ତାର ନିର୍ମମ ଘୂର୍ଣ୍ଣୀଭିତରେ ପଡ଼ି ମଣିଷର ବୃଦ୍ଧି ବୃତ୍ତି ଲୋପ ପାଇଯିବାର କଥା ।

 

ରମାକାନ୍ତ କେନାଲବନ୍ଧ ଉପରୁ ଲଞ୍ଚକୁ ଆସିଲେ ।

 

ଉପର ଆକାଶରୁ ଭାସି ଆସୁଥିଲା ଅଳ୍ପ ଉଚ୍ଚରେ ଉଡ଼ୁଥିବା ଉଡ଼ାଜାହାଜର ଶବ୍ଦ । ଟାପୁ ଉପରେ ଠିଆ ହୋଇ ଶହ ଶହ ଲୋକ ଦୁଇହାତ ତୋଳି ସାହାଯ୍ୟ ପାଇଁ ଆକୁଳ ନିବେଦନ କଲେ-। ଉଡ଼ାଜାହାଜରୁ କେତେ ବସ୍ତା ଚାଉଳ ଉପରର ଯାତ୍ରୀମାନେ ଫିଙ୍ଗି ଦେଲେ ତଲକୁ । କିନ୍ତୁ ହାୟ, ସବୁଗୁଡ଼ିକ ଯାଇ ପାଣି ଭିତରେ କେଉଁଠି ଅଦୃଶ୍ୟ ହୋଇଗଲା ।

 

ଲଞ୍ଚ ଭାସିଗଲା ଦୂରକୁ–ଊର୍ମିଳା ଚାହିଁ ରହିଥିଲା ଶୂନ୍ୟ ଦୃଷ୍ଟିରେ ।

 

–ଚାରି–

 

ଜଇଶୋଳ ଗାଁର ବୁଢ଼ା ବରଗଛର ଅଗ୍ରଭାଗର ଦିଶୁଛି–ତା’ ଉପରେ ଚଢ଼ିଛନ୍ତି କେତେ ଲୋକ–ଗାଁର ସମସ୍ତ ଘର ଭାଙ୍ଗି ପଡ଼ିଛି ।

 

ଦୁଇଟି ଲଞ୍ଚ ସେଇଠି ରହିଲା, ଆଉ ପାଞ୍ଚଟି ଭାସିଗଲା ଆଗକୁ । ରମାକାନ୍ତ ଗଛ ଉପରେ ଥିବା ଲୋକମାନଙ୍କୁ ଲଞ୍ଚକୁ ଆସିବାକୁ ଡାକିଲେ । କିନ୍ତୁ ଏ କ’ଣ ? ସେମାନେ ଆସିବାକୁ ନାରାଜ । ସେ ସେମାନଙ୍କୁ ବହୁତ ବୁଝାଇଲେ । ସେମାନେ ସମସ୍ତେ ଏକସ୍ଵରରେ କହି ଉଠିଲେ–“ଭାଇ ବନ୍ଧୁ, ବାପ ମା’ଙ୍କୁ ଏଇ ପାଣି ଭିତରେ ଛାଡ଼ି, ଆମେ ଆଉ ଯିବୁ କେଉଁଠି କି ? ଆମର ବଞ୍ଚିବାରେ ଦରକାର ବା କ’ଣ ଅଛି । ଆମେ ଏଇଠି ଏମିତି ମରିବୁ ପଛେ, କୁଆଡ଼ିକି ଯିବୁ ନାହିଁ ।”

 

ରମାକାନ୍ତ ବହୁତ ଅନୁନୟ ବିନୟ କଲେ । ସେମାନେ ଦୃଢ଼ ପ୍ରତିଜ୍ଞ । ସବୁ ନିଷ୍ଫଳ । ଲଞ୍ଚ୍‌ ଫେରେଇବାକୁ ପଡ଼ିଲା, ସେମାନେ ଆସିଲେ ନାହିଁ ।

 

ଆଗେଇ ଯାଇଥିବା ପାଞ୍ଚଟି ଲଞ୍ଚ କିଛି ଦୂରରେ ଅଟକି ଯାଇଛି ! ବହୁ ଦୂର ଦୂରାନ୍ତରୁ ଭାସି ଆସୁଚି ମଣିଷର କ୍ରନ୍ଦନରୋଳ । ପଥର ଦୁଃଖରେ ପାଣି ହେଇଯିବ–ପାହାଡ଼ ତରଳିଯିବ । ବହୁତ କଷ୍ଟରେ ଲାଗିଯାଇଥିବା ଲଞ୍ଚ ଗୁଡ଼ିକୁ ସେଠାରୁ ଫେରାଇଆଣି ରମାକାନ୍ତ ଆଉ ଏକ ସ୍ଥାନକୁ ଚାଲିଲେ । ଗୋଟାଏ ଢିପ ଜାଗା ଉପରେ ଶହ ଶହ ଲୋକ ଆଶ୍ରୟ ନେଇଛନ୍ତି । ସବୁ ଲୋକଙ୍କୁ ଏକା ଥରକେ ଉଦ୍ଧାର କରିବା ଅସମ୍ଭବ । ପ୍ରଥମ ଦଳକୁ ବୁକୁରେ ଧରି ନିରାପଦ ସ୍ଥାନରେ ଛାଡି, ପୁଣି ଜଲଗର୍ଭରେ ଭାସିଗଲା ଲଞ୍ଚ ।

 

ଖାଦ୍ୟ ଦ୍ରବ୍ୟ ବେଶ ନାହିଁ । ଯେଉଁ ଛ’ଟି ଲଞ୍ଚ ପରେ ଆସି ପହଞ୍ଚିଛି, ସେଥିରେ ସାମାନ୍ୟ ଖାଦ୍ୟ ଦ୍ରବ୍ୟ ଆସିଥିଲା । ଉଦ୍ଧାର ପାଇଥିବା ଲୋକେ ଭୋକ ଉପାସରେ ‘‘ଖାଦ୍ୟଂ ଦେହି’ ‘ଖାଦ୍ୟଂ ଦେହି’ ଚିତ୍କାର କରୁଛନ୍ତି । ରମାକାନ୍ତ ବିବ୍ରତ ହୋଇପଡ଼ିଲେ ସେହି ଆତୁର ଆର୍ତ୍ତନାଦରେ ।

 

ସନ୍ଧ୍ୟା ଆସିଲା । ଦିନସାରାର ଅକ୍ଲାନ୍ତ ପରିଶ୍ରମରେ ଥକି ପଡ଼ି ଆଖି ବୁଜି ଆସିଲା ତାଙ୍କର । ଏଇଥର ସେ ଟିକିଏ ବିଶ୍ରାମ କରିବେ । ଊର୍ମିଳା ଦେଖିଲା–କାହିଁ; ହରେନ୍ଦ୍ରବାବୁଙ୍କର ପତ୍ତା ତ ଏ ପର୍ଯ୍ୟନ୍ତ ମିଳି ନାହିଁ । ଯଦି ଏଇ ମୁହୂର୍ତ୍ତରେ ତାଙ୍କର ସନ୍ଧାନ ନ କରାଯାଏ, ତେବେ ସାରାରାତି ଜଳ ଭିତରେ ପଡ଼ିରହି ତାଙ୍କର ଅବସ୍ଥା କଣ ହେବ ? ଆକାଶକୁ ଉଠିଗଲା ତା’ର ଆଖି କଳା ମେଘର ବିକଟ ପାଚେରୀ ଘେରି ରହିଛି ସର୍ବଦିଗ । ରମାକାନ୍ତ ଲଞ୍ଚ ଉପରେ ଠିଆ ହେଇ ଡାକିଲେ–

 

“ଊର୍ମିଳା !”

 

ଊର୍ମିଳା ଲଞ୍ଚ ଭିତରକୁ ଗଲା ।

 

‘‘ଏଇଥର ମୁଁ ଟିକିଏ ବିଶ୍ରାମ କରିବି । ତମକୁ ଭୋକ ଲାଗୁ ନାହିଁ ? ମୋ ପାଖରେ ସାମାନ୍ୟ କିଛି ଖାଦ୍ୟ ଅଛି ।’’

 

ଭୋକଶୋଷ ଲାଗୁ ନ ଥିଲା ତାକୁ । ସେ ବିଚଳିତ ହୋଇ ପଡ଼ିଥିଲା । ମୁହଁ ରେ ତା’ର ଭାଷା ନାହିଁ ।

 

‘‘କଥା କହୁନାହଁ କାହିଁକି ? ମତେ ଭାରି ଭୋକ ଲାଗିଲାଣି, ଟିଣରେ ବିସ୍କୁଟ ଅଛି, ତା’ ପାଖରେ ଲହୁଣୀର ଟିଣ ଅଛି, ଟିକିଏ ଆଣି ମତେ ଖାଇବାକୁ ଦିଅ, ମୋର ଗୋଡ଼ହାତ ଆଉ ଚଳୁ ନାହିଁ ।”

 

ରକ୍ଷାକର୍ତ୍ତା । ଯାହାଙ୍କର ଦୟାର ସୀମା ନାହିଁ । ନିଜ ଜୀବନକୁ ଜଲାଞ୍ଜଳି ଦେଇ ଯିଏ ଲାଗି ପଡ଼ିଛନ୍ତି ମହାମାନବୀୟ ଧର୍ମରେ, ସଂସାର ଭିତରେ ପରୋପକାର ଆଉ ସେବା, ଏଇ ଦୁଇଟି ତ ସବୁଠାରୁ ମହତ କର୍ମ । ଖାଇବା, ପିଇବା, ଶୋଇବା ଛାଡ଼ି ଅକାତ ଜଳରୁ ଯିଏ ତାକୁ ଉଦ୍ଧାର କରିଛନ୍ତି, ସେଇ ତା’ ଆଗରେ ଦେବତା–ମଣିଷ ରୂପରେ ଭଗବାନ ।

 

ନୀରବତା । ରମାକାନ୍ତ ପୁଣି କହିଲେ–“କ’ଣ ହେଇଚି ତମର ଊର୍ମିଳା ? ହଠାତ୍‌.......”

 

ନା–ନା, ଊର୍ମିଳା ନିଜର ଦୁର୍ବଳତାକୁ ଅନ୍ୟ ଲୋକ ଆଗରେ ପ୍ରକାଶ କରି ଦେବ ନାହିଁ । ସେ ଧୀର ଭାବରେ ଯାଇ ବିସ୍କୁଟ ଆଉ ଲହୁଣୀର ଟିଣ ଆଣିଲା । ରମାକାନ୍ତ ଟିଣ ଖୋଲି ବିସ୍କୁଟ ଦିହରେ ଲହୁଣୀ ମାରୁ ମାରୁ କହିଲେ–‘‘ତମେ ବି ଖାଅ, ତମକୁ ତ ଅସମ୍ଭାଳ ଭୋକ ଲାଗିବଣି ।”

 

ଊର୍ମିଳା ଖାଇବ କେମିତି ? ବାହାରେ ତା’ର ବୁଢ଼ା ବାପ ଉପବାସରେ, ଆଉ ଶହ ଶହ ସ୍ତ୍ରୀ ପୁରୁଷ ମଧ୍ୟ ଅନାହାରରେ ପଡ଼ି ରହିଛନ୍ତି । ରମାକାନ୍ତ କିନ୍ତୁ ଜିଦ୍‌ ଧରି ବସିଲେ ଊର୍ମିଳା ନ ଖାଇଲେ ସେ ଖାଇବେ ନାହିଁ । ମୁସ୍କିଲ୍‌ କଥା । ସେ ନ ଖାଇଲେ କାଲି ପୁଣି କାମ କରିବେ କେମିତି ? ଅଗତ୍ୟା ତା’ର ଆଉ କିଛି କରିବାର ନ ଥିଲା । ଖାଇବାକୁ ହେବ । ଗୋଟିଏ ବିସ୍କୁଟ ହାତରେ ଧରି ଟିକିଏ ଟିକେଏ କରି ଖାଇଲା ସେ । ରମାକାନ୍ତ ଟିଣରୁ ଆଉ ପୁଳାଏ ବିସ୍କୁଟ ଆଣି ଜବରଦସ୍ତ ଗୋଟାଏ ଖୁଆଇ ଦେଲେ ତା’କୁ–‘କ’ଣ ଖେଳ ଘର ଲାଗିଛି । ନ ଖାଇଲେ ହେବ କେମିତି ? ଆଉ ନ ଖାଇ ବା ଲାଭ କ’ଣ । ତମେ ଯଦି ନ ଖାଇ ଉପବାସରେ ସଢ଼ି ଯାଅ, ତାହାଦ୍ଵାରା ଅନ୍ୟର ତ କିଛି ଉପକାର ହେବ ନାହିଁ, ତମରି ଯାହା କ୍ଷତି ହେବ । ଏ ସବୁ ପାଗଳାମି ମନୋଭାବ ଛାଡ଼ି ଦେଇ ସୁନାଝିଅ ପରି ଖାଇଦିଅ ।”

 

ଖାଇଲା ସେ, ଆଉ ରମାକାନ୍ତ ମଧ୍ୟ । ଖିଆ ଶେଷ ପରେ ଜମିଲା ଗଳ୍ପର ଆସର । ରମାକାନ୍ତ ବକ୍ତା – ଅନ୍ତର୍ଗଳ କହି ଚାଲିଚନ୍ତି ତାଙ୍କରି ନିଜ କଥା, ଶୁଣିବାରେ ଊର୍ମିଳା କୁଣ୍ଠା ପ୍ରକାଶ କରିନି ।

 

“ଶୋଇ ପଡ଼ନ୍ତୁ, ଆପଣ ପରା ଥକି ପଡ଼ିଛନ୍ତି ।”

 

ବାଧ୍ୟ ଶିଶୁଟି ପରି ଶୋଇ ପଡ଼ିଲେ ରମାକାନ୍ତ ।

 

‘‘ଟିକିଏ ମୁଣ୍ଡଟା ଟିପି ଦିଅନ୍ତ ନାହିଁ ?

 

ନ ଦବାର ବା କାରଣ କ’ଣ ଅଛି ? ତାଙ୍କ ମୁଣ୍ଡରେ ଧୀରେ ଧୀରେ ହାତ ବୁଲାଇ ଆଣିଲା ଊର୍ମିଳା । ସ୍ତ୍ରୀ ହାତର ମାୟାହୀନ ପରଶ–ରମାକାନ୍ତକୁ ବେଶ୍ ଭଲ ଲାଗୁଥିଲା । ଜୀବନରେ ହୁଏତ ଏଇ ପ୍ରଥମ–କଲେଜ ଛାଡ଼ି ତିନି ବରଷ ହେବ ସେ ଚାକିରୀରେ ପଶିଚନ୍ତି, ବିଭା ହେଇ ନାହାନ୍ତି । ଇଞ୍ଜିନିଏରିଂ କଲେଜର ଶୁଷ୍କ ଜୀବନ ଭିତରେ କୌଣସି ସ୍ତ୍ରୀ ସହିତ ପରିଚୟ ତାଙ୍କ ଭାଗ୍ୟରେ ଜୁଟି ନାହିଁ । ଅନ୍ଧକାର ରାତିର ନିର୍ଜନ ପ୍ରକୋଷ୍ଠ ଭିତରେ ଗୋଟିଏ ଯୁବକ ଆଉ ଗୋଟିଏ ଯୁବତୀ । କର୍ମକ୍ଳାନ୍ତ ଦିବସ ପରେ ଶୋଇ ପଡ଼ିଚି । ଆଗରେ, ପଛରେ, ଚତୁର୍ଦ୍ଦିଗରେ ଭୀମ ଜଳରାଶି, ହୁଏତ ପୃଥବୀ ସୃଷ୍ଟି ହବାର ପ୍ରଥମ ଦିବସରେ ସର୍ବତ୍ର ବ୍ୟାପୀ ରହିଥିଲା ଏହିପରି ଅନନ୍ତ ଜଳ । ମଣିଷର ସୃଷ୍ଟି; ଆଶା, ଆକାଙ୍‌କ୍ଷା, ମରଣର ମୂଳରେ ରହିଛି ପ୍ରକୃତିର ଅବାରିତ ରସ-। ଆଜି ସେହି ରସର ଅମାପ କ୍ଷରଣରେ ମଣିଷ ହେଉଛି ଧ୍ଵଂସ–ପ୍ରଳୟ କାଳର ମୁଖରିତ ସନ୍ଧ୍ୟାରେ ଶୁଭୁଚି ଆଜି ଆର୍ତ୍ତ ହାହାକାର ।

 

ରମାକାନ୍ତ ଜୀବନର ଦର୍ଶନକୁ ତର୍ଜମା କରୁଥିଲେ । କେଡ଼େ ଅନିଶ୍ଚିତ ଏହି ଜୀବନ । ଏଇ ମୁହୂର୍ତ୍ତରେ ପ୍ରେୟସୀର କୋମଳ କରର ସ୍ପର୍ଶରେ ମଣିଷ ହେଉଛି ଆତ୍ମହରା–ପୁଣି ପର ମୁହୂର୍ତ୍ତରେ ଘୋଟି ଆସୁଛି ମୃତ୍ୟୁର କୃଷ୍ଣ ବଉଦ । ହାୟ ! ମଣିଷ ଏଇ ଅସାର ସଂସାରରେ ଜନ୍ମ ନିଏ କାହିଁକି ?

 

କିନ୍ତୁ– ।

 

ଏଇଠି ଆଘାତ କଲା ଗୋଟାଏ ମସ୍ତବଡ଼ କିନ୍ତୁ । ଅସାର ମଣିଷ ଜୀବନରେ କର୍ମର ଅମୃତ ହିଁ ତ ମଣିଷକୁ ସ୍ଵର୍ଗର ସନ୍ଧାନ ଦିଏ । ନାରୀ ପୁରୁଷର ଯୁଗ୍ମ ସଂସାର, ମଧୁମୟ ତା’ର ସ୍ମୃତି । ଊର୍ମିଲା ଆଖିରେ ଭରି ଆସିଚି ନିଦ । ହଠାତ୍ ବାହାରୁ ଶୁଭିଲା କୋଳାହଳ । କ’ଣ ହେଲା ? କାଲବିଳମ୍ବ ନ କରି ଦୁଇଜଣଯାକ ଉଠି ଆସିଲେ ବାହାରକୁ । କେନାଲ ବନ୍ଧ ଉପରେ ଗୋଟାଏ ଜାଗାରେ ଠୁଳ ହେଇଛନ୍ତି ଅସଂଖ୍ୟ ଲୋକ । କିଛି ଗୋଟାଏ ଦୁର୍ଘଟଣା ଘଟିଲା ବୋଧହୁଏ । ତଥାପି ବିଚଳିତ ହେବାର କିଛି କାରଣ ନାହିଁ ପଛକୁ ଫେରି ଚାହିଁଲେ ସ୍ପଷ୍ଟ ଦେଖାଯାଏ ଦଳେଇଘାଇ ଭାଙ୍ଗି ଯିବାର ବିରାଟ ଦୁର୍ଘଟଣା–ମଣିଷ ଜୀବନରେ ତା’ଠୁ ଆଉ ବଡ଼ ଦୁର୍ଘଟଣା କିଛି ଥାଇ ନ ପାରେ ।

 

ଅନ୍ଧାର ଭିତରେ ଲୋକଟିଏ ଦଉଡ଼ି ଆସିଲା–“ବାବୁ, ବାବୁ, ମନ୍ଦର ପଧାନ ମୂର୍ଚ୍ଛା ହେଇଯାଇଛନ୍ତି ।”

 

ଅନାହାରର ଶକ୍ତ ଆଘାତ ହୁଏତ ସେ ସହି ପାରି ନାହାନ୍ତି । ଅନ୍ନପିଣ୍ଡ ବହି ଅନ୍ନ ଅଭାବରେ କେତେ ସମୟ ସେ ରହିପାରନ୍ତେ ?

 

ଚାରିଜଣ ଲୋକ ସାହାଯ୍ୟରେ ମନ୍ଦର ପଧାନଙ୍କୁ ରମାକାନ୍ତ ଉଠେଇ ଆଣିଲେ ଲଞ୍ଚ ଉପରକୁ । ବିଞ୍ଚାବିଞ୍ଚି କରି ତାଙ୍କର ଚେତନା ଫେରାଇ ଆଣିଲେ । ଗୋଟିଏ ଟିଣରେ ସାମାନ୍ୟ କିଛି ଚୂଡ଼ା ଥିଲା । ଊର୍ମିଳା ଚୂଡ଼ା ଦିଓଟି ଧୋଇ ଚିନି ମିଶାଇ ଖାଇବାକୁ ଦେଲେ । କନ୍ୟାର ଶୁଖି ଯାଇଥିବା ଅନ୍ତରରେ ସ୍ତୂପାକାର ହୋଇଥିଲା ଭକ୍ତି । କି ଦୁର୍ବିପାକ ! ଦଳେଇଘାଇର ଆଶ୍ରୟରେ ଶତାବ୍ଦୀ ବିତି ଯାଇଛି–ସେ ଅଞ୍ଚଳରେ ଲୋକେ ବଢ଼ିର ବିତ୍ପାତ ଜାଣି ନ ଥିଲେ । ତିନୋଟି ଫସଲ କରି ମହା ଆନନ୍ଦରେ କାଳାତିପାତ କରୁଥିଲେ । ଆଉ କଟକ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ବଳକା ଖାଦ୍ୟ ଶସ୍ୟ ପଠାଉଥିଲେ । ଦୁଃଖ କ’ଣ–ସେମାନଙ୍କ ପାଖରେ ତାହା ଥିଲା ଅଜଣା ।

 

ରମାକାନ୍ତ କହିଲେ–‘‘ଆପଣ ଟିକିଏ ଶୋଇପଡ଼ନ୍ତୁ, କଷ୍ଟ ସହିବାକୁ ଅଭ୍ୟସ୍ତ ନୁହନ୍ତି ।”

 

କୃତଜ୍ଞତାରେ ମୁଣ୍ଡ ନଇଁଗଲା ମନ୍ଦର ପ୍ରଧାନଙ୍କର । ସେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କଲେ ।

 

ସେତେବେଲକୁ ରାତିର ଦ୍ଵିତୀୟ ପ୍ରହର । କେନାଲ ବନ୍ଧ ଉପରେ ଖୋଲା ଆକାଶ ତଳେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ସେମାନଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ବିପଦାପନ୍ନ । ଗାଁ ଗଣ୍ଡାର କିଆବୁଦା ଜଳ ଭିତରେ ବୁଡ଼ି ଯିବାରୁ ବହୁ ସାପ ଆଶ୍ରୟହୀନ ହୋଇ ଯୁଆଡ଼େ ସିଆଡ଼େ ଆଶ୍ରୟ ନେଉଛନ୍ତି । କେନାଲ ବନ୍ଧ ପାଖରେ ହାଲିଆ ହୋଇ ପଡ଼ିଛନ୍ତି; କିନ୍ତୁ କେହି ପାଖକୁ ଗଲେ ଉଠି ଦଂଶନ କରୁଛନ୍ତି । ହଠାତ୍‌ କୌଣସି କୌଣସି ଲୋକ ଦେହରେ ବଡ଼ ବଡ଼ ବିଷାକ୍ତ ସାପଗୁଡ଼ା ଆସି ଗୁଡ଼େଇ ହୋଇ ଯାଉଛନ୍ତି । ଭୟରେ ଲୋକଟି ବିଚଳିତ ହୋଇ ହଲଚଲ ହେଲେ ରାଗରେ ଦଂଶନ କରୁଛନ୍ତି । ବେଶୀ ମାତ୍ରାରେ ତମ୍ପ ଆଉ ବୋଡ଼ା । ସେମାନେ ଯେମିତି କେଉଁ ଏକ ଅଜଣା ରାଗର ପ୍ରତିଶୋଧ ନେବାପାଇଁ ପ୍ରତିଜ୍ଞାବଦ୍ଧ ।

 

ରାତ୍ରିର ସ୍ତରେ ସ୍ତରେ ରମାକାନ୍ତଙ୍କ ହୃଦୟରେ ଭୟର ଜୁଆର ଉଠୁଥିଲା । ସହଳ ଯଦି ରାତ୍ରିଟା ପାହିଯାନ୍ତା ପୁଣି ସେ ଭୀମର ବଳ ନେଇ କାମରେ ଲାଗି ପଡ଼ନ୍ତେ । କିନ୍ତୁ ରାତି ପାହିବା ତ ତାଙ୍କ ଇଚ୍ଛାର କଥା ନୁହେ–ଦୀର୍ଘ କେତେ ଘଣ୍ଟା ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ।

 

–ପାଞ୍ଚ–

 

ସକାଳ । ସୁନାର ସୂର୍ଯ୍ୟକିରଣ ପାଣି ଉପରେ ପଡ଼ି ଚିକ୍‍ ଚିକ୍‍ ମାରୁଥିଲା । ଊର୍ମିଳା ସାରା ରାତି ଉଜାଗରରେ ରହିଛି–ଆଖିରେ ତା’ର ରଙ୍ଗିମା–ଦେହରେ ଆଳସ୍ୟ, ତନ୍ଦ୍ରାଭାବ । ରମାକାନ୍ତ ପ୍ରସ୍ତୁତ ହୋଇ ପଡ଼ିଲେଣି । ଲଞ୍ଚ ଛାଡ଼ିବ ।

 

ଊର୍ମିଳା କହିଲା–‘‘ଆପଣଙ୍କ ସଙ୍ଗରେ ମତେ ନେଇ ଚାଲନ୍ତୁ ।”

 

ହସିଲେ । ରମାକାନ୍ତ–‘‘ତୁମେ ଯାଇ କ’ଣ କରିବ ? ତା’ପରେ ପରେ ପଦେ ପଦେ ବିପଦ ଅଛି । ଅମାପ ପାଣିରେ ଇଞ୍ଜିନ୍‌ର କଳ ଯଦି ବିଗିଡ଼ିଯାଏ, ତେବେ ସ୍ରୋତ ମୁଖରେ ସମସ୍ତେ ଯାଇଁ କେଉଁଠି ନାଁ କେଉଁଠି ଲାଗିବା । ଭାଗ୍ୟ ଖରାପ ଥିଲେ ବଙ୍ଗୋପସାଗର ମଝିକି ହୁଏତ ଭାସିଯାଇ ପାରନ୍ତି । ପାଣି ଭିତରେ ଯେଉଁ ଭଉଁରି ଖେଳୁଛି, ସେଗୁଡ଼ିକ ଭାରି ବିପଜ୍ଜନକ । ଥରେ ଭିତରକୁ ଗଲେ, ଭବିଷ୍ୟତ କଥା କହି ହୁଏନା । ତୁମେ ଥାଅ ।’’

 

ସେ କିନ୍ତୁ ଜିଦ୍ ଧରି ବସିଲା । ମନ ଭିତରେ ତ ତା’ର ନିଆଁ ହୁଳା ଜଳୁଚି । ବନ ପୋଡ଼ିଗଲେ ସିନା ସମସ୍ତେ ଜାଣନ୍ତି, ମନ ପୋଡ଼ିଗଲେ କିଏ ଜାଣେ ? ତା’ ମନ ଭିତରେ ହରେନ୍ଦ୍ରବାବୁଙ୍କ ପାଇଁ ଅହରହ ଚିନ୍ତା । ଅତୀତର ଏକ ପଳାତକ ମୁହୂର୍ତ୍ତରେ ପରିଚୟ, ପୁଣି ଘନିଷ୍ଠତା, ସମ୍ପର୍କ କିଛି ନ ଥାଇ ମଧ୍ୟ ବହୁତ ଅଛି । ଅଥୟ ଭାବନା । ତା’ର ଜିଦ୍‌ ସେ ନିଶ୍ଚୟ ଯିବ-

 

ରମାକାନ୍ତ ସ୍ଵଭାବତଃ କୋମଳ, ପୁଣି ଊର୍ମିଳା ପାଖରେ । ବହୁ ଆଶା ସେ’ ବାନ୍ଧି ସାରିଲେଣି ହୃଦୟରେ–ସ୍ଵପ୍ନର ଭବିଷ୍ୟତ । ମହାବିପଦ ଭିତରେ ପଡ଼ି ମଧ୍ୟ ସେ ଧୈର୍ଯ୍ୟ ହରାଇ ନାହାନ୍ତି । ଊର୍ମିଳାର ସାନ୍ନିଧ୍ୟରେ ପାଉଛନ୍ତି କର୍ମପ୍ରେରଣା । ତାଙ୍କର ଜୀବନମୂର୍ଚ୍ଛା ତ୍ୟାଗ ଆଉ ପରିଶ୍ରମ ତ ସଫଳ ହୋଇଛି ।

 

“ହଉ ଚାଲ, ଡରିବ ନାହିଁ କିନ୍ତୁ ।”

 

“ଡରିବି କାହିଁକି ? ଆପଣ ପରା ପାଖେ ପାଖେ ଥିବେ ।’’

 

ବାଃ, ଚମତ୍କାର । ରମାକାନ୍ତ ବୁଝିପାରିଲେ ଊର୍ମିଳା ବେଶ୍ ରସିକତା କରି ପାରୁଛି । ସେ କହିଲେ~‘‘ମୁଁ ତ ସବୁବେଳେ ପାଖେ ରହିପାରିବି ନାହିଁ, ତୁମେ ପୁଣି ରହିବ କେମିତି ?”

 

ଅପ୍ରତିଭ ହେଲା ଊର୍ମିଳା । କହୁ କହୁ ସେ ଟିକିଏ ବାଟ ଆଗେଇ ଯାଇଛି ।

 

‘‘କୁହ, ମୁଁ ପରା ତମଠୁ ୟା’ର ଜବାବ ଚାହେଁ ।”

 

କି ଜବାବ ଆଉ ଦବ ସେ ? ଭୁଲ ତ କରି ସାରିଲାଣି । ଆଉ ଘୂରେଇ ଫେରେଇ ଲାଭ କ’ଣ ? ଏବେ ସିଧାବାଟକୁ ଚାଲି ଆସିବା ଭଲ । କିଛି ସମୟ ରହି ସେ କହିଲା–“ପାଣି ଭିତରେ ଆପଣ ଆଉ କୁଆଡ଼େ ଯିବେ ? ଆପଣ ଗଲେ ବି ଲଞ୍ଚ୍ ରେ ତ କେହିହେଲେ ରହିବେ । ମୁଁ ଆଦୌ ଡରିବି ନାହିଁ, ଯିବି ।”

 

ସେତିକିରେ କଥାବାର୍ତ୍ତା ଶେଷ ହେଲା । ଲଞ୍ଚ୍‌ ଚାଲିଲା ରାମାକାନ୍ତ ଆଉ ଉର୍ମିଳାକୁ ଛାତିରେ ଧରି ।

 

ସାମନାରେ ଖୁବ୍‌ ଉଚ୍ଚ ବାଲିଚରା । ମଝିର ଟାପୁଟା ବେଶ୍‌ ଦିଶୁଛି । ଚାରି ପାଖରେ ଘେରି ରହିଛି ପାଣି, ସ୍ଥାନେ ସ୍ଥାନେ ଆଠ ଫୁଟରୁ ଦଶ ଫୁଟ ଯାଏ, କିନ୍ତୁ ମଝି ଜାଗାଟା ଉଚ୍ଚା । ଟାପୁ ଚାରି ପାଖରେ କେତୋଟି ଶବ ଲାଗିଛି । ଊର୍ମିଳାର ଲୋମ ଟାଙ୍କୁରି ଉଠିଲା । ପାଣିରେ ବୁଡ଼ିରହି ଶବଗୁଡ଼ିକ ଫୁଲି ଉଠି ବିକୃତ ହୋଇ ଆସିଲାଣି । ଗୋଟିଏ ସ୍ତ୍ରୀ ଶବ–ଦେହରେ ଭରି ରହିଛି ସୁନାର ଅଳଙ୍କାର ।

 

ବର୍ଷକର ଅଲିଅଳ ସନ୍ତାନଟିଏ କାଖରେ ଧରି ମୃତ୍ୟୁ ମୁଖରେ ପଡ଼ିଚି । ଆରପାଖକୁ ଦୁଇଟି ତେର ଚଉଦବରଷର ପିଲାଙ୍କ ଶବ ଭାସୁଛି–ଉଭୟ ଗାଢ଼ ଆଲିଙ୍ଗନ ପାଶରେ ଆବଦ୍ଧ । ସ୍ଥାନେ ସ୍ଥାନେ ଗୋରୁ, ଛେଳି, ମଇଁଷୀ, କୁକୁର ଆଉ ସାପମାନେ ମଧ୍ୟ ମରି ଭାସୁଛନ୍ତି–ଉର୍ମିଳାକୁ ଳାଗିଲା ସେ ଯେମିତି ଶବର ସମୁଦ୍ର ପାରି ହେଉଛି ।

 

ନ ଆସିଥିଲେ ବୋଧହୁଏ ଭଲ ହୋଇଥାନ୍ତା । ସ୍ତ୍ରୀ ସୁଲଭ ଦୁର୍ବଳତା ତ ତା’ର ଅଛି । ବିଭତ୍ସ ରୂପରେ ପ୍ରକୃତି ଆଜି ଯେମିତି ପ୍ରକଟିତ ହେଉଛି, ତା’ ବାସ୍ତବିକ୍‌ ଉୟାବହ ।

 

ଲଞ୍ଚ୍ ପାଖଦେଇ ପୁଣି ଭାସିଗଲା ଗୋଟିଏ ନଗ୍ନ ବାଳିକାର ଶବ । ବୟସ ହେବ ସତର କିମ୍ବା ଅଠର । ଯୌବନର ସ୍ପର୍ଶ ବେଶ୍‌ ସୁସ୍ପଷ୍ଟ ଦେହରେ । ମାତ୍ର ମାଟିର ମର କଳେବର ଆଜି ମାଟି ହୋଇ ଯାଇଛି । ରମାକାନ୍ତଙ୍କର ଦେହ ଥରି ଉଠିଲା, କି ଦୃଶ୍ୟ ଆଜି ସେ’ ଦେଖୁଛନ୍ତି !

 

ଏକ ସମୟରେ ବହୁତ ଲୋକର ଆର୍ତ୍ତନାଦ ଶୁଭିଲା । କିଛି ଦୂରରେ ଗୋଟିଏ ଅଶ୍ଵତ୍‌ଥ ଗଛରେ ଆଶ୍ରୟ ନେଇଛନ୍ତି କେତେଜଣ ଲୋକ । କାତର ମିନତି ଜଣେଇ ସେମାନେ ଲଞ୍ଚ୍‌କୁ ଡାକୁଛନ୍ତି । ଲଞ୍ଚ୍ ସେଇଆଡ଼କୁ ଚାଲିଲା ।

 

“ଭୁସ୍”–ଭାରି ଜୋର୍‌ରେ ଶବ୍ଦଟାଏ ହେଲା, ପାଣି ଛିଟିକି ଉଠିଲା । ଗଛରୁ ଥିବା ଲୋକ ଚିତ୍କାର କରି ଉଠିଲେ–ବିନୋଦ ପଡ଼ିଗଲା ପାଣିରେ । ଚେତନା ନାହିଁ । ରମାକାନ୍ତ ଲଞ୍ଚ୍ ଉପରୁ ପାଣିକି ଡିଆଁ ମାରିଲେ । ପହଁରି ପହଁରି ଯାଇ ଅଚେତନ ଶରୀରକୁ ଉଠେଇ ଆଣିଲେ ଲଞ୍ଚ୍‌ ଉପରକୁ । ବେଶ୍ ସୁଦର୍ଶନ ଯୁବକ, ମାର୍ଜିତ ରୁଚିର । ଲୋକେ କହିଲେ ବି. ଏ ପାସ କରିଛି । ଓପାସ ରହି, ସେଇ ଦାଉରେ ଚେତନା ହରେଇ ଗଛରୁ ଖସି ପଡ଼ିଥିଲା । ଯା’ହଉ ବଞ୍ଚିଗଲା ।

 

ଅଶ୍ଵତ୍‌ଥ ଗଛରୁ ଓହ୍ଲେଇ ଲୋକମାନେ ଲଞ୍ଚ୍ ରେ ବସିଲେ । ଗୋଟାଏ ବିରାଟ ଗାଁ–ଘର ପ୍ରାୟ ତିନିଶ ସରିକି ହେବ । ଏଇ ପନ୍ଦର କୋଡ଼ଏଟି ମଣିଷ ଛଡ଼ା ଆଉ କାହାର ପତ୍ତା ନାହିଁ । ଘରସବୁ ଧ୍ୱଂସ ହେଇ ଯାଇଛି । ବିରାଡ଼ି, କୁକୁର ପ୍ରଭୃତି ଗୃହପାଳିତ ପଶୁ ସମୂଳେ ଧ୍ଵଂସ ହେଇ ଯାଇଛନ୍ତି । ସେମାନଙ୍କ ଭିତରୁ ଜଣେ ଲୋକ କହିଲା–“ବାବୁ ଏଡ଼େବେଗେ ପାଣି ପଶି ଆସିଲା ଯେ; କେହି ସତର୍କ ହୋଇ ପାରିଲେ ନାହିଁ । ପାଣିର ଶବ୍ଦରେ ତ ସ୍ତ୍ରୀ ଲୋକ କେତେଜଣ ମୂର୍ଚ୍ଛା ହୋଇଗଲେ ।’’

 

ଆଉ ଜଣେ ସେମାନଙ୍କ ଭିତରୁ କାନ୍ଦୁଛି । ତା’ର ଦୁଃଖ ଅମାପ । ବନ୍ଧ ଭାଙ୍ଗି ପାଣି ପଶି ଆସିବାବେଳେ ତା’ ସ୍ତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲା, କୁଆଡ଼େ ପଳାଇଯାଇ ନ ପାଈ ପାଣି ସୁଅରେ ଭାସିଗଲା । ଭାରି ଗରିବ ଲୋକ, ବହୁଦିନ ବାହାହେଇ ନ ପାରି ଦୁଇବର୍ଷ ତଳେ ସମସ୍ତ ଜମି ବିକ୍ରି କରି ସତରଶ’ଟଙ୍କା ଦେଇ ବାହା ହୋଇଥିଲା–ତା’ର ପୁଣି ଏ ଦୁର୍ଯ୍ୟୋଗ । ସବୁ ତ ସହିବାକୁ ହେବ । ଦିନରାତି ଯିଏ କରିଛି, ସୁଖରେ ମଣିଷକୁ ଯେ ଭସାଏ, ଦୁଃଖ ତ ତା’ରି ସୃଷ୍ଟି; ପୁଣି ଏଇ ମଣିଷର ଭୋଗ ପାଇଁ । ରାଜାର ଆସନରେ ଯେଉଁଲୋକ ବସି ଆଜି ଧରାକୁ ସ୍ଵର୍ଗ ଭଳି ଜ୍ଞାନ କରେ, କାଳଚକ୍ରର ଆବର୍ତ୍ତନରେ ସେ ପୁଣି କାଲି ଫକିର ବେଶରେ ଝୁଲା କୌପୀନ ନେଇ ଦ୍ଵାର ଦ୍ଵାର ଘୂରି ବୁଲେ । ଏହାମୂଳରେ ଯେଉଁ ତତ୍ତ୍ଵ ଥାଉନା କାହିଁକି; ଏ ତ ନିରାଟ ସତ୍ୟ । ଆମର ଆଖି ଆଗରେ ତ କେତେ ଲୋକ ରୋମ୍ ସହର ପରି ଗୌରବର ଶୀର୍ଷ ସ୍ଥାନକୁ ଯାଇ ଆଖି ପିଛୁଡ଼ାକେ ପୁଣି ଜଳି ଯାଉଛନ୍ତି । ନିହାତି ଭାଗ୍ୟହୀନ ଦରିଦ୍ର କୋଟିପତି ହୋଇଯାଇଛି ଆଉ କେଉଁଠି କୋଟିପତି ଭିକ୍ଷୁକ ବେଶରେ ହାତପାତି ଘୂରି ବୁଲୁଛି । ରାଜନୈତିକ ନେତାମାନଙ୍କ ଜୀବନରେ ଏହା ତ ଦୈନଦିନ ଘଟଣା ।

 

ସାମନାରେ ଗୋଟିଏ ଚାଳ ଉପରେ ଏକ ସଙ୍ଗରେ ରହିଛନ୍ତି ବିରାଡ଼ି, କୁକୁର ଆଉ ଶିଆଳ ପରସ୍ପରର ଶତ୍ରୁତା ଭୁଲି । ଜୀବନ ବିକଳରେ ସେମାନେ ସମସ୍ତେ ଭୁତ ପ୍ରାୟ । ପ୍ରକୃତିର ଆକ୍ରମଣରେ ସମସ୍ତେ ଅସ୍ଥିର ।

 

ଊର୍ମିଳାର ଚଞ୍ଚଳ ନୟନ ଯୋଡ଼ିକ ଚାରିଆଡ଼େ ଘୂରି ଆସୁଛି । ପରିଚିତ ମୁହଁର ସନ୍ଧାନରେ ମନପ୍ରାଣ ନିୟୋଜିତ । ବାହାରର ଢେଉ ସଙ୍ଗରେ ତାଳ ଦେଇ ନାଚି ଉଠୁଚି ଭିତରର ଢେଉ । ମୁହଁ ଖୋଲି ସେ କାହାରିକୁ କହି ନାହିଁ–କହି ବି ପାରିବ ନାହିଁ । କିଏ ଅଛି ? କାହାକୁ ସେ କହିବ ? ରମାକାନ୍ତବାବୁଙ୍କ ପାଖରେ ନିଜର ଦୁର୍ବଳତାକୁ ପ୍ରକାଶ କରିବା ପାଇଁ ସାହସ ହୁଏ ତ ତା’ର ନାହିଁ । ସେ କ’ଣ ଭାବିବେ ? ଦୁନିଆ କ’ଣ ଭାବିବ ? ଅଭିଆଡ଼ି ଝିଅର ଦରଗଢ଼ା ଛାତିରେ ଭୟ ଆଉ ସଙ୍କୋଚ । ପାଣି ତଳେ ସେ ଯେମିତି ଦେଖୁଛି ଗୋଟିଏ ସୁନ୍ଦର ମୁହଁ, ଯୋଡ଼ିଏ ତୁଷାର୍ତ୍ତ ନୀଳ ଆଖି, ଆଉ ସେଇ ଆଖି, ସେଇ ମୁହଁ ହେଉଛି ହରେନ୍ଦ୍ରବାବୁଙ୍କର । ତାଙ୍କର ଚିନ୍ତା ଯେମିତି ଆଜି ବେଶୀ ନିବିଡ଼ ହେବାକୁ ଯାଉଛି । ହଜି ଯାଉଥିବା ରତ୍ନପାଇଁ ମନ ଭିତରକୁ ଆସେ ଅସୀମ ବ୍ୟାକୁଳତା, ବିଚ୍ଛେଦରେ ପ୍ରଣୟ କରେ ଗଭୀର ରେଖାପାତ । ଅତୀତ ସ୍ମୃତିରେ ମଣିଷର ମନ ଭିତରେ ସମୟେ ସମୟେ ଯେଉଁ ଅଚାନକ ଝଡ଼ ଉଠେ, ତାରି ବେଗରେ ମଣିଷ ନିଜକୁ ସମ୍ଭାଳି ପାରେ ନା ।

 

ହରେନ୍ଦ୍ରବାବୁଙ୍କର ପତ୍ତା ମିଳି ନାହିଁ–ମିଳିବ କି ନାହିଁ ତାହା କାହାରିକୁ ଜଣା ନାହିଁ । ତଥାପି ଊର୍ମିଳା ମନ ଭିତରେ ଦମ୍ଭ ରଖିବାକୁ ଚେଷ୍ଟା କରୁଛି–ଭାଙ୍ଗି ପଡ଼ିଲେ ତ ହେବ ନାହିଁ । ଲଞ୍ଚର ଶବ୍ଦରେ ମନର ଭାବନା ବେଳେବେଳେ ଅଡ଼ୁଆ ହୋଇ ଯାଉଛି । ଏ ମୁହୂର୍ତ୍ତରେ ବି ରମାକାନ୍ତ ମଝିରେ ମଝିରେ ହସ ସୃଷ୍ଟି କରୁଛନ୍ତି –ଅଦ୍ଭୁତ ଲୋକ । ଲୋକ ନୁହେଁ ତ ସେ ଯେମିତି ଗୋଟାଏ ବିରାଟ ମେସିନ ।

 

ଅତଳ ଜଳ ଭିତରେ କାଠର ଟେବୁଲଟିଏ ଭାସି ଆସୁଛି–ଛ’ ଟି ଲୋକ ତାକୁ ଧରି ଭାସି ଚାଲିଛନ୍ତି କିନ୍ତୁ କାହାରି ଦେହରେ ପ୍ରାଣ ନାହିଁ । ମୁଣ୍ଡ ଉପରେ ଘୂରି ବୁଲୁଛି ଗୋଟାଏ ଉଡ଼ାଜାହାଜ । ଚାଉଳ ବସ୍ତାମାନ ସେଥିରୁ ପଡ଼ୁଛି ତଳକୁ–ପାଣି ଭିତରେ କେତେ ଅଦୃଶ୍ୟ ହୋଇଯାଉଛି । ଯିଏ ଅଳପ ପାଣିରେ ପଡ଼ୁଚି, ତାକୁ ନେବାପାଇଁ ସ୍ଥାନେ ସ୍ଥାନେ ମୁଣ୍ଡ ଫଟାଫଟି । ଖାଦ୍ୟପାଇଁ ବିରାଡ଼ି କୁକୁର ବି ଏମିତି ହେବେ ନାହିଁ । ଜୀବନକୁ ପାଣି ଛଡ଼େଇ ଚାଉଳ ଆଶାରେ ଲୋକେ ଉପରକୁ ଚାହିଁ ହାତ ପାତୁଛନ୍ତି । ବସ୍ତା ପଡ଼ି କେତେ ଲୋକ ଆହତ ହେଲେଣି । ତଥାପି କାହାର ଭ୍ରୂକ୍ଷେପ ନାହିଁ । ଚାଉଳ ପରେ ପରେ ଉଡ଼ାଜାହାଜ ଦେହରୁ ପୁଣି ପଡ଼ିଲା ମହାପ୍ରସାଦ ପୁଡ଼ିଆ । ଅଧମ ମଣିଷର ନିର୍ମାଲ୍ୟ । ସେ କେତେ ଜଣ ପାଇଲେ ସେମାନେ ତା’ର ସଦ୍‌ ବ୍ୟବହାର ଆଖି ପିଛୁଡ଼ାକେ କରି ଦେଲେ । ଯେଉଁମାନେ ନ ପାଇଲେ ସେମାନେ ତାଙ୍କର ଭାଗ୍ୟକୁ ନିନ୍ଦା କଲେ ।

 

ରମାକାନ୍ତ ବେତାରବାର୍ତ୍ତା ପଠାଇଲେ–ଆଉ ଯେମିତି ଉଡ଼ାଜାହାଜରୁ ଚାଉଳ ବସ୍ତା ଏମିତି ଭାବରେ ଫିଙ୍ଗା ନ ଯାଏ । ନଈବଢ଼ିରୁ ଯେଉଁମାନେ ବର୍ତ୍ତିଛନ୍ତି, ସେମାନଙ୍କ ଭିତରୁ ଅନେକ ହୁଏତ ଚାଉଳ ବସ୍ତା ପଡ଼ି ପ୍ରାଣ ହରାଇବେ ।

 

ନୂଆ ଗାଁ, ବତୀମାରି, ହଳଦୀପଦା, ରାଣୀପଡ଼ା, ଗୋଷଣୀଦେଈପୁର ଗ୍ରାମଗୁଡ଼ିକର ଅସ୍ତିତ୍ଵ ହଜି ଯାଇଛି । ପଣ୍ଡାସାହି ଭିତରେ ଗୋଟିଏ ଭାସିଯାଉଥିବା ଛପର ଉପରେ କେତେ ଜଣ ମୃତପ୍ରାୟ ଲୋକ ଆଶ୍ରୟ ନେଇଥିଲେ, ତାଙ୍କରି ଭିତରୁ ଜଣେ ଖୁବ୍ ପାଟି କରି ଉଦ୍ଧାର ପାଇଁ ଲଞ୍ଚକୁ ପାଖକୁ ଡାକିଲା । ଲଞ୍ଚ୍ ସେଠାକୁ ଯାଉଁ ଯାଉଁ ଜଣେ ଲୋକ ଜଳମଗ୍ନ ହୋଇଗଲା । ଗୋଟିଏ ଟାପୁ ଉପରେ କେଉଁ ଏକ ଗାଁଆର ଦୁଇଶହ ଯାଏ ଗୋରୁ ଛିଡ଼ାହୋଇ ଆକୁଳ ହମ୍ପାରଡ଼ିରେ ମେଦିନୀ ଫଟାଉଥିଲେ; କିନ୍ତୁ ହଠାତ୍ ସ୍ରୋତର ପ୍ରବଳ ବେଗରେ କିଏ କୁଆଡ଼େ ଭାସି ଗଲେ । ଆଗରେ ଗରାପୋଖରୀ ଡିହ । ଲଞ୍ଚ୍ ଯାଉଁ ଯାଉଁ ହଠାତ୍ ବନ୍ଦ ହୋଇଗଲା । କିଏ ଚିତ୍କାର କରି ଉଠିଲା–‘କୁମ୍ଭୀର’ । ବିକଟାଳ ମୂର୍ତ୍ତି । ରମାକାନ୍ତବାବୁ ଓ ଊର୍ମିଳା ଦେଖିଲେ ଯୋଡ଼ିଏ କୁମ୍ଭୀର ଯେମିତି ଲାଞ୍ଜ ପିଟି ଅବସ୍ଥାକୁ ଆହୁରି ଭୀଷଣ କରିଛନ୍ତି । ବାଁ ପାଖରେ ଥିବା ବାଉଁଶବୁଦା ଦେହରେ କୃଷ୍ଣକାୟ ବଡ଼ ବଡ଼ ସାପଗୁଡ଼ା ଫଣା ତୋଳି ରହିଛନ୍ତି । ସେମାନେ ବି ନିରାଶ୍ରୟ, ଆଶ୍ରୟ ଚାହାନ୍ତି ।

 

ମହାଭାରତ ଯୁଦ୍ଧର ଶେଷ ପର୍ବରେ ରକ୍ତ ନଦୀ ଉପରେ ଯେମିତି ଅଗଣିତ ଶବ ଭାସି ଯାଉଥିଲା, ଆଖି ଆଗରେ ହୁଏତ ତାହାର ପୁନରାବୃତ୍ତି–ନଦୀ ସ୍ରୋତରେ ଅମାବାସ୍ୟା ଢେଉ, ଆକୁଳପ୍ରାଣୀର ମର୍ମନ୍ତୁଦ ଆର୍ତ୍ତନାଦ, ଜଳ ଭଉଁରିରେ କୁମ୍ଭୀରର ଭୀମରୂପ ପୃଥିବୀ ପ୍ରଳୟ ହେବ କି କ’ଣ ? ମାଳିକାକାର ପରା ବହୁପୂର୍ବରୁ କହିଥିଲେ–ଦଳେଇଘାଇ ଭାଙ୍ଗି ଜଲସ୍ରୋତ ଝଙ୍କଡ଼ ଶାରଳା ମନ୍ଦିର ଭିତରେ ପଶିବ–ପାଣି ଭିତରୁ ବାହାରିବ ବଉଳା କୁମ୍ଭୀର । ସବୁ ସତ ହେଇଛି । ନାଇଲୋ ଗାଁ ମଧ୍ୟ ଦେଇ ସୃଷ୍ଟି ହେଇଛି ଗୁପ୍ତଗଙ୍ଗା ।

 

ସାତୋଟି ଲଞ୍ଚରୁ ଚାରୋଟି ଲଞ୍ଚ ଖରାପ ହେଇ ପଡ଼ିଲାଣି । କଟକରୁ ଆଉ ଲଞ୍ଚ୍ କିମ୍ବା ଡଙ୍ଗା ପହଞ୍ଚୁ ନାହିଁ–ରମାକାନ୍ତଙ୍କ ମୁହଁରେ ଅସୁସ୍ଥ ର ଚିହ୍ନ । ପାଖରେ ବି ଖାଦ୍ୟ ନିଅଣ୍ଟ ହେଲାଣି । ହୁଏତ ତାଙ୍କୁ ଫେରିଯିବାକୁ ହେବ କଟକ ।

 

ଊର୍ମିଳାକୁ ସେ ଏଇକଥା ଜଣେଇଦେଲେ । ସେ ଆଶ୍ଚର୍ଯ୍ୟ ହେଇ ପଚାରିଲା–‘ଫେରିଯିବେ ? ଏତେଗୁଡ଼ାଏ ଲୋକଙ୍କୁ ଏମିତି ଦୁର୍ଦ୍ଦଶାରେ ରଖି ଆପଣ ଫେରିଯିବେ କେମିତି କଟକ ?’

 

ସମ୍ମୁଖରେ ତାଙ୍କର ସତେ ଯେମିତି ଠିଆ ହୋଇଛି ମୂର୍ତ୍ତିମତୀ ପ୍ରେରଣା–ନୟନରେ ଦୀପ୍ତି ରାଗ । ସେ ଫେରିଯିବେ କେମିତି ? ନା, ସେ ଫେରିଯିବେ ନାହିଁ । ଭୋକଶୋଷକୁ ତୁଚ୍ଛ କରି ତାଙ୍କୁ କାମରେ ଲାଗିବାକୁ ହେବ ।

 

ସେ କହିଲେ–‘ତୁମେ ଯଦି ପାଖରେ ନ ଥାନ୍ତି, ମୁଁ ହୁଏତ ଭାଙ୍ଗି ପଡ଼ନ୍ତି ଊର୍ମି !'

 

ଊର୍ମିଳା ମୁହ ରେ ସଲଜ୍ଜଭାବ ।

 

ରମାକାନ୍ତ ପୁଣି କହିଲେ–‘କାମ କରିବା ପାଇଁ ଜଣେ ସଙ୍ଗୀ ଆବଶ୍ୟକ । ସତ କହୁଛି, ତୁମେ ନ ଥିଲେ ମୁଁ ଏତେ କାମ କରିପାରନ୍ତି ନାହିଁ ।’

 

‘କେବେ ନୁହେଁ । ଆପଣ ସାହସୀ, ସେବକ । ବନ୍ୟା ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଜୀବନକୁ ତୁଚ୍ଛ ମଣିଛନ୍ତି, ଆପଣ ତ ମଣିଷ ନୁହନ୍ତି, ଦେବତା । ମଣିଷ କ’ଣ ଏତେଗୁଡ଼ାଏ କଷ୍ଟ ସହିପାରେ ?’’

 

‘ଛି, ଏତେଗୁଡ଼ାଏ ପ୍ରଶଂସା ଏକ ସଙ୍ଗରେ ଢାଳି ଦେଲେ; ମୁଁ ବି ହୁଏତ ତା’ରି ଭାରରେ ବୁଡ଼ି ଯିବି ।’

 

ହସିଲେ ରମାକାନ୍ତ–ପ୍ରଥମଥର ପାଇଁ ସେ ଦୃଷ୍ଟାମୀର ହସ ହସିଲେ । କୁଟୀଳ ହେଇ ଉଠିଲା ଆଉରି ତାଙ୍କର ଭ୍ରୂଲତା । ପରିଶ୍ରମ ପରେ ଆଦର, ସ୍ନେହ ସେ ଚାହାନ୍ତି, ନୋହିଲେ ବଞ୍ଚିବେ କେମିତି ? ସେଇତକ ଆଦର–ସ୍ନେହ ଦେବାକୁ ଊର୍ମିଳା ବା କେବେହେଲେ କୁଣ୍ଠିତ ହେବ ନାହିଁ ।

 

‘ମଣିଷ ହିସାବରେ ଅନ୍ୟ ମଣିଷ ପ୍ରତି ମୋର କର୍ତ୍ତବ୍ୟ ମୁଁ କରୁଛି । ସେଇତକ ନ କଲେ ମୁଁ ହେବି ସ୍ଵାର୍ଥପର ପଶୁ । ତୁମେ ତ ଦେଖୁଚ, ଯାହା କରିବାର କଥା ତା’ଠୁ କଣ ମୁଁ ଅଧିକ କିନ୍ତୁ କରୁଚି ?’’

 

ମହନୀୟ ତାଙ୍କର ଆଦର୍ଶ–ମାନବିକତାର ଉଜ୍ଜ୍ୱଳ ଧର୍ମରେ ମୁଖମଣ୍ଡଳ ତାଙ୍କର ଉଦ୍ଭାସିତ ।

 

ଊର୍ମିଳା ଏଇ ବିରାଟ ମଣିଷ ସାଙ୍ଗରେ ନିଜକୁ ତଉଲାଉଥିଲା; କିନ୍ତୁ ନରମ ହୋଇ ଆସୁଥିଲା ତା’ର ହୃଦୟ । ବାସ୍ତବିକ୍ ସେ କେତେ କ୍ଷୁଦ୍ର । ମନେ ହେଉଥିଲା ଯେମିତି ସେ ସଂସାରକୁ ଭଲରୂପେ ଚିହ୍ନି ପାରି ନାହିଁ । କେଡ଼େ ସୀମିତ ତା’ର ଜ୍ଞାନ । ସେ ନିଜକୁ ଯେତେ ଛୋଟ ମନେ କରୁଥିଲା, ରମାକାନ୍ତ ତା’ ଆଗରେ ସେତିକି ବିରାଟ ହେଇ ଉଠୁଥିଲେ ।

 

ଶୀତଳ ପବନରେ ଅଞ୍ଚଳ ତା’ର ଉଡ଼ି ବୁଲୁଥିଲା ଏଣେତେଣେ । ବିପର୍ଯ୍ୟସ୍ତ କେଶର ସୁଷମା ତା’ର ସୌନ୍ଦର୍ଯ୍ୟକୁ ଆଉରି ଦ୍ଵିଗୁଣିତ କରି ତୋଳୁଥିଲା–ରମାକାନ୍ତ ହେଉଥିଲା ଆତ୍ମହରା । ଲଞ୍ଚ ଆଜି ଲଞ୍ଚ ନୁହେଁ । ଦିଗନ୍ତବିସ୍ତାରୀ ଜଳରାଶି ମଧ୍ୟରେ ସେ ଯେପରି ଗୋଟିଏ ପଦ୍ମଦୀପ । ଆଖି ଆଗରେ ଭବିଷ୍ୟତର ଛବି, ସୁନ୍ଦର ଏବଂ ମଧୁମୟ ।

 

ଆଉ ଫେରିବାକୁ ନ ପଡ଼ନ୍ତା କି ! ଭାବପ୍ରବଣ ହେଇ ଉଠୁଚି ମନ ।

 

‘ଊମି’–ଡାକିଲେ ରମାକାନ୍ତ । କଣ୍ଠ ତାଙ୍କର ଆର୍ଦ୍ର ।

 

‘ହଁ, କ’ଣ କୁହନ୍ତୁ ।’

 

‘ବହୁତ କହିବାର ଅଛି, ଶୁଣିବ ?’

 

‘ଶୁଣିବିନି କାହିଁକି ? ଆପଣ କୁହନ୍ତୁ, ମୁଁ ଶୁଣିବାକୁ ପ୍ରସ୍ତୁତ ।’’

 

‘ତୁମେ କେଉଁଠି ଥିଲ, ମୁଁ କେଉଁଠି ଥିଲି, ଅକସ୍ମାତ୍‌ ତମର ମୋର ପରିଚୟ । ଜୀବନର ମହାସଙ୍କଟରେ ଆମେ ଦୁଇଜଣ ବନ୍ଧୁ ।’

 

ଆପଣ ସରକାରୀ କର୍ମଚାରୀ, ଜାଗାକୁ ଜାଗା ଯିବା ଆପଣଙ୍କର କର୍ତ୍ତବ୍ୟ । ନୂଆ ପରିଚୟ, ନୂଆ ନୂଆ ବନ୍ଧୁ ଆପଣଙ୍କର ତ ଦେହସୁହା ହୋଇଯିବଣି ।’

 

‘ବହୁତ ପରିଚୟ କରିଚି ସତ, କିନ୍ତୁ ଏ ପରିଚୟ ତ କାହାରି ସହିତ ମୋର ହୋଇ ନାହିଁ-। ମନେ ପଡ଼ୁନି ମୋର, କେବେ କୌଣସି ଅଜଣା ଝିଅ ସହିତ ପରିଚୟ ହୋଇଛି ବୋଲି-।’

 

‘କେତେ ବଡ଼ ବଡ଼ ଜାଗାରେ ଆପଣ ପାଠ ପଢ଼ିଥିବେ....’

 

‘ହେଲେ ବି, ଝିଅଙ୍କ ସହିତ ପରିଚୟ ତ ଦୂରର କଥା, ମୁହଁ ବି ମୁଁ ଦେଖି ନାହିଁ ।

 

‘ସତ କହୁଛନ୍ତି ଆପଣ ?’

 

‘ମିଛ ବା କହିବି କାହିଁକି ? ବୁଝିଲ ଊମି, ମୁଁ ଠିକ୍ ଯୁଧିଷ୍ଠିରଙ୍କ ପରି ସତ୍ୟବାଦୀ । ବୁଝିଲ ନା ନାହିଁ ମ ?’

 

ଊର୍ମିଳା ମୁହଁରେ ଈଷତ୍ ହସର ନାଲିମା ।

 

ରମାକାନ୍ତ ପୁଣି କହିଲେ–‘ତୁମେ ମୋ ସାଙ୍ଗରେ ଲଞ୍ଚରେ ଚାଲି ଆସିଲ, ତୁମ ବାପା କିଛି ଭାବି ନ ଥିବେ ।’

 

‘ନା, ବାପା ମୋର ସେମିତିକା ଲୋକ ନୁହନ୍ତି ।’

 

ଚୂପ ରହିଲେ ସେ ।

 

ଊର୍ମିଳା ପୁଣି କହିଲା–‘ବାପାଙ୍କର ମୋ ଖୁବ୍ ଉପରେ ବିଶ୍ଵାସ ଅଛି । କ’ଣ ପାଇଁ ସେ ଖରାପ ଭାବିବେ ? ମୁଁ ତ ସେମିତି କିଛି ଦୋଷ କରି ନାହିଁ । ମା ମରିଯିବାଠୁ ବାପା ମତେ ଦି’ ହାତରେ ବଢ଼େଇ ଆଣିଛନ୍ତି, ଖୁବ୍‌ ଭଲ ପାଆନ୍ତି–ମୋ ପ୍ରତି ତାଙ୍କର ଟିକିଏ ହେଲେ ସନ୍ଦେହ ନାହିଁ-।’

 

‘ତୁମ ବାପା ବି ବେଶ୍‌ ଭଲ ଲୋକ ଆଉ ତୁମଭଳି ଝିଅର ଯେତେବେଳେ ବାପା, ସେ ତ ନିଶ୍ଚୟ ଭଲ ହେବାର କଥା, ନୁହେଁ ?’

 

‘ହେଇପାରେ ।’

 

‘ହେଇପାରେ ? କ’ଣ ମୋ କଥାରେ ସତ୍ୟତା ନାହିଁ ?

 

‘ତା’ ଆପଣ ଜାଣିଥିବେ ।’ “ମୋ’ଠୁତ ତୁମେ ଜାଣିବା କଥା ।”

 

“ଧରନ୍ତୁ ମୁଁ ଜାଣିଛି ।”

 

“ବାସ୍‌ । ସେତିକି କହିଦେଲେ ତ କଥା ଛିଡ଼ିଗଲା । ଏତେ ବୁଲେଇ ବଙ୍କା କରି କହିଲେ ଲାଭ କ’ଣ ?”

 

ବଙ୍କା । କଥା ? କାହିଁକି ଆଜି ସେ’ ବଙ୍କା କରି କଥା କହୁଛି ? ଚିନ୍ତାଧାରା ତା’ର ଗୋଳମାଳ ହେଇ ଆସିଲା । ଅସଞ୍ଜତ କେଶଗୁଚ୍ଛରେ ତା’ର ହାତ ବୁଲେଇ ଆଣି ରମାକାନ୍ତ ଆର୍ଶୀବାଦ କଲେ–‘ଜୀବନରେ ତମେ ସୁଖୀ ହୁଅ ।”

 

ମୁଣ୍ଡ ହଲେଇ ଗ୍ରହଣ କଲା ସେ । ନଈପାଣିରେ ଅସମ୍ଭବ ଭାବରେ ଥରି ଉଠୁଚି ମଟରଲଞ୍ଚ, ଅସମତଳ ସମସ୍ତ ରାତିରେ ଥରିଉଠେ ଯେମିତି ମଣିଷର ମନ ।

 

–ଛଅ–

 

ଚାରିଆଡ଼ୁ ଉଠିଲାଣି ଦୁର୍ଗନ୍ଧ । ଦିନରାତି ଅଖିଆ, ଅପିଆ ରହି ଗଛକୁ ଆଶ୍ରୟ କରି ରହିଥିବା ଲୋକମାନେ ନିସ୍ତେଜ ହୋଇ ପଡ଼ିଲେଣି । ଆଖି ବନ୍ଦ କରିବାର ଉପାୟ ନାହିଁ । ଯେ ବା ଅଜାଣତରେ କେତେବେଳେ ଟିକିଏ ଢୋଳେଇ ପଡ଼ୁଛି, ହାତ ତା’ର ସଙ୍ଗେ ସଙ୍ଗେ ଖସିଯାଉଛି, ଆଉ ସେ ଖସି ପଡ଼ୁଛି ତଳେ । ତା’ପରେ ଯେ କୁଆଡ଼େ ଚାଲିଯାଉଛି କେହି ଜାଣିପାରୁ ନାହାନ୍ତି ।

 

କଟକର ବିଭିନ୍ନ ଅନୁଷ୍ଠାନରୁ ସ୍ଵେଚ୍ଛାସେବକଦଳ ପହଞ୍ଚିଗଲେଣି । ସରକାରୀ ସ୍ଵେଚ୍ଛାସେବକଦଳ ମଧ୍ୟ ପହଞ୍ଚିଛନ୍ତି । ବହୁ ଗ୍ରାମକୁ ଯିବା ଦୁଃସାଧ୍ୟ ହୋଇପଡ଼ୁଛି । ଗୋଟିଏ ଗୋଟିଏ ସଡ଼କ ଉପରେ ଅକାତ ପାଣି ଚାଲିଛି । ଏଣେ ସାପର ଭୟ । ଉପରୁ ବର୍ଷା । ସ୍ଥାନେ ସ୍ଥାନେ ଶବସବୁ ବିକଟାଳ ମୂର୍ତ୍ତି ଧାରଣ କରି ମନରେ ବିକାର ସୃଷ୍ଟି କରୁଛନ୍ତି । ଉପର ଆକାଶରେ ବିଞ୍ଚି ହୋଇ ଉଡ଼ି ବୁଲୁଛନ୍ତି ଶାଗୁଣାର ପଲ । ମଣିଷମାଂସରେ ସେମାନର ଭୋଜି ଚାଲିବ ।

 

କେନାଲ୍ ଆଡ଼ିରେ ଚାଲିଛନ୍ତି ରମାକାନ୍ତ । ଭୀଷଣ ଅନ୍ୟମନସ୍କ ।

 

‘‘ଆଃ–” ହଠାତ୍‌ ଡିଆଁ ମାରି ଉଠିଲେ ସେ –“ସାପ, ସାପଟାଏ କାମୁଡି ଦେଲା ।”

 

କଳା ସାପ ଫଣା ତୋଳି ପଳେଇଲା । ତାଙ୍କର ସମଗ୍ର ଅଂଶ ଥରିଉଠିଲା । ସର୍ପର ଦଂଶନ–କାଳ ସର୍ପର ବିଷାକ୍ତ ଦଂଶନ ।

 

ମେଡ଼ିକାଲ କଲେଜରୁ ଯାଇଥିବା ଛାତ୍ରମାନେ ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କରିଦେଲେ । ଉର୍ମିଳାର ଛାତି ଫାଟିଗଲା । ଚୈତନ୍ୟହୀନ ରମାକାନ୍ତଙ୍କର ଆଖିତଳୁ ଝରିଆସୁଛି ଧାର ଧାର ଲୁହ ।

 

‘‘କଟକ ନେଇଯିବାକୁ ହେବ–” ଜଣେ ଡାକ୍ତରୀ ଛାତ୍ର କହିଲେ–‘‘ବିଷାକ୍ତ ସାପ....”

 

ବିଷାକ୍ତ ସାପ । ପ୍ରକୃତରେ କରାଳ ରୂପର ରୂପାନ୍ତର ।

 

“ଶୀଘ୍ର ଶୀଘ୍ର ନେବାର ବ୍ୟବସ୍ଥା କରନ୍ତୁ । ସେ ଭଲ ହୋଇଯିବେ ତ ?’’ କାତର କଣ୍ଠରେ ପ୍ରଶ୍ନ କଲା ଊର୍ମିଳା ।

 

ଡାକ୍ତରୀ ଛାତ୍ର ଜଣଙ୍କ କହିଲେ–‘‘ଭୟ କରିବାର ବିଶେଷ କିଛି ନାହିଁ । ଲେକ୍‌ସନ୍ ଦିଆ ହୋଇଛି ।’’

 

ତା’ ପରେ କଟକ ଅଭିମୁଖରେ ଯାତ୍ରା–କାୟା ପଛରେ ଛାୟା ପରି ଊର୍ମିଳା ମଧ୍ୟ ରହିଛି-

 

X X X

 

କଟକ ଛାତି ସବୁ ପ୍ରକାର କୋଳାହଳରେ ଭରପୂର । ହସପିଟାଲ୍ ର ମୁଖର ୱାର୍ଡ ଉପରେ ରମାକାନ୍ତ ଶୋଇଛନ୍ତି । ପାଖରେ ବସିଛି ଊର୍ମିଳା । ମନ ଭିତରେ ଉଠୁଛି ଅସୁମାରୀ ପ୍ରଶ୍ନ-। ରମାକାନ୍ତଙ୍କ ଜୀବନରେ ହଠାତ୍ ଏ ଦୁର୍ଘଟଣା ଘଟିଲା କାହିଁକି ? ସେଥିପାଇଁ ତାଙ୍କ ନିଜ ଭାଗ୍ୟ ଦାୟୀ ନା ଊର୍ମିଳାର ମନ୍ଦ ଭାଗ୍ୟ ହିଁ ଦାୟୀ ?

 

ଏ ପ୍ରଶ୍ନର ଉତ୍ତର ମିଳୁ ନ ଥିଲା ।

 

ଇଞ୍ଜେକ୍‌ସନ ପରେ ଇଞ୍ଜେକ୍‌ସନ ଚାଲିଛି–ଡାକ୍ତର, ନର୍ସଙ୍କୁ ଅବସର ନାହିଁ । ଗୋଟିଏ ମୂଲ୍ୟବାନ୍‌ ଜୀବନକୁ ରକ୍ଷାକରିବା ଲାଗି ସମସ୍ତେ ତତ୍ପର ।

 

ଊର୍ମିଳା କେତେ ଦିଅଁ ଦେବୀଙ୍କୁ ଡାକୁଛି । ଏଭଳିଆ ମଣିଷ ଉପରେ ଏମିତି ବିପଦ ପକେଇ ଭଗବାନଙ୍କର କେଉଁ ଯଶ ରହୁଛି ? ‘‘ହେ ଭଗବାନ, ତାଙ୍କୁ ଉଦ୍ଧାର କର ।”

 

ଯଦି ତାଙ୍କର ରକ୍ଷାପାଇଁ ଦରକାର ପଡ଼େ ଆଉ ଗୋଟିଏ ଜୀବନ, ସେ ତା’ ନିଜ ଜୀବନ ଦେବାକୁ ପ୍ରସ୍ତୁତ ।

 

ଡାକ୍ତରବାବୁ, ଡାକ୍ତରବାବୁ ?” ପାଖରେ ଥିବା ନର୍ସ ଚିତ୍କାର କରିଉଠିଲା ।

 

ପାଖରେ ଥିବା ଆଉ ଗୋଟିଏ ସିଟ୍‌ରେ ରୋଗୀଟିଏ ମରିଗଲା । ମୁହଁ ଉପରେ ତା’ର ଢଙ୍କା ହୋଇଗଲା ସଫେଦ ଚାଦରଟିଏ । ଦେହ ଥରିଉଠିଲା ଊର୍ମିଳାର । ଡାକ୍ତରଖାନାରେ ଅନବରତ ଶୁଭୁଥାଏ ଜୀବନ–ମୃତ୍ୟୁର ସଙ୍ଗୀତ । ସେ ଅଭ୍ୟସ୍ତ ନୁହେଁ, ସେ ଚକିତ ହେବ ପ୍ରତି ମୁହୂର୍ତ୍ତରେ । କେମିତି ଏଠାରେ ରୋଗୀ ଦମ୍ଭ ଧରି ରହେ ? କେମିତି ଆରୋଗ୍ୟ ହୁଏ ?

 

ଦୀର୍ଘ ଚଉଦଘଣ୍ଟା ପରେ ରମାକାନ୍ତଙ୍କର ଚେତନା ଫେରିଆସିଲା–ଆରେ, ଜଳର ସାଗର ଭିତରୁ ତାଙ୍କୁ ଏଠିକି କିଏ ଆଣିଲା ? ବେଡ଼୍‌ ପାଖରେ ଗୋଟିଏ ଟିଣ ଚେୟାର ଉପରେ ବସିଛି ଊର୍ମିଳା । ସେ କିଛି ବୁଝିପାରିଲେ ନାହିଁ ।

 

ସ୍ମୃତିଶକ୍ତି ନିସ୍ତେଜ ହେଇପଡ଼ିଚି । ଊର୍ମିଳା କହିଲା ସାପକଥା । ଥରି ଉଠିଲା ତାଙ୍କର ଅନ୍ତରାତ୍ମା–ମନେ ପଡ଼ିଲା କଳା ସାପର ଉତ୍ତୋଳିତ ଫଣା । ମାନସିକ ଦୁର୍ବଳତା ।

 

ଖୁବ୍ ଧୀର କଣ୍ଡରେ ସେ କହିଲେ–‘‘ଉମି, ତମେ ମୋ ସାଙ୍ଗରେ ଚାଲି ଆସିଲ, ତୁମ ବାପା ?’’

 

“ସେ ତ ସେଇଠି ଅଛନ୍ତି ।’’

 

‘‘ବୁଢ଼ା ବାପାକୁ ଛାଡ଼ି ତମେ ଚାଲି ଆସିଲା କାହିଁକି ? ମୋର ତ ଯାହା ହବାର ହୋଇଥାନ୍ତା । ବଞ୍ଚିଗଲି ବୋଲି ସିନା, ନ ହେଲେ....

 

‘‘ଛି, ଏମିତି ଅମଙ୍ଗଳିଆ କଥାଗୁଡ଼ାକ ମୁହଁରେ କାହିଁକି ଅଣୁଛନ୍ତି ? ଆପଣଙ୍କର ଏମିତି ଅବସ୍ଥାରେ ମୁଁ ସାଙ୍ଗରେ ନ ଆସିଥାନ୍ତି କେମିତି ?”

 

“ଆସିଲ ବୋଲି ତ ବଞ୍ଚିଲି । ମରିଯାଇଥିଲେ ମତେ ସିନା ପାଣି ସୁଅରେ ଭସେଇ ଦେଇଥାନ୍ତ !”

 

‘‘ଦୁର୍ବଳ ହେଇଯାଇଛନ୍ତି ଭାରି, ଏସବୁ କଥା ମନକୁ ଆଣନ୍ତି ନାହିଁ । ତିନି ଚାରି ଦନ ବିଶ୍ରାମ ଦରକାର ବୋଲି ଏଠିକାର ଡାକ୍ତରବାବୁ କହିଗଲେ ।”

 

ମନର ବଳ କମିଯାଇଛି । ଊର୍ମିଳାର ପିଠି ଆଉଁସୁ ଆଉଁସୁ କେଉଁ ଏକ ଅପୂର୍ବ ଶିହରଣ ଖେଳିଗଲା ତାଙ୍କ ମନତଳେ । ନାରୀର ଅଞ୍ଚଳ ଭିତରେ ମୁହଁ ଲୁଚେଇ ରଖି ତାଙ୍କର ସମସ୍ତ ଦୁର୍ବଲତା ପାଇଁ ସେ ସାହସ ଠୁଳ କରନ୍ତେ–କୋମଳ ହାତର ନରମ ଇଙ୍ଗିତରେ ଜୀବନର ଦୁଃଖଗ୍ଳାନି ପାସୋରି ପକାନ୍ତେ ! ଡାକ୍ତରଖାନା ହତାର ସବୁଜ ଘାସ ଉପରେ ନିଜର ତନ୍ତୁ ମେଲେଇଦେଇ ସେ କରନ୍ତେ ଜ୍ୟୋତ୍ସ୍ନା ଆହରଣ । ସଙ୍ଗୀତମୁଖର ହୁଅନ୍ତା ରଜନୀ, ପାଖରେ ଥାଆନ୍ତା ପ୍ରାଣସଜନୀ ।

 

ଏଇ ସ୍ଵପ୍ନ ଭିତରେ ହଠାତ୍‌ ସେ ଅନୁଭବ କଲେ ପୂତିଗନ୍ଧମୟ ନର୍କର ଉପସ୍ଥିତ–ନାସିକା କୁଞ୍ଚନ କରିନେଲେ ସେ । କାଠଯୋଡି ବିଧ୍ଵସ୍ତ ଅଞ୍ଚଳରୁ ପବନ ସାଙ୍ଗରେ ଭାସି ଆସୁଛି ଯେମିତି ଗନ୍ଧ–ମନେ ପଡ଼ିଲା ସେଇ ବିଭୀଷିକା । ସିନ୍ଦୂରିତ ମନତଳେ ପୁଣି ଆଶଙ୍କାର ପ୍ଲାବନ ।

 

ଦୁଇଦିନ, ଦୁଇରାତି ଖାଡ଼ାଖାଡ଼ା ଉପବାସ ରହିଲା ପରେ ନରୋତ୍ତମ ବୋଲି ଗୋଟିଏ ପିଲା ଆସିଥିଲା ସାହାଯ୍ୟ ପାଇଁ । ସେ ତାଙ୍କୁ କହୁଥିଲା–ପାଣି ଯେତେବେଳେ ଆସିଲା, ସେ, ତା ବାପ, କକା ଆଉ ଗାଆଁ ର କେତେ ଜଣ ଗୋଟାଏ ଗଛ ଉପରେ ଚଢ଼ିଗଲେ–ପାଣିର ଅଘାତରେ ପାଖଆଖରୁ କେତୋଟି ଗଛ ଉପୁଡ଼ି ପଡ଼ିଲା । ସେମାନେ ଗୋଟେ ଦିନ ରିହିଲା ପରେ ଦ୍ଵିତୀୟ ଦିନ ରାତିରେ ବାପ ତା’ର ଘଡ଼ି ଘଡ଼ି ତାକୁ ଡାକୁଥାଏ ଆଉ କହୁଥାଏ–‘‘ଢୋଳେଇ ପଡ଼ିବୁ ନାଇଁ ରେ ପୁଅ !’’ କକାର ବଅସ ତା’ର ହେବ ତିରିଶ । ତାକୁ ବି ବେଳେବେଳେ ତାର ବାପ ସତର୍କ କରି ଦେଉଥାଏ । ତଳେ ଚାଲୁଥାଏ ଭୀଷଣ ସୁଅ । ରାତି ଶେଷ ବେଳକୁ କକା ତାର ତଳେ ଖସି ପଡ଼ିଲା । ବାପ କହିଲା–‘ହଉ, ଯା’ ହବାର ହେଇଗଲା, ତୁ ସାବଧାନ ଥିବୁ ନରୁ !”

 

ରାତି ପାହିବା ପର୍ଯ୍ୟନ୍ତ ଗଛତଳ ପାଣିରୁ ଶୁଭୁଥାଏ ଗୋଡ଼ହାତ ପିଟିବା ଶବ୍ଦ–ଆତ୍ମରକ୍ଷା ପାଇଁ ଶେଷ ଚେଷ୍ଟା; କିନ୍ତୁ କକାକୁ ରକ୍ଷା କରିବାର କୌଣସି ବାଟ ନ ଥାଏ । ସକାଳ ହେଲା, ଦେଖିଗଲା ଗୋଟାଏ କିଆବୁଦା ଭାସି ଆସି ଗଛତଳେ ଅଟକି ଯାଇଛି ଆଉ ସେଇ କିଆବୁଦା ଭିତରେ ଭାସୁଚି କକାର ମଲା ଶରୀର । କି ମର୍ମସ୍ପର୍ଶୀ ହୋଇ ନ ଥିବ ସେ ଦୃଶ୍ୟ !

 

ଡାକ୍ତରଖାନାକୁ ବହୁତ ଲୋକ ଆସୁଥାନ୍ତି ଖବରକାଗଜ ପ୍ରତିନିଧି, ଛାତ୍ରନେତା, ଦେଶପ୍ରେମୀ । ସମସ୍ତେ ଉଦ୍‌ବିଗ୍ନ ଶୁଣିବାପାଇଁ । ବାସ୍ତବ ଘଟଣା ହେଲେ ମଧ୍ୟ ଉପନ୍ୟାସର ଘଟଣାଠାରୁ ଆହୁରି ହୃଦୟବିଦାରକ । ରମାକାନ୍ତ ସମସ୍ତଙ୍କ ଆଗରେ କରୁଥାନ୍ତି ଏଇ ଲୋମହର୍ଷଣକାରୀ ଘଟଣାର ବର୍ଣ୍ଣନା–ଶୁଣିବା ଲୋକଙ୍କ ଆଖି ଆର୍ଦ୍ର ହୋଇ ଉଠୁଥାଏ ।

 

X X X

 

ସେ ଦିନ ଡାକ୍ତରଖାନାରେ ବକ୍ତା ହୋଇଥାଏ ଊର୍ମିଳା–ତାକୁ ଘେରି ବହୁତ ଲୋକ ବସିଥାନ୍ତି ।

 

ସେ କହିଲା–“ପାଣି ଯେତେବେଳେ ମାଡ଼ି ଆସିଲା, ଜଣାପଡ଼ିଲା ଯେମିତି ବଡ଼ ବଡ଼ ମେଘଖଣ୍ଡମାନ ଭାସି ଆସୁଛି । କିଆରୀ ହିଡ଼ ଉପରେ ନଈପାଣି ଦଶହାତ ଉଚ୍ଚରେ ଲହଡ଼ି ଭାଙ୍ଗୁ ଥାଏ ..... ଯେ ନ ଦେଖିଛି, ସେ କଳ୍ପନା କରିପାରିବ ନାହିଁ .....କହୁଁ କହୁଁ କଣ୍ଠ ତା’ର ବାଷ୍ପାକୁଳ ହୋଇ ଉଠୁଥାଏ । ମୁହଁରେ ସମ୍ବେଦନା ଜଣାଇ ଫେରି ଯାଉଥାନ୍ତି ଶ୍ରୋତାବର୍ଗ ।

 

ଡାକ୍ତରଖାନାର ଚାରିକାନ୍ଥ ଡେରା ଘର, ଇଲେକ୍‌ଟ୍ରିକ ବତୀ ଆଉ ପଙ୍ଖା କିଛି ଭଲ ଲାଗୁ ନ ଥାଏ ରମାକାନ୍ତକୁ । ଦଳେଇଘାଇ ଅଞ୍ଚଳର କେନାଲ ବନ୍ଧ ଉପରେ ପୋଲାଙ୍ଗ ଡାଳରେ ପଲା ମାରି ହଜାର ହଜାର ଲୋକ ଆଶ୍ରୟ ନେଇଥିଲେ । ଥିଲା ଘରର ଝିଅ ବୋହୂମାନେ ହାତରେ ମୁଣ୍ଡରେ ସୁନାଗହଣା ଭରି ପେଟ ଭୋକରେ ନିଜର ଛୁଆକୁ କେନାଲ ପାଣି ପିଆଇ ବଞ୍ଚାଉଥିଲେ-। ଛୋଟ ଛୋଟ ପିଲାମାନେ କଷି ନଡ଼ିଆକୁ ଚିରି ତା’ ଦେହର କଷା ଅଂଶକୁ ଚୋବାଉଥିବାର ସେ ନିଜେ ଦେଖିଛନ୍ତି–କେନାଲ କୂଳରେ ଥିବା କିଆ ଆଉ ଖଜୁରୀ ଗଛକୁ କାଟି ତା କନ୍ଦା ଖାଉଁ ଖାଉଁ ଖଜୁରୀ ଓ କିଆଗଛ ଶେଷ ହେଇ ଯାଇଥିବ । ବାହାରୁ ଯାହା ଖାଦ୍ୟସାହାଯ୍ୟ ପହଞ୍ଚି ଥିବ, ତା’ ତ ନିଅଣ୍ଟ ନିଶ୍ଚୟ ହେଉଥିବ । ଚାଉଳ ଥିଲେ ତାକୁ ରାନ୍ଧିବା ପାଇଁ ଜାଳ ନାହିଁ, ଜାଳ ଥିଲେ ପାତ୍ର ନାହିଁ, ଛପର ନ ଥିବାରୁ ବେଳେବେଳେ ଯେଉଁ ମେଘ ହଉଛି, ସେଥିରେ ରାନ୍ଧିବା ବି ଦୁଷ୍କର ।

 

ଡାକ୍ତରଖାନାରେ ଆଉ ପଡ଼ି ରହିବାକୁ ତାଙ୍କର ଇଚ୍ଛା ନୁହେ । ସେ ପୁଣି ଫେରିଯିବାକୁ ଚାହାନ୍ତି । ଶୁଣିଲେ, କନ୍ଦରପୁର ପର୍ଯ୍ୟନ୍ତ ବସ୍‌ ଚାଲିଲାଣି–ସେଇଠି ବହୁ ସ୍ଵେଚ୍ଛାସେବକ, ସରକାରୀ କର୍ମଚାରୀ ସାହାଯ୍ୟ କେନ୍ଦ୍ର ଖୋଲିଛନ୍ତି । ତାଙ୍କର ଦେହ ତ ଭଲ ହୋଇ ଆସିଲାଣି–ଦୁର୍ବଲତା ଆସ୍ତେ ଆସ୍ତେ କମିଯିବ, ଚାଲବୁଲ କରି ପାରୁଛନ୍ତି, ସେ ଯିବେ ।

 

ଡାକ୍ତର କିନ୍ତୁ ମନା କଲେ । ଅନ୍ତତଃ ଆଉ ଦୁଇଦିନ ନ ଗଲେ ଯିବା ଉଚିତ ନୁହେଁ । ଦୁର୍ବଳ ଶରୀରରେ ପାଣି କାଦୁଅରେ ପରିଶ୍ରମ କଲେ ନାନାପ୍ରକାର ରୋଗ ଦେଖା ଦେବ । ଊର୍ମିଳା ବି ଅସ୍ଥିର ହୋଇ ପଡ଼ିଲାଣି । ବାପାଙ୍କ ଅବସ୍ଥା ତା’ର କ’ଣ ହେବଣି ! ହରେନ୍ଦ୍ରବାବୁଙ୍କ କଥା ସେ ଆଉ ଭାବୁ ନାହିଁ । କେତେ ଲୋକ ପାଣି ତଳେ ସମାଧି ଘେନିଛନ୍ତି; ପରିଚିତ ଅପରିଚିତ କିଏ ବଞ୍ଚିଛି, କିଏ ମରିଛି ତା’ ବି ବର୍ତ୍ତମାନ ଜାଣିବା ସମ୍ଭବ ନୁହେଁ । ମିଛଟାରେ ହରେନ୍ଦ୍ରବାବୁଙ୍କ କଥା ଭାବି ଲାଭ କ’ଣ ?

 

ଲାଭ କ’ଣ ? ଯୁବତୀ ଊର୍ମିଳାର ବକ୍ଷ ଭିତରଟା ଆନ୍ଦୋଳିତ ହେଲା । ଯୌବନର ପହିଲି ପରଶ ବେଳେ ସେ ଧରା ଦେଇଥିଲା ଯାହାଙ୍କ ହାତରେ ତାଙ୍କରି ସ୍ମୃତି ସେ ଆଜି ମନ ଭିତରୁ ପୋଛି ଦେବ କେମିତି ? ତାଙ୍କର ସୁନ୍ଦର ମୁହଁ, ବଳିଷ୍ଠ ହାତ, ଓସାରିଆ ଛାତି, ସ୍ନେହସିକ୍ତ ଚାହାଣୀ ସେ କେବେହେଲେ ଭୁଲି ପାରେନା ।

 

–ସାତ–

 

“ଉମି !”

 

ବାହାର ବାରଣ୍ଡାରେ ଠିଆ ହୋଇ ଊର୍ମିଳା ସାମନାର ଟଗର ଗଛକୁ ଚାହୁଁ ଥିଲା । ଅସଂଖ୍ୟ ଫୁଲ ଫୁଟି ଝରି ପଡ଼ୁଛି–ସେ ଝରିବାର ବିଶ୍ରାମ ନାହିଁ ।

 

ପୁଣି ଥରେ ଶୁଭିଲା–‘‘ଊମି... ।”

 

ଊର୍ମିଳା ଭିତରକୁ ଆସିଲା । ରମାକାନ୍ତ କହିଲେ–“ଟିକିଏ ପାଣି ଦିଅ । ଭୀଷଣ ଶୋଷ ଲାଗୁଛି କାହିଁକି ?”

Unknown

 

ସେ ମୁଣ୍ଡପାଖ ଲକର୍‌ରୁ ଗ୍ଲାସ୍‌ଟି ନେଇ ବାହାର ପାଇପ୍‌ରୁ ଥଣ୍ଡାପାଣି ଗ୍ଲାସେ ଆଣି ଦେଲା । ରମାକାନ୍ତ ପିଇସାରି କହିଲେ–“ବସ – ପବନଟା ଆଜି କାହିଁକି ଦେହକୁ ଭାରି ଥଣ୍ଡା ଲାଗୁଛି ।”

 

‘‘ଚଦର ଘୋଡ଼େଇଦେବି ?”

 

‘‘ନା ଥାଉ, ତୁମେ ବସ ନା ।”

 

ଊର୍ମିଳା ବସିଲା । ସେ ତା’ ସରୁ ହାତଟି ମୁଠାଇ ଧରି ପୁଣି କହିଲେ–“ଭାରି ସୁନ୍ଦର ତୁମେ ଉମି !”

 

ହାତ ତାଙ୍କର ଥରୁଥିଲା । ଊର୍ମିଳା ଇଚ୍ଛା କରିଥିଲେ ନିଜର ହାତକୁ ତାଙ୍କ ହାତରୁ ମୁକୁଳେଇ ନେଇ ପାରିଥାଆନ୍ତା । କିନ୍ତୁ ସେତକ କରିବା ପାଇଁ ମନର ଜୋର ତା’ର ନ ଥିଲା ।

 

ଦୁର୍ବଳ ରମାକାନ୍ତ ପୁଣି କହିଲେ–‘‘ସବୁଦିନେ ତମେ ମୋ ପାଖେ ପାଖେ ରହିବ ତ ? ତମେ ଯଦି ନ ରହିବ ମୁଁ ଚଳିବି କେମିତି କହିଲ ?”

 

ଭାଷା ନ ଥିଲା ଊର୍ମିଳା ମୁହଁରେ । ଜୀବନରେ ପୁଣି ଥରେ ତାକୁ ହୁଏତ ଧରାଦେବାକୁ ପଡ଼ିପାରେ.... !

 

“କହିବନି ତମେ ?”

 

–ସରାଗରେ ପୁଣି କହିଲେ ରମାକାନ୍ତ ।

 

କ’ଣ କରିବ ସେ ଆଉ ? ନୀରବ ରହିବା ସବୁଠୁ ଭଲ ।

 

“ହଉ, ତୁମେ ନ କୁହ । ମୁଁ ଜାଣେ, ମୋ ମନରେ ଦୁଃଖ ଦେଇ ତୁମେ ଉପଭୋଗ କରିବାକୁ ଚାହଁ । ’’

 

“ନା, ଆପଣ ମତେ ଭୁଲ ବୁଝିବେନି ।”

“ଭୁଲ ହେଉ ଠିକ ହେଉ, ମୁଁ ତମକୁ ଆଜିଯାଏଁ ବୁଝି ପାରିଲିନି ଊମି ! ତମକୁ ଦେଖିଲେ ଜଣାଯାଏ ଖୁବ୍‍ ସରଳ ବୋଲି, କିନ୍ତୁ ଏତେ ପାଖରେ ରହି ବି ତମେ ମୋ’ଠୁ ବହୁତ ଦୂରରେ ରହିଯାଇଛ । ମୋର ମନେ ହେଉଛି, ମୁଁ ଯେମିତି ବୃଦ୍ଧି ବୃତ୍ତି ହରେଇ ମିଛଟାରେ ମରୀଚିକା ପତ୍ରରେ ଧାଉଁଛି ।”

‘‘ଆପଣ ଯାହା କିଛି ଭାବିପାରନ୍ତି । ଆପଣଙ୍କ ଭାବନା ଉପରେ ମୋର ତ କିଛି ହାତ ନାହିଁ ।”

‘‘ନାହିଁ କାହିଁକି ? ଯଥେଷ୍ଟ ଅଛି । ତୁମେ ଭାବି ଦେଖ । ମୁଁ ଆଜି ଏମିତି ଭାବୁଛ କାହିଁକି ଆଉ ମୋର ଏ ଭାବନା ପାଇଁ ଦାୟୀ କିଏ ?’’

ଊର୍ମିଳା ନୀରବ ।

“ଛାତିରେ ଦାନ୍ତ ଦେଇ କହିପାରିବ ମୋର ଏ ଭାବନା ପାଇଁ ତୁମେ ଦାୟୀ ନୁହଁ ବୋଲି-?”

ଆଶ୍ଚର୍ଯ୍ୟ ହେଲା ଊର୍ମିଳା । ରମାକାନ୍ତ ବାବୁଙ୍କର ଅଜି କ’ଣ ହୋଇଛି ?

“ଡାକବଙ୍ଗଳା ହତାରେ ଯେଉଁଦିନ ଫୁଲ ତୋଳୁ ତୋଳୁ ତୁମେ ମୋ ଆଡ଼କୁ ଅର୍ଥପୂର୍ଣ୍ଣ ଆଖିରେ ଚାହୁଁଥିଲ, ସେଇଦିନ କଥା ଭାବ । ମୋ ମନରେ ଛାପ ପକାଇବାର ଅଧିକାର ତୁମର ତ କିଛି ନ ଥିଲା ।”

 

ଡାକବଙ୍ଗଳା ହତାରେ ଆଖି ବିନିମୟ !

 

‘‘ମିଛ କଥା, ଆପଣ ମିଛ କଥା କହୁଛନ୍ତି ।”–ଚିତ୍କାର କରିଉଠିଲା ଊର୍ମିଳା ।

 

‘‘ଧୀରେ, ଅତି ଧୀରେ । ନିଜକୁ ଧରା ପକାଅ ନାହିଁ । ତୁମେ ମିଛ କହୁଛ ବୋଲି, ମୁଁ ମାନିନେଲି ମୋ କଥା ମିଛ । କିନ୍ତୁ ଏ ସଙ୍ଗେ ରହି ତମେ ଯେଉଁ ଅଭିନୟ କରିସାରିଚ, ସେଥିପାଇଁ ଦୋଷୀ ମୁଁ କାହାକୁ କରିବି ? ତୁମକୁ ତ ? ଦୂର ପଲ୍ଲୀର ସରଳ ଫଲ ତୁମେ–କୁଟିଳତା ତୁମକୁ ସାଜେନା । କ’ଣ ଅଧିକାର ତୁମର ମୋ ଉପରେ ଅଛି ଯେ, ତୁମେ ରାତି ରାତି ମୋ ରୋଗଶଯ୍ୟା ପାଖରେ ଜଗି ବସୁଛ ? କୁହ ଊମି, କାହା ମନରେ କିଏ ଛାପ ପକେଇଛି ?”

 

ଆଖିପତାରେ ଅଭିମାନର ଇଙ୍ଗିତ । ପ୍ରାଣରେ ହୁଏତ ଆଘାତ ଲାଗିଛି । ଊର୍ମିଳା ଆଗରେ ପ୍ରଶ୍ନବାଚୀ । ରମାକାନ୍ତବାବୁ ତା’ର ପ୍ରାଣରକ୍ଷା କରିଛନ୍ତି–ଆଉ....

 

ଆଉ ସେ ଆଜି କ’ଣ ଚାହାନ୍ତି ? ଊର୍ମିଳା ତାଙ୍କୁ ପ୍ରତିଦାନରେ କ’ଣ ଦେଇ ସନ୍ତୁଷ୍ଟ କରିବ ? କ’ଣ ତା’ର ଅଛି ? କାଙ୍ଗାଲୁଣୀ ସେ । ନିଜ ଜୀବନ ଛଡ଼ା ତ ନିଜର ହୋଇ ତା’ର ଆଉ କିଛି ନାହିଁ ।

 

‘‘କୁହ, ମୋ ଆଶାର ସ୍ଵପ୍ନକୁ ତୁମେ କ’ଣ ବ୍ୟର୍ଥ କରିବ ? ପାରିବ ତ ? ଯଦି ପାରିବ, ତମେ ହେବ ବିଜୟିନୀ, ମୁଁ ହାରିଯିବି । ମୋର ସେଥିପାଇଁ ତିଳେ–ହେଲେ ଦୁଃଖ ନାହିଁ । ଜୀବନର ଅସମାନ ବାଲି ଉପରେ ହାରିବା ଜିତିବା ତ ଲାଗି ରହିଛି–କିନ୍ତୁ.....’’

 

ତାରୁଣ୍ୟର ଡାକରା । ବନଫୁଲ ବନରେ ଫୁଟି ଝରି ପଡ଼ିଥାନ୍ତା, ସେ ବା ଆଜି ଉଦ୍ୟାନକୁ ଆସିଲା କାହିଁକି ?

 

ଡାକ୍ତରଖାନା ରୁମ୍‌ର ବାହାରକୁ ଉଠିଯାଇ ଲୁଗାକାନିରେ ଆଖିରୁ ବହି ଆସୁଥିବା ଲୁହକୁ ପୋଛି ଆଣିଲା ଊର୍ମିଳା । କାହାରି ପ୍ରାଣରେ କଷ୍ଟ ଦେବାକୁ ଶିଖି ନାହିଁ ସେ । ଆଜି ବା କାହିଁକି ରମାକାନ୍ତଙ୍କ ପ୍ରାଣରେ କଷ୍ଟ ଦେବ ? ହରେନ୍ଦ୍ରବାବୁ ଯଦି ଆଜି ସ୍ଵର୍ଗବାସୀ ହୋଇଥାଆନ୍ତି, ସେ ହୁଏତ ତା ଉପରେ ଢାଳିଦେବେ ଅଜସ୍ର ଅଭିଶାପ–ଆତ୍ମା ତାଙ୍କର ତା ବିରୁଦ୍ଧରେ ଚିତ୍‌କାର କରିଉଠିବ, ଉଠୁ, ତା’ର ଆଉ ସେଥିକି ଭ୍ରୂକ୍ଷେପ କରିବା ଦରକାର କ’ଣ ? ଦୁଃଖ ପାଇବା ପାଇଁ ଜନ୍ମ ଯାହାର, ସେ ପୁଣି ଅଭିଶାପକୁ ଡରିବ କାହିଁକି ? ତା’ର ତ ଜୀବନ ଅଛି, ଭବିଷ୍ୟତ ଅଛି, ସେଇ ଭବିଷ୍ୟତକୁ ସୁନ୍ଦର କରି ଗଢ଼ିବା ପାଇଁ ଯଥେଷ୍ଟ ଅଧିକାର ଅଛି ।

 

ଫେରିଆସିଲା ସେ ରୋଗଶଯ୍ୟା ପାଖକୁ । ଠିଆ ହୋଇ ଧୀର କଣ୍ଠରେ କହିଲା–‘‘ଭାରି ମନ ଦୁଃଖ କଲେ, ନା ?”

 

ରମାକାନ୍ତ ଚାହିଁଲେ–ସମ୍ମୁଖରେ ପ୍ରଶାନ୍ତ ସୌମ୍ୟ ମୂର୍ତ୍ତି । ସବୁତକ ଅଭିମାନ ଭାଙ୍କର ଲୁଚିଗଲା । ଊର୍ମିଳାର ପଣତ ଆଖିରେ ଦେଇ କାନ୍ଦି ପକେଇଲେ ସେ ।

 

ଏ କାନ୍ଦଣା ଅନନ୍ଦର କି ଦୁଃଖର ତା’ ସେଇ କେବଳ ଜାଣନ୍ତି ।

 

“ବେଡ୍ ନମ୍ବର ୮୫’’–

 

ନର୍ସ ଆସି ଦେଖେଇ ଦେଇଗଲା ।

 

ଚମକିପଡ଼ି ଦୁହେଁ ଯାକ ଦରଜା ଆଡ଼କୁ ଚାହିଁଲେ । ପଶି ଆସୁଛନ୍ତି ସୁକାନ୍ତ–ହାତରେ ଫଲଭରା ବାସ୍କେଟ୍‌ ।

 

‘‘ନମସ୍କାର ଭାଇ–” ହାତ ତୋଳି କହିଲେ ରମାକାନ୍ତ ।

 

ହସହସ ମୁଖରେ ସୁକାନ୍ତ କହିଲେ–‘‘ଯା ହଉ ଭାଇ, ଭଲ ହୋଇ ଆସିଲୁଣି ତ ? ତୋ ଖବର ଖବରକାଗଜରୁ ଦେଖି ଭୀଷଣ ମନସ୍ତାପରେ ଥିଲି ।’’

 

ରମାକାନ୍ତ ଊର୍ମିଳାକୁ କହିଲେ–‘‘ଏ ମୋ ସାଙ୍ଗ ସୁକାନ୍ତ । ପିଲାଟି ଦିନରୁ ସାଥିରେ ପାଠ ପଢ଼ୁଥିଲୁ ।”

 

ଊର୍ମିଳା ନମସ୍କାର କଲା–ସୁକାନ୍ତ ପ୍ରତିନମସ୍କାର ଜଣେଇ ଫଳ ବାସ୍କେଟ୍‌ଟି ତା ହାତକୁ ବଢ଼େଇଦେଲେ ।

 

‘‘ଅନେକ ଦିନରୁ ତୋ ଖବର ଆଉ ପାଇନି । ତୋ ବାପା ଭଲ ଅଛନ୍ତି ସୁକାନ୍ତ ?’’

 

“ହଁ, ରିଟାୟାର୍ଡ଼ କରି ଏବେ ଗାଁରେ ରହୁଛନ୍ତି । ମା ମରିଯିବା କଥା ତ ଜାଣିଥିବୁ–”

 

‘‘ନା, ମୁଁ ତ ଜାଣେନି । କେବେଠୁ– ?’’

 

“ବର୍ଷେ ହେଇଗଲାଣି ।”

 

“ତୁ ଏବେ ବାହା ହେଇପଡ଼, ନା ୟା ଭିତରେ ବାହା ହେଇ ସାରିଲୁଣି ?

 

“ନା ଭାଇ, ମୁଁ ବାହା ହେଇଥିଲେ ତୋ’ ପରି କ’ଣ ଲୁଚି ଲୁଚି ବାହା ହୋଇଥାନ୍ତି ? ମୋ ବାହାଘର କଥା ତୁ ତ’ ନିଶ୍ଚୟ ଜାଣିଥାଆନ୍ତୁ ।”

 

ରମାକାନ୍ତ ତା’ ନିଜ ବାହା ହେବା କଥା ଶୁଣି ଆଶ୍ଚର୍ଯ୍ୟ ହେଲେ । ଊର୍ମିଳାକୁ ଦେଖି ସୁକାନ୍ତଙ୍କ ମନରେ ଏ ପ୍ରକାର ଭୁଲ ଭାବନା ହୋଇଛି । ଊର୍ମିଳା ବି ନିଜେ ଖୁବ୍‌ ଲଜ୍ଜିତ ହେଲା ।

 

ରମାକାନ୍ତ କହିଲେ–“କୋଉଠୁ ଶୁଣିଲୁ ମୁଁ ବାହାହୋଇ ସାରିଲିଣି ବୋଲି ? ତତେ ଜଣେଇ ନଥାନ୍ତି ?’’

 

“ଲୁଚେଇ ଆଉ ଲାଭ କ’ଣ ଭାଇ ? ବାହାଘର ଫିଷ୍ଟ ଏବେ ମୁଁ ଆଉ ମାଗିବିନି । ହଁ, କେତେ ଦିନ ହେଲା ବାହା ହେଲୁଣି ?’’

 

ବଡ଼ ବଡ଼ିଆ କଥା । ଊର୍ମିଳାର ମୁହଁରେ ଗଭୀର ଆଶଙ୍କାର ଛାପ । ରମାକାନ୍ତ ଭାବିପାରିଲେ ନାହିଁ ଊର୍ମିଳା ତାଙ୍କର କ’ଣ ବୋଲି କହିବେ ? ସେ ଯାହା କହିଲେ ମଧ୍ୟ ସୁକାନ୍ତ କ’ଣ ବିଶ୍ଵାସ କରିବ ? କଥାର ଦିଗ ବଦଳାଇ ସେ ବନ୍ୟାଞ୍ଚଳ କଥା ପକେଇଲେ ।

 

ଅଧଘଣ୍ଟାଏ ଗପସପ ହେବା ପରେ ସୁକାନ୍ତ ବାହାରିଲେ ଯିବାପାଇଁ ।

 

‘‘ଯା ଭାଇ, ମୋର ଦିହ ଭଲ ହେଇ ଆସିଲାଣି । ଦିନେ ଦୁଇଦିନ ଭିତରେ ମୁଁ ଡିଉଟିରେ ବାହାରିଯିବି ।”

 

“ଯିବା ଆଗରୁ ଥରେ ଆମ ବସାକୁ ଚାଲ । ଭଲ ହ’ନ୍ତା । ବହୁ ଦିନ ତୋ ସାଙ୍ଗରେ ମନଖୋଲା ଗପ ହେଇନି । ଯିବୁ ?”

 

‘‘ଯିବାକୁ ଚେଷ୍ଟା କରିବି ।”

 

ସୁକାନ୍ତ ଚାଲିଗଲେ ।

 

ରମାକାନ୍ତ ଆଉ ଊର୍ମିଳା କିଛି ସମୟ ନୀରବରେ ପରସ୍ପରକୁ ଚାହିଁଲେ । କାହାରି ମୁହଁ ରେ ଭାଷା ନାହିଁ, ଆଖିରେ ପଲକ ନାହିଁ, ସତେ ଯେମିତି ପରସ୍ପରକୁ ପୁଣି ନୂଆ ଭାବରେ ସେମାନେ ଦେଖିଲେ । ପାଖ ବେଡ୍‌ରୁ ବାର ତେରବର୍ଷ ବୟସର ରୋଗୀଟିଏ ପାଟି କରି ଉଠିଲା । ଅସମ୍ଭବ କ୍ଷୁଧା ତା’ର ।

 

ରମାକାନ୍ତଙ୍କ ନିର୍ଦ୍ଦେଶରେ ଊର୍ମିଳା ଗୋଟିଏ କମଳାଲେମ୍ବୁ ନେଇ ତା’କୁ ଦେଲା । ଗରିବ ପିଲା–କେହି ନାହିଁ ତାକୁ ପୁଷ୍ଟିକର ଖାଦ୍ୟ ଦେବାକୁ ।

 

ଅଧଘଣ୍ଟାଏ ପରେ ଡାକ୍ତର ଆସିଲେ । ରମାକାନ୍ତ କହିଲେ–

 

‘‘ମୁଁ ଏବେ ଚାଲିଯିବି, ଭଲ ହେଇଗଲିଣି, ଆଉ ଯିବାରେ ଆପତ୍ତି କ’ଣ ?”

 

ହସିଲେ ଡାକ୍ତରବାବୁ–‘‘କାଲି ଆପଣ ଯାଇପାରନ୍ତି । ସମ୍ପୂର୍ଣ୍ଣ ଆରୋଗ୍ୟ ହେଇଗଲେଣି–ଆଉ ଭୟ କିଛି ନାହିଁ ।’’

 

ଊର୍ମିଳା ଆଶ୍ଵସ୍ତିର ନିଶ୍ଵାସ ମାଇଲା–ଡାକ୍ତରଖାନାରେ ରହି ସେ ନିଜକୁ ବନ୍ଦିନୀ ପରି ଭାବୁଥିଲା–ମୁକ୍ତି ଖୋଜୁଥିଲା ଅନବରତ ।

 

ମନର ବିହଙ୍ଗୀ ତା’ର ଗାଇ ବୁଲିଲା ଗୀତ–ଦେଖିଲା ଆଗାମୀର ସ୍ଵପ୍ନ, ଯାହା କଳ୍ପନାତୀତ ।

 

‘‘ଆଜିଠୁ ଜିନିଷପତ୍ରସବୁ ସଜାଡ଼ି ରଖି–କାଲି ସକାଳେ ବାହାରିଯିବା ।”

 

‘‘ହଉ ।”

 

ତା’ପରେ ପୁଣି ଦୁଇଜଣ ନୀରବ ।

 

କିଛି ସମୟ ପରେ ରମାକାନ୍ତ କହିଲେ–‘ବୁଝିଲ, ଭାଗ୍ୟର ନିର୍ଦ୍ଦେଶରେ ଯାହା କିଛି ହେଉଛି, ସେଥିରେ ଆମର କିଛି ହାତ ନାହିଁ । ଆମେ ଯାହା କରୁଛେ,ତା’ ହୁଏତ ନ ହେଇପାରେ । ଯାହା ଆମେ କେବେ ଭାବିନୁ, ତାହା ହିଁ ହୁଏତ ହେଇଯାଇପାରେ । ଭବିଷ୍ୟତ୍ କଥା କେହି କହିପାରିବ ନାହିଁ ।”

 

ଠିକ୍‌ କଥା । ଊର୍ମିଳା ଠିକ୍ ସେଇଆ ହିଁ ଭାବୁଥିଲା । ଦୁଃଖରେ ମଣିଷ ହୁଏ ଭାଗ୍ୟବାଦୀ-

 

ଡାକ୍ତରଖାନା ବାହାରେ ଭିକାରୀ ପିଲାଟିଏ ଗୀତ ଗାଇ ଚାଲିଗଲା–ବଡ଼ ମଧୁର ସେ କଣ୍ଠ । ରମାକାନ୍ତ ତନ୍ମୟ ହେଲେ–ଊର୍ମିଳା ଦଉଡ଼ିଯାଇ ଭିକାରୀ ପିଲା ହାତରେ ଚାରିଟି ପଇସା ଗୁଞ୍ଜିଦେଲା ।

 

–ଆଠ–

 

କନ୍ଦରପୁର ପାଖରେ ବସ୍ ରହିବା ମାତ୍ରେ ଓହ୍ଲାଇ ପଡ଼ିଲେ । ବାହାରେ ବହୁ ଛୋଟ ଛୋଟ ପିଲା ଜମା ହେଇଛନ୍ତି । ରୁଗ୍‌ଣ ଆଉ ବିମର୍ଷ ଚେହେରା । ଅନବରତ ହାତ ପାତି ସେମାନେ ଅଞ୍ଚଳର ପିଲା ଏଇମାନେ ।

 

ନୌକାରେ ଯିବାକୁ ହେବ । କନ୍ଦରପୁରରୁ ଖାଦ୍ୟପଦାର୍ଥ କିଛି ନେଇଯିବେ । ବିନା ଖାଦ୍ୟରେ ଗଲେ ଭୋକାତୁର ଅସମ୍ଭାଳ ଜନତାକୁ ସେ ସମ୍ଭାଳି ପାରିବେ ନାହିଁ । ରମାକାନ୍ତ ଶୁଣିଲେ ମିଲିଟାରୀ ଲୋକେ ଖୁବ୍ କାମ କରୁଛନ୍ତି–ଗୋଟିଏ ଗୋଟିଏ ରବର ବୋଟ ନେଇ ଜୀବନମୂର୍ଚ୍ଛା । ସେମାନେ ଲାଗିଛନ୍ତି । ଖିଆ ନାହିଁ, ପିଆ ନାହିଁ, ଲୋକଙ୍କୁ ଉଦ୍ଧାର କରିବାବେଳେ ସେମାନେ ଯେମିତି ଭୋକଶୋଷ ଭୁଲି ଯାଇଛନ୍ତି ।

 

ନୌକା ଖଣ୍ଡିଏ ଯୋଗାଡ଼ କରିବାକୁ ଖୁବ୍‍ କଷ୍ଟ ହେଲା; ତଥାପି ଯୋଗାଡ଼ ହେଲା । ସେଇ ନୌକାରେ ବସି ଚାଲିଲେ ସେ ଆଉ ଊର୍ମିଳା ।

 

ଦୁର୍ଗନ୍ଧ ଆଉରି ତୀବ୍ର ହୋଇଛି । ଯେଉଁ ଜାଗାରୁ ପାଣି ଟିକିଏ ଟିକିଏ ଛାଡ଼ିଲାଣି, ସେସବୁ ଜାଗାରେ ଏଠି ସେଠି ପଚାମାଂସ ପଡ଼ି ରହିଥିବାର ସେ ଦେଖିଲେ କିଛି ବାଟ ଗଲା ପରେ ନୌକା ଆଉ ଚାଲିଲା ନାହିଁ । ନାଉରିଆ କହିଲା–‘‘ବାବୁ, ଏଣିକି ପାଦରେ ଯାଅନ୍ତୁ ।’’

 

ପାଦରେ ଯିବା ନିରାପଦ ନୁହେଁ । ଥରେ ତ ରମାକାନ୍ତ ଅଙ୍ଗେ ନିଭେଇ, ସାରିଲେଣି । ଥରେ ଯାହାକୁ ସାପ କାମୁଡ଼ିଛି, ସେ ପାଳଦଉଡ଼ି ଦେଖିଲେ ବି ଡରେ । ତା’ପରେ ପାଦରେ କ’ଣ ସବୁ ବାଟ ଯାଇ ହେବ ? ସ୍ଥାନେ ସ୍ଥାନେ ଛାତିଏ, ବେକେ, କେଉଁଠି ବା ପହଁରା ପାଣି ଚାଲିଛି । ରମାକାନ୍ତ ଏକା ଥିଲେ ବା ଯାହା କରନ୍ତେ, ଊର୍ମିଳା ତ ଆଉ ଏତେ କଷ୍ଟ ସହପାରିବ ନାହିଁ । ଅଗତ୍ୟା ସେମାନଙ୍କୁ ପୁଣି କନ୍ଦରପୁର ଫେରିଯିବାକୁ ପଡ଼ିଲା ।

 

କନ୍ଦରପୁରରେ ବହୁ ଆଶ୍ରୟପ୍ରାର୍ଥୀ ଭିଡ଼ ଜମେଇଛନ୍ତି–ଅନେକଙ୍କୁ ବର୍ଷା କାକର ଖାଇବାରୁ ଟାଇଫଏଡ଼ ହେଲାଣି–ଯେ କୌଣସି ମୁହୂର୍ତ୍ତରେ ହଇଜା ବ୍ୟାପିବାର ପୂରା ଆଶଙ୍କା ରହିଛି ।

 

ଭାରତର ବହୁ ଅଞ୍ଚଳରୁ ସାହାଯ୍ୟ ଆସୁଛି–ଖାଦ୍ୟ, ବସ୍ତ୍ର, ଔଷଧ, ଟଙ୍କା । ମଫସଲ, ସହର ସବୁଆଡ଼ ଚାନ୍ଦା ସଂଗ୍ରହ କରାଯାଉଛି–ଲୋକମାନେ ମୁକ୍ତ ହସ୍ତରେ ଦାନ କରୁଛନ୍ତି । ଖବରକାଗଜରେ ବାହାରିଛି ରଣପୁରର ଗୋଟିଏ ଭିକାରୁଣୀ ଭିକ ମାଗି ସଞବେଳେ ଫେରୁଥିବାବେଲେ ବନ୍ୟା ସାହାଯ୍ୟ ସଂଗ୍ରହ କରୁଥିବା ଜଣେ ସ୍ଵେଚ୍ଛାସେବିକାଠାରୁ ବନ୍ୟାର କରୁଣ କାହାଣୀ ଶୁଣି ତା’ର ଦିନଯାକର ଭିକ୍ଷାଲବ୍‌ଧ ଚାଉଳ ବନ୍ୟାବିପନ୍ନଙ୍କ ସାହାଯ୍ୟ ପାଇଁ ଦାନ କରିଛି-। ଏହି ସମ୍ବାଦଟି କାଗଜରୁ ପଢ଼ି ରମାକାନ୍ତଙ୍କ ମୁହଁ ଗର୍ବରେ ଫୁଲି ଉଠିଲା । ଆମ ଦେଶର ଲୋକେ ଯଦି ଏଇ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତେ, ତାହାହେଲେ ଏ ଦେଶରେ ସୁନା ଫଳନ୍ତା–କାଗଜ କଲମରେ ଖାଲି ନ ଥାଇ ବାସ୍ତବରେ ରାମରାଜ୍ୟ ହୁଅନ୍ତା ପୁରାଣରେ ଯେଉଁସବୁ ଆଦର୍ଶ ଚରିତ୍ରର ଚିତ୍ରଣ କରାଯାଇଛି, ତାହା ତ ମିଛ ନୁହେଁ–ସେସବୁ ସମ୍ଭବ । କିନ୍ତୁ ପୂର୍ବର ଆଦର୍ଶ ଭୁଲି ଆମ୍ଭେମାନେ ମିଛ ଅଭିମାନ, ଅହଙ୍କାରରେ ମାତି ନୀଚତାର ଆଶ୍ରୟ ନେଉଛୁ, ହୀନମନୋବୃତ୍ତିର ପରିଚୟ ଦେଉଛୁ ।

 

ସୀତା, ସାବିତ୍ରୀ, ଅହଲ୍ୟାଙ୍କ ଆଦର୍ଶ; ରାମ ଲକ୍ଷ୍ମଣଙ୍କ ଭ୍ରାତୃପ୍ରେମ; ଶ୍ରୀକୃଷ୍ଣ–ଅର୍ଜ୍ଜୁନଙ୍କ ବନ୍ଧୁତା; ଯୁଧିଷ୍ଠିରଙ୍କ ସତ୍ୟବାଦିତା ଆଜି କେବଳ ପୋଥିଗତ ହୋଇ ରହିଛି । ସ୍ଵାଧୀନତା ପରେ ନୈତିକତାର ମାନ ନ ବଢ଼ିଲେ ଦେଶର କୌଣସି ଉନ୍ନତି ହେବ ନାହିଁ । ‘ପରୋପକାର ସ୍ଵର୍ଗାୟ’–ବହୁ ଅତୀତରେ କେଉଁ ଏକ ମୁନି ଓଁ କାରଝଂକୃତ ବନସ୍ଥଳୀ ଭିତରେ କହି ଉଠିଥିଲେ ଏଇ ନୀତିବାକ୍ୟ–ପୁଣି ଆଉ କିଏ ହୋମାଗ୍ନି ଶିଖାରେ ଘୃତ ଢାଳି କହି ଉଠିଥିଲେ – “ବସୁଧୈବ କୁଟୁମ୍ବକମ୍” । ବିରାଟ ବସୁଧାକୁ ପରିବାର ଭଳି ଭାବିଲେ ପୃଥିବୀରୁ ଯୁଦ୍ଧର ଭୟ ଲୋପ ପାଇଯାନ୍ତା । ପରମାଣୁ ଓ ହାଇଡ୍ରୋଜେନ ବୋମା ଭୟରେ ଆଉ ଅସ୍ଥିର ହୁଅନ୍ତା ନାହିଁ ଧରଣୀ । ମଣିଷ ଶାନ୍ତିରେ ନିଦ୍ରା ଯାଇପାରନ୍ତା । କିନ୍ତୁ ପ୍ରଗତି ପଥରେ ନିଜର ଅଭାବକୁ ଦ୍ଵିଗୁଣିତ କରି ମଣିଷ ଯେତେ ଧାଉଁଛି, ସେତେ ତା’ର ବୃଦ୍ଧିବୃତ୍ତି ଲୋପ ହେଉଛି ।

 

ଧର୍ମ ନାମରେ ଚାଲବାଜି, ଶାସନ ନାଁରେ ଶୋଷଣ, ରକ୍ଷଣ ନାଁରେ ଧର୍ଷଣ ଚାଲିଛି । ଏଇ ତ କାଲି ପରି ଊଣେଇଶ ଶହ ଛୟାଲିଶ ମସିହାରେ ବଙ୍ଗଳା, ବିହାରରେ ଯେଉଁ ହାଣକାଟ ହେଇଗଲା, ଏହାଠାରୁ ବର୍ବରତା ଆଉ କ’ଣ ଅଛି ? ଯୁଗ ଯୁଗ ଧରି ଯେଉଁମାନେ ଭାଇଭାଇ ପରି ରହିଥିଲେ, ଏକା ସାଙ୍ଗରେ କାମ କରି ନିଜ ନିଜର ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ ହେଇଉଠିଲେ ଅତି ମାତ୍ରାରେ ହିଂସ୍ର । ହତ୍ୟାର ନିର୍ମମତାରେ କେତେ ଲୋକ ମାଟିରେ ଢଳି ପଡ଼ିଲେ, ଛୋଟ ଛୋଟ ପିଲାମାନଙ୍କୁ ତିନିମହଲା କୋଠା ଉପରୁ ଫିଙ୍ଗି ଦିଆଗଲା ତଳକୁ, ଯୁବତୀ ସ୍ତ୍ରୀର ସ୍ତନ୍ୟ କାଟି ହତ୍ୟାକାରୀମାନେ ମଜା ଦେଖିଲେ, ସଭ୍ୟ ଜଗତରେ ୟା’ଠୁ ହୀନ କାମ ଆଉ କ’ଣ ଥାଇପାରେ ?

 

ହାଇଡ଼୍ରୋଜେନ ବୋମା ଆବିଷ୍କାର ଆଉ ଆମେରିକାଦ୍ଵାରା ବିସ୍ଫୋରଣ ପୃଥିବୀକୁ ଧ୍ୱଂସମୁଖକୁ ଆଗେଇ ନେଉଛି । ବିକିନୀ ଦ୍ଵୀପରେ ହାଇଡ଼୍ରୋଜେନ ବୋମାର ଯେଉଁ ବିସ୍ଫୋରଣ ହୋଇଥିଲା, ତା’ର ବିଷମୟ ଫଳ ଆଜି ବି ଅନେକେ ଭୋଗୁଛନ୍ତି । ବୈଜ୍ଞାନିକମାନେ କହିଲେଣି–ଏଇ ବୋମା ବିସ୍ଫୋରଣଦ୍ଵାରା ବାୟୁମଣ୍ଡଳରେ ବୈଷମ୍ୟ ଘଟି କେଉଁଠି ଅନାବୃଷ୍ଟି ଏବଂ କେଉଁଠି ବହୁବୃଷ୍ଟି ହେଉଛି । ହୁଏତ ଓଡ଼ିଶାର ବନ୍ୟା ମୂଳରେ ଏଇ ହାଇଡ଼୍ରୋଜେନ ବୋମା ବିସ୍ଫୋରଣର ବିଷମୟ ଫଳ ଥାଇପାରେ ।

 

ଧ୍ଵଂସ ଖାଲି ଧ୍ଵଂସ । ବିଶ୍ୱ ବ୍ରହ୍ମାଣ୍ଡ ଆଜି ଧ୍ୱଂସମୁଖରେ ଧାଇଁଛି । ସମ୍ବାଦ ଆସିଲା–ବନ୍ୟାଞ୍ଚଳକୁ ସାହାଯ୍ୟ ନେଇ ଆସୁଥିବା ଦୁଇଟି ବୋଝେଇ ବୋଟ୍‌ କେଉଁଠି ବୁଡ଼ିଗଲାଣି । ଦୁର୍ଘଟଣା ପରେ ଦୁର୍ଘଟଣା । ଓଡ଼ିଶାର ମେରୁଦଣ୍ଡ ଏଥର ଭାଙ୍ଗି ପଡ଼ିଲା ।

 

ଅତୀତର ଗୌରବ ଆଜି ନିଷ୍ପ୍ରଭ–ନୂଆ ବାଟରେ ନୂତନ ପ୍ରେରଣା, ନୂତନ ବଳ ନେଇ ନ ଗଲେ ଅଗ୍ରଗତି ଅସମ୍ଭବ–ମେହନତି ଜନତା କଣ୍ଠ ଫଟେଇ କହୁଛି–“ଖାଦ୍ୟ ଦିଅ, ବସ୍ତ୍ର ଦିଅ, ବାସଗୃହ ଦିଅ ।” ଶିକ୍ଷିତ ବେକାର ପେଟର ଜ୍ଵାଳାରେ ଗଳିକନ୍ଦି ବୁଲି ଖୋଜି ବୁଲୁଛି କାମ–ଚାରିଆଡ଼େ ନୈରାଶ୍ୟ । ନ୍ୟାୟ ବିଚାର କାହାରିଠୁଁ ମିଳୁନି ।

 

କନ୍ଦରପୁର କ୍ୟାମ୍ପରେ ଦୁଇଟି ଚେୟାରରେ ବସିଛନ୍ତି ରମାକାନ୍ତ ଆଉ ଊର୍ମିଳା । ଜଣେ ପଞ୍ଜାବୀ ଲୋକ ଆସି କହିଲା–

 

“ବାବୁ, କୁଛ୍‌ ଖାନେକୋ ଦୋ ।”

 

ସ୍ଵେଚ୍ଛାସେବକମାନେ କହିଲେ–“ଏ ଗୋଟାଏ ଗୁଣ୍ଡା । ଲୁଟତରାଜ କରି କିଛି ମୂଲ୍ୟବାନ୍‌ ଜିନିଷ ମାରିନେବାକୁ ଆସିଛି ।” ଲୋକଟିର ଭୀଷଣକାୟ ଚେହେରା ଦେଖି ଊର୍ମିଳା ମନେ ମନେ ଭୟ ପାଇଲା । ଦାଢ଼ୀ ଆଉ କଳା ଚଷମା ଦେଖିଲେ ସେ ଭାରି ଡରେ । ପିଲାଟି ଦିନରୁ ତା’ର ଏଇ ଅଭ୍ୟାସ । ବୁଢ଼ୀମା’ମାନଙ୍କ ପାଖରୁ ଆମର ପିଲାମାନେ ଅସୁର–ଅସୁରୁଣୀ ଗପ, ଛୁଆଧରା ଗପ ଶୁଣି ମନଭିତରେ ତାଙ୍କର ଏଇ ଜାତୀୟ ଲୋକମାନଙ୍କ ପ୍ରତି ଭାରି ଭୟ ଥାଏ ।

 

ରମାକାନ୍ତ ପଚାରିଲେ–‘‘ତମର ଘର କେଉଁଠି ?”

 

ଉତ୍ତର ଆସିଲା–‘‘ପଞ୍ଜାବ ।”

 

ପୁଣି ରମାକାନ୍ତ ପ୍ରଶ୍ନ କଲେ–‘‘ଏଠିକି ତୁମେ କେମିତି ଆସିଲ ?”

 

ପଞ୍ଜାବୀ ଲୋକଟି କହିଲା–‘‘ହମ୍ ଫେରି କରନେକେ ଲିୟେ ଆୟା ଥା, ସାଥ୍‌ମେ ହମାରା ବିବି ଅଉର ମା’ ଥେ । ଓ ଦୋନୋ ପାନିମେ କାହାଁ ଡୁବଗୟେ ବାବୁଜୀ ! ହମ୍‌ ଚୋର ନେହି, ତସ୍କର ନେହି, ପାଜି ନେହିଁ ହୁଁ ।”

 

ଲୋକଟିର ମୁହଁରେ କାରୁଣ୍ୟର ସ୍ପଷ୍ଟ ସଙ୍କେତ । ଏଇ ଲୋକଟିକୁ କିଛି ଖାଦ୍ୟ ଦେବାପାଇଁ ରମାକାନ୍ତ ସ୍ୱେଚ୍ଛାସେବକମାନଙ୍କୁ ନିର୍ଦ୍ଦେଶ ଦେଲେ । ବିସ୍କୁଟ୍‌, ପାଉଁରୁଟି, ଲହୁଣୀ ପଶ୍ଚିମବଙ୍ଗରୁ ଆସି ଜମା ହେଉଛି । ବିସ୍କୁଟ ଟିଣ ଖୋଲିବା ସଙ୍ଗେ ସଙ୍ଗେ ଲୋକଟି ସତୃଷ୍ଣ ନୟନରେ ଦାନପାଇଁ ହାତ ବଢ଼େଇଲା । ପାଖରେ ବୁଲୁଥିବା ଛୋଟ ଛୋଟ ପିଲାମାନେ ବିସ୍କୁଟ୍‌ ପାଇଁ ହାତ ପାତିଲେ । ଦୁନିର୍ବାର କ୍ଷୁଧା, ଜଠରାଗ୍ନିର ଉତ୍ତାପ ଅସହ୍ୟ ହେବାକୁ ବସିଲାଣି । ମାତ୍ର ଦୁଇମିନିଟ, ବିସ୍କୁଟ ଟିଣ ଖାଲି ହେଇଗଲା ।

 

ଏଇ ସମୟରେ ପାଣିରେ ଜଡ଼ସଡ଼ ହେଇ ଜଣେ ଲୋକ ଆସି ପହଞ୍ଚିଲା – ହାଲିଆ ହେଇପଡ଼ିଛି, ଦୁର୍ବଳତା ଯୋଗୁ ପାଟିରୁ କଥା ବାହାରୁ ନାହିଁ–ଚେହେରାରୁ ଜଣାପଡ଼ୁଛି ସେ ନିଶ୍ଚୟ ସର୍ବହରା । ଦୁଇଜଣ ସ୍ଵେଚ୍ଛାସେବକ ଖଣ୍ଡିଏ ଲୁଗା ଓ ଖଣ୍ଡିଏ ସାର୍ଟ ତାକୁ ଦେଲେ । ଖାଇବା ପାଇଁ ପାଉଁରୁଟି ଆଉ କିଛି ସିଝାଆଳୁ ଦେଲେ । ଖାଇସାରି ଲୋକଟି ଆଶ୍ଵସ୍ତି ର ନିଶ୍ଵାସ ମାରିଲା । ରମାକାନ୍ତ ତା’କୁ ପାଖକୁ ଡାକି କେଉଁ ଅଞ୍ଚଳର ସେ ଆସିଛି ବୋଲି ପଚାରିଲେ । ସେ ଲୋକଟି କହିଲା–ସେ ତିର୍ତ୍ତୋଲ ଥାନାରୁ ଆସିଛି । ସେ ଅଞ୍ଚଳରେ ଏ ପର୍ଯ୍ୟନ୍ତ ଛାତିଏ ପାଣି ରହିଛି । ତେନ୍ତୁଳିପଦା ରାସ୍ତାରେ ସୁଅ ଚାଲିଛି । ବଢ଼ି ସମୟରେ ଶାରଳା ମନ୍ଦିରରେ ପାଞ୍ଚଶହ, ଜଗନ୍ନାଥପୁର ହାଇସ୍କୁଲରେ ତିନିହଜାର, ଅଇରିକୁଦରେ ତିନିଶହ, କୋଷ୍ଠୀ ପୋଖରୀ ହୁଡ଼ାରେ ପାଞ୍ଚଶହ, ଦିଗ ପୋଖରୀ ହୁଡ଼ାରେ ଦୁଇଶହ ପର୍ଯ୍ୟନ୍ତ ଲୋକ ଥିଲେ । ପାଣି ହଠାତ୍‌ ହୋଇ ଯିବାର ନିରୁପାୟ ଅବସ୍ଥାରେ କେତେକ ଉଚ୍ଚା ଗଛମାନଙ୍କରେ ଆଶ୍ରୟ ନେଲେ । ଯେଉଁମାନେ ପ୍ରଳୟଙ୍କରୀ ବନ୍ୟା ହେବାର ଉପହାସ କରୁଥିଲେ, ସେହିମାନେ ଜୀବନ ବିକଳରେ ଗଛ ଉପରେ ଚଢ଼ିଲେ, ଆଉ କେତେକ ମଞ୍ଚା ଉପରେ ରହିଗଲେ । ଭୀଷଣ ଝଡ଼ବର୍ଷା ମାଡ଼ରେ ‘ମରିଗଲୁ, ରକ୍ଷାକର’ ବୋଲି ରଡ଼ି ଛାଡ଼ୁଥିବା ଲୋକମାନଙ୍କୁ ଉଦ୍ଧାର କରିବାର କୌଣସି ଉପାୟ ନ ଥିଲା । ସେମାନେ ଉପବାସରେ ଦୁଇଦିନ ରହିଲା ପରେ ପାଣି ଟିକିଏ କମିଯିବାରୁ ଓହ୍ଲାଇ ଗାଆଁ କୁ ଆସିଲେ । ସହାୟ–ସମ୍ବଳହୀନ ପ୍ରସ୍ତୁତି ଓ ଶିଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ । ତିର୍ତ୍ତୋଳଠାରୁ କୁଜଙ୍ଗ ପର୍ଯ୍ୟନ୍ତ କେନାଲରେ ଥିବା ଗାଆଁ ଓ ଜଗନ୍ନାଥପୁରଠାରୁ ଲିମୋଳ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଥିବା କେତେକ ଗାଁକୁ ଛାଡ଼ିଦେଲେ ଏପରି କୌଣସି ଗାଆଁ ନାହିଁ ଯେଉଁଠି କି ଅଧିକାଂଶ ଘର ନ ଭାଙ୍ଗିଛି ଅଥବା କାନ୍ଥ ନ ଫାଟିଛି । ଅତାମଳ, ନାଉଲ, ଇଟାଙ୍ଗ, ଅରଜଙ୍ଗ, ଚଟୋଳ, ବିଦ୍ୟାଧରପୁର, ନୂଆପଡ଼ା, ଦୋଳୁଅ, ପଲ୍ଲୀଗଡ଼ ଗାଆଁ ଗୁଡ଼ିକ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି । ହରିଜନ ସାହିଗୁଡ଼ାକ ନୀଚା ଜାଗାରେ ହୋଇଥିବାର ସେସବୁ ସାହିର ସବୁ ଘର ଭାଙ୍ଗି ପଡ଼ିଛି ।

 

ଲୋକେ ଗାଁଗଣ୍ଡା ଛାଡ଼ି ପଲାଇଲା ପରେ ଦୁର୍ବୃତ୍ତ ଲୋକେ ଗାଁ ଗାଁରେ ପଶି ଛେଳି, ମେଣ୍ଢା, ଟଙ୍କା ପଇସା, ବାସନପତ୍ର, ଲୁଗାପଟା ବହୁ ସ୍ଥାନରେ ଲୁଟ କରି ନେଇଛନ୍ତି । ଲୋକମାନେ କଞ୍ଚାପତ୍ର, ବୋଇତାଳୁ ପ୍ରଭୃତି ଚୋବାଇ ଖାଉଛନ୍ତି । ଏହା ଫଳରେ ସବୁଠି ଝାଡ଼ା ରୋଗ ଆରମ୍ଭ ହୋଇଗଲାଣି ।

 

ଜଇପୁରଠାରୁ ନାଲିବର ମାତ୍ର ତିନି ମାଇଲ ରାସ୍ତା । ଏହାର ଭିତରେ ଜଇପୁର, ନେଉଳିଆ, ରାହାଡିଙ୍ଗା, ପୀତାମ୍ବରପୁର, ଛପଡ଼ା, କେରକେରା, ଗନାଇଲେ, ବ୍ରାହ୍ମଣବାଡ଼ି, ମୁଣ୍ଡିଚିରା, ଗନ୍ଧନପଡ଼ା, ନାଲିବର ଗାଁମାନଙ୍କର ଚିହ୍ନ ମାତ୍ର ଅଛି । ଶହ ଶହ ଲୋକ ଜଇପୁରଠାରେ ବନ୍ଧରେ ଆଶ୍ରୟ ନେଇ ଭୋକରେ ଛଟପଟ ହେଉଛନ୍ତି । ରାସ୍ତାରେ ଯେଉଁସବୁ ଘାଇ ହେଇଯାଇଛି, ସେଥିରେ ପାଣି ଚାଲୁଛି । ଗାଈ ଗୋରୁ ଓ ଅନ୍ୟାନ୍ୟ ଜନ୍ତୁ ମରି ସ୍ଥାନେ ସ୍ଥାନେ ନାକଫଟା ଦୁର୍ଗନ୍ଧ ହେଉଛି । କେତେକ ସ୍ଥାନରେ ସ୍ତ୍ରୀଲୋକ ଆଉ ପିଲାମାନଙ୍କର ଏଇ ଶବ ଭାସୁଛି । ତିର୍ତ୍ତୋଳ ଥାନାର ତଣ୍ଡିକୁଳ, ତୁଳଙ୍ଗ, ପୋଦନା, ଶଙ୍କରସାହି, ସୋରିଷ ପୋଖରୀ, ବିରିବାଟୀ, ସଳଜଙ୍ଗା, ସୋଗଲ, ଜଇନାବାଦ, ବସନ୍ତପୁର ପ୍ରଭୃତି ଗାଁଗୁଡ଼ିକ ହଂସୁଆ ନଦୀ କୂଳରେ ଅବସ୍ଥିତ । ସେ ଅଞ୍ଚଳ ଲୋକମାନଙ୍କର କିଛି ସମ୍ବାଦ ମିଳି ନାହିଁ –କୌଣସି ଖାଦ୍ୟପଦାର୍ଥ ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚି ନାହିଁ । ଏଇସବୁ ଅଞ୍ଚଳରେ ଆଗାମୀ ଫସଲ ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

 

ଦୀର୍ଘ ନିଶ୍ଵାସ ଛାଡ଼ିଲେ ରମାକାନ୍ତ । ଓଡ଼ିଶାର ଏଇ ଜାତୀୟ କ୍ଷତି ବହୁ ଦିନ ପର୍ଯ୍ୟନ୍ତ ଅପୂରଣୀୟ ।

 

–ନଅ–

 

ବହୁ କଷ୍ଟରେ ବିଧ୍ଵସ୍ତ ଅଞ୍ଚଳରେ ଯାଇ ପହଞ୍ଚିଲେ ରମାକାନ୍ତ ଆଉ ଊର୍ମିଳା । ବନ୍ୟାଞ୍ଚଳ ଉପରେ ସେତେବେଳକୁ ବହୁ ବିଶିଷ୍ଟ ଭାରତୀୟ ନେତା ଉଡ଼ାଜାହାଜ ଯୋଗେ ବୁଲି ଆସିଲେଣି । ସମସ୍ତେ ମର୍ମାହତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବନ୍ୟାଞ୍ଚଳରେ କାମ କରିବା ପାଇଁ ଦାୟିତ୍ଵସମ୍ପନ୍ନ ଲୋକମାନଙ୍କୁ ବିଭିନ୍ନ ବିଭାଗ ବଣ୍ଟନ କରି ଦିଆଯାଇଛି ।

 

ପାଣି ଛାଡ଼ି ଆସିଲାଣି । ରାସ୍ତାଘାଟ ନିର୍ମିତ ହେବାପାଇଁ ସବୁ ପ୍ରକାର ଯୋଜନା ହୋଇ ସାରିଲାଣି । ଲୋକଙ୍କୁ ଥଇଥାନ କରିବା ପାଇଁ କଟକରେ ବନ୍ଦୋବସ୍ତ ହେଉଛି । ଅସ୍ଥାୟୀ ବାସଗୃହ ନିର୍ମାଣ, ଡାକ୍ତରଖାନା ପ୍ରଭୃତି ହେବାର ଯୋଜନା ହୋଇଛି । ଲୋକମାନଙ୍କ ପାଖରେ କିଛି କିଛି ସାହାଯ୍ୟ ଯାଇ ପହଞ୍ଚିଲାଣି ।

 

ଊର୍ମିଳା ଯାଇ ଦେଖିଲା ତା ବାପାଙ୍କୁ ଜର ହେଇଛି । ଡାକ୍ତର ସ୍ଵେଚ୍ଛାସେବକ ଜଣେ କହିଲେ–‘ଟାଇଫଏଡ଼’ ।

 

କେନାଲକୂଳରେ ଅସ୍ଥାୟୀ ତମ୍ବୁ କେତୋଟି ପକାଯାଇ ରୋଗୀମାନଙ୍କୁ ସେଇଠି ରଖାଯାଇଛି । ବୁଢ଼ା ବୟସରେ ମନ୍ଦର ପ୍ରଧାନଙ୍କ ଦେହରେ ଖଇ ଫୁଝିଯାଉଛି । କେତେଜଣ ସ୍ଵେଚ୍ଛାସେବକ ମଧ୍ୟ ରୋଗୀମାନଙ୍କ ସେବାରେ ଲାଗି ପଡ଼ିଛନ୍ତି । ସ୍ଥାନେ ସ୍ଥାନେ ପେଟ ବେମାରୀ ଦେଖା ଦେଇଛି–ଝାଡ଼ା ରୋଗ ମଧ୍ୟ । ସେଦିନ ମନ୍ଦର ପଧାନଙ୍କ ଜରର ତାପ ଏତେ ବଢ଼ିଗଲା ଯେ ସେ ଚୈତନ୍ୟ ହରାଇଲେ । ପ୍ରଳାପ–ଏଣୁ ତେଣୁ ଯାହା ପାରିଲେ ବକିଲେ । ଛାତିରେ ତାଙ୍କର ଜମିଚି କଫ–ଟାଇଫଏଡ଼ ସାଙ୍ଗକୁ ନିଉମୋନିୟା । ଊର୍ମିଳା ବିଚଳିତ ହୋଇପଡ଼ିଲା । ପାଖରେ ଥାଇ ରମାକାନ୍ତ ତାକୁ ଅଭୟ ଦେଲେ । ପାଣି–କାକର ଖାଇ, ଉପବାସରେ ନାନାପ୍ରକାର ଦୁଶ୍ଚିନ୍ତା କରି ବୁଢ଼ାଙ୍କ ଦେହ ଖରାପ ହେଇଛି । ଆଜିକାଲି ତ ନିଉମୋନିୟା, ଟାଇଫଏଡ଼ ବିଶେଷ କିଛି କଥା ନୁହେଁ । କିନ୍ତୁ ତା’ର ମନ ବୁଝେ କେତେକେ ? ବାପ ହେଇ ମା’ ମରିଯିବାଠୁ ଯିଏ ତାକୁ ଦି ହାତରେ ମଣିଷ କରି ଗଢ଼ିଛନ୍ତି, ତାଙ୍କର ଦହ ବେସ୍ତ ଦେଖିଲେ ଝିଅ ମନରେ ନିଶ୍ଚୟ ଆଶଙ୍କାର ଝଡ଼ ଉଠିବ । ରାତି ସାରା ଅନିଦ୍ରାରେ କଟେଇଚି ସେ । ଡାକ୍ତର ଘଣ୍ଟାକୁ ଘଣ୍ଟା ଆସୁଥାନ୍ତି–ତିନୋଟି ତମ୍ବୁ ତଳେ ଟାଇଫଏଡ଼ ରୋଗୀ ପ୍ରାୟ ଚାଳିଶଜଣ ଅଛନ୍ତି ।

 

ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ, ଊର୍ମିଳାର ଅକୁଣ୍ଠିତ ସେବା ଫଳରେ ମନ୍ଦର ପ୍ରଧାନଙ୍କ ଚେତନା ଫେରିଆସିଲା । ଊର୍ମିଳା ମୁହରେ ହସ ଫୁଟି ଉଠିଲା । ମନ୍ଦର ପଧାନ ଦୁଇ ଆଖି ଖୋଲି ଚାହିଁଲେ–ପାଖରେ ଊର୍ମିଳା ଓ ରମାକାନ୍ତ । ଆନନ୍ଦାଶ୍ରୁ ବହିଆସିଲା ତାଙ୍କ ଆଖି ତଳୁ । ସେ କହିଲେ–‘‘ବାବୁ, ଆପଣ ଭଲ ହେଇ ଫେରି ଆସିଛନ୍ତି”.....ଅନ୍ତରର କେଉଁ ଗଭୀରତମ ପ୍ରଦେଶରୁ ବାହାରୁଥିଲା କ୍ଷୀଣ ଭାବରେ କଥା ।

 

ରମାକାନ୍ତ କହିଲେ–‘‘ଆପଣଙ୍କ ଆର୍ଶୀବାଦ ଆଉ ଆପଣଙ୍କ ଝିଅର ସେବା ଫଳରେ ମରଣମୁହଁରୁ ମୁଁ ବଞ୍ଚିଗଲି ।”

 

ମନ୍ଦର ପଧାନ ପୁଣି କହିଲେ–‘‘ଉମିଟି ମୋର ସୁନା ମୁଣ୍ଡାଟିଏ, ଦୋଷ ବୋଲି ଟିକିଏ ତା’ ଦିହକୁ ଛୁଇଁନି । ଭଗବାନ ତା’ କପାଳରେ କ’ଣ ଲେଖିଛନ୍ତି କେଜାଣି... ?”

 

ନିଶ୍ଵାସ ପ୍ରଖର ହେଇଆସିଲା ତାଙ୍କର । ଊର୍ମିଳା କହିଲା–‘‘ବାପା, ବର୍ତ୍ତମାନ ପାଇଁ କଥା ବନ୍ଦ କର ।”

 

“ହଁ, କଥା ନ କହି ଶୋଇ ରହନ୍ତୁ ।” ରମାକାନ୍ତ ମଧ୍ୟ କହିଲେ । ଆଖି ବୁଜି ମନ୍ଦର ପ୍ରଧାନ ଶୋଇବାକୁ ଚେଷ୍ଟା କଲେ ।

 

ରମାକାନ୍ତ କହିଲେ–‘‘ଊମି, ତୁମ ବାପାଙ୍କ ପରି ବହୁତ ରୋଗୀ ଅସହାୟ ଅବସ୍ଥାରେ ଏଇଠି ପଡ଼ିଛନ୍ତି । ତୁମେ ଆଉ କୁଆଡ଼କୁ ନ ଯାଇ ଏଇଠି ରହି ସେମାନଙ୍କର ସେବା କର । ତୁମର ଶ୍ରମ ଦେଇ ସେମାନଙ୍କୁ ଜୀବନଦାନ କର ।”

 

ମନ୍ଦର ପଧାନ ବୁଜିଥିବା ଆଖିକୁ ଫିଟେଇ କହିଲେ–“ସେବା ହେଉଛି ମଣିଷର ବଡ଼ ଧର୍ମ । ପରୋପକାରାୟ ସ୍ଵର୍ଗାୟ । ପରର ସେବା କଲେ ଆତ୍ମାର ଉନ୍ନତି ହୁଏ ।”

 

ଊର୍ମିଳା ରୋଗୀସେବାରେ ଆତ୍ମନିୟୋଗ କଲା–ସେଇଥିରୁ ସେ ପାଇଲା ଅମାପ ଆନନ୍ଦ । ଦୁଇ ନମ୍ବର ତମ୍ବୁରେ ତା’ରି ରାଧୁ ଅଜା ଅଛି । ତାକୁ ବି ଟାଇଫଏଡ଼ । ଅବସ୍ଥା ସାଙ୍ଘାତିକ-। ଜୀବନର ଆଶା ଖୁବ୍ କମ୍ ବୋଲି ଡାକ୍ତର କହୁଛନ୍ତି ।

 

ରାତିର ନିଘଞ୍ଚ ଅନ୍ଧକାରରେ ପେଚାଗୁଡ଼ାକ ଉଡ଼ି ଯାଉଁ ଯାଉଁ ରାବୁଛନ୍ତି । ଆକାଶରେ ପୁଣି କଳାମେଘ ଘୋଟିଯାଇଛି । ଦେହ ଶୀତେଇ ଉଠିଲା ଊର୍ମିଳାର–ଭୟ । ବଙ୍ଗୋପସାଗର ଆଡ଼ୁ ବହିଆସୁଛି ଶୀତୁଆ ଅଶୁଭ ପବନ–ପୁଣି ଝଡ଼ ହେବାର ପୂର୍ବାଭାସ ।

 

ରାଧୁ ଅଜାର ଚେତନା ନାହିଁ–ଛାତିର କେଉଁ ଗଭୀର କୋଟରରୁ ଘଡ଼ ଘଡ଼ ଶବ୍ଦ ଶୁଭୁଛି-। କଫ ଛନ୍ଦି ହୋଇ ନିଶ୍ୱାସ ନେବାକୁ ଭୀଷଣ କଷ୍ଟ ହେଉଛି । ମଧ୍ୟ–ରାତ୍ରିରେ ଡାକ୍ତର ଆସି ଗୋଟାଏ ଇଞ୍ଜେକ୍‌ସନ ଫୋଡ଼ି ଦେଇଗଲେ । ମୁହଁର ଭାବ ନୈରାଶ୍ୟଜନକ ।

 

ରାତି ଶେଷ ହେବାକୁ ଆଉ ବେଶୀ ଡେରି ନାହିଁ । ବାହାରେ ଢାଳିଲାଣି ମେଘ । ବଜ୍ର ଆଉ ବିଦ୍ୟୁତ୍ ଝଲସାଇ ଦେଉଛି ପୃଥିବୀକୁ । ଧରଣୀର ଆତ୍ମା ଶଙ୍କିତ ।

 

ରାଧୁ ଅଜାର ଘନ ଘନ ନିଶ୍ଵାସ କମିଆସିଲା, ଗୋଡ଼ ହାତ ବରଫ ଥଣ୍ଡା ଲାଗୁଛି । ଊର୍ମିଳା ଦଉଡ଼ିଗଲା ରମାକାନ୍ତଙ୍କ ପାଖକୁ–ଆଉ ଗୋଟିଏ ତମ୍ବୁରେ ନିଘୋଡ଼ ନିଦରେ ଶୋଇଛନ୍ତି ରମାକାନ୍ତ । ସେ ତାଙ୍କୁ ଡାକିଲା ।

 

“କିଏ ?”

 

“ମୁଁ ଊର୍ମିଳା ।”

 

“ଆରେ, ଏତେ ରାତିରେ... ?”

 

ଊର୍ମିଳା ଯାଇଁ ମିଞ୍ଜି ମିଞ୍ଜି ଜଳୁଥିବା ବତୀକୁ ତେଜିଦେଲା । ରମାକାନ୍ତ ବିଛଣାରେ ଉଠି ବସିଲେ ।

 

“ବସ ।”

 

“ନା, ଆପଣ ଚଞ୍ଚଳ ଆସନ୍ତୁ ।”

 

“କ’ଣ ବାପାଙ୍କ ଦେହ ଫେର୍ କିଛି ହେଲା କି ? ନା ରାଧୁ ଅଜାଙ୍କର ?”

 

“ହଁ, ରାଧୁ ଅଜାଙ୍କୁ ଦେଖିବେ ଆସନ୍ତୁ ନା କ’ଣ ହେଉଛି ।”

 

‘‘ଚାଲ ।”

 

ଉଠିଆସିଲେ ସେ । ରାଧୁ ଅଜା ପାଖକୁ ଯାଇ ଦେଖିଲେ ଅବସ୍ଥା ଗୁରୁତର । ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଗଲା । ଡାକ୍ତର ଆସି ପରୀକ୍ଷା କଲେ; କିନ୍ତୁ ରାଧୁ ଅଜା ଦେହରେ ଆଉ କିଛି ନ ଥିଲା–ନିଶ୍ଵାସ ତାଙ୍କର ବନ୍ଦ ହେଇ ଯାଇଥିଲେ ଚିରଦିନ ପାଇଁ । ଦୀର୍ଘ ନିଶ୍ଵାସ ପକାଇ ଡାକ୍ତର ଚାଲି ଆସିଲେ । ରମାକାନ୍ତ ନିସ୍ପନ୍ଦ । ଭୋ’ କିନା କାନ୍ଦିଉଠିଲା ଊର୍ମିଳା । ତା’ର ନିଜ ଅଜା, ବିଶୁ ଅଜାର ସାନଭାଇ, ବିଶୁ ଅଜା ମରିଥିଲା, ବାକୀ ଥିଲା ଏଇ ରାଧୁ ଅଜା । ତିନି ତିନିଟା ବାହା ହୋଇଥିଲେ, କାହାରି ପିଲାଛୁଆ କିଛି ହେଲେ ନାହିଁ । ଜଣକ ପରେ ଜଣେ ତିନି ତିନିଟା ଆଈ ତା’ର ମରି ଯାଇଥିଲେ । ମାମୁଁଘର ବଂଶର ଶେଷ ଜଣକ ଆଜି ବି ସବୁଦିନ ପାଇଁ ଚାଲିଗଲା ।

 

ରମାକାନ୍ତ ସାନ୍ତ୍ୱନା ଦେଲେ । ମରିବାର ମଞ୍ଜି ନେଇ ତ ମଣିଷ ଜନ୍ମ ନିଏ ସଂସାରରେ-। ଏଇ ଦୁନିଆରେ ତ ସବୁଠାରୁ ଧ୍ରୁବ ହେଉଛି ମରଣ । ଆତ୍ମୀୟସ୍ଵଜନଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଲେ ଚଳିବ ନାହିଁ । ସାମନାରେ ରହିଛି ବହୁତ କାମ । ବାସ୍ତୁହରା–ସର୍ବହରାର କରୁଣ ଚିତ୍କାରରେ ଆଜି ବି ଭାଙ୍ଗି ପଡ଼ୁଚି ଆକାଶର ଛାତି । ସେବା ଅଭାବରେ ଆଜି ବି ଏ ଦେଶରେ ଶହ ଶହ ହଜାର ହଜାର ଲୋକ ପୋକମାଛି ପରି ଝରି ପଡ଼ୁଛନ୍ତି ।

 

ମନ୍ଦର ପ୍ରଧାନ ଶୁଣିଲେ ତାଙ୍କ ଖୁଡ଼ୁତାଶୁରଙ୍କ ମରଣ ଖବର । ସେ ମୂର୍ଚ୍ଛା ହୋଇଗଲେ-। ବିଚିତ୍ର ମଣିଷର ମନ । କାଲି ପରି ସେ’ ଦିନ । ତାଙ୍କରି ଆଖି ସାମନାରେ କେତେ ଆତ୍ମୀୟସ୍ଵଜନ ଜୀଅନ୍ତା ସମାଧି ଲଭିଲେ, କେତେ ମଣିଷ ଅସହାୟ ଭାବରେ ପାଣିତଳେ ଡୁବିଗଲେ, ଆଖିରୁ ଟିକିଏ ବି ଲୁହ ଝରି ନ ଥିଲା ତାଙ୍କର । ସେ ନିଜେ ବି ହୁଏତ ଅନନ୍ତ ସିନ୍ଧୁ ଗର୍ଭକୁ ଭାସି ଯାଇଥାନ୍ତେ-

 

କିନ୍ତୁ ଆଜି.....

 

ଡାକ୍ତର ଲାଗିପଡ଼ି ତାଙ୍କର ଚେତନା ଫେରାଇ ଆଣିଲେ । ଦୁର୍ବଳ ଶରୀରରେ ମୂର୍ଚ୍ଛା ଯିବା ବିପଦର କଥା ।

 

ରାଧୁ, ଅଜାର ଶରୀରକୁ ସେଇ କେନାଲ୍ ଆଡ଼ିରେ ସମାଧି ଦିଆଗଲା ।

 

ଦିନ ଚାଲିଗଲା ଏକ, ଦୁଇ, ତିନି । ଊର୍ମିଳା ଭୁଲିଅସିଲା ରାଧୁ ଅଜାର ଦୁଃଖ । ରମାକାନ୍ତଙ୍କର ମଧୁର କଥା, ସୁନ୍ଦର ହସ, କ୍ଳାନ୍ତିହରା ଚାହାଣୀ ତା’ ମନରେ ଆଣିଦେଲା ବଳ ।

 

ସେଦିନ ରମାକାନ୍ତ ତାଙ୍କୁ କହିଲେ– “ବୁଝିଲ ଉମି, ସେବା ହେଉଚି ମଣିଷର ପରମ ଧର୍ମ । ଠିକ୍ ଏଇ କଥା ତମ ବାପା ବି ସେଦିନ କହିଥିଲେ । ଅଜସ୍ର ବହିରେ ଲେଖା ହୋଇଛି ଏହି ନୀତି କଥା । କ୍ଷଣିକ ଦୁଃଖ କଥାସବୁ ଭୁଲିଯାଇ, ଆସନ୍ନ ମରଣମୁଖରୁ ତମ୍ବୁରେ ପଡ଼ିଥିବା ରୋଗୀମାନଙ୍କୁ ଉଦ୍ଧାର କରିବା ପାଇଁ ଲାଗିପଡ଼ । ତୁମର କୋମଳ ହାତର ପରଶରେ ସେମାନଙ୍କ ମୁହଁରେ ଫୁଟିଉଠୁ ହସ ।”

 

ଊର୍ମିଳାର ନିର୍ଲିପ୍ତ ଓ ନୟନରୁ ଉଠୁଛି ଦୀପ୍ତି । ରମାକାନ୍ତ ମୁଗ୍‌ଧ ହେଲେ ।

 

–ଦଶ–

 

ଦୁଇଦିନ ହେଲା ମନ୍ଦର ପଧାନଙ୍କ ତମ୍ବୁରେ ଆଶ୍ରୟ ନେଇଛି ଆଉ ଗୋଟିଏ ବାଳିକା–ନାମ ତା’ର କେତକୀ । ବୟସ ହେବ ଷୋଳ ସତର । ତେରବର୍ଷ ବୟସରେ ସେ ବିଭା ହୋଇଥିଲା; କିନ୍ତୁ ବିଭାଘରର ଦୁଇ ବରଷ ପରେ ବିଧବା ହେଇଗଲା । ବିଧବା ହେବା ପରଠାରୁ ବାପମାଙ୍କ ଆଶ୍ରୟରେ ରହିଥିଲା । ବନ୍ୟା ପରଠୁ ବାପ–ମାଙ୍କର ଆଉ ପତ୍ତା ମିଳୁ ନାହିଁ–ଖୁବ୍‌ ସମ୍ଭବ ସେମାନେ ଆଉ ଜୀବନରେ ନାହାନ୍ତି ।

 

କେନାଲ୍ ବନ୍ଧରେ ବୁଲୁ ବୁଲୁ ଊର୍ମିଳା ପାଇଥିଲ ଏଇ କେତକୀର ସନ୍ଧାନ–ସମାନ ବୟସ । କଥାବାର୍ତ୍ତାରୁ ତା’ର ଦୁଃଖିନୀ ଜୀବନର କଥା ଶୁଣି ଊର୍ମିଳା ତା’କୁ ତା ନିଜ ତମ୍ବୁକୁ ନେଇଆସିଲା । ଏଇ ଦୁଇଦିନ ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଖୁବ୍ ଜମିଯାଇଛି ।

 

କେତକୀ ଊର୍ମିଳାକୁ ଡାକୁଛି ‘ଅପା’ ବୋଲି । ଊର୍ମିଳା ସହିତ ଯାଇ ରୋଗୀମାନଙ୍କର ସେବା କରୂଛି–ବିଧବା ଜୀବନର ଶ୍ରେଷ୍ଠ ବ୍ରତ । ରମାକାନ୍ତ ମଧ୍ୟ ଏହି ବିଧବା ଝିଅଟିର ବ୍ୟବହାରରେ ଖୁବ୍‌ ସନ୍ତୁଷ୍ଟ । ସେଦିନ ତିନିଜଣଯାକ ବସି ରମାକାନ୍ତଙ୍କ ତମ୍ବୁରେ କଥା ହେଉ ହେଉ କେତକୀ କହିଲା–ସେ ତାଙ୍କ ଗାଁ ସ୍କୁଲରୁ ମାଇନର ପଢ଼ିଛି । ନର୍ସିଂ ପଢ଼ିବା ପାଇଁ ତା’ର ଭାରି ଇଚ୍ଛା-

 

ରମାକାନ୍ତ କହିଲେ–‘‘ତମେ ଯଦି ନର୍ସିଂ ପଢ଼ିବ, ଖୁବ୍‌ ଭଲ ହେବ । ଯଦି ଚାହିଁ, ନର୍ସିଂ ପଢ଼ିବାର ସମସ୍ତ ବନ୍ଦୋବସ୍ତ ମୁଁ କରିଦେବି ।’’

 

ଊର୍ମିଳା କହିଲା–“ଆପଣ ତୁରନ୍ତ କରିଦିଅନ୍ତୁ । ସେତିକି କରିଦେଲେ ଆପଣ ଜଣେ ଅନାଥା ବାଳିକାର ମହା ଉପକାର କରିବେ ।”

 

କେତକୀ କହିଲା–‘ଅପା, ମୁଁ ବିଧବା ହେଇଯାଇଛି ସତ, ନିଜକୁ ଏଡ଼େ ଅସହାୟ ଆଉ ଅନାଥା ବୋଲି ଭାବେ ନାହିଁ । ନିଜକୁ ଏତେ ଛୋଟ କରି ଦେଖିବାର ସପକ୍ଷରେ ମୁଁ ମୋଟେ ନୁହେଁ-।”

 

କେତକୀର ଏଇ କଥା ଶୁଣି ରମାକାନ୍ତ ତା’ର ଖୁବ୍ ତାରିଫ କଲେ । ‘‘ତୁମେ ଠିକ୍‌ କହିଛ କେତକୀ ! ତମେ ସ୍ତ୍ରୀଜଗତରେ ଗୋଟିଏ ରତ୍ନ ହେବ । ନିଜକୁ ଦୁର୍ବଳ ବୋଲି ସେ ଭାବେ, ଯେ ସଂସାରରେ କିଛି କରିପାରେ ନାହିଁ ।”

 

“ମୁଁ କିନ୍ତୁ ଭାରି ଭୟାଳୁ ଥିଲି । ବିଧବା ହେବା ପରେ ବସି ବସି ବହୁତ ବହି ପଢ଼ି ମୋ ନିଜ ଉପରେ ମୋର ବିଶ୍ଵାସ ଆସି ଯାଇଛି । ସଂସାରରେ ନିଜର କର୍ମଦ୍ଵାରା ମଣିଷ ଛୋଟ ବଡ଼ ହୁଏ । କର୍ମ ହେଉଛି ଶ୍ରେଷ୍ଠ । ଯେଉଁମାନେ ନାନାପ୍ରକାର ଆଳ ଦେଖାଇ କାମ ନ କରନ୍ତି, ସେମାନେ ହେଉଛନ୍ତି ଭୀରୁ ।”

 

ରମାକାନ୍ତ ଆଉରି ଆଶ୍ଚର୍ଯ୍ୟ ହେଲେ । ଗ୍ରାମ୍ୟ ବାଳିକା କେତକୀ । ତା’ର ବୁଦ୍ଧି ତ କମ୍ ନୁହେଁ । ଛୋଟ କଥାରେ ଜୀବନର ବିରାଟ ଦର୍ଶନ କଥା ସେ କହୁଛି । ହାୟ ହାୟ ! ଏମିତି ବାଳିକାର ଭାଗ୍ୟରେ ପୁଣି ଏ ଦୁର୍ଯ୍ୟୋଗ ଅଥବା ୟା’ ମୂଳରେ ବିଶ୍ଵ–ସ୍ରଷ୍ଟାର କୌଣସି ମହତ୍ ଉଦ୍ଦେଶ୍ୟ ନିହିତ ଅଛି ।

 

ଊର୍ମିଳା କହିଲା–“ତୋର ଆଉ ଚିନ୍ତା କଅଣ ? ନର୍ସିଂପଢ଼ାର ସବୁ ବନ୍ଦୋବସ୍ତ ତ କରିଦେବେ...... ।’’

 

‘‘ନିଶ୍ଚୟ ମୁଁ କରିଦେବି । କେତକୀ ଭଳି ଝିଅମାନଙ୍କର ନର୍ସ ହେବା ଏକାନ୍ତ ଉଚିତ ।”

 

‘‘ଊମି !” ବାହାରୁ ଶୁଭିଲା ମନ୍ଦରପଧାନଙ୍କ ପାଟି । ଊର୍ମିଳା ଉଠି ଆସିଲା । ବାପା ତା’ର ଭଲ ହୋଇ ଆସିଲେଣି । ଚାଲବୁଲ କରୁଛନ୍ତି ଟିକିଏ ଟିକିଏ । ଊର୍ମିଳା ପଛେ ପଛେ କେତକୀ ଉଠି ଆସୁଥିଲା–ରମାକାନ୍ତ ତାକୁ ବସିବାକୁ କହିଲେ ।

 

‘‘ତୁମ ବାପାଙ୍କର ଆଉ କ’ଣ ସନ୍ଧାନ ମିଳିବ ବୋଲି ତୁମେ ଭାବୁଛ କେତକୀ ?’’

 

“ହୁଏ ତ ନ ମିଳିପାରେ ।” କେତକୀ କହିଲେ । ମୁହଁରେ ତା’ର ବିଶେଷ ଦୁଃଖର ଚିହ୍ନ ନାହିଁ ।

 

‘‘ତୁମେ ଆସିବା ଦିନଠୁ ଗୋଟିଏ କଥା ମୋ ମନରେ ଖେଳୁଛି । ପଚାରିବି ପଚାରିବି ବୋଲି ପଚାରି ପାରୁ ନାହିଁ ।”

 

“ପଚାରନ୍ତୁ ।”

 

“ତୁମେ ମୋତେ ଭୁଲ୍‍ ବୁଝିବ ନାହିଁ । ସମାଜର ମଙ୍ଗଲକାଙ୍‌କ୍ଷୀ ହିସାବରେ ମୁଁ ଏ ପ୍ରଶ୍ନ ତୁମକୁ ପଚାରୁଛି । ଆଚ୍ଛା କହିଲ ଦେଖି, ଯେଉଁ ଝିଅମାନେ ବାଲ୍ୟବିଧବା ହୋଇଯାଆନ୍ତି, ପୁଣି ଥରେ ସେମାନଙ୍କର ବିବାହ କରିବା ଉଚିତ ନୁହେଁ କି ? ପାଶ୍ଚାତ୍ୟ ଜଗତରେ ଏହା ଦୈନନ୍ଦିନ ଘଟଣା । ଓଡ଼ିଶାରେ ତା’ର ପ୍ରଚଳନ ହେଲେ କ୍ଷତି କ’ଣ ହୁଅନ୍ତା ?’’

 

ପ୍ରଶ୍ନ ଶୁଣିଲା କେତକୀ–ମୁହର ଭାବ ତା’ର ଅପବର୍ତ୍ତିତ । ସେ କହିଲା–‘‘ଓଡ଼ିଶାରେ ୟା’ର ପ୍ରଚଳନ ହେଲେ କେତେ ବାଲ୍ୟବିଧବା ଅକାଳ ହତାଶରୁ ରକ୍ଷା ପାଇଯାଆନ୍ତେ; କିନ୍ତୁ ଆପଣ ତ’ ଜାଣନ୍ତି, ନିହାତି ଆବଶ୍ୟକ ନ ହେଲେ କେହି ବିଧବାକୁ ବାହା ହେବେ ନାହିଁ । ଆମ ଓଡ଼ିଶାରେ ପୁରୁଷମାନଙ୍କ ସଂଖ୍ୟା ଅପେକ୍ଷା ସ୍ତ୍ରୀମାନଙ୍କ ସଂଖ୍ୟା ବେଶୀ–ତହିଁକି ପୁଣି ଆମର ଶିଖିତ ଯୁବକମାନେ ଅଣଓଡ଼ିଆ ଝିଅମାନଙ୍କୁ ବାହା ହବାକୁ ଅଧିକ ପସନ୍ଦ କରୁଛନ୍ତି । ଆପଣ ନିଜକୁ ନିଜେ ପଚାରନ୍ତୁ–କୌଣସି ଶିକ୍ଷିତ ଯୁବକ ସ୍ଵେଚ୍ଛାରେ ଅଳ୍ପବୟସ୍କା ବିଧବାମାନଙ୍କୁ ବାହା ହବାକୁ ଚାହାନ୍ତି କି ?”

 

ଲଜ୍ଜାରେ ଲାଲ ପଡ଼ିଗଲା ରମାକାନ୍ତଙ୍କର ମୁହଁ । ବିଛାମନ୍ତ୍ର ନ ଜାଣି ସେ ସାପ ଗାତରେ ହାତ ପୁରାଇ ଦେଇଛନ୍ତି । ଆଶ୍ଚର୍ଯ୍ୟ ! ସେ କଳ୍ପନା ସୁଦ୍ଧା କରି ନ ଥିଲେ କେତକୀ ତାଙ୍କ ମୁହଁ ରେ ଏମିତି ଉତ୍ତର ଦେବ ବୋଲି । ଉତ୍ତରଟି ଶୁଣି ସେ ଚୁପ ରହିଲେ । କେତକୀ କିନ୍ତୁ ଛାଡ଼ିବାର ପାତ୍ରୀ ନୁହେ ।

 

କହିଲା–“ଆପଣ ତ ଶିକ୍ଷିତ, ଅବିବାହିତ । କହନ୍ତୁ ନା, ଆପଣ ନିଜେ କୌଣସି ବିଧବାକୁ ବାହା ହୋଇପାରିବେ.... ?”

 

ରମାକାନ୍ତ ନିରୁତ୍ତର ।

 

“ଏଇଥିପାଇଁ ମୁଁ ଆଉ ବିଭା ହେବି ନାହିଁ ବୋଲି ଅନେକ ଦିନରୁ ଠିକ କରି–ସାରିଛି ।” କେତକୀ ହସିଦେଇ ଚାଲିଗଲା ।

 

ମନ ଭିତରେ ପଥରରେ ଖୋଳା ହେଲା ପରି ଆଙ୍କି ହେଇଗଲା କେତକୀର କଥା ।

 

ରାତ୍ରି । ରମାକାନ୍ତଙ୍କ ତମ୍ବୁ ଭିତରେ ଜଳୁଚି ମିଞ୍ଜି ମିଞ୍ଜି ହେଇ ବତୀ–ଖୁବ୍ କ୍ଷୀଣ ଆଉ ନିଷ୍ପ୍ରଭ ତା’ର ଆଲୋକ । ସେ ଶୋଇ ଶୋଇ ଜାଗରଣରେ ଦେଖୁଛନ୍ତି ସ୍ଵପ୍ନ–ଊର୍ମିଳାର ସ୍ମୃତି ତାଙ୍କୁ କରୁଚି ଅଥୟ–ମନରେ ଆଣିଚି ଝଡ଼ । ଏଇ ଅଳ୍ପ ଦିନର ପରିଚୟ ପୁଣି ଘନିଷ୍ଠତା ତାଙ୍କ ମନରେ ଗଭୀର ପ୍ରେମର ରେଖା ଟାଣିଛି–ଅସ୍ଥିରତାରେ ପୂରି ଉଠିଚି ତାଙ୍କ ହୃଦୟ । କେତକୀ ତାଙ୍କୁ ଅପମାନ ଦେଇଛି, ବୋଧହୁଏ ସେଇଟା ତାଙ୍କର ଥିଲା ପ୍ରାପ୍ୟ । କିନ୍ତୁ ସେ ତ ଅନ୍ୟାୟ କିଛି କରିନାହିଁ–ସେ କ’ଣ ରମାକାନ୍ତଙ୍କୁ ଅପମାନ ଦେଇଛି ? ମିଛ କଥା–ସେ ଅପମାନ ଦେଇଛି ଶିକ୍ଷିତ ସମାଜକୁ, ଯେଉଁମାନେ କି ମୁହଁରେ ଖୁବ୍‌ ବଡ଼ ବଡ଼ କଥା କହନ୍ତି, ନୀତି ବୟାନ କରନ୍ତି, ଅନ୍ୟକୁ ଉପଦେଶ ଦିଅନ୍ତି, କିନ୍ତୁ ନିଜେ କିଛି କରନ୍ତି ନାହିଁ ।

 

ସେ ଠିକ୍‌ କରିଚି–ଠିକ୍‌ କରିଚି । ତା ବୁଦ୍ଧିକି ସେ ଶତ ଧନ୍ୟବାଦ ଦେଲେ । ଆଖିକି ତାଙ୍କର ଆଜି ନିଦ ଆସୁ ନାହିଁ ।

 

ଊର୍ମିଳା....ତା’ ଚିନ୍ତାରୁ ଆଉ ମୁକ୍ତି ନାହିଁ । ଷୋଡ଼ଶୀ କିଶୋରୀର ଢଳ ଢଳ ଆଖି ତଳେ ସେ ସନ୍ଧାନ କରୁଥିଲେ ଏ ଯୁଗର ମୀନାକୁମାରୀ କିମ୍ବା ବୈଜୟନ୍ତୀମାଳାର ଚାହାଣୀ । କୃଷ୍ଣକବରୀର ଲଳିତ ଛନ୍ଦ, କଥା କରିବାର ଭଙ୍ଗୀ ତାଙ୍କୁ ଆଜି କରୁଥିଲା ଚଞ୍ଚଳ । ଶୋଇ ହେଉ ନାହିଁ ।

 

ନିଦ୍ରାକୁ ଜାଣିଶୁଣି ସେ ଯେମିତି ହତ୍ୟା କରିଛନ୍ତି । ଉଠି ବସିଲେ । କେନାଲ ବୁକୁରୁ ଶୁଭୁଥିଲା ପାଣି ସୁଅର କଳ କଳ ଶବ୍ଦ–ସେ ଶବ୍ଦ ଆଜି ଭଲ ଲାଗିଲା ତାଙ୍କୁ । ଏଇମିତି ଶବ୍ଦରେ ପାଗଳ ହୋଇ ଯମୁନାକୂଳକୁ କେଉଁ ଅତୀତରେ ଧାଇଁ ଯାଉଥିଲେ ଗୋପକୁଳଚନ୍ଦ୍ର ବେଣୁଧାରୀ–ଉତ୍‌ଥଳ ହେଉଥିଲା ବଂଶୀତାନରେ ସୁନ୍ଦର ଯମୁନାର ତଟ, ପାଗଳିନୀ ରାଧା ଧାଇଁ ଆସୁଥିଲେ । ତା’ପରେ ହେଉଥିଲା ରାଧାକୃଷ୍ଣଙ୍କର ଅପୂର୍ବ ମିଳନ–ଯାହା ଆଜି ବି ମନରେ ଆଣେ ବିସ୍ମୟ । ଜଗତର ଶ୍ରେଷ୍ଠ ମିଳନ ଗୀତ ଗାଇ ସେମାନେ କରୁଥିଲେ ତିନିପୁରକୁ ମୁଖର ।

 

ସେ ଦ୍ଵାପର ଯାଇଛି, ଯମୁନା ରହିଛି । ତା’ର ତଟରେ ପୁଣି ଉଠିଛି ପ୍ରେମରାଜ୍ୟର ଆଉ ଏକ ନିଖୁଣସ୍ମୃତି । ମୋଗଲସମ୍ରାଟ ପ୍ରେମିକ ସାହାଜାହାନ ତାଙ୍କର ସୁନ୍ଦରୀ ପ୍ରିୟତମା ମମତାଜ ମହଲକୁ ନିଜ ପ୍ରାଣଠାରୁ ଆଉରି ଭଲ ପାଉଥିଲେ–ସେଇ ଭଲ ପାଇବାର ନିଦର୍ଶନ, ପ୍ରେମ ସଙ୍ଗୀତର ନମୁନା, ବିଶ୍ଵର ଶ୍ରେଷ୍ଠ ଶିଳ୍ପ ତାଜମହଲ ଗଢ଼ିଉଠିଲା ମମତାଜଙ୍କ କବର ଉପରେ–ଦେଖିଲେ ଆଖି ଠିକରିଯିବ । ଶଙ୍ଖ ମଲମଲ ପଥର ଉପରେ ଆଜି ବି ପ୍ରେମିକା ମମତାଜଙ୍କ ଛବି ପ୍ରତିଫଳିତ ହୁଏ ।

 

ଦଳେଇଘାଇ ପାଖରେ ଥାଇ ରମାକାନ୍ତ ଆଜି କରୁଥିଲେ ଅତୀତକୁ ବିଶ୍ଳେଷଣ । ଊର୍ମିଳା ସହିତ ତାଙ୍କୁ ପରିଚିତ କରାଇ, ବିଶ୍ଵସ୍ରଷ୍ଟାର କେଉଁ ମହତ ଉଦ୍ଦେଶ୍ୟ ସାଧିତ ହେବ ?

 

ଏହି ପ୍ରଶ୍ନର ଉତ୍ତର ସେ ଖୋଜି ପାଉ ନ ଥିଲେ । ଊର୍ମିଳାକୁ ସେ ଭଲ ପାଇଛନ୍ତି–କର୍ତ୍ତବ୍ୟର ନିଷ୍ଠୁର ପଥରେ ଯାଉଁ ଯାଉଁ ପାଦ ତାଙ୍କର ଖସଡ଼ି ପଡିଛି । ସେ ଠିକ୍ କରି ସାରିଛନ୍ତି ଊର୍ମିଳାକୁ ବିବାହ କରିବେ ।

 

ରାତି ଆଜି ଗଭୀର, ଭୀଷଣ ଶୂନ୍ୟତା । ତା’ରି ଭିତରେ ସେ ଠିକ୍‌ କଲେ ଊର୍ମିଳାକୁ ତା’ ତମ୍ବୁରେ ଭେଟିବେ । କ୍ଷତି କ’ଣ ? ଏ ବିବାହର ସଂକଳ୍ପ ଯେଉଁ ମୁହୂର୍ତ୍ତରୁ ସେ କରି ସାରିଲେଣି, ଧର୍ମତଃ ସେଇ ମୁହୂର୍ତ୍ତରୁ ତାଙ୍କର ବିବାହ ହୋଇସାରିଛି । ସେଥିପାଇଁ ମନ୍ତ୍ର ହୋମର ଆବଶ୍ୟକତା କ’ଣ ? ମନର ମନ ସହିତ ମିଳନ ଯେଉଁଠି, ବାହାରର ଆଡ଼ମ୍ବର ସେଠି ତୁଚ୍ଛ ।

 

ସେ ବାହାରକୁ ଆସିଲେ ।

 

‘‘କିଏ ।”

 

“ମୁଁ ଜଣେ ବଡ଼ ଦୁଃଖୀ ବାବୁ ! ବନ୍ୟାରେ ମୋ ସ୍ତ୍ରୀଟି ଭାସିଗଲା । ଶୁଣୁଚି ମୋ ବିଧବା ଝିଅଟି ଏଇଠି କେଉଁଠି ଆଶ୍ରୟ ନେଇଛି । ଆପଣ କହିପାରିବେ କି ବାବୁ ?”

 

“ବିଧବା ଝିଅ ? ଏଇଠି ଆଶ୍ରୟ ନେଇଛି ? ତା ନାଁ କ’ଣ ?’’

 

“କେତକୀ ।”

 

“କେତକୀ ? କେତକୀ ଆପଣଙ୍କ ଝିଅ । ବଡ଼ ଭାଗ୍ୟବାନ୍‌ ଆପଣ–ଏମିତି ଝିଅଟିଏ ପାଇଛନ୍ତି ।’’

 

‘‘ବାବୁ, ସେ କେଉଁଠି ଅଛି ?”

 

‘‘ଏଇଠି ଅଛି ।’’

 

‘‘ହେ ଭଗବାନ, ଅସୀମ ତମର ଦୟା । ବଡ଼ ଦୁଃଖିନୀ ସେ ବାବୁ... !’’

 

‘‘ମୁଁ ସବୁ ଜାଣେ–ସେଇଥିପାଇଁ ତା’ର ନର୍ସିଂ ପଢ଼ିବାର ବନ୍ଦୋବସ୍ତ ମୁଁ କରିଦେଉଛି ।’’

 

“ହଁ, ସେଇଆ କରିଦିଅନ୍ତୁ ବାବୁ, ଆଖି ସାମନାରେ ଝିଅ ଆଖିର ଲୁହ କେତେଦିନ ଆଉ ମୁଁ ଦେଖିବି ?’’

 

‘‘କେତକୀ ଆଗ ତମ୍ବୁରେ ଅଛି–ଚାଲନ୍ତୁ ।’’

 

ରମାକାନ୍ତ ଆଗେ ଆଗେ ଚାଲିଲେ–ପଛରେ କେତକୀର ବାପା । ମନ୍ଦର ପ୍ରଧାନଙ୍କ ତମ୍ବୁ ପାଖରେ ପହଞ୍ଚି ରମାକାନ୍ତ ଡାକିଲେ–“କେତକୀ–କେତକୀ !” କେତକୀର ନିଦ ଭାଙ୍ଗି ଗଲା ।

 

‘‘ତୁମ ବାପା ଆସିଛନ୍ତି ।’’

 

ନିଦ ଅଳସ ଆଖିରେ ଧାଇଁ ଆସିଲା ସେ ଠିକ୍‌ ନୃତ୍ୟକ୍ଳାନ୍ତା ରତି ପରି । ଆଖିରେ ଆନନ୍ଦାଶ୍ରୁ ।

 

‘‘ତୋ’ ମା ନାହିଁ ରେ କେତ !’’

 

ଭୋ’କିନି କାନ୍ଦି ଉଠିଲା ସେ–ସମସ୍ତ ଦମ୍ଭ ତା’ର କୁଆଡ଼େ ଲିଭିଗଲା । ବାହାରର କ୍ରନ୍ଦନ ଶୁଣି ଊର୍ମିଳା ଉଠିଆସିଲା । ବାପ–ଝିଅର ମିଳନରେ ଅଭୂତ ଦୃଶ୍ୟର ସୃଷ୍ଟି–କିନ୍ତୁ ଆଉ ଜଣେ ସଂସାରରେ ନାହିଁ । ଉର୍ମିଳା ବି କାନ୍ଦିଲା ।

 

ରମାକାନ୍ତ କହିଲେ–‘‘ଯା’ ତ ହେବାର ହେଲାଣି । କେତକୀ, ତୁମ ଭଳିଆ ଝିଅ ବାପାଙ୍କୁ ସାନ୍ତ୍ୱନା ନ ଦେଇ ଏମିତି ଅଧୀର ହବା ସୁନ୍ଦର ନୁହେଁ ।”

 

ରମାକାନ୍ତ ଜଣେ ସ୍ଵେଚ୍ଛାସେବକକୁ ଡାକି ଖାଲିଥିବା ଗୋଟିଏ ତମ୍ବୁରେ କେତକୀ ଆଉ ତା’ ବାପାଙ୍କର ରହିବାର ବନ୍ଦୋବସ୍ତ କରିଦେବା ପାଇଁ କହିଲେ ।

 

ଊର୍ମିଳା ତା’ ତମ୍ବୁକୁ ଫେରିଗଲା–ରମାକାନ୍ତ ଫେରିଆସିଲେ । ତାଙ୍କ ତମ୍ବୁକୁ ।

 

ଶୂନ୍ୟତା... ।

 

–ଏଗାର–

 

ହସିଉଠିଲା କେତକୀ–ଘରଫଟା ହସ । ମେଘ ଦେହରେ ମେଘ ବାଜି ଗୁରୁଗମ୍ଭୀର ଶବ୍ଦରେ ପୃଥିବୀକୁ ପ୍ରକମ୍ପିତ କରିଦେଲା ।

 

ଊର୍ମିଳା ଆଖିରେ ଇଙ୍ଗିତ ଦେଲା ହସ ବନ୍ଦ କରିବାକୁ ।

 

ଟିକିଏ ଦୂରରେ ମନ୍ଦର ପ୍ରଧାନ ଆଉ କେତକୀର ବାପା ବସି କଥାଭାଷା ହେଉଥିଲେ । ଜୀବନର ଏକ କ୍ଷଣରେ ବସିଛକି ଦୁହେଁ ଯାକ–ଦୁହିଁଙ୍କର ଦୁଇଟି ଝିଅ ଛଡ଼ା ସଂସାରରେ ଆଉ କେହି ନାହିଁ । ଗୋଟିଏ ଝିଅର ଜୀବନ ଫୁଟି ଆସୁଛି ଆଉ ଜଣକର ଫୁଟିବା ଶେଷ ହେଇଯାଇଛି ।

 

‘‘କେତର ନର୍ସିଂ ପଢ଼ିବା କଥା କ’ଣ ହେଲା ?’’–ପଚାରିଲେ ମନ୍ଦର ପଧାନ ।

 

‘‘ହେଁ ହେଁ, ଇଞ୍ଜିନିୟର ବାବୁ କହିଛନ୍ତି, ସବୁ ଠିକ୍‌ କରିଦେବେ ବୋଲି ।’’

 

‘‘କିନ୍ତୁ ।’’

 

“କିନ୍ତୁ କ’ଣ ? ବିଧବା ଝିଅଟାକୁ ପାଖରେ ରଖି କେତେଦିନ ଆଉ ତା’ର ଦୁଃଖ ଦେଖିବି-? ଗୋଟାଏ ପନ୍ଥା ଧରିନେଲେ ସେ ଶାନ୍ତିରେ ରହିବ । ଖରାପ କ’ଣ ? ଆଗ କଥା ଆଜିକାଲି ଆଉ କ’ଣ ଅଛି ?’’

 

‘‘ମୁଁ କ’ଣ କହୁଥିଲି କି–ନର୍ସମାନଙ୍କର ଗତି ଯାହା–’’

 

‘‘ଆ–ହା, କ’ଣ ଆଉ ହେବ ? ଝିଅଟା ବାହା ହେଇଯିବ, ଯାଉ, ସେତ ଭଲ କଥା । ମୁଁ ତ ସେଥିରେ ଖୁସି ହେବି ।”

 

‘‘ସେମିତି ବାହା କରେଇଦବା ଭଲ ।”

 

‘‘ସେମିତ ବାହା କରେଇଦବା ଯାହା, ଏମିତି ବାହା ହବା ସେଇୟା । ସବୁ ସମାନ । ଆଚ୍ଛା, ତୁମ ଝିଅଟିକି ବାହା କରଉ ନାହଁ କାହିଁକି ? ବଅସର ଝିଅକୁ ପାଖରେ ରଖିଲେ କେତେବେଳେ କେଉଁ ବିପଦ ଅଛି ।”

 

‘‘ସେ ଠିକ୍‌ କଥା–ଏ ଯୋଉ ଦୁର୍ଯ୍ୟୋଗ...’’

 

“ଆଃ, ମୁଁ କ’ଣ କହୁଚି ଆଜି କରିବାକୁ ! ଏ ଦୁର୍ଯ୍ୟୋଗ ଆଗରୁ କରେଇ ଦେଇ ପାରିଥାଆନ୍ତ । ସଂସାର କଥା ତ ଦେଖୁଛ । କାହା ମୁହଁ ରେ ବାଡ଼ବତା ଅଛି ? କେତେ ଲୋକ କେତେ କଥା କହିବେ । ବୁଝି ପାରୁଚ ତ ? ବାହା କରେଇଦିଅ, ତେଣିକି ତା’ କପାଳରେ ଯାହା ଥିବ ।’’

 

‘‘ହଁ, ଫେରିଗଲେ ଯୋଗାଡ଼ କରିବାକୁ ହେବ; କିନ୍ତୁ ଏ ବର୍ଷ କ’ଣ ବାହାଘରଟାଏ ସମ୍ଭବ ହେଇପାରିବ ?’’

 

“ହଁ, ତା’ ବି ଠିକ୍‌ ।’’ ମୁଣ୍ଡ ହଲେଇ କହିଲେ କେତକୀର ବାପା ।

 

“ତେବେ ଆଉ ବେଶୀ ଦିନ ରଖି ହେବ ନାହିଁ । ଯେଉଁଠି ହେଲେ ଯୋଗାଡ଼ କରିବାକୁ ହେବ ।’’

 

‘‘କୌଣସି ସମ୍ବନ୍ଧ ପଡ଼ିଲାଣି ?’’

 

‘‘ନା ।’’

 

ଦ୍ରୁତ ପଦକ୍ଷେପରେ ସାମନାରୁ ଆସୁଛନ୍ତି ରମାକାନ୍ତବାବୁ I ମନ୍ଦର ପଧାନ ଓ କେତକୀର ବାପା ଉଠି ଠିଆହେଲେ ।

 

‘‘ହେଁ ହେଁ, କୁଆଡ଼ିକି ଯାଇଥିଲ କି ବାବୁ ?”

 

ରମାକାନ୍ତଙ୍କର ଗତି ବନ୍ଦ ହେଇଗଲା–“ଯାଇଥିଲି ରୋଗୀ ତମ୍ବୁକୁ, କଲେରା ଆରମ୍ଭ ହେଇଗଲାଣି । ପଚା ପାଣି ପିଇ ସ୍ୱାସ୍ଥ୍ୟ କେତେ ଦିନ ଭଲ ରହିବ ?’’

 

ମନ୍ଦର ପ୍ରଧାନ କହିଲେ–‘‘ବାବୁ, ବିପଦ ଯେତେବେଳେ ଆସେ, କ’ଣ ଏକା ଏକା ଆସେ ? ସେ ଆସେ ତା’ର ସଙ୍ଗୀ ସହଚରମାନଙ୍କୁ ସଙ୍ଗରେ ନେଇ ।”

 

ରମାକାନ୍ତ ଚାଲିଗଲେ ଡାକ୍ତରଙ୍କୁ ଖବର ଦେବାକୁ ।

 

ଊର୍ମିଳା ଆଉ କେତକୀଙ୍କ ବସି ପରସ୍ପରର ଅତୀତ ଜୀବନକୁ ପରସ୍ପର ଆଗରେ ବଖାଣୁଥିଲେ ।

 

ଡାକର ଆସିଲା–ରୋଗୀ ତମ୍ବୁ ପାଖକୁ ଯିବାକୁ ହେବ । ଜଣେ ଲୋକକୁ କଲେରା ଧରିଛି–ସେ ବେହୋସ ହୋଇ ପଡ଼ିଲାଣି ।

 

ଦୁଇ ଜଣଯାକ ଗଲେ । ସାଲାଇନ୍‌ ଇଞ୍ଜେକ୍‌ସନ ଦେଇସାରି ଡାକ୍ତର ବରାଦ କଲେ ନିଆ ଜାଳି ରୋଗୀର ଦୁଇ ପାଦରେ ସେକ ଦେବାକୁ । ଦୁଇଟି ଝିଅ ଲାଗି ପଡ଼ିଲେ ସେବାରେ । ରମାକାନ୍ତ ଭାବୁଥିଲେ ବାସ୍ତବିକ ନାରୀ ମହୀୟସୀ–ବିପଦରେ ଜନନୀ ।

 

ରାତି ଦଶ–ତମ୍ବୁଗୁଡ଼ିକରେ ବିରାଜୁଛି ନୀରବତା । ଆଲୁଅ ଲିଭିଗଲାଣି । ରୋଗୀଟିର ସ୍ତ୍ରୀ ବସି ତା’ ପାଖରେ କାନ୍ଦୁଛି । ସାନ୍ତ୍ୱନା ଦେବାକୁ ବେଳ ନାହିଁ । ଯେ ଯାହାର କାମରେ ବ୍ୟସ୍ତ ।

 

ଝାଡ଼ା କମିଆସିଲା । ଏଗାରଟା ବେଳକୁ ରୋଗୀର ଅବସ୍ଥା ଫେରିଆସିଲା ସାଧାରଣ ସ୍ତରକୁ ।

 

ରମାକାନ୍ତ କହିଲେ–‘‘ଊର୍ମିଳା, ମଣିଷ ଜାତିର ତୁମେ ଯେଉଁ ଉପକାର କରୁଛ, ତା’ର ପ୍ରତିଦାନ ତୁମକୁ କେହି ଦେଇପାରିବେ ନାହିଁ ।”

 

ହସିଲ ଊର୍ମିଳା–“ପ୍ରତିଦାନ ମୁଁ କ’ଣ ଚାହୁଁଛି ? ଚାହିଲେ ବି କାହାଠାରୁ ଚାହିଁବି ?”

 

କେତକୀ କହିଲା–‘‘କାହିଁକି । ଆପଣ ଯଦି ଅପାପାଇଁ ଏତେ ଭାବୁଛନ୍ତି, ପ୍ରତିଦାନ ଆପଣ ଦେଇ ଦେଉ ନାହାନ୍ତି ?”

 

“ହଁ, ଦବାର କ୍ଷମତା ଥିଲେ ଦେଇଦିଅନ୍ତି ।’’

 

‘‘ପାଣି’’–ରୋଗୀଟି ମାଗିଲା । ଆଉ ଗୋଟିଏ ତମ୍ବୁରେ ଭଲ ପାଣି ଥିଲା । କେତକୀ ଉଠିଗଲା ଆଣିବାକୁ ।

 

ପୁଣି କହିଲେ ରମାକାନ୍ତ–‘‘ଉମି, ତୁମେ ମୋ କଥା ଭାବୁଛ ?’’

 

ଆନତ ମୁହଁରେ ସେ ଉତ୍ତର ଦେଲା–‘‘ଭାବୁଛି ।’’

 

କେତକୀ ଫେରିଆସିଲା । ରାତି ବଢ଼ି ଉଠିଲାଣି । ଆଉ ଜଣେ ସ୍ୱେଚ୍ଛାସେବିକା ଆସିଲେ–ସାରା ରାତି ସେଇ ତମ୍ବୁରେ ରୋଗୀ ପାଖରେ ରହିବେ ।

 

ଊର୍ମିଳା, କେତକୀ, ରମାକାନ୍ତ ଯେ ଯାହାର ତମ୍ବୁକୁ ଫେରିଗଲେ ।

 

–ବାର–

 

ଊର୍ମିଳା ଶୋଇ ଶୋଇ ନାହିଁ । ତା’ର ଭବିଷ୍ୟତ୍‌ ଚିନ୍ତାରେ ସେ ଅସ୍ଥିର । ଦେହରୁ ଝାଳ ବହୁଛି । ତା’ଠୁ ଟିକିଏ ଦୂରରେ ଶୋଇଛନ୍ତି ମନ୍ଦର ପଧାନ । ବେଶ୍‌ ଶାନ୍ତିର ନିଶ୍ୱାସ ମାରୁଛନ୍ତି ସେ । ଊର୍ମିଳା ମନରେ ଉଙ୍କି ମାରୁଛି ହରେନ୍ଦ୍ରବାବୁଙ୍କ ସ୍ମୃତି । ଏଣେ ପୁଣି ରମାକାନ୍ତ ବାବୁଙ୍କ ସହ ପରିଚୟ, ଘନିଷ୍ଠତା ।

 

ତମ୍ବୁ ଭିତର ଅନ୍ଧାର । ଅନ୍ଧାରରେ ତା’ର ନିଶ୍ୱାସ ଶବ୍ଦ ବେଶ୍‌ ବାରି ହେଉଛି ।

 

ରମାକାନ୍ତବାବୁ ମନତଳେ ତା’ର ତୋଳିଛନ୍ତି ଏକ ଅହେତୁକୀ ତୋଫାନ । ସେଇ ତୋଫାନ ହାଓ୍ୟାର ବେଗରେ କେତେବେଳେ ସେ ଉଡ଼ିଯାଉଛି, କେତେବେଳେ ଘୂରିଯାଉଛି, ପୁଣି କେତେବେଳେ ସଜାଡ଼ି ନେଉଛି ନିଜକୁ ।

 

ଆଜି ସେ ଭାବେ–ଯଦି ହରେନ୍ଦ୍ର ଏଇ ମୁହୂର୍ତ୍ତରେ ଆସନ୍ତେ, ତାହାହେଲେ ? ସେ ଲୋଟିଯାଆନ୍ତା ତାଙ୍କ ଚରଣତଳେ–ତା’ର ସମସ୍ତ ଅପରାଧ ପାଇଁ ସେ କ୍ଷମା ମାଗି ନିଅନ୍ତା ।

 

କିନ୍ତୁ ସେ କ’ଣ ଆଉ ଫେରିବେ ? ତାଙ୍କ ସହିତ ପୁଣି ସାକ୍ଷାତ ହେବ ପୂର୍ବଜନ୍ମ ତପସ୍ୟାର ଫଳ । କାନ୍ଦି ଉଠୁଚି ତା’ର ଅନ୍ତର ପ୍ରିୟଜନ ବିରହର ଦୁଃଖରେ । ସେଇ ସ୍ମୃତିରେ ଆଜି ତା’ର ତନୁ ରୋମାଞ୍ଚିତ ହେଉଛି ।

 

ଅତୀତ ! ସୁନ୍ଦର ଆଉ କରୁଣ । ପ୍ରେମପାଶରେ ଥରେ ଯେ ବାନ୍ଧି ହେଇଚି ତା’ର ଗୋଲାପି ଛାପ ବହୁ ଦିନ ପର୍ଯ୍ୟନ୍ତ ତା’ ମନରେ ଥାଏ । ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହୁଏନା । ତେଣୁ ହରେନ୍ଦ୍ରବାବୁଙ୍କ ସ୍ମୃତି ଆଜି ତା’ ନିକଟରେ ଅଭୁଲା, ଅପାସୋରା ।

 

ତମ୍ବୁ ଭିତରଟା ଟର୍ଚ ଲାଇଟ ପ୍ଲାବନରେ ଭାସିଉଠିଲା । ଚମକି ପଡ଼ିଲା ସେ–‘‘କିଏ ?’’

 

‘‘ଚୁପ୍‌, ପାଟି କରନା ।’’

 

ଉଠି ବସିଲା ଊର୍ମିଳା । ଯୋଡ଼ିଏ ଥରିଲା ପାଦ ଆଗେଇଗଲା ଆଗକୁ ।

 

‘‘ମୁଁ ରମାକାନ୍ତ ।”

 

‘‘ଆପଣ ଏତେ ରାତିରେ ?’’

 

ରମାକାନ୍ତବାବୁ ବିଛଣା ଉପରେ ବସିପଡ଼ଲେ–ଊର୍ମିଳା ବେଶ୍‌ ବାରି ପାରୁଥାଏ ତାଙ୍କ ନିଶ୍ୱାସର ଉଷ୍ଣତା ।

 

‘‘ତୁମ ପାଇଁ ନିଦ ଆସୁ ନାହିଁ ଆଖିକି । ଜାଣି ପାରୁ ନାହିଁ ସାରା ଦେହ କେମିତି ମୋର ଥରୁଛି ।’’

 

‘‘ବାହାରକୁ ଆସନ୍ତୁ ।’’ ଉଠି ପଡ଼ିଲା ଊର୍ମିଳା । ବାହାରିଗଲା ବାହାରକୁ । ପଛେ ପଛେ ଗଲେ ରମାକାନ୍ତ । ବାହାରେ ଠିଆହୋଇ ଊର୍ମିଳା କହିଲା–

 

‘‘ଆପଣଙ୍କର ଏତେ ରାତିରେ ଆସିବାଟା ତ ଉଚିତ ହେଲା ନାହିଁ । ବାପା ଶୋଇଛନ୍ତି, ଚାହିଁଥିବେ ଯଦି.... ।”

 

‘‘କ୍ଷତି କ’ଣ ଅଛି ଉମି ? ମୁଁ ତ ସଂକଳ୍ପ କରିସାରିଛି ତୁମକୁ ବିବାହ କରିବି ବୋଲି ।”

 

‘‘ବିବାହ...’’ ପୁଣି ଥରେ ତା’ର ଅଙ୍ଗରେ ବେପଥୁ ।

 

ରମାକାନ୍ତ ତାର ପିଠିରେ ହାତ ବୁଲେଇ ଆଣି କହିଲେ–

 

“ଚମକି ପଡ଼ୁଛ କାହିଁକି ? ମୁଁ କ’ଣ ତୁମର ଯୋଗ୍ୟ ନୁହେଁ ?’’

 

‘‘ଭାରି ଭୟ ଲାଗୁଛି ମତେ । ଆପଣ ଚାଲିଯାଆନ୍ତୁ ।’’

 

ଅନତିଦୂରରେ ଗୋଟାଏ ଶବ୍ଦ ହେଲା । ଚମକି ପଡ଼ିଲେ ଦୁହେଁ ଯାକ । କ’ଣ ? ରମାକାନ୍ତଙ୍କ ହାତରେ ଜଳିଉଠିଲା ଟର୍ଚ୍ଚ–ଗୋଟାଏ ନରକଙ୍କାଳ ଅନାହାରରେ ମୂର୍ଚ୍ଛା ଯାଇଛି । ଦୁଇ ଜଣଯାକ ଦଉଡ଼ିଗଲେ ସେଇ ଆଡ଼କୁ । ଲୋକଟିର ଚକ୍ଷୁ କୋଟରଗତ–ହୁଏତ ବହୁ ଦିନ ଅନାହାରରେ ରହିଛି । ଲୋକଟିର ମୁହଁରେ ଟର୍ଚ୍ଚ ପଡ଼ିଲାକ୍ଷଣି ଊର୍ମିଳା ଚମକି ପଡ଼ିଲା । ଏ ଯେ ହରେନ୍ଦ୍ରବାବୁ ! ଯା’ ପାଇଁ ରାତି ରାତି ଭାବିକି ଆଖିକି ସେ ରଙ୍ଗ କରିଛି–ଏ ସେଇ ହରେନ୍ଦ୍ରବାବୁ । କି ଅବସ୍ଥା ତାଙ୍କର ଆଜି ! ମନେ ମନେ ଊର୍ମିଳା ଭଗବାନଙ୍କୁ ଡାକିଲା–ଯାହା କିଛି ହେଉ, ତା’ ହରେନ୍ଦ୍ରବାବୁ ତ ଜୀବନରେ ଅଛନ୍ତି ।

 

ରମାକାନ୍ତ ଆଉ ସେ ମିଳି ମୂର୍ଚ୍ଛିତ ହରେନ୍ଦ୍ରଙ୍କୁ ମନ୍ଦର ପଧାନଙ୍କ ତମ୍ବୁ ଭିତରକୁ ଆଣିଲେ-। ରମାକାନ୍ତ ଯାଇ ଜଣେ ଡାକ୍ତରଙ୍କୁ ଡାକି ଆଣିଲେ । ଗ୍ଲୁକୋଜ ଇଞ୍ଜେକ୍‌ସନ ଫୋଡ଼ାଗଲା । କମଳାଲେମ୍ବୁ ରସ ଦିଆଗଲା । ହରେନ୍ଦ୍ର ଆଖି ଖୋଲିଲେ–ପାଖରେ ବସି ଊର୍ମିଳା ସେବା କରୁଛି-। ସେ ଚିତ୍କାର କରିଉଠିଲେ–“ଊମି, ତୁ ବଞ୍ଚିଛୁ ? ହେ ଭଗବାନ !’’

 

ଊର୍ମିଳା ଆନନ୍ଦରେ ଅଧୀରା । ପଛକୁ ଫେରି ଚାହିଁଲା–ଡାକ୍ତର ଆଉ ରମାକାନ୍ତ ଚାଲି ଯାଉଛନ୍ତି । ମନ୍ଦର ପଧାନ ଠିଆହେଇ ଗାମୁଛା କାନିରେ ପୋଛି ଆଣୁଛନ୍ତି ଆଖିର ଲୁହ । ପାଖରେ ଥିବା ଆଉ ଗୋଟିଏ ତମ୍ବୁରୁ ଜଣେ କିଏ ଭାଗବତର ପଦ ଧରିଛି–

 

“ଏ ମନ ଖୋଜୁଥାଇ ଯାହା,

କାଳେ ପ୍ରାପତ ହୁଏ ତାହା ।”

 

–ତେର–

 

ପରଦିନ ରାତି ।

 

ଓପରଓଳି ସରକାରୀ ନିର୍ଦ୍ଦେଶ ଆସିଥାଏ–ରମାକାନ୍ତ ଜେନାପୁର ଅଞ୍ଚଳକୁ ଯିବେ । ବ୍ରାହ୍ମଣୀ ନଦୀରେ ଯେଉଁ ସବୁ ଘାଇ ହୋଇଛି, ତାହା କିପରି ତିଆରି ହେବ, ତାରି ଯୋଜନା ତାଙ୍କୁଇ କରିବାକୁ ହେବ । ଊର୍ମିଳାକୁ ସେ କହି ନ ଥାନ୍ତି–ଉଦ୍ଦେଶ୍ୟ, ରାତିରେ କହିବେ ଏବଂ ତା’କୁ ବାଧ୍ୟ କରିବେ ତାଙ୍କ ସଙ୍ଗରେ ଯିବାପାଇଁ । ସେ ଯଦି ନ ଯାଏ, ଭଗ୍ନପ୍ରାଣରେ କର୍ତ୍ତବ୍ୟର ଅନୁରୋଧରେ ସେ ଚାଲିଯିବେ–ପଛରେ ରହଯିବ ତାଙ୍କର ହୃଦୟ । କିନ୍ତୁ ସେ ଆପ୍ରାଣ ଚେଷ୍ଟା କରିବେ ତା’କୁ ନେଇ ଯିବା ପାଇଁ–ତା’ ବିନା ଦଶଦିଗ ତାଙ୍କୁ ଅନ୍ଧାର ।

 

ରାତି ଘନେଇ ଆସୁଛି–ସମଗ୍ର ଅଞ୍ଚଳ ଘୁମେଇ ପଡ଼ିଛି । ଅନ୍ଧକାର ଭିତରେ ଏଣେତେଣେ ବେଳେବେଳେ ପକ୍ଷୀଗୁଡ଼ାକ ଫଡ଼ ଫଡ଼ ଶବ୍ଦ କରି ଉଡ଼ି ବୁଲୁଛନ୍ତି କେତେ ଦୂରରୁ କେତୋଟି ଗୋରୁଙ୍କର ବୋବାଳି ଶୁଭୁଛି । ତଥାପି ରାତି ନିର୍ଜନ ଶୂନ୍‌ଶାନ ।

 

ଟର୍ଚ୍ଚ ହାତରେ ଧରି ରମାକାନ୍ତ ବାହାରି ପଡ଼ିଲେ । ପାଦ ଥରୁଛି ଅସମ୍ଭବ ଭାବରେ । ପାଖ ଦେଇ ସାପଟାଏ ଚାଲିଗଲା–ଖସ୍‌ ଖସ୍‌ । ପଛକୁ ଘୁଞ୍ଚିଗଲେ ସେ । ଝାଳ ବହିପଡ଼ିଲା ଦେହରୁ । ବର୍ତ୍ତମାନ ହୁଏତ କିଛି ଗୋଟାଏ ଦୁର୍ଘଟଣା ଘଟି ଯାଇଥାନ୍ତା ।

 

ଊର୍ମିଳାକୁ ସେ ନିଶ୍ଚୟ ବିବାହ କରିବେ ଆଉ ସଙ୍ଗରେ ନେଇଯିବେ । ଯାହାର ଜୀବନକୁ ଅକାଳ ମରଣରୁ ସେ ରକ୍ଷା କରିଛନ୍ତି, ସେ କ’ଣ ତାଙ୍କ କଥାରୁ ବାହାରିଯିବ ?ଊର୍ମିଳା ତାଙ୍କୁ ବା ବିବାହ ନ କରିବ କାହିଁକି ? ସେତ ଇଞ୍ଜିନିୟର, ପଇସାର ଅଭାବ ନାହିଁ ତାଙ୍କର, ଯୁବକ, ଶିକ୍ଷା ଅଛି । ଊର୍ମିଳା ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ ।

 

ଊର୍ମିଳାର ତମ୍ବୁ ପାଖରେ ପହଞ୍ଚି ସେ ଦେଖିଲେ, ଭିତରଟା ସେମିତି ଅନ୍ଧାର । ମନ୍ଦର ପଧାନ ଯଦି ଚାହିଁଥିବେ ! କାଲି ଆସିଥିବା ଲୋକ ଯଦି ଚାହିଁଥିବ । ଅନ୍ଧାରରେ ଧୀରେ ଧୀରେ ସେ ଭିତରକୁ ଗଲେ । ସବୁ ଶୂନ୍‌ଶାନ । ତିନୋଟି ମଣିଷର ନିଶ୍ୱାସ ଶବ୍ଦ କାନକୁ ତାଙ୍କର ସ୍ପଷ୍ଟ ଶୁଣାଯାଉଚି–ଟିକିଏ ଅପେକ୍ଷା କଲେ ସେ ।

 

ନା, ସମସ୍ତେ ନିଦ୍ରିତ । ସେ ଏଇଥର ଟର୍ଚ୍ଚ ପକେଇବେ । କିନ୍ତୁ ଭୟ ହେଉଛି । ଠିକ୍‌ ଏଇ ସମୟରେ ବାହାରେ କୁକୁରଟାଏ ଚିତ୍କାର କରିଉଠିଲା । ସେ ବାହାରକୁ ଚାହିଁଲେ । କିଛି ନାହିଁ-। ଶିଆଳଟାଏ ବୋଧହୁଏ ଦଉଡ଼ି ପଳେଇଗଲା । ତାକୁଇ ଦେଖି କୁକୁରଟା ଶବ୍ଦ କରୁଛି ।

 

ଦମ୍ଭ ଧରିବାକୁ ହେବ । ଭୟ କ’ଣ ? ସେ ତ ଚୋର ନୁହନ୍ତି । ଯେ କୌଣସି ଅବସ୍ଥାକୁ ସମ୍ଭାଳିବା ଭଳି ସତ୍‌ସାହସ ତାଙ୍କର ଅଛି । ଜଗତ୍‌ ଆଗରେ ସେ ତାଙ୍କର ପ୍ରସ୍ତାବ ବାଢ଼ିବେ– ଅବିବାହିତ ଯୁବକର ତ ବିବାହ ହେବାର ଅଧିକାର ଅଛି–ଅବିବାହିତା ଯୁବତୀର ମଧ୍ୟ ସେ ଅଧିକାର ରହିଛି । ଦୁଇଜଣ ସମ୍ମତ ହେଲେ ଆଉ କିଏ କାହିଁକି ଆପତ୍ତି କରିବ ? ମନ୍ଦର ପଧାନ, ସେ ତ ଖୁସି ହେବେ । ରମାକାନ୍ତଙ୍କ ଭଳି ଜାମାତା ପାଇବା ତ ଭାଗ୍ୟର କଥା ।

 

ସାହସ ବାନ୍ଧି ରମାକାନ୍ତ ଆଉ ଟିକିଏ ଆଗେଇଗଲେ । ଟର୍ଚ୍ଚ ଲାଇଟରୁ ଝରି ପଡ଼ୁଚି ଆଲୋକର ବନ୍ୟା । ତାହାରି ଆଲୋକରେ ସେ ସ୍ପଷ୍ପ ଦେଖିପାରିଲେ କାଲି ଆସିଥିବା ଲୋକଟି ଶୋଇଛି । ତା’ରି ଛାତିରେ ମଥା ରଖି ଊର୍ମିଳା ନିଜର ଅବଶ ଦେହଟାକୁ ମେଲେଇ ଦେଇଛି–ଆଉ ସେ ଲୋକଟି ତାର ଦୁଇ ହାତକୁ ଊର୍ମିଳାର ପିଠି ଉପରେ ରଖି ଗଭୀର ଅଶ୍ଳେଷର ମଧୁ ସମ୍ଭବତଃ ପାନ କରୁଛି । ଊର୍ମିଳାର ବିପର୍ଯ୍ୟସ୍ତ କେଶ–ମୁହଁରେ ସ୍ୱେଦ ବିନ୍ଦୁ । ଟର୍ଚ୍ଚ ଲାଇଟ ଆପେ ଆପେ ବନ୍ଦ ହୋଇଗଲା ।

 

ଏତେ ଦିନ କ’ଣ ସେ ମରୀଚିକା ପଛରେ ଧାଇଁଛନ୍ତି ? ଊର୍ମିଳା ନାଗୁଣୀ ।

 

ଫେରିଆସିଲେ ରମାକାନ୍ତ । ଜୀବନରେ ବିରାଟ ଏକ ଭୁଲ କରିଛନ୍ତି ସେ..

 

ରାତି ପାହିବା ପୂର୍ବରୁ ଜେନାପୁର ଯିବାପାଇଁ ସେ ତିଆର ହେଇଗଲେ । ଆଉ ମୁହୂର୍ତ୍ତେ ସେ ଏଠି ରହିପାରିବେ ନାହିଁ । ବିଷାକ୍ତ ହେଇଉଠିଚି ସମସ୍ତ ବାୟୁମଣ୍ଡଳ । ସେ ମୁକ୍ତି ଚାହାନ୍ତି ।

 

ଟ୍ରକ୍‌ ଆସିଲା–ସେତେବେଳକୁ ସକାଳ ସୂର୍ଯ୍ୟର କିରଣରେ ପୃଥିବୀ ହସିଲାଣି । ରମାକାନ୍ତଙ୍କର ସମସ୍ତ ଜିନିଷପତ୍ର ଟ୍ରକରେ ବୋଝାଇ ହେଲା । ସେ ନିଜେ ତମ୍ବୁ ଭିତରୁ ବାହାରି ଆସିଲେ । ଆଉ ଏକ ବିଧ୍ୱସ୍ତ ଅଞ୍ଚଳର ସେବାରେ ନିଜକୁ ନିୟୋଜିତ କରିବେ ।

 

ଟ୍ରକ୍‌ ପାଖରେ ଠିଆ ହେଇଛନ୍ତି ଊର୍ମିଳା ଆଉ ହରେନ୍ଦ୍ର । ରମାକାନ୍ତ ଦେଖିଲେ–ଘୃଣାରେ ତାଙ୍କର ଦେହ ଫୁଲି ଉଠିଲା । ଟ୍ରକରେ ବସିପଡ଼ିଲେ ସେ ଯାଇ । ପାଖରୁ ଦଉଡ଼ି ଆସିଲା କେତକୀ–“ମୋ କଥା କ’ଣ କଲେ । ଆପଣ ତ ଚାଲି ଯାଉଛନ୍ତି ।’’

 

“ହଁ ତୁମ କଥା...” ଚିନ୍ତାରେ କୁଞ୍ଚିତ ହେଲା ତାଙ୍କର ଲଲାଟ । “ଆଚ୍ଛା, ତୁମେ ଆଉ ତୁମ ବାପା ମୋ ସଙ୍ଗରେ ଆସ ।’’

 

କେତକୀ ଆଉ ତା’ର ବାପା ଯାଇ ଟ୍ରକରେ ବସିଲେ । ଟ୍ରକ ଛାଡ଼ିଦେଲା ।

 

ଊର୍ମିଳା ନିମ୍ନ ଦୃଷ୍ଟିରେ ତଳକୁ ଚାହିଁ ବାଁ ଗୋଡ଼ର ବୁଢ଼ା ଆଙ୍ଗୁଳି ନଖରେ ଗାର ଟାଣୁଥିଲା !

 

ହରେନ୍ଦ୍ର କହିଲେ–“ଏଇ ବାବୁଟି ଭାରି ଭଲ ଥିଲେ ।”

 

ଊର୍ମିଳା ମୁଣ୍ଡ ହଲେଇ ସମ୍ମତି ଜଣେଇଲା । ହଠାତ୍‌ କେଉଁ ଏକ ଅଜଣା ଦୁଃଖରେ ପୂରି ଉଠିଲା ତା’ର ଅନ୍ତର । ରମାକାନ୍ତ କଥା ନ କହି ଚାଲିଗଲେ । ଦୀର୍ଘ ନିଶ୍ୱାସ ଛାଏଁ ଛାଏଁ ତା’ର ଛାତି ତଳୁ ବାହାରି ଆସିଲା ।

 

ହରେନ୍ଦ୍ର କେନାଲ ଜଳକୁ ଚାହିଁ ରହିଥିଲେ । ଊର୍ମିଳା ପଳେଇଗଲା ତମ୍ବୁ ଭିତରକୁ । ଆଖିକୋଣରେ ତା’ର ଲୁହ ।

 

“କାନ୍ଦୁଛି କାହିଁକି ?”

 

କିଛି ବୁଝିପାରିଲେ ନାହିଁ ହରେନ୍ଦ୍ର । କାହିଁକି, କି ବେଦନାରେ ଊର୍ମିଳା ଆଜି ଅସ୍ଥିର ହେଉଛି ?

 

ଊର୍ମିଳା କହିଲା–“କିଛି ନାହିଁ, ଆଖିରେ କଣଟାଏ ପଡ଼ିଗଲା ।’’

 

ଶୂନ୍ୟତା–ତା’ରି ଭିତରେ ପ୍ରଖର ହେଇଉଠିଲା ଊର୍ମିଳାର ନିଶ୍ଵାସ । ହରେନ୍ଦ୍ର ତାକୁ କୋଳକୁ ଆଉଜେଇ ଆଣିଲେ । ଦୂରରୁ ଶୁଭିଲା ସୃଷ୍ଟିର ନୂତନ ସଙ୍ଗୀତ ।

☆☆☆

 

 

 

 

 

 

 

 

 

 

 

 

 

Unknown

ଭୁଲ ଟିକିଏ ପାଇଁ

 

–ଏକ–

 

ଶଶୀଭୂଷଣ ଦେ ଷ୍ଟ୍ରୀଟର ଜଗନ୍ନାଥ ମନ୍ଦିରକୁ ଲାଗି ସେଇ ଛୋଟିଆ ଗଳି । କଲିକତା ସହରର ଏକ ଆବର୍ଜନାମୟ ପରିବେଶ । ସେଇ ଗଳିରେ ହିଁ ରହନ୍ତି ତନ୍ଦ୍ରାର ବାପା ବିନୟ ସରକାର । ଏଲ. ଆଇ. ସି. ଅଫିସରେ କାମ କରନ୍ତି । ବୟସ ତାଙ୍କର ପାଖାପାଖି ପଚାଶ ।

 

ବିନୟବାବୁ ଖୁବ୍‌ ଗମ୍ଭୀର ପ୍ରକୃତିର ଲୋକ । ଆଗେ ହୁଏତ ତାଙ୍କର ଏଇ ଗମ୍ଭୀର ପ୍ରକୃତି ନ ଥିଲା । ମାତ୍ର ଏଇ ଦଶବର୍ଷ ଭିତରେ ତାଙ୍କ ଚରିତ୍ରରେ ଅସମ୍ଭବ ପରିବର୍ତ୍ତନ ଦେଖାଦେଇଚି । ଯେଉଁମାନେ ଆଗେ ବିନୟବାବୁଙ୍କୁ ଜାଣିଛନ୍ତି ସେମାନେ ବର୍ତ୍ତମାନ ବିନୟବାବୁଙ୍କୁ ତୁଳନା କଲେ ଆଶ୍ଚର୍ଯ୍ୟ ହୁଅନ୍ତି ।

 

ଏମିତି ବି ହୁଏ । ଯୋଉ ବିନୟବାବୁଙ୍କ ମୁହଁରେ ସବୁବେଳେ ଫୁଟୁଥିଲା ହସ–ସୌଖୀନ ନାଟ୍ୟମଞ୍ଚରେ ଯିଏ ସବୁବେଳେ ଆବିର୍ଭୂତ ହେଉଥିଲେ ଶ୍ରେଷ୍ଠ କମେଡ଼ିଆନ୍‌ ଭୂମିକାରେ, ଯାହାର କଥା ଶୁଣିଲେ ଶ୍ରୋତା–ଦର୍ଶକ ହସି ହସି ଗଡ଼ି ଯାଉଥିଲେ, ସେଇ ବିନୟବାବୁ କାଳକ୍ରମେ ଏକ ଗମ୍ଭୀର ପ୍ରକୃତିବିଶିଷ୍ଟ ମଣିଷ ହୋଇଗଲେ ।

 

ସେତେବେଳେ ଏଲ. ଆଇ. ସି. ହେଇ ନ ଥାଏ । ବିନୟବାବୁ ଗୋଟାଏ ଦେଶୀ ଇନ୍ସିଓରେନ୍‌ସ ଫାର୍ମରେ କିରାଣୀ ଚାକିରି କରୁଥାନ୍ତି । ସୌଭାଗ୍ୟ ତାଙ୍କର କମ ନୁହେଁ । ବଙ୍ଗବାସୀ କଲେଜରୁ ବି. ଏ. ପାଶ୍‌ କରିବାର ମାସ ଛ’ଟା ଭିତରେ ଇନ୍‌ସିଓରେନ୍‌ସ ଅଫିସରେ ମିଳିଥିଲା ଚାକିରି । ହେଉ ପଛେ କିରାଣୀ । କଲିକତା ସହରର କେତେଜଣ ଗ୍ରାଜୁଏଟଙ୍କୁ ଏ ସୌଭାଗ୍ୟ ମିଳେ ? ପ୍ରଥମ ଇଣ୍ଟରଭିଉରେ ହିଁ ସିଲେକ୍ଟ ହୋଇଗଲେ ।

 

ଚାକିରିରେ ମୁତୟନ ହେବାର ପ୍ରଥମଦିନ କାଳୀମନ୍ଦିରକୁ ଯାଇ ମା କାଳୀଙ୍କୁ ଦର୍ଶନକରି ଘରକୁ ଫେରିଥିଲେ ସେ । ତାଙ୍କର ବୃଦ୍ଧା ବିଧବା ମା ସେଦିନ କେତେ ଖୁସି ହେଇ ନ ଥିଲେ । ଦୁର୍ଭାଗ୍ୟକୁ ପିତାଙ୍କର କାଳ ହେଇ ଯାଇଥିଲା ଆଗରୁ । ହତଭାଗ୍ୟ ଜନକ ! ପୁତ୍ରର ସୌଭାଗ୍ୟ ଦେଖିବା ପାଇଁ ବଞ୍ଚି ରହି ନ ଥିଲେ ।

 

ଘରେ ବିନୟ ଓ ତାଙ୍କ ମା । ଛୋଟିଆ ଗଳିରେ ସମ୍ବଳ ମାତ୍ର ଘର ଖଣ୍ଡକ । ଉପର ତାଲାରେ ସେମାନେ ରହନ୍ତି । ତଳ ତାଲାର ତିନିଖଣ୍ଡ କୋଠରି ଭଡ଼ା ଦିଆ ହୋଇଥାଏ । ଭଡ଼ା ମିଳୁଥାଏ ନବେ ଟଙ୍କା । ତା ସାଙ୍ଗକୁ ଚାକିରିଲବ୍‌ଧ ଧନ ମିଶିଯାଇ ବେଶ୍‌ ଆତ୍ମସନ୍ତୋଷ ଆଣି ଦେଉଥିଲା ବିନୟଙ୍କ ମନରେ ।

 

ଚାକିରି ପରେ ସ୍ତ୍ରୀ ଲାଭ । ଭାଗ୍ୟରେ ଥିଲେ କାମିନୀ–କାଞ୍ଚନ ଯୋଗ ଘଟେ ।

 

ବିବେକାନନ୍ଦ ରୋଡ଼ର ନିର୍ମଳ ଦେଙ୍କ କନ୍ୟା ସୁନନ୍ଦାଙ୍କ ସହିତ ବିନୟଙ୍କର ଶୁଭ ପରିଣୟ ହେଇଗଲା ଏକ ମଙ୍ଗଳ ଲଗ୍ନରେ । ସେ ଅନେକ ଦିନ ତଳର କଥା । ରହସ୍ୟ ରୋମାଞ୍ଚମୟ ଜୀବନର ପ୍ରଥମ କାହାଣୀ ସେ ।

 

ବଧୂ ସୁନନ୍ଦା । ଥିର ଥିର ଚାଲି–ଧୀର ଧୀର କଥା–ଭୀରୁ ଭୀରୁ ଚାହାଣୀ–ହୀରାଝରା ହସ । ବେଶ୍‌ ଭଲରେ କଟି ଯାଉଥିଲା ଦିନଗୁଡ଼ିକ । ପରିଣୟ ପରେ ଉଦ୍ଭବ ହୁଏ ଯେଉଁ ପ୍ରେମ ସେ ପ୍ରେମରେ ଅଛି ଗମ୍ଭୀରତା–ଅଛି ଆତ୍ମୀୟତା । ସେ ପ୍ରେମର ସ୍ଵାଦ କେବଳ ଉପଭୋଗ କରନ୍ତି ସ୍ଵାମୀ–ସ୍ତ୍ରୀ । ସ୍ଵାମୀ–ସ୍ତ୍ରୀ ହେବା ପୂର୍ବରୁ ଯେଉଁ ପ୍ରେମ ଯୁବକ ଯୁବତୀଙ୍କ ପ୍ରାଣକୁ ଆଚ୍ଛନ୍ନ କରେ, ସେ ପ୍ରେମ ଚଞ୍ଚଳ–କ୍ଷଣସ୍ଥାୟୀ ।

 

ବିନୟ ଆଉ ସୁନନ୍ଦା–ସ୍ଵାମୀ ସ୍ତ୍ରୀ ଭାବରେ କଟେଇଦେଲେ କେତେ ରଙ୍ଗୀନ୍‌ ଦିନ–ନାଗରୀ ରାତି ।

 

ବିନୟଙ୍କ ବିବାହର ତିନିବର୍ଷ ପରେ ତାଙ୍କର ମା ଇହସଂସାରରୁ ବିଦାୟ ନେଲେ । ତାଙ୍କର ସବୁ ଆଶା ପୂରଣ ହେଇଥିଲା କେବଳ ଗୋଟିଏକୁ ଛାଡ଼ି । ନାତି ନାତୁଣୀ ମୁହଁ ଦେଖିପାରି ନ ଥିଲେ ସେ । ବୟସ ହେଲେ ଏ ଇଚ୍ଛା ପ୍ରତ୍ୟେକ ପିତା ମାତାଙ୍କର ହୋଇଥାଏ । ଶ୍ମଶାନକୁ ଯିବା ପଥରେ ନାତିନାତୁଣୀମାନେ ମଶାଲ ଜାଳିଲେ ଆତ୍ମାର ସଦ୍‌ଗତି ହୁଏ ।

 

ବୃଦ୍ଧଙ୍କର ଏ ଇଚ୍ଛା ପୂରଣ ହେଇପାରିଲା ନାହିଁ । ଏକ ଅଶୁଭ ରାତ୍ରିର ଭୟଙ୍କର ମୁହୂର୍ତ୍ତରେ ତାଙ୍କ ଜୀବନ ଅବସାନ ହେଇଗଲା ।

 

ଅପ୍ରତ୍ୟାଶିତ ଝଡ଼–ସେ ପୁଣି ମାର୍ଗଶୀର ମାସରେ । ଝଡ଼ ସହିତ ପ୍ରଚଣ୍ଡ ବର୍ଷା । କଲିକତା ସହରର ନିମ୍ନ ଅଞ୍ଚଳଗୁଡ଼ିକ ତ ଘଣ୍ଟା ଘଣ୍ଟା ଧରି ପାଣିରେ ବୁଡ଼ି ରହିଲା–ମଧ୍ୟାଞ୍ଚଳର ରାସ୍ତାଘାଟରେ ମଧ୍ୟ ଠିଆ ହେଇଗଲା ଆଣ୍ଠୁଏ ଆଣ୍ଠୁଏ ଜଳ ।

 

କୋଠରୀଟିରେ ଜଳୁଚି ଏକ ଅଳ୍ପ ପାୱାରବିଶିଷ୍ଟ ଇଲେକ୍‌ଟ୍ରିକ ବତୀ । ବିନୟବାବୁ ବର୍ଷା ଯୋଗୁ ଘରକୁ ଫେରି ନ ପାରି ଅଫିସରେ ଆଶ୍ରୟ ନେଇଛନ୍ତି ।

 

ବୃଦ୍ଧା ଜନନୀ–ଶୋଥ ରୋଗରେ ସର୍ବାଙ୍ଗ ତାଙ୍କର ଫୁଲିଯାଇଚି ।

 

ଗର୍ଭବତୀ ସ୍ତ୍ରୀ ଭଳି ପେଟର ଅବସ୍ଥା–ଦେହରେ ରକ୍ତ ନାହିଁ । ପାଣି ଖାଲି ପାଣି–ସିରୋସିସ୍‌ ଅଫ୍‌ ଲିଭର । କଲିକତା ମେଡ଼ିକାଲ କଲେଜରେ କିଛି ଦିନ ରହି ମଧ୍ୟ ସୁଫଳ ମିଳି ନାହିଁ । ଡାକ୍ତରଙ୍କ ମତ–ଏ ରୋଗର ପରମାୟୁ ବର୍ଷଟିଏ ।

 

ବିନୟବାବୁ ମାଆଙ୍କୁ ଫେରେଇ ଆଣିଛନ୍ତି ଘରକୁ । କର୍ତ୍ତବ୍ୟପରାୟଣା ସ୍ତ୍ରୀ ସୁନନ୍ଦା ଶାଶୁଙ୍କର ସେବାଯତ୍ନ ଅକୁଣ୍ଠ ଚିତ୍ତରେ କରୁଛନ୍ତି ।

 

ମାର୍ଗଶୀର ମାସର ରାତି–ନାହିଁ ନ ଥିବା ଝଡ଼ । ସୁନନ୍ଦାଙ୍କୁ ପାଖକୁ ଡାକି ଶାଶୁ କହିଲେ–ବୋହୂ ବୋହୂ ଲୋ, ଆଉ କିଛି ଦିନ ମତେ ବଞ୍ଚେଇ ରଖ । ବିନୟକୁ ବାହା କରେଇଥିଲି, ବଡ଼ ଆଶା ଥିଲା ତୋ’ କୋଳରେ ନାତିଟିଏ ଦେଖିବି ବୋଲି । ସତରେ କ’ଣ ମୁଁ ଦେଖିପାରିବିନି ?

 

ଘନ ଘନ ନିଶ୍ଵାସ–ମୃତ୍ୟୁକାଳୀନ ଖରଶ୍ଵାସ । କଥା କହୁ କହୁ ବୃଦ୍ଧାଙ୍କର ଆଖିତାରା ମିଳେଇ ଯାଉଚି । ବଞ୍ଚିରହିବା ପାଇଁ ଆପ୍ରାଣ ଚେଷ୍ଟା ଯେମିତି ଶେଷ ହେଇ ଆସୁଚି ।

 

ଏଇ ଶେଷ । ସୁନନ୍ଦାଙ୍କ ଆଖି ସାମନାରେ ବୃଦ୍ଧାଙ୍କର ଜୀବନଦୀପ ଲିଭିଗଲା । ମା, ମା ବୋଲି ଚିତ୍କାର କରି ସେ ଲୋଟିପଡ଼ିଲେ ତଳେ । ସେଇ ଝଡ଼ ଅନ୍ଧାର ରାତିରେ ତାଙ୍କୁ ସାନ୍ତ୍ୱନା ଦେବାକୁ ପାଖରେ କେହି ନ ଥିଲେ ।

 

ଝଡ଼ କମିବା ବେଳକୁ ରାତି ହେଲାଣି ଏଗାରଟା । ବିନୟବାବୁ ଅଫିସରୁ ଫେରି କିଂକର୍ତ୍ତବ୍ୟବିମୂଢ ହୋଇପଡ଼ିଲେ । ତାଙ୍କର ଶବସତ୍କାର କରିବାକୁ ହେବ ।

 

ପାଖ ପଡିଶା ବୋଲି ଯେଉଁମାନେ ସେମାନଙ୍କ, ସହିତ ବିନୟବାବୁଙ୍କର ସମ୍ପର୍କ କିଛି ନାହିଁ । ଖାଲି ବିନୟବାବୁ କାହିଁକି, ମହାନଗରୀ କଲିକତାର ହୁଏତ ଏଇଟା ଚଳଣି ।

 

ଏ ପାଖ ଘରର ଲୋକ ଜାଣେନା ସେ ପାଖରେ କିଏ ରହେ । ଅଜବ୍‌–ଅଦ୍ଭୁତ ।

 

କାଶୀ ବିଶ୍ଵନାଥ ସେବାସମିତିକୁ ଟେଲିଫୋନରେ ଖବର ଦେଲେ ବିନୟବାବୁ । ଘଣ୍ଟାକ ମଧ୍ୟରେ ସ୍ୱେଚ୍ଛାସେବକଦଳ ପହଞ୍ଚିଗଲେ । ବୋଲ ହରି, ବୋଲ ହରି ଶବ୍ଦରେ ଶବାଧାର ଚାଲିଲା ଶ୍ମଶାନ ଅଭିମୁଖେ ।

 

ବିନୟବାବୁଙ୍କୁ ଧରି ସୁନନ୍ଦା କାନ୍ଦି ଉଠିଲେ–ତୁମେ ଶ୍ମଶାନକୁ ଯିବ । ଏକାଟିଆ ମୁଁ ଏଠି ରହିବି କେମିତି ? ଭାରି ଭୟ ଲାଗୁଚି ।

 

ନ ଗଲେ ହବ କେମିତି ସୁନ ? ସେ ପରା ମାଆ ! ମୁଁ ନ ଗଲେ ମୁଖାଗ୍ନି ଦବ କିଏ ?

 

ତାହାହେଲେ ମୁଁ ବି ଯିବି । ଏକା ଏକା ମୁଁ ରହିପାରିବିନି ଆଜି ଏ ରାତିରେ ।

 

ନିମଲତା ଘାଟ ଶ୍ମଶାନ ହବ ତିନି ମାଇଲ ବାଟ । ରାତି ଅଧରେ ତୁମେ ଯିବ ?

 

ବିନୟବାବୁଙ୍କ ମୁଣ୍ଡ ଭିତରେ ଚିନ୍ତାର କୁଣ୍ଡଳୀ । ସମିତିର ସ୍ୱେଚ୍ଛାସେବକମାନେ ଆଗେଇ ଯାଉଛନ୍ତି ।

 

ଅନ୍ୟ ଉପାୟ ନାହିଁ । ବିନୟବାବୁ ଓ ସୁନନ୍ଦା ଉଭୟ ଚାଲିଲେ ଶବାଧାର ପଛେ ପଛେ-

 

ରାତି ତିନିଟା ବେଳକୁ ସବୁ ଶେଷ କରି ସେମାନେ ଫେରିଆସିଲେ । ଶଶୀଭୂଷଣ ଦେ ଷ୍ଟ୍ରୀଟର ସେଇ ଅନ୍ଧକାର ଗଳି । ଶୀତ ରାତି–ଦେହ ହେମାଳ ହେଇଉଠୁଚି ।

 

ସୁନନ୍ଦାଙ୍କ ମନରେ ଗୋଟିଏ ଚିନ୍ତା । ଶାଶୁଙ୍କର ଶେଷ ଇଚ୍ଛା ପୂରଣ ହେଇପାରିଲା ନାହିଁ-। ବିନୟଙ୍କ କୋଳରେ ମୁହଁ ଗୁଞ୍ଜି ସେ କଇଁ କଇଁ ହୋଇ କାନ୍ଦୁଥିଲେ । ଜନନୀ ହବାର ଆକାଙ୍‌କ୍ଷା, ଯେଉଁ ଅକାଙ୍‌କ୍ଷା ନାରୀର ଅନାଦି ଆକାଙ୍‌କ୍ଷା । ସେ ଜନନୀ ହେବେ ।

 

ମାତ୍ର...

 

–ଦୁଇ–

 

ମାତ୍ର ବିବାହର ପାଞ୍ଚବର୍ଷ ବିତିଗଲାଣି । ଜନନୀ ହେଇପାରିନାହାନ୍ତି ସୁନନ୍ଦା ।

 

ଥରକର କଥା । ସୁନନ୍ଦା ତାଙ୍କର ଏକ ବ୍ୟଥା ପ୍ରକାଶ କରିଥିଲେ । ବିନୟଙ୍କ ପାଖରେ-। ସେ ଅଫିସ ଚାଲିଯିବା ପରେ ଏକାଟିଆ ଜୀବନ ତାଙ୍କର ଦୁର୍ବିଷହ ହେଇଉଠୁଚି । ଘରେ କାଣୀ ବିରାଡ଼ିଟିଏ ମଧ୍ୟ ନାହିଁ, ଯାହା ସହିତ ସେ କିଛି ବେଳ କଟେଇ ଦେଇପାରିବେ । ସନ୍ତାନଟିଏ ହେଲେ ତାହାରି ସହିତ ବିତିଯିବ ନିଃସଙ୍ଗ ବେଳର ମୁହୂର୍ତ୍ତଗୁଡ଼ିକ ।

 

ଡାକ୍ତରଙ୍କୁ ପଚାରିବା । ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ହୁଏତ କହିପାରିବେ ସନ୍ତାନ ନ ହବାର କାରଣ ।

 

ବିନୟ ଭାବୁଥିଲେ–ଜୀବନ ଉପରେ ସେ ତ କିଛି ଅତ୍ୟାଚାର କରି ନାହାନ୍ତି । ବି. ଏ. ପାଶ କରିବା ପର୍ଯ୍ୟନ୍ତ ସେ କୌଣସି ଝିଅର ମୁହଁକୁ ସିଧା ହେଇ ଚାହିଁ ନାହାନ୍ତି । ସେ ଥିଲେ ଭାରି ଲାଜକୁଳା । ସେଥିପାଇଁ ସାଥି ପିଲାଏ ତାଙ୍କୁ ଥଟ୍ଟା କରନ୍ତି । ଝିଅମାନେ ତାଙ୍କର ନିରୀହ ସ୍ଵଭାବ ଦେଖି ‘‘ଆହା ବିଚରା’’ କହନ୍ତି । ତଥାପି କାହିଁକି ତାଙ୍କର ଏ ଅବସ୍ଥା ?

 

ଆଉ ସୁନନ୍ଦା ? କିଶୋରୀ ଜୀବନ ଥିଲା ତାଙ୍କର ନିର୍ମଳ । ନଷ୍ଟ ହବାର ଝିଅ ସେ ନୁହନ୍ତି । ବାପାମାଙ୍କର କଠୋର ଶାସନ ଭିତରେ ଗଢ଼ିଉଠିଚି ତାଙ୍କର ଜୀବନ । ତାଙ୍କର ଯୌବନ ବିବାହ ପୂର୍ବରୁ କ୍ଷତିଗ୍ରସ୍ତ ହୋଇନାହିଁ । ତାହାହେଲେ ? ଏ କ’ଣ ଭାଗ୍ୟର ବିଡ଼ମ୍ବନା ?

 

ଭାଗ୍ୟ ?

 

ହସିଉଠନ୍ତି ବିନୟବାବୁ । ସେ ତ କେବେ ଭାଗ୍ୟବାଦୀ ନୁହନ୍ତି । ଭାଗ୍ୟର ଅଦୃଶ୍ୟ ଇଙ୍ଗିତ ଉପରେ ତାଙ୍କର ଆସ୍ଥା ନାହିଁ । ଦୈବେନ ଦେୟମିତି କାପୁରୁଷାଃ ବଦନ୍ତି । ଭାଗ୍ୟ ବୋଲି କ’ଣ କିଛି ଅଛି ?

 

ନାହିଁ କେମିତି ? ମନ୍ତ୍ରୀ ହବାର ଯୋଗ୍ୟତା ଅନେତା ଲୋକଙ୍କର ଥାଇ ମଧ୍ୟ ସେମାନେ କ’ଣ ମନ୍ତ୍ରୀ ହେଇ ପାରୁଛନ୍ତି । ତେବେ ଯେଉଁମାନେ ହେଉଛନ୍ତି ଭାଗ୍ୟ ଜୋରରେ ନୁହେଁ ତ ଆଉ କ’ଣ ?

 

ଦ୍ଵନ୍ଦ୍ଵ । ମଣିଷ କୌଣସି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେଲେ କ’ଣ କରିବ ନ କରିବ କିଛି ସ୍ଥିର କରିପାରେନା । ଅନ୍ୟକୁ ଉପଦେଶ ଦେବାବେଳେ ବୁଦ୍ଧିର ସ୍ଫୁରଣଟା ଭଲ ହୁଏ । କିନ୍ତୁ ନିଜ ବେଳକୁ ଚିନ୍ତନ୍‌ ଚିନ୍ତନ୍‌ ସ୍ଵଗୃହବିଷୟଂ ଦାରୁଭୂତୋ ମୁରାରିଃ ।

 

ନୀଳାମ୍ବରବାବୁ ସଦ୍ୟ ଫେରିଥାନ୍ତି ବିଲାତରୁ ସ୍ତ୍ରୀରୋଗରେ ଡିଗ୍ରୀ ନେଇ–ଗାଇନାକୋଲଜିଷ୍ଟ । ହଠାତ୍‌ ଦିନେ ଗୋଟିଏ ରିକ୍‌ସାରେ ବିନୟବାବୁ ଓ ସୁନନ୍ଦା ଯାଇ ତାଙ୍କ ଚେମ୍ବର ପାଖରେ ହାଜର ହେଲେ । ଫି ଷୋଳଟଙ୍କା । ନାନା ପ୍ରକାର ପରୀକ୍ଷା । ମୂଲ୍ୟବାନ ଉପଦେଶ–ଓଜନିଆ ପ୍ରେସକ୍ରପ୍‌ସନ । ଔଷଧ ଖିଆ ଚାଲିଲା । ମାସ ମାସ କରି ଚାରିମାସ ବିତିଗଲା । ବିନୟବାବୁ କିରାଣୀ ଜୀବନର ସବୁତକ ସମ୍ବଳ ଶେଷ କରିଦେଲେ ପୁତ୍ରମୁଖ ଦର୍ଶନ କରିବା ପାଇଁ । କାହିଁ–କିଛି ତ ହେଲାନି ?

 

ଡାକ୍ତରଙ୍କ ପରେ ପଡ଼ିଲା କବିରାଜଙ୍କ ପାଳି । ସତୁରିଟଙ୍କା ସତାଅଶୀ ପଇସା ଖର୍ଚ୍ଚରେ ତିଆରି ହେଲା ମୋଦକ । ଏ ମୋଦକ କୁଆଡ଼େ ଅବ୍ୟର୍ଥ । ମୃରାରୀ କବିରାଜ ପାଟି ଭିତରେ ପୁଳାଏ ନସ୍ୟ ପକାଇଦେଇ–ଗାମୁଛାରେ ନାକ ପୋଛି ପାଙ୍ଗୁଳା ପାଟିରେ ହସି ହସି ଦେବବୈଦ୍ୟଙ୍କ ନାଆ ରେ ଶପଥ କରି କହିଲେ–ଏ ମୋଦକରେ ନିଶ୍ଚୟ ଫଳ ହେବ ।

 

ଚାରିମାସ ମୋଦକ ସେବନ–ଫଳ କିଛି ହେଲାନି ।

 

ସୁନନ୍ଦା ନିରାଶ ହେଇପଡ଼ିଲେ । ମନଟା ଛାଏଁ ଛାଏଁ ଗଲା ଦେବପୂଜା, ବ୍ରାହ୍ମଣ–ପ୍ରୀତି ଆଡ଼କୁ । ଛୁଟିରେ ତୀର୍ଥଯାତ୍ରା–ବାବାଜୀ–ସନ୍ନ୍ୟାସୀଙ୍କ ଚରଣୋଦକ ସେବା । ସେ ବି ନିରର୍ଥକ ।

 

କିନ୍ତୁ ଅନେକ ଦିନ ପରେ ଫଳ ଫଳିଲା । ବିନୟବାବୁଙ୍କ ବୃଦ୍ଧା ଜନନୀ ମୃତ୍ୟୁବେଳେ ଦେଖିଥିଲେ ଯେଉଁ ସ୍ଵପ୍ନ, ସେ ସ୍ଵପ୍ନକୁ ରୂପାୟିତ କରି ଜନ୍ମ ନେଲା ଏକ କନ୍ୟା ।

 

ବିନୟବାବୁଙ୍କ ମନରେ ସେ କି ଆନନ୍ଦ ! କିରାଣୀ ଜୀବନରେ ସେ ଯେମିତି ଲାଭ କଲେ ଏକ ବିରାଟ ସାଫଲ୍ୟ ।

 

କାହିଁକି ନା ତନ୍ଦ୍ରା ଜନ୍ମ ନେଇଚି ।

 

–ତିନି–

 

ତନ୍ଦ୍ରା.....

 

ନାଁଟା ଦେଇଥିଲେ ବିନୟବାବୁଙ୍କର ଏକ ବନ୍ଧୁ । କାହିଁକି ଏ ନାଁ ଦେଇଥିଲେ ତା’ ପଛରେ କିଛି ଯୁକ୍ତି ନାହିଁ । ବନ୍ଧୁ ଜଣକ କବି । କବି ଭାବୁକ ଲୋକ । ତନ୍ଦ୍ରା ନାଁଟି ହୁଏତ ତାଙ୍କୁ ଭଲ ଲାଗିଥିବ । ବିନୟବାବୁ ପୂରାପୂରି ଗଦ୍ୟ । ବନ୍ଧୁଙ୍କର ଏଇ ନାଁଟିକୁ ଗ୍ରହଣ କରିନେଲେ ।

 

ତନ୍ଦ୍ରାର ଜନ୍ମୋତ୍ସବ ସମାରୋହରେ ପାଳିତ ହେଲା–ଅବଶ୍ୟ ନିଜ ଆୟର ପରିସର ମଧ୍ୟରେ ।

 

ଏକୋଇଶା ଦିନ ଦୁଇ ଚାରିଜଣ ବନ୍ଧୁ ବାନ୍ଧବ ଆସିଥିଲେ । ସେଦିନ ପୂଜା ହୋଇଥିଲା ଜଗନ୍ନାଥ ମନ୍ଦିରରେ । ଦାରୁବ୍ରହ୍ମ ହସି ଉଠିଥିଲେ ସେଦିନ ।

 

ରାତିରେ ସୁନନ୍ଦା ଆଉ ବିନୟଙ୍କ ମଝିରେ ତନ୍ଦ୍ରାର ଆବିର୍ଭାବ ଏକ ନୂତନ ଉନ୍ମାଦନା ଆଣି ଦେଇଥିଲା ମନରେ । ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟାଃ–ପୁତ୍ର ଯାହାର ନାହିଁ ସେ ଭାଗ୍ୟହୀନ । ଅବଶ୍ୟ ବର୍ତ୍ତମାନ ଚିନ୍ତାଧାରା ସ୍ଵତନ୍ତ୍ର–ପୁତ୍ର ନ ହେବା ପାଇଁ ଦମ୍ପତିମାନଙ୍କର ଆପ୍ରାଣ ଚେଷ୍ଟା । ସରକାରଙ୍କ ତରଫରୁ ଜନ୍ମନିରୋଧ ପାଇଁ ଅସମ୍ଭବ ପ୍ରଚାର । ଲୋକସଂଖ୍ୟା ଆଶାତୀତ ବଢ଼ୁଚି–ଆଉ ଜନ୍ମ ହେବାର ଆବଶ୍ୟକତା ନାହିଁ ।

 

କିନ୍ତୁ ଯୋଉ ସମୟର କଥା ମୁଁ ଆପଣମାନଙ୍କୁ କହୁଚି ସେତେବେଳେ ଜନ୍ମନିରୋଧ ପ୍ରଭୃତିର ପ୍ରଚଳନ ଏତେ ହେଇ ନ ଥିଲା । ପୁତ୍‌ ନାମକ ନରକରୁ ପୁତ୍ର ଉଦ୍ଧାର କରେ ବୋଲି ବିଶ୍ଵାସ ଥିଲା ପ୍ରତ୍ୟେକ ମଣିଷର ।

 

ବିନୟବାବୁ ଖୁସି । କନ୍ୟା ହେଇଚି । ପରେ ପୁତ୍ର ହବ । ସୁନନ୍ଦାଙ୍କର ବନ୍ଧ୍ୟା ଦୋଷ କଟିଗଲାଣି ଯେତେବେଳେ ଆଉ ଚିନ୍ତା ନାହିଁ ।

 

ଚନ୍ଦ୍ରକଳା ବଢ଼ିବା ପରି ଆସ୍ତେ ଆସ୍ତେ ବଢ଼ୁଚି ତନ୍ଦ୍ରା । ବାପମାଙ୍କ ପ୍ରାଣ ପୂରିଉଠୁଚି । ଆଶା ଜାଗୁଚି ମନରେ । ପୁଅ କେବେ ହବ ?

 

ବର୍ଷେ, ଦିବର୍ଷ, ଚାରିବର୍ଷ କଟିଗଲା । ପୁଅ ଆଉ କାହିଁ କୋଳକୁ ଆସିଲା ନାହିଁ ।

 

ତନ୍ଦ୍ରା ଆମର ସବୁ । ପୁଅ ଝିଅ ଉଭୟ । ସେ ଆମ କୁଳର ତାରା । ହସି ହସି କହନ୍ତି ବିନୟବାବୁ ।

 

ସୁନନ୍ଦାଙ୍କ ମୁହଁ କିନ୍ତୁ ଶୁଖିଯାଏ । ଝିଅ କ’ଣ ବାପର ନାଁ ରଖିବ ? ସେ ଯେମିତି ବାହାହେଇ ଅନ୍ୟଗୋତ୍ରୀ ହେଇ ଯାଇଚନ୍ତି, ତାଙ୍କ ଝିଅର ଅବସ୍ଥା ମଧ୍ୟ ଠିକ୍‌ ସେଇଭଳି ହବ ।

 

କାହିଁକି ? ଦେଶ ଆଉ କ’ଣ ପୂର୍ବଭଳି ଅଛି ? ସ୍ତ୍ରୀମାନେ ପାଠ ପଢ଼ି ଓକିଲ, ମାଜିଷ୍ଟ୍ରେଟ, ମନ୍ତ୍ରୀ, ବୈଜ୍ଞାନିକ ସବୁ କିଛି ହେଲେଣି । ତନ୍ଦ୍ରା ପାଠ ପଢ଼ିବ ।

 

ଅ ଆ କ ଖ–ମିଶାଣ ଫେଡ଼ାଣ ପରେ ଇତିହାସ, ଭୂଗୋଳ ପଢ଼ିବ । ପାଠ ପଢ଼ା ସରିବା ପରେ ତା ବାଟ ସେ ବାଛିନବ । ଚାକିରି କିମ୍ବା ଗୃହିଣୀ–ଯାହା ତାକୁ ଭଲ ଲାଗିବ ।

 

ଯାହାର ଗୋଟିଏ ସନ୍ତାନ ସେ ତାକୁ ପ୍ରାଣଠୁ ଅଧିକ ଭଲ ପାଏ । କିରାଣୀ ଜୀବନର ଶ୍ରେଷ୍ଠ ସମ୍ବଳ ତନ୍ଦ୍ରା । ଦରକାର ପଡ଼ିଲେ ପେଟରୁ କାଟି ତା’ର ଚାହିଦା ମେଣ୍ଟେଇବାକୁ ହବ । ତା ପାଇଁ ଚାରି ଦିନରେ ଛ ଖେଳଣା, ରଙ୍ଗଢଙ୍ଗ ପୋଷାକ ।

 

ବିନୟବାବୁ ଅଫିସରୁ ଫେରି ନିଜ ହାତରେ ତନ୍ଦ୍ରାକୁ ସଜେଇ ଦିଅନ୍ତି । ପାଉଡର, କଜ୍ଜଳ, କୁଙ୍କୁମ । ପେଣ୍ଟ ଜୋତା ପିନ୍ଧେଇଦେଇ ତାର ଟିକି ହାତଟି ଧରି ବୁଲି ବାହାରି ଯାଆନ୍ତି । ସୁନନ୍ଦା ପଛରୁ ଚାହିଁ ଖିଲି ଖିଲି ହସୁଥାନ୍ତି ।

 

ଦିନେ ଦିନେ ସୁନନ୍ଦା ମଧ୍ୟ ସାଙ୍ଗରେ ଯାଆନ୍ତି । ଶଶୀଭୂଷଣ ଦେ ଷ୍ଟ୍ରୀଟରୁ ଶ୍ରଦ୍ଧାନନ୍ଦ ପାର୍କ । ବାପ ମା ବସନ୍ତି ବେଞ୍ଚରେ–ଝିଅ ଦଉଡ଼ି ବୁଲେ ଏଣେତେଣେ । ଚିନାବାଦାମ ଛଡ଼େଇ ଖାଉ ଖାଉ ସୁନନ୍ଦା ଆଉ ବିନୟବାବୁ କେତେ ଗପ କରନ୍ତି । ଗପ ଆରମ୍ଭ ହେଲେ ତାର ଶେଷ ନ ଥାଏ-। ବେଳେବେଳେ ଅନ୍ୟ ବନ୍ଧୁଙ୍କର ଦେଖା ହେଇଯାଏ । ଗପସପ କରି ସେମାନେ ପୁଣି ଫେରିଆସନ୍ତି ।

 

ଗଡ଼ିଯାଏ ଦିନ । ସମୟର ଖରସ୍ରୋତରେ ତନ୍ଦ୍ରାର ଶିଶୁତ୍ଵ ଚାଲିଯାଏ । ତଳ ଶ୍ରେଣୀରୁ ସେ ଯାଏ ଉପର ଶ୍ରେଣୀକୁ ।

 

ମାନମୟୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନାଁ ଲେଖା ହେଇଚି ତା’ର । ଫ୍ରକ୍‌ ପିନ୍ଧି ସ୍କୁଲକୁ ସେ ଯାଏ । ସ୍କୁଲ ଘରଠୁ ଖୁବ୍‌ ବେଶୀ ଦୂର ନୁହେ । ଶଶୀଭୂଷଣ ଦେ ଷ୍ଟ୍ରୀଟ୍‌ରୁ ଶିଆଲଦା ଷ୍ଟେସନ ଆଡ଼କୁ ଗଲେ ବାଟରେ ପଡ଼ିବ ସେ ସ୍କୁଲ । କେଉଁ ଏକ ବଦାନ୍ୟ ବ୍ୟବସାୟୀ ନିଜ ସ୍ତ୍ରୀଙ୍କ ନାମରେ ଏଇ ସ୍କୁଲଟିକୁ ବସାଇଥିଲେ । ସେତେବେଳେ ଏ ଦେଶରେ ଚାଲିଥାଏ ଇଂରାଜୀ ରାଜତ୍ଵ-। ବ୍ୟବସାୟୀ ଜଣକ ଅନେକ ଦାନ କରି ଇଂରେଜ ସରକାରଙ୍କ ଦରବାରରୁ ରାୟବାହାଦୂର ଉପାଧି ପାଇଥିଲେ ।

 

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଦୁଡ଼ି ମହାଶୟ । ତାଙ୍କ ଛାଟ ଯେଉଁ ଛାତ୍ର ଦେହରେ ଲାଗିଚି, ସେ ଛାତ୍ରର ଉନ୍ନତି ହେଇଚି । ତାଙ୍କର ନିଶ ଆଉ ପ୍ରଚକ୍ଷୁ ଦେଖିଲେ ଛାତ୍ରମାନଙ୍କ ଅନ୍ତରାତ୍ମା ଭୟରେ ଥରିଉଠେ । ଗର୍ଜିଲା ଭଳି କଥା କହନ୍ତି ସେ । ହୃଦୟ କିନ୍ତୁ ଭାରି ନିର୍ମଳ । ଭାରତୀୟ ଚାଲିଚଳଣ ଓ ସଂସ୍କୃତିର ସେ ଏକ ଜୀବନ୍ତ ପ୍ରତୀକ ।

 

ତନ୍ଦ୍ରାର ଫ୍ରକ୍‌ପିନ୍ଧା ବୟସ ଚାଲିଯାଇଚି । ଜୀବନର ଏକ ମଧୁ ଲଗ୍ନରେ ସେ ଦେଖିଚି ଭବିଷ୍ୟତର ସ୍ଵପ୍ନ । ଦେହରେ ତା’ର କାଉଁରୀ କାଠି ଛୁଆଁଇ ଦେଇଚି ବୟସର ଫାଜିଲ ମୁହୂର୍ତ୍ତ । ସେ ଆଜି କିଶୋରୀ ।

 

ବିନୟବାବୁ ଓ ସୁନନ୍ଦା ଏଇ କିଶୋରୀଟି ମଧ୍ୟରେ ପାଇଛନ୍ତି ପରମ ସନ୍ତୋଷ । ଅତି ଗେଲବସରର ହୋଇଥିବାରୁ ତା ଉପରେ ଶାସନର ଅଙ୍କୁଶ ନାହିଁ ।

 

ତନ୍ଦ୍ରା ଭଲ ପଢ଼ୁଚି । ଶିକ୍ଷକମାନଙ୍କର ତା’ ପାଇଁ ଉଚ୍ଛ୍ଵସିତ ପ୍ରଶଂସା ।

 

–ଚାରି–

 

ବିନୟବାବୁ ସେଦିନ ଓଡ଼ିଆ ବହି ଦୋକାନରେ ବସି ଓଡ଼ିଶାର କାହାଣୀ ଶୁଣୁଥିଲେ । ଓଡ଼ିଶା ନୁହେଁ ତ–କଲିକତାରେ ଓଡ଼ିଆମାନଙ୍କର ଇତିହାସ । ବ୍ରହୁବଜାର ମୋଡ଼ରେ ସେଇ ଜଗନ୍ନାଥ ମନ୍ଦିର–କାହିଁ କେତେ କାଳର । ଜଗନ୍ନାଥ ମନ୍ଦିର ସେଠାରେ ପ୍ରତିଷ୍ଠିତ ହବା ଆଗରୁ ସେଠାରେ ଥିଲା ଜଣେ ଭଟ୍ଟାଚାର୍ଯ୍ୟଙ୍କ ଘର । ସୁନ୍ଦର ଭଟ୍ଟାଚାର୍ଯ୍ୟ ଖୁବ୍‌ ସମ୍ଭ୍ରାନ୍ତ । ଘରକୁ ନଈ ସୁଅପରି ପଇସାର ସୁଅ ମାଡ଼ି ଆସେ । ସେ କାଳରେ ଏକୋଇଶିଟି ଘୋଡ଼ାଗାଡ଼ିର ମାଲିକ ଥିଲେ ସେ । ପାକଳ ଆମ୍ବ ଭଳିଆ ହଳଦିଆ ତକତକ ଚେହେରା–ଘିଅ ଭଳି ଚିକ୍‌କଣ । ପେଟଟି ବିନାୟକ ପେଟାକୃତି । ତାଙ୍କର ସବୁ ଥିଲା, କିନ୍ତୁ ସନ୍ତାନ ନ ଥିଲା । ସେଥିପାଇଁ ସ୍ଵାମୀ ସ୍ତ୍ରୀ ଭାରି ଚିନ୍ତିତ । ଚିତା ଚିନ୍ତା ଦ୍ଵୟୋର୍ମଧ୍ୟେ ଚିନ୍ତା ଏବ ଗରୀୟସୀ । ସନ୍ତାନ ଚିନ୍ତାରେ ଭଟ୍ଟାଚାର୍ଯ୍ୟ ଗୃହିଣୀଙ୍କର ବଳିଲା ବଳିଲା ଦିହଟା ଶୁଖି କଳାକାଠ ପଡ଼ିଗଲାଣି ।

 

ଦୈବର ବିଚିତ୍ର ଗତି । ଠିକ୍‌ ଏହି ସମୟକୁ ବହୁ ବଜାର ମୋଡ଼ରେ ଭଟ୍ଟାଚାର୍ଯ୍ୟ ମହାଶୟଙ୍କର ଦେଖା ହୁଏ ପୁରୀନିବାସୀ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସହିତ । ପ୍ରତିହାରୀ ଜଗନ୍ନାଥଙ୍କ ପଣ୍ଡା । କଥା ପ୍ରସଙ୍ଗରେ ଭଟ୍ଟାଚାର୍ଯ୍ୟ ମହାଶୟଙ୍କ ଦୁଃଖ ଶୁଣୁ ଶୁଶୁ ପ୍ରତିହାରୀଏ କହିଥିଲେ–ସବୁ ଜଗନ୍ନାଥଙ୍କର କୃପା । ତାଙ୍କ ଦୟା ହେଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘନ କରେ ।

 

ଜଗନ୍ନାଥଙ୍କ ଦୟା । ଭଟ୍ଟାଚାର୍ଯ୍ୟଙ୍କ ମନରେ ଭାବାନ୍ତର । ଜୀବନର ତିନିଚତୁର୍ଥାଂଶ କଟେଇ ଦେଲେଣି ସେ । ଦେବାରାଧନା ପ୍ରତି ମନ ତାଙ୍କର ବଳି ନାହିଁ । ଦେବତାର ପୂଜାରେ ସତେ କ’ଣ ସୁଫଳ ମିଳିବ ?

 

ପ୍ରତିହାରୀ ପୁଣି କହୁଥିଲେ କଳା ଧଳାଙ୍କର ପରାକ୍ରମ । ଏ ତ ଇତିହାସର କଥା । କାଞ୍ଚି ଅଭିଯାନ ବେଳେ ମଣିଷ ରୂପରେ କଳାଧଳା ଘୋଡ଼ାରେ ଚଢ଼ି ଯୁଦ୍ଧରେ ଗଜପତିଙ୍କୁ ସାହାଯ୍ୟ କରିଥିଲେ ଜଗନ୍ନାଥ ବଳଭଦ୍ର ଦୁଇଭାଇ । ପୁଣି ବାଟରେ ଯେଉଁ କାଣ୍ଡ ଘଟିଲା କିଏ ନ ଜାଣିଚି ସେ କଥା ? ମାଣିକ ଗଉଡ଼ୁଣୀଠୁ ଦହି ଖାଇ ମୂଲ୍ୟ ଦେଇ ନ ପାରି ସେଇ ବାବଦକୁ ବନ୍ଧା ଦେଇଗଲେ ମାଣିକ୍ୟଖଚିତ ମୁଦି । ପଛରେ ଆସୁଥିଲେ ଗଜପତି, ସୈନ୍ୟସାମନ୍ତ । ମୁଦି ଦେଖି ସେମାନେ ସ୍ତମ୍ଭୀତ । କଳିଯୁଗରେ ଏ କ’ଣ ସମ୍ଭବ ? ଦେବତା ଆଜି ମଣିଷ ବେଶରେ ଯୁଦ୍ଧକ୍ଷେତ୍ରକୁ ଯାଉଛି ଏ ଦେଶର ସମ୍ମାନ ପାଇଁ । ଗଜପତିଙ୍କ ଆଦେଶରେ ମାଣିକ ପାଇଲା ପ୍ରଚୁର ଅର୍ଥ ଆଉ ମାଣିକପାଟଣା ଗାଁ ।

 

ଶୁଣୁଶୁଣୁ ଭଟ୍ଟାଚାର୍ଯ୍ୟଙ୍କ ହୃଦୟ ବିଚଳିତ ହେଲା । ଧନ୍ୟ ପ୍ରତ୍ୟକ୍ଷ ଦେବତା–ଓଡ଼ିଆ ରାଜା ପୁରୁଷୋତ୍ତମ ତୁମେ ଅମର–ତୁମେ ମହା ପୁଣ୍ୟବାନ୍‌ ।

 

ତା’ପରେ ଭଟ୍ଟାଚାର୍ଯ୍ୟ ଦମ୍ପତ୍ତିଙ୍କର ପୁରୁଷୋତ୍ତମ କ୍ଷେତ୍ରକୁ ଯାତ୍ରା । ସେ ପୁଣି ସବାରିରେ-। ପଥପ୍ରଦର୍ଶକ ପ୍ରତିହାରୀଏ । ଭଟ୍ଟାଚାର୍ଯ୍ୟ ଆଶ୍ଚର୍ଯ୍ୟ ହେଲେ–ମନ୍ଦିର ତ ସାମ୍ୟବାଦର ତୀର୍ଥସ୍ଥଳୀ-। ଛୁଆଁ ଅଛୁଆଁ, ବଡ଼ ସାନର ଭେଦାଭେଦ ନାହିଁ ସେଠି । ମର୍ତ୍ତ୍ୟର ବୈକୁଣ୍ଠ ।

 

ପ୍ରତିହାରୀଏ ଭଟ୍ଟାଚାର୍ଯ୍ୟ ଦମ୍ପତିଙ୍କ ହାତ ଧରି ଚନ୍ଦନ ଅର୍ଗଳି ଭିତରେ ବୁଲାଇ ଆଣିଲେ-। ପଣ୍ଡା ପଢ଼ିଆରୀଙ୍କ କଣ୍ଠରୁ ଉଛୁଳି ଉଠୁଚି–ଭକ୍ତର ମନୋବାଞ୍ଛା ପୂରଣ କର ପ୍ରଭୋ !

 

ଭଟ୍ଟାଚାର୍ଯ୍ୟ ମହାଶୟ ଏଇଠି ମନାସିଥିଲେ–ଅଚିରେ ପୁଅଟିଏ ହେଲେ କଲିକତାରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରି ସେବାପୂଜାର ବ୍ୟବସ୍ଥା କରିବେ ।

 

ଭଟ୍ଟାଚାର୍ଯ୍ୟ ଦମ୍ପତି ପୁରୀରୁ ଫେରିବାର ବର୍ଷେ ଯାଇଚି କି ନାହିଁ ପୁତ୍ରମୁଖ ଦର୍ଶନ କଲେ-। ଶଶୀଭୂଷଣ ଦେ ଷ୍ଟ୍ରୀଟର ଭଟ୍ଟାଚାର୍ଯ୍ୟଙ୍କ ଘରବାଡ଼ିରେ ପ୍ରତିଷ୍ଠିତ ହେଲେ ଜଗନ୍ନାଥ-। ପ୍ରତିହାରୀ ଆସିଲେ ପୁରୀରୁ–ସେ ହେଲେ ପୂଜକ । ଆଜି ଶଶୀଭୂଷଣ ଦେ ଷ୍ଟ୍ରୀଟରେ ରହିଚି ଜଗନ୍ନାଥ ମନ୍ଦିର–ହେଉଚି ରଥଯାତ୍ରା ।

 

କଲିକତା ସହରରେ ଏ ଜଗନ୍ନାଥ ମନ୍ଦିର ଯେତିକି ପୁରୁଣା ତା’ଠୁ ଆଉରି ପୁରୁଣା ସେଠିକାର ଓଡ଼ିଆ ଅଧିବାସୀ । କଲିକତା ସହର ଏକା ପଶ୍ଚିମ ବଙ୍ଗଳାର ନୁହେଁ, ଏହା ସମଗ୍ର ଭାରତର । ଏହି ସହରକୁ ଗଢ଼ିବାରେ ବହୁ ଅବଙ୍ଗାଳୀ ଅଧିବାସୀ ନିଜ ଦେହକୁ ପଙ୍ଗୁ କରିଚନ୍ତି–ବୁକୁ ଚିରି ରକ୍ତ ଢାଳିଚନ୍ତି । କଲିକତାର ଇତିହାସରେ ହୁଏତ ଏସବୁ ଲିପିବଦ୍ଧ ହେଇ ନାହିଁ; କିନ୍ତୁ ଏହା ନିରାଟ ସତ୍ୟ ।

 

ବିନୟବାବୁ ଓଡ଼ିଆ ପୁସ୍ତକବିକ୍ରେତା ନିତ୍ୟାନନ୍ଦ ମହାନ୍ତିଙ୍କ ମୁହଁକୁ ବଲବଲ କରି ଚାହୁଁ ଥିଲେ । ନିତ୍ୟାନନ୍ଦବାବୁ ପୁଣି କହୁଥିଲେ–ବୁଝିଲେ ବିନୟବାବୁ, ଆପଣମାନେ ଓଡ଼ିଶାର ପରିଚୟ ପାଇ ନାହାନ୍ତି । ଓଡ଼ିଆ ଶିଳ୍ପୀ ଜାତି । ଜ୍ଵଳନ୍ତ ନିଦର୍ଶନ ତାର ପୁରୀ, ଭୁବନେଶ୍ଵର, କୋଣାର୍କ ।

 

କୋଣାର୍କ ? ବ୍ଲାକ ପାଗୋଡ଼ା । ହଁ ହଁ, ଏଇ କୋଣାର୍କ ଓଡ଼ିଆ ଶିଳ୍ପୀର କୃତି । ଯେଉଁ ଓଡ଼ିଆ ଗଢ଼ିଚି ଏଡ଼େ ସୁନ୍ଦର ଶିଳ୍ପୀ ସେଇ ଓଡ଼ିଆ ହିଁ ଗଢ଼ିଚି ଏଇ କଲିକତା ସହର । ଏଇ ଭବାନୀପୁର, ଏଇ କାଳୀଘାଟ, ଚୌରଙ୍ଗୀ, ଧର୍ମତଲା, ଡେଲ୍‌ ହାଉସୀ, ଶ୍ୟାମ ବଜାର ପୁଣି ଗଡ଼ମାଠ ଏସବୁ ଗଢ଼ା ହୋଇଚି ଓଡ଼ିଆର ଶ୍ରମରେ ।

 

ବିନୟବାବୁ ସ୍ତବ୍‌ଧ–ଚକିତ । ଓଡ଼ିଆ ଜାତିର ଏଇ ବିରାଟ କୃତି ନିକଟରେ ସେ ଯେମିତି ନିଜକୁ ପରାଜିତ ମନେ କରୁଥିଲେ ।

 

ସେଦିନ ରାତିରେ ସେ ସୁନନ୍ଦାଙ୍କୁ କହିଥିଲେ ଏଇସବୁ କଥା । ସୁନନ୍ଦା ବି କମ ଆଶ୍ଚର୍ଯ୍ୟ ହେଇ ନ ଥିଲେ । କି ବିରାଟ କାର୍ଯ୍ୟକ୍ଷମ ଜାତି !

 

ସୁନନ୍ଦା କହିଲେ–ଆଚ୍ଛା, ତନ୍ଦ୍ରା ସାଙ୍ଗରେ ଯେଉଁ ପିଲା ପାଠ ପଢ଼େ ସେ ପରା ଓଡ଼ିଆ !

 

ତନ୍ଦ୍ରା ସାଙ୍ଗରେ ପାଠ ପଢ଼େ ବିମଳ । କିଣୁଚରଣ ସାମଲଙ୍କ ପୁଅ । କିଣୁବାବୁ କଲିକତାରେ ଛୋଟ ଏକ ବ୍ୟବସାୟୀ । ୱେଲିଂଡ଼ନ ସ୍କୋୟାରରେ ତାଙ୍କର ଲୁହା ଦୋକାନଟିଏ ଅଛି ।

 

ବିମଳ ଭାରି ନମ୍ର ସ୍ଵଭାବର ପିଲା । ଏମିତି ଦି ଚାରିଥର ସେ ତନ୍ଦ୍ରା ସାଙ୍ଗରେ ତାଙ୍କ ଘରକୁ ଆସିଚି ।

 

ସୁନନ୍ଦାଙ୍କର କୌତୂହଳ ହେଲା–ବିମଳକୁ ଆଉ ଥରେ ସେ ଭଲ କରି ଦେଖିବେ ।

 

ତନ୍ଦ୍ରାକୁ ଆଦେଶ ଦେଲେ–କାଲି ସ୍କୁଲଫେରନ୍ତା ବିମଳକୁ ସଙ୍ଗରେ ଡାକି ଆଣିବା ପାଇଁ-

 

–ପାଞ୍ଚ–

 

ବିମଳ କ୍ଲାସ୍‌ରେ ହୁଏ ପ୍ରଥମ ଆଉ ତନ୍ଦ୍ରା ହୁଏ ଦ୍ଵିତୀୟ । ତେଣୁ ନବମ ଶ୍ରେଣୀର ସବୁ ପିଲାଙ୍କର ତୀକ୍ଷ୍‌ଣ ଦୃଷ୍ଟି ଥାଏ ଏଇ ଦୁଇ ଜଣଙ୍କ ପ୍ରତି । ଶିକ୍ଷକମାନେ ସେ ଦୁଇ ଜଣଙ୍କୁ ଉଚ୍ଛ୍ଵସିତ ପ୍ରଶଂସା କରନ୍ତି ।

 

ବିମଳ ଆଉ ତନ୍ଦ୍ରା ମଧ୍ୟରେ ପ୍ରତିଯୋଗିତା–ତଥାପି ଉଭୟଙ୍କ ମଧ୍ୟରେ ଆନ୍ତରିକତା । ଉଭୟ ଭାବନ୍ତି, ଅନ୍ୟ ଜଣକ ହୁଏତ ତା’ଠୁ ବେଶୀ ଜାଣେ ।

 

ବୟସ ପ୍ରାୟ ଉଭୟଙ୍କର ସମାନ । ସ୍କୁଲର କେତେକ ପରଶ୍ରୀକାତର ଛାତ୍ର ସମୟ ସମୟରେ ବିମଳର ନିନ୍ଦା କରନ୍ତି । ସୁଦୂର ଓଡ଼ିଶା ଦେଶରୁ ଆସି ଓଡ଼ିଆ ଛାତ୍ର ଜଣେ ପ୍ରଥମ ହବାର ଗୌରବ ନେବ, ୟା ହୁଏତ କେତେକ ସହିପାରୁ ନ ଥିଲେ । ଜଣେ ଦୁଇଜଣ ଶିକ୍ଷକ ମଧ୍ୟ ଏଇ ଭାବାପନ୍ନ । ମାତ୍ର ପ୍ରଧାନ ଶିକ୍ଷକ ଭାଦୂଡ଼ୀ ମହାଶୟଙ୍କର ଏସବୁ ଭାବ ନାହିଁ । ଛାତ୍ର ହିଁ ଛାତ୍ର-। ତେଣୁ ବିମଳ ତାଙ୍କର ଅତି ପ୍ରିୟ ।

 

ବିମଳ ପଢ଼େ ଆଉ ପଢ଼େ । ବିଲାତ ହେଇଥିଲେ ତାକୁ ପୁସ୍ତକକୀଟ ବୋଲି କୁହାଯାଆନ୍ତା । ଭାରତୀୟ ଛାତ୍ରମାନେ ଦିନରେ କୋଡ଼ିଏ ଘଣ୍ଟା ପଢ଼ିବାର ନଜିର ଅଛି ।

 

ତନ୍ଦ୍ରା କିନ୍ତୁ ଏତେ ପରିଶ୍ରମ କରେନା । ଭାରି ପ୍ରଖର ତା’ର ସ୍ମୃତିଶକ୍ତି । ଥରେ ଯାହା ପଢ଼େ, ତାହା ତା’ର ମାନସପଟରେ ବହି ଅକ୍ଷର ପରି ମୁଦ୍ରିତ ହେଇଯାଏ ।

 

ସେଦିନ ତନ୍ଦ୍ରା ସାଙ୍ଗରେ ବିମଳ ଆସିଥିଲା ଘରକୁ । ସୁନନ୍ଦା ଦେବୀ ଦେଇଥିଲେ ତାକୁ ପୁତ୍ରପ୍ରତିମ ସ୍ନେହ । ତାକୁ ଖାଇବାକୁ ଦେଇଥିଲେ ନାନା ପ୍ରକାର ମିଷ୍ଟସାମଗ୍ରୀ । ସେ ତ ପିଲାଟା, କ’ଣ ବା ଖାଇବ ? ସୁନନ୍ଦା କିନ୍ତୁ ପାଖରେ ବସି ଜୋର କରି ତାକୁ ଖୁଆଉଥିଲେ ।

 

ମାତୃହରା ବିମଳର ହୃଦୟ ଆଜି ପଲ୍ଲବିତ ହେଇ ଉଠୁଥିଲା ।

 

ବିନୟବାବୁ ବଜାର ଯାଇଥାନ୍ତି । ସୁନନ୍ଦା କହିଲେ, ବାପ ! ଆଜି ରାତି ଖିଆଟା ଆମ ଘରେ ହବ ।

 

ବିନୟ ବାଧ୍ୟ ପିଲାଟି ଭଳି ରାଜି ହେଲା । ସୁନନ୍ଦା ଲାଗିଲେ ରନ୍ଧାବଢ଼ାର ଆୟୋଜନରେ । ତନ୍ଦ୍ରା ଆଉ ବିମଳ ବସି ବସି ପାଠ୍ୟପୁସ୍ତକ ଓଲଟାଇଲେ । ପାଠପଢ଼ା ବ୍ୟତୀତ ପୃଥିବୀରେ ଯେ ଆଉ କିଛି କଥା ଥାଇପାରେ, ଏହା ସେମାନଙ୍କ ଧାରଣାର ବାହାରେ । ସାଇନ୍‌ସର ଅମୁକ ଫର୍ମୁଲାଟା ଭାରି ଇମ୍ପର୍ଟାଣ୍ଟ–ଅମୁକ ଅଙ୍କଟା ଭାରି କିଟିମିଟିଆ । ସାହିତ୍ୟର ସେଇ ଯୋଉ କାଶାବ୍ଲାଙ୍କା ଗଳ୍ପ ଆଉ ବିଦ୍ୟାସାଗର ଜୀବନୀ ମୁଖସ୍ଥ କରିବାକୁ ହବ ।

 

ପଣ୍ଡିତ ମହାଶୟ କହିଛନ୍ତି, ସଂସ୍କୃତର ଅମୁକ ଧାତୁ ରୂପଟା କଣ୍ଠସ୍ଥ କରି ଯିବାକୁ ହବ ।

 

କଥାବାର୍ତ୍ତା ଭିତରେ ରାତ୍ରି ଘନେଇ ଆସିଚି । କ୍ରମେ ନିସ୍ତବ୍‌ଧ ହୋଇଆସୁଚି ମହାନଗରୀର ବକ୍ଷ । ଆଉ କିଛି ସମୟ ଗଲେ ବିରାଟ ନଗରୀଟା ଗୋଟାଏ ଅଜଗର ସାପ ଭଳି ଘୁମାଇ ପଡ଼ିବ । ତା’ପରେ ଆରମ୍ଭ ହେବ ରାତ୍ରିର ବିଭୀଷିକା । ହେଇରେ ହେଇ । ମାତାଲ୍‌ ଟାଏ କିଏ ରାସ୍ତା ଉପରେ ପାଟି କରୁଚି । ମୁହଁରେ ତା’ର ଶସ୍ତା ବମ୍ବେ ଫିଲ୍ମର ଅଶ୍ଳୀଳ ସିନେମା ସଙ୍ଗୀତ-। ହାୟ ହାୟ ବମ୍ବେ–କ’ଣ ତୁମେ କରୁଚ ? ହେ ଭାରତବର୍ଷର ହଲିଉଡ଼, ଜୀବନକୁ ପଙ୍କିଳ କରିବାରେ ତୁମର ଏତେ ଆଗ୍ରହ କାହିଁକି ?

 

ମାତାଲକୁ ଦେଖି ଡରିଯାଇଚି ତନ୍ଦ୍ରା । ବିମଳ ଯେ ଡରିନି ତା’ ମଧ୍ୟ ନୁହେଁ ।

 

ବିନୟବାବୁ ବାହାରୁ ଫେରି ଆସିଚନ୍ତି । ଖାଇବା ପର୍ବ ଶେଷ ହବା ପରେ ତନ୍ଦ୍ରାଠୁ ବିଦାୟ ନେଇଚି ବିମଳ । ଏକା ତ ଯାଇ ପାରିବନି । ବିନୟବାବୁ ତାଙ୍କ ଓ୍ୟାକିଂ ଷ୍ଟିକ୍‌ ଖଣ୍ଡିକ ହାତରେ ଧରି ବିମଳ ସାଙ୍ଗରେ ଆଗେଇଗଲେ । ସେତେବେଳକୁ ତନ୍ଦ୍ରା ଆଖିରେ ଆଖିଏ ନିଦ । କାନ୍ଥରେ ଝୁଲୁଥିବା ଘଣ୍ଟାରେ ଟଂ ଟଂ କରି ବାଜିଲା ଏଗାରଟା ।

 

–ଛଅ–

 

ହଲିଡ଼େ ଅନ୍‌ ଆଇସ୍‌ । ଇଡେନ ଗାର୍ଡ଼ନରେ ରୁଷିଆରୁ ଆଗତ ଶିଳ୍ପୀମାନଙ୍କ ନୃତ୍ୟ ସମଗ୍ର କଲିକତା ସହରକୁ ପାଗଳ କରିଚି । ଏକ ବିସ୍ତୀର୍ଣ୍ଣ ବରଫ ଆସ୍ତରଣ ଉପରେ ନୃତ୍ୟଶିଳ୍ପୀମାନଙ୍କର ଅପୂର୍ବ ନୃତ୍ୟ ପରିବେଷଣ । ଏ ନୃତ୍ୟ ଏକ ସର୍କସ । ଏଥିରେ ବାହାଦୂରୀ ଅଛି-। ବଡ଼ ଲୋକଠୁ ଗରିବ ପର୍ଯ୍ୟନ୍ତ–ମେଟ୍ରୋ ମାଲିକଠୁ ଚିନାବାଦାମବିକାଳୀ ପର୍ଯ୍ୟନ୍ତ ସଭିଏଁ ଦେଖିବାକୁ ଚାହାନ୍ତି ହଲିଡ଼େ ଅନ୍‌ ଆଇସ୍‌ । ଦର୍ଶକମାନଙ୍କ ମତରେ ଏହା ଏକ ଅଦ୍ଵିତୀୟ ନୃତ୍ୟ-

 

ସେଦିନ ଅଫିସରୁ ଫେରି ବିନୟବାବୁ ସୁନନ୍ଦାଙ୍କ ପାଖରେ କହୁଥିଲେ ଏଇ ନାଚ କଥା । ତନ୍ଦ୍ରା ଆଗରୁ ଶୁଣିଚି–କାନ୍ଥରେ କାନ୍ଥରେ ଏ ନାଚର ପୋଷ୍ଟର ଦେଖିଚି । ସମଗ୍ର ନଗରୀ ଆଜି ପ୍ରଶଂସାମୁଖର । ଯେ ଏ ନାଚ ନ ଦେଖିବ ସେ ଜୀବନର ବହୁତ କିଛି ଦେଖିବାରୁ ବଞ୍ଚିତ ହେବ । ସତେ ଅବା ଜୀବନ ତା’ର ରହିବ ଅପୂର୍ଣ୍ଣ !

 

ସୁନନ୍ଦା କହିଲେ–ପାଖକୁ ଆସିଚି ଯେତେବେଳେ, ଚାଲ ଟିକିଏ ଦେଖି ଆସିବା । କାହିଁ କେଉଁଠି ରୁଷିଆ ? ବିନୟବାବୁ ଓ ତାଙ୍କ ଭଳି କିରାଣୀମାନେ କିଏ ଆଉ ରୁଷିଆ କିଏ ? ପିଲାଦିନେ କଲିକତା ସହର ଭିତରେ ରହି ସେ କେତେ ସ୍ଵପ୍ନ ଦେଖିଥିଲେ–ଇଂଲଣ୍ଡ, ଆମେରିକା, ରୁଷିଆ ଆଉ ବିଳାସନଗରୀ ଫ୍ରାନସ୍‌ । ହାୟ ହାୟ, ଭାଗ୍ୟ ପୁଣି ଏମିତି ହେଲା ! ସେସବୁ ଦେଶ କଥା ଛାଡ଼ିଦିଅ–ପ୍ରମତ୍ତା ପଦ୍ମା ନଦୀର ଦେଶ ପାକିସ୍ଥାନ ମଧ୍ୟ ଦେଖି ହେଲା ନାହିଁ । କେତେ ନିକଟରେ ଗୋଆଲନ୍ଦ ଷ୍ଟେସନ–ପର୍ବତ ପ୍ରମାଣେ ମାଛ ମିଳେ ସେଠି । ତା ବି ଦେଖିହେଲା ନାହିଁ ।

 

ଆଜି ଯିବା ହଲିଡ଼େ ଅନ୍‌ ଆଇସ୍‌ । ମୁଁ ଅଫିସରୁ ଫେରିବା ବେଳେ ଟିକଟ କରି ଆଣିଥିବି ।

 

ସୁନନ୍ଦାଙ୍କ ମନ କହୁଥିଲା, ମାତୃହରା ବିମଳକୁ ସାଙ୍ଗରେ ନେଇଯିବା ପାଇଁ । ଯା’ର ମା’ ନ ଥାଏ ସେ ବହୁ ସୁଖରୁ ବଞ୍ଚିତ ।

 

ତନ୍ଦ୍ରା–ତନ୍ଦ୍ରା ! ଆଜି ସ୍କୁଲରୁ ଫେରିବା ବେଳେ ବିମଳକୁ ଡାକି ଆଣନ୍ତୁ ନାହିଁ ?

 

ତନ୍ଦ୍ରାର ଏଥିରେ ଆପତ୍ତି କ’ଣ ? ବରଂ ଆଗ୍ରହ ବେଶୀ । ତା ବୟସର ଜଣେ ସାଙ୍ଗ ସହିତ ଦି ଘଣ୍ଟା ନାଚଶାଳାରେ କଟେଇବା ଭାରି ଆମୋଦଦାୟକ ହବ ।

 

ସେଦିନ ସ୍କୁଲରେ ତନ୍ଦ୍ରା କହିଲା–ବିମଳ, ମା ଡାକିଛନ୍ତି ଆଜି ସ୍କୁଲ ଛୁଟି ପରେ ଆମ ଘରକୁ ଯିବାକୁ ହେବ । ତାଙ୍କ ଘରକୁ ଯିବା କଥା ଶୁଣି ବିମଳର ଅନ୍ତରାତ୍ମା ଭୟରେ ଥରିଉଠିଲା । କାହିଁକି ଜାଣ ? ସେଦିନ ରାତିରେ ଫେରିବା ପରେ କିଣୁବାବୁ ତାକୁ ଖୁବ୍‌ ଭର୍ତ୍ସନା କରିଥିଲେ । ବନ୍ଧୁମାନଙ୍କ ଘରେ ସମୟ କଟେଇବାର ଗୋଟାଏ ସୀମା ଅଛି । ପୁଣି ଏ ପରଦେଶରେ ! କିଣୁବାବୁ ଜାଣନ୍ତି ଅତ୍ୟାଧୁନିକ ଝିଅମାନେ କୁଆଡ଼େ କିମିଆ ଜାଣନ୍ତି । ସେଇ ଯେ କାମାକ୍ଷା ଦେଶ କଥା ବୁଢ଼ୀମାଙ୍କ କାହାଣୀରେ ସେ ଶୁଣିଥିଲେ, ସେସବୁ ଆଜି ପ୍ରତ୍ୟକ୍ଷ ଫଳିଯାଉଚି । କଲିକତା ସହରରେ ଦୈନନ୍ଦିନ ଘଟଣା ଏ । ତା’ ନ ହେଲେ ଓଡ଼ିଶା ଦେଶରୁ ଯେଉଁମାନେ ସେଠିକି ଯାଆନ୍ତି ସେମାନେ ଘରଦ୍ଵାର, ବାପ ମା, ସ୍ତ୍ରୀ ପିଲାପିଲିଙ୍କି ଭୁଲି ବର୍ଷ ବର୍ଷ କାଳ ସେଠି କଟେଇ ଦିଅନ୍ତି କେମିତି ? ମୁକ୍ତ ବାୟୁକୁ ଛାଡ଼ି ଲୋକ କାହିଁକି ଭଲ ପାଏ ଆବର୍ଜନାପୂର୍ଣ୍ଣ ପୂତିଗନ୍ଧମୟ ଗଳିବାସକୁ-?

 

ମୁଁ ତ ବାପାଙ୍କୁ ନ କହି ଯାଇପାରିବି ନାହିଁ । ବିମଳ ଅନାସକ୍ତ ଭାବେ ଉତ୍ତର ଦେଲା ।

 

ବୁଦ୍ଧିମତୀ ତନ୍ଦ୍ରା । ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେଲା–ମା’ ପରା କହିଛନ୍ତି ! ମୋ ମା କ’ଣ ତୁମର କେହି ନୁହେଁ ?

 

କଣ୍ଠରେ ତା’ର ଛୋଟିଆ ଅଭିମାନ । ଆଖିତାରା ତା’ର ଛଳଛଳ । ବିମଳ ଆଉ ସିଧାସିଧା ତା ମୁହଁକୁ ଚାହିଁନି । ତନ୍ଦ୍ରାର ଏଇ କଥା ପରେ ସେ ତାକୁ କି ଉତ୍ତର ଦେବ ଖୋଜି ପାଉନି ।

 

ତନ୍ଦ୍ରା ପୁଣି କହିଲା, ହଉ ନ ଯାଅ । ମୋ ମା’ ତୁମର କିଏ କି ତୁମେ ଯିବ ?

 

ମା’–ବିମଳ ଶିଶୁ ଅବସ୍ଥାରୁ ମା’କୁ ହରେଇ ମାର ସ୍ନେହରୁ ବଞ୍ଚିତ । ମା’ ଯେ କି ପଦାର୍ଥ ତା’ ହୁଏତ ସେ ଭଲକରି ଜାଣି ନାହିଁ । ତା’ର ସଜ୍ଞାନରେ ସେ ମା’ ହାତର ଶୀତଳ ସ୍ପର୍ଶ ପାଇ ନାହିଁ-। ତଥାପି ମା’ କଥା ଶୁଣିଲେ ପ୍ରାଣ ଭିତରଟା ତା’ର ବ୍ୟଥାରେ ଭାଙ୍ଗିପଡ଼େ । ଅଜାଣତରେ ଦୀର୍ଘଶ୍ଵାସ ଉଠେ ।

 

ସେ କହିଲା, ମା’ଙ୍କୁ କହିବ ତନ୍ଦ୍ରା ! ବାପାଙ୍କୁ ନ କହି ମୁଁ ସିଧା ସୁଲରୁ ଯିବି କେମିତି ? ସେଦିନ ଯେ ଯାଇଥିଲି ଏତେ ରାତିରେ ଫେରିବାରୁ.....

 

ବାପା ତୁମର ଭାରି ରାଗିଲେ ନା ?

 

ବିମଳ ନୀରବ ରହିଗଲା ।

 

ସ୍କୁଲରେ ସଂସ୍କୃତ ପିରିୟଡ଼ ଆରମ୍ଭ ହେଇଗଲାଣି । ପଣ୍ଡିତ ମହାଶୟ ପ୍ରଚକ୍ଷୁମଣ୍ଡିତ ହୋଇ କ୍ଲାସ ଭିତରକୁ ପଶୁଛନ୍ତି । ତନ୍ଦ୍ରା ଆଉ ବିମଳ ବାରଣ୍ଡାରୁ କ୍ଳାସ ରୁମ ଭିତରକୁ ଗଲେ । ବିମଳର କାହିଁକି କେଜାଣି ପଢ଼ିବାକୁ ମନ ହେଉ ନାହିଁ । ସେଦିନ ରାତିରେ ତନ୍ଦ୍ରାର ମାଅଙ୍କଠାରୁ ଯେଉଁ ସ୍ନେହ ସେ ପାଇଛି ତା ଜୀବନରେ ଅଭୁଲା । ଅନବରତ ମନେ ହେଉଛି–ପୁଣି ସେ ଯାଆନ୍ତା-। ତନ୍ଦ୍ରାର ମା’ଙ୍କୁ ମା’ ବୋଲି ଡାକନ୍ତା । ସେ ପାଖରେ ବସି ଏଇଟା ଖା, ସେଇଟା ଖା କହି ତାକୁ ଜୋର ଜବରଦସ୍ତି ଖୁଆଇ ଦେଉଥାନ୍ତେ ।

 

ସେ ଭୀଷଣ ଅନ୍ୟମନସ୍କ । ପଣ୍ଡିତ ମହାଶୟ ୟା ଭିତରେ କେଉଁ ଧାତୁର ଶବ୍ଦ ରୂପ ପଚାରିଲେଣି ସେ ଶୁଣି ପାରି ନାହିଁ । କିରେ ବିମଳ ! କାହା କଥା ଭାବୁଚୁ ବସି ? କ’ଣ ତୋ ବାହାଘର ପ୍ରସଙ୍ଗ କୋଉଠି ପଡ଼ିଲାଣି କିରେ ?

 

ପଣ୍ଡିତ ମହାଶୟଙ୍କ ଏଇ ବ୍ୟଙ୍ଗୋକ୍ତିରେ ସାରା କ୍ଲାସଟା ହସରେ ସରଗରମ ହୋଇଉଠିଲା । କେବଳ ଗମ୍ଭୀର ରହିଗଲା ତନ୍ଦ୍ରା । ସେଇ କେବଳ ଜାଣେ କାହିଁକି ବିମଳ ଆଜି ଅନ୍ୟମନସ୍କ ।

 

ବିମଳ ପ୍ରକୃତିସ୍ଥ ହେବାବେଳକୁ ପଣ୍ଡିତ ମହାଶୟ ବହି ପଢ଼େଇବାକୁ ଆରମ୍ଭ କଲେଣି । କ୍ଲାସ ସାରା ପିଲା ଚୋରେଇ ଚୋରେଇ ତାକୁ ଚାହୁଁଛନ୍ତି । ସେ ଚୋରେଇ ଚୋରେଇ ଚାହୁଁଚି ତନ୍ଦ୍ରାକୁ । ତନ୍ଦ୍ରା ଆଗରେ ସେ ଆଜି କି ଅପଦସ୍ଥ ନ ହେଲା ? ସଂସ୍କୃତ ବ୍ୟାକରଣ ବହି ପ୍ରଥମ ପୃଷ୍ଠାରୁ ଶେଷ ପୃଷ୍ଠା ଯାକେ ସବୁ ତା’ର ମୁଖସ୍ଥ–ତଥାପି ସେ ଅପଦସ୍ଥ ହେଲା ।

 

ଲଜ୍ଜାରେ ଭାଙ୍ଗି ପଡ଼ିଲା ସେ । ସ୍କୁଲ ଛୁଟି ହେବା ପରେ ତନ୍ଦ୍ରା ଆଉ ଭରସି ପାରିଲା ନାହିଁ ହଲିଡ଼େ ଅନ୍‌ ଆଇସ୍‌ କଥା ପୁଣି ଥରେ ସରଣ କରାଇ ଦବାକୁ । ତେଣୁ ଯେ ଯାହାର ଗୃହ ଅଭିମୁଖେ ନୀରବରେ ଚାଲିଗଲେ ।

 

ସେଦିନ ତନ୍ଦ୍ରାର ହଲିଡ଼େ ଅନ୍‌ ଆଇସ୍‌ ଦେଖାଟା ନୀରସ ହେଇଗଲା । ମନରେ ତା’ର ବିମଳର ଚିନ୍ତା–ମାତୃହରା ପାଇଁ ହୃଦୟର ନିଭୃତ କୋଣରେ ସହାନୁଭୂତିର ତପ୍ତ ପ୍ରସ୍ରବଣ ।

 

–ସାତ–

 

ବିମଳ ମନରେ ପ୍ରଶ୍ନ ଉଠେ–ଯାହାର ମା’ ନାହିଁ ତାର ସୁଖ କ’ଣ ? କିଣୁବାବୁଙ୍କ ରହିବା ଘରଟା ଛୋଟ ଏକ ଭଡ଼ାଘର । ଶୋଇବା ଘର ଖଣ୍ଡିଏ–ସେ ଘର ଭିତରେ ଦି’ଖଣ୍ଡି କାଠ ଖଟ ପଡ଼ିଚି । ଗୋଟାକରେ ଶୁଅନ୍ତି କିଣୁବାବୁ ଆଉ ଅନ୍ୟଟିରେ ବିମଳ । ଶୋଇବା ଘର ସାମନା ପିଣ୍ଡାରେ ଖସ୍‌ ଖସ୍‌ ଦିଆ ହୋଇ ପଡ଼ିଚି ଟେବୁଲଟିଏ ଆଉ ଚେୟାର ଦି’ଟା ବିମଳର ପାଠ ପଢ଼ିବାର ସ୍ଥାନ । ସେଇଠି ସେ ଗାନ୍ଧି, ନେହେରୁ, ରବୀନ୍ଦ୍ରନାଥ, ଗୋପବନ୍ଧୁ ପ୍ରଭୃତିଙ୍କର ଫଟୋ ଟାଙ୍ଗି ଦେଇଛି । ସେଇମାନଙ୍କ ପ୍ରତିଭା ତା’ର ଆଦର୍ଶ । ପ୍ରତିଦିନ ସକାଳେ ଉଠି ଏଇ ମହାପୁରୁଷମାନଙ୍କୁ ସେ ପ୍ରଣାମ କରେ ।

ଘରର ତତ୍ତ୍ଵ ନବାପାଇଁ ବିମଳର କେଉଁ ଲେଖାଯୋଖାରେ ମାଉସୀ ହବା ଜଣେ ଆସି ରହିଚି । ବିମଳର ମା’ ମରିଯିବା ଆଜକୁ ପ୍ରାୟ ଦଶବର୍ଷ ତଳର କଥା । କିଣୁବାବୁଙ୍କ ବୟସ ସେତେବେଳକୁ ଚାଳିଶି । ବିମଳ ସେତେବେଳକୁ ଚାରି ପାଞ୍ଚବର୍ଷର ପିଲା । ବନ୍ଧୁ ବାନ୍ଧବମାନେ ପୁନର୍ବାର ବିବାହ କରିବା ପାଇଁ କିଣୁବାବୁଙ୍କୁ ବହୁତ ପ୍ରବର୍ତ୍ତାଇଥିଲେ । ମାତ୍ର ସେ ଭବିଷ୍ୟତକୁ ଚାହିଁ ଆଉ ଦ୍ଵିତୀୟ ଦାର ଗ୍ରହଣ କଲେ ନାହିଁ ।

ବିବାହ ତ କଲେ ନାହିଁ, କିନ୍ତୁ ଏଇ ସାନ ପିଲାର ଦାୟିତ୍ୱ ତୁଲେଇବ କିଏ ?

ସେ ଜାଣିଛନ୍ତି–କଲିକତା ସହରରେ ଛୋଟ ପିଲାଙ୍କର ଦାୟିତ୍ଵ ନେବା ପାଇଁ ଧାଈର ପ୍ରଚଳନ ଅଛି । ଏଇ ଧାଈମାନେ ଦିନସାରା ଘରେ ରହି ପିଲାର ସବୁକଥା ବୁଝନ୍ତି । ତାକୁ ଖୁଆଇ ଦବାଠାରୁ ଆରମ୍ଭ କରି ତା’ର ଯାବତୀୟ କାମ ସେମାନେ କରିଦିଅନ୍ତି ।

 

ମାତ୍ର...

 

ନିଜର ଲୋକ ଯେଉଁଭଳି ସ୍ନେହ ଅଜାଡ଼ି ପିଲାକୁ ମଣିଷ କରିବେ ଦରମାଖିଆ ଧାଈ କ’ଣ ତା କରିପାରିବେ ?

 

କିଣୁବାବୁ ବହୁତ ଭାବିଚିନ୍ତି ଦୂର ମୋଫସଲ ଗାଁରେ ଥିବା ଲେଖାଯୋଖାରେ ପିଲାର ମାଉସୀ ହେବା ଭଳିଆ ବାଲ୍ୟ ବିଧବା ଶରଧାକୁ ନେଇଆସିଲେ ।

 

ଶରଧା ନିଜ ପୁଅଟି ଭଳି ବିମଳକୁ ପାଳନ କରୁଚି । ତା’ କପାଳ ଏମିତି–ନିଜେ ତ ମା’ ହେଇ ପାରିଲାନି । ସେ ସୌଭାଗ୍ୟ ଆସିବା ପୂର୍ବରୁ ସ୍ଵାମୀବିୟୋଗ ଘଟିଲା । ଏଇଠି ରହି ବିମଳକୁ ପୁଅ ଭଳି ପାଳି ସାରା ଜୀବନଟା ଯଦି କଟେଇ ଦେଇପାରେ, ତା ହେଲେ ଜୀବନଟା ତା’ର ସାର୍ଥକ ହେବ ।

 

କିଣୁବାବୁଙ୍କର ଅଭାବ କିଛି ନାହିଁ । ଆୟ ଯାହା ସେତକ ତାଙ୍କ କ୍ଷୁଦ୍ର ପରିବାରଟି ପାଇଁ ଯଥେଷ୍ଟ । ଶରଧାକୁ ସେ ସବୁବେଳେ ଖୁସି କରେଇବାକୁ ଚେଷ୍ଟା କରନ୍ତି, କାହିଁକି ନା ତା’ର ମନ ନ ଲାଗିଲେ ପୁଅର ଭଲ ତତ୍ତ୍ଵ ସେ ନବ ନାହିଁ ।

 

ଶରଧା ଆସିବାର ବର୍ଷକ ଭିତରେ ଏ ଘର ଉପରେ ତା’ର ପୂରା କର୍ତ୍ତୃତ୍ଵ ଆସି ଯାଇଛି-। ଏପରିକି କିଣୁବାବୁଙ୍କର ଆଇରନ୍‌ ଚେଷ୍ଟର ଚାବି ମଧ୍ୟ ତା ଲୁଗାକାନିରେ ବନ୍ଧା ହେଲାଣି-। ଘରେ ଚାକର ଜଣେ ଅଛି । ବଜାର ସଉଦା କରିବା–ରନ୍ଧାବଢ଼ା କରିଦେବା ତା’ର କାମ-

 

ପ୍ରତିଦିନ ଚାରିଟାବେଳେ ଶରଧା ବିମଳକୁ ଜାମା ପେଣ୍ଟ୍‌ ପିନ୍ଧେଇଦିଏ–ମୁହଁରେ ପାଉଡ଼ର, ଆଖିରେ କଳା ଦେଇ ସଜେଇଦିଏ । ଚାକର ସାଥିରେ ତାକୁ ପଠେଇଦିଏ ଦୋକାନକୁ ।

 

କିଣୁବାବୁ ଚାରିଟା ବେଳକୁ ସତୃଷ୍ଣ ନୟନରେ ଚାହିଁ ବସିଥାନ୍ତି–କେତେବେଳେ ବିମଳ ଆସିବ ? ତା ପାଇଁ କେଉଁଦିନ ବିସ୍କୁଟ୍‌, କେଉଁଦିନ ଅରେଞ୍ଜ ବା କେଉଁ ଦିନ ସନ୍ଦେସ୍‌ କିଣି ରଖିଥାନ୍ତି-। ତା ହାତରେ ଧରେଇଦେଇ ସେ ଭାରି ଖୁସି ହୁଅନ୍ତି । ମନେ ମନେ ଶରଧା ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି ।

 

ବାସ୍ତବିକ୍‌ ସେ ନ ଆସିଥିଲେ ଛୁଆଟା ଗଡ଼ି ଯାଇଥାନ୍ତା ସିନା ! ମା’ର ଅଧା ମାଉସୀ । ଶରଧା କିନ୍ତୁ ପ୍ରମାଣ କରିଦେଇଚି ବେଳେବେଳେ ମାଉସୀ ମା’ର ସମକକ୍ଷ ।

 

ତା’ପରେ ଆସିଯାଇଚି ବିମଳର ପାଠପଢ଼ାର ବେଳ । ଅକ୍ଷର ଶିକ୍ଷାର ଭାର ଶରଧା ଉପରେ । କିଣୁବାବୁ ଦୋକାନକୁ ଚାଲିଆସିବା ପରେ ଚାକରକୁ ରନ୍ଧାବଢ଼ାର ସରଞ୍ଜାମ ଦେଇ ବିମଳକୁ ଆଣି ଶରଧା ନିଜ ପାଖରେ ବସେଇ ଅ ଆ କ ଖ ଲେଖି ଶିଖାଏ । ବିମଳ ଖୁବ୍‌ ବୁଦ୍ଧିମାନ ପିଲା । ଦିନ କେଇଟାରେ ଫଳା ଶେଷ କରି ମଧୂସୁଦନ ରାଓଙ୍କ ବର୍ଣ୍ଣବୋଧ ପଢ଼ା ଆରମ୍ଭ କରିଦେଲାଣି । ତତ୍ପରେ ବ୍ରଜବନ୍ଧୁ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଶେଷ କରି ଭର୍ତ୍ତି ହେଲା ମାନମୟୀ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ।

 

ଶରଧାର କିଣୁବାବୁଙ୍କ ଉପରେ ଅଖଣ୍ଡ ଆଧିପତ୍ୟ । ତା’ର ସାଜସଜ୍ଜା ବେଶ ପୋଷାକ ଦେଖିଲେ କିଏ ମନେ କରିବ ସେ ଜଣେ ବିଧବା ବୋଲି ? କଲିକତାର ପବନ ଲାଗିଲେ ବୃଦ୍ଧ ବି ଯୁବକ ହୁଏ । ମନକୁ ସରସ କରି ରଖିବା ଭଳି ବହୁ ଉପାଦାନ ଅଛି ଏଠି ।

 

ମଝିରେ ମଝିରେ ଶରଧାକୁ ନେଇ କିଣୁବାବୁ ରାତି ସୋ ସିନେମା ଦେଖିବାକୁ ଯାଆନ୍ତି-

 

କହିବାକୁ ଗଲେ ଶରଧା ଏ ଘରର କର୍ତ୍ତ୍ରୀ ।

 

–ଆଠ–

 

ତନ୍ଦ୍ରା ସେଦିନ ବସି ଭାବୁଥିଲା–ତା’ର ନିମନ୍ତ୍ରଣ ବିମଳ ରକ୍ଷା ନ କଲା କାହିଁକି ? ତା’ର ବୟସ ହୁଏତ ଆଉ ଟିକିଏ ବେଶୀ ହେଇଥିଲେ ସେ ବୁଝି ପାରିଥାନ୍ତା ଜୀବନର ଏଇ ଗୁପ୍ତ ରହସ୍ୟ-। ମାତ୍ର ସେ ପାରି ନାହିଁ ।

 

ଖାଲି ବସି ଚିନ୍ତା କରୁଚି । ମନ ଭଲ ନାହିଁ । ଏ କେତେ ଦିନ ହେଲା ସୁନନ୍ଦାଙ୍କ ସ୍ଵାସ୍ଥ୍ୟ ଭଲ ରହୁ ନାହିଁ । ତାଙ୍କର ତଣ୍ଟିରେ ସେ କେମିତିକା ଯନ୍ତ୍ରଣା ଅନୁଭବ କରୁଛନ୍ତି । କୌଣସି ଜିନିଷ ଭଲ ଭାବେ ଖାଇ ପାରୁ ନାହାନ୍ତି ।

 

ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଚାଲିଚି । ବିନୟବାବୁ କେତେ ଦିନ ହେଲା ଘରେ ଗୋଟିଏ ଚାକରାଣୀ ରଖିଛନ୍ତି । ସୁନନ୍ଦା ପୂର୍ବଭଳି ଆଉ ଖଟି ପାରୁ ନାହାନ୍ତି । ଧୀରେ ଧୀରେ ବୟସ ତ ହଟି ଆସୁଚି । ହାତ ଗୋଡ଼ର ସ୍ନାୟୁଗୁଡ଼ାକ ଦୁର୍ବଳ ହେଇ ପଡ଼ୁଚନ୍ତି । ମନ ସବଳ ଥାଇ ମଧ୍ୟ ହାତଗୋଡ଼ ଆଉ ବୋଲ ମାନୁ ନାହାନ୍ତି । ଦେହର ଜଏଣ୍ଟଗୁଡ଼ାକ କୋହଳ ହେଇ ଆସୁଚି । ସେଥର ରଥଯାତ୍ରା ପୂର୍ବରୁ ପ୍ରତିହାରୀଏ ଆସି କହିଥିଲେ–ମା, ଥରେ ପୁରୀ ଦର୍ଶନ କଲ ନାହିଁ ?

 

ଏ ପ୍ରତିହାରୀ ହଉଚନ୍ତି ଆମ ପୂର୍ବବର୍ଣ୍ଣିତ ପ୍ରତିହାରୀଙ୍କର ବଂଶଧର–ଶଶୀଭୂଷଣ ଦେ ଷ୍ଟ୍ରୀଟ ଜଗନ୍ନାଥ ମନ୍ଦିରର ପୂଜକ ।

 

ପ୍ରତିହାରୀଙ୍କ ମୁହଁରୁ ପୁରୀ ଦର୍ଶନ କଥା ଶୁଣି ସୁନନ୍ଦା ସ୍ତବ୍‌ଧ ହୋଇ ଚାହିଁଲେ । ପ୍ରତିହାରୀଏ ପୁଣି କହିଲେ–ମା, ସେଇ ଜଗନ୍ନାଥ ତ ସବୁ ମନୋବାଞ୍ଛା ପୂର୍ଣ୍ଣକରିବେ ।

 

ମନୋବାଞ୍ଛା ? ଆଉ କ’ଣ ମନୋବାଞ୍ଛା ଅଛି ? ବୁଝିପାରୁ ନ ଥିଲେ ସୁନନ୍ଦା ।

 

ପ୍ରତିହାରୀଏ ପୁଣି କହିଲେ–ସ୍ଵାମୀ ସ୍ତ୍ରୀ ଉଭୟ ପୁରୀଯାତ୍ରା କରି ଜଗନ୍ନାଥଙ୍କୁ ଦୁଃଖ ଜଣେଇଲେ ଦାରୁବ୍ରହ୍ମ ହୁଏ ତ ମନୋବାଞ୍ଛା ସଫଳ କରିବେ । ଦେହ ଭଲ ହୋଇଯିବ । ସଙ୍ଗେ ସଙ୍ଗେ କୋଳକୁ ପୁଅଟିଏ ଆସିପାରେ ।

 

ମାତ୍ର ଏଇ କଥାରେ ସୁନନ୍ଦା ହସି ଉଠିଥିଲେ । ବୁଢ଼ୀ କାଳେ ଆଉ ପୁଅ ହବ !

 

କାହିଁକି ? ଏମିତି ତାଙ୍କର ଆଉ କେତେ ବୟସ ହେଇଗଲା କି ? ତାଙ୍କଠୁ ଆଉରି ବୟସର ସ୍ତ୍ରୀମାନେ ତ ପୁଣି କୁଳରକ୍ଷା କରି ପାରୁଚନ୍ତି । ମନଟା ମରିଯାଇଚି । ସେଇଟାକୁ ଆଉ ଥରେ ସଜେଇଦେଲେ ହେଇଯିବ ।

 

ମନ୍ଦିରରେ ପୂଜାର ବେଳ ହେଇଯାଇଥିଲା । ପ୍ରତିହାରୀଏ ସୁନନ୍ଦାଙ୍କୁ ଭାବିବାକୁ ସମୟ ଦେଇ ଚାଲିଗଲେ ।

 

ଡାକ୍ତରୀ ଔଷଧ ଖାଇ ତଣ୍ଟିର ଅବସ୍ଥା କ୍ରମେ ଭଲ ହେଇଆସୁଚି । ଆଉ କେତେ ଦିନ ଗଲେ ପରା ଭଲ ହେଇଯିବାର ଆଶା । ରୁଗ୍‌ଣ ଅବସ୍ଥାରେ ମନ ତାଙ୍କର କହୁଥିଲା ଆଉ ଥରେ ବିମଳକୁ ଦେଖିବେ । ପିଲାଟାକୁ ଦେଖିବାଦିନୁ ତା’ ପ୍ରତି ଅନ୍ତର ଭିତରେ କେମିତିକା ମମତା ଆସିଯାଇଚି । ଥରେ ସିନା ଆସିଲା ନାହିଁ, ମାତ୍ର ପୁଣି ଥରେ ଡାକିଲେ ସେ ନିଶ୍ଚୟ ଆସିବ । ମା’ଛେଉଣ୍ଡ ପିଲା–ବୁକୁର ସ୍ନେହତକ ତା’ରି ଉପରେ ଢାଳିଦେବା ପାଇଁ ତାଙ୍କ ମନ କହୁଥିଲା ।

 

ତନ୍ଦ୍ରା କିନ୍ତୁ ଏଥର ରାଜି ନୁହେଁ ବିମଳକୁ ଡାକିବା ପାଇଁ । ଅଭିମାନୀ ଝିଅ କିନା ! ଥରେ ତା କଥା ଯେତେବେଳେ ରହିନି ଆଉ ଥରେ ସେ ଡାକିବ କାହିଁକି ?

 

ସନ୍ଧ୍ୟାରେ ବିନୟବାବୁ ବିମଳ ଘରକୁ ନିଜେ ଗଲେ । କିଣୁବାବୁଙ୍କ ସହିତ ଆଳାପ ଆଲୋଚନା ହେଲା । ଉଭୟ ଉଭୟଙ୍କର ପରମ ବନ୍ଧୁ ହେଇଗଲେ ।

 

ବିନୟବାବୁ କହିଲେ–ମୋର ତ ପୁଅ ନାହିଁ କିଣୁବାବୁ ! ତମ ପୁଅଟିକି ଦେଖି ଭାରି ଖୁସି ହଉଚି ମୁଁ । ତମ ଦେଶର ନାମ ସେ ରଖିବ ।

 

ପୁଅର ପ୍ରଶଂସାରେ କିଣୁବାବୁ ଖୁସି ହଉଥିଲେ । ପିଲାଟି ଦିନୁ ମାଆକୁ ହରେଇ ମାତୃତ୍ଵର ସ୍ନେହ ସେ ପାଇନି । ସ୍ନେହକାଙ୍ଗାଳ ପିଲାଟା । ସ୍ନେହ ଦେଲେ ଆପଣାର ହୋଇଯିବ ।

 

ସେଦିନ କିଣୁବାବୁଙ୍କ ଅନୁରୋଧରେ ବିନୟବାବୁ ତାଙ୍କ ଘରେ ରାତ୍ରିଭୋଜନ କରିଥିଲେ-

 

ସୁନନ୍ଦା କହିଛି, ବିମଳକୁ କାଲି ପଠେଇବ ।

 

ଦୁଇଟି ପରିବାର ଭିତରେ ବନ୍ଧୁତାର ସୂତ୍ରପାତ । ୟାର ଶେଷ କେଉଁଠି କିଏ କହିପାରିବ-?

 

–ନଅ–

 

ଗୋଲଦୀଘି ପାର୍କ । ଦୀଘି ଅର୍ଥାତ୍‌ ପୋଖ‍ରୀଟା ଗୋଲ୍‌ ନୁହେଁ; ତଥାପି ତା’ର ନାମକରଣ କେଉଁଥିପାଇଁ ଗୋଲଦୀଘି ରଖାଗଲା ସେ ଇତିହାସ ଆଜି ନାହିଁ । କିଏ ବା ଏ ନାମକରଣ କରିଛି ତାକ୍ଷର ମଧ୍ୟ କୌଣସି ସଠିକ ବୃତ୍ତାନ୍ତ ଜଣା ପଡ଼େନା ।

 

ଇଉନିଭରସିଟି ସାମନାରେ ଏଇ ଗୋଲଦୀଘି ପାର୍କ, ଯାହାର ବାହାର ପାଖଟାକୁ କୁହାଯାଏ କଲେଜ ସ୍କୋୟାର । ପାର୍କ ଭିତରକୁ ସାମନା ଗେଟ ଦେଇ ପଶିଗଲେ ପ୍ରଥମେ ଦେଖିବାକୁ ମିଳେ ଈଶ୍ଵରଚନ୍ଦ୍ର ବିଦ୍ୟାସାଗରଙ୍କର ପ୍ରତିମୂର୍ତ୍ତି । ଆହୁରି ଭିତରକୁ ସୁଇମିଂ କ୍ଲବ୍‌, ଜିମନାସିଅମ ପ୍ରଭୃତି । ଚାରିପାଖରେ କାଠ ବେଞ୍ଚଗୁଡ଼ାଏ ପଡ଼ିଚି ।

 

ଦିନ ଚାରିଟା ବାଜିଗଲେ ପାର୍କ ଭିତରେ ଲୋକଭିଡ଼ ଜମିଉଠେ । ଚିନାବାଦାମ, କାକୁଡ଼ି, କଦଳୀ, ବୁଟ, ଘୁଗୁନିର ବିପଣୀ ମେଲିଯାଏ । ବେଞ୍ଚଗୁଡ଼ାକ ଅଧିକାର କରି ବସନ୍ତି ରିଟାୟାର୍ଡ଼ ବୁଢ଼ା ବୁଢ଼ା ଲୋକ । ଧୋତି ପଞ୍ଜାବୀ ପିନ୍ଧି ହାତରେ ସରୁ ସରୁ ଷ୍ଟିକ୍‌ ଧରି ସେମାନେ ଆସି ବସିଯାଆନ୍ତି ।

 

ଯୁବକ–ଯୁବତୀ, କିଶୋର–କିଶୋରୀମାନେ ପାର୍କ ଭିତରେ ହରଦମ ଘୁରୁଥାନ୍ତି । ଥକ୍‌କା ଲାଗିଲେ ପାଣି ପାଖ ଘାସ ଉପରେ ଯାଇ କିଛି ସମୟ ଆସକତ ମେଣ୍ଟନ୍ତି ଅଥବା ଖାଲି ବେଞ୍ଚ ପାଇଲେ ଯାଇ ବସିପଡ଼ନ୍ତି ।

 

ସେଦିନ ଥାଏ ରବିବାର । ବିମଳ ଆଉ ତନ୍ଦ୍ରା ଏଇ ଗୋଲଦୀଘି ପାର୍କ ଭିତରେ ବୁଲୁଥିଲେ । ପାର୍କର ଉତ୍ତର ପାଖରେ ସଂସ୍କୃତ କଲେଜ–ପଶ୍ଚିମରେ ଇଉନିଭରସିଟି କଲେଜ–ତା’ର ଉତ୍ତରକୁ ପ୍ରେସିଡେନ୍‌ସି କଲେଜ–ଦକ୍ଷିଣକୁ ମେଡ଼ିକାଲ କଲେଜ । ଏଇସବୁ କଲେଜଗୁଡ଼ିକ କଥା ଭାବି ବିମଳ ବ୍ୟସ୍ତ ହେଇଉଠେ, କେବେ ତାର ସୌଭାଗ୍ୟ ହବ, ଏଇସବୁ କଲେଜରେ ଆସି ସେ ପ୍ରବେଶ କରିବ !

 

ତନ୍ଦ୍ରା କିନ୍ତୁ ପାଠ କଥା ଭାବୁ ନାହିଁ । କଲିକତାର ଝିଅ ସେ ସେତେବେଳେ, ଅନ୍ତତଃ ବୁଲିଯିବା ସମୟଟାକୁ ସରସ ଗପ ଭିତରେ କଟେଇଦବା ତା’ର ଇଚ୍ଛା ।

 

ଦୁଇଜଣ ଯାକ ବୁଲୁଛନ୍ତି । ବହି ଦୋକାନଗୁଡ଼ାକ ରବିବାର ଯୋଗୁ ବନ୍ଦ ଅଛି । ରାସ୍ତାରେ ବି ଅପେକ୍ଷାକୃତ ଭିଡ଼ ଆଜି କମ୍‌ ।

 

ସେ ପାଖ କୋଣରେ ବେଲୁନ୍‌ବାଲା ଗ୍ୟାସଦିଆ ବେଲୁନ୍‌ଗୁଡ଼ାକ ବିକ୍ରୀ କରୁଛି । ବେଲୁନ୍‌ଗୁଡ଼ାକ ରକେଟ୍‌ ଭଳି ଆକାଶରେ ଉଡ଼ିବୁଲୁଚି । ସେ ହୁରି କରୁଚି–ବେଲୁନ୍‌ ଗୋଟା ଦଶପଇସା । ତନ୍ଦ୍ରା ଚାହିଁଚି ସେଇଆଡ଼େ । କୌତୂହଳୀ ମନ ତା’ର ଧାଇଁଯାଉଚି ସେଇ ଆଡ଼କୁ । ବେଲୁନ୍‌ବାଲା ହାତରୁ ଗୋଟାଏ ବେଲୁନ୍‌ ଖସିଯାଇ ଉପର ଆକାଶକୁ ଉଡ଼ିଗଲା । ଉପରକୁ ଉପରକୁ ଯାଉଚି ବେଲୁନ୍‌ଟା । ଇଉନିଭରସିଟିର ଚାରିତାଲା କୋଠାକୁ ଟପି ସତେ ଅବା ଏ ଉଡ଼ିଯାଉଚି ଚନ୍ଦ୍ର ମଣ୍ଡଳ ଆଡ଼େ !

 

ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ପାଖରେ ଦିଜଣ ଯାକ ଆସି ଛିଡ଼ା ହେଇଗଲେ । ବିମଳ କହିଲା–ରକେଟ୍‌ ସିନା ଏଇ ଭଳିଆ ଉପରକୁ ଉଠେ !

 

ତନ୍ଦ୍ରା କହିଲା–ତୁମେ ବେଶୀ ପାଠ ପଢ଼ି ବଡ଼ ହେଲେ ରକେଟ୍‌ ଚଢ଼ି ମଙ୍ଗଳ ଗ୍ରହକୁ ଯିବ-

 

ବିମଳ କହିଲା–ମୁଁ ଯଦି ଯାଏ କ’ଣ ଏକା ଯିବି ? ତୁମେ ବି ଯିବ ଯେ !

 

–ମୁଁ କାହିଁକି ତୁମ ସହିତ ଯିବି । ତନ୍ଦ୍ରା ପ୍ରଶ୍ନ କଲା । ବିମଳ ଏ ପ୍ରଶ୍ନର ଉତ୍ତର ଖୋଜି ପାଇଲା ନାହିଁ ।

 

ଛାତ୍ରଜୀବନର ପରିସୀମା ମଧ୍ୟରେ ଦୁଇଜଣଙ୍କର ବନ୍ଧୁତା । ଏ ବନ୍ଧୁତାର ଯେ ଏମିତି କିଛି ଚିରନ୍ତନ ମୂଲ୍ୟ ଅଛି, ତା’ ବି ନୁହେଁ । ଛାତ୍ରଜୀବନରେ ରେଳଗାଡ଼ି ଯାତ୍ରୀ ଭଳି କେତେ ଆସନ୍ତି ଯାଆନ୍ତି । ଉତ୍ତର ଜୀବନରେ ହୁଏତ କାହାରି ସହିତ କାହାରି ସମ୍ପର୍କ ରହେନା, ରହିପାରେନା ।

 

ତନ୍ଦ୍ରା କହିଲା–ତମେ ପାଠ ପଢ଼ି ଖୁବ୍‌ ବଡ଼ ହୁଅ ବିମଳ ! ତୁମେ ଏ ଦେଶର ନାମ ରଖ-

 

–କାହିଁକି, ତମେ କ’ଣ ପାଠ ପଢ଼ିବନି ତନ୍ଦ୍ରା ?

 

ଏଇ କଥା ପଦକ ଶୁଣି ହୋ ହୋ ହୋଇ ତନ୍ଦ୍ରା ହସିଉଠିଲା । ମୁଁ ପାଠ ପଢ଼ି ବିଶେଷ କ’ଣ କରିପାରିବି ? ମୁଁ କଣ ବଡ଼ ବୈଜ୍ଞାନିକ ହୋଇପାରିବି ?

 

କାହିଁକି ନହେଇପାରିବ ତନ୍ଦ୍ରା ? ସ୍ତ୍ରୀଲୋକମାନେ ପ୍ରଧାନମନ୍ତ୍ରୀ ହେଇପାରିଲେ, ଆକାଶରେ ଉଡ଼ିପାରିଲେ । ତୁମେ ଇଚ୍ଛା କଲେ ସବୁ କିଛି ହୋଇପାରିବ । ମୋଠୁ ମଧ୍ୟ ବଡ଼ ହୋଇପାରିବ । ମୋ ବାପାଙ୍କର ତ ମୋତେ ପଢ଼େଇବାକୁ ମୋଟେ ଇଚ୍ଛା ନାହିଁ । ସେ ଚାହାନ୍ତି ମୁଁ ଖୁବ୍‌ ଶୀଘ୍ର କେମିତି ଯାଇ ତାଙ୍କୁ ଦୋକାନ କାମରେ ସାହାଯ୍ୟ କରେ ।

 

–ସତ ! ତନ୍ଦ୍ରା ମୁହଁରେ ବିସ୍ମୟ ।

 

ସେ ପୁଣି କହିଲା–ନା ବିମଳ । ମୁଁ ମୋ ବାପାଙ୍କୁ କହିବି ସେ ତମ ବାପାଙ୍କୁ କହିବେ, ଦୁହେଁ ସାଙ୍ଗ ହେଇ ବହୁତ ପାଠ ପଢ଼ିବା–ତମେ ପାଠପଢ଼ା ଛାଡ଼ିଦେଲେ ମୋର ଆଉ ପଢ଼ିବାକୁ ମନ ଲାଗିବ ନାହିଁ ।

 

ବିମଳ ନୀରବ ରହିଲା । ମ୍ୟାଟ୍ରିକୁଲେସନ୍‌ ପାଶ୍‌ କରି ଆଉ ଉପରକୁ ଯଦି ପଢ଼ା ନ ଯାଏ, ତେବେ ଏତକ ପଢ଼ିବାର ମାନେ କିଛି ନାହିଁ । ଜୀବନ ବ୍ୟର୍ଥ ହେଇଯିବ । ତା’ର ତ କଲିକତାରେ ରହିବାକୁ ମୋଟେ ଇଚ୍ଛା ନାହିଁ, ସେ ଆଉ ଦୋକାନ ବୁଝିବ କ’ଣ ? ତା’ର ଇଚ୍ଛା ସେ ବହୁତ ପାଠ ପଢ଼ି ପଣ୍ଡିତ ହେବ । ପାଠରେ ଚାରିଆଡ଼େ ନାଁ ବିକେଇବ ।

 

କିଛି ସମୟ ନୀରବ ରହି ସେ କହିଲା–କେଜାଣି ଭାଗ୍ୟରେ କ’ଣ ଅଛି ?

 

ସେମାନେ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିଠୁ ଟିକିଏ ଆଗେଇ ଯାଇଥିଲେ । ବାଁ ପାଖରେ ଗୋଟାଏ ବେଞ୍ଚ ଖାଲି ଥିବାର ଦେଖି ଦୁହେଁ ଯାଇ ବସିଲେ । ପଛପାଖ ସୁଇମିଂ କ୍ଲବ୍‌ର ଟାଓ୍ୱାର ଘଣ୍ଟାରେ ବାଜିଲା ପାଞ୍ଚଟା । ଆଉ ଘଣ୍ଟାଏ ପରେ ସନ୍ଧ୍ୟା ହେବ । ପୁଣି ଫେରିବାକୁ ହେବ ଘରର ବରକ୍ତିକର ପରିବେଶ ଭିତରକୁ ।

 

–ଦଶ–

 

ବିମଳକୁ ହେଇଚି ଟାଇଫଏଡ଼୍‍ । ସେଦିନ ସ୍କୁଲରୁ ଫେରିବା ବେଳେ ବର୍ଷାରେ ଭିଜି ଭିଜି ଆସିଥିଲେ । ଇଚ୍ଛା କରିଥିଲେ ବର୍ଷାଟା କେଉଁଠି ସେ କଟେଇ ଦେଇ ପାରିଥାନ୍ତା । ମାତ୍ର କିଶୋର ମନ ତ ! ନୂଆ ବର୍ଷାର ରୋମାଞ୍ଚ ତା’ ମନକୁ ରୋମାଞ୍ଚିତ କରିଥିଲା । କଲିକତାର ବହୁ ସ୍ଥାନରେ ବର୍ଷା ପରେ କିଛି ସମୟ ପାଇଁ ରାସ୍ତାରେ ପାଣି ଜମିରହେ । ସେଇ ସମୟରେ ପିଲାମାନଙ୍କର ପାଣିରେ ଚାଲେ ଖେଳ । ବିମଳ ଉଚ୍ଛୃଙ୍ଖଳ ପିଲା ନୁହେଁ । ତଥାପି ନୂଆ ନୂଆ ଅନୁଭୂତିକୁ ଅଙ୍ଗେ ନିଭେଇବାର ମୋହରେ ବେଳେବେଳେ ସେ ଆତ୍ମହରା ହେଇଉଠେ । ଖୁବ୍‌ ସାଂଘାତିକ ଧରଣର ଟାଇଫଏଡ଼୍ । ଡାକ୍ତରମାନଙ୍କ ମତ–ଏଭଳିଆ ଜଟିଳ ଟାଇଫଏଡ଼୍‍ ସେମାନେ କ୍ୱଚିତ୍‌ ଦେଖିଚନ୍ତି ।

 

ଚାରିଦିନ ହେଲା ବିମଳର ସ୍କୁଲ ଯିବା ବନ୍ଦ ହେଇଚି । ତନ୍ଦ୍ରା ମନରେ ଉଁକି ମାରୁଚି ଆଶଙ୍କାର ରାହୁଗ୍ରସ୍ତ ଚନ୍ଦ୍ର । କାହିଁକି ସେ ସ୍କୁଲ ଆସୁନି ? କ’ଣ ହେଇଚି ତା’ର ? ବୃଢ଼ୀଆଣି ଜାଲ ଛନ୍ଦିଲା ପରି ଭବନାଗୁଡ଼ାକ ତା’ର ଗୋଳମାଳ ହେଇଯାଉଚି ।

 

ସେଦିନ ସ୍କୁଲରୁ ଫେରି ତନ୍ଦ୍ରା । ତା’ ମା’ଙ୍କୁ କହିଲା–ମା’, ଚାରିଦିନ ହେଇଗଲାଣି ବିମଳ ସ୍କୁଲକୁ ଆସୁ ନାହିଁ । ସେ ତ ବନ୍ଦ ହବା ପିଲା ନୁହେଁ । ତା’ର ନିଶ୍ଚୟ କ’ଣ ହେଇଚି ।

 

ସୁନନ୍ଦାଙ୍କ ନିଭୃତ ହୃଦୟରେ ସାମାନ୍ୟ ଝଡ଼ର ସୂଚନା । ସେ କହିଲେ–ଓଁ ମା’, ଚାରିଦିନ ହେଲା ସ୍କୁଲ ଆସିନି ? ବୋଧହୁଏ ଦେହ‘ପା’ କିଛି ଖରାପ ହେଲା । ତନ୍ଦ୍ରା, ଆଜି ସ୍କୁଲଫେରନ୍ତା ତୁ ନିଜେ ଯାଇ ବୁଝି ଆସିବୁ । ତା’ର ତ ମା’ ନାହିଁ–ଦେହ ଅସୁସ୍ଥ ହେଲେ କିଏ ତା’ କଥା ବୁଝୁ ଥିବ ?

 

ମଣିଷଜୀବନରେ ମା’ର ଆବଶ୍ୟକତା ତ’ ଏଇଥିପାଇଁ । ରୋଗରେ ମା’ଠୁ ଶାନ୍ତିଦାୟିନୀ ଆଉ କିଏ ?

 

ସେଦିନ ସ୍କୁଲରେ ତନ୍ଦ୍ରାର ମନ ଲାଗିଲା ନାହିଁ । କାହାକୁ ବା କ’ଣ ପଚାରିବ । ହୁଏତ ସ୍କୁଲ ଅଫିସରେ ସନ୍ଧାନ ନେଲେ କିଛି ଖବର ମିଳନ୍ତା । ମାତ୍ର....

 

ସ୍କୁଲର କିରାଣୀ ରାମାନନ୍ଦ ହାଲଦାର ଯେଭଳି ଲୋକ ତାଙ୍କୁ ଯାଇ ଯଦି ବିମଳ ବିଷୟରେ ପଚରାଯାଏ ସେ ଓଲଟି ପ୍ରଶ୍ନକାରଣୀକୁ ଏତେଗୁଡ଼ାଏ ପ୍ରଶ୍ନ ପଚରିବେ ସେ ଉତ୍ତର ଦେଉ ଦେଉ ବିଚାରୀ ଅଣନିଶ୍ଵାସୀ ହେଇଯିବ ।

 

ଅର୍ଥାତ୍‌–ତୁମେ ତାଙ୍କର କିଏ ? ତାଙ୍କ ବିଷୟରେ ତୁମେ କାହିଁକି ଜାଣିବାକୁ ଚାହୁଁଚ ? ସେ ଯଦି ତୁମର ବନ୍ଧୁ ବାନ୍ଧବ ନୁହନ୍ତି ତେବେ ତାଙ୍କ ସହିତ ତୁମର ସମ୍ପର୍କ କ’ଣ ? ଏଇସବୁ ପଚାରିସାରି ତୁମ ମୁହଁ କୁ ଚାହି ସେ ପୁଣି ହସିବେ, ସତେ କି ଯେମିତି ତୁମ ପଚାରିବା ଭିତରେ ସେ ଗୋଟାଏ ଗୂଢ଼ ରହସ୍ୟର ଅନୁସନ୍ଧାନ କରିଛନ୍ତି ।

 

ଏଇ ରାମାନନ୍ଦ ହାଲଦାରଙ୍କ କଥା ଭାବି ତନ୍ଦ୍ରା । ଆଉ ସ୍କୁଲ ଅଫିସକୁ ଯିବାକୁ ଭରସିଲା ନାହିଁ । ସ୍କୁଲ ସମୟଟା କଟିଗଲେ ସିଧା ସେ ବିମଳ ଘରକୁ ଚାଲିଯିବ ।

 

ସାହିତ୍ୟ ଶିକ୍ଷକ କ୍ଳାସରେ କ’ଣ ସେ ପଢ଼ାଉଛନ୍ତି ତନ୍ଦ୍ରାର ମୁଣ୍ଡ ଭିତରେ ପଶୁ ନାହିଁ । ସେ ଯେମିତି ବିମଳ ଚିନ୍ତାରେ ପୁରା ବୁଡ଼ିରହିଚି । ତା’ର ଅନ୍ୟମନସ୍କତା ଲକ୍ଷ୍ୟ କରି ଶିକ୍ଷକ ମହାଶୟ ତାକୁ କ’ଣ ସତ ବୋଲି ଦି’ଥର ପଚାରିବା ପରେ ମଧ୍ୟ ସେ କିଛି ଉତ୍ତର ଦେଇପାରୁନି ।

କ୍ଳାସରେ ହସର ବନ୍ୟା । ତନ୍ଦ୍ରାକୁ ଦେଖି ଆଲୋଚନା । ସେ ମନେ ମନେ ଲଜ୍ଜିତ ହେଲା ସତ, ପରମୁହୂର୍ତ୍ତରେ ପୁଣି ତା’ ନିକଟରେ ଦେଖାଦେଲା ଅନ୍ୟମନସ୍କତା ।

ବିମଳ ଯେ ଅସୁସ୍ଥତା ଭୋଗୁଥିବ, ଏ କଥା ସେ ବିଶ୍ୱାସ କରି ପାରୁ ନାହିଁ । ସେ ବରଂ ଭାବୁଚି–ତା’ର ହୁଏତ ପାଠପଢ଼ା ବନ୍ଦ ହେଇଗଲା । ତା’ ବାପା ହୁଏତ କହିଲେ–ଆଉ ପାଠ ନ ପଢ଼ି ଦୋକାନ ସମ୍ଭାଳ ।

ସତରେ ଏହା ଯଦି ହୋଇଥାଏ ତନ୍ଦ୍ରାର ଅବସ୍ଥା କ’ଣ ହେବ ?

ତା’ର କଅଁଳ କୁଆଁରୀ ମନ ଯେମିତି ବିଦ୍ରୋହ କରିଉଠିଲା–ନା ନା, ସେ ନିଜେ ଯାଇ କିଣୁବାବୁଙ୍କୁ କହିବ–ବିମଳର ପାଠପଢ଼ା ବନ୍ଦ କରିଦେବା ଘୋର ଅନ୍ୟାୟ । ଆପଣ ତାକୁ ସ୍କୁଲକୁ ପଠାନ୍ତୁ ।

କେତୋଟି ବିରକ୍ତିକର ମୁହୂର୍ତ୍ତ ପରେ ସ୍କୁଲ ଛୁଟି ବେଳ ହୋଇଗଲା । ଢଂ ଢଂ କରି ଘଣ୍ଟା ବାଜିଲା । କ୍ଷୁଧାର୍ତ୍ତ ପିଲାଏ ଅଣନିଶ୍ଵାସ ହେଇ ଯେ ଯାହାର ଗୃହ ଅଭିମୁଖେ ଧାଇଁଲେ । ଏଇ ପିଲାଏ ତ ଆମ ଦେଶର ଭବିଷ୍ୟତ ଶାସକ, ବୈଜ୍ଞାନିକ, ଦାର୍ଶନିକ କେତେ କ’ଣ–ଏଇମାନଙ୍କୁ ନେଇ ତ ଆମର ଭବିଷ୍ୟତ ରାଷ୍ଟ୍ର ପରିକଳ୍ପନା । ସ୍କୁଲ ଛୁଟି ହବାର ମୁହୂର୍ତ୍ତଟା ଭାରି ଦର୍ଶନୀୟ । ମନ ପୁରିଉଠେ ।

ତନ୍ଦ୍ରାର ଆଜି ଅନ୍ୟ କିଛି ଚିନ୍ତା ନାହିଁ । ସେ ବିମଳର ଘର ଅଭିମୁଖେ ଧାଇଁ ବା ସ୍ପିଡ଼୍‌ରେ ଚାଲିଚି ।

ଦାଣ୍ଡ ଦୁଆର ମୁହଁରେ ବସିଚି ଶରଧା ମାଉସୀ । ତନ୍ଦ୍ରାକୁ ଦେଖି ସେ କୋଳେଇ ନେଇ ଭୋ ଭୋ କରି କାନ୍ଦି ଉଠିଲା ।

ତନ୍ଦ୍ରା କିଛି ବୁଝିପାରିଲା ନାହିଁ । କ’ଣ କିଛି ଅଶୁଭ ଘଟିଯାଇଛି କି ? ଶରଧା କହିଲା–ତୁ ଏତତେଦିନ କୋଉଠି ଥିଲୁ ଲୋ ଝିଅ ? ବିମଳ ତୋତେ କେତେ ଖୋଜୁଥିଲା । ତୋତେ କେହି ଟିକିଏ ଡାକି ଆଣିପାରିଲା ନାହିଁ :

ତା’ପରେ ପୁଣି ତା’ର ଆରମ୍ଭ ହୋଇଗଲ କାନ୍ଦଣା । ତନ୍ଦ୍ରା ବି ଥୟ ଧରି ରହନ୍ତି କେତେକେ ? ସେ ବି ସେଇ କାନ୍ଦଣାରେ ଯୋଗ ଦେଲା ।

ସେ ଅଳ୍ପ ବୟସର ହଉ କି ବୟସ୍କା ହେଉ, ଶିକ୍ଷିତା ହେଉ ବା ଅଶିକ୍ଷିତା ହେଉ, ଝିଅ ପିଲମାନଙ୍କର କାନ୍ଦିବାଟା ଉପରେ ଏକଟିଆ ଅଧିକାର ରହିଆସିଚି ଆବହମାନ କାଳରୁ ।

କିଛି ସମସ୍ତ କାନ୍ଦିବା ପରେ ଶରଧା ପୁଣି କହିଲା–ତୁ ଏଠିକି ଆସିଲୁ ଝିଅ, ହେଲେ ସେ ଏଠି କାହିଁ ? ତାକୁ ତ ଏଠୁ ନେଇଗଲେଣି । ସେ ଏଇକ୍ଷଣି କୋଉଠି ଥିବ ? ଖବର ଆସିଲେ ମୁଁ ଯିବି ବୋଲି ବାହାରି ବସିଚି ।

ତନ୍ଦ୍ରା ଠିକ୍‌ ତ୍ରସ୍ତା ହରଣୀଟିଏ ପରି ଶଂକି ଯାଇଚି । ମୁହଁ ତା’ର ଖୋଲୁନି । ଶରଧା ମାଉସୀର ସବୁ କିଛିଟା ଗୋଟାଏ ବିରାଟ ଅଶୁଭର ସୂଚନା ଦଉଚି ।

ଘର ଭିତରେ ଟେଲିଫୋନ ବାଜିଉଠିଲା । ଶରଧା ଯାଇ ରିସିଭର ଉଠେଇ କହିଲା –ହେଲୋ ।

 

ସେ ପାଖରୁ କ’ଣ ଖବର ଆସିଲା କେଜାଣି, ସେ ‘ହଉ’ ବୋଲି କହି ରିସିଭର୍‌ ରଖିଦେଲା । ଆସି ତନ୍ଦ୍ରାକୁ କହିଲା–ବିମଳର ବାପା ଟେଲିଫୋନ କରିଥିଲେ । ଡାକ୍ତରଖାନାରେ ବିମଳ ଭଲ ଅଛି । ମୁଁ ଏଇକ୍ଷଣି ଡାକ୍ତରଖାନା ଯିବି । ତୁ ଟିକିଏ ଅପେକ୍ଷା କର ଝିଅ । ମୁଁ ଲୁଗା ବଦଳେଇ ଆସେ । ସେ ଏଇକ୍ଷଣି ଟ୍ୟାକ୍‌ସି ନେଇ ପହଞ୍ଚିଯିବେ । ତନ୍ଦ୍ରାଠୁ କୌଣସି ଉତ୍ତରକୁ ଅପେକ୍ଷା ନ କରି ଶରଧା ଘର ଭିତରକୁ ଚାଲିଗଲା ।

 

ଅଳ୍ପ ସମସ୍ତ ପରେ କିଣୁବାବୁ ନିଜେ ଟ୍ୟାକ୍‌ସି ନେଇ ଆସି ପହଞ୍ଚିଲେ । ତନ୍ଦ୍ରା ତାଙ୍କୁ ପ୍ରଣାମ କଲା । ସେ କହିଲେ–ମା, ବିମଳର ଚେତା ଫେରିଆସିଚି ।

 

ଶରଧା ବେଶ୍‌ ନିଜକୁ ସଜେଇ ବାହାର ଆସିଲା । ତାର ଏ ବେଶ ଦେଖିଲେ କିଏ କହିବ ସେ ସେ ହଉଚି ସୁଦୂର ଓଡ଼ିଶାର ମୋଫସଲ ଅଞ୍ଚଳର ଏକ ବିଧବା । କଲିକତାର ପାଣି ପବନରେ ବହୁତ ପରିବର୍ତ୍ତନ ଆସେ । ଶରଧାର ଜୀବନରେ ତାହା ହିଁ ଘଟିଚି ।

 

କିଣୁବାବୁ ସାଙ୍ଗରେ ଯିବା ପାଇଁ ତନ୍ଦ୍ରାକୁ ମଧ୍ୟ ଡାକିଲେ । ତନ୍ଦ୍ରା ଯାଇ ଟ୍ୟାକ୍‌ସିରେ ବସିଲା । ସେ ଅନୁଭବ କରୁଥିଲା ତା ଦେହରେ ଯେମିତି ଜୀବନ ନାହିଁ । ଅଥବା ତାକୁ କେହି ଫାଶୀଖୁଣ୍ଟ ପାଖକୁ ନେଇଯାଉଛି ।

 

ମନ ଭାଗାକ୍ରାନ୍ତ ।

 

ଟ୍ୟାକ୍‌ସି ଚାଲିଚି ।

 

–ଏଗାର–

 

ନୀରବ ନିଶ୍ଚଳ ଭାବରେ ଶୋଇରହିଚି ବିମଳ । ଦିନ ଚାରି ପାଞ୍ଚଟା ଭିତରେ ତା’ ଦେହର ସବୁତକ ମାଂସ ଯେମିତ ଶୁଖିଯାଇଚି । ଖାଲି ହାଡ଼ । ତା’ର ଚେହେରା ଦେଖିଲେ ଆଖିକ ଲୁହ ଆସିଯିବ ।

 

ଶରଧା ପହଞ୍ଚିବା ସଙ୍ଗେ ସଙ୍ଗେ ବାହୁନିବାକୁ ଆରମ୍ଭ କରିଦେଇଚି । ଓ୍ୟାର୍ଡ଼ର ଅନ୍ୟମାନଙ୍କର ଦୃଷ୍ଟି ସହସା ସେଇଆଡ଼େ ଆକର୍ଷିତ ହେଲା । ନିକଟରେ ଥିବା ଜଣେ ନର୍ସ କାନ୍ଦ ବନ୍ଦ କରିବାକୁ କହିଲା । ଏ କ’ଣ କରୁଛ ? କାନ୍ଦିଲେ କ’ଣ ରୋଗୀ ଭଲ ହେଇଯିବ ? ବରଂ ତାକୁ ସାନ୍ତ୍ୱନା ଦିଅ ।

 

କିଣୁବାବୁ ଏମାନଙ୍କୁ ପହଞ୍ଚେଇ ଦେଇ ଚାଲିଗଲେ ଦୋକାନକୁ । ତନ୍ଦ୍ରାର ଆଖିରେ ଲୁହ-। ସେଇ ଲୁହ ଦେଖି ବିମଳର ଆଖିକୋଣରେ ମଧ୍ୟ ଜକେଇ ଆସିଲା ଲୁହ ।

 

ଅତି ଧୀର କଣ୍ଠରେ ସେ କହିଲା–ମରୁ ମରୁ ବଞ୍ଚିଗଲି ତନ୍ଦ୍ରା ! ତୁମେ ଆଉ କ’ଣ ମତେ ଦେଖି ପାରିଥାନ୍ତ । ସେଦିନ ତୁମର ମନା ନ ମାନି ବର୍ଷାରେ ଭିଜିବାର ଫଳ ପାଇଗଲି ।

 

ତନ୍ଦ୍ରା କହିଲା–ଅମାନିଆ ହେଲେ କଷ୍ଟ ଭୋଗିବାକୁ ହୁଏ । ତୁମର ଏ ଯୋଉ ଅବସ୍ଥା, ମତେ ଟିକିଏ ଖବର ପଠାଇ ପାରିଲ ନାହିଁ ?

 

ବିମଳ ଏଥର ଟିକିଏ ହସିବାକୁ ଚେଷ୍ଟାକଲା । ପାଣ୍ଡୁର ଶେତା ଓଠରେ ତା’ର ତୃତୀୟାର ବଙ୍କା ଚନ୍ଦ୍ର ପରି ହସର ଈଷତ୍‌ ଆଭାସ । ସେ କହିଲା–ମୁଁ ତ ନିଜେ ପଡ଼ିଗଲି, ଆଉ କିଏ ଅଛି ଯେ ଯାଇ ଖବର ଦିଅନ୍ତା ? ମୁଁ ସ୍କୁଲ ନ ଯିବାର ଦେଖି ତୁମେ ଖବର ନବା କଥା ନା !

 

–ମୁଁ ଭାବିଥିଲି କ’ଣ ଅସୁବିଧା ହଉଚି, ସେଥିପାଇଁ ତୁମେ ସ୍କୁଲ ଯାଉ ନାହିଁ । ତୁମର ଅନୁପସ୍ଥିତିଟା ସେତେବେଳେ ତିନି ଦିନକୁ ଟପିଲା, ମୋ ମନରେ ସନ୍ଦେହ ହେଲା । ଯାହା ହଉ ଭଗବାନ କୃପାରୁ ତୁମେ ଶୀଘ୍ର ଭଲ ହେଇଯାଅ । ଏକା ଏକା ସ୍କୁଲରେ ମନ ଲାଗୁନି ।

 

ବିମଳ କହିଲା–ଭଲ ହବାକୁ କେତେ ଦିନ ଲାଗିବ କେଜାଣି ? ଅବିକା ତ କଥା କହିବା ବେଳକୁ ମୁଣ୍ଡ ଘୂରାଉଛି । ଟାଇଫଏଡ଼୍‍ ଜ୍ୱରଟା ଦିନ କେଇଟା ଭିତରେ ମୋ ଅବସ୍ଥାକୁ କ’ଣ କରିଦେଇଛି ?

 

ଡାକ୍ତରବାବୁ ଆସି କ’ଣ ଗୋଟାଏ ଇଞ୍ଜେକ୍‌ସନ ଫୋଡ଼ି ଦେଇଗଲେ । ବିମଳ ଇଞ୍ଜେକ୍‌ସନ ନବାକୁ ଭାରି ଡରେ । ବର୍ତ୍ତମାନ କିନ୍ତୁ ଡରିବାକୁ ବି ଶକ୍ତି ତା’ର ନାହିଁ ।

 

ଇତିମଧ୍ୟରେ ଡାକ୍ତରଖାନାର ଥଣ୍ଡା ହାଓ୍ୱାରେ ଖଟ ଉପରେ ମୁଣ୍ଡ ରଖି ଶରଧା ଶୋଇପଡ଼ିଚି ବୋଧହୁଏ ।

 

ସାକ୍ଷାତ ସମୟ ଶେଷ ହେବାର ସଙ୍କେତ ଦେଇ ଘଣ୍ଟା ବାଜି ଉଠିଲା । ଶରଧା ସିନା ରୋଗୀ ପାଖରେ ରହିବ, ହେଲେ ତନ୍ଦ୍ରାକୁ ଚାଲିଯିବାକୁ ପଡ଼ିବ ।

 

ଜଣେ ବେହେରା ଆସି ବାହାର ଲୋକଙ୍କୁ ଚାଲିଯିବା ପାଇଁ କହିଗଲା । ସମସ୍ତେ ଚାଲିଯିବା ପରେ ମେଡ଼ିକାଲର ସର୍ବୋଚ୍ଚ ଡାକ୍ତର ଓ୍ୟାର୍ଡ଼ ବୁଲିବାକୁ ଆସିବେ ।

 

ତନ୍ଦ୍ରା ବିଦାୟ ନେଇ ଆସିଲା । ଅସହାୟ ଦୃଷ୍ଟିରେ ଚାହିଁ ରହିଥିଲା ବିମଳ । ସାକ୍ଷାତର ସମୟ ଏତେ ଶୀଘ୍ର ଶେଷ ହେଇଗଲା ?

 

ସେ କହିଲା–ତନ୍ଦ୍ରା ! ତୁମେ ନ ଗଲେ ?

 

–ନା ନା, ତା କେମିତି ହେବ ? ତନ୍ଦ୍ରା କହିଲା, ବାପା ମା ତେଣେ ଅସ୍ଥିର ହେଇ ଉଠିବେଣି ।

 

ତନ୍ଦ୍ରା ଚାଲି ଆସିଲା । ପାଦ ଯୋଡ଼ିକ କିନ୍ତୁ ଅନିଚ୍ଛୁକ । ମେଡ଼ିକାଲ ହତାରୁ କଲେଜ ଷ୍ଟ୍ରିଟ୍‌କୁ ଆସିବା ବେଳେ ମନ୍ଥର ପାଦର ଗତି । ସାଥୀ ବିମଳର ଅସୁସ୍ଥତା ତା ଜୀବନର ଏକ ମସ୍ତବଡ଼ ଦୁର୍ଘଟଣା । ଅନ୍ତରଭରା କାମନା–ସାଥୀଟି ଶୀଘ୍ର ଭଲ ହେଇଯାଉ ।

 

ସମ୍ପୂର୍ଣ୍ଣ ଭଲ ହବାକୁ ବିମଳକୁ ଲାଗିଲା ପନ୍ଦରଦିନ ।

 

–ବାର–

 

ମାଟ୍ରିକ୍‌ ପରୀକ୍ଷା ଦବାର ମାସେ ନ ପୁରୁଣୁ ତନ୍ଦ୍ରା ଦେହରେ ଯୌବନର ଲହଡ଼ି ନାଚିଲା-। ତା’ର ସ୍ୱାସ୍ଥ୍ୟର ଅଭିବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ମାନସ–ରାଜ୍ୟରେ ଆରମ୍ଭ ହେଲା ଆଲୋଡ଼ନ-। ସର୍ବାଙ୍ଗରେ ତା’ର ବିଦ୍ୟୁତ୍‌ର ଅପୂର୍ବ ପରଶ । କଟାକ୍ଷରେ ଅବ୍ୟକ୍ତ ଭାଷାର ଇଙ୍ଗିତ-। କିଶୋର ବୟସର ସୀମା ଟପି ସେ ଆଜି ତାରୁଣ୍ୟ ନୀଳିମାରେ ନିଜ ଅଙ୍ଗକୁ ରଞ୍ଜିତ କରିଛି ।

 

ବିମଳ ଆଶ୍ଚର୍ଯ୍ୟ ହୁଏ । ତନ୍ଦ୍ରାର କଥାଭାଷା, ବ୍ୟବହାର ଚାଲିଚଳଣ, ପୂରାପୂରି ବଦଳି ଯାଇଚି ।

 

ତନ୍ଦ୍ରା ପଚାରେ–ବିମଳ ! ମୋ ଦେହ–ମନରେ କିଛି ପରବର୍ତ୍ତନ ଦେଖିପାରୁଚ ?

 

ବିମଳ ତା’ର ସର୍ବାଙ୍ଗକୁ ଗମ୍ଭୀର ଭାବରେ ନିରୀକ୍ଷଣ କରେ । କେତେକ ପରିବର୍ତ୍ତନ ସ୍ପଷ୍ଟ । ସେ କହେ–ଦେହର ପରବର୍ତ୍ତନ ଦେଖିପାରୁଚି । କିନ୍ତୁ ମନର...

 

ତନ୍ଦ୍ରା ହସେ । ତୁମେ ଏଡ଼ିକି ନିବୋଧ ବିମଳ, ମନଟାକୁ କ’ଣ ଦେଖି ହବ ? ସେଇଟା ଅନୁଭବ କରିବାର କଥା । ତୁମେ କ’ଣ କିଛି ଅନୁଭବ କରିପାରୁ ନାହଁ ?

 

ବିମଳ କିଛି ବୁଝି ନ ପାରି ଚାହିଁ ରହେ ଖାଲି । ସମାନ ବୟସର ପୁଅଝିଅଙ୍କର ମାନସିକ ଉନ୍ନତି ସମାନ ସ୍ତରର ନୁହେଁ । ଷୋଳବୟସୀ ଝିଅର କଳ୍ପନା ବିଳାସ ଷୋଳ ବୟସର ପୁଅର କଳ୍ପନା–ବିଲାସଠୁ ଭିନ୍ନ ।

 

ତନ୍ଦ୍ରା ପୁଣି କହିଲା–ବିମଳ, ଜୀବନର ଗୋଟାଏ ସ୍ତର ଆମେ ପାର ହେଇ ଯାଇଚେ । ଆଜି ପୁଣି ଏକ ନୂଆ ପର୍ଯ୍ୟାୟର ଆରମ୍ଭ । ମୋ ମନ ଭିତରେ କେମିତିକା ନୂଆ ପ୍ରକାରର ଅନୁଭୂତି । ପୃଥିବୀର ସବୁ କିଛି ମୋ ଆଖିରେ ଆଜି ସୁନ୍ଦର । ହଠାତ୍‌ ଏଭଳି ପରିବର୍ତ୍ତନ ଯେ କାହିଁକି ହେଲା ?

 

କାହିଁକି ହେଲା ? ୟା’ର ଉତ୍ତର ଦେବାପାଇଁ ବିମଳ ଅକ୍ଷମ । କାହାରି ପକ୍ଷରେ ଏ ପ୍ରଶ୍ନର ଉତ୍ତର ଦବା ସମ୍ଭବ ନୁହେଁ ।

 

ଯୌବନ କାହିଁକି ଆସେ ? ରୂପେଲି ବୟସର ମଧୁର ନିଶାରେ ପ୍ରାଣତଳେ କାହିଁକି ଉଠେ ପ୍ରଣୟର ସ୍ପନ୍ଦନ ? ମନ ମତୁଆଲା ହୁଏ କାହିଁକି ? ଏସବୁ ପ୍ରଶ୍ନର ଉତ୍ତର କେବଳ ସୃଷ୍ଟି କର୍ତ୍ତାଙ୍କ ପକ୍ଷେ ଦବା ସମ୍ଭବ । ମଣିଷ ଅବସ୍ଥାର ଦାସ । ଅବସ୍ଥାଚକ୍ରରେ ତାକୁ ଭୋଗ କରିବାକୁ ପଡ଼େ ଶୈଶବ, କୈଶୋର, ଯୌବନ, ଜରା । ଏସବୁକୁ କିଏ ନିମନ୍ତ୍ରଣ କରି ଆଣେ । କେହି ତ ଡାକେନା, କିନ୍ତୁ ସେମାନେ ଆସନ୍ତି । ଗୋଟିକ ପରେ ଗୋଟିଏ ମଣିଷର ଜୀବନକୁ ନେଇ ଖେଳ ଖେଳି ପୁଣି ଚାଲିଯାଆନ୍ତି । ମଣିଷ ଖାଲି ହାୟ ହାୟ କରେ । ଏଡ଼େ ସୁନ୍ଦର ଯୌବନ ଏଡ଼େ ଶୀଘ୍ର ଚାଲିଗଲା ? ହାୟ ହାୟ, ବାର୍ଦ୍ଧକ୍ୟର ଏ କି କ୍ରୁର ଆନ୍ତ୍ରମଣ ! କାଳସ୍ରୋତରେ ଏ ଜୀବନ ଆଗେଇଯାଏ । ପ୍ରତିରୋଧ କରିବାର ଶକ୍ତି କାହାରି ନ ଥାଏ । ମଣିଷ ଏକ ଅଭୁତ ମେସିନ୍‌–ଏ ମେସିନ୍‌ ସବୁବେଳେ ଇଚ୍ଛାକୁ ବେଖାତିର କରି କାର୍ଯ୍ୟ କରେ । ତୁମେ ଚାହୁଁଚ ଜୀବନକୁ ଉପଭୋଗ କରିବ–କିନ୍ତୁ ତା’ ବଦଳରେ ଆସିଲାଣି ଘୋର ଦୁଃଖ । ତୁମେ ଚାହୁଁଚ ଯୌବନ ଅନେକ ଦିନ ରହୁ–ମାତ୍ର ବର୍ଷ କେଇଟା ଭିତରେ ସେ ଚାଲିଯିବାକୁ ବସିଲାଣି । ମସ୍ତକର କେଶ ଖୁବ ଦ୍ରୁତ ଗତିରେ ସଫେଦ ପାଲଟି ଯାଉଚି । କେହି ରୋକି ପାରୁନି !

 

ଏଇ ନିୟମରେ ସବୁ ଚାଲିଚି । ଆଦାମ ଆଉ ଇଭ୍‌ର ସଂସାର କେଉଁ ଅନନ୍ତ କାଳରୁ ଆରମ୍ଭ କରିଚି ଯାତ୍ରା । ୟା ଭିତରେ କେତେ ଯେ ଗଲେ ଆଉ କେତେ ଯେ ଆସିଲେଣି, ତା’ର ସଠିକ ହିସାବ ନାହିଁ ।

 

ତେଣୁ ଅନେକ କହନ୍ତି, ଏଇ କ୍ଷଣଭଙ୍ଗୁର ସଂସାରରେ ଭବିଷ୍ୟନ୍ତ କଳ୍ପନା କରିବା ବୃଥା । ବର୍ତ୍ତମାନକୁ ନେଇ ନାଚିପାରିଲେ ଜୀବନ ସାର୍ଥକ । ଯାହା ଆସିଚି ତାକୁ ତୁରନ୍ତ ଉପଭୋଗ କରିନେବା ଦରକାର । ଏଇ ଦେଶର ଋଷି ଚାର୍ବାକ ତ ପୁଣି ବର୍ତ୍ତମାନକୁ ସର୍ବାଙ୍ଗସୁନ୍ଦର କରିବା ପାଇଁ କହୁଥିଲେ–ଯାବତ୍‌ ଜୀବେତ୍‌ ସୁଖଂ ଜୀବେତ୍‌–ଋଣଂ କୃତ୍ୱା ଘୃତଂ ପିବେତ୍‌ । ଚାର୍ବାକ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ମତକୁ ଗ୍ରହଣ କରୁଥିବା ଲୋକଙ୍କ ସଂଖ୍ୟା ବର୍ତ୍ତମାନ ପୃଥବୀରେ ବହୁତ ବେଶୀ । ନୂଆ ତିଆରି ହେଇଥିବା କୋଠା ଦେହରେ ରଙ୍ଗ ଦେଇଦେଲେ । ସେ ଯେମିତି ଉଜ୍ଜ୍ୱଳ ହେଇଉଠେ, ତନ୍ଦ୍ରାର ରୂପଲାବଣ୍ୟ ସେମିତି ଝଟକି ଉଠୁଚି । ଏ ଗୋଟାଏ ବୟସ–ଯୋଉ ବୟସର କି ଝିଅମାନେ ସ୍ୱଭାବତଃ ସୁନ୍ଦରୀ ହୁଅନ୍ତି ।

 

ତନ୍ଦ୍ରା ଆଜି ଯୌବନର ସ୍ପର୍ଶ ବେଶ୍‌ ଅନୁଭବ କରିପାରୁଚି । ତେଣୁ ସେ ଚାହୁଁଚି ଏ ଅନୁଭୂତିର ସ୍ପର୍ଶ ବିମଳ ଦେହରେ ଲାଗୁ ।

 

ତନ୍ଦ୍ରା ହସୁଚି–ସେଇ ହସରେ ଯେମିତି ଲକ୍ଷେଟି ମୁକ୍ତା ଝରି ପଡ଼ୁଚି ।

 

ତନ୍ଦ୍ରା କଥା କହୁଚି–ସେଇ କଥା ଭିତରେ ଅନେକ ତାତ୍ପର୍ଯ୍ୟ ଭରି ରହିଚି ।

 

ତନ୍ଦ୍ରା ଚାହୁଁଚି–ସେଇ ଗୃହୀଣୀରେ ବହୁ ଅବ୍ୟକ୍ତ ଭାଷାର ଇଙ୍ଗିତ ।

 

ତା’ର ସବୁ କିଛିରେ ନୂତନତ୍ୱର ସନ୍ଧାନ ।

 

ବିମଳ ମୁଗ୍‌ଧ–ତନ୍ମୟ ।

 

–ତେର–

 

କଲେଜ ଜୀବନରେ ପିଲମାନେ ବେପରୁଓ୍ୟା ହୁଅନ୍ତି । ଜଗତରେ ଯେ କେତେ ଜଞ୍ଜାଳ ଭରପୂର, ତାହା ସେମାନେ ସେତେବେଳେ କଳ୍ପନା କରିପାରନ୍ତି ନାହିଁ । ସେମାନେ ଭାବନ୍ତି ଜୀବନ ସୁଖ–ସର୍ବସ୍ୱ । କଲେଜ ପାଠପଢ଼ା ପରେ ଜୀବନର ପାଥେୟ ଯୋଗାଡ଼ କରିବା ପାଇଁ ଯୋଉ କଷ୍ଟ ଆଉ ସାଧନା ଦରକାର, ତାହା ସେମାନେ କଳନା କରି ନ ଥାନ୍ତି ।

 

ଅବଶ୍ୟ ପୂର୍ବେ ଜୀବନ ଅଳ୍ପ ମଧୁମୟ । କଲେଜରୁ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାର ପରୀକ୍ଷା ନ ଦେଇ ସିଧା ସିଧା ବିଭିନ୍ନ ଚାକିରିରେ ଭର୍ତ୍ତି ହେଇ ଯାଉଥିଲେ । କିନ୍ତୁ ଏବେ ଅସମ୍ଭବ ଭାବରେ ବୃଦ୍ଧି ପାଇଛି ବେକାର ସମସ୍ୟା । ଏବର ପିଲା ଯେ ଏ କଥା ନ ଜାଣନ୍ତି ତାହା ନୁହେଁ, ଜାଣି ସୁଦ୍ଧା ସେମାନେ ବେପରୁଓ୍ୟା ଥାଆନ୍ତି । କଲେଜ ଅବା ସର୍ଭେ ମର୍ତ୍ତ୍ୟର ପାରାଡ଼ାଇଜ !

 

କଲେଜ ନାମକ ଏକ ପାଇଡ଼ାଇଜରେ ପ୍ରବେଶ କରଚନ୍ତି ତନ୍ଦ୍ରା ଆଉ ବିମଳ । ହାଇସ୍କୁଲର ସଂକୀର୍ଣ୍ଣ ପରିବେଶରୁ ମୁକୁଳି ସେମାନେ ଏକ ବିସ୍ତୃତ ଦିଗ୍‌ବଳୟର ସନ୍ଧାନ ପାଇଛନ୍ତି । ପ୍ରେସିଡେନ୍‌ସି କଲେଜର ସୁଖ୍ୟାତି ସମଗ୍ର ଭାରତରେ ସୁବିଦିତ । ଏଇ କଲେଜର ଲନ୍‌, କରିଡ଼ର, କ୍ଲାସ୍‌ରୁମ୍‌, ଲାଇବ୍ରେରୀ ସର୍ବତ୍ର କର୍ମର ସ୍ରୋତ । ଛାତ୍ରସଂଖ୍ୟା ବହୁତ ବେଶୀ । ଅଧ୍ୟାପକମାନଙ୍କୁ ଦେଖିଲେ ସ୍ଵତଃ ଭକ୍ତି ଆସେ । ଏଇ ବିରାଟ ଅନୁଷ୍ଠାନ ଭିତରେ ତନ୍ଦ୍ରା ଆଉ ବିମଳ ସାମାନ୍ୟ ଦୁଇଟି ବୁଦ୍‌ବୁଦ ମାତ୍ର । ସେମାନଙ୍କର ସତ୍ତା ବିଷୟରେ କେବଳ ସେଇମାନେ ହିଁ ସଚେତନ ।

 

ପରିବେଶ ବଡ଼ ହେଲେ । ପରିଚିତ ସଂଖ୍ୟାନ୍ୟୂନ ଗୋଷ୍ଠୀ ସ୍ଵଭାବତଃ ଅଧିକ ଘନିଷ୍ଠ ହୁଅନ୍ତି । ତନ୍ଦ୍ରା ଆଉ ବିମଳର ଘନିଷ୍ଠତା ଗାଢ଼ତର ହେଉଛି । ବର୍ତ୍ତମାନର ଘନିଷ୍ଠତା ପୂର୍ବର ଘନିଷ୍ଠତାଠାରୁ ଭିନ୍ନ । ସମ୍ପୂର୍ଣ୍ଣ ନୂତନ ଧରଣର ।

 

କ୍ଲାସରୁମ୍‌ ଭିତରେ ବସି ଉଭୟେ ଉଭୟଙ୍କୁ ମୁହୁର୍ମୁହୁଃ ଚାହାନ୍ତି । ନିରୋଳା ଚାହାଣୀରେ ମୁହଁରେ ଉକୁଟିଉଠେ ହସ । ସେମାନେ ଭାବନ୍ତି ପୁଣି ଥରେ ଯେମିତି ନୂଆକରି ସେମାନେ ପରିଚିତ ହେଉଛନ୍ତି । ପୁଣି ଅ ଆ କ ଖ ଠୁ ଆରମ୍ଭ । ଏ ପରିଚୟର ମାଧୁରୀ ସେମାନେ ପୂର୍ବରୁ କେବେ ଚାଖି ନ ଥିଲେ ।

 

କଲେଜରେ ଅନ୍ୟ ସହପାଠୀମାନଙ୍କ ସାମନାରେ କଥାବାର୍ତ୍ତା ହବାକୁ ପ୍ରଥମେ ପ୍ରଥମେ ଉଭୟଙ୍କୁ ସଙ୍କୋଚ ଲାଗୁଥିଲା । କିନ୍ତୁ କ୍ରମେ ସେ ସଙ୍କୋଚ ଭାବ କଟିଗଲା । ସେମାନଙ୍କ ମନ ଚାହେଁ ନିରୋଳା ସାକ୍ଷାତ; କିନ୍ତୁ ଭୟ ହୁଏ ଆଉ କିଏ କୁଆଡ଼େ ଦେଖିବେ । କିନ୍ତୁ ଏ ଭୟ ଦୂରେଇଗଲେ ସେମାନେ ଯେତେବେଳେ ସ୍ପଷ୍ଟ ବୁଝିପାରିଲେ କେବଳ ସେ ଦୁହେଁ ନୁହନ୍ତି, ସେମାନଙ୍କ ପରି ଆଉରି ଅନେକ ଏକ ପଥର ଯାତ୍ରୀ ।

 

ଆରମ୍ଭ ପ୍ରେମର ମୁହୂର୍ତ୍ତଗୁଡ଼ାକ ଭାରି ମତୁଆଲା ଲାଗେ । ମନେ ହୁଏ ନିଶା ଖାଇବା ଭଳି । ନିଶାଖୋର ଯେମିତି ଠିକ୍‌ ସମୟରେ ନିଶା ନ ପାଇଲେ ହନ୍ତସନ୍ତ ହୁଏ; ଠିକ୍‌ ସେମିତି । ପ୍ରେମିକ ଆଉ ପ୍ରେମିକା ପରସ୍ପରର ପ୍ରେମ ପାଇଁ ପାଗଳ ହୁଅନ୍ତି । ଅଳ୍ପ ବୟସର ପ୍ରେମ ଆଉରି ଉଗ୍ର । ଭଲ ମନ୍ଦର ବିଚାର ସେମାନେ କରନ୍ତି ନାହିଁ । ଅଳ୍ପ ବୟସର ଯୁବକ–ଯୁବତୀ ଭଲ ପାଇବାକୁ ଆରମ୍ଭ କଲେ । ପ୍ରାୟ ଅନ୍ଧ ହୋଇଯାଆନ୍ତି ।

 

ପ୍ରତ୍ୟେକଟି ରଚିବାରରେ ବିମଳ ଯାଏ ତନ୍ଦ୍ରା ଘରକୁ । ସେମାନେ ବସି ଅସରନ୍ତି ଗଳ୍ପର ସୁଅ ଛୁଟାଇ ଦିଅନ୍ତି । ବିମଳ ଛୋଟ ଛୋଟ ଇଂରାଜୀ ଉପନ୍ୟାସ ଆଣି ତନ୍ଦ୍ରାକୁ ପଢ଼ିବାକୁ ଦିଏ । ତନ୍ଦ୍ରା ପଡ଼େ ଆଉ ତାରି ଭିତରେ ଖୋଜିବସେ ନିଜ ମନର ମଣିଷ ।

 

କଳ୍ପନାରେ ଭାସିଯାଏ ବିମଳ । ତା’ ବ୍ୟତୀତ ତନ୍ଦ୍ରା ଆଉ କୋଉ ତରୁଣକୁ ଗଭୀର ଭାବରେ ଜାଣେନା । ପିଲା ବେଳର ସାଥୀ ଆଜି ଯୌବନୋଚ୍ଛ୍ୱାସ ମୁହୂର୍ତ୍ତରେ ରାଜକୁମାର ସାଜି ଦେଖାଦିଏ । ତନ୍ଦ୍ରାର ପ୍ରାଣତନ୍ତ୍ରୀ ଥରିଉଠେ । ଛାତିରେ ଲାଗେ ପରାସ । ମନ–ସମୁଦ୍ରର ନୀଳବୁକୁ ଚିରି ଉଏଁ ପୂର୍ଣ୍ଣମୀର ଚନ୍ଦ୍ର । ସେ ଆତ୍ମହରା ହୁଏ ।

 

ତନ୍ଦ୍ରା ପିଲାଟି ଦିନରୁ ସ୍ନେହ ସରଗରେ ବଢ଼ିଛି । ଦୁଃଖ ତ ସେ ଜାଣେନା । ଯେଉଁମାନେ ଦୁଃଖ କ’ଣ ଜାଣି ନାହାନ୍ତି, ଜୀବନର ସବୁଜତା ଭିନ୍ନ ଅନ୍ୟ କିଛି ସେମାନେ କଳ୍ପନା କରିପାରନ୍ତି ନାହିଁ । ତନ୍ଦ୍ରା ଯେମିତି କେଉଁ ସୁଦୂର ସାଗର ଭିତରେ ଥିବା ମନୋମୁଗ୍‌ଧକର ପ୍ରବାଳ–ଦ୍ୱୀପର ଏକ ଚକିତା ରାଜକୁମାରୀ ।

 

ବିମଳ ହାଇସ୍କୁଲରେ ପଢ଼ୁଥିବାବେଳେ ଯେମିତି ମାଛିକି ମନ କହିବା ପିଲା ଥିଲା, ବର୍ତ୍ତମାନ ତାହା ନାହିଁ । କିଣୁବାବୁ ସିନା ମାଟ୍ରିକ ପରେ ଆଉ ପଢ଼ିବା ପାଇଁ ମନା କରୁଥିଲେ, କିନ୍ତୁ ପଢ଼ା ଆରମ୍ଭ ପରେ ସେ ଯେମିତି ଏକ ଭିନ୍ନ ମଣିଷ ପାଲଟିଗଲେ । ତାଙ୍କ ବଂଶରେ ପୂର୍ବରୁ ପାଠ ପଢ଼ିବାର ଚଳଣି ନ ଥିଲା । ଅଳ୍ପ ପଢ଼ୁଆ ବାପାଙ୍କର ବେଶୀ ପଢ଼ିବା ପୁଅ ହେଲେ ଅନେକ ସୁବିଧା-। ଗରିବ ଘର କଥା ଛାଡ଼ିଦିଅ, ଯେଉଁ ମାନଙ୍କର ଅଭାବ ନାହିଁ ସେମାନେ ପାଠପଢ଼ୁଆ ପୁଅର ସବୁପ୍ରକାର ଦାବୀ ମାନି ନିଅନ୍ତି । ବିମଳର ବର୍ତ୍ତମାନ ପୋଷାକପତ୍ରରେ ଚାକଚକ୍ୟ-। ଟେରେଲିନ୍‌, ଟେରିକଟ୍‌ର ଫୁଲପେଣ୍ଟ ଆଉ ହାଓ୍ୟାଇନ୍‌ ପିନ୍ଧି ସେ ଅପୂର୍ବ ଦିଶେ ।

 

କିଣୁବାବୁ ମନେ ମନେ ଭାବନ୍ତି, ଏତେ ବଡ଼ କଲେଜରେ ଯେତେବେଳେ ତାଙ୍କ ପୁଅ ପଢ଼ୁଛି–ଅନ୍ୟ ପିଲାଙ୍କ ସହିତ ସବୁ ବିଷୟରେ ସେ ସମକକ୍ଷ ହବା ଉଚିତ । ପୁଅ ଭଲ ପୋଷାକ ପିନ୍ଧିଲେ ବାପର ନାଁ । ସେଥିପାଇଁ ବିମଳ ଖର୍ଚ୍ଚ କରିବା ପାଇଁ ପ୍ରଚୁର ପଇସା ପାଉଛି ।

 

ଏଇ ପରିସ୍ଥିତିରେ ଅନେକ ଉଜ୍ଜ୍ୱଳ ପିଲା ଅବାଟକୁ ଚାଲିଯାନ୍ତି । କଥାରେ କୁହାଯାଏ–କଲିକତାରେ ବାପ ମା ଛାଡ଼ି ଆଉ ସବୁ ମିଳେ । ଫୁର୍ତ୍ତି କରିବାର ପ୍ରଶସ୍ତ କ୍ଷେତ୍ର ରହିଛି ଏଠି । ପଇସା ହାତକୁ ଆସିଲେ ଉପଭୋଗ କରିବାର ଲାଳସା ଜନ୍ମେ–ଏଇ ଲାଳସା କୁ–ବେପଥକୁ ଟାଣିନିଏ ।

 

ବିମଳ କିନ୍ତୁ ସେ ଦିଗରୁ କଲଙ୍କହୀନ । ତା’ର କଳ୍ପନାର ପରିସର ଭିତରେ ତନ୍ଦ୍ରା ବ୍ୟତୀତ ଆଉ କାହାରି ଛବି ନାହିଁ । ତା’ର ସମସ୍ତ ଚିନ୍ତା ତନ୍ଦ୍ରା ନିକଟରେ କେନ୍ଦ୍ରୀଭୁକ୍ତ । ଏଇ ବନ୍ଧନର ରଜ୍ଜୁ ଛାଡ଼ି ସେ ଦୂରେଇ ଯାଇପାରେନା ।

କଲେଜରେ କ୍ଲାସ୍‌ ନ ଥିଲେ ଦୁହେଁ ଯାକ ଲାଇବ୍ରେରୀକୁ ଯାଇ ଗଳ୍ପକରନ୍ତି ।

 

ଦିନକର ଘଟଣା । ତୃତୀୟ ପିରିୟଡ଼ ଲିଜର ଥାଏ । ଘଣ୍ଟା ବାଜିବା କ୍ଷଣି ନୋଟ୍‌ ଖାତାଟି ଧରି ବିମଳ ଯାଇ ପଠନାଗାରରେ ହାଜର ହେଲା । ଲାଇବ୍ରେରିଅନ୍‌ଙ୍କଠୁ ବହି ଖଣ୍ଡିଏ ଆଣି ସେ ଗୋଟାଏ କୋଣରେ ଯାଇ ବସିଲା । ଏଇ କୋଣଟା ଅପେକ୍ଷାକୃତ ନିର୍ଜନ ଥାଏ, କାହିଁକି ନା ଏଇ ପାଖରେ ପଙ୍ଖାର ପ୍ରାଚୁର୍ଯ୍ୟ ନ ଥିବାରୁ ସାଧାରଣତଃ ଛାତ୍ରଛାତ୍ରୀମାନେ ଏ ପାଖକୁ ବର୍ଜନ କରିବାକୁ ଚେଷ୍ଟା କରନ୍ତି । ଅର୍ଥାତ୍‌ ପଠନାଗାରରେ ଅନ୍ୟତ୍ର ବସିବାର ସ୍ଥାନ ଥିଲେ କେହି ସହଜରେ ଏ ପାଖକୁ ଆସନ୍ତି ନାହିଁ ।

 

ବିମଳର କିନ୍ତୁ ଏ ଜାଗାଟି ଭାରି ପ୍ରିୟ । ସେ ବସିପଡ଼ି ବହି ମେଲେଇ ପଢ଼ିବାକୁ ଆରମ୍ଭ କଲା । ଦରଜା ଆଡ଼କୁ ବାରମ୍ବାର ଚାହିଁ ସେ ହୁଏତ ଭାବୁଥିଲା ତନ୍ଦ୍ରା କେତେବେଳେ ଆସିବ ? ମେଳ ଆସିବାର ପାଞ୍ଚ ସାତ ମିନିଟ୍‌ ଭିତରେ ତା’ର ଆସିଯିବାର କଥା । କିନ୍ତୁ ଅଧଘଣ୍ଟେ ହବାକୁ ବସିଲା, ତା’ର ଦେଖା ନାହିଁ । ଆଉ କୋଡ଼ିଏ ମିନିଟ ପରେ ଘଣ୍ଟା ବାଜିବ–ଲିଜର ପିରିୟଡ଼ ଶେଷ ହେଇଯିବ । ତନ୍ଦ୍ରା ଗଲା କୁଆଡ଼େ !

 

ବିମଳ ଆଉ ଥୟଧରି ରହି ପାରିଲା ନାହିଁ । ବହି ଖଣ୍ଡକ ଫେରାଇଦେଇ ଆସିବାବେଳେ ଲାଇବ୍ରେରିଆନ୍‌ ଟିକିଏ ରସିକତା କରି କହିଲେ–କି, ତୁମ ସଙ୍ଗିନୀଟି ଆଜି କାହାନ୍ତି କି ?

 

ବିମଳ ଲାଜରେ ସଢ଼ିଗଲା । କିଛି ନ କହି ମୁଣ୍ଡ ପୋତି ଚାଲିଆସିଲା ।

 

ବାହାରେ ଆସି ଦେଖିଲା–ତନ୍ଦ୍ରା ଜଣେ ସହପାଠିନୀ ସହିତ ବାରଣ୍ଡାରେ ଠିଆ ହେଇ ଗଳ୍ପ କରୁଚି । ବିମଳ କିଛି ନ କହି ସେ ଦୁହଁଙ୍କୁ ଅତିକ୍ରମ କରି ଚାଲିଗଲା । ତନ୍ଦ୍ରା ଦେଖିଲା ବିମଳ ଚାଲିଯାଉଛି । ସେ ନିଶ୍ଚୟ ରାଗ କରିଥିବ । ତନ୍ଦ୍ରାର ହସହସ ମୁହଁକୁ ବିଷାଦ–ମେଘ ଗ୍ରାସ କଲା । ପର ପିରିୟଡ଼ର ଘଣ୍ଟା ବାଜି ଉଠିଲା । ସେ ଚାଲିଗଲା କ୍ଲାସ ଭିତରକୁ । କିନ୍ତୁ ଏ କ’ଣ ? ବିମଳ ତା ଆଡ଼କୁ ଚାହୁଁ ନାହିଁ ଯେ ! ମୁହଁ ଭାରି ଗମ୍ଭୀର ।

 

ତନ୍ଦ୍ରାର ଛାତିରେ ବ୍ୟଥାର ଆଘାତ । କଲେଜ ପରେ ବିମଳ ଘରକୁ ଯିବ ବୋଲି ମନେ ମନେ ସ୍ଥିର କରି ରହିଲା ।

 

–ଚଉଦ–

 

–ତୁମେ ଖୁବ୍‌ ରାଗିଯାଇଛି ନା ?

 

ତନ୍ଦ୍ରାର ଏଇ ପ୍ରଶ୍ନରେ ବିମଳ ଫେରି ଚାହିଁଲା । ତା’ ପଢ଼ା ଘର ଭିତରେ ଚେୟାର ଉପରେ ବସି ତନ୍ଦ୍ରା କହିଲା–ବିମଳ, ଆଜି କଲେଜରେ ତୁମେ ମୋ ଉପରେ ଖୁବ୍‌ ରାଗ କରିଛ ।

 

ବିମଳ ପଙ୍ଖା ଖୋଲି ଚେୟାରରେ ବସି ଟେବୁଲ୍‌ ଉପରେ ମୁଣ୍ଡଟା ଥୋଇ ନିଦେଇ ଯାଇଥିଲା ବୋଧହୁଏ । ତନ୍ଦ୍ରାର କଥା ଶୁଣି ତନ୍ଦ୍ରିତ ଆଖି ଖୋଲି ସେ ଦେଖିଲା, ତା’ର ପାଖରେ ଗୋଟିଏ ଗଡ଼ରେଜ ଷ୍ଟିଲ ଚେୟାର ଉପରେ ବସି ତନ୍ଦ୍ରା କହୁଚି–କ’ଣ କରିବ ? ସୁକାନ୍ତି ମତେ ବାରଣ୍ଡାରେ ଅଟକେଇ ଗପ କଲା । ମୁଁ କ’ଣ ବ୍ୟସ୍ତ ହେଉ ନ ଥିଲି ଲାଇବ୍ରେରୀ ଭିତରକୁ ଯିବା ପାଇଁ ? କିନ୍ତୁ ସେ କଥା ଶେଷ କଲେ ତ ଯିବି । ଆଉ, ତୁମେ ତ ଜାଣ ବିମଳ, ସୁକାନ୍ତି ଯୋଉ ରଙ୍ଗର ଝିଅ । ଗପ ଆରମ୍ଭ କରିଦେଲେ ଆଉ ତା’ର ଶେଷ ହୁଏନା ।

 

ବିମଳ ଅଭିମାନ କରିଚି । ତେଣୁ ସେ କିଛି କହିପାରୁନି । ମନେ ମନେ ସେ ଭାବୁଚି–ମୋର ଆକର୍ଷଣଠୁ ଗୋଟାଏ ଝିଅର ଆକର୍ଷଣ କ’ଣ ତୁମ ପାଖରେ ବେଶୀ ତନ୍ଦ୍ରା ? ଲିଜର୍‌ ପିରିୟଡ଼ ମାତ୍ର ପଚାଶ ମିନିଟ୍‌ । ସେଇ ପଚାଶ ମିନିଟର ସାନ୍ନିଧ୍ୟ ଭିତରୁ ତୁମେ ଯଦି ଅଧାରୁ ବେଶୀ ସମୟ ଅନ୍ୟ ସହିତ ଗପରେ କଟାଅ, ମୋ ମନର ଅବସ୍ଥା କ’ଣ ହବ ?

 

ତା’ର ଏ ଭାବନାର ବିଦ୍ୟୁତ ତରଙ୍ଗ ତନ୍ଦ୍ରାର ଦେହ–ମନକୁ ସ୍ପର୍ଶ କରୁଚି । ତନ୍ଦ୍ରା ମଧ୍ୟ ମନ ଭିତରେ ଭାବୁଚି ସେ ଆଜି କଲେଜରେ ଅନ୍ୟାୟ କାମ କରିଚି ।

 

ବିମଳ ଏତେ ଅଭିମାନୀ ! ନା, ଏଇଭଳି ପରିସ୍ଥିତିରେ ତା ବୟସର ସବୁ ପିଲା ଏମିତି ଅଭିମାନୀ ହୁଅନ୍ତି ?

 

ତନ୍ଦ୍ରା ପୁଣି କହିଲା–ହଉ ହେଲା, ମୋର ତ ଦୋଷ ହେଇଚି ମୁଁ ମାନୁଚି । ତା’ପରେ ତୁମର ରାଗ କରିବାର କ’ଣ ଅଛି ?

 

ବିମଳର ଜମାଟବନ୍ଧା ଅଭିମାନ କ୍ରମେ କ୍ରମେ ତରଳୀ ଯାଉଚି । ମନେ ମନେ ସିନା ରାଗ କରିଥିଲା, କିନ୍ତୁ ତନ୍ଦ୍ରା ଯେତେବେଳେ ତା’ ଦୋଷ ସ୍ଵୀକାର କରି ପାଖକୁ ଆସିଚି, ତା’ପରେ ଆଉ ଅଭିମାନ କ’ଣ ?

 

ଅଭିମାନ ସବୁବେଳେ କ୍ଷଣସ୍ଥାୟୀ । ଅଭିମାନ ଏଭଳି ଏକ ମାନସିକ ଅବସ୍ଥା, ଯାହା କି ଅଧିକ ଦାବୀ କରିବାର ସୂଚନା ଦିଏ । ଘନିଷ୍ଠତା ନ ଥିଲେ ଅଭିମାନ ସମ୍ଭବ ନୁହେଁ । ଆଉ ଘନିଷ୍ଠ ବ୍ୟକ୍ତିର ସାନ୍ନିଧ୍ୟ ଲାଭ କଲେ ଅଭିମାନ ଆପେ ଆପେ ସରିଯାଏ ।

 

ବିମଳ ତନ୍ଦ୍ରାର ମୁହଁ ଦେଖି ପଛ କଥା ଭୁଲିଯାଉଚି । ତନ୍ଦ୍ରା ତ ଏମିତି କିଛ ଗୁରୁତର ଅପରାଧ କରି ନାହିଁ । କୌଣସି ବୟଫ୍ରେଣ୍ଡ ସହିତ କଥା କହି ସେ ଯଦି ଅଧିକ ଯାଇଥାନ୍ତା–ସେଇଟା ହୁଏତ ଅଧିକ ମାରାତ୍ମକ ହୋଇଥାନ୍ତା । ମାତ୍ର ସେ ଅଟକି ଯାଇଥିଲା ସୁକାନ୍ତି ସହିତ ।

 

ତନ୍ଦ୍ରା ପୁଣି କହିଲା–ସୁକାନ୍ତିକି ତୁମେ ଚହ୍ନି ନାହଁ ବିମଳ ? ସେ ପରା ଆମ କଲେଜର ଜିଓ୍ୟେଲ୍‌ ! ତୁମେ ଯଦି ଥରେ ତା ସହିତ କଥା କହିବାକୁ ସୁଯୋଗ ପାଆନ୍ତ ନା !

 

ବିମଳ ଟିକିଏ ବିରକ୍ତିଭାବ ଦେଖେଇ କହିଲା–ମୋର ସେ ସୁଯୋଗ ଲୋଡ଼ା ନାହିଁ ତନ୍ଦ୍ରା-! ଏଇ ସୁଯୋଗ ଭିତରେ ଭରି ରହିଥାଏ ଅସଂଖ୍ୟ ବିପଦ । ମୁଁ ଜାଣ ଜାଣୁ ଏଭଳି ବିପଦକୁ ବରଣ କରିବି କାହିଁକି ?

 

–ବିପଦ ? ତନ୍ଦ୍ରା ପ୍ରତ୍ୟୁତ୍ତର ଦେଲା । ନା ନା ବିମଳ, ସୁକାନ୍ତି ସେମିତିକା ଝିଅ ନୁହେଁ ।

 

–କେହି କ’ଣ ସେମିତିକା ଝିଅ ଥାଆନ୍ତି ? ବିମଳ କହିଲା । ଅବସ୍ଥାଚକ୍ରରେ ପଡ଼ିଲେ ସେମିତିକା ହେଇଯାଆନ୍ତି । ସେ ଯାହା କିଛି ହେଉ, ତୁମେ ବୁଝିବନି ତନ୍ଦ୍ରା, ତୁମ ଅପେକ୍ଷାରେ ଲାଇବ୍ରେରୀ ଭିତରେ ବସି କି କଷ୍ଟ ମୁଁ ନ ପାଇଛି ? ଗୋଟାଏ ଗୋଟାଏ ମିନିଟ୍‌ ମୋତେ ଗୋଟାଏ ଗୋଟାଏ ଯୁଗ ଭଲ ଲାଗୁଥାଏ । କାହାରିକି ଆସିବାର ଦେଖିଲେ ମୁଁ ଆଶାନ୍ୱିତ ହୋଇ ଉଠୁଥାଏ–ପରେ ପରେ ପୁଣି ନିରାଶ ହେଉଥାଏ । ଆଉ ଆସିବାବେଳେ ଲାଇବ୍ରେରିଆନ ଯାହା କହିଲେ ନା.....

 

–କ’ଣ କହିଲେ ?

 

–ମତେ ଥଟ୍ଟା କଲେ । ତୁମକୁ ବି ଅଟ୍ଟା କଲେ ।

 

ତନ୍ଦ୍ରାର ମୁହଁ କଠିଣ ହେଇଉଠିଲା । ତୁମେ ତାଙ୍କୁ ମୁହେଁ ମୁହେଁ କିଛି ଚଢ଼େଇ ଦେଇପାରିଲ ନି ?

 

–ମୁଁ ଭାରି ଦୁର୍ବଳ ହେଇ ପଡ଼ିଥିଲି ତଦ୍ରା–ନୀରବରେ ଚାଲିଆସିଲି ।

 

ତନ୍ଦ୍ରା କହିଲା–ମୁଁ ବୁଝୁଚି ବିମଳ ! ତୁମ ହୃଦୟରେ ମୋ ପାଇଁ ଭରି ରହିଚି ପ୍ରଗାଢ଼ ମମତା । ସେଇ ମମତାର ଡୋରରେ ତୁମେ ମୋ ମନ–ପ୍ରାଣକୁ ବାନ୍ଧି ରଖିଚ । ମୁଁ ସତ କରି କହୁଚି, ତୁମକୁ କେବେ ହେଲେ ନିରାଶ କରିବିନି । କିନ୍ତୁ ମୋ ରାଣ, ତୁମେ ଆଉ ଏମିତି ଛୋଟ ଛୋଟ କଥାରେ ରାଗିବନି ।

 

ବିମଳ କହିଲା–ରାଗଟା ମୋର ଇଚ୍ଛାକୃତ ନୁହେଁ । ତୁମ ଅନୁପସ୍ଥିତିରେ ମୋର ଯେ କ’ଣ ହେଇଯାଏ ମୁଁ ନିଜେ ବୀ ଭାବି ପାରେନା ।

 

ମୁଁ ବୁଝିଚି, ବୁଝିଚି । ତନ୍ଦ୍ରା ହୋହୋକିନି ହସିଉଠିଲା । ଏଇସବୁ କଥାବାର୍ତ୍ତା ଭିତରେ ଯେଉଁ ଅଦୃଶ୍ୟ ଆକର୍ଷଣ କାମ କରୁଥିଲା, ସେ ବିଷୟରେ ସେମାନେ ସଚେତନ ଥିଲେ ।

 

ବିମଳ ପୁଣି କହିଲା–ମୋ ମନ ଆଉ କୋଉଥିରେ ଲାଗୁ ନାହିଁ । ପଢ଼ାପଢ଼ି ସମୟକୁ ଛାଡ଼ିଦେଲେ ବାକୀ ସମୟତକ ଅନବରତ ତୁମେ ଆସି ମୋ ଆଖି ଆଗରେ ନାଚୁଚ । ତୁମେ ଯେମିତି ମୋ ରକ୍ତ ସହିତ ମିଶିଗଲଣି । ତୁମ ଚେହେରାର ଫଟୋଗ୍ରାଫ୍‌ ମୋ ମନ ଭିତରେ ଯେମିତି ଆଙ୍କି ହେଇଯାଇଚି । ତୁମରି ଚିନ୍ତା ବ୍ୟତୀତ ଅନ୍ୟ କିଛି ଚିନ୍ତା ମୁଁ କରିପାରୁନି । ତୁମେ ପାଖରେ ନ ଥିଲେ ମତେ କିଛି ଭଲ ଲାଗୁ ନାହିଁ । କାହିଁକି ଯେ ଏମିତି ହେଲା !

 

–ବିମଳ, ତୁମ ଅବସ୍ଥା ଯେମିତି ମୋ ଅବସ୍ଥା ମଧ୍ୟ ଠିକ୍‌ ସେମିତି । ତୁମେ କି ମନ୍ତ୍ର କରିଚ କେଜାଣି, ତୁମ ବ୍ୟତୀତ ମୁଁ ଯେମିତି ଆଉ କିଛି ଭାବି ପାରୁନି ।

 

ସେମାନଙ୍କ କଥାବାର୍ତ୍ତାରେ ବ୍ୟାଘାତ ଜନ୍ମେଇ ହଠାତ୍‌ ଶରଧା ପଶି ଆସିଲା ।

 

ବିମଳ ଯଦିଓ ମୁହଁରେ କିଛି କହିଲେ ନାହିଁ, ମନେ ମନେ ଭାରି ବିରକ୍ତ ହେଲା ।

 

ଶରଧା କହିଲା–ଦିଜଣ ବସି ଏଠି କେତେବେଳୁ ଗପ କଲଣି–ଚା’ ଖାଇବ ନାହିଁ ? ମୁଁ ସାଙ୍ଗେ ସାଙ୍ଗେ ଚା’ ନେଇ ଆସୁଚି । ମଲା, ଝିଅଟା ଆସିଚି ଟିକିଏ ଚା’ ଖାଇବ ନାହିଁ ?

 

ସେ ଚାଲିଗଲା ଚା’ ଆଣିବାକୁ । ତାକୁଇ ଚାହିଁ ଦି ଜଣଯାକ ହସିଉଠିଲେ ।

 

–ପନ୍ଦର–

 

–ମୁଁ ତୁମକୁ ପ୍ରାଣଠାରୁ ଭଲ ପାଏ । ସେଦିନ ସନ୍ଧ୍ୟାର ଅବ୍ୟବହିତ ପୂର୍ବରୁ ମଇଦାନର ଏକ ଅପେକ୍ଷାକୃତ ନିର୍ଜନ ଏବଂ ଅନ୍ଧକାରାଚ୍ଛନ୍ନ ଘାସବିଛା ମାଟି ଉପରେ ବସି ବିମଳ କହିଲା ।

 

ତନ୍ଦ୍ରା ଆଜି ଆତ୍ମବିଭୋର । ସ୍ଵର୍ଗର ଚନ୍ଦ୍ରକୁ ହାତମୁଠାରେ ପାଇଚି ଯେମିତି ଏଇ ଭାବ ।

 

ମେଟ୍ରୋ ସିନେମା ସାମନା ରାସ୍ତାରେ ଭାରି ଗହଳ ଚହଳ । ତୀବ୍ର ଆଖିଝଲସା ମର୍କରି ଲାଇଟ–ଅସଂଖ୍ୟ ଟାକ୍‌ସି, ବସ୍‌, ଟ୍ରାମର କୋଳାହଳ ।

 

ଏସବୁକୁ କିନ୍ତୁ ଏ ଦୁହିଁଙ୍କର ଲକ୍ଷ୍ୟ ନାହିଁ । ମନୁମେଣ୍ଟ ତଳେ କେଉଁ ଏକ ବାମପନ୍ଥୀ ନେତା ଖୁବ୍‌ ରକ୍ତଗରମ କରି ଭାଷଣ ଦେଉଛନ୍ତି–କଲିକତାର ଅବସ୍ଥା ଏ କ’ଣ ହେଲା ? ଏକଦା ଇନ୍ଦ୍ର ଭୁବନ ବୋଲଉଥିବା ମହାନଗରରେ ଆଜି ଉତ୍କଟ ଖାଦ୍ୟଭାବ । ଚାଉଳ ନାଁରେ ଯାହା ମିଳୁଛି ତାହା ଅଖାଦ୍ୟ । ବହୁ ଲୋକ ସିଝା ଆଳୁ ଖାଇ କ୍ଷୁଧା ନିବାରଣ କରୁଚନ୍ତି । ଚାରିଆଡେ ଅଶାନ୍ତି ଆଉ ଅରାଜକତା । ଅପାରଗ୍‌ ସରକାର ଧ୍ୱଂସ ହେଉ ।

 

କେହି ଜଣେ ବିରୋଧୀ ଲୋକ ମାଇକ୍‌ ସଂଯୋଗ କାଟିଦେଲେ ବୋଧହୁଏ । ଉତ୍ତେଜନାପୂର୍ଣ୍ଣ ଭାଷଣ ହଠାତ ଶୁଭିଲା ନାହିଁ ।

 

ସଙ୍ଗେ ସଙ୍ଗେ ପାଟିଗୋଳ, ଧସ୍ତାଧସ୍ତି, ବାଡ଼ିଆ–ପିଟା । ଘୋଡ଼ସବାର ପୋଲିସ ସଭା ଚାରି ପାଖଟାକୁ ଘେରିଗଲେଣି । ଅମଙ୍ଗଳର ସୂଚନା ।

 

ବିମଳ ଏସବୁକୁ ଭ୍ରୂକ୍ଷେପ ନ କରି କହିଲା–ତନ୍ଦ୍ରା ! ତୁମେ ମୋ ହୃଦୟ ଭିତରେ ଏକ ଗଭୀର ଆସନ ପାତି ବସିଚ । ତୁମର ଏଇ ମୁହଁଟି ମୋର ଯେମିତି ବହୁ ଅଗାମୀ ଯୁଗ ପାଇଁ କାମ୍ୟ । ମୁଁ ଭାବେ କେବେ ସେଦିନ ଆସିବ ଯୋଉଦିନ ତୁମର ଏଇ ବେଣୀର ଭାର ମୋ ଛାତି ଉପରେ ନେଇ ତୁମ ସୁନା ରଙ୍ଗ ମୁହଁରେ ମୁଁ ଉରିଦେବି ଅଜସ୍ର ଚୁମ୍ବନ ।

 

ତନ୍ଦ୍ରାର ଛାତିରେ ବିଜୁଳି ତାରର ଶିହରଣ । ସେ ଆଜି ସେମିତି ଲୋଟି–ଯିବାକୁ ଚାହେଁ–ତା’ର ଦେହ–ମନ ସବୁ କିଛିକୁ ସେ ବିମଳ ନିକଟରେ ସମର୍ପଣ କରିଦେବା ପାଇଁ କାତର ।

 

ବିମଳ ପୁଣି ତନ୍ଦ୍ରାର ଡାହାଣ ହାତପାପୁଲିକୁ ନିଜ ହାତମୁଠାରେ ଚାପିଧରି କହିଲା–ତୁମର ପ୍ରେମରେ ମୁଁ ଆଜି ଅନ୍ଧ ତନ୍ଦ୍ରା ! ପିଲାଦିନ କଥା ଆଜି ଚାଲିଯାଇଚି । ଆଜିର ଏ ଆକର୍ଷଣର ଆଭିମୁଖ୍ୟ ଭିନ୍ନ । ମୋର ଏ ଯୌବନ ତୁମକୁ ଆଜି ଘନ ଘନ ନିମନ୍ତ୍ରଣ ଜଣାଉଛି । କୁହ ତନ୍ଦ୍ରା ତୁମେ ଏ ନିମନ୍ତ୍ରଣ ରକ୍ଷା କରିବନି ?

 

ବିମଳ ତନ୍ଦ୍ରାର ସେଇ ନରମ ହାତପାପୁଲି ଉପରେ ଏକ ଗଭୀର ଚୁମ୍ବନ ଆଙ୍କି ଦେଲା ।

 

ତନ୍ଦ୍ରାର କଣ୍ଠରେ ଭାଷା ନାହିଁ । ବିମଳ ତାକୁ ଆଉ ପାଖକୁ ଟାଣି ଆଣିଲା । ତାର ମୁହଁକୁ ନିଜ କୋଳ ଉପରେ ରଖି କହିଲା–ତୁମକୁ ‘ପ୍ରିୟା’ ବୋଲି ଡାକିବାରେ ଯୋଉ ଆନନ୍ଦ–ସେଇ ଡାକ ତଳେ ଦୁନିଆର ସବୁ କିଛି ତୁଚ୍ଛ । ଜୀବନ ଫୁଲ ଆଜି ଫୁଟିବାକୁ ଚାହେଁ–ଗନ୍ଧରେ ତା’ର ଚୌଦିଗକୁ ସୁରଭିତ କରିବାକୁ ଚାହେଁ । ତୁମର ନିଶ୍ୱାସରେ ମୁଁ ମିଶେଇ ଦବାକୁ ଚାହେଁ ମୋର ନିଶ୍ୱାସ, ତୁମର ଦେହରେ ମୁଁ ମିଶେଇ ଦବାକୁ ଚାହେଁ ମୋର ଦେହ, ଆଉ ତୁମରି ରକ୍ତରେ ମୁଁ ମିଶେଇ ଦବାକୁ ଚାହେଁ ମୋର ରକ୍ତ ।

 

ତନ୍ଦ୍ରାର ନିଶ୍ୱାସ କ୍ଷିପ୍ରତର । ସମୁଦ୍ରର ତରଙ୍ଗ ଭଳି ଉନ୍ନତ ବକ୍ଷ ତା’ର ଫୁଲି ଫୁଲି ଉଠୁଚି-। ମନେ ହେଉଚି ସେ ଯେମିତି ଆଉ ନିଜ ଆୟତ୍ତରେ ନାହିଁ ।

 

ଯୁବକ–ଯୁବତୀଙ୍କ ପକ୍ଷେ ଏ ମୁହୂର୍ତ୍ତ ଦୁର୍ଲ୍ଲଭ । ଯେଉଁମାନେ ପ୍ରେମରେ ବୁଡ଼ି ରହିଥାନ୍ତି ସେମାନଙ୍କ ନିକଟରେ ଏ ମୁହୂର୍ତ୍ତ ଆଉରି ମୂଲ୍ୟବାନ୍‌ । ଜୀବନରେ ଯେତେ କିଛି ପ୍ରେମ ସଙ୍ଗୀତ ସବୁର ପରିସମାପ୍ତି ଏଇ ମୁହୂର୍ତ୍ତରେ ।

 

ବିମଳ ଆଉ ତନ୍ଦ୍ରା ସମ୍ମୁଖରେ ସେଇ ଦୂର୍ଲ୍ଲଭ ମୁହୂର୍ତ୍ତ । ମଇଦାନର ପ୍ରଶସ୍ତ ଛାତି ଉପର ଦେଇ ବହିଯାଉଚି ମନଭୁଲାଣିଆ ପବନ–ଏଇ ପବନ ଦେହ–ମନକୁ ବେଶ୍‌ ହାଲ୍‌କା କରୁଚି । ତନ୍ଦ୍ରା ପରିଧାନ ନାଇଲନ୍‌ ଶାଢ଼ୀ ଏଇ ପବନରେ ବିପର୍ଯ୍ୟସ୍ତ । ବିଜୁଳିବତୀଠୁ ଦୂରରେ ମଇଦାନର ଏଇ କକ୍ଷରେ ଚନ୍ଦ୍ରର ଆଲୋକ ବେଶ୍‌ ବାରି ହେଉଚି । ପୂର୍ଣ୍ଣିମା ନ ହେଲେ ମଧ୍ୟ ପୂର୍ଣ୍ଣିମା ପାଖାପାଖି କୌଣସି ଏକ ତିଥି ।

 

ବିମଳ କହିଲା–ତନ୍ଦ୍ରା ! ଆଜି ଏଇ ମୁହୂର୍ତ୍ତରେ ଆମ ପ୍ରେମର ସାକ୍ଷୀ ଏଇ ଚନ୍ଦ୍ର......ଦେଖୁଚ, ଆମକୁ ସ୍ଵାଗତ ଜଣାଇବା ପାଇଁ ସେ କେମିତି ହସୁଚି ।

 

ତନ୍ଦ୍ରା ଆକାଶକୁ ଚାହିଁଲା–ସତ ତ; ଏଭଳି ଚନ୍ଦ୍ର ସେ ତ ପୂର୍ବେ କେବେ ଦେଖି ନ ଥିଲା । କଲିକତା ଆକାଶରେ କ’ଣ ଚନ୍ଦ୍ର ଉଦୟ ହୁଏ ?

 

ତନ୍ଦ୍ରା ବୋଧହୁଏ ଆଜି ପ୍ରଥମ କରି ଚନ୍ଦ୍ରକୁ ଦେଖିଲା । ବିମଳର ବେକକୁ ଦୁଇ ହାତରେ ଜଡାଇ ଧରି ସେ କହିଲା–ବିମଳ ! ତୁମର ଏ ଭଲ ପାଇବା ସବୁଦିନ ପାଇଁ ରହିବ ତ ?

ବିମଳ ଚମକି ଉଠିଲା–ଏ କ’ଣ ତନ୍ଦ୍ରା ? ତୁମ ମନରେ ଏ ସନ୍ଦେହ କାହିଁକି ?

ସନ୍ଦେହ ? ତନ୍ଦ୍ରା ଆହୁରି ନିବିଡ଼ ଭାବରେ ବିମଳକୁ ଆଲିଙ୍ଗନ–ପାଶରେଆବଦ୍ଧ କଲେ-। ସନ୍ଦେହ ନୁହେ–ପ୍ରତିଶ୍ରୁତି ଚାହେଁ । ପୁରୁଷମାନେ ପରା ଉଡ଼ନ୍ତା ପକ୍ଷୀ !

–ନା ନା ତନ୍ଦ୍ରା, ତୁମର ଏ ଚିନ୍ତା ଅମୂଳକ । ଏତେ ଦିନ ତ ମୋ ସଂସ୍ପର୍ଶରେ ଆସିଲ, ମତେ କ’ଣ ଆଜିଯାଏ ଚିହ୍ନିଲ ନାହିଁ ?

ତନ୍ଦ୍ରା ପ୍ରତ୍ୟୁତ୍ତର ଦେଲା–ନା ଗୋ ନା, ମୁଁ ତୁମକୁ ଭଲ କରି ଜାଣେ–ତୁମେ ମତେ ତୁମ ପ୍ରାଣଠୁ ଅଧିକ ଭଲ ପାଅ । ମୁଁ ଖାଲି ଏମିତି କହୁଥିଲି ।

ଦୁଇଟି ପ୍ରାଣରେ ଆଜି ପ୍ରେମର ପାବନ । ବାଧାବନ୍ଧନ କିଛି ନାହିଁ । ପରସ୍ପରକୁ ଆକଣ୍ଠ ପାନ କରିବାକୁ ସେ ଚାହାଁନ୍ତି । ପୂରାତନ ସାମାଜିକ ନିୟମ କାନୁନ ଆଜି ଯେମିତି ତମାଦି ଦେଇଗଲାଣି । ନୈତିକତାର ଦ୍ୱାହି ଆଜି ଅକାମୀ । ପ୍ରେମ ଆଜି ସବୁର ଉର୍ଦ୍ଧ୍ୱରେ ।

ତନ୍ଦ୍ରା କହିଲା–ବିମଳ ! ଏ ସୁଖକୁ ଏତେ ଦିନ ଯାଏ କୁଆଡ଼େ ଲୁଚେଇ ରଖିଥିଲ ? ମୋର ଆଜି ଆଉ ଘରକୁ ଫେରିବାକୁ ମନ କହୁ ନାହିଁ । ସାରା ରାତ୍ରି ଯଦି ଆମେ ମଣିଷର ଅନ୍ତରାଳରେ ଏଇପରି କଟେଇ ଦେଇପାରନ୍ତେ.....ବାସ୍ତବିକ ଆଜି ଏ ରାତିଟା ଭାରି ମଧୁମୟ ।

 

–ଏଇ ଆମର ଅଭୁଲା ସ୍ମୃତିର ରଜନୀ ତନ୍ଦ୍ରା ! ଯୌବନର ସରସ ମଦିରାକୁ ଆକଣ୍ଠ ପାନ କରିନବା । ଜୀବନରେ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ତୁମେ ମୋର ଆଉ ମୁ ତୁମର ।

 

–ସତରେ ବିମଳ, ଅଗ୍ନିଦେବତା ସିନା ସାକ୍ଷୀ ନାହାନ୍ତି, କିନ୍ତୁ ମୋର ମନେ ହେଉଚି ମୁଁ ଯଦି ଯୁଗ ଯୁଗ ପାଇଁ ଏକ ନିବିଡ଼ ବନ୍ଧନରେ ତୁମ ସହିତ ବାନ୍ଧି ହେଇପାରନ୍ତି–ସାମାନ୍ୟ କେତୋଟି ରାତି, ମାସ ଅବା ବର୍ଷ ଯଥେଷ୍ଟ ନୁହେଁ–ମୁଁ ଚାହେଁ ଏକ ଅନନ୍ତ ଯୁଗର ସମ୍ପର୍କ ।

 

ବିମଳ କହିଲା–ବାହାର ଆଡ଼ମ୍ବରରେ କିଛି ଯାଏ ଅସେନା, ଆମେ ଏକ ଶକ୍ତି ବନ୍ଧନରେ ବାନ୍ଧି ହେଇସାରିଚେ । ତୁମେ ନଶ୍ଚିନ୍ତ ରୁହ ତନ୍ଦ୍ରା । ପ୍ରାଣ ସହିତ ପ୍ରାଣର ମିଳନ କେବେ ବ୍ୟର୍ଥ ହୁଏନା ।

 

ନିଛାଟିଆ ଗଛ ତଳେ ଶୃଙ୍ଗାରର ଉତ୍ସବ । ରାତ୍ରି ଯେମିତି ଅଧିକ ରମଣୀୟ–କମନୀୟ ହେଇଉଠିଚି ।

 

–ଷୋଳ–

 

ତନ୍ଦ୍ରା ରାତିରେ ଶୋଇ ଶୋଇ ସ୍ଵପ୍ନ ଦେଖୁଚି । ଖୁବ୍‌ ରଙ୍ଗୀନ ଆଉ ରସାଳ ସେ ସ୍ଵପ୍ନ ।

ବାସର ରାତିର ସୁସଜ୍ଜିତ କକ୍ଷ । ମେହଗାନି କାଠତିଆର ଚକଚକିଆ ପଲଙ୍କଟି ରଜନୀଗନ୍ଧା ଫୁଲରେ ସୁଶୋଭିତ । ପଲଙ୍କ ଚାରିପାଖରେ ଝିଲମିଲ୍‌ ନାଇଲନ୍‌ ପରଦା । ସିଲିଂରେ ସବୁଜ ବେଡ଼ ଲ୍ୟାମ୍ପ–ଦେହ ଆଉ ମନରେ ନବଜୀବନ ଭରି ଘୁରୁଚି ବିଜୁଳି ପଙ୍ଖା । ପଲଙ୍କ ପାଖରେ ଛୋଟ ଏକ ସନ୍‌ମାଇକା ଫିଟେଡ଼େ ଟେବୁଲ–ଆଉ ସେଇ ଟେବୁଲ୍‌ ଉପରେ ଅଜନ୍ତାର ପ୍ରେମାଶ୍ଲିଷ୍ଟ ପ୍ରତିମୂର୍ତ୍ତି ।

ତନ୍ଦ୍ରା ଆଜି ବଧୂ । ସୀମନ୍ତରେ ତା’ର ରକ୍ତ–ସିନ୍ଦୂର । କପାଳରେ ଛାଇଯାଇଚି କର୍ପୂରମିଶ୍ରିତ ଚନ୍ଦନର ଟୀକା । ପାଦରେ ଅଳତାର ପ୍ରଲେପ । ଆଖିରେ କଜ୍ଜଳ । ଦେହଭରି ମୂଲ୍ୟବାନ ଅଳଙ୍କାରର ସମ୍ମିଳନୀ । ସେ ଶାପଭ୍ରଷ୍ଟା ଅପ୍‌ସରୀ ଭଳି ଅପୂର୍ବ ଅନିନ୍ଦ୍ୟ ରୂପସମ୍ଭାର ନେଇ ବିମଳର ପ୍ରତୀକ୍ଷାରେ ବସିରହିଚି ।

ପଲକବିହୀନ ଆଖିପତା–ପ୍ରାଣଭରା ଆକାଙ୍‌କ୍ଷା ।

ବିମଳ....

ତାକୁ ସେ ପ୍ରତ୍ୟହ ଦେଖୁଥିଲେ ହେ ଆଜି ତା ଅଙ୍ଗରେ ଯେଉଁ କମନୀୟ କାନ୍ତି ତାହା ତ ପୂର୍ବରୁ ସେ କେବେ ଦେଖି ନାହିଁ । ଶାନ୍ତିପୁରୀ ଧୋତି ସହିତ ସିଲ୍‌କ ପଞାବୀ ଆଉ ଚାଦର ତା ଦେହକୁ ବେଶ୍‌ ମାନିଛି । ଆଖିରେ ନିମନ୍ତ୍ରଣର ଭାଷା ।

ସେ ଯେମିତି କହୁଚି–ତନ୍ଦ୍ରା ! ପ୍ରିୟା ମୋର ! ଆଜି ଆସିଚି ସେଇ ଈପସିତ ରଜନୀ । ଘରର ଦରଜା ବନ୍ଦ କରି ଦେଖ । ଏ ଘରେ ତୁମେ ଆଉ ମୁଁ ଛଡ଼ା ଅନ୍ୟ କେହି ନାହାନ୍ତି । ଏଇ ନିର୍ଜ୍ଜନ ଘରେ ପରସ୍ପର ଉପରେ ଅଧିକାର ଜାହିର କରିବାର ସୁଯୋଗ ଆମେ ପାଇଛେ । ଆଜି ହେଉଛି ଆତ୍ମସମର୍ପଣର ରାତି । ବିଳମ୍ବ କରନା । ମୋ ଛାତିରେ ତୁମ ଛାତି ମିଳେଇ ଦିଅ । ତୁମର ଉତ୍ତପ୍ତ ନିଶ୍ୱାସ ବାଜି ମୋ ଛାତିର ଜଡ଼ତା ଭାଙ୍ଗି ଯାଉ । ତୁମର ଏ ବଧୂବେଶ ମତେ ଆଜି ପାଗଳ କରୁଚି ତନ୍ଦ୍ରା–ମୁଁ ଯେମିତି ଆଉ ମୋ ନିଜ ଆୟତ୍ତରେ ନାହିଁ ।

 

ତନ୍ଦ୍ରା ଚାହୁଁଚି । ତା’ର ବଧୂବେଶର ଓଢ଼ଣା ସେ ଫିଙ୍ଗି ଦେଇଚି ଦୂରକୁ । ବିମଳ ଛାତିରେ ମୁହ ଗୁଞି ସେ କହୁଚି–ହଉ, ଏଥର ମନସ୍କାମନା ପୂର୍ଣ୍ଣ କର ।

 

ବିମଳ କହୁଚି–ଏ ରାତି ସ୍ମରଣୀୟ ହେଇପାରିଲେ....ଏଭଳି ରଜନୀ ତ ଜୀବନରେ ଥରେ ଆସେ । ବାସର ଶେସର ମଧୁମହକ ମଣିଷକୁ ଉତ୍ତଳା କରେ ।

 

ତନ୍ଦ୍ରା କହିଲା–ଆଜି ଏ ରାତିଟା ନ ଶୋଇଲେ ଭଲ । ରାତି ସାରା ଜାଗି ତୁମେ ମୋ କାନ ପାଖରେ ଅଜସ୍ର ଅକୁହା କାହାଣୀ କୁହ ।

 

ତନ୍ଦ୍ରାର ମୁହଁ ପାଖକୁ ବିମଳର ମୁହଁ ନଇଁ ଆସୁଚି ।

 

–ତନ୍ଦ୍ରା ! ତନ୍ଦ୍ରା !

 

କୁହ ।

 

କହିବାକୁ କିଛି ନାହିଁ । ତୁମେ ଖାଲି ଚାହିଁ ରହ । ମୁଁ ଖାଲି କହେ–କହେ ପ୍ରେମର ଅସରା କାହାଣୀ ।

 

ତନ୍ଦ୍ରା ! ତନ୍ଦ୍ରା !

 

ହଠାତ୍‌ ସୁନନ୍ଦା ଦେବୀଙ୍କ ଡାକରାରେ ତନ୍ଦ୍ରାର ସ୍ଵପ୍ନ ଭାଜିଗଲା । ସେ ଉଠିପଡ଼ି ଦେଖିଲା–ସକାଳ ସୂର୍ଯ୍ୟର ସୁନେଲି କିରଣ ମୁଠାଏ ଝରକା ଫାଙ୍କ ଦେଇ ଘର ଭିତରକୁ ବିଛାଡ଼ି ପଡ଼ିଚି । ସେ ତରତର କରି ଟେବୁଲ୍‌ ଉପରେ ଥିବା ତା ! ରିଷ୍ଟ ଔଚଟାକୁ ଆଣି ଦେଖିଲା, ସାଢ଼େ ସାତ ବାଜିଲାଣି । ମନେ ମନେ ସେ ଲଜ୍ଜିତ ହେଇ କବାଟ ଖୋଲି ବାହାରି ଆସିଲା ।

 

ବାହାରେ ଠିଆ ହେଇଚନ୍ତି ମା’ ସୁନନ୍ଦା ! କହୁଚନ୍ତି–ଏତେ ବେଳ ପର୍ଯ୍ୟନ୍ତ ଶୁଅନ୍ତି ? ବିମଳ କ’ଣ ଖାତା ନବାକୁ ଆସିଚି । ସେ କ’ଣ ଭାବିବ ?

 

ସୁନନ୍ଦା ଏତକ କହି ଦେଇ ଚାଲିଗଲେ । ବିମଳକୁ ଏତେ ସକାଳେ ଦେଖି ତନ୍ଦ୍ରା ଅଭିଭୁତ ।

 

–ଭିତରକୁ ଆସ । ମୁଁ ମୁହଁ ଧୋଇ ସାଙ୍ଗେ ସାଙ୍ଗ ଆସୁଚି ।

 

ବିମଳ ଭିତରକୁ ଯାଇ ଚେୟାରଟାଏ ଟାଣି ଆଣି ବସି ପଡ଼ିଲା । କିଛି ମମସ୍ତ ପରେ ଦୁଇ କପ୍‌ ଚା’ ହାତରେ ନେଇ ପହଞ୍ଚିଲା ତନ୍ଦ୍ରା ।

 

ଚା ଖିଆ ଭିତରେ ତନ୍ଦ୍ରା କହିଲା–ବିମଳ ! ମୁଁ ଗୋଟାଏ ଭାରି ସୁନ୍ଦର ସ୍ୱପ୍ନଦେଖୁଥିଲି । ତୁମେ ପହଞ୍ଚି ସେ ସୁଖ–ସ୍ଵପ୍ନ ମୋର ଭାଙ୍ଗି ଦେଲ । ଏହାଦ୍ୱାରା ତୁମେ ମୋ ପ୍ରତି ଯେଉଁ ଅନ୍ୟାୟ କଲ ସେଥିପାଇଁ ତୁମେ ଦଣ୍ଡ ପାଇବା ଉଚିତ ।

 

–ଯୋଉ ଦଣ୍ଡ ତମେ ଦବ, ମୁଁ ମାନିବାକୁ ପ୍ରସ୍ତୁତ ।

 

–ବେଶ୍‌ ! ଦିନ ଦଶଟା ପର୍ଯ୍ୟନ୍ତ ତୁମେ ମୋର ଏଇ ଘରେ ବନ୍ଦୀ ହେଇ ରହିଲ । ଦଶଟାବେଳେ ମୁକ୍ତ ପାଇ ଆମ ଘର ହୋଟେଲରେ ମିଲ୍‌ଟିଏ ଖାଲ ଏଇଠୁ ମୋ ସହ କଲେଜ ଯିବ । ବୁଝିଲ ?

 

–ବୁଝିଲି । କିନ୍ତୁ–

 

–ଆଉ କିନ୍ତୁ କ’ଣ । ଅପରାଧୀର ତ ଚୟେସ ନ ଥାଏ ।

 

–କିନ୍ତୁ ମୋର ତ ପୁଣି ଘର ଅଛି, ବାପା ଅଛନ୍ତି । ନା ନା ତନ୍ଦ୍ରା, ମୁଁ ତୁମର ଏ ଅନୁରୋଧ ରଖିପାରିବି ନାହିଁ । ବରଂ ଆଉ କୌଣସି ଦିନ ରାତି ଖାଇବାକୁ ନିମନ୍ତ୍ରଣ କରି ରାତିରେ ମୋତେ ଅଟକେଇ ନବ ।

 

ତନ୍ଦ୍ରା ଏ କଥାର ତାତ୍ପର୍ଯ୍ୟ ବୁଝି ଚୁପ ରହିଲା । ବିମଳ ଉଠି ପଡ଼ିଲା ଯିବ ବୋଲି । ସୁନନ୍ଦା ମଧ୍ୟ ଆସି ଏଇ ସମୟରେ ପହଞ୍ଚିଗଲେ । ବିମଳ ତାଙ୍କୁ ବିଦାୟ–କାଳୀନ ନମସ୍କାର ଜଣେଇ ଆସିବାବେଳେ ସେ କହିଲେ–ବାବା ! କ’ଣ ଖାତା ନବ ବୋଲି କହୁଥିଲ, ନେଲ ନାହିଁ ଯ-!

 

ବିମଳ ଅପ୍ରସ୍ତୁତ ହୋଇଗଲା । ଆରେ ଯା, ଅସଲ କଥାଟା ଭୁଲିଗଲି । ତନ୍ଦ୍ରା, ତୁମ ଫିଜିକ୍‌ସ ନୋଟ ଖାତାଟା ଦିଅ ।

 

ତନ୍ଦ୍ରା ହସ ହସ ମୁହଁ ରେ ଖାତାଟା ବଢ଼େଇଦେଲା । ବିମଳ ଖାତା ନେଇ ଚାଲିଗଲା ।

 

ସୁନନ୍ଦା ମନ୍ତବ୍ୟ କଲେ–ପିଲା ଭଳି ପିଲାଟିଏ । ମୋର ଯଦି ଏଇଭଳି ପୁଅଟିଏ ଥାନ୍ତା..

 

ତନ୍ଦ୍ରା ଟିପ୍‌ପଣୀ କାଟିଲା–ପୁଅ କରି ନଉନୁ ?

 

ସୁନନ୍ଦା କିଛି ନ କହି ଦୀର୍ଘ ନିଶ୍ଵାସ ତୋଳିଲେ । ତାଙ୍କର ମନ ତଳେ ଯୋଉ ଭବନା ଉଠିଲା, ତାହା ସେହି କେବଳ ଜାଣନ୍ତି ।

 

–ସତର–

 

–ମାଉସୀ ! ମୋର ଆଜି ପଚାଶଟଙ୍କା ଦରକାର । ନ ଦେଲେ ଚଳିବ ନାହିଁ । ପରୀକ୍ଷା ଆସିଲାଣି । ଆମ କଲେଜର ଡାକ୍ତର କହିଚନ୍ତି ଗୋଟିଏ ଟନିକ୍‌ ଆଣି ନ ଖାଇଲେ ରାତି ପର୍ଯ୍ୟନ୍ତ ପରିଶ୍ରମ କରି ହବ ନାହିଁ ।

 

କିଣୁବାବୁଙ୍କ ଭଣ୍ଡାରର ଦାୟିତ୍ଵ ଶରଧା ଉପରେ । ସେ ତ ଘରର ମାଲିକାଣୀ । ବିମଳର ଭଲମନ୍ଦ, ଦରମା, ଚାନ୍ଦା, ବହି କିଣା, ଔଷଧ କିଣା । ସବୁ କଥା ସେଇ ବୁଝେ । କେତେ ଟଙ୍କା ଘରକୁ ଆସିଲା ଆଉ କେତେ ଟଙ୍କା ଘରୁ ବାହାରି ଗଲା, ସେ ହିସାବ କିଣୁବାବୁ ତା’ଠୁ ନିଅନ୍ତି ନାହିଁ ।

 

ବିମଳ କଥା ଶୁଣି ଶରଧା ସଙ୍ଗେ ସଙ୍ଗେ ପଚାଶଟଙ୍କା କାଢ଼ି ତାକୁ ଦେଲା । ବାପ ରୋଜଗାର ଟଙ୍କା ପୁଅର ଭଲ ପାଇଁ ଖର୍ଚ୍ଚ ହବ, ତା’ର ମନା କରିବାର କ’ଣ ଅଛି ?

 

ଟଙ୍କା ନେଇ ବିମଳ କଲେଜ ଚାଲିଗଲା । ସନ୍ଧ୍ୟାରେ ତନ୍ଦ୍ରାକୁ ନିମନ୍ତ୍ରଣ କଲା ଗ୍ରାଣ୍ଡ୍‌ ହୋଟେଲକୁ । ଜୀବନଟାକୁ ଆଉ ଟିକିଏ ଉପଭୋଗ କରାଯାଉ । ତନ୍ଦ୍ରା ତା’ର ନିମନ୍ତ୍ରଣ ରକ୍ଷା କରି ଠିକ ସନ୍ଧ୍ୟା ଛ’ଟା ବେଳେ ଉପସ୍ଥିତ ହେଇଗଲା ଗ୍ରାଣ୍ଡ୍‌ ହୋଟେଲ ସାମନାରେ । ଅପେକ୍ଷମାଣ ବିମଳ ତାକୁ ପାଛୋଟି ନେଇଗଲା ଭିତରକୁ ।

 

ଏ ତ’ ହୋଟେଲ ନୁହେଁ, ମାୟାପୁରୀ । ଭିତରେ ଅଜବ୍‌ କାଣ୍ଡ କାରଖାନା । ପ୍ରତ୍ୟେକ ଟେବୁଲ୍‌ରେ ଜଣେ ପୁରୁଷ, ଜଣେ ନାରୀ । ସାମନାରେ ନାଚର ବିପୁଳ ଆୟୋଜନ । ଫ୍ରାନ୍‌ସରୁ ନବାଗତ ଦୁଇଟି ତରୁଣୀ ଆଜି ନୃତ୍ୟ ପରିବେଷଣ କରିବେ । ଭାଓଲିନ୍‌ ବଜାଇବେ ଜାପାନର ଏକ ବିଖ୍ୟାତ ଯନ୍ତ୍ର ଶିଳ୍ପୀ । ଚମତ୍କାର ଅର୍କେଷ୍ଟ୍ରା । କଲିକତାରେ ଏଭଳି ଏକ ସୁନ୍ଦର ରାଜ୍ୟ ଅଛି ଏହା ସେମାନେ ଖାଲୀ ଶୁଣିଥିଲେ । ଆଜି କିନ୍ତୁ ପ୍ରତ୍ୟକ୍ଷ ଅନୁଭୂତି ।

 

ବୟ ଆଣି ମେନୂର ଏକ ତାଲିକା ଦେଇଗଲା । ବିମଳ ଦୁଇ ତିନଟି ଆଇଟମ ଦେହରେ ଦାଗ ମାରିଦେଲା ।

 

ପୁଣି ବୟ ଆସି ପଚାରିଲା, କେଉଁ ପ୍ରକାରର ପାନୀୟ ଦରକାର ?

 

ଏମାନେ ଏ ଦିଗରେ ଅନଭଜ୍ଞ । ବିମଳ କହିଲା, ଏଠାକୁ ଆସିଛେ ସେତେବେଳେ କିଛି ତ ପିଇବାକୁ ହେବ । ଟିକିଏ ଲାଇଟ୍‌ ଡ୍ରିଙ୍କ ହେଲେ ଚଳିବ । ସାମାନ୍ୟ ଆଣ ।

 

ବୟ ବୁଝିପାରି ଚାଲିଗଲା ।

 

ତନ୍ଦ୍ରା କହିଲା, ତୁମେ କ’ଣ ମଦ ପିଇବ ବିମଳ ?

 

ବିମଳ ହସିଲା–ମଦ ନୁହେଁ ତନ୍ଦ୍ରା ! ଏ ଯୁଗର ଆଭିଜାତ୍ୟ ।

 

ତନ୍ଦ୍ରା କହିଲା, ମୁଁ କିନ୍ତୁ ପିଇବିନି । ମତେ ମାଫ୍‌ କର । ଆଉ ତୁମେ ମଧ୍ୟ ନ ପିଅ ।

 

ବିମଳ କହିଲା–ଏ ଗୋଟିଏ ଅନୁଭୂତି । ଏ ଅନୁଭୂତିଠୁ ଆମେ ଦୂରରେ ରହିବା କାହିଁକି-? ଆଜିକାଲି ଯୁଗରେ ମଦ ଖାଇବାଟା ତ ଫେସନ୍‌ରେ ପରିଣତ ହେଇଗଲାଣି । ଉମର ଖାୟାମ ମଦ ଖାଉଥିଲେ । ମୋ ବାପା ବି ବେଳେବେଳେ ମଦ ଖାଆନ୍ତି । ଜୀବନରେ ସମୟ ସମୟରେ ଟିକିଏ ଉତ୍ତେଜନା ଦରକାର । ମଦଟା କିଛି ଖରାପ ଜିନିଷ ନୁହେଁ ।

 

ଏଇ ସମୟରେ ମଞ୍ଚ ଉପରର ଆଲୋକ ରଙ୍ଗୀନ ହେଇଉଠିଲା । ନାଚର ମିଉଜିକ୍‌ ବାଜିଲା । ବୟ ଆଣି ଦୁଇଟା ପ୍ଲେଟରେ କିଛି ଖାଦ୍ୟ ଓ ଦୁଇଟି ପ୍ଲେଟରେ କିଛି ପାନୀୟ ପରଷି ଦେଇଗଲା ।

 

ଗ୍ରାଣ୍ଡ୍‌ରେ ଆଜି ବହୁତ ଭିଡ଼ । ଖାଲି ଯେ ତରୁଣ–ତରୁଣୀଙ୍କର ଭିଡ଼ ତା’ ନୁହେଁ, ବହୁ ପ୍ରୌଢ଼ ପ୍ରୌଢ଼ା, ବୃଦ୍ଧ ବୃଦ୍ଧା ମଧ୍ୟ ଟେବୁଲ ପାଖରେ ବସି ବୋତଲ ପରେ ବୋତଲ ନିଃଶେଷ କରୁଛନ୍ତି । ବୋଧହୁଏ ଉପଭୋଗଟା ତରୁଣ–ତରୁଣୀମାନଙ୍କର ଏକଚାଟିଆ ନୁହେଁ । ଏହା ପ୍ରମାଣ କରିବାକୁ ବହୁ ବୟସ୍କ–ବୟସ୍କା ଏଠାରେ ଆସି ସନ୍ଧ୍ୟା କଟଉଛନ୍ତି ।

 

ଖାଲି ସେତିକି ନୁହେ–ଷ୍ଟେଜ୍‌ ଉପରେ ନାଚ ଆରମ୍ଭ ହୋଇଗଲା ପରେ ଏଣେ ଯେଉଁ ଉତ୍ତେଜନା ତାହା ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ । ମିଉଜିକର ଛନ୍ଦେ ଛନ୍ଦେ ଟେବୁଲ ପାଖରେ ବସିଥିବା ସ୍ତ୍ରୀ ପୁରୁଷଦଳ ମତୁଆଲା ହେଉଛନ୍ତି । ଏମିତି ଏକ ସମୟ : ଆସି ପହଞ୍ଚିଗଲା ଯେତେବେଳେ ଆଉ ବସିବା ଅବସ୍ଥାରେ କେହି ନ ଥିଲେ । କୋଉ ବୃଦ୍ଧ କୋଉ ତରୁଣୀକୁ ଧରି ଅଥବା କୋଉ ତରୁଣୀ କୋଉ ବୃଦ୍ଧକୁ ଧରି ନାଚିବା ଆରମ୍ଭ କରିଦେଲେଣି । ଆଉ କେତେକ ମଦ ଗ୍ଲାସରେ ମଦ ଢାଳି ଉପରକୁ ଛାଟୁଛନ୍ତି । କେତେକ ଷ୍ଟେଜ୍‌ ଉପରକୁ ଉଠିବାକୁ ଚେଷ୍ଟା କଲେଣି । ନାଚ ଚାଲିଚି । ଫରସୀ ତରୁଣୀଦ୍ୱୟ ଅଙ୍ଗର ପ୍ରସ୍ଫୁଟ ଯୌବନକୁ ବିଭିନ୍ନ ଭଙ୍ଗୀରେ ପ୍ରଦର୍ଶନ କରୁଛନ୍ତି–ଟୁଇଷ୍ଟ ନୃତ୍ୟ ମାଧ୍ୟମରେ ।

 

ତନ୍ଦ୍ରା ଆଉ ବିମଳ ଦୁଇଟି ପେଗ୍‌ ଖାଇ ନିଜ ଆୟତ୍ତରେ ନାହାନ୍ତି । ପ୍ରଥମଥର, ତେଣୁ ନିଶା ଘାରିବ । ଉଭୟଙ୍କ ଆଖି ଅଣାୟତ୍ତ, ଅସଂଯତ । ବିମଳ ଗୀତ ଗାଇବା ଆରମ୍ଭ କରିଦେଲଣି-। ଆରେ ଏ କ’ଣ ? କିଏ ଜଣେ ଅପରିଚିତ ଯୁବକ ଆସି ତନ୍ଦ୍ରାର ହାତ ଧରି ନାଚିବାକୁ ଆରମ୍ଭ କରିଦେଇଚି–

 

ମାଇଁ ଡାର୍ଲିଂ...

ମାଇଁ ସୁଇଟ୍‌ ଲଭ ...

ଓ ହେଭେନ୍‌ ଲି ଫେଆରୀ...

ଲେଟ୍‌ ଅସ୍‌ ଡାନ୍‌ସ...

ଲେଟ୍‌ ଅସ୍ ଡ୍ରିଙ୍କ୍‌....

ଲେଟ୍‌ ଅସ୍‌ ବି ମେରୀ ।

 

ସେଇ ଯୁବକର କବଳରୁ ତନ୍ଦ୍ରାକୁ ମୁକ୍ତ କରିବାକୁ ଯାଇ ବିମଳ ବିଫଳ ହେଉଚି । ସେ ଯେମିତି ପଡ଼ିଯିବ ତା’ର ଏଇ ଅବସ୍ଥା । ଢଳି ଢଳି ଆସୁଛନ୍ତି ଜଣେ ପ୍ରୌଢ଼ା । ବିମଳର ହାତକୁ ଧରି ସେ ମଧ୍ୟ ନାଚିବା ଆରମ୍ଭ କରିଦେଲେ ।

 

ଓ ୟଂମେନ୍‌, ଓ କିଉପିଡ଼ ।

 

କମ୍‌ ଟୁ ମି, ଡୋଣ୍ଟ ବି ମିଡ଼ ।

 

ଫରାସୀ ନର୍ତ୍ତକୀଦ୍ୱୟ ମଞ୍ଚ ଉପରୁ ଅନ୍ତର୍ଦ୍ଧାନ ହୋଇଗଲେ । କିନ୍ତୁ କେତେକ ଦାବୀ କଲେ ସେମାନେ ମଞ୍ଚ ଉପରେ ଆଉଥରେ ଅବତୀର୍ଣ୍ଣ ହୁଅନ୍ତୁ । ହୋଟେଲ୍‌ କର୍ତ୍ତୃପକ୍ଷ ଏଇ ଦାବୀ ଗ୍ରହଣ କଲେ ନାହିଁ । ସେମାନେ ତ ବ୍ୟବସାୟୀ–ନର୍ତ୍ତକୀମାନେ ପୁଣି ଥରେ ନୃତ୍ୟ ପ୍ରଦର୍ଶନ କଲେ ପୁଣି ମୋଟା ଧରଣର ଟଙ୍କା ଦାବୀ କରିବେ । କିଏ ଦବ ସେ ଟଙ୍କା ? ତା’ଠୁ ବରଂ ଯେଉଁମାନେ ଚାହାଁନ୍ତି ସେମାନେ କାଲି ଆସିପାରନ୍ତି ।

 

ହୋଟେଲ କର୍ତ୍ତୃପକ୍ଷଙ୍କ ଏଇ ନିଃଷ୍ପତ୍ତିରେ ଅନେକ ଅସନ୍ତୁଷ୍ଟ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଆରମ୍ଭ କରିଦେଲେ ।

 

ହୋଟେଲରେ ଏଇଟା ନିତିଦିନିଆ ବ୍ୟାପାର । ତେଣୁ କର୍ତ୍ତୃପକ୍ଷ ଏହା ଉପରେ ବିଶେଷ ଗୁରୁତ୍ୱ ନ ଦେଇ ହୋଟେଲେ ବନ୍ଦ କରିବାକୁ ଆଦେଶ ଦେଇଦେଲେ । ସେମାନେ ଜାଣନ୍ତି, ମାତାଲମାନେ କିଛି ସମୟ ପାଟି କରି ଚାଲିଯିବେ ।

 

ରାତି ସାଡ଼େ ଦଶ । ହୋଟେଲର ବୟମାନେ ଝରକା, କବାଟ ବନ୍ଦ କରିବାରେ ବ୍ୟସ୍ତ । କେବଳ ସାମନା ଦରଜା ଖୋଲା ରଖି ସେମାନେ ଅନ୍ୟ ସବୁ ବନ୍ଦ କରିଦେଲେ । କିଛି ସମୟ ହଲ୍ଲା ହବା ପରେ ସବୁ ଥଣ୍ଡା ପଡ଼ିଗଲା । ଅନେକେ ହୋଟେଲ ଛାଡ଼ି ବାହାରି ଆସିଲେ । ଆଉ କେତେକ ତଥାପି ନିଶା ଜୋରରେ ହାଲିଆ ହୋଇ ପଡ଼ି ରହିଥାନ୍ତି । କେତେକଙ୍କୁ ବୟମାନେ ଧରାଧରି କରି ବାହାରେ ଛାଡ଼ି ଦେଇ ଯାଉଥାନ୍ତି ।

 

ଚନ୍ଦ୍ରା ଆଉ ବିମଳ–ସମ୍ପୂର୍ଣ୍ଣ ନିଶା ଛାଡ଼ି ନ ଥାଏ । ବିମଳ ବୟକୁ କହିଲା ଗୋଟାଏ ଟାକ୍‌ସି ଡାକିଦବା ପାଇଁ । ଟାକ୍‌ସିରେ ଯିବା ଛଡ଼ା ଅନ୍ୟ ଗତି ନାହିଁ ।

 

ଏଗାରଟାବେଳେ ଟାକ୍‌ସି ମିଳିଲା । ବୟ ଅସି ଖବର ଦେଲା । ଦୁହେଁଯାକ ହୋଟେଲରୁ ବାହାରି ଆସିଲେ । ବାହାରେ ସେତେବେଳକୁ ଲୋକଗହଳି କମି ଯାଇଥାଏ । କାମିକା ଲୋକ ପ୍ରାୟ ଶୂନ୍ୟ ହେଇଗଲେଣି । କେବଳ ରାତ୍ରିଚରମାନେ ଦେଖା ଯାଉଛନ୍ତି ।

 

ଟାକ୍‌ସି ମୁହେଁଇଲା ବହୁବଜାର ଆଡ଼େ ।

 

–ଅଠର–

 

ବିନିୟବାବୁ ସେତେବେଳକୁ ଅସ୍ଥିର ହୋଇ ଉଠିଲେଣି । ତିନିଥର ଯାଇ ସେ କିଣୁବାବୁଙ୍କ ଘର ଓ ଦୋକାନରୁ ଫେଲେଣି । ବିମଳ ମଧ୍ୟ ଫେରି ନାହିଁ । ଦୁଇଜଣଯାକ ଗଲେ କୁଆଡ଼େ ? ଉଭୟ ବିନିୟବାବୁ ଓ କିଣୁବାବୁ ମହା ଦୁଶ୍ଚିନ୍ତା ମଧ୍ୟରେ କାଳାତିପାତ କରୁଥିଲେ ।

 

ସୁନନ୍ଦା ବିନୟବାବୁଙ୍କୁ ଘରେ ରଖାଇ ଦେଉ ନ ଥିଲେ । ଆଉ ଟିକିଏ ଯାଇ ଦେଖ । ଆଜିକାଲି ଏ ବୟସର ପିଲାମାନଙ୍କ ଗତି ତ ଜାଣିଚ । କିଛି ନ ହେଲେ ଯାଇ ଥାନାରେ ଖବର ଦିଅ । କିଛି ଅଘଟଣ ନିଶ୍ଚୟ ଘଟିଚି । ନ ହେଲେ ମୋ ତନ୍ଦ୍ରା ତ ଏମିତି ଭାବରେ କୋଉଠି ରହିବା ଝିଅ ନୁହେଁ....ଯାଅ ଭଲା...

 

ବିନୟବାବୁ ଘୂରି ଘୂରି ବ୍ୟସ୍ତ ହୋଇ ପଡ଼ିଲେଣି । କଲିକତା ସହର କ’ଣ ଏମିତି ସେମିତି ସହର ହେଇଚି ? ଜୀବନ ଭରି ଯଦି ଜଣେ କଲିକତା ସହରରେ ଲୁଚି ରହିବାକୁ ଚାହେଁ, ତାକୁ ଖୋଜି ବାହାର କରିବା ସମ୍ଭବ ନୁହେଁ । ଏଠି ତ ଏ ପାଖ ଘରର ଲୋକ ସେପାଖ ଘରର ଲୋକଙ୍କୁ ଚିହ୍ନେନା । ଏଠି ଜୀବନ ବଡ଼ ବିଚିତ୍ର । ଏ ଏକ ଅବିଶ୍ୱାସୀ ସହର ।

 

ବିନୟବାବୁ ମନେ ମନେ ଖୁବ୍‌ ବିରକ୍ତ ହେଇ ଉଠୁଥିଲେ । ବେଳେବେଳେ ଦୁଃଖମିଶା ଆଶଙ୍କାରେ ତାଙ୍କ ଅନ୍ତର ମଧ୍ୟ ଭରି ଯାଉଥିଲା । ତାଙ୍କର ଏକମାତ୍ର କନ୍ୟା ଆଜି ଯେ କ’ଣ କରୁଛି, କେଉଁଠି ଅଛି ଏସବୁ ବିଷୟ ଭାବି ତାଙ୍କର ରକ୍ତଚାପ ବଢ଼ି ଯାଉଥିଲା ।

 

ତେଣେ କିଣିବାବୁଙ୍କର ଅବସ୍ଥା ମଧ୍ୟ ତଦ୍ରୂପ । ବିମଳ ମଧ୍ୟ ତାଙ୍କର ଏକମାତ୍ର ପୁଅ । ସେ ବେଳେବେଳେ ଭାବୁଥିଲେ–ତନ୍ଦ୍ରା ସହିତ ବିମଳ କ’ଣ କଲିକତା ଛାଡ଼ି କୁଆଡ଼େ ପଳାଇଗଲା-? ସେ ମନେ ମନେ ସର୍ବନିୟନ୍ତା ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିଲେ–ହେ ଜଗନ୍ନାଥ ମହାପ୍ରଭୁ, ବିମଳକୁ ସର୍ବ ଶୁଭରେ ଫେରାଇଆଣ । ତାଙ୍କ ଆଖିକି ଲୁହ ଆସିଯାଉଚି । କୋଉଠି ଖୋଜିବେ–କ’ଣ କରିବେ କିଛି ସେ କୂଳ କିନାରା ପାଉ ନାହାନ୍ତି ।

ସହଳ ସହଳ ଦୋକାନ ଛାଡ଼ି ସେ ଚାଲି ଆସିଛନ୍ତି ଘରକୁ । ତାଙ୍କ ମୁଣ୍ଡରେ ଯନ୍ତ୍ରଣା–ଶରଧା ଗୋଟାଏ କେଉଁ କବିରାଜି ତୈଳ ମୁଣ୍ଡରେ ମାଲିସ କରୁଚି ।

ରାତି ଏଗାରଟା ପରେ ବିମଳ ଫେରିଲା । ମୁହଁରେ ଆତଙ୍କର ଛାପ ସୁସ୍ପଷ୍ଟ । ଗ୍ରାଣ୍ଡର ନିଶା ଛାଡ଼ି ଆସିଲାଣି । ଦାଣ୍ଡରେ ତା’ର ଡାକ ଶୁଣି ନିଜେ କିଣୁବାବୁ ଧାଇଁ ଆସିଲେ । ରାଗରେ ତାଙ୍କର ସର୍ବାଙ୍ଗ ଥରୁଚି । କବାଟ ଖୋଲିଦେଇ ସେ ଖୁବ୍‌ ଚଢ଼ା ଗଳାରେ କହିଲେ–ଗୋଟାଏ ପରଝିଅ ସାଙ୍ଗରେ ଏତେ ରାତି ଯାଏ କୁଆଡ଼େ ଥିଲୁ ବିମଳ ? ବିମଳ ନିରୁତ୍ତର । ପାଟିରେ ଭାଷା ନାହିଁ ।

କିଣୁବାବୁ ପୁଣି ଗର୍ଜି ଉଠିଲେ–କଲେଜରେ ପାଠ ପଢ଼େଇବାର ଏ କ’ଣ ପ୍ରତିଦାନ ? ନିର୍ଲଜ୍ଜ ।

ବାପା ଯେ ଏତେ ରାଗିପାରନ୍ତି ବିମଳ ବୋଧହୁଏ ସେଇ ଦିନ ପ୍ରଥମ କରି ଜାଣିଲା । ନୀରବ ଅପରାଧୀ ଭଳି ସେ ମୂକ ହେଇ ଛିଡ଼ା ହୋଇଥାଏ । କିଣୁବାବୁ ତମତମ ହେଇ ଭିତରକୁ ପଶିଗଲେ । ଘର ଭିତରକୁ ଯିବାକୁ ବିମଳର ସାହସ ହେଉ ନ ଥାଏ । ସେ ଅସମ୍ଭବ ଭାବରେ ଡରିଯାଇଚି ।

କିଛି ସମୟ ପରେ ଶରଧା ଆସି କହିଲା–ଏଠି ଠିଆ ହେଇ ରହିଲେ କ’ଣ ହବ ? ଭିତରକୁ ଆସ । ପାଠ ପଢ଼ିବା ପିଲା ଏମିତି କରନ୍ତି ?

ତଥାପି ବିମଳ ନ ଯାଏ । ଛିଡ଼ା ହେବା ସ୍ଥାନରେ ସେ ଆଉ ପଥର ପାଲଟିଗଲା କି ସତେ !

ଶରଧା ତା’ ହାତ ଧରି ଭିତରକୁ ନେଇଗଲେ । ସେଦିନ ରାତିରେ ସେ ଆଉ କିଛି ଖାଇଲା ନାହିଁ ।

ତେଣେ–

ତନ୍ଦ୍ରାକୁ ଦେଖି ବିନୟବାବୁ ନାନା ପ୍ରକାର ଉର୍ତ୍ସନା କଲେ । ସୁନନ୍ଦା ଦେବୀ ବହେ କାନ୍ଦିଲେ । ଝିଅ ହେଇ ଶେଷରେ ତୁ ଏଇୟା କଲୁ ? ତୋର ତ ଆଉ ପିଲା ବୟସ ନାହିଁ । ସାଥିପିଲା ସାଙ୍ଗରେ ରାତି ଏଗାରଟା ପର୍ଯ୍ୟନ୍ତ ବାହାରେ ରହିବା କୋଉ ସମ୍ମାନର କଥା ? ପୁଅ ନ ଥିବାରୁ ତୁଇ ଆମର ଏକମାତ୍ର ଭରସା । ତୋ କାମଦ୍ୱାରା ଯଦି ବାପ ମା ମୁହଁରେ କାଳି ଲାଗେ ସେ ଭଳିଆ ଝିଅ ଥିବାଠୁ ନ ଥିବା ଭଲ । ଛି ଛି....

 

ବିନୟବାବୁ ତନ୍ଦ୍ରାକୁ ଶୁଣେଇ ଶେଷ କଥା କହିଦେଲେ–ପାଠ ଯଦି ପଢ଼ିବାକୁ ମନ, ଯେମିତି ପାଠ ପଢ଼ନ୍ତି, ସେଇମିତି ପଢ଼ । ଖବରଦାର, ବିମଳ ସହିତ ଆଉ ମିଶିବୁ ନାହିଁ ।

ଆଲୁଅରେ ତନ୍ଦ୍ରାର ମୁହଁ ଦେଖି ସୁନନ୍ଦା ଏକ ଅସ୍ଵାଭାବିକ ଅବସ୍ଥାର ସନ୍ଧାନ ପାଇଲେ । ତୁ ଏମିତି ଦିଶୁଚୁ କାହିଁକି ? ତୋର କ’ଣ ହେଇଚି ତନ୍ଦ୍ରା ?

କ’ଣ ହେଇଚି ? ମଦ ଖାଇବାର ପରବର୍ତ୍ତୀ ଅବସ୍ଥାଟା ଜଣା ପଡ଼ିଯାଏ । ଅନଭିଜ୍ଞା ଝିଅଟି ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ସେ କଥା ଲୁଚିଲା ନାହିଁ ।

–ବରଂ ମରିଗଲେ ଭଲ ହୋଇଥାନ୍ତା । ଆମ କୁଳରେ କେହି କେବେ ଯାହା କରିନି ତୁ ଝିଅ ହେଇ ସେଇୟା କଲୁ ?

ସାରା ପରିବାର ଯେମିତି ଆଜି ପୋଡ଼ି ଜଳିଯାଉଚି । ବିନୟବାବୁ କଠିଣ ଭାବରେ କହିଲେ–ନା, ଆଉ ପାଠ ପଢ଼ିବା ଦରକାର ନାହିଁ । କାଲିଠୁ କଲେଜ ଯିବା ବନ୍ଦ ।

ତନ୍ଦ୍ରାର ମନ କହୁଥିଲା, ବାପା ମାଙ୍କ ପାଦ ଧରି ସେ କହିବ, ଟିକିଏ ଭୁଲ ପାଇଁ ଏ ଗୁରୁତର ଶାସ୍ତି ମତେ ଦିଅନା ।

କିନ୍ତୁ ସେ କହିବା ଅବସ୍ଥାରେ ନ ଥିଲା–ବାପା ମା ମଧ୍ୟ ଆଉ କିଛି ଶୁଣିବା ଅବସ୍ଥାରେ ନ ଥିଲେ ।

ସେଦିନ ରାତିରେ ଘରେ ଖିଆପିଆ ବନ୍ଦ । ନିରାଶାର ଝଙ୍କାର ସମଗ୍ର ଘର ଭିତରର ବାୟୁମଣ୍ଡଳକୁ ଗ୍ରାସ କରିଚି । କୋମଳ ଶେଯରେ ଶୋଇ ନିଦ ଆସୁନି ତନ୍ଦ୍ରାକୁ । ଆଖିରୁ ଝରୁଚି ଅବିଶ୍ରାନ୍ତ ଲୁହର ଧାରା ।

ସେ ମନେ ମନେ ଭାବୁଚି–ବିମଳ ! ଥରେ ଆସି ମୋର ଏ ଅବସ୍ଥା ଦେଖି ଯାଅ । ତୁମେ ପୁରୁଷ ହେଇ ନିଶ୍ଚିନ୍ତରେ ଘରେ ରହିଲେ । ହେଲେ ମୁଁ ପରା ଅବଳା, ମୋର ଆଉ ତୁମ ଛଡ଼ା ବଳ କ’ଣ ? ତୁମେଇ ତ ମୋର ସର୍ବସ୍ୱ । ମତେ ରକ୍ଷାକର... ରକ୍ଷାକର ।

ନିଷ୍ଫଳ ତା’ର ଏ ଚିନ୍ତା–ବିମଳ ପାଖରେ କାହିଁ ? ତା’ର ତ ନିଜ ରକ୍ଷଣ ଅସମ୍ଭବ–ସେ ପୁଣି ପରକୁ କ’ଣ ରକ୍ଷା କରିବ ? କିଣୁବାବୁଙ୍କ କ୍ରୋଧାଗ୍ନିରେ ସେ ତ ଜଳିଯିବାକୁ ବସିଚି । କାଲିଠୁ ତା’ର ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିବ କି ନା ସେ କଥା କିଏ ଜାଣେ ?

ସତରେ ବିମଳ ଆଜି ଦୁର୍ବଳ ହେଇପଡ଼ିଚି । ପ୍ରେସିଡେନ୍‌ସି କଲେଜର ଛାତ୍ର ପଥ ଖୋଜି ପାଉନି । ସାରା ରାତି ମଧ୍ୟ ନିଦ୍ରା ବିନା କଟୁଚି । ସେ ତ ବେଶ୍‌ ଥିଲା, କାହିଁକି ତା ମୁଣ୍ଡକୁ ଏ ଦୁର୍ବୁଦ୍ଧି ପଶିଲା ?

ସକାଳ ହେଲା । ନିତ୍ୟକର୍ମ ସାରିବାରେ କିଣୁବାବୁ ବ୍ୟସ୍ତ । ବିମଳର ସାହସ ହେଉନି ବାହାରକୁ ଆସିବାକୁ । ଦିନର ଆଲୁଅ ତା ପାଖରେ ଆଜି ଯେମିତି ଅସହ୍ୟ ।

ସେ ଶୁଣିବାକୁ ପାଉଛି–କିଣୁବାବୁ ଶରଧାକୁ କହୁଛନ୍ତି, ବିମଳ ଉଠିଲେ ଆଜି ତାକୁ କହିଦବ ତାର ଆଉ କଲେଜ ଯିବା ଦରକାର ନାହିଁ । ଯେତିକି ଗଙ୍ଗା ଗଲୁ ସେତିକି ଫଳ ପାଇଲୁ । ଆଉ ପଢ଼ି କ’ଣ ହବ ? ଏଣିକି ସେ ଦୋକାନ ସମ୍ଭାଳୁ ।

ବିମଳ ମୁଣ୍ଡରେ ଚଡ଼କ ପଡ଼ିଲା । ଏ କି ଦାରୁଣ ଦଣ୍ଡ ! ଟିକିଏ ଭୁଲପାଇଁ ଏ ସାଙ୍ଘାତିକ ନଷ୍ପତ୍ତି ତାକୁ ମାନିବାକୁ ପଡ଼ିବ । ବାପାଙ୍କ ଜିଦ୍‌ କଥା ସେ ଭଲଭାବେ ଜାଣିଛି ।

 

ସେ ଅନେକ ସମୟ ଚିନ୍ତା କଲା । କାଲି ରାତିରେ କୌଣସି ଏକ ମିଥ୍ୟାର ଆଶ୍ରୟ ସେ ନ ନେଲା କାହିଁକି । ଅର୍ଥାତ୍‌ କଲେଜରେ ଡ୍ରାମା ହେଉଥିଲା, ଅଥବା ଆଉ କିଛି ବକ୍ତୃତା ହେଉଥିଲା, ଅଥବା କେଉଁ ସାର୍‌ଙ୍କ ଅନୁରୋଧରେ ସେ ଆଉ ତନ୍ଦ୍ରା ଏବଂ ଆହୁରି ଅନେକ ଛାତ୍ରଛାତ୍ରୀ ସାରଙ୍କ ବରାଦଦିଆ କୌଣସି କାମରେ ବ୍ୟସ୍ତ ରହିଥିଲେ ।

 

କିନ୍ତୁ ସେ ମିଛ କହିପାରି ନାହିଁ । ଗ୍ରାଣ୍ଡ୍‌ ଭିତରକୁ ପଶିବାବେଳେ ସେ ଯେଉଁ ଉନ୍ମାଦନା ନେଇ ପଶିଥିଲା, ରାତି ଏଗାରଟାରେ ସେଠୁ ବାହାରିବାବେଳେ ତାର ସମସ୍ତ ଶକ୍ତି ଲୋପ କରିଦେଇ ସେ ସେମିତି ଫେରିଥିଲେ । ତାର ସବୁତକ ନୈତିକ ଦମ୍ଭ ଭାଙ୍ଗି ଯାଇଥିଲା । ରଙ୍ଗ ବୋଳି କଥା କହିବାର ଢଙ୍ଗ ସେ ଭୁଲି ଯାଇଥିଲା ।

 

କିଣୁବାବୁ ସ୍ନାନାଦି ଶେଷ କରି ସକାଳ ଜଳଖିଆ ଖାଇ ଦୋକାନକୁ ଚାଲିଗଲେ ।

 

ବିମଳ ତଥାପି ଶୋଇ ରହିଚି । ପୃଥିବୀଯାକର ସବୁତକ ଦୃଶ୍ଚିନ୍ତା ଭାରାକ୍ରାନ୍ତ କରିଚି ତା ମୁଣ୍ଡକୁ ।

 

କେତେବେଳେ ଶରଧା ଆସି ଡାକିଲା ।

 

ବିମଳ ଅନିଚ୍ଛା ସତ୍ତ୍ୱେ ଉଠି ବାହାରକୁ ଆସିଲା । କଥା କହିବାର ଶକ୍ତି ସେ ହରାଇ ବସିଚି । ଶରଧା ଆଣି ଚା’ ଦେଲା । ବିମଳ ଚା’ କପ୍‌ଟାକୁ ଏକା ଥରକରେ ନିଃଶେଷ କରିଦେଇ କହିଲା–ଭାରି ଭୋକ ଲାଗୁଛି ମାଉସୀ ମୋ ପାଇଁ କିଛି ଜଳଖିଆ ଆଣ ।

 

ଭୀମନାଗ ଦୋକାନରୁ ତଟକା କଚୁରି ଓ ମିଠା ଆଣିବା ପାଇଁ ଶରଧା ଚାଲିଗଲା । ଏଣେ ବିମଳ ବାପାଙ୍କ ଆଇରନ୍‌ ଚେଷ୍ଟ ଖୋଲି ପାଞ୍ଚ ଶହ ଟଙ୍କା ନେଇ ଆସିଲା । ନିଜ ପଥ ନିଜକୁ ବାଛିନବାକୁ ପଡ଼ିବ । ଏଇ ମାୟାହୀନ ସଂସାର ଭିତରେ ତାକୁ ଦମ୍ଭ ଧରି ଛିଡ଼ା ହବାକୁ ପଡ଼ିବ । ଯେତେ ଝଡ଼ ଝଞ୍ଜା ଆସୁ, ସବୁକୁ ତୁଚ୍ଛ କରି ନ ଆଗେଇଲେ ଈପ୍‌ସିତ ବସ୍ତୁ ମିଳିବ ନାହିଁ ।

 

ଜଳଖିଆ ଖାଇସାରି ସେ ବସି ବସି ତନ୍ଦ୍ରା ଉଦ୍ଦେଶ୍ୟରେ ଖଣ୍ଡିଏ ଚିଠି ଲେଖିଲା । ତା’ପରେ…..

 

ପୋଷାକପତ୍ର ପିନ୍ଧି ଅସ୍ଥିର ମନରେ ସେ ଘର ଛାଡ଼ି ବାହାରିଗଲା । ଯିବାବେଳକୁ ଶରଧା ହୁଏତ ବାଥ୍‌ ରୁମରେ ଅଛି । ତା’ରି ଭିତରେ ସେଣ୍ଡାଲ ସୋପ ଘଷି ଘଷି ଦେହ ସଫା କରୁଚି ।

 

ବିମଳ ଆଜି ଉଦ୍‌ଭ୍ରାନ୍ତ !

 

ବିମଳ ଆଜି ଦିଦ୍‌ଭ୍ରାନ୍ତ !

 

–ଉଣେଇଶି–

 

ରନ୍ଧାବଢ଼ା ଶେଷକରି ଅପେକ୍ଷା କରି ବସିଛି ଶରଧା । ଦିନଆସି ବାରଟା ବାଜିଲାଣି, ତଥାପି ବିମଳ କାହିଁ ? ରାଗ ତମରେ ପିଲାଟା କ’ଣ ଖାଇବାକୁ ବି ଆସିବ ନାହିଁ ?

 

କିଣୁବାବୁ ଆସି ପ୍ରାୟ ସାଢ଼େ ବାରଟାରେ ପହଞ୍ଚିଲେ । ବିମଳ ଏ ଯାଏ ଆସିନି ଶୁଣି ଭାରି ଦୁଶ୍ଚିନ୍ତାରେ ପଡ଼ିଲେ । କ୍ରମେ କ୍ରମେ ହୃଦୟ ତାଙ୍କର ନରମ ହୋଇଆସିଲା । ରାଗ ମୁହୂର୍ତ୍ତରେ ସେ ସିନା ଏତେଗୁଡ଼ାଏ କଥା କହି ଯାଇଥିଲେ, କିନ୍ତୁ ତା’ର ଏଇଭଳି ପରିଣାମ ହୋଇପାରେ, ସେ ଏ କଥା ଚିନ୍ତା କରି ନ ଥିଲେ ।

 

କ୍ରମେ ସୂର୍ଯ୍ୟକିରଣ ନିଷ୍ପ୍ରଭ ହୋଇଆସିଲା । ଆଉ ଟିକିଏ ପରେ ସନ୍ଧ୍ୟା ହୋଇଯିବ । କିଣୁବାବୁ ଖୁବ୍‌ ବ୍ୟାକୁଳ ହୋଇପଡ଼ିଲେ । ଉପରଓଳି ସେ ଦୋକାନ ଯାଇ ନାହାନ୍ତି । ପାଗଳଙ୍କ ଭଳି ସେ ଧାଇଁଲେ ବିନୟବାବୁଙ୍କ ଘରକୁ ।

 

ବିନବାବୁଙ୍କ ଘରେ ମଧ୍ୟ ଅଶାନ୍ତିର ଶିଖା ଜଳୁଚି । ତନ୍ଦ୍ରା ଏଯାଏ ଗାଧୋଇ ନାହିଁ କି ଖାଇ ନାହିଁ । ବିନୟବାବୁ ମୁହଁ ଭାରୀ କରି ବସି ରହିଛନ୍ତି । କିଣୁବାବୁଙ୍କୁ ଦେଖି ସେ ଆଜି ବନ୍ଧୁ ସୁଲଭ ସମ୍ଭାଷଣ କଲେ ନାହିଁ । ତାଙ୍କର ଗମ୍ଭୀର ମୁହଁ ଦେଖି କିଣୁବାବୁ ଆତଙ୍କିତ ହେଇଉଠିଲେ ।

 

ବସିବାକୁ କେହି କହୁ ନାହାନ୍ତି । ତଥାପି କିଣୁବାକୁ ଯାଇ ଚେୟାରଟିଏ ଟାଣି ଆଣି ବସିଲେ । ଏ ଦୁଇଜଣଙ୍କ ଅବସ୍ଥା ଏଇ ମୁହୂର୍ତ୍ତରେ ଯଦି କେହି ତୃତୀୟ ପୁରୁଷ ଦେଖନ୍ତି, ସ୍ୱତଃ ତାଙ୍କର ଦୟା ଆସିବ ।

 

ନୀରବତା ମଧ୍ୟରେ କିଛି ସମୟ କଟିଗଲା । ବିନୟବାବୁ ନୀରବତା ଭଙ୍ଗ କରି ଅସ୍ଵାଭାବିକ ଭଙ୍ଗୀରେ କହିଲେ–କୀର୍ତ୍ତି ଭିଆଇ ପୁଣି ଆସିଲ କାହିଁକି ? ଛି ଛି, ବିମଳ ଏଡ଼େ ନୀଚ ହୋଇପାରେ ବୋଲି ମୁଁ ଭାବି ନ ଥିଲି । ଭଲ ପିଲା ବୋଲି ମୁଁ ତାକୁ ବହୁତ ପ୍ରଶ୍ରୟ ଦେଇଚି । ତା’ର ପ୍ରତିଦାନ ଯେ ସେ ଏମିତୀ ଭାବରେ ଦେବ, ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ! ତନ୍ଦ୍ରା କ’ଣ ଜାଣେ ? ତାକୁ କାଲି ରାତିରେ ଗ୍ରାଣ୍ଡ୍‌, ହୋଟେଲକୁ ନେଇ ମଦ ଖୁଆଇ....ସେ ଆଉ କହିପାରିଲେ ନାହିଁ । ଏଇ କଥା ଶୁଣି କିଣୁବାବୁଙ୍କ ମୁହଁ ମଧ୍ୟ ନାଲ ହୋଇଉଠିଲା । ଦେହର ସବୁଯାକ ରକ୍ତ ମୁଣ୍ଡ ଭିତରେ ଯାଇ ଠୁଳ ହୋଇଗଲା ।

 

ସେ କହିଲେ–କ’ଣ କହିଲ, ଗ୍ରାଣ୍ଡ ହୋଟେଲରେ ଯାଇ ମଦ ଖାଇଛନ୍ତି ! ସେଥିପାଇଁ ବୋଧହୁଏ ହତଭାଗା ସକାଳଠୁ ଘର ଛାଡ଼ି ପଳେଇ ଯାଇଚି । ହଉ, ମୁଁ ଯାଉଚି–ସେ ଯାଉ ।

 

କାଳ ବିଳିମ୍ବ ନ କରି କିଣୁବାବୁ ଉଠିପଡ଼ିଲେ । ଆଗ ସମୟ ହେଇଥିଲେ ବିନିୟବାବୁ କ’ଣ ତାଙ୍କୁ ଏମିତି ଭାବରେ ଛାଡ଼ି ଦେଇ ପାରିଥାନ୍ତେ ? ଆଜି କିନ୍ତୁ ଭିନ୍ନ ଅବସ୍ଥା । ବିମଳ ଆଉ ତନ୍ଦ୍ରାର ଯୌବନ–ସୁଲଭ ଭୁଲପାଇଁ ଦୁଇଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବାରରେ ମନାନ୍ତରର ଫାଟ ଦେଖା ଦେଇଚି । ତେଣୁ କିଣୁବାବୁଙ୍କୁ ଆଉ ବସିବା ପାଇଁ ବା ଚା’ ଖାଇବା ପାଇଁ ବିନୟବାବୁ ଅନୁରୋଧ କଲେ ନାହିଁ ।

 

ଭାରୀ ପାଦ ଯୋଡ଼ାକ ଘୋଷାରି ଘୋଷାରି ଫୁଟ୍‌ଫାଥ ଉପରକୁ ଚାଲିଆସିଲେ । ଚାରିଆଡ଼େ ଆଲୋକର ବନ୍ୟା–ସବୁଠାରୁ ଭିଡ଼ ଏଇ ସନ୍ଧ୍ୟାରେ । ଠିକ୍‌ ଏଇ ସମୟରେ କଲିକତାର ସବୁତକ ଅଧିବାସୀ ନିଜର ଆବାସସ୍ଥଳ ଛାଡ଼ି ବାହାରକୁ ବାହାରି ଆସିଥାନ୍ତି–କିଏ କେଉଁ ଲକ୍ଷ୍ୟରେ ଆସିଥାନ୍ତି ତାହା ସେଇମାନେ କେବଳ କହିପାରିବେ ।

 

ଏତେ ଲୋକଗହଳ ଭିତରେ କିଣୁବାବୁ ଶୂନ୍ୟତା ଅନୁଭବ କରୁଥିଲେ । ବିମଳର ଅନ୍ତର୍ଦ୍ଧାନ ବିଷୟ ଥାନାରେ ଜଣାଇଦେବା ଉଚିତ ।

 

ଉତ୍ତେଜିତ ମୁହୂର୍ତ୍ତରେ ଆଜିକାଲିର ଟୋକାଏ କେତେବେଳେ ଯେ କ’ଣ କରିବସନ୍ତି, ତା’ ନିଜେ ସେମାନେ ବୁଝି ପାରନ୍ତି ନାହିଁ । ବିମଳ ଘରୁ ଚାଲିଗଲାଣି ଦଶଘଣ୍ଟା ହେଲା । ଫେରିବାର ହେଲେ ନଶ୍ଚୟ ଫେରି ଆସନ୍ତାଣି । ନା ନା, ତା’ର ଅଭିପ୍ରାୟ ଫେରିବା ନୁହେଁ ।

 

ଏକ ଅଦୃଶ୍ୟ ବିପଦର ସମ୍ଭାବନାରେ ତାଙ୍କ ଦେହ ଥରି ଉଠୁଥିଲା । ସେ ଯେମିତି ଆଜି କ୍ଳାନ୍ତ–ଅବସନ୍ନ ।

 

ଅନ୍ୟ କିଛି ଉପାୟ ନ ପାଇ ସେ ନିକଟବର୍ତ୍ତୀ ଥାନାରେ ଯାଇ ଏ କଥା ଜଣାଇଲେ । ବିମଳକୁ ଆଜି ଆଣିପାରିଲେ ଯଥେଷ୍ଟ ପୁରସ୍କାର ମିଳିବ ବୋଲି ମଧ୍ୟ କହିଆସିଲେ ।

 

ବାଟରେ ପଡ଼ିଲା ଏକ ମଦ–ବିପଣୀ–ନାଁଟି ତା’ର ‘‘ପାନୀୟ’’ । ଭିତରର ସବୁଜ ଟିଉବ–ଲାଇଟ୍ ଫୁଟ୍‌ପାଥ ଉପରେ ଯାଉଥିବା ଲୋକଙ୍କୁ ଆକର୍ଷଣ କରୁଚି । ଏଇ ପଥର ପଥିକମାନଙ୍କର ପାଦ ଏଇଠି ଅଟକି ଯାଉଚି ।

 

କିଣୁବାବୁ ଆଗ ପଛକୁ ଦି’ଥର ଚାହିଁ ‘ପାନୀୟ’ ଭିତରକୁ ପାଶିଗଲେ । ବୟ ଆଣି ଦାମୀ ମଦ ପରଷି ଦେଇଗଲା । ଆଃ ଏଠି ଭାରି ଶାନ୍ତି–ୟା ଭିତରେ ମଣିଷ ଭୁଲି ଯାଇପାରେ ସଂସାରର ଦୈନନ୍ଦିନ ଜଞ୍ଜାଳ, ଦୁଶ୍ଚିନ୍ତା ଆଉ ଦୁଃଖ ।

 

ତେବେ ବିମଳ ଆଉ ତନ୍ଦ୍ରା ଯଦି ମଦ ଖାଇଥାନ୍ତି, ଖୁବ୍‌ ଗୋଟାଏ ମସ୍ତବଡ଼ ଅପରାଧ ସେମାନେ କରି ପକାଇଛନ୍ତି ବୋଲି ତ ମନେ ହୁଏନା !

 

କିଣୁବାବୁ ପେଗ୍‌ ପରେ ପେଗ୍‌ ନିଃଶେଷ କରୁଥିଲେ ।

 

–କୋଡ଼ିଏ–

 

ପ୍ରତୀକ୍ଷାରେ ସମୟ କଟିଛି ତନ୍ଦ୍ରାର । ଆଶା ଏକ ନଦୀ, ଯାହା କି ଅବିରାମ ଗତିରେ ଆଗେଇ ଚାଲେ । ଈପ୍‌ସିତ ବସ୍ତୁ ନ ମିଳିବା ପର୍ଯ୍ୟନ୍ତ ସେ ଗତିର ବିରାମ ନାହିଁ ।

 

ଦିନସାରା ତା’ର ଯେମିତି ହେଲେ କଟିଯାଉଚି । ମନ ପରିବର୍ତ୍ତନ ପାଇଁ କଲିକତା ଏକ ପ୍ରକୃଷ୍ଟ ସ୍ଥାନ । କିଛି ନ ହେଇ ଜଣେ ଯଦି ଖାଲି ଝରକା ଦେଇ ଫୁଟପାଥକୁ ସାରା ଦିନ ଚାହି ରହେ ତାକୁ ବିରକ୍ତ ଲାଗିବ ନାହିଁ । ସବୁବେଳେ କର୍ମରତ ମଣିଷର ସ୍ରୋତ । କେତେ କିଏ ଯାଉଛନ୍ତି ଆସୁଛନ୍ତି–ସବୁବେଳେ ନୂଆ ନୂଆ ମୁହଁ । ଏଇ କର୍ମପ୍ରବାହକୁ ଦେଖି ଦେଖି ମନ ତ ପୁରିଯିବ–ଅନ୍ୟ ଚିନ୍ତା କରିବାକୁ ବେଳ ମିଳିବ କେଉଁଠି ?

 

ଏ ସିନା ଦିନର କଥା । କିନ୍ତୁ ରାତ୍ରି ଗୁଡ଼ା କେମିତି କଟିବ ? ଶୋଇବା ଘର ଭିତରେ ପଶି ଲାଇଟ ଅଫ୍‌ କରିଦେଲେ ଚିନ୍ତାର ଦୈତ୍ୟ ଆସି ମାନସ–ରାଜ୍ୟରୁ ଗ୍ରାସ କରେ । ତା’ କବଳରୁ ମୁଣ୍ଡ କାହିଁ ?

 

ବିଛଣା ଉପରେ ଶୋଇ ତନ୍ଦ୍ରା ଭାବୁଚି ଆଉ ଭାବୁଚି । ବିମଳ କ’ଣ ସତରେ ତାକୁ ଭୁଲିଗଲା ? ଚାହୁଁ ଚାହୁଁ ସାତଦିନ ବିତିଗଲାଣି । କାହିଁ, ସେ ତ ଫେରୁନି ! ମନ ତା’ର ନାନା ଆଶଙ୍କାରେ ପୁରିଉଠିଲା ସେ କାଗଜ କଲମ ଧରି ଠିକଣା ଜାଣି ନ ଥିବା ବିମଳ ଉଦ୍ଦେଶ୍ୟରେ ପତ୍ର ଖଣ୍ଡିଏ ଲେଖିବସିଲା ।

 

ମନରେ ନାନା ଚିନ୍ତାର ଉଦ୍ରେକ । ସବୁଗୁଡ଼ାକୁ ସେ ଭାଷାରେ ରୂପ ଦେବ । ଚିନ୍ତାଟା ପ୍ରକାଶିତ ହୋଇଗଲେ ହୁଏତ ଦୁଃଖ ଲାଘବ ହୋଇଯିବ ।

 

ଅନେକ କିଛି ସେ ଲେଖିଲା । ଲେଖୁ ଲେଖୁ ଶ୍ଳୀଳତାର ସୀମା ମଧ୍ୟ ଲଙ୍ଘନ କଲା ।

 

ଚିଠି ଲେଖା ଶେଷ ହେବା ବେଳକୁ ରାତି ତିନ ବାଜି ଯାଇଥିଲା । ବନ୍ଦ କରି ଦେଇଥିବା ଝରକାସବୁକୁ ସେ ଖୋଲିଦେଲା । ବାହାରୁ ବହି ଆସିଲା ଥଣ୍ଡା ପବନ । ଏଇ ପବନ ତାକୁ ଭାରି ଶାନ୍ତି ଦେଲା । ଆଖି ବୁଜି ଆସିଲା, ସେ ଶୋଇ ପଡ଼ିଲା ।

 

ପରଦିନ ସକାଳେ ସେ ବହୁତ ଡେରିରେ ଉଠିଲା । ସେ ଉଠିବା ବେଳକୁ ବିନୟବାବୁ ବାହାରକୁ ବାହାରି ଯାଇଥିଲେ । ଏ କେତେଦିନ ହେଲା ସେ ପ୍ରତ୍ୟହ ସକାଳେ ବାହାରି ଯାଉଛନ୍ତି ବାହାରକୁ ଆଉ ଫେରୁଛନ୍ତି ନଅ ସାଢ଼େ ନଅରେ । ସେ କୁଆଡ଼େ ଯାଉଛନ୍ତି–କେବଳ ସୁନନ୍ଦାଙ୍କ ବ୍ୟତୀତ ଏକଥା କେହି ଜାଣନ୍ତି ନାହିଁ ।

 

ଜଣେ କନ୍ୟାପିତା ହିସାବରେ ପ୍ରତ୍ୟହ ସେ ବନ୍ଧୁମାନଙ୍କ ଘରକୁ ଯାଉଛନ୍ତି କେଉଁଠି ଭଲ ବରପାତ୍ର ଅଛି ତା’ର ସନ୍ଧାନ ନେଉଛନ୍ତି । ଯେତେ ଶୀଘ୍ର ସମ୍ଭବ ତନ୍ଦ୍ରାର ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଚାହାନ୍ତି ।

 

କଲିକତାର ଏଇସବୁ କାର୍ଯ୍ୟର ଯୋଗସୂତ୍ର ପାଇ ବହୁ ଘଟକ ଥାଆନ୍ତି । ବିନୟବାବୁ ଜଣାଶୁଣା ଘଟକମାନଙ୍କୁ ମଧ୍ୟ ଏ ସମ୍ବାଦ ଦେଇଛନ୍ତି ।

 

ଅର୍ଥାତ୍‌ ତନ୍ଦ୍ରାର ବିବାହ ପାଇଁ ଜଣେ ଦାୟିତ୍ଵସମ୍ପନ୍ନ ପିତା ହିସାବରେ ଯାହା କିଛି କରିବାର କଥା ସେ କରୁଛନ୍ତି । ତାଙ୍କର ଏଇ ଉଦ୍ୟମରେ ମୌନ ସମ୍ମତି ଜଣେଇଛନ୍ତି ସୁନନ୍ଦା । ମା’ ହିସାବରେ ସେ ବୁଝୁଛନ୍ତି–ତନ୍ଦ୍ରାକୁ ଶୀଘ୍ର ବିଭା କରେଇବାର ଆବଶ୍ୟକତା ।

 

ତନ୍ଦ୍ରା ଏସବୁ ଯୋଗାଡ଼ର ଗନ୍ଧ ପାଇଛି । ଭାରାକ୍ରାନ୍ତ ମନ ଅଧିକ ଭାରାକ୍ରାନ୍ତ ହେଉଛି ।

 

ସେ ଯେଉଁ ସ୍ଵପ୍ନ ଦେଖୁଥିଲା, ସେ ସ୍ୱପ୍ନ କ’ଣ ସତରେ ସଫଳ ହେବନି ?

 

ଲୁହ ଆଉ ଳୁହ–ଖାଲି ଲୁହର ବନ୍ୟା ।

 

ତନ୍ଦ୍ରା ଆଜି ସଂଜ୍ଞାହୀନା ଆହତ–ପକ୍ଷିଣୀ ।

 

–ଏକୋଇଶି–

 

କିଣୁବାବୁ ଶଯ୍ୟାଶାୟୀ ।

 

ସେ ମନେ କରିଥିଲେ ହଠାତ୍‌ ରାଗି ବିମଳ ଯେମିତି ଚାଲିଯାଇଚି, ଆଉ ଖାଦ୍ୟ ଯୋଗାଡ଼ କରିବାର ଶକ୍ତି ତା’ର ହେଇନି, ଦୁଇ ଚାରିଦିନ ବାହାରେ ବୁଲି ସେ ନିଶ୍ଚୟ ଫେରିଆସିବ-। ତା’ପରେ ଥାନାରେ ଖବର ଦେଇ ସେ ନିଶ୍ଚିତ ଥିଲେ । ଯୋଉଠି ହେଲେ ତା’ର ପତ୍ତା ଖୋଜି ବାହାର କରିବା ପାଇଁ ଥାନାବାଲା ନିଶ୍ଚୟ ସଫଳ ହେବେ ।

 

କୋଡ଼ିଏ ଦିନ ବିତିଗଲାଣି । ଓଡ଼ିଆ ଆଉ ଇଂରାଜୀ ଦୈନିକ ଖବର କାଗଜରେ ତା ଫଟୋ ସହିତ ବାହାରୁଚି କିଣୁବାବୁଙ୍କ ଅନୁରୋଧ–ବିମଳ, ଯାହା ହବାର ହେଇଯାଇଚି, ତୁ ଏବେ ଫେରିଆ ! ତୋର ଚିନ୍ତାରେ ମୁଁ ଏବେ ଶଯ୍ୟାଶାୟୀ । ବାପା ଉପରେ ରାଗ କରି ପାଠୁଆ ପିଲା ଏମିତି କରନ୍ତି ? ଫେରିଆ ବାପା–ଇତ୍ୟାଦି ଦୈନନ୍ଦିନ ଛପା ଯାଉଛି । ଓଡ଼ିଶା ଭିତରେ କିଣୁବାବୁଙ୍କର ଯେତେ ବନ୍ଧୁ ବାନ୍ଧବ ପରିଚିତ ଲୋକ ଅଛନ୍ତି, ସମସ୍ତଙ୍କ ପାଖକୁ ସେ ଚିଠି ଲେଖିଛନ୍ତି-। ଅନେକେ ତାଙ୍କର ଏ ଦୁର୍ଯ୍ୟୋଗରେ ସହାନୁଭୂତି ଜଣେଇ ପତ୍ର ଲେଖିଲେଣି; କିନ୍ତୁ ବିମଳର ଖବର ତ କେହି ଲେଖୁ ନାହାନ୍ତି ।

 

ଭାରାକ୍ରାନ୍ତ ମନରେ ସେ ବେଳେବେଳେ ଆଶଙ୍କା କରୁଛନ୍ତି କୋଉଠୁ କେତେବେଳେ କିଛି ଦୂର୍ଘଟଣାର ସମ୍ବାଦ ଆସି ଯାଇପାରେ ତା’ ବି ତ’ ଆସିନି । ଯଦି କିଛି ସେମିତି ଘଟିଥାନ୍ତା ପୋଲିସ ତ ସେ ଖବର ନିଶ୍ଚୟ ପାଇଥାନ୍ତା ।

 

ଆଶା କରିବାର ଗୋଟାଏ ସୀମା ଥାଏ । ସୀମା ଅତିକ୍ରମ କଲେ ମଣିଷ ଭାଙ୍ଗି ପଡ଼ିବ । ସୁନିଶ୍ଚିତ । ସୁସ୍ଥ ଶରୀରକୁ ମଧ୍ୟ ନାନା ବ୍ୟାଧି ଆସି ଗ୍ରାସ କରେ ।

 

ତାଙ୍କର ଆଜି ସେହି ଅବସ୍ଥା । ସେ ଆଉ ଦୋକାନକୁ ଯାଉ ନାହାନ୍ତି । ଏ କେତେ ଦିନ ହେଲା ଦୋକାନର ଅବସ୍ଥା କ’ଣ ହେଲାଣି ସେ ଜାଣନ୍ତି ନାହିଁ । ଦରମାଖିଆ ଲୋକେ ଦୋକାନ କଥା ବୁଝୁଛନ୍ତି ।

 

ସେଦିନ ଶରଧାକୁ ପାଖକୁ ଡାକି ସେ କହିଲେ–ଶରଧା, ସତରେ କ’ଣ ବିମଳ ଆଉ ଏଠିକି ଫେରିବନି ? ତା’ ବାପକୁ ସେ କ’ଣ ଭୁଲିଯିବ ?

 

ଏ ପ୍ରଶ୍ନର ଉତ୍ତର ଶରଧା ବା କ’ଣ ଦବ ? ସେ ଖାଲି ନର୍ବୋଧ ଚାହାଣୀରେ ଚାହିଁ ରହେ ।

 

କିଣୁବାବୁ ପୁଣି କହନ୍ତି–ମୋର ଏ ବ୍ୟବସାୟ ବାଣିଜ୍ୟ ଆଉ କାହାପାଇଁ ? କିଏ ଭୋଗ କରିବ ଏସବୁ ? ସେ ଯଦି ନ ଆସେ ଏଠି ଆଉ ରହି ଲାଭ ନାହିଁ । ବରଂ ଗାଁଆରେ ଯାଇ ଶାନ୍ତିରେ ରହିବା ଭଲ ।

 

ଭବିଷ୍ୟତ୍‌ ଘୋର ଅନ୍ଧାକୋଗୁଚ୍ଛନ୍ନ । ଯୋଉ କଲିକତା ସହର ତାଙ୍କ ପ୍ରଥମ ଜୀବନରେ ତାଙ୍କୁ ଏତେ ଖୋରାକୁ ଯୋଗାଉଥିଲା, ସେହି ସହର ଆଜି ତାଙ୍କ ପାଖରେ ଦୁର୍ବିଷହ । ପଲ୍ଲୀର ଶାନ୍ତ କମନୀୟ ରୂପ ଆଜି ତାଙ୍କୁ ନିମନ୍ତ୍ରଣ ଜଣାଉଚି ।

 

କଥାବାର୍ତ୍ତାରେ ତାଙ୍କର ଭାରସାମ୍ୟ ରହୁ ନାହିଁ । ତାଙ୍କ ପାଖରେ କେମିତିକା ଆଡ଼ପାଗଳା ଭାବ ପ୍ରକାଶ ପାଉଛି । ବେଳେବେଳେ ଅତି ଆକୁଳ ହେଇ ସେ ଶରଧାକୁ ପାଖକୁ ଡାକୁଛନ୍ତି, ମାତ୍ର ସେ ପହଞ୍ଚିବା ପରେ କିଛି କହୁ ନାହାନ୍ତି । ଶରଧା ପଚାରିଲେ ହୁଏତ ଯୋଉ କଥା ପାଇଁ ଡାକଛନ୍ତି, ସେ କଥା ନ କହି ଆଉ କିଛି କଥା କହିଲେଣି, ଯୋଉ କଥାର କି ଅର୍ଥ କିଛି ବୁଝି ହେଉନି ।

 

କିନ୍ତୁ ଗୋଟାଏ କଥା ସ୍ପଷ୍ଟ–ଏଠିକାର ସଂସାର ବନ୍ଦ କରି ଗାଁକୁ ଚାଲିଯିବା ପାଇଁ କିଣୁବାବୁଙ୍କର ପ୍ରବଳ ଆଗ୍ରହ । ଶେଷ ଜୀବନର ବାନପ୍ରସ୍ଥ ସମସ୍ତଟା ସେଇଠି କଟୁ । ଯଦି ଭବଷ୍ୟତରେ ବିମଳ ଆସେ ସେ ହୁଏଇ ପୁଣି ଆରମ୍ଭ କରିପାରେ କଲିକତା–ସଂସାର । କିନ୍ତୁ କିଣୁବାବୁ ଏଠି ଆଉ ରହିବେନି ।

 

ଦିନ ପରେ ଦିନଗୁଡ଼ା ଢେଉ ଭଳି ଭାରି ଦ୍ରୁତଗତିରେ ଚାଲିଯାଉଚି । ବିନୟବାବୁଙ୍କ ଘର ସହିତ ତାଙ୍କର ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଚି ।

 

ଏମିତ ବି ହୁଏ । ଯିଏ ଶ୍ରେଷ୍ଠ ବନ୍ଧୁ କାଳର କୁଟିଳ ଗତିରେ ସିଏ ପୁଣି ପରମ ଶତ୍ରୁରେ ପରିଣତ ହୋଇଯାଏ ।

 

ଶରଧାର କିନ୍ତୁ ଗାଁକୁ ଯିବାର ଇଚ୍ଛା ନାହିଁ । ଯୋଉ ଗାଁରୁ ସେ ଥରେ ଗୋଡ଼ କାଢ଼ି କଲିକତା ସହରକୁ ଚାଲିଆସିଚି ସେ ଗାଁକୁ ପୁଣି ଫେରିଯିବାରେ ତା’ର କୁଣ୍ଠା ।

 

କିଣୁବାବୁ କିନ୍ତୁ ତାଙ୍କ ନିଷ୍ପତ୍ତିରେ ଅଟଳ ।

 

ଦିନେ ଦୋକାନର କର୍ମଚାରୀମାନଙ୍କୁ ଡାକି ତାଙ୍କ ଅଭିପ୍ରାୟ ସେ ଜଣେଇଦେଲେ । ଯୋଉ କର୍ମଚାରୀମାନେ ଏତେ ଦିନ ଦାନା କରି ଖାଉଥିଲେ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ସେମାନେ ସମସ୍ତେ ଏକାତ୍ର କହିଲେ–ଚଳନ୍ତି ବ୍ୟବସାୟଟାକୁ ବନ୍ଦ କରିଦେଲେ ଲକ୍ଷ୍ମୀ ଛାଡ଼ିଯିବେ । ତାଠୁ ବରଂ ଆମେ ସବୁ ଦୋକାନକୁ ଚଲାଉଛୁ । ଆସ୍ତେ ଆସ୍ତେ ଆପଣଙ୍କ ଟଙ୍କା ଆମେ ପରିଶୋଧ କରିଦେବୁ । ଟଙ୍କା ପରିଶୋଧ ହବା ପର୍ଯ୍ୟନ୍ତ ଦୋକାନର ମାଲିକ ଆପଣ–ଯୋଉ ଦିନ ଟଙ୍କା ପରିଶୋଧ ହୋଇଯିବ ସେଦିନ ଦୋକାନ ଆମର ହେବ । ଆମେ ସମସ୍ତେ ମିଳି ସମବାୟ ଭିତ୍ତିରେ ଏଇଟାକୁ ନଉଚୁ ।

 

ହଠାତ୍‌ ତ କିଣୁବାବୁଙ୍କର ଟଙ୍କାର ଆବଶ୍ୟକତା ନାହିଁ–ଏତେଦିନ କାମ କରିଥିବା କର୍ମଚାରୀମାନଙ୍କର ଅଳି ସେ ଶୁଣିଲେ । ଏଇ ମର୍ମରେ ଏଗ୍ରିମେଣ୍ଟ କରିଦେଇ ସେମାନଙ୍କୁ ଦୋକାନ ବଢ଼େଇଦେଲେ । ସର୍ତ୍ତ ରହିଲା–ଯଦି ପୁଣି କିଣୁବାବୁ ଦୋକାନକୁ ଫେରସ୍ତ ନବାକୁ ଚାହାନ୍ତି, ସେମାନେ ତାହା ବିନା ଓଜର ଆପତ୍ତିରେ ଦେଇଦେବେ ।

 

ଏଣିକି ଗାଁକୁ ଯିବାର ବ୍ୟବସ୍ଥା । ବହୁ ପୁରୁଣା ପରିଚିତ ଭଡ଼ାଘର, ଯୋଉ ଘରେ ସେ ଏତେଦିନ ରହି ଆସିଥିଲେ, ଶେଷରେ ସେଇଟାକୁ ଛାଡ଼ି ସେ ଗାଁକୁ ବାହାରି ପଡ଼ିଲେ ।

 

ସାଙ୍ଗରେ ଶରଧା ।

 

–ବାଇଶି–

 

କଲିକତା ଛାଡ଼ି ବିମଳ ସିଧା ଯାଇ ପହଞ୍ଚିଛି ପୁରୀରେ । କିଛି ଦିନ ଏ ପାଖ ସେ ପାଖ ହେଇ ସମୁଦ୍ରକୂଳରେ ଲକ୍ଷ୍ୟହୀନ ଭାବରେ ଭାବରେ କ’ଣ କରିବ ନ କରିବ ସେ କିଛି ସ୍ଥିର କରି ପାରୁ ନାହିଁ । ଭାବୁଥିଲା ଗାଁକୁ ଯିବ–କିନ୍ତୁ ନାନା କାରଣରୁ ଗାଁକୁ ଯିବା ସେ ସମୀଚୀନ ମନେ କଲେ ନାହିଁ । ସେଠାକୁ ଗଲେ ଧରା ପଡ଼ିଯିବାର ଭୟ ଅଛି ।

 

ଅନବରତ ତନ୍ଦ୍ରା ଚିନ୍ତା । ନିଜେ ଥଇଥାନ ନ ହେଲେ ତନ୍ଦ୍ରାକୁ ସେ ଆଣିବ କେମିତି ?

 

ପୁରୀରୁ ସେ ଆସି ଭୁବନେଶ୍ଵର । ଓଡ଼ିଶାର ହୃତ୍‌ପିଣ୍ଡ ଏଇ ଭୁବନେଶ୍ୱରରେ ଯଦି କିଛି ଚାକିରି ଯୋଗାଡ଼ ହେଇପାରେ: ଓଡ଼ିଶାର ବହୁ ଶିକ୍ଷିତ ଯୁବକ ଏଇ ଭୁବନେଶ୍ୱର ରାଜଧାନୀ ଉପରେ ଲୋଲୁପ ଦୃଷ୍ଟି ନିକ୍ଷେପ କରି ନିରାଶ ହଉଚନ୍ତି । ଚାକିରି କାହିଁ ? ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ ନୂତନ କର୍ମଯୋଜନା ଦରକାର–ଦେଶକୁ ଶୀଳ୍ପାୟିତ କରିବା ଦରକାର । ତା’ ନ ହେଲେ ବହୁ କର୍ମକ୍ଷମ ବଳିଷ୍ଠ ଯୁବକ ବେକାର ହେଇ ନୈରାଶ୍ୟ ମରୀଚିକା ପଛରେ ଧାଇଁ ଜୀବନକୁ ନଷ୍ଟ କରିବେ । ଚାରିଆଡ଼େ ଏକ ଆବାଜ୍‌–ଖାଦ୍ୟ ଦିଅ, ଚାକିରି ଦିଅ, ଆମକୁ ମଣିଷ ଭଳି ବଞ୍ଚିବାକୁ ଦିଅ ।

 

କିନ୍ତୁ ଏ ଆବାଜ୍‌ ହୁଏତ ସରକାରୀ ଦପ୍ତରର ଶୀତ–ତାପନିୟତ୍ରିତ କକ୍ଷ ଭିତରକୁ ଯାଇପାରୁନି ।

 

ବିମଳ ଚାକିରି ଖେଜୁଚି । କିନ୍ତୁ ମାଟ୍ରିକଟା ପାଶ କରି କି ଚାକିରି ବା ସେ ପାଇବ ? ସରକାରୀ ଚାକିରି ମିଳିବା ତ ପୂର୍ବଜନ୍ମ ତପସ୍ୟାର ଫଳ–ପୁଣି ସେଥିପାଇଁ କେତେ ବେକିଂ କେତେ ଅର୍ଥ ଯେ ଦରକାର ତା’ ଅନୁଭବୀମାନେ ହିଁ କେବଳ ଜାଣିଥିବେ ।

 

ଏଇ ନୀରସ ଚାକିରି ଖୋଜିବା ମୁହୂର୍ତ୍ତରେ ସେ ତନ୍ଦ୍ରାକୁ । ତନ୍ଦ୍ରାର ମଧ୍ୟ ଯୋଗ୍ୟତା ଅଛି-। ଦୁହେଁ ଯଦି ସେକ୍ରଟିରିଏଟ୍‌ ଭିତରେ ପଶିଯାଇପାରନ୍ତି ।

 

ଭୁବନେଶ୍ୱର ପାନ୍ଥନିବାସରେ ବାସ–ସାଙ୍ଗରେ ଆଣିଥୁବା ଟଙ୍କା ବା ଆଉ କେତେ ଦିନ-? ଟଙ୍କାର ପରିମାଣ ସେତିକି କମି ଆସୁଚି ତା’ର ଦମ୍ଭ ମଧ୍ୟ ସେତିକି କମି ଆସୁଚି ।

 

ତଥାପି ସେ ତନ୍ଦ୍ରାକୁ ଲେଖିଚି–ମୁଁ ନିଶ୍ଚୟ କିଛି ନା କିଛି ଗୋଟାଏ ଚାକିରି ଯୋଗାଡ଼ କରିବି । ସେ ପର୍ଯ୍ୟନ୍ତ ତୁମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ।

 

ଧୈର୍ଯ୍ୟ ?

 

ତନ୍ଦ୍ରା ଯେମିତି ଅଧିକ ଅଧୈର୍ଯ୍ୟ ହେଇଉଠିଲା ।

 

ବିମଳ ହୁଏତ ଜାଣେନା ତନ୍ଦ୍ରାର କୁମାରୀତ୍ୱ ଉପରେ ଭୀଷଣ ଆଞ୍ଚ ଆସିଚି । ଆଉ କିଛି ଦିନ ଗଲେ ତାର କୁମାରୀତ୍ୱ ଫାଶୀଖଣ୍ଟରେ ଝୁଲିବ ।

 

ଅପେକ୍ଷା କରିବା ସମ୍ଭବ ନୁହେଁ । ସେ ତୁରନ୍ତ କାଗଜ କଲମ ଆଣି ବିମଳ ପାଖକୁ ପ୍ରତ୍ୟୁତ୍ତର ଲେଖି ବସିଲା ।

 

ମାତ୍ର–

 

ବିମଳ ତା’ର ଠିକଣା ତ ଦେଇନି । ଚିଠି ଯିବ କେମିତି ଏକ ଗମ୍ଭୀର ଚିନ୍ତା ଭିତରେ ସେ ଧନ୍ଦି ହେଉଚି ।

 

ବିନୟବାବୁ ଓ ସୂନନ୍ଦାଙ୍କ ଚକ୍ଷୁରେ ବିମଳ ଆଜି ଫେରାର୍‌ । କିଣୁବାବୁ କଲିକତା ଛାଡ଼ିଦେବା ଯୋଗୁଁ ତାଙ୍କ ସହିତ ସମ୍ପର୍କ ବର୍ତ୍ତମାନ ବିସ୍ତୃତ । ଯୋଉଠି ହେଲେ ତନ୍ଦ୍ରାକୁ ଛନ୍ଦି ଦବାକୁ ପଡ଼ିବ ।

 

ପାତ୍ରଟିଏ ଯୋଗାଡ଼ ହେଇଚି । ପାତ୍ରଟି ଏଲ୍‌. ଆଇ. ସି ଅଫିସରେ ସୁପରଭାଇଜର । ଦରମା ତିନଶହ ଟଙ୍କା । ଦେଖିବାକୁ ଖୁବ୍‌ ଭଲ ନ ହେଲେ ବି ଚଳନୀୟ ରୂପ । ପାଞ୍ଚବର୍ଷ ତଳେ ବି. ଏ. ପାଶ କରି ଦୁଇବର୍ଷ ହେଲା ଚାକିରିରେ ଭର୍ତ୍ତି ହେଇଚି । ନାଆଁ ତାର ସୁମନ୍ତ । ସେ ମଧ୍ୟ ତନ୍ଦ୍ରାକୁ ବାହା ହବ ବୋଲି ରାଜି ହେଇଚି । ତା’ର ବାପ ମା ମଧ୍ୟ ରାଜି ।

 

ତେଣୁ ବିବାହ ଦିନ ଧାର୍ଯ୍ୟ ହେଇଗଲା । ସୁମନ୍ତ ବିଭା ହବ ତନ୍ଦ୍ରାକୁ ।

 

–ତେଇଶି–

 

ବିବାଦ ଦିନ । ବିନୟବାବୁ ଜଣାଶୁଣା ଜ୍ଞାତିବନ୍ଧୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଏଇ ଶୁଭ କାର୍ଯ୍ୟଟି ତ ତାଙ୍କ ଜୀବନରେ ପ୍ରଥମ ଆଉ ଶେଷ–ସକାଳଠୁ ସାହନାଇବାଲା ଆସି ଦାଣ୍ଡରେ ବିବାହ ସ୍ୱରରେ ବାଦ୍ୟନାଦ କରୁଛନ୍ତି । ମାଇକ୍‌ର ଶବ୍ଦରେ ଖଣ୍ଡମଣ୍ଡଳ ଝଂକୃତ ।

 

ଠିକ୍‌ ସନ୍ଧ୍ୟାବେଳକୁ ବର ଆସି ପହଞ୍ଚିବ । ବେଦି ସୁସଜ୍ଜିତ ପଡ଼ିଶା ଟୋକାଏ ଅକ୍ଳାନ୍ତ ପରିଶ୍ରମ କରି ବେଦିକୁ ସଜାଇଛନ୍ତି । ବିନୟବାବୁ କାଠ କଣ୍ଢେଇଟେ ଭଳି ବସି ରହିଛନ୍ତି । ଅତୀତ ଦିନର ବହୁ ଘଟଣା ଆଜି ତାଙ୍କ ମନକୁ ବିଚଳିତ କରୁଚି । ଏଇ ମୁହୂର୍ତ୍ତରେ ତାଙ୍କ ମନ–ଆକାଶରେ ଉଙ୍କି ମାରୁଚି କିଣୁବାବୁ ଆଉ ବିମଳ କଥା ।

 

ଟିକିଏ ଭୁଲପାଇଁ–

 

ପରମୁହୂର୍ତ୍ତରେ ମନକୁ ମନ ସେ ପୁଣି ସାନ୍ୱନା ଦଉଛନ୍ତି–ନା ନା, ସେ ଯାହା କରିଛନ୍ତି ଠିକ୍‌ କରଛନ୍ତି । ବାପ ହେଇ ଆଉ କ’ଣ ସେ କରିଥାନ୍ତେ ?

 

ସୁନନ୍ଦାଙ୍କ ମନ ଭଲ ନାହିଁ । ତନ୍ଦ୍ରା ତ ମୂକ ପାଲଟି ଯାଇଚି । ତା’ର ବେଦନାବିଧୁର ମୁହଁ ଦେଖି ଜନନୀ ହୃଦୟ ଫାଟି ପଡ଼ୁଚି । ତନ୍ଦ୍ରା ସମବୟସୀ ଝିଅମାନେ ବାରମ୍ବାର ଆସି ତନ୍ଦ୍ରାର ମାନସିକ ଦୁରବସ୍ଥା କଥା ସୁନନ୍ଦାଙ୍କୁ କହୁଛନ୍ତି । କିନ୍ତୁ କରିବାର ବା କ’ଣ ଅଛି ?

 

ଅଳ୍ପ ବୟସରେ ଯାହାସବୁ କରାଯାଏ, ସାରା ଜୀବନକୁ ସେଥିପାଇଁ ଜାଳି ପୋଡ଼ି ଦିଆଯିବ କାହିଁକି ?

 

ତନ୍ଦ୍ରା ଭାବୁଥିଲା–ଇହକାଳ ପରକାଳ ପାଇଁ ସେ ବିମଳର । ତା ବ୍ୟତୀତ ସେ ଆଉ କାହାର ହେଇପାରେନା ।

 

ପୁଣି ଭାବୁଥିଲା–ସୁମନ୍ତ ! ତୁମେ ଦିର୍ଦ୍ଦୋଷ–ପ୍ରତାରିତ ହବାକୁ ଏଠାକୁ ଆସୁଛ କାହିଁକି ? ତୁମେ ଫେରିଯାଅ ।

 

ବିମଳ କିନ୍ତୁ କେବେ ଆସିବ ? ଡେରି କରି ଆସିଲେ ଲାଭ କ’ଣ ?

 

ତନ୍ଦ୍ରା ଆଉ କିଛି ଭାବି ପାରୁନି । ସନ୍ଧ୍ୟା ଆଗତପ୍ରାୟ । ଦୂରରୁ ଶୁଭୁଚି ବ୍ୟାଣ୍ଡ୍‌ ବାଜାର ଅସ୍ପଷ୍ଟ ଶବ୍ଦ । ବରବେଶ ହେଇ ସୁମନ୍ତ ଆସୁଚି । ଜୀବନରେ ତା’ର ନୂତନତ୍ୱର ପ୍ରଥମ ପ୍ରଭାତ ।

 

ବିନୟବାବୁଙ୍କ ଘରଟା ସନ୍ଧ୍ୟାର ଆଲୋକରେ ଝଲସି ଉଠିଲା । ସୁମନ୍ତକୁ ସାଦର ଅଭିନନ୍ଦନ ଜଣାଇବା ପାଇଁ ସମସ୍ତେ ବ୍ୟଗ୍ର ହେଇଉଠିଲେ ।

 

ଶୋଭାଯାତ୍ରା ଅଗେଇ ଆସୁଚି । ବରଣ କରିବା ପାଇଁ ପୁରୋହିତ ପ୍ରସ୍ତୁତ ହେଇ ରହିଗଲେଣି ।

 

ଏ ବାଦ୍ୟର ଶବ୍ଦ ତନ୍ଦ୍ରା ମନରେ ଆଣୁ ନାହିଁ ଶିହରଣ–ଟିକିଏ ଭୁଲ ପାଇଁ ସାରା ଜୀବନଟା ତା’ର ନଷ୍ଟ ହେଇଯିବାକୁ ବସିଚି । ଆଖି ଥାଇ ସେ ଆଜି ଅନ୍ଧ–ସମ୍ପଦ ଥାଇ ସେ ଆଜି ଭିକାରୁଣୀ–ଯୌବନ ଥାଇ ସେ ଆଜି ବିକଳାଙ୍ଗ ।

 

ଘରଟି ଭିତରେ ସେ ବସିରହିଚି । ବର ଶୋଭାଯାତ୍ରା ଆସି ପହଞ୍ଚିଗଲାଣି ଦାଣ୍ଡ ଦୁଆରେ–ଝିଅମାନେ ବର ଦେଖିବା ପାଇଁ ବ୍ୟଗ୍ର ହେଇ ଧାଇଁଲେଣି ଦାଣ୍ଡକୁ ।

 

ବିନୟବାବୁ ବର ବରଣ କାମ ଆରମ୍ଭ କରି ଦେଇଛନ୍ତି ।

 

ହଠାତ୍‌–

 

ଘରର ସବୁଯାକ ବିଜୁଳି ଆଳୁଅ ନିଭିଗଲା । କ’ଣ ହେଲା ? କ’ଣ ହେଲା ଚାରିଆଡ଼େ ବ୍ୟସ୍ତ କୋଳାହଳ । ଅନ୍ୟ ଆଲୁଅ ଜଳୁଚି । ଆଜି ଏକ ଶୁଭଦିନର ଶୁଭ ମୁହୂର୍ତ୍ତରେ ବିନୟବାବୁଙ୍କ ଘରର ଆଲୁଅ ନିଭିଗଲା କାହିଁକି ?

 

ବାସ୍ତବିକ୍‌ ବିନୟବାବୁଙ୍କ ଘରର ଆଲୁଅ ନିଭିଯାଇଚି । କ୍ଷଣକ ପାଇଁ ଏ ନିଭିବା ନୁହେଁ–ଏ ନିଭିବା ସବୁ ଦିନପାଇଁ । ସମସ୍ତେ ଦେଖିଲେ–ଘର ଭିତରର ବିଜୁଳି ତାରକୁ ସ୍ପର୍ଶ କରି ଭୀରୁ ତନ୍ଦ୍ରା ଅନନ୍ତକାଳ ସହିତ ମିଶିଯାଇଛି ।

 

ଚାରିଆଡ଼େ କ୍ରନ୍ଦନର ରୋଳ ।

 

କ’ଣ ହେଲା ଏ ? ବିନୟବାବୁ ଓ ସୁନନ୍ଦା ଉଭୟ ଚେତା ହରେଇଲେ ।

 

କାହାର ଏ ଭୁଲ୍‍ ? କିଏ ଏଥିପାଇଁ ଦାୟୀ ? ପ୍ରେମିକ ପ୍ରେମିକା ? ପିତା ମାତା ? ଏ ଯୁଗର ଶିକ୍ଷା ? ସମାଜ ନା ଅଦୃଶ୍ୟ ଭାଗ୍ୟ ?

 

ତନ୍ଦ୍ରାର ଜୀବନଦୀପ ନିଭିଗଲା ।

 

ଆଉ ବିମଳ ? ସେ କାହିଁ ? କେଉଁଠି ?

 

ଏବେ ଥାଉ । ତନ୍ଦ୍ରା ବିହୁନରେ ତା ଜୀବନର କରୁଣ ଗଳ୍ପ ଆଉ ଶୁଣି ଲାଭ କ’ଣ ?

Image